କକ୍‌ପିଟ୍‌ର କକ୍!

0

ଆଜିକୁ ପ୍ରାୟ ପାଞ୍ଚ ବର୍ଷ ତଳେ, ୨୦୧୩ ମେ’ ମାସରେ ଦିନେ ‘କୋଲ୍‌ଗେଟ୍‌’ ରୂପେ ଅଭିହିତ କୋଇଲା ଖଣି ଆବଣ୍ଟନ ମହାଦୁର୍ନୀତି ମାମଲାର ଶୁଣାଣି କରୁଥିବା ବେଳେ ସୁପ୍ରିମ୍ କୋର୍ଟର ବିଚାରପତି ଆର୍ ଏମ୍ ଲୋଧା ପୂରାପୂରି ଭର୍ତ୍ତି କୋର୍ଟ ରୁମ୍‌ରେ ଉପସ୍ଥିତ ସମସ୍ତଙ୍କୁ ସ୍ତବ୍‌ଧ କରି ଦେଇଥିଲେ, ଯେତେବେଳେ ସେ ମାମଲାର ଅନୁସନ୍ଧାନ କରୁଥିବା ‘ସିବିଆଇ’କୁ ‘‘ମାଲିକର ସ୍ବରକୁ ନକଲ କରୁଥିବା ଏକ ପଞ୍ଜୁରି-ଆବଦ୍ଧ ଶୁଆ’’ ରୂପେ ବର୍ଣ୍ଣନା କରିଥିଲେ। ସେ ସମୟର କଂଗ୍ରେସ ନେତୃତ୍ବାଧୀନ ସରକାର ନିଜର ଅପକର୍ମମାନ ଘୋଡ଼ାଇବାକୁ, ଦୋଦୁଲ୍ୟମାନ ସହଯୋଗୀ ଦଳମାନଙ୍କୁ ବାଟରେ ପକାଇବାକୁ ଏବଂ ରାଜନୈତିକ ପ୍ରତିପକ୍ଷଙ୍କୁ ସାବାଡ଼ କରିବାକୁ ‘ସିବିଆଇ’ର ବ୍ୟବହାର କରୁଛନ୍ତି ବୋଲି ବିରୋଧୀ ଦଳମାନେ କରିଆସୁଥିବା ଅଭିଯୋଗରେ ସତ୍ୟତା ରହିଛି ବୋଲି ମନ୍ତବ୍ୟ ପ୍ରଦାନ କରି ଜଷ୍ଟିସ୍ ଲୋଧା ଆଟର୍ଣ୍ଣି ଜେନେରାଲ୍‌ଙ୍କୁ ତୀବ୍ର ଭର୍ତ୍ସନା କରିଥିଲେ।
ପାଞ୍ଚ ବର୍ଷ ପରେ ଦୃଶ୍ୟ ବଦଳି ଯାଇଛି। ଯଦି ଜଷ୍ଟିସ୍ ଲୋଧା ବର୍ତ୍ତମାନ ସୁପ୍ରିମ୍ କୋର୍ଟରେ କାର୍ଯ୍ୟରତ ଥାଆନ୍ତେ ଏବଂ ‘ସିବିଆଇ’ର ଦୁଇ ସର୍ବୋଚ୍ଚ ନିର୍ଦ୍ଦେଶକମାନଙ୍କ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ଲଢ଼େଇ ଏକ ମାମଲାର ରୂପ ନେଇ ବିଚାର ପାଇଁ ତାଙ୍କ ଇଜ୍‌ଲାସକୁ ଆସନ୍ତା, ବୋଧହୁଏ, ସେ ଦେଶର ଏହି ସର୍ବୋଚ୍ଚ ଅପରାଧ ଅନୁସନ୍ଧାନ ସଂସ୍ଥାର ବର୍ଣ୍ଣନା କରିବା ପାଇଁ ପୁଣି ଥରେ ନିଜର ସେଇ ବିହଙ୍ଗ ରୂପକର ପ୍ରୟୋଗ କରନ୍ତେ; କିନ୍ତୁ ଏଥର ବିହଙ୍ଗ ପ୍ରଜାତିରେ ପରିବର୍ତ୍ତନ ଘଟାନ୍ତେ। ସେ କହନ୍ତେ, ‘ସିବିଆଇ’ ବର୍ତ୍ତମାନ ଏକ ‘ଗଞ୍ଜା ଲଢ଼େଇ (କକ୍ ଫାଇଟ୍) ସ୍ଥଳୀ’ (‘କକ୍‌ପିଟ୍’)ରେ ପରିଣତ ହୋଇଛି। ସେ ଯଦି ନିଜର ମନ୍ତବ୍ୟକୁ ଆଉ ଟିକିଏ ଶାଣିତ ଓ ରଙ୍ଗିନ୍ କରିବାକୁ ଚାହାନ୍ତେ, ତେବେ ବୋଧହୁଏ ଏ କଥା ମଧ୍ୟ କହନ୍ତେ ଯେ ସେ ଆଶ୍ଚର୍ଯ୍ୟ ହେବେ ନାହିଁ ଯଦି ଦର୍ଶକମାନେ ଗଞ୍ଜା ଲଢ଼େଇରେ ଯୁଦ୍ଧରତ ପକ୍ଷୀମାନଙ୍କ ଉପରେ ବାଜି ଲଗାଇବା ଭଳି ‘ସିବିଆଇ’ କକ୍‌ ଫାଇଟ୍‌ରେ ମଧ୍ୟ ବାଜି ଲଗାଇବାକୁ ଆରମ୍ଭ କରନ୍ତି।
ବାସ୍ତବରେ ଗଣମାଧ୍ୟମ ମାନଙ୍କରେ ‘ସିବିଆଇ’ ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସେ ସଂସ୍ଥାରେ ଦୁଇ ନମ୍ବର ସ୍ଥାନରେ ଥିବା ବିଶେଷ ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଚାଲିଥିବା ଅନ୍ତର୍ଯୁଦ୍ଧର ବିବରଣୀ ଯେଉଁ ଭଳି ପ୍ରସାରିତ ହେବାରେ ଲାଗିଛି, ତାହା କୌଣସି ରିଅଲିଟି ଟିଭି କାର୍ଯ୍ୟକ୍ରମର ପ୍ରସାରଣଠାରୁ କୌଣସି ଗୁଣରେ କମ୍ ନୁହେଁ। ଅବିଶ୍ବାସ୍ୟ ଭାବରେ ସ୍ବାଧୀନ ଭାରତର ଇତିହାସରେ ଓ ‘ସିବିଆଇ’ର ଜୀବନକାଳ ମଧ୍ୟରେ ପ୍ରଥମ ଥର ପାଇଁ ଏହି ପ୍ରମୁଖ ଅନୁସନ୍ଧାନକାରୀ ସଂସ୍ଥାର ମୁଖ୍ୟ ତାଙ୍କର ଉପମୁଖ୍ୟଙ୍କ ବିରୋଧରେ ଏକ ମାମଲା ରୁଜୁ କରାଇ ଦେଇଛନ୍ତି। ଉପମୁଖ୍ୟ ମଧ୍ୟ ମୁଖ୍ୟଙ୍କ ବିରୋଧରେ ଏକ ଅଭିଯୋଗ ଫର୍ଦ୍ଦ ସରକାରଙ୍କ ନିକଟକୁ ପଠାଇ ଦେଇଛନ୍ତି।
ଏହା ଦେଖି ହତଭମ୍ଭ ହେବାକୁ ପଡୁଛି ଯେ ସମସ୍ତ ସମାଲୋଚନା ସ‌େତ୍ତ୍ବ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଏକଦା-ମର୍ଯ୍ୟାଦାଜନକ ଅସୁସନ୍ଧାନ ସଂସ୍ଥା ଦେଶରେ କୌଣସି ଅନ୍ୟାୟ ଅପରାଧର ନିରପେକ୍ଷ ଅନୁସନ୍ଧାନ ଚାହୁଁଥିବା ସମସ୍ତଙ୍କର ଶେଷ ଭରସା ରୂପେ କାର୍ଯ୍ୟ କରୁଥିଲା। ଆଇନ ଅଦାଲତରୁ ଆରମ୍ଭ କରି ରାଜ୍ୟ ସରକାର, ରାଜନୈତିକ ଦଳ ଓ ଏପରିକି ସାଧାରଣ ଜନତା ପର୍ଯ୍ୟନ୍ତ ବିଭିନ୍ନ ଘଟଣାରେ ଅନୁସନ୍ଧାନ ଦାୟିତ୍ବ ‘ସିବିଆଇ’ ହାତରେ ସମର୍ପଣ କରାଯାଉ ବୋଲି ଦାବି କରିବା ଆମ ଦେଶରେ ଏକ ନିୟମିତ ଘଟଣାରେ ପରିଣତ ହୋଇ ଆସିଥିଲା। ବୋଧହୁଏ ଆଉ ନୁହେଁ। ରାତାରାତି ‘ସିବିଆଇ’ ଉପରେ ଦେଶବାସୀଙ୍କର ବିଶ୍ବାସ ତୁଟି ଯାଇଛି ବୋଲି କୁହାଯାଇପାରେ।
‘ସିବିଆଇ’ ଭଳି ଏକ ସଂସ୍ଥା ପ୍ରତି ଲୋକଙ୍କର ବିଶ୍ବାସ ମୁଖ୍ୟତଃ ତାହାର ଭାବମୂର୍ତ୍ତି ଉପରେ ନିର୍ଭରଶୀଳ। ଏହି ଭାବମୂର୍ତ୍ତି ଏକ ସାଧାରଣ, ଗତାନୁଗତିକ କିସମର ଭାବମୂର୍ତ୍ତି ନୁହେଁ। ଏହା ସହିତ ମିଶି ରହିଥାଏ କାଳକ୍ରମେ ସୃଷ୍ଟି ହୋଇଥିବା ଅନେକ ସତମିଛ ଘଟଣା ଓ କିଂବଦନ୍ତି ମାନ। ଏହି ଭାବମୂର୍ତ୍ତି ଯୋଗୁଁ କେବଳ ଯେ ଆଇନ ମାନି ଚଳୁଥିବା ନାଗରିକମାନଙ୍କର ‘ସିବିଆଇ’ ଉପରେ ଅଗାଧ ବିଶ୍ବାସ ଥିଲା ତାହା ନୁହେଁ, ଆଇନ ଭାଙ୍ଗୁଥିବା ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କର ମଧ୍ୟ ‘ସିବିଆଇ’ ପ୍ରତି ଯେତିକି ଭୟ ଥିଲା, ସେତିକି ବିଶ୍ବାସ ମଧ୍ୟ ଥିଲା। ଏହାର ଏକ ଅପେକ୍ଷାକୃତ ତାଜା ଉଦାହରଣ ସ୍ବରୂପ ଜୁନ୍ ୨୦୧୭ରେ ଯେତେବେଳେ ରାଜସ୍ଥାନ ପୁଲିସ୍‌ର ଏକ ‘ସ୍ପେସାଲ୍ ଅପରେସନ୍‌ସ ଗ୍ରୁପ୍’ (ଏସ୍ଓଜି) ଦୁର୍ଦ୍ଧର୍ଷ ପଳାତକ ଅପରାଧୀ ଆନନ୍ଦପାଲ୍ ସିଂହକୁ ଏକ ଏନ୍‌କାଉଣ୍ଟର୍‌ରେ ହତ୍ୟା କଲା, ପ୍ରାୟ ଏକ ଡଜନ୍ ସରିକି ରାଜ୍ୟରେ ଆତଙ୍କରାଜ ଚଳାଇଥିବା ଏହି କୁଖ୍ୟାତ ଗ୍ୟାଙ୍ଗ୍‌ଷ୍ଟର୍‌ର ପରିବାରବର୍ଗ ଓ ସମର୍ଥକମାନେ ଘଟଣାର ଏକ ‘ସିବିଆଇ’ ତଦନ୍ତ ଦାବି କରିବା ଦେଖାଯାଇଥିଲା। ‘ସିବିଆଇ’ ମଧ୍ୟ ନିଜର ଭାବମୂର୍ତ୍ତି ବଜାୟ ରଖି ସେ ଏନ୍‌କାଉଣ୍ଟର୍‌ରେ ଅଂଶଗ୍ରହଣ କରିଥିବା ସମସ୍ତ ୫୯ ଜଣ ପୁଲିସ୍ ଅଫିସରଙ୍କୁ ଏକାଠି କରି ପୁଣି ଥରେ ସେହି ଏନ୍‌କାଉଣ୍ଟର୍ ଘଟଣାକ୍ରମର ଅଭିନୟ କରାଇବା ପର୍ଯ୍ୟନ୍ତ ଯାଇଥିଲା।
ଅପର ପକ୍ଷେ ‘ସିବିଆଇ’ ଅପରାଧୀଙ୍କ ଠାରେ କିଭଳି ଭୟ ସଞ୍ଚାର କରିଥାଏ ତାହାର ଏକ ଶକ୍ତିଶାଳୀ ଉଦାହରଣ ସ୍ବରୂପ ‘ସିବିଆଇ’ ୟାକୁବ୍ ମେମନ୍‌ଙ୍କୁ ଗିରଫ କରିବା ପରେ ଭାରତର ସର୍ବାଧିକ କୁଖ୍ୟାତ ପଳାତକ ଅପରାଧୀ ଦାଉଦ୍ ଇବ୍ରାହିମ୍ ଏକ ଜାତୀୟ ପତ୍ରିକାକୁ ସାକ୍ଷାତ୍‌କାର ଦେଇ କହିଥିଲା ଯେ ‘ସିବିଆଇ’ ତାକୁ ଏକ ମୂଷାରେ ପରିଣତ କରିଦେଇଛି ଯିଏ ‘ସିବିଆଇ’ ଭୟରେ ସର୍ବଦା ଗାତରେ ପଶି ଲୁଚିବାକୁ ବାଧ୍ୟ ହୋଇଛି। ବର୍ତ୍ତମାନ ଯଦି ଦାଉଦ୍ ଇବ୍ରାହିମ୍ ଆଉ ଏକ ସାକ୍ଷାତ୍‌କାର ଦିଏ, ସିଏ ନିଶ୍ଚିତ ରୂପେ କହିବ ଯେ ଏବେ ମୂଷା ହେଉଛି ‘ସିବିଆଇ’।
‘ସିବିଆଇ’ର ଏପରି ମର୍ଯ୍ୟାଦା ଧ୍ବଂସରେ ନରେନ୍ଦ୍ର ମୋଦୀ ସରକାରର ଭୂମିକା ସମ୍ବନ୍ଧରେ ଅନେକ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। ସେ ସବୁ କେତେ ସତ, କେତେ ମିଛ ତାହା ନିଶ୍ଚିତ ନୁହେଁ। କିନ୍ତୁ ଦୁଇଟି ଅକାଟ୍ୟ ସତ୍ୟ ଅଛି ଯାହା ପାଇଁ ସାକ୍ଷୀ ପ୍ରମାଣର ଆବଶ୍ୟକତା ନାହିଁ। ଗୋଟିଏ ହେଲା, ‘ସିବିଆଇ’ର ଅବକ୍ଷୟ ମୋଦୀ ସରକାରର ପ୍ରଶାସନିକ ଦକ୍ଷତା ଉପରେ ଯେଉଁ କଳା ଦାଗ ଲଗାଇଛି, ତାହା ଆଉ ଲିଭିବ ନାହିଁ। ‘ସିବିଆଇ’ରେ ଗୃହ କନ୍ଦଳ କେବେଠାରୁ ପଦାକୁ ଫୁଟି ବାହାରି ସାରିଥିଲେ ହେଁ ନା ପ୍ରଧାନମନ୍ତ୍ରୀ, ନା ଗୃହମନ୍ତ୍ରୀ ତାର ଆଭ୍ୟନ୍ତରୀଣ ସମାଧାନ କରିପାରିଛନ୍ତି। ଅନ୍ୟଟି ହେଲା, କେନ୍ଦ୍ର ସରକାର ଏଣିକି ଯେଉଁଠି ବି ‘ସିବିଆଇ’ ଦ୍ବାରା କୌଣସି ଅଭିଯୋଗର ଅନୁସନ୍ଧାନ କରାଇବେ, ତାହାକୁ ସମସ୍ତେ ସନ୍ଦେହ ଚକ୍ଷୁରେ ଦେଖିବେ ଓ ହସି ଉଡ଼ାଇ ଦେବେ। ବାସ୍ତବରେ ପ୍ରତିପକ୍ଷମାନଙ୍କ ଠାରୁ ଏ ଭଳି ପ୍ରତିବାଦର ସ୍ବର ଶୁଣାଯିବାକୁ ଆରମ୍ଭ କଲାଣି। ‘କକ୍’ମାନଙ୍କର କାମ ହେଲା ‘କକ୍‌ପିଟ୍‌’ରେ ଲଢ଼ିବା, ଦକ୍ଷ ନିରପେକ୍ଷ ଅନୁସନ୍ଧାନ ନୁହେଁ।

ସମ୍ବନ୍ଧିତ ଖବର