ପ୍ରକାଶିତ ସମ୍ବାଦ ଅନୁସାରେ ସୋମବାର ଦିନ ଚମ୍ବଲ ଅଞ୍ଚଳର ଦାତିଆ ସହରରେ ଏକ ସଭାରେ ଭାଷଣ ଦେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସିଧା ସଳଖ ଅଭିଯୋଗ କରିଥିଲେ ଯେ ସେ ଉତ୍ତରପ୍ରଦେଶର ଉନ୍ନାଓ ଧର୍ଷଣ ଘଟଣାରେ ଅଭିଯୁକ୍ତ ଭାଜପା ବିଧାୟକ କୁଲଦୀପ୍ ସିଂହ ସେଙ୍ଗାର୍‌ଙ୍କୁ ସୁରକ୍ଷା ଦେଇଛନ୍ତି ଏବଂ ତାଙ୍କର କୌଣସି ବକ୍ତବ୍ୟରେ ସେ ଘଟଣା ସମ୍ବନ୍ଧରେ କେବେହେଲେ ପଦଟିଏ ମଧ୍ୟ କହି ନାହାନ୍ତି। ଏହା ମଧ୍ୟ ଗଣମାଧ୍ୟମର ଦୃଷ୍ଟି ଏଡ଼ାଇ ଯାଇ ନାହିଁ ଯେ ବର୍ତ୍ତମାନ ମୋଦୀ ସରକାରରେ ମନ୍ତ୍ରୀ ଥିବା ଏମ୍ ଜେ ଆକ୍‌ବରଙ୍କ ବିରୁଦ୍ଧରେ ‘# ମି ଠୁ’ ଅଭିଯାନରେ ଯୋଗ ଦେଇଥିବା ପ୍ରାୟ ଏକ ଡଜନ୍ ସରିକି ମହିଳା ଯୌନ ଶୋଷଣ ଅଭିଯୋଗ ଆଣିଥିଲେ ମଧ୍ୟ, ଏବଂ ସେ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ମୋଦୀ ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଥିଲେ ମଧ୍ୟ, ରାହୁଲ ଏମ୍ ଜେ ଆକ୍‌ବର୍‌ଙ୍କର ନାମ ଧରି ନଥିଲେ କିମ୍ବା ସେଥିପାଇଁ ମୋଦୀଙ୍କୁ ସମାଲୋଚନା କରିନଥିଲେ। ଏହା ସେତିକି ଆଶ୍ଚର୍ଯ୍ୟଜନକ ମନେ ହୋଇପାରେ, ଯେତିକି ଆଶ୍ଚର୍ଯ୍ୟଜନକ ହେଉଛି ଭାଜପା ଓ ଏନ୍‌ଡିଏ ଆକ୍‌ବର୍‌ଙ୍କୁ ସମର୍ଥନ କରିବା।

Advertisment

କିମ୍ବା ଉଭୟରୁ କେଉଁଟି ବି ହେଲେ ଆଶ୍ଚର୍ଯ୍ୟଜନକ ନୁହେଁ। ତେବେ ଏହା ଏକ ନିଶ୍ଚିତ ବିଡ଼ମ୍ବନା ଯେ ଯେଉଁ ଭାଜପା ଦଳ ଓ ମୋଦୀ ସରକାର ମୁସଲମାନ ମହିଳାମାନଙ୍କୁ ନ୍ୟାୟଦେବା ଉଦ୍ଦେଶ୍ୟରେ ତିନି ତଲାକ୍ ଏବଂ ବହୁପତ୍ନୀ ଗ୍ରହଣ ଆଦି ପ୍ରଥାର ଉଚ୍ଛେଦକୁ ସର୍ବାଧିକ ଗୁରୁତ୍ବ ଦେବା ଦେଖାଯାଇଛି, ସେଇ ଦଳ ଓ ସରକାର ଏମ୍ ଜେ ଆକ୍‌ବର୍‌ଙ୍କ ପରି ଜଣେ ବ୍ୟକ୍ତିଙ୍କୁ ଉଭୟ ଦଳ ଓ ସରକାରର ଅଂଶରେ ପରିଣତ କରିଛନ୍ତି। ଏହି ବିଡ଼ମ୍ବନାର ମୂଳ ଖୋଜି ବସିଲେ ଯାହା ଆବିଷ୍କୃତ ହୁଏ ତାହାର ରାହୁଲ ଗାନ୍ଧୀଙ୍କର ନିରବତା ସହିତ ଏପରି ଘନିଷ୍ଠ ସମ୍ବନ୍ଧ ରହିଛି, ଯାହା ହୁଏତ ସେ ନିରବତାର ଅସଲ କାରଣ ହୋଇପାରେ।

ଏଥିପାଇଁ ଏଠାରେ ଆମକୁ ବହୁ ଆଲୋଚିତ ସୁପରିଚିତ ଶାହ୍‌ ବାନୋ ପ୍ରସଙ୍ଗ ଉପରେ ଆଉ ଥରେ ପଶ୍ଚାତ୍ ଦୃଷ୍ଟି ନିକ୍ଷେପ କରିବାକୁ ହେବ। ଶାହ୍‌  ବାନୋ ନାମକ ଜଣେ ମୁସଲମାନ ମହିଳା ୧୯୩୨ରେ ମହମ୍ମଦ ଅହମଦ୍ ଖାନ୍ ନାମକ ଇନ୍ଦୋର୍‌ର ଜଣେ ଧନୀ ଓକିଲଙ୍କୁ ବିବାହ କରିଥିଲେ। ସେ ଖାନ୍‌ଙ୍କର ପାଞ୍ଚଟି ସନ୍ତାନର ଜନନୀ ହୋଇଥିଲେ। ବିବାହର ୧୪ ବର୍ଷ ପରେ ଓକିଲ ମହମ୍ମଦ ଅହମଦ୍ ଖାନ୍ ଆଉ ଏକ ଯୁବତୀ ପତ୍ନୀ ଗ୍ରହଣ କଲେ (ଯେଉଁ ବହୁପତ୍ନୀ ବ୍ୟବସ୍ଥା ଉଚ୍ଛେଦକୁ ଭାଜପା ସମର୍ଥନ କରୁଛି)। କିଛି ଦିନ ପାଇଁ ଓକିଲ ସାହେବ ଉଭୟ ପତ୍ନୀଙ୍କ ସହିତ ବାସ କଲେ। କିନ୍ତୁ ଶାହ୍‌ ବାନୋଙ୍କୁ ୬୨ ବର୍ଷ ବୟସ ହେବା ବେଳକୁ ତାଙ୍କର ପତି ପାଞ୍ଚ ପିଲାଙ୍କ ସହିତ ବାନୋଙ୍କୁ ଘରୁ ତଡ଼ି ଦେଲେ। କିଛି ଦିନ ପାଇଁ ସେ ଭରଣ ପୋଷଣ ସ୍ବରୂପ ଶାହ୍‌  ବାନୋଙ୍କୁ ମାସିକ ୨୦୦ ଟଙ୍କା ଲେଖାଏଁ ସାହାଯ୍ୟ ପ୍ରଦାନ କରୁଥିଲେ। କିନ୍ତୁ ୧୯୭୮ ଏପ୍ରିଲ୍‌ ଠାରୁ ଖାନ୍ ବାନୋଙ୍କୁ ଏହି କିଞ୍ଚିତ୍ ସାହାଯ୍ୟ ମଧ୍ୟ ଦେବା ବନ୍ଦ କରିଦେଲେ। ଚଳିବା ପାଇଁ ଅନ୍ୟ କୌଣସି ସମ୍ବଳ ନ ଥିବାରୁ ଶାହ୍‌  ବାନୋ ନ୍ୟାୟ ପାଇବା ପାଇଁ ଏକ ସ୍ଥାନୀୟ ଅଦାଲତର ଦ୍ବାରସ୍ଥ ହେଲେ। ଦଣ୍ଡବିଧି  ସଂହିତା (ସିଆର୍‌ପିସି)ର ଧାରା-୧୨୫ର ଉଲ୍ଲେଖ କରି ସେ ନିଜର ଓ ପିଲାମାନଙ୍କର ଭରଣ ପୋଷଣ ପାଇଁ ମାସକୁ ୫୦୦ ଟଙ୍କା ଲେଖାଏଁ ସ୍ବାମୀ ଖାନ୍‌ଙ୍କଠାରୁ ଦାବି କଲେ। ଜବାବ ସ୍ବରୂପ ଖାନ୍ ୧୯୭୮ ନଭେମ୍ବରରେ ଶାହ୍ ବାନୋଙ୍କୁ ତଲାକ୍ ଦେଇ ଦେଲେ ଏବଂ ଇସଲାମୀୟ ଆଇନକୁ ଉଦ୍ଧାର କରି ଏବେ ତାଙ୍କର ପରିତ୍ୟକ୍ତା ପତ୍ନୀରେ ପରିଣତ ହୋଇଥିବା ଶାହ୍ ବାନୋଙ୍କୁ ତାଙ୍କର ବିବାହ ସମୟରେ ପ୍ରତିଶ୍ରୁତି ଦେଇଥିବା ମେହେର ବାବଦକୁ ୫,୪୦୦ ଟଙ୍କା କେବଳ ଫେରାଇ ଦେବାକୁ ପ୍ରସ୍ତୁତ ହେଲେ। ତା’ପରେ ବିଭିନ୍ନ ସ୍ତରର ନିମ୍ନ ଅଦାଲତ ମାନ ସିଆର୍‌ପିସି ଧାରା-୧୨୫ ମଧ୍ୟ ମୁସଲମାନମାନଙ୍କ ପ୍ରତି ଲାଗୁ ହେବ ବୋଲି ଗ୍ରହଣ କରି ଶାହ୍ ବାନୋଙ୍କ ସପକ୍ଷରେ ରାୟ ଦେବା ପରେ ଏହା ବିରୁଦ୍ଧରେ ଓକିଲ ମହମ୍ମଦ ଅହମଦ୍ ଖାନ୍ ସୁପ୍ରିମ୍ କୋର୍ଟଙ୍କଠାରେ ଅପିଲ୍ କଲେ। ସୁପ୍ରିମ୍ କୋର୍ଟରେ ନ୍ୟାୟମୂର୍ତ୍ତି ଦ୍ବୟ ମୁର୍ତାଜା ଫଜଲ୍ ଅଲି ଏବଂ ଏ. ବରଦାରାଜନ୍ ତଳ କୋର୍ଟର ରାୟ ସହିତ ଏକମତ ହେବା ସହିତ ଅପିଲ୍‌ଟିକୁ ଚୂଡ଼ାନ୍ତ ବିଚାର ପାଇଁ ଏକ ପାଞ୍ଚଜଣିଆ ବେଞ୍ଚ୍‌କୁ ପଠାଇଦେଲେ। ଇତି ମଧ୍ୟରେ ଅଲ୍ ଇଣ୍ଡିଆ ମୁସଲିମ୍ ପର୍ସନାଲ୍ ଲ’ ବୋର୍ଡ ଏବଂ ଜାମିଆତ୍ ଉଲେମା-ଏ-ହିନ୍ଦ୍ ଭଳି ଇସଲାମୀୟ ମୌଳବାଦୀ ସଂସ୍ଥାମାନେ ମଧ୍ୟ ମାମଲାଟିରେ ପକ୍ଷଭୁକ୍ତ ହୋଇ ମୁସଲମାନଙ୍କ ପ୍ରତି ସିଆର୍‌ପିସି ଧାରା-୧୨୫ର ପ୍ରୟୋଗକୁ ବିରୋଧ କଲେ।

ମୁଖ୍ୟ ବିଚାରପତି ୱାଇ ଭି ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ବେଞ୍ଚ୍‌ (ଅନ୍ୟ ସଦସ୍ୟମାନେ ହେଲେ ବିଚାରପତିବୃନ୍ଦ ରଙ୍ଗନାଥ ମିଶ୍ର, ଡି. ଏ ଦେଶାଇ, ଓ. ଚିନ୍ନାପ୍ପା ରେଡ୍ଡି ଏବଂ ଇ.ଏସ୍. ଭେଙ୍କଟରାମିଆ) ମାମଲାର ଶୁଣାଣି କରି ୨୩ ଏପ୍ରିଲ୍, ୧୯୮୫ରେ ସର୍ବସମ୍ମତ ରାୟ ଦେଇ ମହମ୍ମଦ ଅହମଦ୍ ଖାନ୍‌ଙ୍କ ଅପିଲ୍‌କୁ ନାକଚ କରିବା ସହିତ ଘୋଷଣା କଲେ ଯେ ବିବାହ ବିଚ୍ଛେଦ ଘଟିଥିବା ଅସହାୟା ପତ୍ନୀଙ୍କୁ ଭରଣ ପୋଷଣ ଦେବା ନେଇ ସିଆର୍‌ପିସି ଧାରା-୧୨୫ ସହିତ ମୁସ୍‌ଲିମ୍ ପର୍ସନାଲ ଲ’ର କୌଣସି ବିରୋଧାଭାସ ନାହିଁ। ଜାତିଧର୍ମ ନିର୍ବିଶେଷରେ ସିଆର୍‌ପିସି ଧାରା-୧୨୫ ଲାଗୁ ହେବ। ତେଣୁ ଶାହ୍ ବାନୋ ତାଙ୍କର ପୂର୍ବତନ ସ୍ବାମୀଙ୍କଠାରୁ ଭରଣପୋଷଣ ପାଇବାକୁ ହକ୍‌ଦାର। କୋର୍ଟ ମଧ୍ୟ ଏହି ଅବସରରେ ଦେଶରେ ଏକ ଏକକ ସିଭିଲ୍ କୋଡ୍ ପ୍ରବର୍ତ୍ତନ ପାଇଁ ଆହ୍ବାନ ଦେଇଥିଲେ।

କହିବା ବାହୁଲ୍ୟ ମୁସଲମାନ ମୌଳବାଦୀ ଗୋଷ୍ଠୀମାନେ ଏହି ରାୟ ଦ୍ବାରା ଘୋର ଉତ୍‌କ୍ଷିପ୍ତ ହୋଇଥିଲେ। ସେତେବେଳେ ପ୍ରଧାନମନ୍ତ୍ରୀ ଥିଲେ ରାହୁଲ ଗାନ୍ଧୀଙ୍କ ପିତା ରାଜୀବ ଗାନ୍ଧୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଂଖ୍ୟାଲଘୁ ବ୍ୟାପାର ନିର୍ଦ୍ଦେଶକ ଦାୟିତ୍ବରେ ଥିଲେ ଆଇଏଏସ୍ ଅଫିସର ୱାଜାହତ୍ ହବିବୁଲ୍ଲା। ରାୟର ପୁନର୍ବିଚାର ପାଇଁ ସରକାର ସୁପ୍ରିମ୍ କୋର୍ଟରେ ଆବେଦନ କରିବା ପାଇଁ ଇସଲାମୀୟ ଗୋଷ୍ଠୀମାନେ ରାଜୀବ ଗାନ୍ଧୀଙ୍କ ଉପରେ ଘୋର ଚାପ ପକାଉଥାନ୍ତି। ୱାଜାହତ୍ ହବିବୁଲ୍ଲା କିନ୍ତୁ ସରକାର ସେଥିରୁ ନିବୃତ୍ତ ରହିବା ପାଇଁ ରାଜୀବ ଗାନ୍ଧୀଙ୍କୁ ଉପଦେଶ ଦେଇଥିଲେ। ତାଙ୍କର ବିଶ୍ବାସ ଥିଲା ଯେ ରାଜୀବ ତାଙ୍କର ଉପଦେଶ ଗ୍ରହଣ କରି ସୁପ୍ରିମ୍ କୋର୍ଟଙ୍କ ଆଦେଶର ବିରୋଧ କରିବେ ନାହିଁ। ପରବର୍ତ୍ତୀ ସମୟରେ ୱାଜାହତ୍ ହବିବୁଲ୍ଲା ଏକ ଜାତୀୟ ସମ୍ବାଦପତ୍ରରେ ଲେଖିଥିବା ଅନୁସାରେ ସେ ଦିନେ ରାଜୀବଙ୍କ ଚାମ୍ବରରେ ପ୍ରବେଶ କରିବା ପରେ ଦେଖିଲେ ଏମ୍ ଜେ ଆକ୍‌ବର୍ ରାଜୀବଙ୍କ ସମ୍ମୁଖରେ ବସିଛନ୍ତି। ରାଜୀବ କହିଲେ, ‘‘ଆସ ଆସ ୱାଜାହତ୍, ତୁମେ ଆମ ନିଜ ଲୋକ।’’ ୱାଜାହତ୍‌ଙ୍କୁ ଏହା ଅଖାଡୁଆ ଲାଗିଲା। ଅବିଳମ୍ବେ ସେ ଆବିଷ୍କାର କଲେ ଯେ ଆକ୍‌ବର୍ ରାଜୀବଙ୍କୁ ବୁଝାଇ ଦେଇଛନ୍ତି ସେ ଯଦି ସୁପ୍ରିମ୍ କୋର୍ଟଙ୍କ ରାୟକୁ ବିରୋଧ ନକରନ୍ତି ତେବେ ମୁସଲମାନମାନେ ଭାବିବେ ରାଜୀବ ସେମାନଙ୍କର ନିଜ ଲୋକ ନୁହନ୍ତି। ମୁସଲମାନ ମାନେ ଯେହେତୁ ସର୍ବଦା  ରାଜୀବଙ୍କ ପରିବାରକୁ ସମର୍ଥନ କରିଆସିଛନ୍ତି, ରାଜୀବ ଗାନ୍ଧୀଙ୍କୁ ପାର୍ଲାମେଣ୍ଟ୍‌ରେ ଆଇନ ପ୍ରଣୟନ କରି ସୁପ୍ରିମ୍ କୋର୍ଟଙ୍କ ରାୟକୁ ଅକାମି କରିବାକୁ ହେବ।

ଅତଏବ ୧୯୮୬ ମେ’ରେ ମୁସଲିମ୍ ୱିମେନ୍ (ପ୍ରୋଟେକ୍‌ସନ୍ ଅଫ୍ ରାଇଟ୍‌ସ ଅନ୍ ଡିଭୋର୍ସ) ଆକ୍ଟ ପ୍ରଣୀତ ହୋଇ ସୁପ୍ରିମ୍ କୋର୍ଟଙ୍କ ଆଦେଶକୁ ଅକାମି କରି ମୁସଲମାନ ମହିଳାମାନଙ୍କ ପ୍ରତି ଅନ୍ୟାୟକୁ ଚିରସ୍ଥାୟୀ କଲା। ଶାହ୍ ବାନୋଙ୍କୁ ସମର୍ଥନ କରୁଥିବା ଉଚ୍ଚ ମୂଲ୍ୟବୋଧରେ ବିଶ୍ବାସୀ ନେତା ଆରିଫ୍ ମହମ୍ମଦ ଖାନ୍  ରାଜନୀତିରୁ ସନ୍ନ୍ୟାସ ନେଲେ, ମୁସଲିମ ନାରୀ ସ୍ବାର୍ଥ ବିରୋଧୀ ଏମ୍ ଜେ ଆକ୍‌ବର୍ ନିଜର ରଙ୍ଗ ବଦଳାଇ ଭାଜପାରେ ଯୋଗ ଦେଇ ଏବେ ମନ୍ତ୍ରୀ ପଦରେ ବସିଛନ୍ତି ଏବଂ ମୋଦୀ ସରକାର ଆଉ ଏକ ନାରୀ ନିର୍ଯାତନା ମାମଲାରେ ତାଙ୍କୁ ସମର୍ଥନ କରୁଛନ୍ତି। ଏହାଠାରୁ ବଡ଼ ବିଡ଼ମ୍ବନା ଆଉ କ’ଣ ହୋଇପାରେ? ଆଉ ରାହୁଲ ଗାନ୍ଧୀ ଶାହ୍ ବାନୋ ଅପକର୍ମରେ ତାଙ୍କ ପିତାଙ୍କର ଘନିଷ୍ଠ ସହଯୋଗୀ ଓ ଉପଦେଷ୍ଟା ଥିବା ଏମ୍ ଜେ ଆକ୍‌ବର୍‌ଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିବାରେ ମଧ୍ୟ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି?