# ମୁଁ ମଧ୍ୟ!

0

ଏକ ଫିଲ୍ମର ସୁଟିଂ ଅଧାରୁ ରାଗ ତମତମ ହୋଇ ସେଟ୍ ଛାଡ଼ି ପଳାଇ ଯିବାରେ ତନୁଶ୍ରୀ ଦତ୍ତ ପ୍ରଥମ ଚିତ୍ର ତାରକା ନୁହନ୍ତି। ତନୁଶ୍ରୀ କିନ୍ତୁ ଏ ନେଇ ଚଳଚ୍ଚିତ୍ର ଓ ଟେଲିଭିଜନ୍ କଳାକାରମାନଙ୍କର ସ୍ବାର୍ଥରକ୍ଷା ପାଇଁ ଉଦ୍ଦିଷ୍ଟ ସଂଗଠନ ‘ସିନେ ଆଣ୍ଡ୍ ଟିଭି ଆର୍ଟିଷ୍ଟ୍‌ସ ଆସୋସିଏସନ୍’ (‘ସିନ୍‌ଟା’) ନିକଟରେ ବିଧିବଦ୍ଧ ଅଭିଯୋଗ ଦାଖଲ କରିବାରେ ଥିଲେ ପ୍ରଥମ। ଏହା ଥିଲା ତାଙ୍କ ସହିତ ନାୟକ ଭୂମିକାରେ ଅଭିନୟ କରୁଥିବା ପୁରୁଷ ତାରକା ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ। ଦଶ ବର୍ଷ ତଳେ, ୨୦୦୮ରେ ତନୁଶ୍ରୀ କରିଥିବା ଏହି ଅଭିଯୋଗକୁ ‘ସିନ୍‌ଟା’ ସେତେବେଳେ ଆଦୌ ଗୁରୁତ୍ବ ନ ଦେଇ ଅଳିଆ ଭଳି ଆଡ଼େଇ ଦେଇଥିଲା। ଅପରପକ୍ଷେ ଫିଲ୍ମଟିର ପ୍ରଯୋଜକ ତନୁଶ୍ରୀଙ୍କଠାରୁ କ୍ଷତିପୂରଣ ଦାବି କରିଥିଲେ। ସମ୍ବାଦପତ୍ରମାନ ତନୁଶ୍ରୀଙ୍କ ଚରିତ୍ର ସଂହାର କରିବାରେ ଲାଗିପଡ଼ିବା ସହିତ ନାନା ପ‌ାଟେକରଙ୍କ ଗୁଣଗାନରେ ମାତି ଯାଇଥିଲେ। ଗୁଣ୍ଡାମାନେ ଆକ୍ରମଣ କରି ତନୁଶ୍ରୀଙ୍କ କାର୍ ଭାଙ୍ଗିରୁଜି ଦେଇଥିଲେ। ତନୁଶ୍ରୀ ଦତ୍ତ ଛାନିଆଁ ହୋଇ ଆମେରିକାକୁ ପଳାଇ ଗଲେ।

ଦଶ ବର୍ଷ ପରେ କେବଳ ସମୟ ବଦଳି ଯାଇଛି, ତାହା ନୁହେଁ, ଏ ଭଳି ବ୍ୟାପାରରେ ପୃଥିବୀବ୍ୟାପୀ ସଂସ୍କୃତି ମଧ୍ୟ ବଦଳି ଯାଇଛି। ‘ସିନ୍‌ଟା’ ଏବେ ତନୁଶ୍ରୀ ଦତ୍ତଙ୍କ ଠାରୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିଛି। ତତ୍ପର୍ଯ୍ୟପୂର୍ଣ୍ଣ ଭାବରେ ତାଙ୍କରି ଜୟନ୍ତୀ ଦିନ, ଅକ୍ଟୋବର୍ ୨ ତାରିଖରେ ହିଁ ‘ସିନ୍‌ଟା’ ଏହି କ୍ଷମା ପ୍ରାର୍ଥନା କରିଥିଲା, ଯିଏ ନାରୀ ନିରାପତ୍ତାକୁ ପ୍ରକୃତ ସ୍ବାଧୀନତାର ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ଅଙ୍ଗ ରୂପେ ଘୋଷଣା କରିଥିଲେ- ମହାତ୍ମା ଗାନ୍ଧୀ। ‘ସିନ୍‌ଟା’ ଏଥର ସ୍ବୀକାରୋକ୍ତି ପ୍ରଦାନ କରିଛି ଯେ ତନୁଶ୍ରୀଙ୍କ ଅଭିଯୋଗ ଅନୁସାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଏକ ‘‘ସମ୍ପୂର୍ଣ୍ଣ ଅନୁଚିତ’’ କାର୍ଯ୍ୟ ଥିଲା ଏବଂ ସେମାନେ ଏଥିପାଇଁ ଅତ୍ୟନ୍ତ ଅନୁତପ୍ତ।

ଏହା ପରେ ଏଠାରେ ଯାହା ଘଟିବାକୁ ଆରମ୍ଭ କରିଛି ତାହାକୁ ଏକ ଡ୍ୟାମ୍‌ର କବାଟ ଖୋଲିଯିବା ସହିତ ତୁଳନା କରାଯାଇପାରେ। ପ୍ରାୟ ବର୍ଷକ ତଳେ ହଲିଉଡ୍‌ରେ ପ୍ରଖ୍ୟାତ ଫିଲ୍ମ ନିର୍ମାତା ହାର୍ଭି ୱାଇନ୍‌ଷ୍ଟାଇନ୍‌ଙ୍କର ମୁଖା ଖୋଲିଯାଇ ତାଙ୍କର ଯୌନ ଶୋଷକ ଚେହେରା ପଦାରେ ପଡ଼ି ତାଙ୍କର ପତନ ଘଟିବା ପରେ ଆମେରିକାରେ ଆରମ୍ଭ ହୋଇଥିବା ‘ମି ଟୁ’ (‘# ମୁଁ ମଧ୍ୟ’) ଅଭିଯାନ ପୃଥିବୀର ପ୍ରାୟ ପ୍ରତ୍ୟେକ ଦେଶକୁ ବ୍ୟାପି ଯାଇଥିଲେ ମଧ୍ୟ ଭାରତରେ ଏ ପର୍ଯ୍ୟନ୍ତ ଏହାର ପଦଧ୍ବନି ବିଶେଷ ଶୁଣିବାକୁ ମିଳି ନଥିଲା କହିଲେ ଚଳେ। ଏହାର ଅର୍ଥ ନୁହେଁ ଯେ ଭାରତରେ ବିଭିନ୍ନ କର୍ମସ୍ଥଳୀମାନଙ୍କରେ ଯୌନଶିକାରୀ ମାନଙ୍କର ଉପସ୍ଥିତି ନଥିଲା। ବୋଧହୁଏ ଏକ ଆନ୍ଦୋଳନ ମୁଣ୍ଡ ଟେକିବା ପାଇଁ କେହି ଜଣେ ପ୍ରଥମେ ଅଗ୍ନିସଂଯୋଗ କରିବା ଆବଶ୍ୟକ ହୋଇଥାଏ। ୱାଇନ୍‌ଷ୍ଟାଇନ୍‌ ଘଟଣା ସମ୍ପୂର୍ଣ୍ଣ ବିଦେଶୀ ହୋଇଥିବାରୁ ବୋଧହୁଏ ତାହା ଅପେକ୍ଷାକୃତ ରକ୍ଷଣଶୀଳ ଭାରତୀୟ ସମାଜର ଯୌନ ନିର୍ଯାତିତା ନାରୀମାନଙ୍କର ଅଭ୍ୟାସଗତ କୁଣ୍ଠା ଧ୍ବଂସ କରିବା ପାଇଁ ଯଥେଷ୍ଟ ନଥିଲା।

