ରେଳ ଟ୍ରାଜେଡି ପରିକ୍ରମା

ଗଲା ଶୁକ୍ରବାର, ଦଶହରା ସ˚ଧ୍ୟାରେ ଯେତେବେଳେ ସାରା ଦେଶ ଉଲ୍ଲାସରେ ମତ୍ତ ଥିଲା, ସେତିକି ବେଳେ ପଞ୍ଜାବର ଅମୃତସର ଠାରେ ଘଟିଗଲା ଏକ ଦାରୁଣ ରେଳ ଟ୍ରାଜେଡି। ଏଭଳି ଏକ ରେଳ ଦୁର୍ଘଟଣା ବୋଧହୁଏ ଭାରତୀୟ ରେଳବାଇ ଇତିହାସରେ ପ୍ରଥମ ଏବ˚ ଆଶା କରିବା ଯେ ଏମିତି ଦୁର୍ଘଟଣା କ୍ରମରେ ଏହା ଅନ୍ତିମ ହେଉ।

ସେହି ସ˚ଧ୍ୟାରେ ଅମୃତସରର ଏକ ବଡ଼ ପୂଜା ସ୍ଥଳରେ ରାବଣ ଦହନ ଦେଖିବା ଲାଗି ଶହ ଶହ ଲୋକ ଏକତ୍ର ହୋଇଥିଲେ। ଦୃଶ୍ୟକୁ ଟିକିଏ ଭଲ ଭାବେ ଦେଖିବା ଲାଗି ଅନେକ ଲୋକ ନିକଟସ୍ଥ ରେଳଧାରଣା ଉପରେ ରୁଣ୍ତ ହୋଇଥିଲେ। ଏହି ସମୟରେ ଡିଏମୟୁ ଟ୍ରେନ୍‌ଟିଏ ଅତି ଦ୍ରୁତ ଗତିରେ ଆସି ଏହି ଲୋକମାନଙ୍କ ଉପରେ ମାଡ଼ିଯାଇଥିଲା। ଏ ମର୍ମନ୍ତୁଦ ଟ୍ରାଜେଡିରେ ୬୧ ଜଣଙ୍କ ପ୍ରାଣହାନି ହୋଇଛି, ଅସ˚ଖ୍ୟ ଆହତ ହୋଇ ମୃତ୍ୟୁ ସହିତ ଲଢେ଼ଇ କରୁଛନ୍ତି; ସେଇ କାରଣରୁ ମୃତ୍ୟୁ ସ˚ଖ୍ୟା ବଢ଼ିବାର ଆଶଙ୍କା ମଧ୍ୟ ରହିଛି।

ଏବେ ଦୁର୍ଘଟଣାଟି ଘଟିଯିବା ପରେ କାହିଁକି ଏଭଳି ଘଟିଗଲା ବୋଲି ବ୍ୟବଚ୍ଛେଦ ଆରମ୍ଭ ହୋଇଯାଇଛି। ତେବେ, ସେଥିରୁ କିଛି ନିଷ୍କର୍ଷ ମିଳିବାର ଆଶା କ୍ଷୀଣ। ରେଳ ଧାରଣାର ନିକଟବର୍ତ୍ତୀ ଏଭଳି ଏକ ସ୍ଥାନରେ ପୂଜା ଆୟୋଜନ କରାଗଲା କେମିତି ଏବ˚ ସେଠାରେ ରୁଣ୍ତ ହୋଇଥିବା ଲୋକମାନଙ୍କୁ ରେଳ ଧାରଣା ଉପରକୁ ନ ଯିବା ଲାଗି ସତର୍କ କରିଦିଆଗଲା ନାହିଁ କାହିଁକି ଭଳି ପ୍ରଶ୍ନ ଉଠୁଛି, ଯାହାର ଉତ୍ତରରେ ପୂଜାର ଆୟୋଜକ(କୁହାଯାଉଛି ଜଣେ କ˚ଗ୍ରେସ କାଉନସିଲର) କହୁଛନ୍ତି ଗଲା ଏକ ଦଶକରୁ ଅଧିକ କାଳ ଧରି ଏଭଳି ପୂଜା ହୋଇ ଆସୁଛି, ପୁଲିସ୍ ଅନୁମତି ମିଳିଛି ଏବ˚ ପୂର୍ବରୁ କେବେ କୌଣସି ଦୁର୍ଘଟଣା ଘଟିନାହିଁ, ତେଣୁ ଏବେ ଏମିତି ଘଟିବ ବୋଲି ଆଶଙ୍କା କରାଯିବ କେମିତି? ରେଳକୁ ଚଳାଉଥିବା ଚାଳକ କହିଛନ୍ତି ଯେ ଅନ୍ଧାର ଥିଲା, ସ୍ଥାନଟି ଧୂଆଁରେ ଭରା ଥିଲା, ଆଗରେ ମୋଡ଼ ଥିଲା, ତେଣୁ ଜାଣି ହେଲା ନାହିଁ। ରେଳବାଇ କର୍ତ୍ତୃପକ୍ଷଙ୍କ ପଦାଧିକାରୀ କହୁଛନ୍ତି ଯେ ଘଟଣାଟି ହୃଦୟବିଦାରକ ନିଶ୍ଚୟ, କିନ୍ତୁ ରେଳଗାଡ଼ି ଚଳପ୍ରଚଳ କରୁଥିବା ରେଳଧାରଣା ଉପରେ ଲୋକେ ରୁଣ୍ତ ହେବା ଏକ ଅନଧିକୃତ ପ୍ରବେଶ ଭଳି କଥା। ତେଣୁ ଲୋକେ ଏଭଳି ବେନିୟମ କାମ କଲେ କେମିତି? ସେଇ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଲୋକଙ୍କ କହିବା କଥା ହେଲା, ଆଲୋକ ରୋଷଣି ଓ ବାଣ ଶବ୍ଦରେ କାନ ତାବ୍‌ଦା ପଡ଼ିଯାଉଥିବାରୁ ସେମାନେ ରେଳ ଆସିବା କଥା ଜାଣି ପାରି ନ ଥିଲେ। ଏହା ମଧୢ କୁହାଯାଉଛି ଯେ ଟ୍ରେନ୍‌ଟି ସେଇ ଦିନ ଠିକ ସମୟରେ (ଦୁର୍ଭାଗ୍ୟକୁ!) ଚାଲୁଥିଲା। ଆଉ ମାତ୍ର ପନ୍ଦର ମିନିଟ ବିଳମ୍ବରେ ଚାଲୁଥିଲେ ଦୁର୍ଘଟଣାଟି ହୋଇ ନ ଥାଆନ୍ତା! ସେହି ରାବଣ ପୋଡ଼ି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପଞ୍ଜାବର ପର୍ଯ୍ୟଟନ ଓ ସ˚ସ୍କୃତି ମନ୍ତ୍ରୀ ନବଜ୍ୟୋତ ସି˚ହ ସିଦ୍ଧୁ। ଦୁର୍ଘଟଣା ପରେ ସେ ଇଲେକ୍ଟ୍ରୋନିକ ଗଣମାଧୢମକୁ କହିଲେ ଯେ ‘ଏହା ଇଚ୍ଛାକୃତ ନୁହେଁ ବା ଏହା ପଛରେ କାହାର କୌଣସି ଅଭିସନ୍ଧି ନାହିଁ। ଏହା ଏକ ଦୈବୀ ଦୁର୍ଘଟଣା।’ ତେବେ ଏହି ତଥାକଥିତ ‘ଦୈବୀ ଦୁର୍ଘଟଣା’ରେ ମନୁଷ୍ୟକୃତ ଭୂମିକା କିଛି ଅଛି ନା ନାହିଁ, ତାହା ଧାର୍ଯ୍ୟ କରିବା ଲାଗି ବୋଧହୁଏ ପଞ୍ଜାବ ସରକାର ଗୋଟିଏ ମାଜଷ୍ଟ୍ରେଟ୍‌ ସ୍ତରୀୟ ତଦନ୍ତର ଆଦେଶ ଦେଇଛନ୍ତି। ସେଇ ତଦନ୍ତ ପରେ ଆମେ ହୁଏତ ଜାଣିପାରବା ଯେ ଦୋଷ କାହାର?

ଏହି ଦୁର୍ଘଟଣା ଘଟିବା ପରେ ପରେ ଯାହା ହେବା କଥା ତାହା ହିଁ ହେଲା। ଗଣମାଧୢମ ସକ୍ରିୟ ହୋଇଉଠିଲା। ରାଜନେତାମାନଙ୍କ ସାମନାରେ ଯେତେବେଳେ ଇଲେକ୍ଟ୍ରୋନିକ ଗଣମାଧୢମର ‘ବୁମ୍‌’ ଉଭା ହେଲା, ସେମାନେ ତୁଣ୍ତରେ ତୁଣ୍ତି ବାନ୍ଧି ପାରିଲେ ନାହିଁ। କ୍ରିକେଟ୍ ଖେଳ ଅପେକ୍ଷା ନିଜ ବାକ୍‌ ଚାତୁରୀ ଲାଗି ଅଧିକ ପ୍ରସିଦ୍ଧି ଅର୍ଜନ କରିଥିବା ନବଜ୍ୟୋତ ସି˚ହ ସିଦ୍ଧୁ କ’ଣ ସବୁ କହିଗଲେ ତାହା ବୁଝିପାରିଲେ ନାହିଁ, ଯାହାର ସମାଲୋଚନା ରାଜ୍ୟର ବିରୋଧୀ ଦଳଗୁଡ଼ିକ କଲେ ଏବ˚ ଅଚିରେ ତାହା ରାଜନୈତିକ ଦଳଗୁଡ଼ିକ ଭିତରେ ପରସ୍ପର ଉପରେ କାଦୁଅ ଫିଙ୍ଗା ସ୍ତରକୁ ଆସିଲା। ଏଭଳି ଏକ ଭୟାବହ ଟ୍ରାଜେଡି ସମକ୍ଷରେ ଅନ୍ତର୍ବେଦନା ଦ୍ବାରା ଦ୍ରବୀଭୂତ ବ୍ୟକ୍ତି ସାଧାରଣତଃ ନିରବ ପଡ଼ିଯାଏ। କିନ୍ତୁ ରାଜନୈତିକ ନେତାମାନେ ସେଭଳି କରନ୍ତି ନାହିଁ। ସେମାନେ ଅନାବଶ୍ୟକ ଭାବେ କହି ଚାଲନ୍ତି। ଭାବପୂର୍ଣ୍ଣ ନିରବତାକୁ ବୋଧହୁଏ ରାଜନୈତିକ ନିର୍ବୋଧତା ବୋଲି ମନେ କରାଯାଏ।

ଏଭଳି ଘଟଣାଗୁଡ଼ିକର ପରିକ୍ରମା କଲେ ଦେଖାଯାଏ ଯେ ରାଜନୈତିକ ଆରୋପ ପ୍ରତି ଆରୋପ, ଗଣମାଧୢମର ଆକ୍ରମଣାତ୍ମକ ମୁଦ୍ରା, ନ୍ୟୁଜ୍‌ ଚ୍ୟାନେଲର ଉପସ˚ହାରହୀନ ପ୍ୟାନେଲ ଆଲୋଚନା ଓ ମିଡିଆ ଟ୍ରାଏଲ ଇତ୍ୟାଦି ସହିତ ଟ୍ରାଜେଡିରେ ନିଜର ସବୁ କିଛି ହରାଇ ଦେଇଥିବା ଚରିତ୍ରମାନଙ୍କ ନିର୍ବାକ ଆର୍ତ୍ତନାଦ ଇତ୍ୟାଦି ମିଶିଯାଇ ଟେଲିଭିଜନ୍‌ ‘ସୋପ୍‌ ଅପେରା’ର ରୂପ ଧାରଣ କରେ। ଏହି ଧାରା ଏଭଳି ଗତାନୁଗତିକ ହୋଇଗଲାଣି ଯେ ଏବେ ଠାରୁ ଆଗକୁ ଦେଖି ହେଉଛି ଯେ ଏ ଘଟଣା ଅଚିରେ ସାମୂହିକ ସ୍ମୃତିରୁ ବିଲୀନ ହୋଇଯିବ! ଏବ˚ ଯେମିତି କୁହାଯାଇଥାଏ ଯେ ଇତିହାସକୁ ବିସ୍ମରଣ କରୁଥିବା ଲୋକେ ଇତିହାସର ପୁନରାବୃତ୍ତି କରିବା ଲାଗି ବାଧୢ ହୁଅନ୍ତିି; ସେପରି ଘଟିବ।

ଇତି ମଧୢରେ ‘ନେସନାଲ କ୍ରାଇମ ରେକର୍ଡସ ବ୍ୟୁରୋ’ ପକ୍ଷରୁ ମିଳିଥିବା ଏକ ସୂଚନା ଅନୁଯାୟୀ ୨୦୦୪ରୁ ୨୦୧୫; ଏହି ୧୨ ବର୍ଷ ଭିତରେ ଭାରତରେ ୩୯ ଲକ୍ଷ ଲୋକଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ଏହା ଭିତରୁ ସର୍ବାଧିକ ସ˚ଖ୍ୟକ ମୃତ୍ୟୁବରଣ କରିଛନ୍ତି ସଡ଼କ ଦୁର୍ଘଟଣାରେ, ତା ପରେ ପାଣିରେ ବୁଡ଼ି ଏବ˚ ତୃତୀୟ ସ୍ଥାନରେ ରହିଛି ରେଳ ଦୁର୍ଘଟଣା। ଜଣାଯାଇଛି ଯେ ଏହି ସମୟ କାଳ ଭିତରେ ୨.୯ ଲକ୍ଷ ଲୋକ ରେଳ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହାର ଅର୍ଥ ପ୍ରତି ଘଣ୍ଟାରେ ରେଳ ଦୁର୍ଘଟଣା ନେଉଛି ହାରାହାରି ୨ଟିରୁ ଅଧିକ ଜୀବନ ଏବ˚ ବିଡ଼ମ୍ବନାଟି ହେଉଛି, ଏଭଳି ଦୁର୍ଘଟଣା ଭିତରୁ ଅଧିକା˚ଶକୁ ରୋକାଯାଇପାରନ୍ତା ବା ଅଧିକା˚ଶରୁ ବର୍ତ୍ତିଯାଇ ହୁଅନ୍ତା। କିନ୍ତୁ ସେଥିଲାଗି ବିଭିନ୍ନ ସ୍ତରରେ ଯେଉଁ ସତର୍କତା ଲୋଡ଼ା, ଯେଉଁଭଳି ସଚେତନତାର ଆବଶ୍ୟକତା ରହିଛି, ତାର ଘୋର ଅଭାବ ପରିଦୃଷ୍ଟ ହେଉଛି।

ଏବେ ଆସିବା ଏହି ପ୍ରଶ୍ନକୁ ଯେ ଅମୃତସର ରେଳ ଟ୍ରାଜେଡି ଲାଗି ଉତ୍ତରଦାୟୀ କିଏ? ପୂର୍ବରୁ କୁହାଯାଇଛି ଯେ ସେଥି ଲାଗି ରାଜ୍ୟ ସରକାର ମାଜିଷ୍ଟ୍ରେଟ ସ୍ତରୀୟ ତଦନ୍ତର ଆଦେଶ ଦେଇଛନ୍ତି। ତେବେ ଏଭଳି ପ୍ରକରଣରେ ଯାହା ସାଧାରଣତଃ ହୋଇଥାଏ, ଏଠାରେ ମଧ୍ୟ ତାହା ହେବାର ସମ୍ଭାବନା ଅଧିକ- ଅର୍ଥାତ୍ ଉଚ୍ଚତର ସ୍ତରରେ କେହି ହେଲେ ଦୋଷୀ ସାବ୍ୟସ୍ତ ହେବେ ନାହିଁ, ଦୋଷ ମୁଣ୍ତାଇବାକୁ ପଡେ଼ ତଳ ସ୍ତରୀୟ କୌଣସି ବ୍ୟକ୍ତିିଙ୍କୁ। ଆମର ଚମତ୍କାର ସୋପାନୀକୃତ ଶାସନ ଓ ପ୍ରଶାସନ ବ୍ୟବସ୍ଥାରେ ଶ୍ରେୟ ତୁଙ୍ଗତମ ସ୍ତରର ବ୍ୟକ୍ତି ନେଲା ବେଳକୁ ଦୋଷ ନେବାର ଦାୟିତ୍ବ ତଳରୁ ତଳକୁ ଗଡ଼ିଆସେ।

ତେବେ, ସତ କଥାଟି ହେଲା, ଉତ୍ତର ଦାୟିତ୍ବକୁ କୌଣସି ବାହ୍ୟ ଏଜେନ୍‌ସି ଦ୍ବାରା ନିର୍ଦ୍ଧ‌ାରଣ କରାଯିବା ସମ୍ଭବ ନୁହେଁ। ଏହା ସର୍ବଦା ପ୍ରମାଦପୂର୍ଣ୍ଣ ହେବାର ଭୟ ରହିଛି। ଯେଉଁମାନେ ସ୍ବତଃସ୍ପୂର୍ତ୍ତ ଭାବେ ଉତ୍ତର ଦାୟିତ୍ବ ନିଅନ୍ତି, ସେମାନେ ଏକ ବିରଳ ନୈତିକ ସାହସର ପ୍ରଦର୍ଶନ କରନ୍ତି। କିନ୍ତୁ, ସେଭଳି ନୈତିକ ସାହସର ଦୃଷ୍ଟାନ୍ତ ଆଉ ଦେଖିବାକୁ ମିଳୁଛି କି? ଏକଦା ଲାଲ ବାହାଦୁର ଶାସ୍ତ୍ରୀ ସେଭଳି କରିପାରିଥିଲେ ଏବ˚ ଏକ ରେଳ ଦୁର୍ଘଟଣା ପରେ ନୈତିକ ଦାୟିତ୍ବ ସ୍ବୀକାର କରି ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଚାଲିଯାଇଥିଲେ। ସେଥି ପାଇଁ ଏଭଳି ଘଟଣା ସମୟରେ ସେ ଅଧିକ ମନେ ପଡ଼ନ୍ତି। କିନ୍ତୁ ଆଜି ଆଉ ଜଣେ ଶାସ୍ତ୍ରୀଜିଙ୍କୁ ପାଇବାର ଆଶା ରଖିବା ବି ଆକାଶ କୟାଁ ସଦୃଶ।

ସମ୍ବନ୍ଧିତ ଖବର