୨୦୧୮-୧୯ ବର୍ଷ ପାଇଁ ଧାନ ସଂଗ୍ରହ ନୀତି ଉପରେ ରାଜ୍ୟ କ୍ୟାବିନେଟ୍ର ମୋହର ଲାଗିଛି। ରାଜ୍ୟର ଚାଷୀମାନଙ୍କ ସ୍ବାର୍ଥ ଓ କଲ୍ୟାଣ ଦୃଷ୍ଟିରୁ ଏହାର ତିନିଟି ଗୁରୁତ୍ବପୂର୍ଣ୍ଣ ତଥା ଉଜ୍ଜ୍ବଳ ବିନ୍ଦୁ ଉଲ୍ଲେଖର ଅପେକ୍ଷା ରଖୁଛି। ପ୍ରଥମ, ୨୦୧୮ ନଭେମ୍ବର ପହିଲାରୁ ୨୦୧୮ ଏପ୍ରିଲ୍ ଶେଷ ସୁଦ୍ଧା ଉଭୟ ଖରିଫ ଓ ରବି ଋତୁରେ ଚାଷୀଙ୍କଠାରୁ ସରକାର ୫୫ ଲକ୍ଷ ଟନ୍ ଧାନ କିଣିବେ। ୨୦୧୭-୧୮ ବର୍ଷରେ ମୋଟ ସଂଗୃହୀତ ଧାନ ପରିମାଣ ୪୯.୦୬ ଲକ୍ଷ ଟନ୍ ତୁଳନାରେ ଏହା ପ୍ରାୟ ୬ ଲକ୍ଷ ଟନ୍ ଅଧିକ। ଗତବର୍ଷ ରାଜ୍ୟରେ ଧାନ ଅମଳ ପୂର୍ବବର୍ତ୍ତୀ ବର୍ଷ ତୁଳନାରେ ୩୩ ପ୍ରତିଶତ କମିଥିବାରୁ ଧାନ ସଂଗ୍ରହ କମିଥିଲା। କିନ୍ତୁ ଏଥର ବର୍ତ୍ତମାନ ସୁଦ୍ଧା ମୋଟାେମାଟି ପାଣିପାଗ ଓ ଚାଷବସ୍ଥା ସନ୍ତୋଷଜନକ ଥିବାରୁ ଚାଷୀମାନେ ଅଧିକ ପରିମାଣର ବଳକାଧାନ ବଜାରକୁ ଆଣିବା ଆଶା ଥିବାରୁ ସଂଗ୍ରହ ଲକ୍ଷ୍ୟ ବୃଦ୍ଧି ଆବଶ୍ୟକ ଥିଲା। ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ୨୦୧୪ରେ ‘ଆସୋଚାମ୍’ର ଗୋଟିଏ ରିପୋର୍ଟରେ ଆକଳନ କରାଯାଇଥିଲା ଯେ, ଓଡ଼ିଶାରେ ୨୦୧୭ ବେଳକୁ ଧାନ ଉତ୍ପାଦନ ବାର୍ଷିକ ୮୦ ଲକ୍ଷ ଟନ୍ ପହଞ୍ଚିଯିବ। କିନ୍ତୁ ଓଡ଼ିଶାର ଧାନ ଚାଷୀମାନେ ‘ଆସୋଚାମ୍’ର ଆକଳନକୁ ଟପି ଗତ ୨୦୧୬-୧୭ରେ ୧୪୮.୩୯ ଲକ୍ଷ ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ କରିଥିଲେ। ୨୦୧୭-୧୮ରେ ଧାନ ଉତ୍ପାଦନ ୧୭ ପ୍ରତିଶତ ବଢ଼ିବ ବୋଲି ଆକଳନ କରାଯାଇଥିଲା। କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଓ ରୋଗପୋକ କାରଣରୁ ଧାନ ଉତ୍ପାଦନ ୩୩ ପ୍ରତିଶତ ହ୍ରାସ ପାଇ ୯୮.୯୧ ଲକ୍ଷ ଟନ୍କୁ କମି ଆସିଲା। ଫଳରେ ସାମଗ୍ରିକ ଭାବେ କୃଷି ଅଭିବୃଦ୍ଧି ପ୍ରଭାବିତ ହୋଇଛି। ୨୦୧୭-୧୮ରେ କୃଷି ଅଭିବୃଦ୍ଧି ହାର ବିଯୁକ୍ତାତ୍ମକ ୪.୭୦% ହୋଇଥିଲା। ଓଡ଼ିଶାର କୃଷି ଅଭିବୃଦ୍ଧିରେ ଧାନ ଉତ୍ପାଦନ ଓ ଉତ୍ପାଦକତା କେତେ ନିର୍ଣ୍ଣାୟକ, ଏହା ତାର ସୂଚକ। ତେବେ, ଗତବର୍ଷ ଉତ୍ପାଦନ ହ୍ରାସ ସେତ୍ତ୍ବ ଉତ୍ସାହପ୍ରଦ ସଂକେତ ହେଲା, ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଓଡ଼ିଶାେର ଧାନ ଫସଲ ପ୍ରଭାବିତ ହେଲେ ସୁଦ୍ଧା ରାଜ୍ୟ ଚାଉଳ ଦୃଷ୍ଟିରୁ ଏକ ବଳକା ରାଜ୍ୟ ଭାବେ ତାର ସ୍ଥିତି ବଜାୟ ରଖିବା ଲାଗି ଯଥେଷ୍ଟ ସମାର୍ଥ୍ୟ ହାସଲ କରି ସାରିଛି। ଗତ ବର୍ଷ ଧାର୍ଯ୍ୟ ଲକ୍ଷ୍ୟଠାରୁ କମ୍ ଧାନ ସଂଗ୍ରହ ସତ୍ବେ ସାଧାରଣ ବଣ୍ଟନ ବ୍ୟବସ୍ଥା ପାଇଁ ବାର୍ଷିକ ପ୍ରାୟ ୨୩ ଲକ୍ଷ ଟନ୍ ଚାହିଦା ପୂରଣ ପରେ ଅବଶିଷ୍ଟ ପ୍ରାୟ ୧୧ ଲକ୍ଷ ଟନ୍ ଚାଉଳ କେନ୍ଦ୍ରୀୟ ପୁଲ୍କୁ ଦେଇ ପାରିଛି।
ଧାନ ସଂଗ୍ରହ ନୀତିର ଦ୍ବିତୀୟ ଗୁରୁତ୍ବପୂର୍ଣ୍ଣ ବିନ୍ଦୁ ହେଲା ଚାଷୀମାନଙ୍କୁ ସେମାନଙ୍କ ବିକ୍ରି ଧାନ ବାବଦ ଟଙ୍କା ୨୪ରୁ ୭୨ ଘଣ୍ଟା ଅର୍ଥାତ୍ ତିନିଦିନ ମଧ୍ୟରେ ବ୍ୟାଙ୍କ୍ ଜରିଆରେ ପ୍ରଦାନ କରାଯିବ। ଏହା ଗତ ଋତୁର ସାତ ଦିନରେ ପ୍ରାପ୍ୟ ପ୍ରଦାନ ବ୍ୟବସ୍ଥାଠାରୁ ଉନ୍ନତ। ତୃତୀୟ ଓ ସବୁଠାରୁ ବୋଧହୁଏ ଗୁରୁତ୍ବପୂର୍ଣ୍ଣ ଓ ଉଜ୍ଜ୍ବଳତମ ବିନ୍ଦୁଟି େହଲା, ଚାଷୀମାନେ ପରିବାରର ସଦସ୍ୟ ସଂଖ୍ୟା ଅନୁଯାୟୀ ମୁଣ୍ଡପିଛା ତିନି କ୍ବିଣ୍ଟାଲ ଧାନ ରଖି ଅବଶିଷ୍ଟ ବଳକା ବିକି ପାରିବେ ବୋଲି ଯେଉଁ କଟକଣା ଥିଲା, ତାହାକୁ ଉଠାଇ ଦିଆଯାଇଛି। ଏହି କଟକଣା ଉଚ୍ଛେଦ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଏକ ବଡ଼ ଆଶା। ଏହି ବର୍ଗର ଚାଷୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ରାଜ୍ୟର ମୋଟ ୪୬ ଲକ୍ଷ ୬୮ ହଜାର ଚାଷୀଙ୍କ ମଧ୍ୟରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଭାଗ ୯୨%। ଏମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ୟର ଜମି ଚାଷ କରୁଥିବା ଭାଗଚାଷୀ ମଧ୍ୟ। ତେବେ ଧାନ ବିକ୍ରି ପାଇଁ ନିଜକୁ ପଞ୍ଜିକୃତ ହେଉଥିବା ପ୍ରାୟ ୧୧ ଲକ୍ଷ ଚାଷୀଙ୍କ ତାଲିକାରେ ଏମାନଙ୍କ ନାମ ନଥାଏ। କାରଣ,ଏହି ବର୍ଗର ଅଧିକାଂଶ ଚାଷୀଙ୍କ ପାଖରେ ପରିବାର ସଦସ୍ୟଙ୍କ ସଂଖ୍ୟା ହିସାବରେ ମୁଣ୍ଡପିଛା ତିନି କ୍ବିଣ୍ଟାଲ ଉପରକୁ ବିକ୍ରି ପାଇଁ ବଳକା କିଛି ଧାନ ନଥାଏ। ଯଦି ବି ବଳକା ଥାଏ, ତେବେ ସେହି ଧାନ ମଣ୍ଡିକୁ ନ ନେଇ ମଧ୍ୟସ୍ଥି ମାର୍ଫତ୍େର କିମ୍ବା ବେପାରିକୁ ବିକ୍ରି କରିବାକୁ ସେମାନେ ବାଧ୍ୟ ହୁଅନ୍ତି; ଯାହା ସର୍ବନିମ୍ନ ସହାୟକ ମୂଲ୍ୟ ନିଶ୍ଚିତ କରେ ନାହିଁ। ‘ଅଭାବୀ ବିକ୍ରି’ର ଏହା ଆଉ ଏକ ଦୁଃଖଦ ଚିତ୍ର। କିନ୍ତୁ ନୂଆ ବ୍ୟବସ୍ଥା ରାଜ୍ୟର ଏହି ବର୍ଗର ୪୨ ଲକ୍ଷ ଚାଷୀଙ୍କ ପାଇଁ ନିଶ୍ଚୟ ଏକ ନୂଆ ଆଶା ସୃଷ୍ଟି କରିଛି। େସମାନେ ନିଜସ୍ବ ଅଧିକାରରେ ବସ୍ତାଏ ହେଉ କି ଦୁଇ ବସ୍ତା ଧାନ ଧରି ମଣ୍ଡିକୁ ଯାଇ ସରକାରୀ ଧାର୍ଯ୍ୟ ମୂଲ୍ୟରେ ବିକିବାର ହକ୍ ପାଇବେ। ନୂଆ ବ୍ୟବସ୍ଥାରେ ଏମାନଙ୍କୁ େଦାହରା ଲାଭ ମିଳିବାର ସମ୍ଭାବନା ମଧ୍ୟ ଅଛି। ଖାଦ୍ୟ ନିରାପତ୍ତା ଯୋଜନାରେ ରିହାତିରେ ଚାଉଳ ମିଳୁଥିବାରୁ ସାଧାରଣତଃ ଅର୍ଥନୈତିକ ଦୃଷ୍ଟିରୁ ଅସ୍ବଚ୍ଛଳ ବର୍ଗର ଏ ଚାଷୀମାନେ ମୁଣ୍ଡପିଛା ତିନି କ୍ବିଣ୍ଟାଲ ଧାନ ଘରେ ରଖିବାର ଆବଶ୍ୟକତା ନାହିଁ। ଫଳରେ ପାଞ୍ଚଜଣିଆ ପରିବାର ଥିବା ଜଣେ ଚାଷୀ ୧୫ କ୍ବିଣ୍ଟାଲ ଅଧିକ ଧାନ ବିକି ପାରିବେ। କିଲୋ ପିଛା ଟଙ୍କାଏରେ ମିଳୁଥିବା ଚାଉଳ ଯଦି ପରିବାରର ଖାଦ୍ୟ ଚାହିଦା ପୂରଣ କରିବାକୁ ଯଥେଷ୍ଟ, ତେବେ ପରିବାର ପିଛା ୧୫ କ୍ବିଣ୍ଟାଲ ଧାନ ୧୭୫୦ ଟଙ୍କା ଦରରେ ବିକିବାର ସୁାଯୋଗ ରହିଛି। ଅବଶ୍ୟ, ରାଜ୍ୟରେ ହେକ୍ଟର ପିଛା ହାରାହାରି ଧାନ ଉତ୍ପାଦନ ଯାହା, ସେଥିରେ ଖୁବ୍ କମ୍ ସଂଖ୍ୟକ ନାମମାତ୍ର କ୍ଷୁଦ୍ରଚାଷୀଙ୍କୁ ୧୫ କ୍ବିଣ୍ଟାଲ ଧାନ ବିକ୍ରିର ସୁଯୋଗ ମିଳିବ। ତଥାପି, ନୂଆ ବ୍ୟବସ୍ଥା ଅଧିକ ଆୟ ସକାଶେ ରାଜ୍ୟର ଏହି ଛୋଟ ଚାଷୀଙ୍କ ପକ୍ଷରେ ଏକ ସମ୍ଭାବନା।
