ଅ-ବ୍ୟକ୍ତି!

ମାତ୍ର ୩୦ଟି ରୌପ୍ୟ ମୁଦ୍ରା ପାଇଁ ଜୁଡାସ୍ ଇସ୍କାରିଅଟ୍ ଯୀଶୁ ଖ୍ରୀଷ୍ଟଙ୍କ ପ୍ରତି ବିଶ୍ବାସଘାତକତା କରି ତାଙ୍କୁ ମରଣ ମୁହଁକୁ ଠେଲି ଦେଇଥିଲା ବୋଲି ବାଇବଲ୍ କହେ। କୁହାଯାଇପାରେ ହୁଏତ ୩୦୦ ବିଲିଅନ୍ ଡଲାର୍ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍ ଟ୍ରମ୍ପ୍ ୱାସିଂଟନ୍ ପୋଷ୍ଟ ସମ୍ବାଦପତ୍ରର ସାଉଦିଆରବ ଜନ୍ମିତ ଆମେରିକା ବାସିନ୍ଦା ସ୍ତମ୍ଭକାର ଜମାଲ୍ ଖାସୋଗିଙ୍କୁ ଧୋକା ଦେଇ ଯୀଶୁ ସୁଲଭ ନିର୍ମମ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି। ଯୀଶୁଙ୍କୁ ତାଙ୍କର ମତ ପାଇଁ କ୍ରୁଶବିଦ୍ଧ କରି ହତ୍ୟା କରାଯିବା ଭଳି ଖାସୋଗିଙ୍କୁ ମଧ୍ୟ ତାଙ୍କର ସାଉଦି ଏକଛତ୍ରବାଦୀ ଶାସନ ବିରୋଧୀ ମତ ନିମିତ୍ତ ତୁର୍କୀସ୍ଥିତ ସାଉଦି କନ୍‌ସୁଲେଟ୍ ଭିତରେ ଖଣ୍ଡ ଖଣ୍ଡ କରି ହଣା ଯାଇ ହତ୍ୟା କରାଯାଇଛି ବୋଲି ତୁର୍କୀର ଗଣମାଧ୍ୟମରେ ପ୍ରକାଶ ପାଇଛି।

ଏଥିରେ ଟ୍ରମ୍ପ୍‌ଙ୍କ ଭୂମିକା ସିଧାସଳଖ ନହେଲେ ମଧ୍ୟ ସ୍ପଷ୍ଟ। ଟ୍ରମ୍ପ୍‌ଙ୍କର ବର୍ତ୍ତମାନ ସାଉଦି ଆରବର ପ୍ରକୃତ ହର୍ତ୍ତାକର୍ତ୍ତା ଯୁବରାଜ ମହମ୍ମଦ ବିନ୍ ସଲ୍‌ମାନ୍‌ଙ୍କ ସହିତ ସମ୍ପର୍କ ଅତ୍ୟନ୍ତ ଘନିଷ୍ଠ। ଟ୍ରମ୍ପ୍ ଆମେରିକାରେ ରାଷ୍ଟ୍ରପତି ହେବା ପରେ ସାଉଦି ଆରବ ଥିଲା ତାଙ୍କର ପ୍ରଥମ ବିଦେଶ ଗସ୍ତ ଗନ୍ତବ୍ୟସ୍ଥଳୀ। ସେ ଗସ୍ତ ସମୟରେ ସେଠାରେ ତାଙ୍କୁ ଅଭୂତପୂର୍ବ ରାଜକୀୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା- ସତେ ଯେମିତି ସେ ହେଉଛନ୍ତି ସମ୍ରାଟ୍ ଟ୍ରମ୍ପ୍! ଟ୍ରମ୍ପ୍‌ଙ୍କର ନିକଟତମ ବ୍ୟକ୍ତିଗତ ସହାୟକ ତଥା ଜ୍ବାଇଁ ଜାରେଡ୍ କସ୍‌ନର୍ ଯୁବରାଜ ମହମ୍ମଦ ବିନ୍ ସଲ୍‌ମାନଙ୍କର ଜଣେ ଅତ୍ୟନ୍ତ ଘନିଷ୍ଠ ବନ୍ଧୁ ରୂପେ ପରିଚିତ। ଆମେରିକାର ଏକ ଛାମୁଆ ସମ୍ବାଦପତ୍ରର ସ୍ତମ୍ଭକାରଙ୍କୁ ଏଭଳି ହତ୍ୟା କରିଲେ ଟ୍ରମ୍ପ୍‌ଙ୍କର ପ୍ରତିକ୍ରିୟା କିପରି ଭୟାନକ ହୋଇପାରେ ତୁର୍କୀରେ ଆମେରିକୀୟ ଧର୍ମପ୍ରଚାରକ ଆଣ୍ଡ୍ରୁ ବ୍ରନ୍‌ସନ୍‌ଙ୍କୁ ବନ୍ଦୀ କରାଯିବା ପରେ ଟ୍ରମ୍ପ୍ ତୁର୍କୀ ବିରୁଦ୍ଧରେ କରିଥିବା ଅର୍ଥନୈତିକ ଶ୍ବାସରୁଦ୍ଧକାରୀ ଆକ୍ରମଣରୁ ଜଣାପଡ଼େ। ଏଥିରେ ତେଣୁ ସନ୍ଦେହ ନାହିଁ ଯେ ଖାସୋଗିଙ୍କ ହତ୍ୟାକାରୀମାନେ ନିଶ୍ଚିତ ଥିଲେ ଯେ ଏ ଘଟଣାରେ ଟ୍ରମ୍ପ୍‌ଙ୍କର ପ୍ରତିକ୍ରିୟା ସେଭଳି ଚରମ ହେବ ନାହିଁ।

ବର୍ତ୍ତମାନ ଟ୍ରମ୍ପ୍‌ଙ୍କର ଆଚରଣରୁ ତାହା ସତ୍ୟ ପ୍ରମାଣିତ ହେବା ଭଳି ମନେ ହେଉଛି। ସେ ଉଦ୍ଭଟ ମନ୍ତବ୍ୟମାନ ଦେବାରେ ଲାଗିଛନ୍ତି ଯେ ହୁଏତ କେତେକ ବଦ୍‌ମାସ ଇସ୍ତାନ୍‌ବୁଲ୍‌ସ୍ଥିତ ସାଉଦି କନ୍‌ସୁଲେଟ୍‌ରେ ପ୍ରବେଶ କରି ଖାସୋଗିଙ୍କୁ ହତ୍ୟା କରିଥିଲେ। ଲୋକଦେଖାଣିଆ ଭାବରେ ଦୃଢ଼ କାର୍ଯ୍ୟାନୁଷ୍ଠାନର ଧମକ ଦେଇ ପରରାଷ୍ଟ୍ର ସଚିବ ମାଇକ୍ ପମ୍ପିଓଙ୍କୁ ସଲ୍‌ମାନ୍‌ଙ୍କ ସହିତ ଏ ସମ୍ବନ୍ଧରେ କଥାବାର୍ତ୍ତା ପାଇଁ ସାଉଦି ଆରବକୁ ପଠାଇଲା ପରେ ସେ ଖାଲି ହାତରେ ଫେରିବା ତାଙ୍କର ଏକ ନାଟକ ଥିବା ଭଳି ମନେହୁଏ। କାରଣ ତା’ ପରେ ପରେ ସେ ପୁଣି ଏକ ମନ୍ତବ୍ୟ ଦେଲେଣି ଯେ ସାଉଦି ରାଜପରିବାରର ଦୋଷ ପ୍ରମାଣିତ ହେବା ପୂର୍ବରୁ ସେମାନଙ୍କୁ ଦୋଷୀ ବୋଲି ବିଚାର କରାଯିବା ଉଚିତ ନୁହେଁ। ଦୁଇ ଘଟଣା ମଧ୍ୟରେ କୌଣସି ଯୋଗସୂତ୍ର ନଥିଲେ ମଧ୍ୟ ଯେପରି ବଲିଉଡ୍ ତାରକା ସଲ୍‌ମାନ୍ ଖାନ୍‌ଙ୍କ ବିଷୟରେ ରହସ୍ୟରେ କୁହାଯାଏ ଯେ ସେ କୃଷ୍ଣସାର ମୃଗକୁ ହତ୍ୟା କରି ନଥିଲେ, ମୃଗମାନେ ଆତ୍ମହତ୍ୟା କରିଥିଲେ, କିମ୍ବା ସେ ଗାଡ଼ି ଚଢ଼ାଇ ନରହତ୍ୟା କରି ନଥିଲେ, ଗାଡ଼ି ଚାଳକବିହୀନ ଥିଲା, ସେହିପରି କୁହାଯାଇପାରେ ଅକ୍ଟୋବର ୨ ତାରିଖ ଦିନ ଜମାଲ୍ ଖାସୋଗି ଅଲୌକିକ ଭାବରେ ଅଦୃଶ୍ୟ ହୋଇଯାଇଥିଲେ କିମ୍ବା ଆତ୍ମହତ୍ୟା କରିଥିଲେ।

