ରାଫେଲର ମୂଲ୍ୟ?

1

ରୁଷ୍‌ଠାରୁ ଭାରତ ବିଶ୍ୱର ସବୁଠାରୁ ଶକ୍ତଶାଳୀ ଭୂପୃଷ୍ଠରୁ ଆକାଶରେ ଲକ୍ଷ୍ୟ ଭେଦ ପାଇଁ ସମର୍ଥ ଅତ୍ୟାଧୁନିକ ଏସ୍‌-୪୦୦ ‘ଟ୍ରିୟମ୍ପଂ’ କ୍ଷେପଣାସ୍ତ୍ର କିଣିବ। ଭାରତ ଗସ୍ତରେ ଆସିଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଶିଖର କଥାବାର୍ତ୍ତା ଅବସରରେ ଦୁଇ ଦେଶ ମଧ୍ୟ‌ରେ ୪୦ ହଜାର କୋଟି ଟଙ୍କା (୫.୪୩ ବିଲିୟନ୍‌ ଡଲାର)ର ଏକ ବୃହତ୍‌ ପ୍ରତିରକ୍ଷା କାରବାର ପାଇଁ ବୁଝାମଣା‌ ସ୍ୱାକ୍ଷରିତ ହୋଇଛି। ତେବେ ସେପଟେ ଏସ୍‌-୪୦୦ କ୍ଷେପଣାସ୍ତ୍ର ଖର୍ଦ୍ଦି ପାଇଁ ଭାରତ-ରୁଷିଆ ବୁଝାମଣା ଚୂଡ଼ାନ୍ତ ହୋଇଥିବା ବେଳେ ଏପଟେ ଫରାସୀ ଯୁଦ୍ଧ ବିମାନ ରାଫେଲ୍‌ ଖର୍ଦ୍ଦିରେ ଭ୍ରଷ୍ଟାଚାରର ଅଭିଯୋଗ ନେଇ ତାତି ଥମିବାର ନାଁ ନେଉ ନାହିଁ। ରାଫେଲ୍‌ କାରବାରରେ ଦୁର୍ନୀତିର ଗନ୍ଧ ବାରି ମୋଦୀଙ୍କୁ ଘେରିଥିବା ବିରୋଧୀ ସେମା‌ନଙ୍କ ଆକ୍ରମଣକୁ ଅଧିକ ଶାଣିତ କରିଛନ୍ତି। ଏସ୍‌-୪୦୦ କ୍ଷେପଣାସ୍ତ୍ର କାରବାର ନେଇ ପୁଟିନ୍‌-ମୋଦୀ ଆଲୋଚନାର ଅବ୍ୟବହିତ ପୂର୍ବରୁ ଗୁରୁବାର ଦୁଇଟି ପୃଥକ୍‌ ପୃଥକ୍‌ ପ୍ରତିନିଧି ଦଳ ରାଫେଲ୍‌ ନେଇ ସିବିଆଇ ଓ ସିଏଜିଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତ ୧୫ ଦିନରେ ଦ୍ୱିତୀୟ ଥର ପାଇଁ କଂଗ୍ରେସର ଏକ ପ୍ରତିନିଧି ଦଳ ସିଏଜିଙ୍କୁ ଭେଟି ରାଫେଲ୍‌ କାରବାର ସଂକ୍ରାନ୍ତ ସମସ୍ତ ଦସ୍ତାବିଜର ‘ଫରେନ୍‌ସିକ୍‌’ ଯାଞ୍ଚର ଦାବି କରିଛନ୍ତି। ପୂର୍ବରୁ ଗତ ସେପ୍‌ଟେମ୍ବର ୧୯ରେ ରାଫେଲ୍‌ କାରବାରରେ ଅନିୟମିତତାର ତଦନ୍ତ ଲାଗି ସିଏଜିଙ୍କଠାରେ କଂଗ୍ରେସ ଦାବି କରିଥିଲା। ଆଉ ଏକ ଘଟଣାକ୍ରମରେ ବିଜେପିର ଜଣାଶୁଣା ଭିନ୍ନମତବାଦୀ ପୂର୍ବତନ ମନ୍ତ୍ରୀ ଅରୁଣ ସୌରୀ ଓ ବିଶିଷ୍ଟ ଆଇନଜୀବୀ ପ୍ରଶାନ୍ତ ଭୂଷଣ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଭେଟି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଦ୍ୱାରା ରାଫେଲ କାରବାରର ତଦନ୍ତ ଲାଗି ଦାବି ଜଣାଇଛନ୍ତି। ସୌରୀ ଓ ଭୂଷଣଙ୍କ ଦାବିକୁ ଯେ ସିବିଆଇ ନିର୍ଦ୍ଦେଶକ ଗୁରୁତ୍ୱ ଦେବେ, ଏହା ଆଶା କରାଯାଏ ନାହିଁ। କିନ୍ତୁ ରାଫେଲ୍‌ କାରବାରକୁ ଅଦାଲତୁ ଟାଣିବା ଲାଗି ଏହା ଏକ ପ୍ରାକ୍‌-କସରତ। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଅରୁଣ ସୌରୀଙ୍କ ସହ ବି‌େଜପିର ଅନ୍ୟ ଦୁଇ ଭିନ୍ନମତବାଦୀ ନେତା ପୂର୍ବତନ ମନ୍ତ୍ରୀ ଯଶୋବନ୍ତ ସିହ୍ନା ଏବଂ ଶତ୍ରୁଘ୍ନ ସିହ୍ନା ରାଫେଲ୍‌ କାରବାରରେ ଭ୍ରଷ୍ଟାଚାରର ଅଭିଯୋଗ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କାଠଗଡ଼ା‌େର ଠିଆ କରାଇ ଆସୁଛନ୍ତି।

ସମ୍ଭବତଃ ସିଏଜିଙ୍କଠାରେ କଗ୍ରେସର ସାନି ଅଭିଯୋଗ ଅପେକ୍ଷା ରାଫେଲର ପ୍ରସଙ୍ଗରେ ଯାହା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଧିକ ଅଡୁଆରେ ପକାଇବାର ଆଶଙ୍କା ସୃଷ୍ଟି କରିଛି, ତା’ହେଲା ସୌରୀ ଓ ଭୂଷଣଙ୍କ ଅଭିଯୋଗ। ସେମାନେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଏକ ବୟାନ ଆଧାରରେ ପ୍ରଧାନମନ୍ତ୍ରୀ ମୋଦୀ, ରାଫେଲ୍‌ ନିର୍ମାତା ଡାସଲଟ୍‌ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଏରିକ୍‌ ଟ୍ରାଫିୟର୍‌, ଡାସଲଟ୍‌ ଦ୍ୱାରା ମନୋନୀତ ଅଫସେଟ୍ ସହଯୋଗୀ ରିଲାଏନ୍‌ସ ଡିଫେନ୍ସର ମୁଖ୍ୟ ଅନୀଲ ଅମ୍ବା‌ନୀ ଓ ପାରିକରଙ୍କ ବିରୋଧରେ ଆପରାଧିକ ଷଡ଼୍‌ଯନ୍ତ୍ର ଅଭି‌ଯୋଗର ଏତଲା ଦାଏର୍‌ କରି ଅନୁସନ୍ଧାନ ଚଳାଇବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କଠାରେ ଦାବି କରିଛନ୍ତି। ସୌରୀ ଓ ଭୂଷଣଙ୍କ ଅଭିଯୋଗ ହେଲା,‌ ଡାସଲଟ୍‌ ଓ ଅମ୍ବାନୀଙ୍କ କମ୍ପାନିକୁ ଲାଭ ଦେବା ଉଦ୍ଦେଶ୍ୟରେ ରାଫେଲ ଯୁଦ୍ଧ ବିମାନର ମୂଲ୍ୟ ବୃଦ୍ଧି ଲାଗି ପ୍ରଧାନମନ୍ତ୍ରୀ ମୋଦୀ ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ପ୍ରତିରକ୍ଷା ମନ୍ତ୍ରଣାଳୟର କଣ୍ଟ୍ରାକ୍ଟ ନେଗୋସିଏସନ୍‌ କମିଟି (ସିଏନ୍‌ସି)କୁ ପ୍ରଭାବିତ କରିଥିଲେ। ପାରିକରଙ୍କ ବୟାନ ଅନୁଯାୟୀ ପ୍ରତି ରାଫେଲ ଯୁଦ୍ଧ ବିମାନ ପାଇଁ ୭୧୫ କୋଟି ଟଙ୍କା ଧାର୍ଯ୍ୟ ହୋଇଥିଲା। କିନ୍ତୁ ପରେ ପ୍ରତି ରାଫେଲକୁ ୧୬୬୦ କୋଟିରେ କିଣିବା ଲାଗି ଚୁକ୍ତିନାମା ଚୂଡ଼ାନ୍ତ ହୋଇଥିଲା। କେଉଁ ପରିସ୍ଥିତିରେ ଓ କେଉଁ କାରଣରୁ ପ୍ରତିରକ୍ଷାମନ୍ତ୍ରୀ ସୂଚନା ଦେ ଇଥିବା ମୂଲ୍ୟଠାରୁ ଅଧିକ ମୂଲ୍ୟ ଦେଇ ରାଫେଲ୍‌ କିଣାଗଲା?

