ଭାରତର ଉଭୟ କେନ୍ଦ୍ର ଓ ରାଜ୍ୟ ମାନଙ୍କରେ ସରକାର ପରେ ସରକାର ବଦଳି ଆସୁଛି। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ବଦଳୁଛନ୍ତି। ଯଦି କିଛି ବଦଳୁ ନାହିଁ, ତେବେ ତା’ ହେଲା ଶାସନର ଦୁର୍ନୀତି ପ୍ରବଣ ଚରିତ୍ର। ଅବଶ୍ୟ, ଏହା ଭିନ୍ନ କଥା ଯେ, ପ୍ରତ୍ୟେକଟି ରାଜନୈତିକ ଦଳ ଓ ରାଜନେତା- କ୍ଷମତାରେ ଥାଆନ୍ତୁ ଅବା ବିରୋଧୀ ପକ୍ଷରେ, ଦୁର୍ନୀତିର ମୂଳୋତ୍ପାଟନ ପାଇଁ ରାଣ ଖାଇ ଥାଆନ୍ତି। ସେହି ଧାରାରେ ଭ୍ରଷ୍ଟାଚାର ବିରୋଧରେ କଡ଼ା ଲଢ଼େଇର ପ୍ରତିଶ୍ରୁତି ଦେଇ ଚଉଦେର ଦିଲ୍ଲୀରେ ଏକ ନୂଆ ସରକାର ଆସିଥିଲା। କିନ୍ତୁ ଦୁର୍ନୀତି ଦୃଶ୍ୟପଟରେ ଲେଶମାତ୍ର ପରିବର୍ତ୍ତନ ଆସିନାହିଁ। ବରଂ ସାଧାରଣ ଦେଶବାସୀଙ୍କ ଦୁର୍ଦଶାକୁ ବଢ଼ାଇ ଭ୍ରଷ୍ଟାଚାରର ସଂକ୍ରମଣ ବୃଦ୍ଧି ପାଇଛି।
‘ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ, ଇଣ୍ଡିଆ’ ପକ୍ଷରୁ ସଦ୍ୟ କରାଯାଇଥିବା ଏକ ସର୍ଭେରୁ ଏହି ଦୁଃଖଦ ସଂକେତ ମିଳିଛି। ଟ୍ରାନ୍ସପରେନ୍ସିର ସର୍ଭେ ଅନୁଯାୟୀ େଦୖନନ୍ଦିନ ଜୀବନରେ ବିଭିନ୍ନ ସରକାରୀ ସେବା ପାଇବା ଲାଗି ଦେଶର ୫୬ ପ୍ରତିଶତ ନାଗରିକଙ୍କୁ ଲାଞ୍ଚ ଦେବାକୁ ପଡୁଛି। ଉଦ୍ବେଗର ବିଷୟ ହେଲା, ଗତ ବର୍ଷର ସର୍ଭେରେ ଯେତିକି ଲୋକ ସେବା ପାଇବା ଲାଗି ହାତଗୁଞ୍ଜା େଦଇଥିବା ବିଷୟ ସ୍ବୀକାର କରିଥିଲେ, ଏ ବର୍ଷ ସେମାନଙ୍କ ସଂଖ୍ୟା ୧୧ ପ୍ରତିଶତ ଅଧିକ। ଗତବର୍ଷର ସର୍ଭେରେ ୪୫ ପ୍ରତିଶତ ନାଗରିକ, ସେମାନେ ହକ୍ଦାର ଥିବା ସେବା ପାଇଁ ଉତ୍କୋଚ ଦେଇଥିବା କହିଥିଲେ। ଉଲ୍ଲେଖନୀୟ ହେଲା, ରାଜନୈତିକ ଓ ସାମାଜିକ ଦୃଷ୍ଟିରୁ ସବୁଠାରୁ ଅଧିକ ସଚେତନ ବୋଲି ବିଶ୍ବାସ କରାଯାଉଥିବା ମହାନଗରୀ ଏବଂ ଦୁର୍ନୀତି ବିେରାଧୀ ଆନ୍ଦୋଳନରୁ ଜନ୍ମ ନେଇଥିବା ଏକ ରାଜନୈତିକ ଦଳର ସରକାର ଥିବା ରାଜଧାନୀ ଦିଲ୍ଲୀରେ ୪୬ ପ୍ରତିଶତ ବାସିନ୍ଦାଙ୍କୁ ସେବା ଉପଲବ୍ଧ କିମ୍ବା ସରକାରୀ ଦପ୍ତରରେ କାମ ପାଇଁ ବାବୁ କିମ୍ବା ‘ଏେଜଣ୍ଟ’ଙ୍କ ହାତ ଚିକ୍କଣ କରିବାକୁ ପଡୁଛି।
ଏମିତି ନୁହେଁ ଯେ ଭ୍ରଷ୍ଟାଚାରର ଭୂୟିଷ୍ଠ କାୟା ନେଇ କେନ୍ଦ୍ର ସରକାର, ରାଜ୍ୟ ସରକାର, ଏପରିକି ସହର ଗୁଡ଼ିକର ପୌର ପ୍ରଶାସନ ଅବଗତ ନୁହନ୍ତି। ସେଥି ପାଇଁ ପ୍ରଚାର କରାଯାଉଛି ଯେ, ଶାସନ ଓ ପ୍ରଶାସନ କ୍ଷେତ୍ରରେ ସ୍ବଚ୍ଛତା ଆଣିବା ଲାଗି ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଇଛି। େକୗଣସି ସେବା କିମ୍ବା କାମ ପାଇଁ ମଧ୍ୟସ୍ଥିର ଆବଶ୍ୟକତା ନାହିଁ। ନାଗରିକମାନେ ସିଧାସଳଖ ଆବେଦନ କଲେ ଧାର୍ଯ୍ୟ ସମୟ ମଧ୍ୟରେ ସେବା ମିଳିପାରିବ। କିନ୍ତୁ ଟ୍ରାନ୍ସପରେନ୍ସିର ସର୍ଭେ କହୁଛି, ୩୯% ନାଗରିକ କାମ ଓ ସେବା ପାଇଁ ସିଧାସଳଖ ପ୍ରଶାସନରେ ଥିବା ବାବୁମାନଙ୍କୁ ଲାଞ୍ଚ ଦେଇଛନ୍ତି। ମଧ୍ୟସ୍ଥିଙ୍କ ମଧ୍ୟ ପ୍ରଭାବଶାଳୀ ଭୂମିକା ଅପରିବର୍ତ୍ତିତ ରହିଛି। ସର୍ଭେରେ ଭାଗ ନେଇଥିବା ୨୫% କହିଥିଲେ ଯେ, ସେମାନେ ମଧ୍ୟସ୍ଥି ଜରିଆରେ କାମ କରାଇଛନ୍ତି। ଏହାର ଅର୍ଥ ଚଉଠେ ନାଗରିକଙ୍କ ପକ୍ଷରେ ଉଭୟ ପ୍ରଶାସନିକ ଅଧିକାରୀ ଓ ମଧ୍ୟସ୍ଥିଙ୍କୁ ‘ପାଉଣା’ ନ ଦେଇ କାମ ହାସଲ କରିବା କିମ୍ବା ସେବା ପାଇବା ସମ୍ଭବ ହେଉନାହିଁ।
ତେବେ, ଟ୍ରାନ୍ସପରେନ୍ସି ସର୍ଭେରୁ ମିଳିଥିବା ଶାସନର ଏ ଅପରିବର୍ତ୍ତିତ ଦୁର୍ନୀତି ପ୍ରବଣ ଚେହେରା ଯେତେ ଚିନ୍ତାଜନକ, ତା’ଠାରୁ ଅଧିକ ଚିନ୍ତାଜନକ ଦୁର୍ନୀତି ବିରୋଧରେ ସରକାରୀ କଳର ତଥାକଥିତ ଲଢ଼େଇ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ରହିଥିବା ନିରାଶାବାଦୀ ନକରାତ୍ମକ ମତ। ଦୁର୍ନୀତି ସହ ଭାରତୀୟମାନେ ଏତେ ଅଭ୍ୟସ୍ତ ଯେ ଏହାକୁ ଜନଜୀବନର ଏକ ସ୍ବାଭାବିକ ଅଂଶ ଭାବେ ଧରି ନେଲେଣି। ଭ୍ରଷ୍ଟାଚାର ଏକ ସାମାଜିକ ଅପକର୍ମ ବୋଲି ଆଉ ବିଚାର କରାଯାଉନାହିଁ। ଏହାର ଯେ ନିରାକରଣ ହୋଇପାରିବ, ଏ ନେଇ ଆଶାବାଦ ଅତ୍ୟନ୍ତ କ୍ଷୀଣ। ସର୍ଭେରେ ପ୍ରତିଫଳିତ ଜନମତ ଅନୁଯାୟୀ ଭ୍ରଷ୍ଟାଚାର ରୋକିବା ଲାଗି କୌଣସି ନିଷ୍ଠାପର ଉଦ୍ୟମ ହେଉ ନାହିଁ। ଭ୍ରଷ୍ଟାଚାର ବିରୋଧରେ ଆଇନ ସବୁ ମୁଖ୍ୟତଃ ପୁସ୍ତକରେ ସୀମିତ। ବାସ୍ତବ କ୍ଷେତ୍ରରେ ଏହାର କାର୍ଯ୍ୟକାରିତା ଲାଗି ନା ଅଛି ଅମଲାତାନ୍ତ୍ରିକ ଆନ୍ତରିକତା ନା ଅଛି ରାଜନୈତିକ ଇଚ୍ଛାଶକ୍ତି। ଦୁର୍ନୀତି ଅଭିଯୋଗରେ ଠିକଣା ଶୁଣାଣି ହେଉନାହିଁ କି କାହାରିକୁ ଉତ୍ତରଦାୟୀ କରାଯାଉ ନାହିଁ। ନିକଟରେ ଦୁର୍ନୀତି ଅଭିଯୁକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାକ୍-ଅନୁମତିର ବ୍ୟବସ୍ଥା ସହ ଦୁର୍ନୀତି ବିରୋଧୀ ଆଇନରେ ଅଣାଯାଇଥିବା ସଂଶୋଧନକୁ ସଂଖ୍ୟାଗରିଷ୍ଠ ମତଦାତା ନାପସନ୍ଦ କରିଛନ୍ତି। ସେମାନଙ୍କ ମତ ଯେ, ଏହା ଦୁର୍ନୀତି ଅଭିଯୁକ୍ତଙ୍କ ପ୍ରତି କୋହଳ ଆଭିମୁଖ୍ୟର ସଂକେତ ଦେଉଛି ଓ ଦୁର୍ନୀତିଗ୍ରସ୍ତଙ୍କୁ ଏହାଦ୍ବାରା ସୁରକ୍ଷା ମିଳିବ।
ଅବଶ୍ୟ, କେବଳ ଦୁର୍ନୀତି ବିରୋଧୀ ଆଇନର ଏ ଅନାବଶ୍ୟକ ସଂଶୋଧନ ନୁହେଁ, ଦୀର୍ଘ ଆନ୍ଦୋଳନର ଫଳଶ୍ରୁତି ସ୍ବରୂପ ସଂସଦରେ ଆଇନ ପ୍ରଣୟନ ହେବା ସତ୍ତ୍ବେ ଲୋକପାଳ ଗଠନରେ ଟାଳଟୁଳ ସ୍ବତଃ ଭ୍ରଷ୍ଟାଚାର ବିରୋଧରେ ଲଢ଼େଇ ପଛରେ ଶାସକ ବର୍ଗଙ୍କ ଇଚ୍ଛାଶକ୍ତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସ୍ବଚ୍ଛତା ପ୍ରସଙ୍ଗରେ ଦେଶର ରାଜନୈତିକ ବର୍ଗଙ୍କ ଅଙ୍ଗୀକାର ଯେ ଅତ୍ୟନ୍ତ ଭେଜାଲ ଓ ଲୋକଦେଖାଣିଆ ମାତ୍ର, ତା’ର ଆଉ ଏକ ଉଦାହରଣ ହେଲା, ‘ଇଲେକ୍ଟୋରାଲ ବଣ୍ଡ୍’। ରାଜନୈତିକ ଚାନ୍ଦା ଶାସନରେ ଦୁର୍ନୀତିର ମୂଳ। ଏଇଠୁ ହିଁ ଜନ୍ମ ନିଏ ଭ୍ରଷ୍ଟାଚାରର ବିଷ ଦ୍ରୁମ। ଏହାକୁ ଉପାଡ଼ି ଫିଙ୍ଗିବା ପାଇଁ ରାଜନୈତିକ ଚାନ୍ଦାରେ ସ୍ବଚ୍ଛତା ଏକାନ୍ତ ଅପରିହାର୍ଯ୍ୟ। କେଉଁ ରାଜନୈତିକ ଦଳକୁ କିଏ ଓ କେତେ ଚାନ୍ଦା ଦେଲେ, ତାହା ସାର୍ବଜନୀନ ହେବା କଥା। କିନ୍ତୁ ‘ଇଲେକ୍ଟୋରାଲ ବଣ୍ଡ୍’ ଜରିଆରେ ଏ ବିଷୟ ଗୋପନ ରଖାଯିବାର ବ୍ୟବସ୍ଥା କରାଗଲା। ଏଥିରେ ରାଜନୈତିକ ଚାନ୍ଦା ପ୍ରସଙ୍ଗରେ ସ୍ବଚ୍ଛତା ଆସିବ କେମିତି? ଶାସନର ଦୁର୍ନୀତି ପ୍ରବଣ ଚରିତ୍ର ଉପରେ ଅଙ୍କୁଶ ଲାଗିବ କେମିତି? ଗଙ୍ଗୋତ୍ରୀ ଯଦି ପ୍ରଦୂଷିତ, ତେବେ ଗଙ୍ଗା ଜଳ ନିର୍ମଳ ହେବ କେମିତି?
ଭ୍ରଷ୍ଟାଚାର ରୋକିବା ପାଇଁ ଦେଶର ଆଇନ ଓ ଅନୁଷ୍ଠାନ ଗୁଡ଼ିକର ପ୍ରଭାବ ଓ ଦକ୍ଷତା ସମ୍ପର୍କରେ ଯାହା ବଖାଣିଲେ ବି, ଏହା ଏକ ନିଷ୍ଠୁର ବାସ୍ତବତା ଯେ, କ୍ଷେତ୍ର ସ୍ତରେର ଏହାର ପ୍ରଭାବ ନିଷ୍ପ୍ରଭ। ଅନ୍ୟଥା, ବିଶ୍ବ ଦୁର୍ନୀତି ସୂଚକାଙ୍କ (କରପ୍ସନ ପର୍ସେପ୍ସନ ଇଣ୍ଡେକ୍ସ) ଆଧାରିତ ମାନ୍ୟତା ତାଲିକାରେ ଭାରତର ସ୍ଥାନ ୧୮୦ ଦେଶ ମଧ୍ୟରେ ୮୧ରେ ନଥାନ୍ତା। ଉଲ୍ଲେଖନୀୟ ଯେ, ୨୦୧୬ରେ ଏହି ତାଲିକାରେ ଭାରତର ସ୍ଥାନ ୭୯ରେ ଥିଲା। ପରବର୍ତ୍ତୀ ୨୦୧୭ର ତାଲିକାରେ ଭାରତର ସ୍ଥାନ ଦୁଇ ପାଦ ତଳକୁ ଖସି ୮୧ରେ ରହିଛି। ଏହା ହିଁ ସୂଚାଉଛି- ଭ୍ରଷ୍ଟାଚାର ବିରୋଧରେ ତଥାକଥିତ ଲଢ଼େଇର ଅସଲ ସ୍ବରୂପ। ଆହୁରି ଅଧିକ ଲଜ୍ଜାର ବିଷୟ ହେଲା- ଏସୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ସବୁଠାରୁ ଅଧିକ ୫ଟି ଦୁର୍ନୀତିପ୍ରବଣ ଦେଶଙ୍କ ମଧ୍ୟରେ ଭାରତ ଗଣା ହେଉଛି। ଉଲ୍ଲେଖ, ନିଷ୍ପ୍ରୟୋଜନ ଯେ, ଯେଉଁଠି ଦୁର୍ନୀତିର ପ୍ରକୋପ ଅଧିକ, ସେଠାରେ ବ୍ୟକ୍ତି ଅଧିକାର ଓ ସ୍ବାଧୀନତା ଅଧିକ ବିପନ୍ନ। ପ୍ରେସ୍ ସ୍ବାଧୀନତା ପ୍ରସଙ୍ଗରେ ମଧ୍ୟ ଭାରତର ସ୍ଥାନ ଖରାପ ପ୍ରଦର୍ଶନକାରୀ ଦେଶଙ୍କ ମଧ୍ୟରେ ରହିଛି। ଏ ପରିପ୍ରେକ୍ଷୀରେ ୨୦୦୭ରେ ଟ୍ରାନ୍ସପରେନ୍ସି ଇଣ୍ଟରନ୍ୟାସନାଲ ଓ ସେଣ୍ଟର ଫର୍ ଡେଭଲପମେଣ୍ଟ ଷ୍ଟଡିଜ୍ ପକ୍ଷରୁ ବିପିଏଲ୍ ପରିବାରଙ୍କ ଉପରେ ଦୁର୍ନୀତିର ପ୍ରଭାବ ସମ୍ପର୍କରେ େହାଇଥିବା ଏକ ମିଳିତ ଅନୁଧ୍ୟାନରୁ ମିଳିଥିବା ତଥ୍ୟ ଉଲ୍ଲେଖ କରାଯାଇପାରେ। ଏହି ଅନୁଧ୍ୟାନ ଅନୁଯାୟୀ ଦେଶର ବିପିଏଲ୍ ପରିବାରଙ୍କୁ ତାଙ୍କର ନ୍ୟାଯ୍ୟ ହକ୍ ପାଇବା ଲାଗି ବାର୍ଷିକ ଅତି କମ୍ରେ ମୋଟ ୯୦୦ କୋଟି ଟଙ୍କା ଲାଞ୍ଚ ଦେବାକୁ ପଡ଼ିଥାଏ। ଏହି ୯୦୦ କୋଟି ଟଙ୍କାର ଲାଞ୍ଚରେ ସିଂହଭାଗ ଆଇନର ରକ୍ଷକ ପୁଲିସ୍ର। ଅର୍ଥାତ୍, ଭାରତର ନାଗରିକ ଭାବେ ଜଣେ ଗରିବ ଲୋକ ତା’ର ଅଧିକାରର ହନନ ବିରୋଧରେ ନ୍ୟାୟ ପାଇବା ଲାଗି ପ୍ରଥମେ ଥାନାରେ ‘ଦର୍ଶନୀ’ ବାବଦ କିଛି ଦେବା ବାଧ୍ୟତାମୂଳକ। ଅନ୍ୟଥା, ଗରିବ ପାଇଁ ଅଧିକାରର ସୁରକ୍ଷା ଓ ନ୍ୟାୟ ଏକ ସ୍ବପ୍ନ। ଅଥଚ ବିଡ଼ମ୍ବନା ଯେ, ଦୁର୍ବଳ ବର୍ଗଙ୍କ ପ୍ରତି ଆଇନର ସ୍ବତନ୍ତ୍ର ଦାୟିତ୍ବ ଏବଂ ଆଇନର ରକ୍ଷକ ସମେତ ପୂରା ଶାସନ ବ୍ୟବସ୍ଥା ଅଧିକ ସମ୍ବେଦନଶୀଳ ବୋଲି ପ୍ରଚାର କରାଯାଉଛି। ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନାରେ ମଧ୍ୟ ଗରିବକୁ ନ୍ୟାଯ୍ୟ ପ୍ରାପ୍ୟ ବିନା ବଟିରେ ମିଳେ ନାହିଁ। ଏକଦା ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ହିସାବ- ଗରିବଙ୍କ ପାଇଁ ଆସୁଥିବା ଗୋଟିଏ ଟଙ୍କାରୁ େସମାନଙ୍କ ପାଖରେ ମାତ୍ର ୧୫ ପଇସା ପହଞ୍ଚୁଥିବା ବେଳେ, ଅବଶିଷ୍ଟ ୮୫ ପଇସା ବାଟମାରଣା ହେଉଛି- ଏବେ ବି ବଦଳି ନାହିଁ। ଏଥିରେ ଭାରତରେ ସାମାଜିକ ନ୍ୟାୟ, ଅର୍ଥନୈତିକ- ସାମାଜିକ ସମାନତା ପ୍ରତିଷ୍ଠାର ଲକ୍ଷ୍ୟ ପୂରଣ ହେବ କେମିତି? ସ୍ବାଧୀନତାର ସାଢ଼େ ସାତ ଦଶନ୍ଧି ପରେ ବି ସାମାଜିକ ନ୍ୟାୟ ଓ ସମାନତା ପ୍ରତିଷ୍ଠା ଲକ୍ଷ୍ୟ ଅପହଞ୍ଚ ହୋଇ ରହିବାର ପ୍ରଧାନ କାରଣ ଭ୍ରଷ୍ଟାଚାର।
ଭ୍ରଷ୍ଟାଚାରର ଏ ହି ମାଳୟତୁଲ୍ୟ ବୋଝ ମୁଣ୍ଡରୁ ନ ଓହ୍ଲାଇବା ଯାଏ ଦେଶ ନୂଆ ଭାରତ ଆଡ଼କୁ ଆଗେଇବା ସହଜ ନୁହେଁ। ତେଣୁ କେବଳ ସ୍ଲୋଗାନରେ ଭ୍ରଷ୍ଟାଚାର ବିରୋଧୀ ଲଢ଼େଇ ସୀମିତ ନ ରହି କାର୍ଯ୍ୟରେ ପ୍ରତିଫଳିତ ହେଉ। ଅବଶ୍ୟ, ଏହା ସେତେବେଳେ ସମ୍ଭବ ଯେତେବେଳେ ଲଢ଼େଇ ପଛରେ ଅମଲାତାନ୍ତ୍ରିକ ନିଷ୍ଠା, ରାଜନୈତିକ ଇଚ୍ଛାଶକ୍ତି ଓ ଜନସମର୍ଥନ ରହିବ।