ନିରବ ମୋଦୀଙ୍କ ଠକେଇର ଶିକାର ହୋଇ ନିଜର ବାଗ୍‌ଦତ୍ତାଙ୍କୁ ହରାଇ ବସିଥିବା କାନାଡ଼ା ନାଗରିକ ପଲ୍ ଆଲ୍‌ଫୋନ୍‌ସୋଙ୍କ ମାସିକ ଆୟ ବୋଧହୁଏ ହୋଇଥିବ ୨,୦୦,୦୦୦ (ଦୁଇ ଲକ୍ଷ) ଡଲାର୍ (ଦେଢ଼ କୋଟି ଟଙ୍କା) କିମ୍ବା ଅତି କମ୍‌ରେ ୧,୦୦,୦୦୦ (ଏକ ଲକ୍ଷ) ଡଲାର୍ (୭୫ ଲକ୍ଷ ଟଙ୍କା)। ଏହାର କାରଣ ସରଳ। ସେ ଗତ ଜୁନ୍‌ରେ ନିରବ ମୋଦୀଙ୍କଠାରୁ ଯେଉଁ ଦୁଇଟି ହୀରା ମୁଦି କିଣି ବିବାହ ପ୍ରସ୍ତାବ ଦେବା ବେଳେ ତାଙ୍କର ବାଗ୍‌ଦତ୍ତାଙ୍କୁ ଉପହାର ଦେଇଥିଲେ, ସେ ଦୁଇଟିର ମିଳିତ ମୂଲ୍ୟ ବାବଦକୁ ସେ ନିରବଙ୍କୁ ୨ ଲକ୍ଷ ଡଲାର୍ ପ୍ରଦାନ କରିଥିଲେ। (ମୁଦି ଦୁଇଟି ପାଇଁ ବୀମା କରିବା ଉପଲକ୍ଷେ ସେଗୁଡ଼ିକର ବିଶୁଦ୍ଧତା ପରୀକ୍ଷା କରାଯିବା ବେଳେ ସେ ଗୁଡ଼ିକ ନକଲି ବୋଲି ଜଣାପଡ଼ିବାରୁ ଆଲ୍‌ଫୋନ୍‌ସୋଙ୍କ ବାଗ୍‌ଦତ୍ତା କ୍ରୁଦ୍ଧ ହୋଇ ତାଙ୍କୁ ପରିତ୍ୟାଗ କରିବା ଏବଂ ଆଲ୍‌ଫୋନ୍‌ସୋ ଏ ଧକ୍‌କା ସହି ନ ପାରି ମାନସିକ ଅବସାଦର ଶିକାର ହେବା ଆନ୍ତର୍ଜାତିକ ଗଣମାଧ୍ୟମରେ ପ୍ରସାରିତ ଏକ ରୋଚକ ଚଞ୍ଚକତା ଖବରରେ ପରିଣତ ହୋଇଛି।)

Advertisment

ଗତକାଲିଠାରୁ ନିରବ ମୋଦୀଙ୍କ ହୀରା ବ୍ୟବସାୟର ମୂଳ ସହର ମୁମ୍ବାଇଠାରେ ଆନ୍ତର୍ଜାତିକ ହୀରା ବ୍ୟବସାୟୀମାନଙ୍କର ସଂଗଠନ ‘ୱାର୍ଲଡ ଡାଇମଣ୍ଡ୍ କାଉନ୍‌ସିଲ୍’ (‘ବିଶ୍ବ ହୀରକ ପରିଷଦ’)ର ବାର୍ଷିକ ସମ୍ମିଳନୀ ଆରମ୍ଭ ହୋଇଛି। ପଲ୍ ଆଲ୍‌ଫୋନ୍‌ସୋ ନିଜର ଦୁର୍ଭାଗ୍ୟ ପାଇଁ ଅବଶ୍ୟ ସିଧାସଳଖ ନିରବ ମୋଦୀଙ୍କୁ ଦାୟୀ କରୁଛନ୍ତି (ସେ ମୋଦୀଙ୍କ ହଙ୍ଗ୍‌କଙ୍ଗ୍ ଦୋକାନରୁ ମୁଦି ଦୁଇଟି କିଣିବା ବେଳେ ମୋଦୀଙ୍କର ବ୍ୟାଙ୍କ୍ ଠକେଇ ଓ ପଳାତକ ପୃଷ୍ଠଭୂମି ସମ୍ବନ୍ଧରେ ଆଦୌ ଅବଗତ ନଥିଲେ); କିନ୍ତୁ ଯଦି ଏକ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ଗ୍ରହଣ କରାଯାଏ ‌େ‌ତବେ ନିଃସନ୍ଦେହରେ କୁହାଯାଇପାରିବ ଯେ ମୁମ୍ବାଇ ସମ୍ମିଳନୀରେ ଯୋଗ ଦେଇଥିବା ହୀରା ବ୍ୟବସାୟୀମାନେ ହିଁ ହେଉଛନ୍ତି ପଲ୍ ଆଲ୍‌ଫୋନ୍‌ସୋଙ୍କ ଭଳି ପ୍ରେମିକମାନଙ୍କର ଦୁର୍ଦଶାର ମୂଳ କାରଣ। ହୀରା ହେଉଛି ଏପରି ଏକ ଦୁର୍ମୂଲ୍ୟ ବିଳାସ ଦ୍ରବ୍ୟ, ଯାହାର ଚାହିଦା ହେଉଛି ଏକ ସଂପୂର୍ଣ୍ଣ ରୂପେ କୃତ୍ରିମ କୌଶଳ ପ୍ରୟୋଗର ପରିଣାମ।

୧୯୩୦ ଦଶକରେ ଯେତେବେଳେ ଏକ ଭୀଷଣ ଅର୍ଥନୈତିକ ମାନ୍ଦା ଅବସ୍ଥା (ଦି ଗ୍ରେଟ୍ ଡିପ୍ରେସନ୍) ଅ‌ାମେରିକାରୁ ଆରମ୍ଭ ‌େହାଇ ସମଗ୍ର ପାଶ୍ଚାତ୍ୟ ଜଗତ୍‌କୁ ଗ୍ରାସ କରିଥିଲା, ପୃଥିବୀର ସର୍ବବୃହତ୍ ହୀରା କମ୍ପାନି ‘ଡି ବିଅର୍ସ’ ଏକ ଚତୁର ବିକ୍ରୟ କୌଶଳ ଉଦ୍ଭାବନ କରି ହୀରା ପ୍ରତି ଚାହିଦାକୁ ଅକ୍ଷତ ରଖିବାରେ ସଫଳ ହୋଇଥିଲା। ଏହି କମ୍ପାନି ବ୍ୟାପକ ପ୍ରଚାର ମାଧ୍ୟମରେ ଆଲ୍‌ଫୋନ୍‌ସୋଙ୍କ ବାଗ୍‌ଦତ୍ତାଙ୍କ ପରି ଯୁବତୀମାନଙ୍କର ହୃଦ୍‌ବୋଧ କରାଇ ଦେଲା ଯେ ଯଦି ସେମାନଙ୍କର ଭାବୀ ପତିମାନେ ସେମାନଙ୍କୁ ଉପହାର ଦେଉଥିବା ନିର୍ବନ୍ଧ ମୁଦ୍ରିକା (ଏନ୍‌ଗେଜ୍‌ମେଣ୍ଟ୍ ରିଙ୍ଗ୍)ର ମୂଲ୍ୟ ଅତିକମ୍‌ରେ ସେମାନଙ୍କର ଗୋଟିଏ ମାସର ଦରମା ସହିତ ସମାନ ନହୁଏ, ତେବେ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଭାବୀ ପତି ଜଣକ ହେଉଛନ୍ତି ଜଣେ ଶୀତଳ- ହୃଦୟ କୃପଣ। ପରବର୍ତ୍ତୀ ସମୟରେ ଏହି ନିର୍ବନ୍ଧ ମୁଦ୍ରିକାର ମୂଲ୍ୟକୁ ଅନ୍ତତଃ ଦୁଇମାସର ଦରମା ସହିତ ସମାନ କରିଦିଆଯାଇଥିଲା। ଏହା ହିଁ ହେଉଛି ପଲ୍ ଆଲ୍‌ଫୋନ୍‌ସୋଙ୍କ ମାସିକ ଆୟ ସମ୍ବନ୍ଧରେ ଆମେ ଆରମ୍ଭରେ କରିଥିବା ଅନୁମାନର ଭିତ୍ତି। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆନ୍ତର୍ଜାତିକ ବଜାରରେ ହୀରା ପ୍ରତି ଚାହିଦାରେ ଅବିରତ ବୃଦ୍ଧି ଘଟି ଚାଲିବା ଦେଖାଯାଇଛି। (୧୯୪୮ରେ ସେଇ ‘ଡି ବିଅର୍ସ’ କମ୍ପାନି ଉଦ୍ଭାବନ କରିଥିବା ସ୍ଲୋଗାନ୍- ‘ଏ ଡାଇମଣ୍ଡ୍ ଇଜ୍ ଫର୍ ଏଭର୍’ ବା ‘ହୀରାଟିଏ ହେଉଛି ଅନନ୍ତ କାଳ ପାଇଁ’- ଏଥିପାଇଁ ଯୋଗାଇଥିବା ଇନ୍ଧନର ଭୂମିକା ମଧ୍ୟ କିଛି କମ୍ ନୁହେଁ; ଯେଉଁଥିପାଇଁ ଏହାକୁ ସର୍ବକାଳୀନ ସର୍ବଶ୍ରେଷ୍ଠ ବିଜ୍ଞାପନ ସ୍ଲୋଗାନ୍ ରୂପେ ବିବେଚନା କରାଯାଇଥାଏ।) ବର୍ତ୍ତମାନ କିନ୍ତୁ ମୁମ୍ବାଇରେ ଏକତ୍ର ହୋଇଥିବା ହୀରା ବ୍ୟବସାୟୀମାନଙ୍କୁ ସେମାନଙ୍କ ବ୍ୟବସାୟର ଏହି ସଫଳ ଅତୀତ ଯେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ କରୁଥିବ, ତାହାର ସମ୍ଭାବନା କ୍ଷୀଣ।

ହୀରା ବ୍ୟବସାୟର ଅନୁଶୀଳନ କରୁଥିବା ମର୍ଯ୍ୟାଦାଜନକ କନ୍‌ସଲ୍‌ଟାନ୍‌ସି ‘ବେନ୍ ଆଣ୍ଡ୍ କମ୍ପାନି’ର ଆକଳନ ଅନୁସାରେ ୨୦୧୬ ତୁଳନାରେ ୨୦୧୭ରେ ଆନ୍ତର୍ଜାତିକ ବଜାରରେ ଖଣିରୁ ସଂଗୃହୀତ ଚିକ୍‌କଣ କରାଯାଇ ନଥିବା ହୀରା (ରଫ୍ ଡାଇମଣ୍ଡ୍)ର ବିକ୍ରୟରେ ବିଶେଷ ହ୍ରାସ ଘଟିବା ଦେଖାଯାଇଛି: ୨୦୧୬ରେ ଏହା ୧୫ ବିଲିଅନ୍ ଡଲାର୍ ଥିବା ବେଳେ ୨୦୧୭ରେ ଏହା ହୋଇଥିଲା ୧୪ ବିଲିଅନ୍ ଡଲାର୍। ହୀରାର ଯୋଗାଣରେ ବୃଦ୍ଧି ଘଟି ଉତ୍ପାଦନକାରୀଙ୍କ ଲାଭ ପ୍ରାୟ ଉଭେଇ ଯାଇଛି। ବେନ୍‌ର ଅନୁମାନ ଅନୁସାରେ ଆସନ୍ତା ଦଶ ବର୍ଷ ମଧ୍ୟରେ ହୀରାଖଣିମାନଙ୍କରୁ ବାର୍ଷିକ ଆହୁରି ଅତିରିକ୍ତ ୨୬ ନିୟୁତ କାରେଟ୍ ଲେଖାଏଁ ହୀରା ଉତ୍ତୋଳିତ ହେବାକୁ ଯାଉଛି। ହୀରା ବିକ୍ରେତାମାନେ ମଧ୍ୟ ଚାପଗ୍ରସ୍ତ ଅବସ୍ଥାରେ ଅଛନ୍ତି। ପଶ୍ଚିମ ଓ ଦକ୍ଷିଣ ଆଫ୍ରିକାର ଅନେକ ହୀରାଖଣି ଏକଛତ୍ର ଶାସକ ଓ ମାଫିଆମାନଙ୍କ କବଳରେ ଥାଇ ରକ୍ତରଞ୍ଜିତ ହୋଇଥିବାରୁ ଆନ୍ତର୍ଜାତିକ ବଜାରରେ ସେ ସବୁ ହୀରାକୁ କଳଙ୍କିତ ରକ୍ତରଞ୍ଜିତ ହୀରା (ବ୍ଲଡ୍ ଡାଇମଣ୍ଡ୍) ରୂପେ ଚିହ୍ନିତ କରି ବାସନ୍ଦ କରାଯାଉଛି।