ପ୍ରକୃତରେ ରାଫେଲ୍‌ର ମୂଲ୍ୟ କେତେ? ରାଫେଲ୍‌ କାରବାରକୁ ନେଇ ଉଠିଥିବା ବିବାଦର ଝଡ଼ର ମୂଳରେ ରହିଛି ଏହି ପ୍ରଶ୍ନ। ସରକାରଙ୍କ ପକ୍ଷରୁ ରାଫେଲ୍‌ ଯୁଦ୍ଧ ବିମାନର ସାମରିକ ପରାକ୍ରମ ବିଷୟରେ ସୂଚନା ଦିଆଯାଉଛି ସିନା ରାଫେଲର ମୂଲ୍ୟ ନେଇ ପ୍ରଶ୍ନର ପାହାଡ଼କୁ ଏଡ଼ାଇ ଦିଆଯାଉଛି। ବର୍ତ୍ତମାନ ସୁଦ୍ଧା ସରକାରଙ୍କ ପକ୍ଷରୁ ରାଫେଲର ମୂଲ୍ୟ ନେଇ ଯେଉଁ ସୂଚନା ଦିଆଯାଇଛି, ତାହା ଅସମ୍ପୂର୍ଣ୍ଣ ଓ ଅସ୍ପଷ୍ଟ। ନଭେମ୍ବର ୧୮, ୨୦୧୬, ଲୋକସଭାରେ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସୁଭାଷ ଭାମରେ ଏକ ପ୍ରଶ୍ନର ଉତ୍ତରରେ ଦେଇଥିବା ସୂଚନା ଅନୁଯାୟୀ ଏନଡିଏ ସରକାର ଗୋଟିଏ ରାଫେଲ ପାଇଁ ୬୭୦ କୋଟି ଟଙ୍କା ଦେଇଛନ୍ତି। ତେବେ ଏହା କେବଳ ବିମାନ ପାଇଁ। ଏହା ଉପରେ ବିମାନରେ ଭାରତର ବରାଦ ମୁତାବକ ଆହୁରି କେତେକ ଉପକରଣ ଖଞ୍ଜା ଯାଇଛି, ଯେଉଁଥିପାଇଁ ପୃଥକ୍ ମୂଲ୍ୟ ଦିଆଯାଇଛି। ଅତିରିକ୍ତ ଉପକରଣ ସହ ଯୁଦ୍ଧ ବିମାନର ମୋଟ ମୂଲ୍ୟ କେତେ? ରାଫେଲ ଖର୍ଦ୍ଦି ନେଇ ଫ୍ରାନ୍ସ ସରକାରଙ୍କ ସହ ହୋଇଥିବା ଚୁକ୍ତିରେ ଗୋପନୀୟତାର ସର୍ତ୍ତକୁ ଆଳ କରି ସରକାର ଏହାର କୌଣସି ଉତ୍ତର ଦେଉନାହାନ୍ତି। ଅନ୍ୟ ପକ୍ଷରେ କଂଗ୍ରେସର ଅଭିଯୋଗ ହେଲା ୟୁପିଏ ସହିତ ଡିସେମ୍ବର ୧୨, ୨୦୧୨ର ବୁଝାମଣା ଅନୁଯାୟୀ ପ୍ରତି ରାଫେଲ ପିଛା ୫୨୬ କୋଟି ଟଙ୍କା ସ୍ଥିର ହୋଇଥିଲା। କିନ୍ତୁ ବର୍ତ୍ତମାନ ଏନଡିଏ ସରକାର ପ୍ରତି ରାଫେଲ ପାଇଁ ୧,୬୭୧ କୋଟି ଟଙ୍କା ଦେଇଛନ୍ତି। ଡାସଲଟ କମ୍ପାନିର ୨୦୧୬ ବାର୍ଷିକ ରିପୋର୍ଟରେ ଏହି ମୂଲ୍ୟ ଉଲ୍ଲେଖ ରହିଛି। ପ୍ରଶ୍ନ ଉଠୁଛି, କ’ଣ ସବୁ ଅତିରିକ୍ତ ଯନ୍ତ୍ରପାତି ଖଞ୍ଜାଗଲା ଯେ ବିମାନର ମୂଲ୍ୟ ତିନିଗୁଣ ବଢ଼ିଗଲା?

ଏହି ପ୍ରଶ୍ନରେ ଖୁନ୍ଦି ହୋଇଥିବା ସନ୍ଦେହକୁ ଘନୀଭୂତ କରିବା ଲାଗି ଆଉ ଦୁଇଟି ବିଷୟ ଖୋରାକ୍‌ ଯୋଗାଉଛି। ପ୍ରଥମ, ୩୬ଟି ରାଫେଲ ଖର୍ଦ୍ଦି ବାବଦ ପ୍ରାୟ ୫୯୦୦୦ କୋଟି ଟଙ୍କାର ଏ କାରବାରର ୫୦ ପ୍ରତିଶତ ‘ଅଫସେଟ’ ସହଯୋଗୀଙ୍କ ପାଇଁ ଉଦ୍ଦିଷ୍ଟ। ଅର୍ଥାତ୍ ରାଷ୍ଟ୍ରାୟାତ୍ତ ଉଦ୍ୟୋଗ ହିନ୍ଦୁସ୍ତାନ ଆରୋନେଟିକସ (ଏଚ୍ଏଏଲ୍)କୁ ବାଦ୍ ଦେଇ ‘ଅଫସେଟ’ ସହଯୋଗୀ ଆମ୍ବାନୀଙ୍କ କମ୍ପାନି ଏହାର ପ୍ରଧାନ ହିତାଧିକାରୀ। ପ୍ରଶ୍ନ ଉଠୁଛି- ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଅମ୍ବା‌ନୀଙ୍କ ରିଲାଏନ୍‌ସ ଡିଫେନ୍ସକୁ ଏହି ବୃହତ୍‌ ମୂଲ୍ୟର କ‌ାମ ଲାଗି ଡାସଲଟ କମ୍ପାନି ଚୟନ କଲା କେମିତି? ଏହି ପ୍ରଶ୍ନ ସହ ଯୋଡ଼ି ‌ହୋଇଛି ଦ୍ୱିତୀୟ ବିଷୟ, ଯାହା ସିଧାସଳଖ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଡାସଲଟ କମ୍ପାନି ନିଜ ଆଡୁ ଅମ୍ବାନୀଙ୍କ କମ୍ପାନିକୁ ‘ଅଫ୍‌ସେଟ୍‌ ସହଯୋଗୀ’ ଭାବେ ବାଛି ନାହିଁ। ଭାରତ ସରକାରଙ୍କ ସୁପାରିସକ୍ରମେ ରିଲ‌ାଏନ୍‌ସ ଡିଫେନ୍ସକୁ ରାଫେଲ୍‌ ନିର୍ମାତା ସହଯୋଗୀ କରିବାକୁ ବାଧ୍ୟ ହୋଇଛି। ଗତ ସେପ୍‌ଟେମ୍ବର ୨୧ ତାରିଖ ଦିନ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଓଲାନ୍ଦେ ଏକ ଗଣମାଧ୍ୟମ ସଂସ୍ଥା ସହ ସାକ୍ଷାତକାରରେ କହିଥିଲେ ଯେ, ଅମ୍ବାନୀଙ୍କୁ ସହଯୋଗୀ ଭାବେ ମନୋନୀତ କରିବା ଛଡ଼ା ଅନ୍ୟ ବିକଳ୍ପ ନଥିଲା। କାରଣ ଭାରତ ସରକାର ଅମ୍ବାନୀଙ୍କ ପାଇଁ ସୁପାରିସ କରିଥି‌ଲେ। ବର୍ତ୍ତମାନ ପ୍ରଶ୍ନ ଉଠୁଛି, ପ୍ରତିରକ୍ଷା କ୍ଷେତ୍ରରେ ଆଦୌ ଅଭିଜ୍ଞତା ନଥିବା ଓ ପୁଣି ପ୍ରାୟ ୪୦ ହଜାର କୋଟି ଟଙ୍କାର ଋଣରେ ବୁଡ଼ିଥିବା ଗୋଟିଏ ଶିଳ୍ପ ଗୋଷ୍ଠୀର ଶାଖା କମ୍ପାନିକୁ ଭାରତ ସରକାର ସୁପାରିସ କଲେ କେମିତି? ଏହା ପଛରେ କାହାର କ’ଣ ସ୍ୱାର୍ଥ? ପ୍ରତିରକ୍ଷା ସାମଗ୍ରୀ କ୍ଷେତ୍ରରେ ଦୀର୍ଘ ସତୁରି ବର୍ଷର ଅଭିଜ୍ଞତା ଥିବା ଖୋଦ୍‌ ସରକାରଙ୍କ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏଚ୍‌ଏଏଲ୍‌କୁ ବାଦ୍‌ ଦେଇ ସୁପାରିସ କରାଯାଇଥିବା ଅମ୍ବାନୀଙ୍କ କମ୍ପାନି ରାଫେଲ୍‌ ଚୁକ୍ତି ଘେ‌ାଷଣା ହେବାର ମାତ୍ର ୧୫ ଦିନ ପୂର୍ବରୁ ପଞ୍ଜିକୃତ ହୋଇଥିଲା। ଏହା ସମୁଦାୟ କାରବାରକୁ ଅଧିକ ସନ୍ଦିଗ୍ଧ କରି ଦେଉଛି।

ରାଫେଲ ନେଇ ସନ୍ଦେହର ଧୂଆଁ ସେ ପର୍ଯ୍ୟନ୍ତ ଦୂର ହେବ ନାହିଁ, ଯେ ପର୍ଯ୍ୟନ୍ତ ସରକାର ରାଫେଲର ମୂଲ୍ୟ କେତେ, ପ୍ରଶ୍ନର ସ୍ପଷ୍ଟ ଓ ନିର୍ଦ୍ଦିଷ୍ଟ ଉତ୍ତର ଦେଇ ନାହାନ୍ତି। ଗୋପନୀୟତାର ସର୍ତ୍ତକୁ ଢାଲ କରି ପ୍ରଶ୍ନକୁ ସରକାର ଯେତେ ଅଧିକ ସମୟ ପାଇଁ ଏଡ଼ାଇ ଚାଲିବେ, ରାଫେଲ୍‌ ରହସ୍ୟ ବିରୋଧୀଙ୍କୁ ସେତେ ଅଧିକ ସୁହାଇବ। ତେଣୁ ବିରୋଧୀ ଜାଳିଥିବା ରାଫେଲ୍‌ ବିବାଦର ନିଆଁର ତାତିକୁ ଯଦି ପ୍ରଶମିତ କରିବାର ଅଛି, ତେବେ ଯୁଦ୍ଧ ବିମାନ ଖର୍ଦ୍ଦି କାରବାର ସଂକ୍ରାନ୍ତ ସମସ୍ତ ତଥ୍ୟ ସାର୍ବଜନୀନ କରିବା ଛଡ଼ା ସ୍ବଚ୍ଛତାର ରାଣ ଖାଇ ଆସୁଥିବା ମୋଦୀ ସରକାରଙ୍କ ପାଖରେ ଅନ୍ୟ ବିକଳ୍ପ ନାହିଁ। ଅନ୍ୟଥା, ରାଜନୈତିକ ଦୃଷ୍ଟିରୁ କଡ଼ା ମୂଲ୍ୟ ଦେବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର