ଅମ୍ବାନୀ-ମୋଦୀ ରା‌ଫେଲ ସଂପର୍କ!

ଭାରତର ପ୍ରତିରକ୍ଷା କାରବାରରେ ଦୁର୍ନୀତି ପ୍ରସଙ୍ଗରେ ଗୋଟିଏ ବିଶେଷ ଲକ୍ଷଣୀୟ ବିଷୟ ହେଲା, ବିଦେଶୀ ଗଣମାଧ୍ୟମ ପ୍ରଥ‌ମେ ଅନିୟମିତତା ଓ ଭ୍ରଷ୍ଟାଚାରର ସୁରାକ୍‌ ପାଇଥାନ୍ତି। ବିଶେଷକରି, ପ୍ରତିରକ୍ଷା‌ ସାମଗ୍ରୀ ଯୋଗାଣକାରୀ କମ୍ପାନିଙ୍କ ଦେଶର ଗଣମାଧ୍ୟମ ଭ୍ରଷ୍ଟାଚାର ପ୍ରସଙ୍ଗରେ ବେଶ୍‌ ସତର୍କ ଓ ସଜାଗ। ବୋଫର୍ସ କାରବାରରେ ଦୁର୍ନୀତିର ଗନ୍ଧ ପ୍ରଥମେ ସ୍ବିଡେନ୍‌ର ଗଣମାଧ୍ୟମ ବାରି ପାରିଥିଲେ। ବୋଫର୍ସ କମା‌ଣ ଖର୍ଦ୍ଦି କାରବାରରେ ଦୁର୍ନୀତି ସଂକ୍ରାନ୍ତ ଖବର ପ୍ରଥମେ ସ୍ବିଡିସ୍‌ ରେଡିଓରେ ପ୍ରସାରିତ ହୋଇଥିଲା। ଅଗଷ୍ଟା ହେଲିକେପ୍ଟର କିଣାରେ ଅନିୟମିତତା ବିଷୟରେ ମଧ୍ୟ ଇଟାଲି ଗଣମାଧ୍ୟମରେ ଅନେକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇଥିଲା; ଯାହା ଅଭିଯୋଗକୁ ଯଥେଷ୍ଟ ବିଶ୍ବସନୀୟତା ପ୍ରଦାନ କରିବା ସହ ଅନୁସନ୍ଧାନରେ ସହାୟକ ହୋଇଥିଲା। ସଂପ୍ରତି ଫରାସୀ ଯୁଦ୍ଧ ବିମାନ ରାଫେଲ କାରବାରରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗରେ ମଧ୍ୟ ସେହି ସମାନ ଧାରା ପରିଲକ୍ଷିତ ହେଉଛି। ଫ୍ରାନ୍ସର ଏକ ଗଣମାଧ୍ୟମ ସଂସ୍ଥା ‘ମେଡିଆପାର୍ଟ’ ଦ୍ବାରା ଧାରାବାହିକ ଭାବେ ପ୍ରସାରିତ ଅନୁସନ୍ଧାନମୂଳକ ରିପୋର୍ଟ କେବଳ କାରବାରରେ ଦୁର୍ନୀତି ଓ ପ୍ରିୟାପ୍ରୀତି କୋଷଣର ଅଭିଯୋଗକୁ ଯଥେଷ୍ଟ ବିଶ୍ବସନୀୟ ପ୍ରାମାଣିକତା ପ୍ରଦାନ କରୁନାହିଁ, ଶାସନର ସର୍ବୋଚ୍ଚ ସ୍ତରରେ ରାଜନୈତିକ କାର୍ଯ୍ୟନିର୍ବାହୀଙ୍କ ଭୂମିକାକୁ ସନ୍ଦେହ ଘେରକୁ ଟାଣି ଆଣିଛି। ଦୁଇଦିନ ତଳେ ସରକାରଙ୍କ ବିରୋଧକୁ ଅଣଦେଖା କରି ମାନ୍ୟବର ସୁପ୍ରିମ୍‌ କୋର୍ଟ ରାଫେଲ୍‌ କାରବାର ନେଇ ଆଗତ ଏକ ଜନସ୍ବାର୍ଥ ମାମଲାକୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଯୁଦ୍ଧ ବିମାନ ଖର୍ଦ୍ଦି ସଂକ୍ରାନ୍ତ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟା ସମ୍ପର୍କରେ ପୂରା ବିବରଣୀ ଅଦାଲତରେ ଦାଖଲ ସକାଶେ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ରାଫେଲ ପ୍ରସଙ୍ଗ ଅଦାଲତକୁ ଯିବା ସରକାରଙ୍କ ପାଇଁ ଯେତିକି ଅଡୁଆ ସୃଷ୍ଟି କରିଛି, ‘ଅଫସେଟ୍‌ ସହଯୋଗୀ’ ଚୟନ ପ୍ରସଙ୍ଗରେ ‘ମେଡିଆ ପାର୍ଟ’ ଦ୍ବାରା ପ୍ରସାରିତ ତାଜା ରିପୋର୍ଟ ସରକାର, ବିଶେଷ କରି, କ୍ଷମତାସୀନ ରାଜନୈତିକ ନେତୃତ୍ବକୁ ତା’ଠାରୁ ଅଧିକ ଅଡୁ୍ଆରେ ଛନ୍ଦି ଦେଇଛି। ସଦ୍ୟତମ ରିପୋର୍ଟ ପରିପ୍ରେକ୍ଷୀରେ ରାଫେଲ ବିବାଦର ମୂଳରେ ଥିବା ପ୍ରଧାନ ପ୍ରସଙ୍ଗ ବଦଳି ଯାଇଛି।

ବିବାଦର ମଞ୍ଜି ଭାବେ ଚର୍ଚ୍ଚାରେ ଥିବା ପ୍ରଧାନ ପ୍ରସଙ୍ଗ ଥିଲା ରାଫେଲ ଯୁଦ୍ଧ ବିମାନର ମୂଲ୍ୟ। ପୂର୍ବବର୍ତ୍ତୀ ୟୁପିଏ ସରକାର ଅମଳରେ ପ୍ରତି ରାଫେଲ ପାଇଁ ୫୨୬ କୋଟି ଟଙ୍କା ମୂଲ୍ୟ ଧାର୍ଯ୍ୟ ହୋଇଥିବା ବେଳେ ବର୍ତ୍ତମାନର ଏନ୍‌ଡିଏ ସରକାର ତିନି ଗୁଣ ଅଧିକ ମୂଲ୍ୟ ଦେଉଛନ୍ତି କାହିଁକି? ବିରୋଧୀଙ୍କ ଅଭିଯୋଗ ହେଲା, ମୋଦୀ ସରକାର ଯୁଦ୍ଧ ବିମାନ ପିଛା ୧୬୭୧ କୋଟି ଟଙ୍କା ମୂଲ୍ୟରେ କିଣୁଛନ୍ତି। ଏ ପ୍ରସଙ୍ଗରେ ସରକାର ନିର୍ଦ୍ଦିଷ୍ଟ ଭାବେ କେତେ ମୂଲ୍ୟରେ ରାଫେଲ କିଣାଯାଉଛି, ‘ଗୋପନୀୟତାର ସର୍ତ୍ତ’କୁ ଆଳ କରି ସେ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା‌ ଦେଉନାହାନ୍ତି। କିନ୍ତୁ ଯଥେଷ୍ଟ ସଂକେତ ଦେଇଛନ୍ତି ଯେ, ଯୁଦ୍ଧ ବିମାନରେ ଭାରତର ଚାହିଦା ମୁତାବକ କେତେକ ଅତିରିକ୍ତ ସରଞ୍ଜାମ ଓ ବୈଷୟିକ ଉପକରଣ ଖଞ୍ଜା ଯାଇଥିବାରୁ ଯୁଦ୍ଧ ବିମାନ ପୂର୍ବାପେକ୍ଷା ଅଧିକ ମୂଲ୍ୟରେ କିଣାଯାଉଛି। ସେ ‘ଅଧିକ ମୂଲ୍ୟ’ଟି କେତେ? ତାହା କେତେ ଯଥାର୍ଥ?

ରାଫେଲ କାରବାର ନେଇ ରହସ୍ୟର ‌କେନ୍ଦ୍ରରେ ରହି ଆସିଥିବା ଏହି ମୂଲ୍ୟ ପ୍ରସଙ୍ଗ ବଦଳରେ ଏବେ ଅନ୍ୟଥା ପାର୍ଶ୍ବରେ ଥିବା ଆଉ ଏକ ପ୍ରସଙ୍ଗ ହଠାତ୍‌ ମଞ୍ଚର ‌କେନ୍ଦ୍ରକୁ ଚାଲି ଆସିଛି। ଫଳରେ ଏହି ୫୯ ହଜାର କୋଟି ଟଙ୍କାର ବୃହତ୍‌ ପ୍ରତିରକ୍ଷା କାରବାରକୁ ନୂଆ ଆଲୋକରେ ଦେଖିବାର ଆବଶ୍ୟକତା ପଡୁଛି। ରାଫେଲ୍‌ ନିର୍ମାତା ଡାସଲଟ କମ୍ପାନି ଦ୍ବାର‌ା ଏହି କାରବାରରେ ଶିଳ୍ପପତି ଅନୀଲ ଅମ୍ପାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ‘ଅଫସେଟ ସହଯୋଗୀ’ ଭାବେ ମ‌େନାନୟନର ରହସ୍ୟ କଣ? ଏଥି‌େର ପ୍ରଧାନମନ୍ତ୍ରୀଙ୍କ ଭୂମିକା କ’ଣ? ରାଫେଲ ରହସ୍ୟ ଭେଦ ପାଇଁ ଉପରୋକ୍ତ ଦୁଇଟି ପ୍ରଶ୍ନର ଉତ୍ତର ଖୋ‌ଜିବା ଗୁରୁତ୍ବପୂର୍ଣ୍ଣ ‌ହୋଇପଡ଼ିଛି। ଅମ୍ପାନୀଙ୍କ କମ୍ପାନି ସମେତ ଉଭୟ ଫ୍ରାନ୍ସ ଓ ଭାରତର ୭୨ଟି କମ୍ପାନି ରାଫେଲ କାରବାରରେ ଡାସଲଟର ‘ଅଫସେଟ ସହଯୋଗୀ’ ହେବା ଲାଗି ଆବେଦନ କରିଥିଲେ। କିନ୍ତୁ ୭୧ଟି ସଂସ୍ଥାକୁ ବାଦ୍‌ ଦେଇ ରାଫେଲ୍‌ ନିର୍ମାତା କାହିଁକି ଗୋଟିଏ ଅନଭିଜ୍ଞ, ଅପେକ୍ଷାକୃତ କମ୍‌ ସ୍ବଚ୍ଛଳ ଓ ସଦ୍ୟ ପଞ୍ଜିକୃତ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ମନୋନୀତ କଲେ? ପ୍ରଥମରୁ ଏହି ପ୍ରଶ୍ନ ଉଠି ଆସୁଛି। କିନ୍ତୁ ‘ମିଡିଆ ପାର୍ଟ’ ଦ୍ବାରା ପ୍ରକା‌ଶିତ ତାଜା ରିପୋର୍ଟର ତଥ୍ୟ ମନୋନୟନ ପଛରେ କ୍ଷମତାଧାରୀଙ୍କ ନ୍ୟସ୍ତ ସ୍ବାର୍ଥ ଆଡ଼କୁ ଇଙ୍ଗିତ କରୁଛି।

ଅଫସେଟ ସହଯୋଗୀ ଚୟନ ପ୍ରସଙ୍ଗରେ ଉପରୋକ୍ତ ପ୍ରଶ୍ନ ଉପରେ ଉଭୟ ଫ୍ରାନ୍ସ ଓ ଭାରତ ସରକାରଙ୍କ ପକ୍ଷରୁ ସେହି ଗୋଟିଏ ସମାନ ଉତ୍ତର ଦିଆଯାଉଛି। ସହଯୋଗୀ ଚୟନ ସମ୍ପୂର୍ଣ୍ଣ ଭାବେ ଡାସଲଟ କମ୍ପାନିର ନିଜସ୍ବ ନିଷ୍ପତ୍ତି। ଏହା ପଛରେ କୌଣସି ବାହ୍ୟ ପ୍ରଭାବ ନାହିଁ। ରାଫେଲ ନିର୍ମାତାଙ୍କ ପକ୍ଷରୁ ମଧ୍ୟ ଏହି ସ୍ପଷ୍ଟୀକରଣ ଦିଆଯାଇଛି। ଅମ୍ବାନୀଙ୍କ କମ୍ପାନିକୁ ଅଫ୍‌ସେଟ୍‌ ସହଯୋଗୀ ଭାବେ ବାଛିବା ନିଷ୍ପତ୍ତି ସମ୍ପୂର୍ଣ୍ଣଭାବେ ‘ଡାସଲଟ୍‌’ର ଆଭ୍ୟନ୍ତରୀଣ ବ୍ୟାପାର। ଅନ୍ୟ କାହା ପ୍ରରୋଚନାରେ ସହଯୋଗୀ ଚୟନ ହୋଇଥିବା ଅଭିଯୋଗ ଅହେତୁକ।

ତେବେ ‘ଅଫ୍‌ସେଟ୍‌ ସହଯୋଗୀ’ ଚୟନ‌ ନେଇ ଉଠୁଥିବା ପ୍ରଶ୍ନର ଉତ୍ତରରେ ଭାରତ, ଫ୍ରାନ୍ସ ସରକାର ଓ ଡାସଲଟ କମ୍ପାନିଙ୍କ ବକ୍ତବ୍ୟର ବିଶ୍ବସନୀୟତା ଉପରେ ବିଶାଳ ପ୍ରଶ୍ନବାଚୀ ସୃଷ୍ଟି କରିଛି ‘ମିଡିଆପାର୍ଟ’ର ତାଜା ରିପୋର୍ଟ। ଭାରତ ସରକାରଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଅମ୍ବାନୀଙ୍କ ରିଲାଏନ୍ସ ଡିଫେନ୍ସକୁ ‘ଅଫ୍‌ସେଟ୍‌ ସହଯୋଗୀ’ ମନୋନୀତ କରିବା ଲାଗି ଡାସଲଟ କମ୍ପାନି ବାଧ୍ୟ ହୋଇଛି। ଯୁଦ୍ଧ ବିମାନ ଖର୍ଦ୍ଦି ଠିକା ଯେମିତି ହାତଛଡ଼ା ନ ହୁଏ, ସେଥିପାଇଁ ରାଫେଲ୍‌ ନିର୍ମାତାଙ୍କ ପାଖରେ ଏହା ଛଡ଼ା ଅନ୍ୟ ବିକଳ୍ପ ନଥିଲା। ପ୍ରଥମେ ଗତ ମାସ ୨୧ ତାରିଖ ଦିନ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇ ଓଲାନ୍ଦେ ‘ମିଡିଆପାର୍ଟ’ ସହ ସାକ୍ଷାରକାର ବେଳେ ଏହି ସୂଚନା ଦେଇଥିଲେ। ଉଲ୍ଲେଖନୀୟ ଯେ, ଏପିଲ ୨୦୧୫ରେ ରାଫେଲ ଖର୍ଦ୍ଦି ନେଇ ବୁଝାମଣା ପତ୍ରରେ ସ୍ବାକ୍ଷର ବେଳେ ଓଲାନ୍ଦେ ଫ୍ରାନ୍ସର ରାଷ୍ଟ୍ରପତି ଥିଲେ। ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଲାନ୍ଦେ ବୁଝାମଣା ପତ୍ରରେ ସ୍ବାକ୍ଷର କରିଥିଲେ। ଓଲାନ୍ଦେଙ୍କ ବୟାନର ତିନି ସପ୍ତାହ ପରେ ‘ମିଡିଆପାର୍ଟ’ର ଦ୍ବିତୀୟ ରିପୋର୍ଟ ଅଫସେଟ୍‌ ସହଯୋଗୀ ଚୟନରେ ଭାରତ ସରକାରଙ୍କ ନିର୍ଣ୍ଣାୟକ ଭୂମିକା ଥିବା ବିଷୟକୁ ଅଧିକ ସ୍ପଷ୍ଟ କରି ଦେଉଛି। ଡାସଲଟ କମ୍ପାନିର ଏକ ଆଭ୍ୟନ୍ତରୀଣ ଯୋ‌ଗାଯୋଗ ପତ୍ର ଏବଂ କମ୍ପାନିର ଜଣେ ପଦସ୍ଥ ଅଧିକାରୀଙ୍କ ସୂଚନାକୁ ଉଦ୍ଧାର କରି ‘ମେଡିଆପାର୍ଟ’ ପ୍ରକାଶ କରିଛି ଯେ, ୫୯ ହଜାର କୋଟି ଟଙ୍କାର ଠିକା ପାଇବା ‘ପ୍ରତିବଦଳ’ରେ ଅମ୍ବାନୀଙ୍କ କମ୍ପାନିକୁ ଅଫ୍‌ସେଟ୍‌ ସହଯୋଗୀ ଭାବେ ବଛା ଯାଇଥିଲା। ରାଫେଲ୍‌ ଅଧିକାରୀ ଏହାକୁ ଠିକା ହାସଲ ପାଇଁ ‘ଟ୍ରେଡ୍‌ ଅଫ୍‌’ ବୋଲି କହିଛନ୍ତିି। ଏ ବୟାନ ଏହାର ଯଥେଷ୍ଟ ସଂକେତ ଯେ ଭାରତ ସରକାରଙ୍କ ଇଙ୍ଗିତରେ ଅମ୍ବାନୀଙ୍କ କମ୍ପାନିକୁ ରାଫେଲ୍ କାରବାରରେ ସମ୍ପୃକ୍ତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ୫୯ ହଜାର କୋଟି ଟଙ୍କାର ରାଫେଲ କାରବାରରେ ୫୦ ପ୍ରତିଶତ ‘ଅଫସେଟ୍‌’ ମୂଲ୍ୟ, ଯାହାର ପ୍ରଧାନ ହିତାଧିକାରୀ ରିଲାଏନ୍‌ସ ଡିଫେନ୍ସ। ଏହା ଅଛପା ରହୁନାହିଁ ‌େଯ, ଭାରତ ସରକାରଙ୍କ ବିନା ଆଗ୍ରହ କିମ୍ବା ଚାପରେ ‘ଡାସଲଟ’ କଦାପି ଏକ ଅନଭିଜ୍ଞ, ନୂଆ କମ୍ପାନିକୁ ଅଫସେଟ ସହ‌େଯାଗୀ ଭାବେ ଚୟନ କରି ନ ଥାନ୍ତା। ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି ଅମ୍ବାନୀଙ୍କ କମ୍ପାନିକୁ ସରକାରଙ୍କ ଏ ଅନୁଗ୍ରହ ପ୍ରଦର୍ଶନ କାହିଁକି? ଏହା ପଛରେ କାହାର ହାତ? ସରକାରର କେଉଁ ସ୍ତରରେ ନିଷ୍ପତ୍ତି ନିଆଗଲା ଯେ, ବୁଝାମଣାର ମାତ୍ର ପନ୍ଦର ଦିନ ପୂର୍ବରୁ ପଞ୍ଜିକୃତ ଗୋଟିଏ କମ୍ପାନିକୁ ଏତେ ବଡ଼ ପ୍ରତିରକ୍ଷା ବାରବାରରେ ସାମିଲ କରିବା ଲାଗି ସୁପାରିସ କରାଯିବ? ଏହି ସବୁ ପ୍ରଶ୍ନ ସହ ଦେଶର ସର୍ବୋଚ୍ଚ ସରକାରୀ ପଦର ବିଶ୍ବସନୀୟତା ଯୋଡ଼ି ହୋଇଛି, ଯାହା ଉଚ୍ଚତର ତଦନ୍ତର ଅପେକ୍ଷା ରଖୁଛି। ତେଣୁ ମୋଦୀ ସରକାର ରାଫେଲ ପ୍ରସଙ୍ଗରେ ଆଉ ଅଧିକ ଟାଳଟୁଳ ନ କରି ନିଜ ସ୍ବାର୍ଥରେ ହିଁ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ତଦନ୍ତର ପ୍ରସ୍ତାବକୁ ଗ୍ରହଣ କରନ୍ତୁ କିମ୍ବା ଏସ୍‌ଆଇଟି ଦ୍ବାରା ତଦନ୍ତ ପାଇଁ ସୁପ୍ରିମ କୋର୍ଟ ଆଗରେ ପ୍ରସ୍ତାବ ରଖନ୍ତୁ।

ସମ୍ବନ୍ଧିତ ଖବର