ଇତି ମଧ୍ୟରେ ଖଣିରୁ ମିଳୁଥିବା ପ୍ରାକୃତିକ ହୀରାର ଏକ ପ୍ରତିଦ୍ବନ୍ଦ୍ବୀର ମଧ୍ୟ ଆବିର୍ଭାବ ଘଟିଲାଣି ଯାହା ଏହି କଳଙ୍କରୁ ସମ୍ପୂର୍ଣ୍ଣ ମୁକ୍ତ- କାରଣ ଏହାର ଜନ୍ମ ହେଉଛି ବିଜ୍ଞାନାଗାର ବା ଲ୍ୟାବ୍‌ରେ। ବିଶୁଦ୍ଧ ଅଙ୍ଗାର ରୂପେ ପରିଚିତ ପ୍ରାକୃତିକ ହୀରାର ସୃଷ୍ଟି ପାଇଁ ନିୟୁତ ନିୟୁତ ବର୍ଷ ଆବଶ୍ୟକ ହୋଇଥିବା ବେଳେ ସେଇ ପ୍ରାକୃତିକ ପ୍ରକ୍ରିୟାକୁ ଅନୁକରଣ କରି ଲ୍ୟାବ୍‌ରେ ମାତ୍ର ୧୦-୧୨ ସପ୍ତାହ ମଧ୍ୟରେ କୃତ୍ରିମ ହୀରା ସୃଷ୍ଟି କରାଯାଇପାରୁଛି। ଏ ଦୁଇ ଜାତିର ହୀରା ମଧ୍ୟରେ ପ୍ରଭେଦ ଠଉରାଇବା ପ୍ରାୟ ଅସମ୍ଭବ, କିନ୍ତୁ ଲ୍ୟାବ୍ ହୀରାର ଦାମ୍ ଖଣି ହୀରାର ଦାମ୍‌ଠାରୁ ପ୍ରାୟ ୪୦% ପର୍ଯ୍ୟନ୍ତ କମ୍। ଏଣୁ ପରିବେଶ ସଚେତନ, ମାନବାଧିକାର ସଚେତନ ତଥା ମୂଲ୍ୟ ସଚେତନ ଗ୍ରାହକମାନେ ଖଣି ହୀରା ସ୍ଥାନରେ ଲ୍ୟାବ୍ ହୀରାକୁ ପସନ୍ଦ କରିବା ଆରମ୍ଭ କଲେଣି। ଏକ ଆକଳନ ଅନୁସାରେ ବର୍ତ୍ତମାନ ପୃଥିବୀରେ ମୋଟ ହୀରା ଯୋଗାଣରେ ଲ୍ୟାବ୍ ହୀରାର ଅଂଶ ପ୍ରାୟ ୨%ରେ ପହଞ୍ଚିଲାଣି ଏବଂ ୨୦୩୦ ସୁଦ୍ଧା ତାହା ୧୦%ରେ ପହଞ୍ଚିବ ବୋଲି ଅନୁମାନ କରାଯାଉଛି। ଯୁବ ପିଢ଼ିର ଗ୍ରାହକମାନଙ୍କର ଏହା ଅଧିକ ପସନ୍ଦ ହେଉଛି। ଏ ଶ୍ରେଣୀର ଗ୍ରାହକମାନେ ହୀରା ପରି ଦୁର୍ମୂଲ୍ୟ ବସ୍ତୁ ପାଇଁ ଅଧିକ ଖର୍ଚ୍ଚ କରିବା ଅପେକ୍ଷା ବିଦେଶ ଭ୍ରମଣ ଭଳି ଦୁର୍ମୂଲ୍ୟ ଅନୁଭୂତି ପାଇଁ ଅଧିକ ଖର୍ଚ୍ଚ କରିବାକୁ ପସନ୍ଦ କରିଥାନ୍ତି। ଏଣୁ ବଜାରରେ ଲ୍ୟାବ୍ ହୀରା ପରି କଳଙ୍କ ମୁକ୍ତ ସ୍ବଚ୍ଛ ହୀରାର ଯୋଗାଣରେ ବୃଦ୍ଧି ଘଟିବା ସହିତ ହୀରା ପ୍ରତି ଚାହିଦାରେ ସଙ୍କୋଚନ ଘଟି ଭବିଷ୍ୟତରେ ହୀରା ବ୍ୟବସାୟର ଚମକ ହରଣ କରିବାର ଯେଉଁ ସମ୍ଭାବନା ଦେଖାଦେଲାଣି, ତାହା ମୁମ୍ବାଇରେ ଉପସ୍ଥିତ ବ୍ୟବସାୟୀମାନଙ୍କୁ ବିବ୍ରତ କରୁଥିବା ନିଶ୍ଚିତ। ସ୍ଲୋଗାନ୍ ଅନୁସାରେ ହୀରାଟିଏ ଚିରସ୍ଥାୟୀ ହୋଇଥିଲେ ହେଁ ଏହାର ବଜାର କ୍ଷଣସ୍ଥାୟୀ ଭାବି ନିରବ ମୋଦୀ ଆଉ ପଳାୟନ କରି ନାହାନ୍ତି ତ?