ଶକ୍ତିଶାଳୀ ପୁରୁଷ ସେଲିବ୍ରିଟି ମାନଙ୍କ ଦ୍ବାରା ସେମାନଙ୍କର ସଂସ୍ପର୍ଶରେ ଆସୁଥିବା ନାରୀମାନଙ୍କର ଯୌନ ଶୋଷଣ ବିରୁଦ୍ଧରେ ଆମେରିକାରୁ ଆରମ୍ଭ ହୋଇଥିବା ‘# ମି ଠୁ’ (‘ମୁଁ ମଧ୍ୟ’) ଆନ୍ଦୋଳନ ପ୍ରାୟ ବର୍ଷକ ପରେ ଏବେ ଭାରତରେ ପହଞ୍ଚି ଏକ ଝଡ଼ର ରୂପ ନେଇଥିଲେ ହେଁ ଭାରତୀୟ ସଂସ୍କୃତି ପୃଷ୍ଠପଟରେ ତାହା ଅନିବାର୍ଯ୍ୟ ଭାବରେ କେତେକ ରୋଚକ ମୋଡ଼ ନେବା ଦେଖା ଦେଲାଣି। ଉଦାହରଣ ସ୍ବରୂପ କେତେକ ଅଭିଯୁକ୍ତିଙ୍କ ପତ୍ନୀ (ଯଥା, ଅଲୋକ ନାଥଙ୍କ ପତ୍ନୀ ଆଶୁ ସିଂହ) ପ୍ରସିଦ୍ଧ ପତିବ୍ରତା ଭାରତୀୟ ନାରୀର ଧର୍ମ ପାଳନ କରି ଅଭିଯୋଗକାରିଣୀମାନଙ୍କ ଉପରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଇଥିବା ବେଳେ, ଅନ୍ୟ କେତେକ ବିବାଦ ବିଚ୍ଛେଦ ଘଟି ସାରିଥିବା ପୂର୍ବତନ ପତ୍ନୀମାନେ (ଯଥା, ବିକାଶ ବାହ୍ଲଙ୍କ ପୂର୍ବତନ ପତ୍ନୀ ରିଚା ଦୁବେ) ମଧ୍ୟ ଅନୁରୂପ ଆନୁଗତ୍ୟ ପ୍ରଦର୍ଶନ କରି ଅଭିଯୋଗକାରିଣୀମାନଙ୍କୁ ତୀବ୍ର ଭର୍ତ୍ସନା କରିବାକୁ ଆଗେଇ ଆସିଛନ୍ତି। ଏହାପରେ ଉଭୟ ପକ୍ଷ ମଧ୍ୟରେ ଫିଙ୍ଗାଫିଙ୍ଗି ହେବାକୁ ଆରମ୍ଭ କରିଥିବା ବାକ୍ୟବାଣ (ଯଥା, ‘‘ତୁମ ପୂର୍ବତନ ପତି ଯଦି ଏପରି ଦେବପ୍ରତିମ, ତୁମେ ତାଙ୍କୁ ଛାଡ଼ି ଚାଲିଗଲ କାହିଁକି?’’)ର ଆଲୋକ ଓ ଶବ୍ଦ ଆସନ୍ନ ଦୀପାବଳିର ଆତସବାଜିଠାରୁ ଅଧିକ ପ୍ରଭାବଶାଳୀ ହୋଇପାରେ।
ଏପରି ଏକ ସାଂସ୍କୃତିକ ଯୁଦ୍ଧରେ ଯେ ଅବିଳମ୍ବେ ‘‘ଷୋଳ ସହସ୍ର ଗୋପନାରୀ/ଦଣ୍ଡେ ରମିଲେ ନରହରି’’ ଖ୍ୟାତି ସମ୍ପନ୍ନ ଦ୍ବାପର ଅବତାର ଶ୍ରୀକୃଷ୍ଣଙ୍କୁ ଭିଡ଼ା ହେବ, ଏଥିରେ କୌଣସି ସନ୍ଦେହ ନଥିଲା। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେତେବେଳେ ଟି-ସିରିଜ୍ କମ୍ପାନିର ଚେଆର୍ମ୍ୟାନ୍ ‘# ମି ଠୁ’- ଅଭିଯୁକ୍ତ ଭୂଷଣ କୁମାରଙ୍କ ପତ୍ନୀ ଦିବ୍ୟା ଖୋସ୍ଲା ଶ୍ରୀକୃଷ୍ଣଙ୍କ ଉଦାହରଣ ବ୍ୟବହାର କରି ତାଙ୍କ ସ୍ବାମୀଙ୍କ ସପକ୍ଷରେ ଲଢ଼ିବା ଦେଖାଯାଇଛି। ଦିବ୍ୟା କହିଛନ୍ତି ଭଗବାନ୍ ଶ୍ରୀକୃଷ୍ଣଙ୍କୁୁ ମଧ୍ୟ ଲୋକେ ସମାଲୋଚନା କରିବାକୁ ପଛେଇ ନଥିଲେ। ସେ ନିଜର ଏହି ଭକ୍ତର ଯଦିବା ଅଧିକ ବ୍ୟାଖ୍ୟା କରି ନାହାନ୍ତି, ଭାରତୀୟ ସଂସ୍କୃତି ତଥା ପୋଥିପୁରାଣ ସହିତ ପରିଚିତ ମାନଙ୍କ ପାଇଁ ଏହାର ତାତ୍ପର୍ଯ୍ୟ ବୁଝିବା କଷ୍ଟକର ନୁହେଁ। ରାଧା ଓ କୃଷ୍ଣଙ୍କ ମଧ୍ୟରେ କିମ୍ବା ବସ୍ତ୍ରହରଣ ପରି ହରକତର ସମ୍ମୁଖୀନ ହୋଇଥିବା ଗୋପୀମାନେ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ସୁବିଦିତ ଥିଲେ ମଧ୍ୟ ଏହା ମଧ୍ୟ ସୁବିଦିତ ଯେ ଏହା ଥିଲା ସମ୍ପୂର୍ଣ୍ଣ ଭାବେ ଆବିଳତାଶୂନ୍ୟ। ଦୈହିକ ନୁହେଁ ଆଧ୍ୟାତ୍ମିକ। ଦିବ୍ୟା ଖୋସ୍ଲା ବୋଧହୁଏ ତାଙ୍କ ପତିଙ୍କ ଠାରେ ସେଇଭଳି ଆଧ୍ୟାତ୍ମିକ ପ୍ରେମର ସନ୍ଧାନ ପାଇଛନ୍ତି।
ତେବେ ଏପରି ଆଧ୍ୟାତ୍ମିକ ପ୍ରେମର ଉଦାହରଣ ଖୋଜି ବସିଲେ ତାହା କେବଳ ଭଗବାନ ଶ୍ରୀକୃଷ୍ଣଙ୍କଠାରେ ଯେ ସୀମିତ, ଏପରି ନୁହେଁ। ସମୟ ସମୟରେ ରକ୍ତମାଂସଧାରୀ ଦେବ ସୁଲଭ ମନୁଷ୍ୟମାନଙ୍କଠାରେ ମଧ୍ୟ ଏହା ପରିଦୃଷ୍ଟ ହୋଇଛି। ଜାତିର ପିତା ମହାତ୍ମାଗାନ୍ଧୀଙ୍କ ସମ୍ବନ୍ଧରେ ମହାନ୍ ବୈଜ୍ଞାନିକ ଆଇନ୍ଷ୍ଟାଇନ୍ଙ୍କ ପ୍ରସିଦ୍ଧ ମନ୍ତବ୍ୟ କିଏ ନ ଜାଣିଛି: ‘‘ଭବିଷ୍ୟତ ପିଢ଼ିମାନେ ବିଶ୍ବାସ କରି ପାରିବେ ନାହିଁ ଯେ ସତରେ ରକ୍ତମାଂସଧାରୀ ଏଭଳି ଜଣେ ମନୁଷ୍ୟ ଦିନେ ଧରା ପୃଷ୍ଠରେ ପଦଚାଳନା କରିଥିଲା।’’ ସେଇ ରକ୍ତ ମାଂସଧାରୀ ଅବତାରୀ ପୁରୁଷ ମଧ୍ୟ ଦିନେ ଯେ ସେଇଭଳି ଏକ ଦେହାତୀତ ଆଧ୍ୟାତ୍ମିକ ପ୍ରେମରେ ଉବୁଟୁବୁ ହୋଇଥିଲେ, ତାହା ବିଶେଷ ଲୋକଲୋଚକୁ ଆସି ନଥିଲେ ମଧ୍ୟ ଐତିହାସିକ ରାମଚନ୍ଦ୍ର ଗୁହା ବାପୁଙ୍କ ଜୀବନୀ ଉପରେ ଆଧାରିତ ତାଙ୍କର ସଦ୍ୟ ପ୍ରକାଶିତ ପୁସ୍ତକ, ‘‘ଗାନ୍ଧୀ- ଦି ଇୟର୍ସ ଦ୍ୟାଟ୍ ଚେଞ୍ଜ୍ଡ ଦି ୱାର୍ଲଡ୍ ୧୯୧୪-୧୯୪୮’’ରେ ଏ ସମ୍ବନ୍ଧରେ ଉଲ୍ଲେଖ କରିବା ଦେଖାଯାଏ। ଗୁହା ସୂଚାଇଥିବା ଅନୁସାରେ ୧୯୨୦ ଦଶକରେ ବାପୁ ଦୀର୍ଘ ସମୟ ଧରି ରବୀନ୍ଦ୍ର ନାଥ ଠାକୁରଙ୍କ ଭାଣିଜୀଙ୍କ ପ୍ରତି ଦୁର୍ବାର ଆକର୍ଷଣ ଅନୁଭବ କରି ତାଙ୍କୁ ନିଜର ଆଧ୍ୟାତ୍ମିକ ପତ୍ନୀ ରୂପେ ବିଚାର କରୁଥିଲେ। ଯେଉଁମାନେ ଏ ସମ୍ବନ୍ଧରେ ଅଧିକ ଅନିସନ୍ଧିତ୍ସୁ ହେବେ ସେମାନେ ଅନ୍ୟାନ୍ୟ ସୂତ୍ର ମାନଙ୍କରୁ (ଯେମିତି ପ୍ରମୋଦ କାପୁରଙ୍କରୁ ୨୦୧୫ରେ ପ୍ରକାଶିତ ‘‘ମାଇଁ ଏକ୍ସପେରିମେଣ୍ଟ୍ ୱିଥ୍ ଗାନ୍ଧୀ’’) ଆବିଷ୍କାର କରିବେ ଗାନ୍ଧୀ ଅଗଷ୍ଟ ୧୯୨୦ରେ ତାଙ୍କର ଘନିଷ୍ଠତମ ବନ୍ଧୁ ଦକ୍ଷିଣ ଆଫ୍ରିକାରେ ତାଙ୍କ ସହିତ ମିଶି ପ୍ରସିଦ୍ଧ ‘ଟଲ୍ଷ୍ଟୟ ଫାର୍ମ’ର ସହ-ପ୍ରତିଷ୍ଠାତା ଡର୍ମାନ୍ କାଲେନ୍ବାକ୍ଙ୍କୁ ପତ୍ର ଲେଖି ଜଣାଇଥିଲେ ସେ ସରଳା ଦେବୀ ନାମ୍ନୀ ଜଣେ ବିଚକ୍ଷଣା ବିଦୁଷୀଙ୍କ ଘନିଷ୍ଠ ସଂସର୍ଗରେ ଆସିଛନ୍ତି ଯାହାଙ୍କୁ ସେ ତାଙ୍କର ‘ଆଧ୍ୟାତ୍ମିକ ପତ୍ନୀ’ ରୂପେ ବିଚାର କରୁଛନ୍ତି। ସେତେବେଳକୁ ମହାତ୍ମାଙ୍କ ବୟସ ୫୨ ଏବଂ ରବୀନ୍ଦ୍ର ନାଥଙ୍କ ବଡ଼ ଭଉଣୀଙ୍କ ବିବାହିତା କନ୍ୟା ସରଳାଙ୍କ ବୟସ ୪୭। ମହାତ୍ମା ତାଙ୍କର ସେ ସମୟର ଅନେକ ଚିଠି ପତ୍ରରେ ସରଳା ଦେବୀଙ୍କ ଗୁଣ ଗାନ କରିବା ଦେଖାଯାଇଥିଲା। କିନ୍ତୁ ସେ ଯେତେବେଳେ ଅନୁଭବ କଲେ ଯେ ସରଳା ଦେବୀ ତାଙ୍କ ଉପରେ ଏକ ଈର୍ଷାମିଶ୍ରିତ ଅଧିକାର ବିସ୍ତାର କରିବାକୁ ଚେଷ୍ଟା କରୁଛନ୍ତି, ବାପୁ ଡିସେମ୍ବର ୧୯୨୦ରେ ତାଙ୍କ ନିକଟକୁ ଏକ ବିଦାୟ ପତ୍ର ଲେଖି ସେ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅବଶ୍ୟ ବାପୁଙ୍କୁ ତାହା କରିବା ପାଇଁ ମହାଦେବ ଦେଶାଇଙ୍କ ଠାରୁ ରାଜଗୋପାଳଚାରୀଙ୍କ ପର୍ଯ୍ୟନ୍ତ ତାଙ୍କର ଘନିଷ୍ଠ ଶୁଭାକାଙ୍କ୍ଷୀମାନେ ତାଙ୍କୁ ବେଶ୍ ପ୍ରଭାବିତ କରିଥିଲେ। ସରଳା ଦେବୀ ତାଙ୍କର ଶେଷ ଜୀବନ ସନ୍ନ୍ୟାସିନୀ ରୂପେ ହିମାଳୟରେ ବିତାଇଥିଲେ। ଆଜିର ସମୟ ହୋଇଥିେଲ ଭଗ୍ନ ହୃଦୟା ସରଳା ଦେବୀ ଯେ ‘# ମି ଠୁ’ର ଆଶ୍ରୟ ନେଇ ନଥାନ୍ତେ, କିଏ କହିବ?
ଏଥିରୁ ମନେ ହେଉଛି ମାନବ ସମାଜର ବିବର୍ତ୍ତନର ବର୍ତ୍ତମାନ ମୁହୂର୍ତ୍ତ ପର୍ଯ୍ୟନ୍ତ ବୋଧହୁଏ ଏପରି କେହି ପୁରୁଷ ନାହାନ୍ତି- ଦୁରାତ୍ମାରୁ ମହାତ୍ମା ପର୍ଯ୍ୟନ୍ତ- ଯେଉଁମାନଙ୍କ ପ୍ରତି ‘# ମି ଠୁ’ ଅଭିଯୋଗ ଆଦୌ ଲାଗୁ ହୋଇ ପାରିବ ନାହିଁ। ଏହା ଇତିହାସ ସାରା ନାରୀ- ପୁରୁଷ ଶକ୍ତି ସମୀକରଣରେ ନାରୀମାନେ ଚିରାଚରିତ ଭାବରେ ସମ୍ମୁଖୀନ ହୋଇଥିବା ଦୁବର୍ଳତାର ପରିଚାୟକ।
ଏହା ସତ ଯେ ‘# ମି ଠୁ’ ଏକ ନ୍ୟାୟିକ ପ୍ରକ୍ରିୟା ନୁହେଁ, କିନ୍ତୁ ଏହା ମଧ୍ୟ ଅନୁରୂପ ଭାବେ ସତ ଯେ ନାରୀ ସୁରକ୍ଷା ପାଇଁ ସମସ୍ତ ପ୍ରକାରର ଆଇନ କାନୁନ୍ ଥାଇ ମଧ୍ୟ ସେମାନେ ପୁରୁଷଙ୍କ ଦ୍ବାରା ‘# ମି ଠୁ’ ସୁଲଭ ଯୌନ ଶୋଷଣରୁ ରକ୍ଷା ପାଇ ପାରି ନାହାନ୍ତି। ମନେ ହେଉଛି ‘# ମି ଠୁ’ ସେଇ ଅଭାବ ପୂରଣ କରିବାକୁ ଯାଉଛି। ଆଇନ୍ ଯାହା କରିପାରି ନଥିଲା, ଲୋକ ଲଜ୍ଜାର ଭୟ ତାହା କରିବ। ଯେମିତି ଖୁସ୍ବନ୍ତ ସିଂହଙ୍କର ବହୁଳ ଆଦୃତ ଗଳ୍ପ ‘ଦି ବଟମ୍- ପିଞ୍ଚର୍’(ନିତମ୍ବ ଉତ୍ପୀଡ଼କ)ରେ ଦେଖିବାକୁ ମିଳିଥାଏ। ଗଳ୍ପଟିରେ ବମ୍ବେର ଅତ୍ୟନ୍ତ ଧନିକ, ସଂଭ୍ରାନ୍ତ, ବଦାନ୍ୟ ପାର୍ଶୀ ଭଦ୍ରଲୋକ ପେସି ଲାଲ୍କାକାଙ୍କର ଗୋପନ ନିଶା ଥିଲା ସଡ଼କର ଭିଡ଼ରେ ନିତମ୍ବିନୀ ଯୁବତୀ ମାନଙ୍କର ନିତମ୍ବରେ ହସ୍ତ ସଞ୍ଚାଳନ କରି ଉଭାନ୍ ହୋଇଯିବା- କ୍ଲାସିକ୍ ‘# ମି ଠୁ’ ବିଷୟ ବସ୍ତୁ। ଗଳ୍ପର ବର୍ଣ୍ଣନାକାରୀ ଜଣକ ପ୍ରଥମ ଥର ଦୂରରୁ ଏହା ଦେଖିବା ପରେ ପ୍ରତିଦିନ ମଧ୍ୟାହ୍ନ ଭୋଜନ ବିରତି ସମୟରେ ଏହାର ପୁନରାବୃତ୍ତି ଦେଖିବାକୁ ପାଇଲେ। ଏହା ପରେ ସେ ଅନୁସନ୍ଧାନ ଚଳାଇ ଲାଲ୍କାକାଙ୍କ ଘର ଟେଲିଫୋନ୍ ନମ୍ବରଟି ଯୋଗାଡ଼ କଲେ। ସେ ଫୋନ୍ କରିବାରୁ ଲାଲାକାକାଙ୍କ ପରିଚାରକ ଫୋନ୍ ଧରି ସାହେବ ନାହାନ୍ତି, କିଏ କହୁଛନ୍ତି ବୋଲି ପଚାରନ୍ତେ, ବର୍ଣ୍ଣନାକାରୀ ନିଜର ନାମ ‘ମିଷ୍ଟର ବଟମ୍- ପିଞ୍ଚର୍’ ବୋଲି କହିଲେ। ତା’ପରେ ଦେଖାଗଲା ବେଶ୍ କିଛିଦିନ ଧରି ଶିକାର ସ୍ଥଳୀରେ ବଟମ୍-ପିଞ୍ଚର୍ ଲାଲ୍କାକା ସାହେବଙ୍କର ଆଉ ଆବିର୍ଭାବ ଘଟିଲା ନାହିଁ: ଲୋକଲଜ୍ଜା ହିଁ କାରଣ। ପରିଚାରକଠାରୁ ଟେଲିଫୋନ୍ କଥା ଶୁଣି ସେ ଜାଣିଗଲେ ଯେ ଲୋକେ ଜାଣି ଗଲେଣି। ‘# ମି ଠୁ’ ସେଇଭଳି ଆଜିର ବଟମ୍-ପିଞ୍ଚର୍ମାନଙ୍କୁ ନିବୃତ୍ତି କରି ନାରୀ ସୁରକ୍ଷା ନିଶ୍ଚିତ କରି ପାରିବାର ସମ୍ଭାବନା ବହନ କରୁଛି।