ବିଶ୍ୱର ସଂଖ୍ୟାଗରିଷ୍ଠ ଦେଶ ଅର୍ଥନୈତିକ ଅଭିବୃଦ୍ଧି ରାସ୍ତାରେ ଥିବାରୁ ବିଶ୍ୱ ସମୁଦାୟର ମୋଟ ସମ୍ପତ୍ତି ପରିମାଣ ମଧ୍ୟ କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି। ବିଶ୍ୱବାସୀଙ୍କ ହାରାହାରି ମୁଣ୍ଡପିଛା ଆୟ ମଧ୍ୟ ବଢ଼ିଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଲା, ଏ ଅର୍ଥନୈତିକ ସମ୍ପନ୍ନତା ବିଶ୍ୱରେ କ୍ଷୁଧା ଓ ଅପପୁଷ୍ଟିର ମୁକାବିଲା କରିବାରେ ଅକୁଳାଣ ପଡୁଛି। ଭୋକ ଜ୍ୱାଳାରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ଗତ ତିନି ବର୍ଷ ହେଲା ଲଗାତାର ବୃଦ୍ଧି ପାଇ ଚାଲିଛି। କ୍ଷୁଧାର ତାଡ଼ନା ଯୋଗୁ ଅପପୁଷ୍ଟି ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢ଼ିଛି, ଯାହା ବିଭିନ୍ନ ପ୍ରକାର ରୋଗର ପ୍ରକୋପକୁ ବଢ଼ାଇବାରେ ସହାୟକ ହୋଇଛି। ନିକଟରେ ଖାଦ୍ୟ ନିରାପତ୍ତା ଓ ପୌଷ୍ଟିକ ଆହାର ପ୍ରସଙ୍ଗରେ ଜାତିସଂଘର ତିନିଟି ସଂସ୍ଥା- ଏଫଏଓ, ଆଇଏଫ୍ଏଡ ଏବଂ ୟୁନିସେଫ୍ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ ‘ଷ୍ଟେଟ୍ ଅଫ୍ ଫୁଡ୍ ସିକ୍ୟୁରିଟି ଆଣ୍ଡ୍ ନ୍ୟୁଟ୍ରିସନ୍ ଇନ୍ ଓ୍ଵର୍ଲଡ୍’ ରିପୋର୍ଟରେ ଏ ପ୍ରକାର ଅସ୍ୱସ୍ତିକର ଚିତ୍ର ଅଙ୍କାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଜାତିସଂଘ ରିପୋର୍ଟ ଅନୁଯାୟୀ, ଆବଶ୍ୟକ ପରିମାଣରେ ଖାଇବାକୁ ପାଉ ନ ଥିବା ଲୋକଙ୍କ ସଂଖ୍ୟା ୨୦୧୪ରୁ ୨୦୧୭ ମଧ୍ୟରେ ୭୮.୩ କୋଟିରୁ ୮୨.୧ କୋଟିକୁ ବୃଦ୍ଧି ପାଇଛି। ୨୦୧୬ରେ ଏହି ସଂଖ୍ୟା ୮୦.୪ କୋଟି ଥିଲା। ଫଳତଃ ଏହି ସମୟରେ ଅପପୁଷ୍ଟି ଆକ୍ରାନ୍ତଙ୍କ ଭାଗ ବିଶ୍ୱ ଲୋକସଂଖ୍ୟାର ୧୦.୭%ରୁ ୧୨.