ପ୍ରଶ୍ନରେ ନ୍ୟାୟପାଳିକାର ସାଧୁତା

ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ବହୁ ସଂଖ୍ୟକ ଭ୍ରଷ୍ଟାଚାର ମାମଲାର ବିଚାର କରି ଅନେକ ଐତିହାସିକ ରାୟ ଶୁଣାଇ ଉଜ୍ଜ୍ୱଳ ନଜିର ସୃଷ୍ଟି କରିଛନ୍ତି। ସମୟ ଚକ୍ରରେ ଦେଶର ସର୍ବୋଚ୍ଚ ଅଦାଲତ ଏବେ କିନ୍ତୁ ସେହି ଭ୍ରଷ୍ଟାଚାର ପ୍ରସଙ୍ଗରେ ଖୋଦ୍‌ ଏକ ଐତିହାସିକ ସନ୍ଧିକ୍ଷଣର ଦ୍ୱାର ଦେଶରେ। ଉଚ୍ଚ ନ୍ୟାୟପାଳିକାକୁ କାଠଗଡ଼ାରେ ରଖି ସୁପ୍ରିମ୍‌କୋର୍ଟର ଏକ ପାଞ୍ଚଜଣିଆ ଖଣ୍ଡପୀଠ ଗୋଟିଏ ଭ୍ରଷ୍ଟାଚାର ମାମଲାର ବିଚାର କରିବେ। ପୂର୍ବରୁ ମଧ୍ୟ ଉଚ୍ଚ ନ୍ୟାୟପାଳିକାରେ ଦୁର୍ନୀତିପୂର୍ଣ୍ଣ ଅସାଧୁ କାରବାର ଓ ନିର୍ଦ୍ଦିଷ୍ଟ ଭାବେ କେତେକ ନ୍ୟାୟମୂର୍ତ୍ତିଙ୍କ ବିରୋଧରେ ଲାଞ୍ଚ କାରବାରର ଗୁରୁତର ଅଭିଯୋଗ ଆସିଛି। କିନ୍ତୁ ସେ ସବୁ ଅଭିଯୋଗ ଉପରେ ସର୍ବୋଚ୍ଚ ଅଦାଲତଙ୍କ ଠାରୁ ଯେଉଁ ପ୍ରକାର ଗୁରୁତ୍ୱର ସହ ବିଚାର ଅପେକ୍ଷା କରାଯାଉଥିଲା, ତାହା ଦେଖିବାକୁ ମିଳି ନଥିଲା। ଏବେ ଗୋଟିଏ ଘରୋଇ ମେଡିକାଲ କଲେଜରେ ନାମଲେଖା ପାଇଁ ଅନୁମତି ପ୍ରଦାନ ମାମଲାରେ ଉଚ୍ଚ ନ୍ୟାୟପାଳିକାରେ ଭ୍ରଷ୍ଟାଚାରର ଯେଉଁ ଅସ୍ୱସ୍ତିକର ଅଭିଯୋଗ ସାମ୍ନାକୁ ଆସିଛି, ସେଥିରେ ଏହାକୁ ଏଡ଼ାଇଯିବା ବୋଧ ହୁଏ, ସବୋଚ୍ଚ ଅଦାଲତ ପକ୍ଷରେ ସମ୍ଭବ ହୋଇନାହିଁ। ଅନୁକୂୂଳ ରାୟ କରାଇ ଦେବା ବଦଳରେ ଦୁଇ କୋଟି ଟଙ୍କା ଉତ୍କୋଚ ଗ୍ରହଣ କରିବା ଅଭିଯୋଗରେ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି କୁର୍ଦୁସି ସିବିଆଇ ଦ୍ୱାରା ଗିରଫ ହୋଇଥିଲେ। ବିଚାରପତିଙ୍କ ସହ ଜଣେ ମହିଳା ‘ହାଓ୍ଵାଲା ଅପରେଟର୍‌’, ଜଣେ ମଧ୍ୟସ୍ଥି ଏବଂ ସମ୍ପୃକ୍ତ ମେଡିକାଲ କଲେଜର କେତେକ କର୍ମଚାରୀ ମଧ୍ୟ ଗିରଫ ହୋଇଛନ୍ତି।