ଯେତେବେଳେ ନିଜ ଦୁନିଆର ଜଣେ ହୋଇଥିବା ତନୁଶ୍ରୀ ଏବେ ଗଣମାଧ୍ୟମରେ ପୁଣି ଖୋଲାଖୋଲି ନିଜର ପୁରୁଣା ଅଭିଯୋଗ ଦୋହରାଇଲେ, ତାହା ଏଠାରେ ଏଥର ପୁଞ୍ଜିଭୂତ ଅନୁରୂପ ଅଭିଯୋଗର ବାରୁଦ ଗଦାରେ ଅଗ୍ନିସଂଯୋଗ କରିଦେଇଛି। ଭାରତରେ ‘# ମି ଟୁ’ ନିଆଁ ଧାସ ଗତ ଦୁଇ ତିନି ଦିନ ମଧ୍ୟରେ ଯେଉଁ ସେଲିବ୍ରିଟି ପୁରୁଷମାନଙ୍କୁ ଗାତରୁ ବାହାର କରି ପଦାରେ ପକାଇ ସାରିଲାଣି ସେମାନଙ୍କ ମଧ୍ୟରୁ କେତେକ ଫିଲ୍ମ ଦୁନିଆର ହୋଇଥିବା ବେଳେ ଆଶ୍ଚର୍ଯ୍ୟଜନକ ଭାବରେ (ବା ଆଶ୍ଚର୍ଯ୍ୟ ହେବାର କିଛି ନାହିଁ) ଅନେକ ହେଉଛନ୍ତି ସାହିତ୍ୟ ଓ ଗଣମାଧ୍ୟମ ଜଗତ୍‌ର। କେତେକ ସୁପରିଚିତ ଅଭିଯୁକ୍ତ ହେଲେ ଉଚ୍ଚ ପ୍ରଶଂସିତ ଫିଲ୍ମ ‘କୁଇନ୍‌’ର ନିର୍ଦ୍ଦେଶକ ବିକାଶ ବାହଲ, ଖ୍ୟାତନାମା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ, ଫଟୋଗ୍ରାଫର୍ ପାବ୍ଲୋ ବାର୍ଥୋଲୋମିଉ, ହିନ୍ଦୁସ୍ତାନ ଟାଇମ୍‌ସର ଜଣେ ସମ୍ପାଦକ ପ୍ରଶାନ୍ତ ଝା, ଟାଇମ୍‌ସ ଅଫ୍ ଇଣ୍ଡିଆର ହାଇଦରାବାଦ ରେସିଡେଣ୍ଟ୍ ଏଡିଟର୍ କେ ଆର୍ ଶ୍ରୀନିବାସ, ସେହି ସମ୍ବାଦପତ୍ରର ଜଣେ ପୂର୍ବତନ ସେଲିବ୍ରିଟି ସମ୍ପାଦକ ଗୌତମ ଅଧିକାରୀ, କଳା ସମୀକ୍ଷକ ସଦାନନ୍ଦ ମେନନ୍, ଲୋକପ୍ରିୟ କମେଡି ଗ୍ରୁପ୍ ‘ଏଆଇବି’ର ସଦସ୍ୟ ଉତ୍ସବ ଚକ୍ରବର୍ତ୍ତୀ ଏବଂ ସଂଗୀତ, ବିଜ୍ଞାପନ, ମଡେଲିଙ୍ଗ୍, ଗଣମାଧ୍ୟମ ଓ ସାହିତ୍ୟ ଆଦି ଦୁନିଆର ଆହୁରି ଅନେକ ଜଣାଶୁଣା ନାମ। ସାହିତ୍ୟ ଜଗତ୍‌ର ଯେଉଁ ଦୁଇଟି ନାମ ବୋଧହୁଏ ସର୍ବାଧିକ ଚାଞ୍ଚଲ୍ୟ ସୃଷ୍ଟି କରିଛି ତାହା ହେଲା- ଲୋକପ୍ରିୟ ଔପନ୍ୟାସିକ ଚେତନ ଭଗତ ଏବଂ ବିଚକ୍ଷଣ ଲେଖକ କିରଣ ନାଗରକର। ଏମାନଙ୍କ ବିରୋଧରେ ପ୍ରକାଶ ପାଇଥିବା ଅଭିଯୋଗମାନଙ୍କରେ ଅନୁମତିହୀନ ଶାରୀରିକ ଅନୁପ୍ରବେଶ ଠାରୁ ଆରମ୍ଭ କରି ଅଶ୍ଳୀଳ ଇଙ୍ଗିତ, ମେସେଜିଙ୍ଗ୍, ବ୍ଲାକ୍‌ମେଲିଂ ପର୍ଯ୍ୟନ୍ତ ଅନ୍ତର୍ଭୁକ୍ତ।

ଏଥି ପୂର୍ବରୁ ଯେ ଆମ ଏଠାରେ ‌ଏ ପରି ଅଭିଯୋଗ ବେଳେ ବେଳେ ଦେଖିବାକୁ ମିଳି ନଥିଲା, ଏପରି ନୁହେଁ। ସାମ୍ବାଦିକ ତରୁଣ ତେଜପାଲ୍, ବୈଜ୍ଞାନିକ ଆର୍ କେ ପଚୌରୀ, ନ୍ୟାୟମୂର୍ତ୍ତି ଅଶୋକ ଗାଙ୍ଗୁଲି ଆଦି ଭଳି ନାମ ଗୁଡ଼ିକ ଏଥିପାଇଁ କୁଖ୍ୟାତ। ଏଠି ଓଡ଼ିଶାରେ ମଧ୍ୟ ଅଳ୍ପଦିନ ତଳେ ଜଣେ ପ୍ରତିଷ୍ଠିତ ସାହିତ୍ୟିକଙ୍କ ବିରୋଧରେ ଜଣେ ଅଧ୍ୟାପିକା ଆଣିଥିବା ଅଭିଯୋଗ ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏ ସବୁ ଘଟଣାମାନ କିନ୍ତୁ କୌଣସି ‘# ମି ଟୁ’ ଭଳି ଅଭିଯାନର ଅଂଶ ନଥିଲା, ଯେପରି ବର୍ତ୍ତମାନ ଘଟିଛି। ଏବଂ ବର୍ତ୍ତମାନ ହିଁ ତନୁଶ୍ରୀ ଦତ୍ତ ପୁଣି ପଦାକୁ ଆସିବା ପଛରେ ଯେଉଁ ଘଟଣାର ପ୍ରଭାବ ସ୍ପଷ୍ଟ, ତାହା ହେଉଛି ଆମେରିକାରେ ନବନିଯୁକ୍ତ ସୁପ୍ରିମ୍ କୋର୍ଟ ବିଚାରପତି ବ୍ରେଟ୍ କାଭାନାଙ୍କ ନିଯୁକ୍ତି ପୂର୍ବରୁ ସେଠାରେ ତାଙ୍କ ବିରୋଧରେ ଜଣେ ମହିଳା ମନସ୍ତତ୍ତ୍ବ ପ୍ରଫେସର୍ ଆଣିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗ। ଅଭିଯୋଗ ଅନୁସାରେ କାଭାନା କୁଆଡ଼େ ୩୬ ବର୍ଷ ତଳେ ତାଙ୍କୁ ୧୭ ବର୍ଷ ବୟସ ହୋଇଥିବା ବେଳେ ସେତେବେଳେ ୧୫ ବର୍ଷୀୟା ବାଳିକା ଥିବା ଆଜିର ପ୍ରଫେସରଙ୍କ ସହିତ ଅସଦାଚରଣ କରିଥିଲେ (ଧର୍ଷଣ ନୁହେଁ)। ଉଲ୍ଲେଖଯୋଗ୍ୟ ଅଭିଯୋଗକାରିଣୀଙ୍କ ଉକ୍ତି ଅନୁସାରେ ଉଭୟ ସେ ସମୟରେ ଏକ ପାର୍ଟିରେ ନିଶାଗ୍ରସ୍ତ ଥିଲେ। ଏ ଅଭିଯୋଗର ଫଳସ୍ବରୂପ ଆମେରିକାରେ ଗତ ପ୍ରାୟ ଏକ ମାସ ଧରି ଯେଉଁ ରାଜନୈତିକ ଝଡ଼ର ସୂତ୍ରପାତ ହେଲା ମହିଳା ବିକ୍ଷୋଭକାରିଣୀମାନେ ତା’ର ନେତୃତ୍ବ ନେଇ ଏହାକୁ ‘# ମି ଟୁ’ ଅଭିଯାନର ଏକ ଅଂଶରେ ପରିଣତ କରିଦେଲେ। ପ୍ରଫେସର କ୍ରିଷ୍ଟିନ୍ ବ୍ଲାଜି ଫୋର୍ଡଙ୍କର ସିନେଟ୍‌ରେ ଆବେଗପୂର୍ଣ୍ଣ ସତ୍ୟପାଠ ପୃଥିବୀସାରା ଯୌନ ନିର୍ଯାତନା ବିରୋଧୀ ମହିଳାମାନଙ୍କୁ ଉଦ୍‌ବୁଦ୍ଧ କରିଥିଲା, ଯାହା ତନୁଶ୍ରୀ ଦତ୍ତଙ୍କୁ ସମ୍ଭବତଃ ପ୍ରଭାବିତ କରିଛି।

ତେବେ ଏଠାରେ ଏକ ସ୍ପଷ୍ଟୀକରଣ ଲୋଡ଼ା ଯେ କାଭାନାଙ୍କ ପ୍ରତି ମହିଳାମାନଙ୍କର ବିରୋଧ ‘# ମି ଟୁ’ ଦ୍ବାରା ପ୍ରଭାବିତ ହୋଇଥିଲେ ହେଁ, ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ପ୍ରକୃତରେ ‘# ମି ଟୁ’ ଆନ୍ଦୋଳନରେ ଅନ୍ତର୍ଭୁକ୍ତଯୋଗ୍ୟ ନୁହେଁ। ‘# ମି ଟୁ’ ବାସ୍ତବରେ ଯେ କୌଣସି ଯୌନ ନିର୍ଯାତନା ବିରୋଧରେ ଉଦ୍ଦିଷ୍ଟ ନୁହେଁ; ଏହା ହେଉଛି କ୍ଷମତାଶାଳୀ ପୁରୁଷଙ୍କ ଦ୍ବାରା ସେମାନଙ୍କ ପ୍ରଭାବ ବଳୟ ମଧ୍ୟରେ ଥିବା ନାରୀମାନଙ୍କର ଯୌନ ଶୋଷଣ ବିରୋଧରେ ଅଭିଯୋଗ। କିଶୋର ବୟସର କାଭାନାଙ୍କର ତଥାକଥିତ ଅପରାଧ ଏ ଶ୍ରେଣୀର ନଥିଲା। ତଥାପି ମଧ୍ୟ ‘# ମି ଟୁ’ର ତାତିରୁ ସେ ରକ୍ଷା ପାଇ ନାହାନ୍ତି। ‘# ମି ଟୁ’ର ଆବିର୍ଭାବ ପରେ ଆମେରିକାରେ ପୁରୁଷ ସେଲିବ୍ରିଟିମାନେ ବର୍ତ୍ତମାନ ଯେଉଁ ଭଳି କଠୋର ସଂଯମ ଆଚରଣ କରିବା ଆରମ୍ଭ କରିଛନ୍ତି, ଭାରତରେ ବର୍ତ୍ତମାନ ସେଲିବ୍ରିଟିମାନେ ତାହା କରିବାକୁ ବାଧ୍ୟ ହେବେ। ସେମାନଙ୍କର ଲୁକ୍କାୟିତ ଯୌନ ଶୋଷଣର ଅବସାନ ଆସନ୍ନ। ଏହା ସହଜ ନହୋଇ ପାରେ। ଆନ୍ନା ହଜାରେ ଥରେ କହିଥିବା ଭଳି: ‘‘ଏ ବ୍ରହ୍ମଚର୍ଯ୍ୟ ପାଳନ କେତେ କଠିନ କାର୍ଯ୍ୟ, ତାହା ନଅ ପିଲାଙ୍କ ବାପା ଲାଲୁ ଯାଦବ କ’ଣ ବୁଝିବେ?’’ କିନ୍ତୁ ‘# ମି ଟୁ’ର ନିଆଁରେ ପୋଡ଼ି ହେବାର କଷ୍ଟ ତୁଳନାରେ ସେ କଷ୍ଟ କିଛି ନୁହେଁ।

ସମ୍ବନ୍ଧିତ ଖବର