୮%କୁ ବୃଦ୍ଧି ପାଇଛି। ଉଲ୍ଲେଖନୀୟ, ୨୦୦୮ରୁ ଆବଶ୍ୟକ ମୁତାବକ ଖାଦ୍ୟ ନ ପାଇ କ୍ଷୁଧାର ତାଡ଼ନା ସହୁଥିବା ଲୋକଙ୍କ ସଂଖ୍ୟା ୨୦୧୪ ପର୍ଯ୍ୟନ୍ତ ହ୍ରାସ ପାଇ ଆସୁଥିଲା। କିନ୍ତୁ ଗତ ତିନି ବର୍ଷ ହେଲା ସେଇ ଧାରା ବିପରୀତମୁଖୀ ହୋଇଛି। ଏହି ପରିପ୍ରେକ୍ଷୀରେ ଆଶଙ୍କା ହେଉଛି ଯେ କ୍ଷୁଧାପୀଡ଼ିତଙ୍କ ସଂଖ୍ୟାରେ କ୍ରମାଗତ ବୃଦ୍ଧିର ଏହି ଧାରା ନ ଭାଙ୍ଗିଲେ ୨୦୩୦ ସୁଦ୍ଧା କ୍ଷୁଧାମୁକ୍ତ ବିଶ୍ୱ ପାଇଁ ଏସ୍ଡିପି (ସଷ୍ଟେନେବଲ୍ ଡେଭଲପ୍ମେଣ୍ଟ ପୋଲ୍)ରେ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି, ତାହା ପୂରଣ ହେବା ସମ୍ଭବ ନୁହେଁ।
ତେବେ ପ୍ରଶ୍ନ ହେଲା, ଭୋକ ଓ ଅପପୁଷ୍ଟି ଆକ୍ରାନ୍ତ ଲୋକଙ୍କ ସଂଖ୍ୟା କମିବା ପରିବର୍ତ୍ତେ ବଢ଼ୁଛି କାହିଁକି? ଏହାର କାରଣ ପ୍ରାକୃତିକ ଅପେକ୍ଷା ଅଧିକ କୃତ୍ରିମ। ପ୍ରାକୃତିକ ବିପର୍ଯ୍ୟୟ ଓ ପାଣିପାଗ ପରିବର୍ତ୍ତନ ଜନିତ କାରଣରୁ କିଛି ଅଞ୍ଚଳର ଖାଦ୍ୟ ଉତ୍ପାଦନ ପ୍ରଭାବିତ ହୋଇଛି ସତ, କିନ୍ତୁ କ୍ଷୁଧାର୍ତ୍ତଙ୍କ ସଂଖ୍ୟା ବୃଦ୍ଧିର ଏହା ଏକ ବଡ଼ କାରଣ ନୁହେଁ। ସାମଗ୍ରିକ ଭାବେ ବିଶ୍ୱରେ ଖାଦ୍ୟ ଉତ୍ପାଦନ ଯେତିକି ବଢ଼ୁଛି, ତାହା ଅଳ୍ପ ଅଞ୍ଚଳରେ ଖାଦ୍ୟାଭାବ ଭରଣା ଲାଗି ଯଥେଷ୍ଟ। ପୁଣି ବର୍ତ୍ତମାନର ଜଗତ୍କରଣ ଓ ଉଦାରୀକରଣର ବ୍ୟବସ୍ଥାରେ ଖାଦ୍ୟ ବଳକା ଅଞ୍ଚଳରୁ ଖାଦ୍ୟ ତିରୋଟ ପ୍ରଭାବିତ ଅଞ୍ଚଳକୁ ଖାଦ୍ୟ ଯୋଗାଣ ବିଶେଷ ସମସ୍ୟା ବହୁଳ ନୁହେଁ। ତେବେ, ଏହା ସତ୍ତ୍ୱେ ଭୋକ ଓ ଅପପୁଷ୍ଟିର ପ୍ରକୋପ କମିବା ବଦଳରେ ବଢ଼ିବା ପଛରେ ଥିବା ମୁଖ୍ୟ କାରଣ ହେଲା ବିଶ୍ୱର ବହୁ ଅଞ୍ଚଳରେ ଲାଗି ରହିଥିବା ସଂଘର୍ଷ। ଯୁଦ୍ଧଗ୍ରସ୍ତ ଅଞ୍ଚଳରେ ପୀଡ଼ିତ ଶରଣାର୍ଥୀଙ୍କ ମଧ୍ୟରେ ଭୋକ ଓ ଅପପୁଷ୍ଟିର ପ୍ରାଦୁର୍ଭାବ ଅଧିକ। ଏହା ଏକ ମାନବୀୟ ସଙ୍କଟ, ଯାହାର ମୁକାବିଲା ଅନ୍ତର୍ଜାତୀୟ ସମୁଦାୟ ଓ ବିଶ୍ୱ ନେତୃବୃନ୍ଦଙ୍କ ପାଇଁ ଉଭୟ ଏକ ସାମରିକ ଏବଂ କୂଟନୈତିକ ଆହ୍ଵାନ। ପୁଣି ବିଶ୍ୱରେ ଉତ୍ପାଦିତ ଖାଦ୍ୟ ସାମଗ୍ରୀର ଏକ ତୃତୀୟାଂଶ ନଷ୍ଟ ହେବା ଆଉ ଏକ କୃତ୍ରିମ ସମସ୍ୟା। ଏହାକୁ ରୋକିବା ଲାଗି ମିଳିତ ଅଭିଯାନ ଆବଶ୍ୟକ।
ତେବେ, ଯେଉଁ ଅଞ୍ଚଳରେ ଯୁଦ୍ଧ ନାହିଁ, ଶାନ୍ତି ସହ ପ୍ରଗତି ଚାଲିଛି, ଅର୍ଥନୈତିକ ଅଭିବୃଦ୍ଧି ଓ ମୁଣ୍ଡପିଛା ଆୟ ବୃଦ୍ଧିର ଧାରା ମଧ୍ୟ ଜାରି ରହିଛି, ସେ ସବୁ ଅଞ୍ଚଳରେ କାହିଁକି ସମାନୁପାତିକ ଭାବେ କ୍ଷୁଧା ଓ ଅପପୁଷ୍ଟିର ପ୍ରକୋପ କମୁନାହିଁ? ଏହାର କାରଣ ଆର୍ଥିକ ଅସମାନତା, ଯାହା କ୍ଷୁଧା ଓ ଅପପୁଷ୍ଟି ପ୍ରସଙ୍ଗରେ ସବୁଠାରୁ ଭୟଙ୍କର କୃତ୍ରିମ ସମସ୍ୟା। ବିଶ୍ୱ ଜନସଂଖ୍ୟାର ୭୦ ପ୍ରତିଶତଙ୍କ ପାଖରେ ବିଶ୍ୱର ମୋଟ ସମ୍ପତ୍ତିର ମାତ୍ର ୩% ରହିଛି। ଅଥଚ ୮୫ ପ୍ରତିଶତ ସମ୍ପତ୍ତିର ମାଲିକାନା ବିଶ୍ୱର ମାତ୍ର ୮% ଲୋକଙ୍କ ହାତରେ। ଏହି ଆର୍ଥିକ ଅସମାନତା ହିଁ ବିଶ୍ୱର ୮୦ କୋଟି ଲୋକଙ୍କ ପାଇଁ ଆବଶ୍ୟକ ମୁତାବକ ଖାଦ୍ୟ ଅପହଞ୍ଚ ହେବାର କାରଣ। ଯୁକ୍ତରାଷ୍ଟ୍ର ଆମେରିକା ବିଶ୍ୱର ମହାଶକ୍ତି ଓ ଏକ ସମ୍ପନ୍ନ ରାଷ୍ଟ୍ର। କିନ୍ତୁୁ ଆର୍ଥିକ ଅସମାନତା ଯୋଗୁ ଆମେରିକା ମଧ୍ୟ ସମ୍ପୂର୍ଣ୍ଣ କ୍ଷୁଧାମୁକ୍ତ ନୁହେଁ। ପ୍ରାୟ ଚାରି କୋଟି ଆମେରିକୀୟଙ୍କୁ ଆବଶ୍ୟକ ମୁତାବକ ଖାଦ୍ୟ ମିଳେ ନାହିଁ। ଆମେରିକାର ୧୨ ନିୟୁତ ଶିଶୁ ଏବଂ ପ୍ରାୟ ୫ ନିୟୁତ ବୟସ୍କ ଅପପୁଷ୍ଟିର ଶିକାର ବୋଲି ଜଣାପଡ଼ିଛି।
ଆର୍ଥିକ ଅସମାନତାର ପରିଣତି ସ୍ୱରୂପ କେମିତି ବହୁ ଲୋକ ଅନାହାର, ଅର୍ଧାହାର ଓ ଅପପୁଷ୍ଟିର ଶିକାର ହେଉଛନ୍ତି, ତାର ଆଉ ଏକ ଉଦାହରଣ ହେଲା ସବୁଠାରୁ ଅଧିକ ଅର୍ଥନୈତିକ ଅଭିବୃଦ୍ଧିଶୀଳ ଦେଶ ଭାରତ। ବିଗତ ଦୁଇ ଦଶକରେ ଭାରତର ଜିଡିପିରେ ସାଢ଼େ ଚାରିଗୁଣ ବୃଦ୍ଧି ହୋଇଛି। ମୁଣ୍ଡପିଛା ଆୟ ତିନି ଦଶକରେ ତିନି ଗୁଣ ଓ ମାସିକ ମୁଣ୍ଡପିଛା ଖର୍ଚ୍ଚ କ୍ଷମତା ମଧ୍ୟ ଦୁଇ ଦଶକରେ ତିନି ଗୁଣ ବଢ଼ିଛି। ଖାଦ୍ୟଶସ୍ୟ ଉତ୍ପାଦନ ମଧ୍ୟ ଦୁଇ ଗୁଣ ହୋଇଛି। ଏହା ସତ୍ତ୍ୱେ ୨୦୧୭ର ଜାତିସଂଘ ରିପୋର୍ଟ ଅନୁଯାୟୀ ପ୍ରାୟ ୧୯ କୋଟି ଭାରତୀୟ ଅର୍ଥାତ୍ ଲୋକସଂଖ୍ୟାର ପାଖାପାଖି ୧୫ ପ୍ରତିଶତ ପ୍ରତିଦିନ ଆବଶ୍ୟକତା ଅନୁଯାୟୀ ଖାଦ୍ୟ ପାଉ ନାହାନ୍ତି। ବିଗତ ଦୁଇ ଦଶକରେ ଦାରିଦ୍ର୍ୟ କମିବା ସହ ଦେଶରେ ଭୋକର ପ୍ରକୋପ କମିଛି ସତ, କିନ୍ତୁ ଏହା ଅର୍ଥନୈତିକ ଅଭିବୃଦ୍ଧିର ସମାନୁପାତିକ ନୁହେଁ। ଏହାର କାରଣ ମଧ୍ୟ ଅର୍ଥନୈତିକ ଅସମାନତା।
ଭାରତରେ ଅର୍ଥନୈତିକ ଅସମାନତା ଉପରେ ଅନୁଧ୍ୟାନ କରିଥିବା ଫରାସୀ ଅର୍ଥନୈତିଜ୍ଞ ଥୋମାସ୍ ପିକେଟି ଏବଂ ତାଙ୍କର ସହଯୋଗୀ ଲୁକାସ୍ ଚାନ୍ସେଲ୍୍ଙ୍କ ରିପୋର୍ଟ ଅନୁଯାୟୀ ୧୯୮୫ରୁ ୨୦୧୫ ମଧ୍ୟରେ ଭାରତୀୟଙ୍କ ହାରାହାରି ମୁଣ୍ଡପିଛା ଆୟ ତିନିଗୁଣ ବଢ଼ିଛି। ସେହି ସମୟରେ କିନ୍ତୁ ଉଚ୍ଚ ବିତ୍ତଶାଳୀ ୧୦ ପ୍ରତିଶତଙ୍କ ଆୟ ୪ ଗୁଣ ଓ ସବୁଠାରୁ ଉଚ୍ଚ ବିତ୍ତଶାଳୀ ୧%ଙ୍କ ଆୟ ୭ ଗୁଣ ବଢ଼ିଛି। ଲୋକସଂଖ୍ୟାର ୫୦%ଙ୍କ ହାତରେ ଦେଶର ୧୧% ସମ୍ପତ୍ତି ଥିବା ବେଳେ ଅର୍ଥନୈତିକ ପିରାମିଡର ଶୀର୍ଷରେ ଥିବା ୧%ଙ୍କ ହାତରେ ୨୯% ସମ୍ପତ୍ତି ରହିଛି। ଏହି ପରିସଂଖ୍ୟାନ ବୟାନ କରୁଥିବା ଆର୍ଥିକ ଅସମାନତା ଯୋଗୁ ଭାରତ ବିଶ୍ୱ କ୍ଷୁଧା ସୂଚକାଙ୍କରେ ୯୭ତମ ଏବଂ ମାନବ ବିକାଶ ସୂଚକାଙ୍କରେ ୧୮୯ ଦେଶଙ୍କ ମଧ୍ୟରେ ୧୩୦ ସ୍ଥାନରେ ରହିଛି। ୧୯୯୦ରୁ ୨୦୧୮ ମଧ୍ୟରେ ମାନବ ବିକାଶ ସୂଚକାଙ୍କରେ ଭାରତର ପଏଣ୍ଟ ୦.୪୨୭ରୁ ୦.୬୪୦କୁ ବୃଦ୍ଧି ପାଇଛି। ଭାରତ ଆହୁରି ଅଧିକ ପଏଣ୍ଟ ପାଇଥାଆନ୍ତା, ଯଦି ଆର୍ଥିକ ଅସମାନତା କାରଣରୁ ୨୬ ପ୍ରତିଶତ ପଏଣ୍ଟ ହରାଇ ନଥାନ୍ତା। ତେଣୁ ଭାରତ ହେଉ କି ଆମେରିକା ହେଉ; ଉଭୟ ବିକାଶୋନ୍ମୁଖୀ ଓ ବିକଶିତ ଦେଶରେ କ୍ଷୁଧା ଓ ଅପପୁଷ୍ଟିର ମୁକାବିଲା ପାଇଁ ପ୍ରଥମେ ଅର୍ଥନୈତିକ ଅସମାନତା ବିରୋଧରେ ଲଢ଼େଇକୁ ପ୍ରାଥମିକତା ଦେବାକୁ ପଡ଼ିବ। ଅବଶ୍ୟ, ପାଣିପାଗ ପରିବର୍ତ୍ତନର ମୁକାବିଲା ମଧ୍ୟ ଆଉ ଏକ ବଡ଼ ଆହ୍ଵାନ।