ତେବେ ସିବିଆଇ ତଦନ୍ତ ବେଳେ ଉଚ୍ଚ ନ୍ୟାୟପାଳିକାରେ ଦୁର୍ନୀତି ନେଇ ଆହୁରି ଅନେକ ପ୍ରମାଣ ସାମ୍ନାକୁ ଆସିଥିବା ପରିପ୍ରେକ୍ଷୀରେ ଏସ୍‌ଆଇଟି ତଦନ୍ତ ପାଇଁ ଆଗତ ଏକ ଜନସ୍ୱାର୍ଥ ଆବେଦନ ଉପରେ ପାଞ୍ଚଜଣିଆ ଖଣ୍ଡପୀଠରେ ବିଚାର ପାଇଁ ନିଷ୍ପତ୍ତି ହୋଇଛି। ଖୁବ୍‌ ଅଳ୍ପ ସମୟର ଶୁଣାଣି ପରେ ନ୍ୟାୟମୂର୍ତ୍ତି ଜେ.ଚେଲାମେଶ୍ୱର ଏବଂ ନ୍ୟାୟମୂର୍ତ୍ତି ଏସ.ଅବଦୁଲ ନଦୀରଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଶୁଣାଇଥିବା ଏ ଫଇସଲା ପୂରା ନ୍ୟାୟପାଳିକାରେ କମ୍ପନ ସୃଷ୍ଟି କରିଛି। ଅନେକଙ୍କୁ ଏହା ବିସ୍ମିତ କରିଥିଲେ ସୁଦ୍ଧା ସର୍ବାଦୌ ସ୍ୱାଗତଯୋଗ୍ୟ। କାରଣ ଏହା ସହ ଭାରତୀୟ ନ୍ୟାୟପାଳିକାର ମର୍ଯ୍ୟାଦା, ଗରିମା ତଥା ନିରପେକ୍ଷତା ଯୋଡ଼ି ହୋଇଛି। ଦୁଇଜଣିଆ ଖଣ୍ଡପୀଠଙ୍କ ନିଷ୍ପତ୍ତି ବିଶେଷ ଉଲ୍ଲେଖର ଅପେକ୍ଷା ରଖୁଛି ଏଥିପାଇଁ ଯେ, ଯେଉଁ ଘରୋଇ ମେଡିକାଲ କଲେଜ ମାମଲାକୁ ନେଇ ଉଚ୍ଚନ୍ୟାୟପାଳିକାର ସାଧୁତା ପ୍ରତି ଅଙ୍ଗୁଳି ଉଠିଛି, ସେହି ମାମଲା ସଂକ୍ରାନ୍ତ ଅନ୍ୟତମ ଆବେଦନର ଶୁଣାଣି ବର୍ତ୍ତମାନ ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ଦୀପକ ମିଶ୍ରଙ୍କ ଅଦାଲତରେ ହେଉଥିଲା।

ସେପ୍‌ଟେମ୍ବର ୧୯,୨୦୧୭ରେ ମାମଲା ରୁଜୁ କରି ସିବିଆଇ ତଦନ୍ତ କରୁଥିବା ଏହି ମାମଲାରେ ଦୁଇଜଣିଆ ଖଣ୍ଡପୀଠଙ୍କ ହସ୍ତକ୍ଷେପ ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥାଇପାରେ। କିନ୍ତୁ ଉଚ୍ଚ ନ୍ୟାୟପାଳିକାର ଭ୍ରଷ୍ଟାଚାର ନେଇ ଉଠିଥିବା ଅଭିଯୋଗ କ୍ୱଚିତ କାହାକୁ ଆଶ୍ଚର୍ଯ୍ୟ କରିଥିବ। ବିଗତ କିଛି ବର୍ଷ ହେଲା ଉଚ୍ଚ ନ୍ୟାୟପାଳିକାର ଦୁର୍ନୀତି ନେଇ ବହୁ ଗୁରୁତର ଅଭିଯୋଗ ଉଠିଛି। କେବଳ ନଗଦ ବଦଳର ଅନୁକୂଳ ରାୟ ହାସଲର ଅଭିଯୋଗ ନୁହେଁ, କେତେକ ନ୍ୟାୟମୂର୍ତ୍ତିଙ୍କ ବିରୋଧରେ ଯୌନ କେଳେଙ୍କାରୀର ମଧ୍ୟ ଅଭିଯୋଗ ଆସିଛି। କେତେକ ବିଚାରପତିଙ୍କ କ୍ଷେତ୍ରରେ ଅଭିଯୋଗ ପ୍ରମାଣିତ ମଧ୍ୟ ହୋଇଛି। ମୁଷ୍ଟିମେୟ ହାଇକୋର୍ଟ ବିଚାରପତିଙ୍କ ବିରୋଧରେ ସଂସଦରେ ମହା ଅଭିଯୋଗ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି। ସାଧାରଣତଃ କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭାରେ ସଦସ୍ୟଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ବ୍ୟାପକ ଚର୍ଚ୍ଚା ହୋଇଥାଏ। କିନ୍ତୁ ନ୍ୟାୟପାଳିକାରେ ମଧ୍ୟ ଦୁର୍ନୀତିର ମାତ୍ରା ବେଶ୍‌ ଉଦ୍‌ବେଗଜନକ।

ନ୍ୟାୟପାଳିକାରେ ଭ୍ରଷ୍ଟାଚାର କର୍କଟର ସଂକ୍ରମଣ କେତେ ଭୟାବହ ଓ ମାରାତ୍ମକ ତା’ର ଦୁଃଖଦ ବୟାନ ହେଲା ଖୋଦ୍‌ ଉଚ୍ଚ ନ୍ୟାୟପାଳିକାରେ ଏକଦା କାର୍ଯ୍ୟ କରିଥିବା ମାନ୍ୟବର ନ୍ୟାୟମୂର୍ତ୍ତିମାନଙ୍କ ମୁହଁରେ ଦୁର୍ନୀତିର କାହାଣୀ। ପୂର୍ବତନ ସୁପ୍ରିମ୍‌ କୋର୍ଟ ବିଚାରପତି ନ୍ୟାୟମୂର୍ତ୍ତି ମାର୍କଣ୍ଡେୟ କାଟ୍‌ଜୁ ଚଣ୍ଡୀଗଡ଼ଠାରେ ଗୋଟିଏ ସଭାରେ କହିଥିଲେ ଯେ, ଉଚ୍ଚ ନ୍ୟାୟପାଳିକାର ଶତକଡ଼ା ୫୦ ଭାଗ ବିଚାରପତି ଦୁର୍ନୀତିଗ୍ରସ୍ତ। ୨୦୧୦ରେ ପୂର୍ବତନ ଆଇନମନ୍ତ୍ରୀ ଶାନ୍ତିଭୂଷଣ ଜାରି କରିଥିବା ଦୁର୍ନୀତିଗ୍ରସ୍ତ ବିିଚାରପତିଙ୍କ ତାଲିକାରେ ସୁପ୍ରିମ୍‌ କୋର୍ଟର ଆଠ ଜଣ ପୂର୍ବତନ ପ୍ରଧାନ ନ୍ୟାୟାଧୀଶଙ୍କ ନାମ ସ୍ଥାନ ପାଇଥିଲା। ତେବେ, ଆଶ୍ଚର୍ଯ୍ୟର ବିଷୟ ହେଲା ଶାନ୍ତିଭୂଷଣଙ୍କ ଏ ଦୁର୍ନୀତିଗ୍ରସ୍ତ ବିଚାରପତି ତାଲିକା ନେଇ ମାନ୍ୟବର ସର୍ବୋଚ୍ଚ ଅଦାଲତ ନିରବ ରହିବା ଉଚିତ ମଣିଲେ। ବିଚାରପତି ନିଯୁକ୍ତିରେ ମଧ୍ୟ ପ୍ରିୟାପ୍ରୀତି ତୋଷଣର ଅଭିଯୋଗ ଖୋଦ୍‌ ନ୍ୟାୟପାଳିକାର କାର୍ଯ୍ୟରତ ଓ ପୂର୍ବତନ ବିଚାରପତିମାନେ ଉଠାଇଛନ୍ତି।

ବିଡ଼ମ୍ବନା ହେଲା ଗୋଟିଏ ପକ୍ଷରେ ଭ୍ରଷ୍ଟାଚାର ଓ ଅସାଧୁ କାରବାର ଅଭିଯୋଗ ନ୍ୟାୟପାଳିକାର ସମ୍ମାନ ପୂରା ନ୍ୟାୟ ପ୍ରଦାନ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ସନ୍ଦେହ ସୃଷ୍ଟି କରୁଛି, ଅଥଚ ଅନ୍ୟ ପକ୍ଷରେ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣି ସନ୍ଦେହ ଦୂର ପାଇଁ ତତ୍ପରତା ପ୍ରକାଶ ପାଉନାହିଁ। ନ୍ୟାୟପାଳିକାର ବ୍ୟାପାରକୁ ସୂଚନା ଅଧିକାର ଆଇନର ପରିସରଭୁକ୍ତ କରିବା ଲାଗି କୁଣ୍ଠା କାହିଁକି? କାହିଁକି ଉଚ୍ଚ ନ୍ୟାୟପାଳିକାର ବିଚାରପତିମାନେ ନିଜ ଓ ନିଜ ପରିବାର ସଦସ୍ୟଙ୍କ ସମ୍ପତ୍ତି ତାଲିକା ନିୟମିତ ଘୋଷଣା କରିବେ ନାହିଁ? ନିଜର ସାମ୍ବିଧାନିକ ମର୍ଯ୍ୟାଦା, ସ୍ୱାଧୀନତା ଓ ନିରପେକ୍ଷ, ସଚ୍ଚୋଟ ଭାବମୂର୍ତ୍ତି ନେଇ ଲୋକଙ୍କ ମନରେ ବିଶ୍ୱାସ ଅତୁଟ ରଖିବା ଲାଗି ନ୍ୟାୟପାଳିକା ନିଜ ଆଡୁ ସ୍ୱେଚ୍ଛାକୃତ ପଦକ୍ଷେପ ନେବା ଆଶା କରାଯାଏ। ଏ କ୍ଷେତ୍ରରେ ଉଦାସୀନତା କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ଦ୍ୱାରା ଅଯଥା ହସ୍ତକ୍ଷେପ ଲାଗି ସୁଯୋଗ ସୃଷ୍ଟି କରିପାରେ, ଯାହା ଶାସନର ବିଭିନ୍ନ ଅଙ୍ଗ ମଧ୍ୟରେ ସମ୍ବିଧାନ ନିର୍ଧାରିତ ଭାରସାମ୍ୟକୁ ବିପନ୍ନ କରିବା ଆଶଙ୍କା ରହିଛି।

ଉଚ୍ଚ ନ୍ୟାୟପାଳିକାରେ ଭ୍ରଷ୍ଟାଚାର ପ୍ରସଙ୍ଗ ପୁଣିଥରେ ଏମିତି ଏକ ସମୟରେ ଉଠିଛି, ଯେତେବେଳେ ନ୍ୟାୟପାଳିକା ନିଜର ସ୍ୱାଧୀନତା ବଜାୟ ରଖିବା ପାଇଁ କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ସଭା ସହ ଏକ ପ୍ରକାର ମୁହାଁମୁହିଁ ଅବସ୍ଥାରେ ଅଛି। ତେଣୁ ନ୍ୟାୟପାଳିକାର ମର୍ଯ୍ୟାଦା ଓ ଗରିମା ଉପରେ ପ୍ରଶ୍ନ ଚିହ୍ନ ଲଗାଇଥିବା ମେଡିକାଲ କଲେଜ ମାମଲାକୁ ମାନ୍ୟବର ସୁପ୍ରିମ କୋର୍ଟ ଅତ୍ୟନ୍ତ ଗୁରୁତ୍ୱର ସହ ନେବେ ବୋଲି ଆଶା କରାଯାଏ। ଯଥା ସମ୍ଭବ ସ୍ୱଳ୍ପ ସମୟ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରି ସନ୍ଦେହର ବାଦଲକୁ ଦୂର କରିବା ସହ ନ୍ୟାୟ ପାଳିକାରେ ଅଧିକ ସ୍ୱଚ୍ଛତା, ସାଧୁତା ଓ ନିରପେକ୍ଷତା ନିଶ୍ଚିତ କରିବା ଦିଗରେ କିଛି ଢାଞ୍ଚାଗତ ସଂସ୍କାର ଆଣିବେ। କୌଣସି ପରିସ୍ଥିତିରେ ବି ନ୍ୟାୟପାଳିକାର ସାଧୁତା ଓ ନିରପେକ୍ଷତା ଉପରେ ସନ୍ଦେହର ଅବକାଶ ରହିବା ଉଚିତ ନୁହେଁ। ଅନ୍ୟଥା ନ୍ୟାୟପାଳିକା ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ପ୍ରଭାବିତ ହେବ।

ସମ୍ବନ୍ଧିତ ଖବର