ନାମ ଓ ସାଙ୍ଗିଆ

ଅଣାକାର

ପ୍ରଭାତ ଦାସ ନା ଦାସ ପ୍ରଭାତ ନା ପ୍ରଭାତ ନା ପ୍ରଭାତ ପ୍ରାଜ୍ଞ ନା କେବଳ ‘ଏକ୍‌ସ’! ଏଇ ସବୁ ଜଣେ ବ୍ୟକ୍ତିର ନାମ ହୋଇପାରେ। ସେ ଏଥିରୁ କେଉଁଟିକୁ ବି ବାଛିପାରେ। ତେବେ ସେ ଯେଉଁଟିକୁ ବାଛିବ, ତହିଁରୁ ତାର ବ୍ୟକ୍ତିତ୍ବର ପରିଚୟ ମିଳିବ। ‘ପ୍ରଭାତ ଦାସ’ ନାଁଟି ବାଛିଲେ ନାମର ପ୍ରାଧାନ୍ୟକୁ ସେ ଗୁରୁତ୍ବ ଦେଉଛି ବୋଲି ବୁଝାଯିବ। ‘ଦାସ ପ୍ରଭାତ’ ଲେଖିଲେ ବଂଶ ପ୍ରତି ତାର ଆଦର ଅଧିକ ବୋଲି କୁହାଯିବ। କେବଳ ପ୍ରଭାତ ବୋଲି ଲେଖିଲେ ଲାଗିବ ଯେ ସେ ତାର ବଂଶ ଅତୀତକୁ ଜଳାଞ୍ଜଳି ଦେବାକୁ ଚାହୁଁଛି। କେହି କେହି ନିଜ ନାମରେ ଥିବା ସାଙ୍ଗିଆକୁ ଉଡ଼ାଇ ଏକ ନୂଆ ସାଙ୍ଗିଆ ‌େଯାଡ଼ନ୍ତି, ଯେମିତି ପ୍ରଭାତ ‘ପ୍ରାଜ୍ଞ’। ଏହାର ଅର୍ଥ ପ୍ରଭାତ କେବଳ ନିରୋଳା ପ୍ରଭାତଟିଏ ମାତ୍ର ନୁହେଁ, ତାହା ସେ ନିଜ ନାମରୁ ଜଣାଇ ଦେବାକୁ ଚାହେଁ। ସେ ତାର ନାମ ଜରିଆରେ ପ୍ରଭାବ ବିସ୍ତାର କରିବାକୁ ଚାହେଁ ବୋଲି କୁହାଯାଇପାରେ। ଜର୍ମାନୀର ହାଇଡେଲବର୍ଗ ବିଶ୍ବବିଦ୍ୟାଳୟର ଗବେଷକ କ୍ରିଷ୍ଟୋଫ ବେକର କହିଛନ୍ତି ଯେ ତାଙ୍କ ଦେଶରେ କିଛି ଏଭଳି ଅଭିଭାବକ ବାହାରିଲେଣି ଯେଉଁମାନେ ଶିଶୁମାନଙ୍କ ଭିତ‌େର ମୁକ୍ତ ଚିନ୍ତା କରିବାର ସାମର୍ଥ୍ୟ ପରିସ୍ଫୁଟନ ହେଉ ବୋଲି ପିଲାମାନଙ୍କ ନାମକରଣ କରନ୍ତି ନାହିଁ। କାରଣ ପିଲାଟିର ଚିନ୍ତା ଚେତନା ତାର ନାମ ଦ୍ବାରା ପ୍ରଭାବିତ ହୋଇପାରେ ବୋଲି ସେମାନେ ଭାବନ୍ତି। ତେବେ ନିଜ ପିଲାକୁ ସେମାନେ ‘ଏକ୍‌ସ’ ବା ଓଡ଼ିଆରେ ଧରନ୍ତୁ ‘କ’ ବୋଲି ଡାକି ପାରନ୍ତି। ପ୍ରକୃତରେ ‘ଏକ୍‌ସ’ ହେଉଛି ଗୋଟିଏ ଶୂନ୍ୟ ସ୍ଥାନ। ପିଲାଟି ବଡ଼ ହେଲେ ନିଜ ଇଚ୍ଛା ଅନୁସାରେ ନିଜର ନାମକରଣ କରି ସେହି ଶୂନ୍ୟ ସ୍ଥାନ ପୂରଣ କରିବ।

ଆମ ସମାଜରେ କିନ୍ତୁ ପିଲାର ନାମକରଣ ବେଳେ ଉତ୍ସବ ଆୟୋଜନର ପରମ୍ପରା ରହିଛି। ଆମମାନଙ୍କ ପରିବାରରେ ଜଣେ ପିଲା ଲାଗି ଅନ୍ୟୂନ ଦୁଇଟି ନାମ ରଖାଯାଏ। ଗୋଟିଏ ଡାକ ନାମ ଓ ଆରଟି ପୂରା ନାମ। ବେଳେ ବେ‌ଳେ ଶିଶୁଟିକୁ ସ୍ନେହ କରୁଥିବା ଗୁରୁଜନମାନଙ୍କ ସଂଖ୍ୟାଧିକ୍ୟ ଏକାଧିକ ଡାକନାମର ସୃଷ୍ଟି କରିଥାଏ ଯାହା ଗୁପଲୁ ବା ପୁପୁଲୁ ବା ଟିଂପ ଭଳି ଯାବତୀୟ କୌତୁକିଆ ଡାକ ନାମରେ ପରିଣତ ହୋଇପାରେ। ୨୩ ମେ, ୨୦୧୯ରେ ଗୋଟିଏ ସମ୍ବାଦ ପ୍ରକାଶ ପାଇଥିଲା ଯେ, ଜାପାନର ପ୍ରଧାନ ମନ୍ତ୍ରୀ ସିଞ୍ଜୋ ଆବେ ଏବେ ତାଙ୍କ ନାମକୁ ଆବେ ସିଞ୍ଜୋ ବୋଲି ଲେଖିବେ। ପ୍ରାଚୀନ କାଳରୁ ଜାପାନରେ ପ୍ରଥମେ ସାଙ୍ଗିଆ ଓ ପରେ ଶ୍ରଦ୍ଧା ନାମ ରହୁଥିଲା। ଦେଢ଼ ଶହ ବର୍ଷ ପୂର୍ବେ ମେଜି ଯୁଗ (୧୮୮୬-୧୯୧୨) ସମୟରେ ଏହା ବଦଳି ନାମ ପ୍ରଥମକୁ ଆସିଗଲା। ଏହାର କାରଣ ଥିଲା ପାଶ୍ଚାତ୍ୟର ପ୍ରଭାବ। ପାଶ୍ଚାତ୍ୟ ଦେଶରେ ପ୍ରଥମେ ନାମ ରହେ ଓ ତା ପରେ ରହେ ସାଙ୍ଗିଆ। ତେବେ, ନିକଟରେ ଜାପାନରେ ନୂଆ ସମ୍ରାଟ ଅଧିଷ୍ଠିତ ହେବା ପରେ ସେ ପୁଣି ପୁରୁଣା ପାରମ୍ପରିକ ପ୍ରଣାଳୀକୁ ଗ୍ରହଣ କରିବାକୁ କହିଛନ୍ତି। ତେଣୁ ସିଞ୍ଜୋ ଆବେ ସ୍ଥାନରେ ଏବେ ଜାପାନ ପ୍ରଧାନ ମନ୍ତ୍ରୀ ଲେଖୁଛନ୍ତି ଆବେ ସିଞ୍ଜୋ।

ଆମ ଦେଶରେ ଆମ ନାମ ଲେଖିବାର ପ୍ରଥା ପାଶ୍ଚାତ୍ୟ ବିଶେଷ କରି ଇ˚ରେଜଙ୍କ ଶୈଳୀ ଆଧାରିତ। ଏମିତି ବି ହେଉଛି ପିଲା ଦିନେ ନିଜ ନାମ ବା ସାଙ୍ଗିଆକୁ ଭଲ ପାଉ ନ ଥିବା ଅନେକ ପ୍ରାପ୍ତ ବୟସ୍କ ହେଲା ପରେ ଅଦାଲତରେ ନିଜ ନାମକୁ ବଦଳାଇ ନୂଆ ନାମ ଓ ସାଙ୍ଗିଆ ରଖୁଛନ୍ତି। ତେବେ ସେକ୍‌ସପିଅର କହିଥିଲେ ଯେ ନାମରେ କ’ଣ ଅଛି? ଗୋଲାପର ନାମ ଗୋଲାପ ନ ହୋଇ ଆଉ ଯାହା ହୋଇଥିଲେ ବି ତାହା ସୁବାସ ଦିଅନ୍ତା। କିନ୍ତୁ ମଣିଷଙ୍କ କ୍ଷେତ୍ରରେ ତାହା ହେଉନାହିଁ। ମଣିଷଙ୍କ ଲାଗି ନାମ ଓ ସାଙ୍ଗିଆ ଦୁଇଟି ଯାକ ଗୁରୁତ୍ବପୂର୍ଣ୍ଣ। ଅନେକ ସମୟ‌ରେ ନାମର ପ୍ରଭାବ ବ୍ୟକ୍ତିିତ୍ବ ଉପରେ ପଡ଼େ ଏବଂ ଅନେକ ସମୟରେ ନାମ ରଖିବାର ଶୈଳୀରୁ ବ୍ୟକ୍ତିତ୍ବ ବିଷୟରେ ଧାରଣା କରାଯାଇପାରେ।
ମୋ: ୯୪୩୭୦୨୬୬୫୧

ସମ୍ବନ୍ଧିତ ଖବର