ନୋବେଲ୍ ଯୁଗଳବନ୍ଦୀ

ଏ ଭଳି ସଂଯୋଗ କ୍ବଚିତ୍ ଘଟିଥାଏ। ଯେଉଁ ଦିନ ସ୍ବିଡିସ୍ ଏକାଡେମି ଅଫ୍ ସାଇନ୍‌ସେସ୍ ଚଳିତ ବର୍ଷ ପାଇଁ ଅର୍ଥଶାସ୍ତ୍ରରେ ନୋବେଲ ପ୍ରାଇଜ୍ ବିଜୟୀମାନଙ୍କ ନାମ ଘୋଷଣା କଲା, ସେଇ ଦିନ ହିଁ ଜାତିସଂଘର ‘ଇଣ୍ଟର୍ ଗଭର୍ନମେଣ୍ଟାଲ୍ ପ୍ୟାନେଲ୍ ଅନ୍ କ୍ଲାଇମେଟ୍ ଚେଞ୍ଜ୍’ (‘ଆଇପିସିସି’) ଏକ ରିପୋର୍ଟ ପ୍ରକାଶ କରି ସତର୍କବାଣୀ ଶୁଣାଇଲା ଯେ ଯଦି ପ୍ୟାରିସ୍ ଜଳବାୟୁ ଚୁକ୍ତି ଅନୁସାରେ ପୃଥିବୀର ବାୟୁମଣ୍ଡଳର ଉତ୍ତାପ ବୃଦ୍ଧିକୁ ପ୍ରାକ୍-ଶିଳ୍ପ ବିପ୍ଳବ ସ୍ତର ଠାରୁ ୧.୫ ଡିଗ୍ରୀ ସେଲ୍‌ସିଅସ୍ ଅଧିକ ସୀମା ମଧ୍ୟରେ ରଖିବା ଲକ୍ଷ୍ୟ ପୂରଣ କରିବା କଥା, ତେବେ ଅଙ୍ଗାର ନିର୍ଗମନରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାକୁ ହେବ। ଠିକ୍ ଏହି କ୍ଷେତ୍ରରେ ତାଙ୍କର କାର୍ଯ୍ୟ ପାଇଁ ଆମେରିକାର ୟେଲ୍ ବିଶ୍ବବିଦ୍ୟାଳୟର ଅର୍ଥନୀତିଜ୍ଞ ୱିଲିଅମ୍ ନର୍ଡହାଉସ୍ ଏ ବର୍ଷର ଅର୍ଥନୀତି ନୋବେଲ ପ୍ରାଇଜ୍‌ର ଅନ୍ୟତମ ବିଜେତା ରୂପେ ଘୋଷିତ ହୋଇଛନ୍ତି। ପୁରସ୍କାର ଘୋଷଣା ପରେ ନିଜର ପ୍ରତିକ୍ରିୟା ପ୍ରକାଶ କରି ନର୍ଡହାଉସ୍ ‘ଆଇପିସିସି’ ସହିତ ସ୍ବର ମିଳାଇଲା ଭଳି କହିଛନ୍ତି, ‘‘ମୋର ସଦ୍ୟତମ ଗବେଷଣା ମତେ ଚିନ୍ତାରେ ପକାଇ ଦେଇଛି ଯେ ଆମେ (ଏ ବାବଦରେ) କେତେ କମ୍ ଉଦ୍ୟମ କରୁଛୁ।’’ ସେ ପୁଣି କହିଛନ୍ତି, ‘‘ବିଜ୍ଞାନ ଅନୁସାରେ ଆମକୁ ଯେତିକି ପଦକ୍ଷେପ ନେବା ଆବଶ୍ୟକ, ଆମେ ଅବଲମ୍ବନ କରିଥିବା ନୀତି ତା’ଠାରୁ ମାଇଲ୍ ମାଇଲ୍ ପଛରେ ପଡ଼ିଛି। (ଏ ଭଳି ପରିସ୍ଥିତିରେ) ଆଶାବାଦୀ ହେବା ଅତ୍ୟନ୍ତ କଠିନ।’’

୧୯୭୦ ଦଶକରୁ ନର୍ଡହାଉସ୍ ପରିବେଶ ଅନୁକୂଳ ଅର୍ଥନୈତିକ କାର୍ଯ୍ୟକଳାପ କ୍ଷେତ୍ରରେ ଗବେଷଣା କରି ଆସୁଛନ୍ତି। ଦୀର୍ଘକାଳୀନ ଅର୍ଥନୈତିକ ଅନୁଶୀଳନରେ ଜଳବାୟୁ ପରିବର୍ତ୍ତନକୁ ଏକ ନିର୍ଣ୍ଣାୟକ ଉପାଦାନ ରୂପେ ଅନ୍ତର୍ଭୁକ୍ତ କରିବା ପାଇଁ ସେ ଚଳାଇ ଆସିଥିବା ଉଦ୍ୟମକୁ ସ୍ବୀକୃତି ପ୍ରଦାନ ସ୍ବରୂପ ତାଙ୍କୁ ଏ ବର୍ଷର ନୋବେଲ ପ୍ରାଇଜ୍ ଦ୍ବାରା ସମ୍ମାନିତ କରାଯାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ‘ଆଇପିସିସି’ ଜଳବାୟୁ ପରିବର୍ତ୍ତନ ଅନୁଶୀଳନ ଓ ନୀତିନିର୍ଦ୍ଧାରଣ କରିବାରେ ନର୍ଡହାଉସ୍‌ଙ୍କ ମଡେଲ୍‌କୁ ବ୍ୟବହାର କରିଥାଏ। ନର୍ଡହାଉସ୍ ହେଉଛନ୍ତି ‘ଅଙ୍ଗାର କର’ (କାର୍ବନ ଟ୍ୟାକ୍‌ସ) ବ୍ୟବହାର ଦ୍ବାରା ଅଙ୍ଗାର ନିର୍ଗମନକୁ ନିୟନ୍ତ୍ରଣ କରିବା କୌଶଳକୁ ସୁପାରିସ କରୁଥିବା ଅର୍ଥନୀତିଜ୍ଞମାନଙ୍କ ମଧ୍ୟରେ ସର୍ବପ୍ରଥମ ଶ୍ରେଣୀର। ନର୍ଡହାଉସ୍‌ଙ୍କ ବିଶେଷତ୍ବ ହେଲା, ଯେଉଁ ସମୟରେ ଜଳବାୟୁ ପରିବର୍ତ୍ତନ ଆଜି ଭଳି ଏକ ଛାମୁହାଁ ଅର୍ଥନୈତିକ -ପରିବେଶ ପ୍ରସଙ୍ଗରେ ପରିଣତ ହୋଇ ନଥିଲା, ସେଇ ସମୟରୁ ସେ ଆବିଷ୍କାର କରିଥିଲେ ଯେ ଅର୍ଥନୈତିକ କାର୍ଯ୍ୟକଳାପ ଜଳବାୟୁ ଦ୍ବାରା ପ୍ରଭାବିତ ହୁଏ ଏବଂ ଅନ୍ୟ ପକ୍ଷରେ ଅର୍ଥନୈତିକ କାର୍ଯ୍ୟକଳାପ ଦ୍ବାରା ମଧ୍ୟ ଜଳବାୟୁ ପ୍ରଭାବିତ ହୋଇଥାଏ। ଯଦି ଅର୍ଥନୈତିକ କାର୍ଯ୍ୟକଳାପ ଜନିତ ପାର୍ଶ୍ବପ୍ରଭାବମାନଙ୍କୁ ନିୟନ୍ତ୍ରଣ କରା ନଯିବ, ତେବେ ସେ ଭଳି କାର୍ଯ୍ୟକଳାପର ସାମଗ୍ରିକ ପରିଣାମ ସର୍ବୋତ୍କୃଷ୍ଟ ହେବ ନାହିଁ। ଆଜିକାଲି ଏହା ସାଧାରଣ ଜ୍ଞାନରେ ପରିଣତ ହୋଇସାରିଛି ଯେ ଯଦି ବେଲଗାମ ଭାବରେ କୋଇଲା, ପେଟ୍ରୋଲିୟମ୍ ପଦାର୍ଥ ଆଦି ଇନ୍ଧନ ରୂପେ ବ୍ୟବହୃତ ହୁଏ, ସେଥିରୁ ନିର୍ଗତ ଅଙ୍ଗାରକାମ୍ଳ ବାଷ୍ପ ଇତ୍ୟାଦି ଜଳବାୟୁର ତାତିକୁ ଅସମ୍ଭାଳ ସ୍ତରକୁ ଉଠାଇ ଦିଅନ୍ତି। ଆଉ ସମସ୍ୟା ହେଲା ଏହି ତତଲା ପ୍ରଭାବ ସମ୍ପୃକ୍ତ ଅର୍ଥନୈତିକ କାର୍ଯ୍ୟକ୍ଷେତ୍ର ମଧ୍ୟରେ ସୀମିତ ହୋଇ ରହି ନଥାଏ। ଅର୍ଥାତ୍, ଚୀନ୍‌ରେ କୌଣସି କାରଖାନାରୁ ନିର୍ଗତ ଧୂଆଁ, କିମ୍ବା ଆମେରିକା ରାସ୍ତାରେ ଚାଲୁଥିବା ଗାଡ଼ିମଟର ଛାଡୁଥିବା ଧୂଆଁ, କିମ୍ବା ଭାରତରେ ଜଳୁଥିବା ଚୁଲି ଧୂଆଁ- ଏ ସମସ୍ତ ମିଶି ସମଗ୍ର ପୃଥିବୀର ବାୟୁମଣ୍ଡଳକୁ ଅଧିକ ଉତ୍ତପ୍ତ କରିବାରେ ସାହାଯ୍ୟ କରିଥାନ୍ତି। ଜଣକର ଅଙ୍ଗାର-ପାପର ଫଳ ସମସ୍ତଙ୍କୁ ଭୋଗ କରିବାକୁ ପଡ଼ିଥାଏ। ଏ ଭଳି ପ୍ରଭାବ ପୁଣି ଯେପରି ସ୍ଥାନ-ସୀମିତ ନୁହେଁ, ସେହିପରି କାଳ-ସୀମିତ ନୁହେଁ। ବର୍ତ୍ତମାନ ପିଢ଼ି ପରିବେଶକୁ ଉତ୍ତପ୍ତ କରିଦେଲେ, ଭବିଷ୍ୟତ ପିଢ଼ିମାନଙ୍କୁ ମଧ୍ୟ ସେଇ ଉତ୍ତପ୍ତ ପରିବେଶରେ ଜୀବନ ବିତାଇବାକୁ ପଡ଼ିବ। ନିଜ ପାପର ଫଳ ନିଜର ଆଗାମୀ ବଂଶଧରମାନଙ୍କୁ ଭୋଗ କରିବାକୁ ପଡ଼ିବ। ଉପଯୁକ୍ତ ନୀତି ପ୍ରଣୟନ ଦ୍ବାରା ବର୍ତ୍ତମାନର ଅର୍ଥନୈତିକ ଆଚରଣର ନିୟନ୍ତ୍ରଣ ହେଉଛି ନର୍ଡହାଉସ୍‌ଙ୍କ ଗବେଷଣାର ମୁଖ୍ୟ ଉଦ୍ଦେଶ୍ୟ।

ଏ ବର୍ଷର ନୋବେଲ ପ୍ରାଇଜ୍‌ର ଅନ୍ୟ ଯୁଗ୍ମ ବିଜେତା ନ୍ୟୁୟର୍କ ବିଶ୍ବବିଦ୍ୟାଳୟର ପଲ୍ ରୋମର୍ ଅ‌ର୍ଥନୈତିକ ଅଭିବୃଦ୍ଧିରେ ଆଭ୍ୟନ୍ତରୀଣ ପ୍ରବିଧିର ମୌଳିକ ଗୁରୁତ୍ବ ପ୍ରତି ୧୯୮୦ ଦଶକରୁ ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି ଯେତେବେଳେ ବିଶ୍ବାସ କରାଯାଉଥିଲା ଯେ ପ୍ରବିଧି ହେଉଛି ଏକ ବାହ୍ୟ ଉପାଦାନ ଯାହାକୁ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟବହାର କରାଯାଇଥାଏ। ଏହାର ଅର୍ଥ ଏକ ଅର୍ଥନୀତି ଭିତରେ ହିଁ ନୂତନ ଜ୍ଞାନକୌଶଳର ଅଙ୍କୁରୋଦ୍‌ଗମ ଘଟିଥାଏ। ଯଦି ଏହି ନୂତନ ଜ୍ଞାନକୌଶଳର ଉପଯୁକ୍ତ ବିକାଶ ଘଟେ ତେବେ ତାହା ଅର୍ଥନୈତିକ ଅଭିବୃଦ୍ଧିକୁ କେବେ ଧିମା ହେବାକୁ ଦେବ ନାହିଁ। କିନ୍ତୁ ସମସ୍ୟା ହେଲା ଉପଯୁକ୍ତ ପରିବେଶ ଅଭାବରେ ଏହି ଅଙ୍କୁରୋଦ୍‌ଗମ ଘଟି ନପାରେ। ଏଣୁ ଏହାକୁ କେବଳ ବଜାରର ଦୟା ଉପରେ ଛାଡ଼ି ନ ଦେଇ ସରକାର ଏଥିପାଇଁ ଏକ ସହାୟକ ଭୂମିକା ନିର୍ବାହ କରିବା ଆବଶ୍ୟକ।

ଭାରତ ପରିପ୍ରେକ୍ଷୀରେ ଏ ଉଭୟ ନୋବେଲ ବିଜେତାଙ୍କ ଅବଦାନ ବେଶ୍ ଗୁରୁତ୍ବ ବହନ କରିଥାଏ। ଦ୍ରୁତ ଅଭିବୃଦ୍ଧି ହାସଲ କରିବାକୁ ଚାହୁଁଥିବା ଭାରତ ପାଇଁ ଅଧିକରୁ ଅଧିକ ପୁଞ୍ଜିନିବେଶର ଯେଉଁ ଭଳି ଆବଶ୍ୟକତା ରହିଛି, ଉତ୍ପାଦନ ଦକ୍ଷତାରେ ଉଲ୍ଲେଖନୀୟ ଉନ୍ନତିର ମଧ୍ୟ ସେଇଭଳି ଆବଶ୍ୟକତା ରହିଛି। ରୋମର୍‌ଙ୍କ ଉପଦେଶ ଅନୁସାରେ ଏହା ସମ୍ଭବ ହେବା ପାଇଁ ସରକାର ଗବେଷଣା ଆଦିକୁ ସହାୟତା ଯୋଗାଇବା ଯେଉଁଭଳି ଆବଶ୍ୟକ, ବିତ୍ତୀୟ ବଜାରକୁ ମଧ୍ୟ ସେତିକି ସୁଦକ୍ଷ କରାଯିବା ଆବଶ୍ୟକ ଯେମିତି ତାହା ନୂତନ ଜ୍ଞାନକୌଶଳ ଭିତ୍ତିକ ନିବେଶ ପାଇଁ ଅନୁକୂଳ ହେବ, କିମ୍ବା ବୌଦ୍ଧିକ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପମାନ ନିଆଯିବା ସେତିକି ଆବଶ୍ୟକ। ଏହାର ଏକ ପାର୍ଶ୍ବ ସୁଫଳ ନର୍ଡହାଉସ୍‌ଙ୍କୁ ମଧ୍ୟ ଆନନ୍ଦିତ କରିପାରେ। ନୂତନ ଜ୍ଞାନକୌଶଳର ପ୍ରୟୋଗ ଦ୍ବାରା ଦେଶରେ ସ୍ବଚ୍ଛ ଶକ୍ତି ବ୍ୟବହାର ପ୍ରସାର ଲାଭ କରିପାରେ, ଯାହା ପ୍ରଦୂଷଣରେ ବିଶେଷ ହ୍ରାସ ଘଟାଇବ। ଏହା ସମୟକ୍ରମେ ଭାରତୀୟ ଅର୍ଥନୀତିକୁ ଏକ ପରିବେଶ-ଅନୁକୂଳ ଅର୍ଥନୀତିରେ ପରିଣତ କରିବା ସହିତ ଏକ ଦ୍ରୁତ ବର୍ଦ୍ଧିଷ୍ଣୁ ଅର୍ଥନୀତି ରୂପେ ମଜଭୁତ କରିବ। ଏହା ହିଁ ହେଉଛି ଧାରଣକ୍ଷମ ଅଭିବୃଦ୍ଧିର ମୂଳ ଭିତ୍ତି। ନିଃସନ୍ଦେହରେ ଏ ବର୍ଷର ଅର୍ଥନୀତି ନୋବେଲ୍ ପ୍ରାଇଜ୍ ଏଥିପାଇଁ ସମ୍ପୂର୍ଣ୍ଣ ହକ୍‌ଦାର ଦୁଇଜଣ ଅର୍ଥନୀତିଜ୍ଞଙ୍କ ପାଖକୁ ଯାଇଛି, ଯେଉଁମାନଙ୍କର କାର୍ଯ୍ୟ ସାରା ବିଶ୍ବର ମଙ୍ଗଳ ପାଇଁ ଉଦ୍ଦିଷ୍ଟ ଏକ ଯୁଗଳବନ୍ଦୀ ଭଳି।

ସମ୍ବନ୍ଧିତ ଖବର