ଶିକ୍ଷକ ପିଲାମାନଙ୍କୁ ପଢ଼ାଉଥିବା ବେଳେ ଗୋଟିଏ ଉଦାହରଣର ଅବତାରଣା କଲେ। ସେ କହିଲେ- ଗୋଟିଏ ସହରରେ ଥିଲେ ଜଣେ ଅତି ଧନୀ ବ୍ୟକ୍ତି। ଥରେ ସେ ସହରର ଗୋଟିଏ ଦରିଦ୍ର ଅଞ୍ଚଳ ଦେଇ ଯାଉଥିବା ବେଳେ ଅତି ଜୋରରେ ବର୍ଷା ହେଲା। ଧନୀ ବ୍ୟକ୍ତିଙ୍କ ଅନୁଚରମାନେ ଛତାଟିଏ ଟେକି ଧରିଲେ। ଧନୀ ଜଣକ ସେମାନଙ୍କୁ ବାରଣ କରି କହିଲେ- ଛତା କାହିଁକି ଖୋଲୁଛ? ଏହା ଦ୍ବାରା କ’ଣ ବର୍ଷା ବନ୍ଦ ହୋଇଯିବ? ତେଣୁ ସେ ମଧ୍ୟ ଅନ୍ୟମାନଙ୍କ ଭଳି ଭିଜିବାରେ ଲାଗିଲେ। କଥାଟି ଉପସ୍ଥାପନ କରି ଶିକ୍ଷକ ପଚାରିଲେ- ଆଚ୍ଛା ପିଲାଏ ଏହି ଘଟଣାରୁ ଧନୀ ବ୍ୟକ୍ତିଙ୍କ ସମ୍ବନ୍ଧରେ କିଛି କହିପାରିବ? ପିଲାଏ ଯାହା କହିଲେ ତା’ର ସାର ଥିଲା ଯେ ଧନୀ ବ୍ୟକ୍ତି ଜଣକ କରୁଣାମୟ। ସେ ଦେଖିଲେ ଯେ ଆଖପାଖରେ ସମସ୍ତେ ଭିଜୁଥିବା ବେଳେ କେବଳ ଛତା ଦ୍ବାରା ସେ ନିଜେ ସୁରକ୍ଷିତ ରହିବା ଅବିବେକୀ ହୋଇପାରେ। ତେଣୁ ସେ ସମସ୍ତଙ୍କ ଭଳି ଭିଜିବାରେ ଲାଗିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶିକ୍ଷକ କହିଲେ- ତାହା ଠିକ୍। ତାଙ୍କ ମନରେ ଥିବା ଦୟା ଭାବକୁ ତୁମେ ଠିକ ଧରି ପାରିଛ। ତାଙ୍କ ଠାରେ ତୁମେ ଦେଖିଲ ଅନ୍ୟମାନଙ୍କ ସହିତ ସମଦୁଃଖୀ ହେବାର ଗୁଣ। ତାହା ଭଲ ନିଶ୍ଚୟ କିନ୍ତୁ ମହାନ ପର୍ଯ୍ୟାୟର ନୁହେଁ। ତେବେ, ପର ଦିନ ସେ ଯାହା କଲେ ତାହା ତାଙ୍କର ଚରିତ୍ରକୁ ଆହୁରି ଉଜ୍ଜ୍ବଳ କଲା। ପର ଦିନ ସେ ସେହି ଅଞ୍ଚଳର ସମସ୍ତଙ୍କୁ ଗୋଟିଏ ଗୋଟିଏ ଛତା ଦେଲେ। ସମସ୍ୟାରେ ସମଦୁଃଖୀ ହେବା ହେଉଛି ସମସ୍ୟାକୁ ସ୍ବୀକାର କରିନେବା। କିନ୍ତୁ ପରେ ସେ ଯାହା କଲେ ତହିଁରେ ଥିଲା ସମାଧାନର ପନ୍ଥା ନିର୍ଦ୍ଧାରଣ।