ତେବେ କାଗଜପତ୍ରରେ ଧାନସଂଗ୍ରହ ନୀତି ଯେତିକି ଉଜ୍ଜ୍ବଳ ଦିଶୁଛି ଓ କାନକୁ ଯେତିକି ସୁଖଦ ଶୁଭୁଛି, ବାସ୍ତବରେ କ୍ଷେତ୍ର ସ୍ତରରେ ଏହାର ରୂପାୟନ କ’ଣ ସେତିକି ଉଜ୍ଜ୍ବଳ ଓ ସୁଖଦ ହେବ? ଧାନସଂଗ୍ରହ କ୍ଷେତ୍ରରେ ପ୍ରତିବର୍ଷ ଚାଷୀମାେନ ଅଙ୍ଗେ ନିଭାଉଥିବା ଅବ୍ୟବସ୍ଥା ଓ ବିଶୃଙ୍ଖଳାର ତିକ୍ତ ଅଭିଜ୍ଞତା ଦୃଷ୍ଟିରୁ ଏ ପ୍ରକାର ପ୍ରଶ୍ନ ଉଠିବା ଆଦୌ ଅସ୍ବାଭାବିକ ନୁହେଁ। ଗତଥର ସାତ ଦିନ ଭିତରେ ଚାଷୀଙ୍କୁ ଧାନ ବିକ୍ରି ବାବଦ ଅର୍ଥ ମିଳିବ ବୋଲି ଘୋଷଣା କରାଯାଇଥିଲା। କିନ୍ତୁ ବହୁକ୍ଷେତ୍ରରେ ଚାଷୀମାନେ ପ୍ରାପ୍ୟ ପାଇବା ପାଇଁ ମାସେରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିଥିଲା। ଏ ସନ ତିନିଦିନ ଭିତରେ ପ୍ରାପ୍ୟ ପ୍ରଦାନ ପାଇଁ ଘୋଷଣା କରାଯାଇଛି। ଏହାକୁ ବାସ୍ତବତାରେ ରୂପାୟିତ କରିବା ଲାଗି ‘ପି-ପାସ’ (ପେଡି ପ୍ରକ୍ୟୁର୍ମେଣ୍ଟ ଅଟୋମେସନ୍ ସିଷ୍ଟମ)କୁ ଅଧିକ ଦକ୍ଷ କରିବାକୁ ପଡ଼ିବ। ବର୍ତ୍ତମାନ ରାଜ୍ୟର ୩୦୮ଟି ବ୍ଲକ୍ରେ କାର୍ଯ୍ୟକ୍ଷମ ଥିବା ଏହି ‘ପି-ପାସ’ ବ୍ୟବସ୍ଥାର ସଂପ୍ରସାରଣ ଦରକାର। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସଂଗ୍ରହ ବ୍ୟବସ୍ଥାରେ ସାମିଲ କରିବା ଲାଗି ସ୍ବତନ୍ତ୍ର ଅଭିଯାନ ଅବିଳମ୍ବେ ଆରମ୍ଭ କରାଯାଉ। ଏ ବର୍ଗର ଚାଷୀମାନଙ୍କ ପଞ୍ଜିକରଣ ପ୍ରତି ସ୍ବତନ୍ତ୍ର ଧ୍ୟାନ ନ ଦେଲେ ସେମାନଙ୍କ ଲାଭ ପାଇଁ ଉଦ୍ଦିଷ୍ଟ ନୀତିର ସଫଳରୁ ସେମାନେ ବଞ୍ଚିତ ହେବା ଆଶଙ୍କା ରହିଛି। ଏହି ବର୍ଗର ଚାଷୀଙ୍କୁ ଲାଭ ଦେବା ପାଇଁ ହେଲେ, ଧାନ ସଂଗ୍ରହ କେନ୍ଦ୍ର ସଂଖ୍ୟା ବଢ଼ାଇବା ନିହାତି ଆବଶ୍ୟକ। ବର୍ତ୍ତମାନ ୨,୫୬୭ଟି ପ୍ରାଥମିକ ସମବାୟ ସଂସ୍ଥା ଏବଂ ଅନ୍ୟ ସଂସ୍ଥା ମାର୍ଫତରେ େଖାଲାଯାଇଥିବା ସଂଗ୍ରହ କେନ୍ଦ୍ର ଓ ମଣ୍ଡି ପର୍ଯ୍ୟାପ୍ତ ନୁହେଁ। ପ୍ରତି ପଞ୍ଚାୟତରେ ଧାନସଂଗ୍ରହ କେନ୍ଦ୍ର ଖୋଲାଯିବା