ପାବନ ଶ୍ରୀକ୍ଷେତ୍ରରେ ବନ୍ଦ ଆଳରେ ଘଟିଯାଇଥିବା ଅଭୂତପୂର୍ବ ହିଂସା ଜଗନ୍ନାଥପ୍ରାଣ ସମଗ୍ର ରାଜ୍ୟବାସୀଙ୍କୁ ସ୍ତମ୍ଭୀଭୂତ କରି ଦେଇଛି। କୁହାଯାଉଛି, ପୁରୀ ବଡ଼ଦାଣ୍ଡ ସମେତ ବଡ଼ ଦେଉଳର ବିଭିନ୍ନ ଦ୍ୱାର, ଏପରିକି ଶ୍ରୀମନ୍ଦିରର ବେଢ଼ା ମଧ୍ୟରେ ଲୋକେ ପ୍ରତ୍ୟକ୍ଷ କରିଥିବା ହିଂସାର ଉଗ୍ର ତାଣ୍ଡବ କୁଆଡ଼େ ଶ୍ରୀକ୍ଷେତ୍ରର ବିଗତ ଶହେ ବର୍ଷର ଇତିହାସରେ ପ୍ରଥମ। କେବଳ ପ୍ରଭୁଙ୍କ ଦର୍ଶନାଭିଳାଷୀ ଜଗନ୍ନାଥ ଭକ୍ତ ହିଂସାର ଶିକାର ହୋଇ ନାହାନ୍ତି, ଖୋଦ୍ ଜଗତର ନାଥ ନୀଳାଚଳ ନିବାସୀ ମଧ୍ୟ ଉନ୍ମତ୍ତ ହିଂସାର ଧାସରୁ ନିଷ୍କୃତି ପାଇ ନାହାନ୍ତିି। ଏହି ଦୁର୍ଭାଗ୍ୟଜନକ ହିଂସାକୁ ଯେତେ କଡ଼ା ଶବ୍ଦରେ ନିନ୍ଦା କଲେ ମଧ୍ୟ ତାହା ଯଥେଷ୍ଟ ହେବ ନାହିଁ। ଉଦ୍ଦେଶ୍ୟ ଯେତେ ମହତ୍ ହୋଇଥିଲେ ସୁଦ୍ଧା ଏହାକୁ ହାସଲ କରିବା ପାଇଁ ହିଂସାତ୍ମକ ପନ୍ଥା କଦାପି ଗ୍ରହଣୀୟ ହୋଇ ନପାରେ। ଦାବି ଯେତେ ଯଥାର୍ଥ ହୋଇ ଥାଉ ନା କାହିଁକି, ହିଂସା ଆଚରଣକୁ ତାହା ଯଥାର୍ଥ ପ୍ରତିପାଦିତ କରିପାରିବ ନାହିଁ। ସେ ଦୃଷ୍ଟିରୁ ଅକ୍ଟୋବର ପହିଲାରୁ ଶ୍ରୀମନ୍ଦିରରେ ପ୍ରବର୍ତ୍ତିତ ଧାଡ଼ି ଦର୍ଶନ ବ୍ୟବସ୍ଥା ବିରୋଧରେ ହିଂସାତ୍ମକ ପ୍ରତିବାଦ ନିଶ୍ଚୟ ଦୁର୍ଭାଗ୍ୟଜନକ ଓ କଟୂ ଭର୍ତ୍ସନାର ଅପେକ୍ଷା ରଖେ।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ, ‘ଧାଡ଼ି ଦର୍ଶନ’ ପ୍ରତିବାଦରେ ବନ୍ଦ ଆଳରେ ଶ୍ରୀକ୍ଷେତ୍ରର ଅନ୍ୟଥା ଆଧ୍ୟାତ୍ମିକ ପରିବେଶକୁ ଉତ୍ତେଜନାପୂର୍ଣ୍ଣ କରି ଦେଇଥିବା ଉନ୍ମତ୍ତ ହିଂସା ଯେତେ ଦୁର୍ଭାଗ୍ୟଜନକ ଏବଂ ନିନ୍ଦନୀୟ, ଏ ହିଂସାତ୍ମକ ଉପାଖ୍ୟାନେର ପ୍ରଶାସନିକ କଳ, ବିଶେଷ କରି ଆଇନ ଶୃଙ୍ଖଳା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷଙ୍କ ଉଦାସୀନ ଭୂମିକା, ତା’ଠାରୁ ବହୁଗୁଣ ଅଧିକ ଦୁର୍ଭଗ୍ୟଜନକ ଓ ନିନ୍ଦନୀୟ। ଗଣମାଧ୍ୟମରେ ପ୍ରକାଶିତ ବିବରଣୀରୁ ମନେ ହେଉଛି ବେଶ୍ କିଛି ସମୟ ପାଇଁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ତଥା ପର୍ଯ୍ୟଟନ କେନ୍ଦ୍ରରେ ସରକାରୀ କଳ ଏପ୍ରକାର ଅଦୃଶ୍ୟ ହୋଇଯାଇ ସହରକୁ ଅରାଜକତା ମୁହଁକୁ ଠେଲି ଦେଇଥିଲା। ମନ୍ଦିରରେ ଶ୍ରୀଜିଉମାନଙ୍କ ଦର୍ଶନ ପାଇଁ ପହିଲାରୁ ପ୍ରବର୍ତ୍ତିତ ‘ଧାଡ଼ି ବ୍ୟବସ୍ଥା’କୁ ବିରୋଧ ପ୍ରଶାସନକୁ ଅଛପା ନଥିଲା। ବ୍ୟବସ୍ଥାର ପ୍ରତିବାଦରେ ଗତ ଦୁଇଦିନ ଧରି ଏକାଧିକ ଅଘଟଣ ଘଟିଛି। କର୍ତ୍ତୃପକ୍ଷ ଓ ପ୍ରତିବାଦୀକାରୀ ମଧ୍ୟ ମୁହାଁମୁହିଁ ହୋଇଛନ୍ତି। ଏହି ଅଶାନ୍ତ ଓ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିର ପୃଷ୍ଠଭୂମିରେ ଜଗନ୍ନାଥ ସେନା ପକ୍ଷରୁ ବାରଘଣ୍ଟିଆ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ଏହା ସତ୍ତ୍ୱେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥତିର ମୁକାବିଲା କରି ଆଇନ ଶୃଙ୍ଖଳା ବଜାୟ ରଖିବା ଲାଗି ପ୍ରଶାସନିକ କଳ ପକ୍ଷରୁ ଆବଶ୍ୟକ ପ୍ରତିକାରମୂଳକ ବ୍ୟବସ୍ଥା ଗ୍ରହଣ କରାଯାଇନଥିଲା। ଆଗୁଆ ସତର୍କ ସଂକେତ ସତ୍ତ୍ୱେ ଅମଲାତନ୍ତ୍ରର ଏ ଚରିତ୍ରଗତ ନିଷ୍କ୍ରିୟତା ଓ ଉଦାସୀନତା ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଦୁର୍ଭାଗ୍ୟପୂର୍ଣ୍ଣ। ଏହା ସ୍ୱତଃ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ଆଭିମୁଖ୍ୟ ଓ ଦକ୍ଷତା ଉପରେ ପ୍ରଶ୍ନଚିହ୍ନ ଲଗାଇବା ସହ ଅଦାଲତ ପ୍ରସ୍ତାବିତ ସଂସ୍କାରର କାର୍ଯ୍ୟକାରିତା ପଛରେ ନିଷ୍ଠା, ଆନ୍ତରିକତା ଏବଂ ପ୍ରଶାସନିକ ଇଚ୍ଛାଶକ୍ତି ନେଇ ସନ୍ଦେହ ସୃଷ୍ଟି କରୁଛି।
ଯେ କୌଣସି ସ୍ଥିତାବସ୍ଥାେର ପରିବର୍ତ୍ତନର ପ୍ରୟାସ ପ୍ରତିରୋଧର ସମ୍ମୁଖୀନ ହେବା ଅସ୍ୱାଭାବିକ ନୁହେଁ। ଏ ପରିପ୍ରେକ୍ଷୀରେ ବର୍ଷ ବର୍ଷ ଧରି ଚାଲି ଆସିଥିବା ଗୋଟିଏ ବ୍ୟବସ୍ଥାରେ ପରିବର୍ତ୍ତନ ରାତାରାତି ଗ୍ରହଣୀୟ ହେବ ବୋଲି ଆଶା କରାଯାଏ ନାହିଁ। ଧାଡ଼ି ଦର୍ଶନ ବ୍ୟବସ୍ଥା ସଂସ୍କାର ଦିଗରେ ଏକ ସକାରାତ୍ମକ ପଦକ୍ଷେପ ନିଶ୍ଚୟ। କିନ୍ତୁ ଏହାକୁ ସବୁ ପକ୍ଷ, ବିଶେଷକରି ବର୍ଷ ବର୍ଷ ଧରି ଗୋଟିଏ ବ୍ୟବସ୍ଥା ସହ ଅଭ୍ୟସ୍ତ ସ୍ଥାନୀୟ ଜନସାଧାରଣଙ୍କ ପାଇଁ ଗ୍ରହଣୀୟ କରିବା ଲାଗି ଯେଉଁ ପ୍ରକାର ବିଚାର ବିମର୍ଶ ଓ ପ୍ରସ୍ତୁତି ଆବଶ୍ୟକ ସେଥିପ୍ରତି ସମୁଚିତ ଦୃଷ୍ଟି ଦିଆଗଲା ନାହିଁ। ଅନ୍ୟପକ୍ଷରେ ତରବରିଆ ଭାବେ ନୂଆ ବ୍ୟବସ୍ଥାକୁ ଜୋରଜବରଦସ୍ତ ଲାଗୁ କରିବା ଲାଗି ପ୍ରୟାସ କରାଗଲା, ଯାହା ଅପରିଣାମଦର୍ଶୀ ସାବ୍ୟସ୍ତ ହୋଇଛି। ଧାଡ଼ି ବ୍ୟବସ୍ଥା ନେଇ ଅସନ୍ତୋଷ ଦାନା ବାନ୍ଧୁଥିବା ଏକାଧିକବାର ଖୋଲାରେ ପ୍ରକଟିତ ହୋଇଛି। ନୂଆ ବ୍ୟବସ୍ଥା ବିରୋଧରେ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀଙ୍କ ଷଡ଼୍ଯନ୍ତ୍ରର ମଧ୍ୟ ସୁରାକ୍ ମିଳିଥିଲା। ତଥାପି ବନ୍ଦ ଡାକରାକୁ ଆଖି ଆଗରେ ରଖି ନା କୌଣସି ପ୍ରତିକାର ନା କିଛି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବା ପ୍ରଶାସନ ଆବଶ୍ୟକ ମନେକଲେ। ଧାଡ଼ିଦର୍ଶନର ପ୍ରତିବାଦେର ପୂର୍ବାହ୍ନ ୭ଟା ବେଳକୁ ଗଣ୍ଡଗୋଳର ସୂତ୍ରପାତ ହେଲା। ଅଥଚ,ଦିନ ୧୧ଟା ପର୍ଯ୍ୟନ୍ତ ପ୍ରଶାସନ ଦାରୁଭୂତ ସାଜି ଉଦାସୀନ ରହିଲେ। ଯେମିତି କିଛି ହୋଇନାହିଁ। ଅବସ୍ଥା ଅତ୍ୟନ୍ତ ସ୍ପର୍ଶକାତର। ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସହିତ ଯୋଡ଼ି ହୋଇଥିବା ପରିସ୍ଥିତି ସାଧାରଣ ନୁହେଁ, ନିହାତି ଅସାଧାରଣ। ଅଥଚ ପ୍ରଶାସନ ପକ୍ଷରୁ ଯେଉଁ ପ୍ରକାର ତତ୍ପରତା ଆଶା କରାଯାଏ ତାହା ଦେଖା ଯାଇ ନ ଥିଲା। ପ୍ରଶାସନର ଏ ପ୍ରକାର ଖାମଖିଆଲି ଆଚରଣର କାରଣ ଯାହାବି ହେଉ, ଏ ଉଦାସୀନତା ବେଶ୍ ମହଙ୍ଗା ସାବ୍ୟସ୍ତ ହେଲା। ଏହା ବସ୍ତୁତଃ ହିଂସାର ସଂକ୍ରମଣକୁ ପ୍ରୋତ୍ସାହିତ କଲା। କାରଣ, ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଆଇନ ଶୃଙ୍ଖଳା କର୍ତ୍ତୃପକ୍ଷଙ୍କ ହସ୍ତେକ୍ଷପର ମାତ୍ର ଅଳ୍ପ ସମୟ ମଧ୍ୟରେ ଅବସ୍ଥା ଯଥେଷ୍ଟ ମାତ୍ରାରେ ନିୟନ୍ତ୍ରଣକୁ ଆସି ଯାଇଥିଲା। ଅବସ୍ଥାର ଗମ୍ଭୀରତାକୁ ଆକଳନ କରି ଯଦି ପ୍ରଶାସନ ସଜାଗ ଓ ସକ୍ରିୟ ରହିଥାନ୍ତେ, ତେବେ ହିଂସା ଏମିତି ଉଗ୍ରରୂପ ନେଇ ପାରିନଥାନ୍ତା। ଯେଉଁ ଅସାମାଜିକ ମାନେ ଏହି ଉନ୍ମତ୍ତ କାଣ୍ଡ ପାଇଁ ଦାୟୀ ସେମାନଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ କରାଯିବା ଉଚିତ। ତା ସହ ପ୍ରଶାସନିକ ବିଫଳତା ପାଇଁ ଦାୟୀ ବେପରୁଆ ସରକାରୀ ଅଧିକାରୀଙ୍କ ନିଷ୍କ୍ରିୟତା ମଧ୍ୟ ତଦନ୍ତ ସାେପକ୍ଷ। ବୁଧବାର ଭଳି ହିଂସାତ୍ମକ ଘଟଣାର ପୁନରାବୃତ୍ତି ଏଡ଼ାଇବା ପାଇଁ ଉଦାସୀନ ଅଧିକାରୀଙ୍କୁ ଉତ୍ତରଦାୟୀ କରାଯିବା ଏକାନ୍ତ ଆବଶ୍ୟକ।
ସଂକେତ ସ୍ପଷ୍ଟ ଯେ, ସରକାରୀ କଳର ଖାମଖିଆଲି ମନୋଭାବର ପରିବର୍ତ୍ତନ ବିନା ଶ୍ରୀମନ୍ଦିର ପରିଚାଳନା ଓ ବ୍ୟବସ୍ଥାରେ ସଂସ୍କାର ସମ୍ଭବ ନୁହେଁ। ହିଂସା ଘଟଣା ପରେ ଧାଡ଼ିଦର୍ଶନ ବ୍ୟବସ୍ଥାରେ କେତେକ ପରିବର୍ତ୍ତନ କରାଯାଇଛି। ସ୍ଥାନୀୟ ଲୋକଙ୍କ ପାଇଁ ଦର୍ଶନ ଲାଗି ବିକଳ୍ପ ବ୍ୟବସ୍ଥା କରାଯାଇଛି। କିନ୍ତୁ ‘ସ୍ଥାନୀୟ ଲୋକ’ର ସଂଜ୍ଞା କ’ଣ, ତାହା ସ୍ପଷ୍ଟ ନିରୂପିତ ହୋଇ ନାହିଁ। ଏହି ଅଯଥା ବିଭ୍ରାନ୍ତି ଓ ଗଣ୍ଡଗୋଳକୁ ଆମନ୍ତ୍ରଣ। ମନେ ହେଉଛି କର୍ତ୍ତୃପକ୍ଷ ସମସ୍ୟାର ମୂଳକୁ ନ ଯାଇ ତରବରିଆ ଭାବେ ଥାଥାମାମା ଆଭିମୁଖ୍ୟ ଗ୍ରହଣ କରୁଛନ୍ତି। ଏହା ସଂସ୍କାର ପାଇଁ ଆଦୌ ଅନୁକୂଳ ନୁହେଁ। ବର୍ଷ ବର୍ଷ ଧରି ଚାଲି ଆସୁଥିବା ଗୋଟିଏ ବ୍ୟବସ୍ଥାରେ ପରିବର୍ତ୍ତନ ସକାଶେ ତରବରିଆ ନିଷ୍ପତ୍ତିରୁ ଯେ ଓଲଟା ଫଳ ଫଳିପାରେ, ବୁଧବାର ହିଂସା ତା’ର ଦୁଃଖଦ ଉଦାହରଣ।
ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ଆମିକସ୍କ୍ୟୁରି ଶ୍ରୀମନ୍ଦିର ଘଟଣାକ୍ରମ ନେଇ ଉଦ୍ବିଘ୍ନ। ସେ ମନ୍ଦିର ପ୍ରଶାସନଠାରୁ ରିପୋର୍ଟ ତଲବ କରିଛନ୍ତି। କିନ୍ତୁ ଏତିିକିରେ ଆମିକସ୍କ୍ୟୁରିଙ୍କ ଦାୟିତ୍ୱ ସରୁନାହିଁ। କୋର୍ଟ ପ୍ରସ୍ତାବିତ ସଂସ୍କାରକୁ ଲାଗୁ କରିବା ଯେତେ ସହଜ ମନେ ହେଉଛି, ସେତେ ସହଜ ନୁହେଁ। ସଂସ୍କାର ପ୍ରସ୍ତାବରେ କିଛି ବିରୋଧାଭାସ ମଧ୍ୟ ରହିଛି, ଯାହା ମନ୍ଦିର ଓ ବ୍ୟବସ୍ଥା ସହ ସମ୍ପୃକ୍ତ ବିଭିନ୍ନ ପକ୍ଷଙ୍କ ଭିତରେ ରହି ଆସିଥିବା ପାରସ୍ପରିକ ସନ୍ଦେହ ଓ ଅବିଶ୍ୱାସକୁ ଅଧିକ ଘନୀଭୂତ କରୁଛି। ତେଣୁ ସବୁ ସମ୍ପୃକ୍ତ ପକ୍ଷକୁ ବିଶ୍ୱାସକୁ ନେଇ ସଂସ୍କାର ପ୍ରସଙ୍ଗରେ ଅଧିକ କଥାବାର୍ତ୍ତାର ଆବଶ୍ୟକତା ରହିଛି। ସବୁ ପକ୍ଷର ମତ ଓ ପ୍ରସ୍ତାବକୁ ସମ୍ମାନ ଦେଇ ଗୁରୁତ୍ୱର ସହ ଏହାର ବିଚାର କରାଯିବା ଉଚିତ। ଅନ୍ୟଥା ସଂସ୍କାର ରଥ ଆଗେଇବ ନାହିଁ।
ଶ୍ରୀକ୍ଷେତ୍ର ବୁଧବାର ଦେଖିଥିବା ହିଂସାର ସବୁଠାରୁ ବଡ଼ ଶିକ୍ଷା ହେଲା ଶ୍ରୀମନ୍ଦିରରେ ବ୍ୟବସ୍ଥାରେ କୌଣସି ପ୍ରକାର ସଂସ୍କାର ପାଇଁ ପ୍ରଥମେ ସବୁ ସମ୍ପୃକ୍ତ ପକ୍ଷଙ୍କ ମାନସିକତା ଓ ଆଭିମୁଖ୍ୟରେ ସଂସ୍କାର ଏକ ପ୍ରାକ୍ ଆବଶ୍ୟକତା।