ସେମିଫାଇନାଲ

ଉଣେଇଶ ଫାଇନାଲ୍‌ ପୂର୍ବରୁ ସେମିଫାଇନାଲ ପାଇଁ ନିର୍ବାଚନ କମିସନ୍‌ ହ୍ବିସିଲ୍ ଫୁଙ୍କିଛନ୍ତି। ପାଞ୍ଚଟି ରାଜ୍ୟର ବିଧାନସଭା‌ ନିର୍ବାଚନ ପାଇଁ ଶନିବାର ସୂଚି ଘୋଷଣା କରାଯାଇଛି। ଏହି ପାଞ୍ଚଟି ରାଜ୍ୟ ମଧ୍ୟରେ ରହିଛି ବିଜେପି ଶାସିତ ତିନିଟି ରାଜ୍ୟ- ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼। ଅନ୍ୟ ଦୁଇଟି ରାଜ୍ୟ ହେଲା, ଉତ୍ତର-ପୂର୍ବର ମିଜୋରାମ ଏବଂ ନିକଟରେ ଆଗୁଆ ବିଧାନସଭା ଭଙ୍ଗ ହୋଇଥିବା ଦକ୍ଷିଣର ତେଲେଙ୍ଗାନା। ନଭେମ୍ବର ୧୨ରେ ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହେଉଥିବା ଭୋଟ ଦାନ ପ୍ରକ୍ରିୟା ପର୍ଯ୍ୟାୟ କ୍ରମେ ଡିସେମ୍ବର ୭ରେ ଉଭୟ ରାଜସ୍ଥାନ ଏବଂ ତେଲେଙ୍ଗାନାରେ ମତଦାନ ସହ ସମାପ୍ତ ହେବ। ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟ‌େର ମତଦାନ ଲାଗି ଦିନ ଧାର୍ଯ୍ୟ ହୋ‌ଇଥିବା ‌‌ବେଳେ ଅନ୍ୟ ସବୁ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ। ଡିସେମ୍ବର ୧୧ ତାରିଖରେ ଭୋଟ ଗଣତି ପରେ ଅପରାହ୍‌ଣ ସୁଦ୍ଧା ଫଳାଫଳ ଘୋଷିତ ହେବ।

ଏହି ପାଞ୍ଚଟି ରାଜ୍ୟର ଭୋଟରମାନେ କେବଳ ନିଜ ନିଜ ରାଜ୍ୟରେ ପରବର୍ତ୍ତୀ ପାଞ୍ଚବର୍ଷ ପାଇଁ କିଏ ସରକାର ଗଢ଼ିବ ତା’ର ଫଇସଲା କରିବେ ନାହିଁ, ଦିଲ୍ଲୀ ପାଇଁ ଉଣେଇଶ ଜନା‌େଦଶର ଚିତ୍ରଚରିତ୍ର ସମ୍ପର୍କରେ ମଧ୍ୟ ଆଗୁଆ ସୂଚନା ଦେଇପାରନ୍ତିି। ବିଶେଷକରି କେନ୍ଦ୍ରରେ କ୍ଷମତାସୀନ ଦଳ ବିଜେପି ଶାସନାଧୀନ ତିନିଟି ରାଜ୍ୟ ଉପରେ ସମସ୍ତଙ୍କ ନଜର ରହିବ। ପାଞ୍ଚଟି ରାଜ୍ୟ‌େର ନିର୍ବାଚନ ହେଉଥିଲେ ମଧ୍ୟ ମୁଖ୍ୟତଃ ଏହି ତିନିଟି ରାଜ୍ୟର ମଇଦାନରେ ସେମିଫାଇନ‌ାଲ ସୀମିତ ରହିବ। ଉଣେଇଶର ଫାଇନାଲ ଆଗରୁ ଏହି ତିନିଟି ରାଜ୍ୟର ଜନାଦେଶର ଚିତ୍ର ଦିଗବାରେଣୀ ହେବ। ଏହି ତିନିଟି ରାଜ୍ୟରେ ରହିଛି ମୋଟ ୫୨୦ଟି ବିଧାନସଭା ଆସନ। ଏହି ଆସନଗୁଡ଼ିକର ଫଳାଫଳ ଉଣେଇଶରେ ୬୫ଟି ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ଭାଗ୍ୟ ଓ ଭବିଷ୍ୟତ ସମ୍ପର୍କରେ ଯେ କେବଳ ଆଗୁଆ ସୂଚନା ଦେବ ତାହା ନୁହେଁ, ଆହୁରି ଅନେକ କିଛି ମଧ୍ୟ ଦାଓରେ ଲାଗିଛି ଏ ତିନିଟି ରାଜ୍ୟର ନିର୍ବାଚନ ରଣାଙ୍ଗନରେ। ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପରବର୍ତ୍ତୀ ସାଧାରଣ ନିର୍ବାଚନ ପୂର୍ବରୁ କେବଳ ଦୁଇ ପ୍ରମୁଖ ଜାତୀୟ ଦଳ ବିଜେପି ଓ କଂଗ୍ରେସ ପାଇଁ ନୁହେଁ, ଦେଶର ଦୁଇ ପ୍ରମୁଖ ପରସ୍ପର ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ବ୍ୟକ୍ତିତ୍ବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ମଧ୍ୟ ଅଗ୍ନି ପରୀକ୍ଷା। ଏହି ତିନିଟି ଯାକ ରାଜ୍ୟରେ ବିଜେପି ଓ କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରଦର୍ଶନରୁ ଆକଳନ କରାଯାଇ ପାରିବ ଯେ, ସେମିଫାଇନାଲର ଚାରି ମାସ ପରେ ହେବାକୁ ଥିବା ଦିଲ୍ଲୀ ଦୌଡ଼ର ଫାଇନାଲରେ ବା‌ଜି ମାରିନେବା ଲାଗି କାହାର ସମ୍ଭାବନା କେତେ? ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପାଇଁ ଏହି ତିନିଟି ରାଜ୍ୟର ନିର୍ବାଚନ ଫଳାଫଳ ନିର୍ଣ୍ଣାୟକ ଏଥିପାଇଁ ଯେ, ‌ଦେଶର ସର୍ବୋଚ୍ଚ ଶାସନକର୍ତ୍ତା ଭାବେ ଆଉ ପାଞ୍ଚ ବର୍ଷ ସକାଶେ ଜନାଦେଶ ପାଇବ‌ା ଦିଗରେ ତା‌ଙ୍କର ସମ୍ଭାବନା କ‌େତେ ଉଜ୍ଜ୍ବଳ, ତା’ର ଉତ୍ତର ଏଥିରୁ ମିଳିବ। ଅନ୍ୟପକ୍ଷରେ ରାହୁଲଙ୍କ ପାଇଁ ଏହି ତିନିଟି ରାଜ୍ୟର ନର୍ବାଚନ ହେଉଛି ଏକରକମ ‘କର ବା ମର’ ସ୍ଥିତି। କଂଗ୍ରେସର ପ୍ରଦର୍ଶନରୁ ଏହି ସର୍ବପୁରାତନ ଦଳର ମଙ୍ଗୁଆଳ ଏବଂ ମୋଦୀଙ୍କ ବିକଳ୍ପ ଭାବେ ରାହୁଲଙ୍କ ନେତୃତ୍ବର ଗ୍ରହଣୀୟତା କେତେ ତା‌’ର ସଂକେତ ମିଳିବ। ରାହୁଲଙ୍କ ନେତୃତ୍ବରେ କଂଗ୍ରେସର ଗତି କେଉଁ ଆଡ଼େ? ଏ ପ୍ରଶ୍ନର ମଧ୍ୟ ଉତ୍ତର ମିଳିଯିବ ଡିସେମ୍ବର ୧୧ରେ। କଂଗ୍ରେସ ଅଧ୍ୟକ୍ଷଙ୍କ ପାଇଁ ସେମିଫାଇନାଲ ଆହ୍ବାନକୁ ଯାହା ଆହୁରି କଡ଼ା କରିଦେଉଛି, ତା’ହେଲା ଏହି ତିନିଟି ରାଜ୍ୟରେ ବିରୋଧୀ ଏକତା ପରୀକ୍ଷାର ବିଫଳତା। ତିନିଟି ଯାକ ରାଜ୍ୟରେ ବିଭିନ୍ନ ମାତ୍ରାରେ ଜନାଧାର ଥିବା ବିଏସ୍‌ପି କଂଗ୍ରେସ ସହ ହାତ ମିଳେଇବା ପରିବର୍ତ୍ତେ ପୃଥକ୍‌ ଭାବେ ଏକାକୀ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଛି।

ଅନେକ ପ୍ରଶ୍ନର ଉତ୍ତର ଆଶା କରାଯାଉଥିବା ଏହି ତିନିଟି ରାଜ୍ୟର ନିର୍ବାଚନ ମଇଦାନରେ ଆଜି ଦିନରେ କିଏ କେଉଁଠି? ନଭେମ୍ବର ୨୦ରେ ମତଦାନ ଦେଖିବାକୁ ଯାଉଥିବା ସର୍ବାଧିକ ୨୩୦ ବିଧାନସଭା ଆସନ ବିଶିଷ୍ଟ ମଧ୍ୟପ୍ରଦେଶ ବିଷୟ ପ୍ରଥମେ ଆଲୋଚନା କରାଯାଉ। ବିଗତ ତିନିଟି ନିର୍ବାଚନରେ ବିଜେପି ରାଜ୍ୟରେ ଲଗାତାର ଜିଣି ଆସୁଛି। ତିନି ପାଳି ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ଶିବରାଜ ସିଂହ ଚଭାନ୍ ଏଥର ଚତୁର୍ଥ ପାଳି ପାଇଁ ମଧ୍ୟ ଦଳର ମୁଖ୍ୟମନ୍ତ୍ରୀ ମୁହଁ। ଅନ୍ୟପକ୍ଷରେ ସ୍ବର୍ଗତ କଂଗ୍ରେସ ନେତା‌ ମାଧବରାଓ ସିନ୍ଧିଆଙ୍କ ପୁତ୍ର ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା। ଛିନ୍ଦୱାରାରୁ ଲଗାତାର ଲୋକସଭାକୁ ନିର୍ବାଚିତ ହୋଇ ଆସୁଥିବା ସ୍ବର୍ଗତ ସଞ୍ଜୟ ଗାନ୍ଧୀଙ୍କ ଏକାନ୍ତ ଅନୁଗତ ଭାବେ ଜଣାଶୁଣା କମଲ ନାଥଙ୍କ ହାତରେ ଦଳୀୟ ସଂଗଠନର ଦାୟିତ୍ବ ନ୍ୟସ୍ତ କରାଯାଇଛି। ଦୀର୍ଘ ଅବଧି ଧରି ଶାସନରେ ଥିବା ବିଜେପି ବିପକ୍ଷରେ ସରକାର ବିରୋଧୀ ମାନସିକତାକୁ ଆୟୁଧ କରି କଂଗ୍ରେସ ପୁନର୍ବାର କ୍ଷମତାକୁ ଫେରିବା ଲାଗି ଆଶା ବାନ୍ଧିଛି। କିଛି ମାସ ତଳେ ଅନୁଷ୍ଠିତ ଉପ-ନିର୍ବାଚନରେ ଦଳର ସଫଳତା ପରିପ୍ରେକ୍ଷୀ‌େର କଂଗ୍ରେସ ପାଇଁ ଏଥର ବାତାବରଣ ପୂର୍ବାପେକ୍ଷା ଅଧିକ ଅନୁକୂଳ ଥିବା ମନେ ହେଉଛି। କିନ୍ତୁ ଅନେକ କିଛି ନିର୍ଭର କରୁଛି ଦଳ ମଧ୍ୟରେ ସମନ୍ବୟ ଉପରେ। ସିନ୍ଧିଆ- କମଲନାଥ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗ୍‌ବିଜୟ ସିଂହଙ୍କ ଭିତରେ ବୁଝାମଣା ଓ ସମନ୍ବୟ ଆଶାଜନକ ନୁହେଁ। ଯାହା ପ୍ରତିପକ୍ଷ ବିଜେପିକୁ ସୁହାଉଛି। ମଧ୍ୟପ୍ରଦେଶରେ କ୍ଷମତାକୁ ପ୍ରତ୍ୟାବର୍ତ୍ତନ ରାସ୍ତାରେ କଂଗ୍ରେସ ପାଇଁ ସବୁଠାରୁ ବଡ଼ ସମସ୍ୟା ବି‌େରାଧୀ ଶିବିରରେ ଫାଟ। ଦାବି ମୁତାବକ ଆସନ ନ ମିଳିବାରୁ ବିଏସ୍‌ପି ପୃଥକ୍‌ ହୋଇ ଏକାକୀ ଲଢ଼ିବ ବୋଲି ସ୍ଥିର କରିଛି। ପାରମ୍ପରିକ ଭାବେ ସଂଖ୍ୟାଗରିଷ୍ଠ ଆସନରେ ବିଜେପି- କଂଗ୍ରେସ ସିଧ‌ାସଳଖ ପ୍ରତିଦ୍ବନ୍ଦ୍ବିତାର ସମ୍ଭାବନା ଥିଲେ ସୁଦ୍ଧା କେତେକ ଦଳିତ ବହୁଳ ବିଧାନସଭା ଆସନରେ ବିଏସ୍‌ପିର ଉପସ୍ଥିତି ନିଶ୍ଚୟ କଂଗ୍ରେସର ସମ୍ଭାବନାକୁ ପ୍ରଭାବିତ କରିବ। ଇତିମଧ୍ୟରେ ଆରକ୍ଷଣ ବିରୋଧୀ ଗୋଟିଏ ମଞ୍ଚ‌ର ନିର୍ବାଚନକୁ ଓହ୍ଲାଇବା ଲାଗି ନିଷ୍ପତ୍ତି ବିଜେପି-ବିରୋଧୀ ଭୋଟ ବିଭାଜନ ପାଇଁ ଅଧିକ ଅବକାଶ ସୃଷ୍ଟି କରିପାରେ। ଏହା ସ‌େତ୍ତ୍ବ ଗତ ୨୦୧୩ରେ ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ୧୬୫ ଆସନ ପାଇଥିବା ବିଜେପି ପକ୍ଷରେ ସଫଳତାର ପୁନରାବୃତ୍ତି ସହଜ ହୋଇନପାରେ।

ରାଜସ୍ଥାନରେ ଗତ ୨୦୧୩ରେ କଂଗ୍ରେସ ଠାରୁ କ୍ଷମତା ଛଡ଼ାଇ ନେଇଥିବା ବିଜେପି ଏଥର କଡ଼ା ଆହ୍ବାନର ସମ୍ମୁଖୀନ। ନିକଟ ଅତୀତରେ ଅନୁଷ୍ଠିତ ଦୁଇଟି ଲୋକସଭା ନିର୍ବାଚନର ଫଳାଫଳକୁ ଦେଖିଲେ ଅନ୍ୟ ଦୁଇଟି ରାଜ୍ୟ ଅପେକ୍ଷା କଂଗ୍ରେସର ସମ୍ଭାବନା ରାଜସ୍ଥାନରେ ଅଧିକ ଉଜ୍ଜ୍ବଳ। ତେବେ, ୨୦୦ ଆସନ ବିଶିଷ୍ଟ ବିଧାନସଭା ଦଖଲ ଅଭିଯାନରେ କଂଗ୍ରେସ ପାଇଁ ବାଧକ ହେଲା- ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ ଦ୍ବନ୍ଦ୍ବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନା ପ୍ରଦେଶ କଂଗ୍ରେସର ସଭାପତି ସଚିନ ପାଇଲଟ? କର୍ମୀ କିମ୍ବା ଭୋଟରଙ୍କ ପାଖରେ ଏ ନେଇ କୌଣସି ସ୍ପଷ୍ଟ ସଂକେତ ନାହିଁ। ଏଠି ମଧ୍ୟ ବିଏସ୍‌ପି ସହ ଆ‌ସନ ବୁଝାମଣା ନ ହେବା କଂଗ୍ରେସ ପାଇଁ କଣ୍ଟା ସାଜିପାରେ। ଅନ୍ୟପକ୍ଷରେ ଗତ ଥର ଦଳକୁ ୧୬୩ ଆସନ ସହ ବିପୁଳ ବିଜୟ ଦେଇଥିବା ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ପାଇଁ ସମସ୍ୟା ହେଲା ଦଳର କେନ୍ଦ୍ରୀୟ ନେତୃତ୍ବ ସହ ମତାନ୍ତର। ସରକାର ସିନ୍ଧେଙ୍କ ହାତରେ ଥିଲେ ସୁଦ୍ଧା ସଂଗଠନ ତାଙ୍କ ନିୟନ୍ତ୍ରଣରେ ନଥିବାରୁ ତାଙ୍କର ଅଭିଯାନ ପ୍ରଭାବିତ ହୋଇଛି।

ନିର୍ବାଚନ ହେବାକୁ ଯାଉଥିବା ଅନ୍ୟତମ ବିଜେପି ଶାସିତ ରାଜ୍ୟ ଛତିଶଗଡ଼ରେ ମଧ୍ୟ କଂଗ୍ରେସ ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ। ୨୦୦୦ରେ ପୃଥକ୍ ରାଜ୍ୟର ମାନ୍ୟତା ପାଇବା ଦିନ ଠାରୁ ବିଜେପି ବନାମ କଂଗ୍ରେସ ମଧ୍ୟରେ ଏହି ଧ୍ରୁବୀକରଣ ଜାରି ରହିଛି। ଛତିଶଗଡ଼ରେ ରମଣ ସିଂହ ୨୦୦୩ରୁ ମୁଖ୍ୟମନ୍ତ୍ରୀ ରହି ଆସିଛନ୍ତି। ଗତ ୨୦୧୩ ନିର୍ବାଚନରେ ୯୦ ଜଣିଆ ବିଧାନସଭାରେ ବିଜେପି ୪୯ ଆସନ ପାଇଥିବା ବେଳେ କଂଗ୍ରେସ ୩୯ରେ ବିଜୟୀ ହୋଇଥିଲା। ଏଥର ନିଶ୍ଚୟ ପ୍ରତିଦ୍ବନ୍ଦ୍ବୀ କଂଗ୍ରେସ ପାଇଁ ପୂର୍ବାପେକ୍ଷା ଭଲ ସୁଯୋଗ ରହିଛି। ତେବେ ପାରମ୍ପରିକ ବିଜେପି-ବନାମ-କଂଗ୍ରେସ ଦୃଶ୍ୟପଟରେ ପରିବର୍ତ୍ତନ ସର୍ବପୁରାତନ ଦଳ ପାଇଁ ଅଡୁଆ ହୋଇପାରେ। ରାଜ୍ୟ ରାଜନୀତିକ ଦୃଶ୍ୟପଟରେ ଏକ ତୃତୀୟ ଶକ୍ତିର ଆବିର୍ଭାବ ଘଟିଛି; ଯାହା ଆଗାମୀ ନିର୍ବାଚନରେ ତ୍ରିକୋଣୀୟ ଲଢ଼େଇ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛି। କଂଗ୍ରେସ ଛାଡ଼ି ପୃଥକ୍ ଦଳ ଗଢ଼ିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଜନତା କଂଗ୍ରେସ ଓ ବହୁଜନ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ତୃତୀୟ ଶକ୍ତି ଭାବେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବିଙ୍କ ସମ୍ଭାବନାକୁ ପ୍ରଭାବିତ କରିପାରେ।

ନିଃସନ୍ଦେହ, କଡ଼ା ଟକ୍କରର ସମ୍ଭାବନା ମଧ୍ୟରେ ନିର୍ଣ୍ଣାୟକ ସେମିଫାଇନାଲ୍‌ ପାଇଁ ସ୍ଥିତି ବେଶ୍ ଉତ୍କଣ୍ଠାପୂର୍ଣ୍ଣ। ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦ୍ବିଙ୍କ ଉଭୟ ଶକ୍ତି ଓ ଦୁର୍ବଳତା‌ ରହିଛି। ନିର୍ବାଚନ ତାରିଖ ଯେତେ ପାଖେଇବ ଦୃଶ୍ୟପଟ ଓ ସମୀକରଣ ବଦଳି ଲଢ଼େଇରେ ସେତିକି ଅଧିକ ଉତ୍କଣ୍ଠା ଭରିବ। ଡିସେମ୍ବର ଏଗାର ଅପରାହ୍‌ଣରେ ଯାଇ ଏହି ଉତ୍କଣ୍ଠାର ଅବସାନ ଘଟିବ।

ସମ୍ବନ୍ଧିତ ଖବର