ଲକ୍ଷ୍ୟ ବର୍ତ୍ତମାନ ମଧ୍ୟ ପୂରଣ ହୋଇନାହିଁ। ଯଦି ଏହା ସମ୍ଭବ ନୁହେଁ, ତେବେ ବିକଳ୍ପ ଭାବେ ଏକ ନିର୍ଦ୍ଦିଷ୍ଟ ପରିମାଣ ପର୍ଯ୍ୟନ୍ତ ଧାନ ଖର୍ଦ୍ଦି ପାଇଁ ଭ୍ରାମ୍ୟମାଣ ସଂଗ୍ରହ କେନ୍ଦ୍ର ବିଷୟ ଚିନ୍ତା କରାଯାଇପାରେ। ନୂଆ ନୀତିର ପ୍ରଭାବଶାଳୀ କାର୍ଯ୍ୟକାରିତା ପାଇଁ କିଛି ନୂଆ ବ୍ୟବସ୍ଥା ଯେତିକି ଆବଶ୍ୟକ, ଧାନ ସଂଗ୍ରହ ବ୍ୟବସ୍ଥାକୁ ପ୍ରାୟ ପ୍ରତ୍ୟେକ ବର୍ଷ ଆକ୍ରାନ୍ତ କରୁଥିବା ସମସ୍ୟାର ସମାଧାନ ତା’ଠାରୁ ଅଧିକ ଜରୁରୀ। ଠିକଣା ସମୟରେ ନିର୍ଦ୍ଧାରିତ ସଂଖ୍ୟାରେ ମଣ୍ଡି ନ ଖୋଲିବା, ଧାର୍ଯ୍ୟ ନିର୍ଘଣ୍ଟ ଅନୁଯାୟୀ ସଂଗ୍ରହ କେନ୍ଦ୍ର କାର୍ଯ୍ୟକ୍ଷମ ନହେବା, ମିଲରମାନେ ଠିକଣା ସମୟରେ ଧାନ ନ ଉଠାଇବା, ଏ ଏଫ୍.ଏ.କ୍ୟୁ ଆଳରେ ‘କଟ୍ନି ଛଟ୍ନି’ ଆଦି ବିବିଧ ସମସ୍ୟାର ପ୍ରତିକାର ସକାଶେ ଆଗୁଆ ପଦେକ୍ଷପ ନିଆନଗଲେ ଚାଷୀଙ୍କୁ ବ୍ୟବସ୍ଥିତ ଧାନ ସଂଗ୍ରହ ଓ ସର୍ବୋପରି ବର୍ଦ୍ଧିତ ଏମ୍ଏସ୍ପିରୁ ପୂରା ଲାଭ ମିଳି ନ ପାରେ। ସମୁଦାୟ ସଂଗ୍ରହ ପ୍ରକ୍ରିୟାରେ ଚାଷୀର ସ୍ବାର୍ଥକୁ କେନ୍ଦ୍ରରେ ରଖି ତିନିଟି ‘ନାହିଁ’ ନିଶ୍ଚିତ କରିବାକୁ ପଡ଼ିବ। ଜଣେ ସୁଦ୍ଧା ଚାଷୀର ବଳକା ଗୋଟିଏ ବି ଦାନା ଧାନ ଅବିକ୍ରି ରହିବ ନାହିଁ, ଜଣେ ବି ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟରୁ ଟଙ୍କାଏ ବି କମ୍ ପାଇବ ନାହିଁ, କେହି ବି ଚାଷୀ ଅଭାବୀ ବିକ୍ରିର ଶିକାର ହେବେ ନାହିଁ। ଅବଶ୍ୟ ଏହା ସେତେବେଳେ ନିଶ୍ଚିିତ ହୋଇ ପାରିବ, ଯେତେବେଳେ ରାଜନୈତିକ କାର୍ଯ୍ୟନିର୍ବାହୀ, ଓ ଅମଲାତନ୍ତ୍ରର ଉଚ୍ଚ ଅଧିକାରୀ ନୀତି ପ୍ରଣୟନରେ ଦାୟିତ୍ବକୁ ସୀମିତ ନ ରଖି ଏହାର କାର୍ଯ୍ୟକାରିତାକୁ ମଧ୍ୟ ନିଜର ଉତ୍ତରଦାୟିତ୍ବ ବିଚାର କରିବେ।
ପୂର୍ବବର୍ତ୍ତୀ ଖବର
ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା:ସରକାର ନିଜ ଦୋଷ ଘୋଡ଼ାଇବାକୁ ଚାହୁଛନ୍ତି
ପରବର୍ତ୍ତୀ ଖବର