ଅସଲ କଥା ହେଲା ଟ୍ରମ୍ପ୍ ତାଙ୍କର ସାଉଦି ଗସ୍ତ ବେଳେ ସେ ଦେଶ ଆମେରିକାଠାରୁ ୧୧୦ ବିଲିଅନ୍ ଡଲାର୍ ମୂଲ୍ୟର ଅସ୍ତ୍ରଶସ୍ତ୍ର କ୍ରୟ କରିବ ବୋଲି ପ୍ରତିଶ୍ରୁତି ଆଦାୟ କରିଥିବା ବେଳେ ସାଉଦି ଆରବ ଅନ୍ୟ ପ୍ରତିଦ୍ବନ୍ଦ୍ବୀମାନଙ୍କୁ ପ୍ରତ୍ୟାଖ୍ୟାନ କରି ଆମେରିକାର ଅସ୍ତ୍ରଶସ୍ତ୍ର ନିର୍ମାତାମାନଙ୍କ ଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର କ୍ରୟ କରିବାକୁ ଯାଉଛି ବୋଲି ଟ୍ରମ୍ପ୍ ବାହାସ୍ଫୋଟ ମାରିଛନ୍ତି। ଏହା ଆମେରିକାରେ ବୃହତ୍ ଆୟ ଓ ନିଯୁକ୍ତି ସୃଷ୍ଟି କରିବ। ଖାସୋଗି ହତ୍ୟା ପାଇଁ ସାଉଦି ଆରବକୁ ଦଣ୍ଡିତ କଲେ ଆମେରିକା ଏ ଉପହାର ହରାଇ ବସିବ। ଖାସୋଗିଙ୍କୁ ହତ୍ୟା କରିବା ପୂର୍ବରୁ ଯୁବରାଜ ସଲ୍‌ମାନ୍ ତେଣୁ ନିଶ୍ଚିତ ଥିଲେ ଯେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପ୍ରତିକ୍ରିୟା ଏଇ ଭଳି ଦାନ୍ତ ନଖ ବିହୀନ ହେବ।

ଏହା ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଜଣେ ନୀତିହୀନ ନେତା ରୂପେ ପ୍ରଦର୍ଶିତ କରିଥିବାବେଳେ କେତେକ ଛାମୁଆ ପାଶ୍ଚାତ୍ୟ ବ୍ୟବସାୟ ନେତାମାନେ ସେ ଭଳି କଳଙ୍କରୁ ମୁକ୍ତ ରହିବା ପାଇଁ ଏକ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବା ଦେଖା ଯାଇଛି। ଆସନ୍ତା ସପ୍ତାହରେ ସଲ୍‌ମାନ୍‌ଙ୍କ ଉଦ୍ୟମରେ ସାଉଦି ରାଜଧାନୀ ରିଆଦ୍ ଠାରେ ‘ଫିଉଚର୍ ଇନ୍‌ଭେଷ୍ଟ୍‌ମେଣ୍ଟ୍ ଇନିସିଏଟିଭ୍’ ନାମକ ଏକ ଆନ୍ତର୍ଜାତିକ ପୁଞ୍ଜିନିବେଶ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ଏବେ ଦେଖାଯାଇଛି ଖାସୋଗି ଘଟଣା ପ୍ରକାଶିତ ହେବା ପରେ ଏଥିରେ ଯୋଗ ଦେବାକୁ ପୂର୍ବରୁ ସମ୍ମତି ପ୍ରଦାନ କରିଥିବା କେତେକ ପ୍ରମୁଖ କମ୍ପାନିର ମୁଖ୍ୟମାନେ ବର୍ତ୍ତମାନ ସେଥିରୁ ଓହରି ଗଲେଣି। ସେମାନଙ୍କ ମଧ୍ୟରେ ଅଛନ୍ତି ଭର୍ଜିନ୍ ଗ୍ରୁପ୍‌ର କିମ୍ବଦନ୍ତି ମୁଖ୍ୟ ରିଚାର୍ଡ ବ୍ରାନ୍‌ସନ୍, ଉବର୍‌ର ଦାରା ଖୋସ୍ରୋସାହି, ବ୍ଲାକ୍‌ରକ୍ ଭଳି ପୃଥିବୀର ବୃହତ୍ତମ ଘରୋଇ ନିବେଶ କମ୍ପାନିର ମୁଖ୍ୟ ଲାରି ଫିଙ୍କ୍, କ୍ରେଡିଟ୍ ସୁଇସ୍‌ର ମୁଖ୍ୟ ତିଜାନେ ଥିଆମ୍, ଜେପି ମୋର୍ଗାନ୍ ଚେଜ୍‌ର ମୁଖ୍ୟ ଜେମି ଡାଇମନ୍ ଆଦି।

କିନ୍ତୁ ଏମାନେ ଯେ ଏହା ଦ୍ବାରା ନିଜକୁ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ଅପେକ୍ଷା ନୀତିବାନ୍ ବୋଲି ପ୍ରମାଣିତ କରିଛନ୍ତି, ତାହା ନୁହେଁ। ପଡ଼ୋଶୀ ୟେମେନ୍‌ରେ ସାଉଦି ଆରବ ହୁଥି ବିଦ୍ରୋହୀମାନଙ୍କ ଉପରେ ଯେଉଁ ଦମନଲୀଳା ଚଳାଇଛି ସେଥିରେ ଆମେରିକା, ବ୍ରିଟେନ୍ ଆଦି ପାଶ୍ଚାତ୍ୟ ଶକ୍ତିମାନେ ତାକୁ ପ୍ରତ୍ୟକ୍ଷ ସାହାଯ୍ୟ ଯୋଗାଇଛନ୍ତି। ତାହା‌ ଯୋଗୁଁ ବର୍ତ୍ତମାନ ପ୍ରାୟ ୧୮ ନିୟୁତ ୟେମେନ୍‌ବାସୀ ଦୁର୍ଭିକ୍ଷର ସମ୍ମୁଖୀନ। ଏହି ମାନବାଧିକାର ସମସ୍ୟା ଉପରୋକ୍ତ କମ୍ପାନିମାନଙ୍କୁ କେବେ ବି ସାଉଦି ଆରବ ସହିତ ବ୍ୟବସାୟ କରିବାରୁ ନିରୁତ୍ସାହିତ କରିବା ଦେଖାଯାଇ ନାହିଁ। ସେହିପରି, ଆସନ୍ତା ମାସରେ ଚୀନ୍ ଉଦ୍ୟମରେ ସିଓଲ୍ ଠାରେ ‘ବୋଆଓ ଫୋରମ୍ ଫର୍ ଏସିଆ’ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଉପରୋକ୍ତ କୌଣସି କମ୍ପାନି ଏ ପର୍ଯ୍ୟନ୍ତ ସେଥିରୁ ଓହରି ଯିବା ଦେଖାଯାଇ ନାହିଁ; ଯଦିବା ଚୀନ୍‌ର ମାନବାଧିକାର ରେକର୍ଡ ସାଉଦି ଆରବଠାରୁ କୌଣସି ଗୁଣରେ ଭଲ ନୁହେଁ। କେତେକ ସଦ୍ୟ ଉଦାହରଣ ସ୍ବରୂପ ଚଳିତ ମାସରେ ଚୀନ୍ ଇଣ୍ଟରପୋଲ୍‌ର ପ୍ରେସିଡେଣ୍ଟ୍ ଥିବା ମେଙ୍ଗ୍ ହଙ୍ଗ୍‌ୱେଙ୍କୁ ଅପହରଣ କରି ନେଇ ବିଶ୍ବବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଛି; ଭିସା ଅସ୍ତ୍ର ବ୍ୟବହାର କରି ଲଣ୍ଡନ୍ ‘ଫାଇନାନ୍‌ସିଆଲ୍ ଟାଇମ୍‌ସ’ ର ସାମ୍ବାଦିକଙ୍କୁ ଦେଶରୁ ବିତାଡ଼ିତ କରିଛି। ପ୍ରାୟ ଏକ ନିୟୁତ ଉଇପୁର ମୁସଲମାନଙ୍କୁ ତାଲିମ ଖୁଆଡ଼ରେ ବନ୍ଦୀ କରି ରଖିଛି। କୂଟନୀତିରେ ଯେପରି ନୀତିର ସ୍ଥାନ ନଥାଏ, ବ୍ୟାବସାୟିକ ଲାଭ କ୍ଷତି ହିସାବରେ ସେପରି ନୀତି ଅତ୍ୟନ୍ତ ସ୍ଥିତିସ୍ଥାପକ ହୋଇଥାଏ। ଆମେ ତେଣୁ ଅ‌ାଦୌ ଆଶ୍ଚର୍ଯ୍ୟ ହେବୁ ନାହିଁ ଯଦି ଶେଷକୁ ଆବିଷ୍କାର କରାଯାଏ ଯେ ଜମାଲ୍ ଖାସୋଗି ନାମକ କେହି ବ୍ୟକ୍ତି କେବେ ବି ନଥିଲେ- ଜର୍ଜ ଅର‌େୱଲଙ୍କ ଉପନ୍ୟାସ ‘୧୯୮୪’ର ‘ଅନପର୍ସନ୍’ (‘ଅ-ବ୍ୟକ୍ତି’) ଭଳି।

ସମ୍ବନ୍ଧିତ ଖବର