ବିମୁଦ୍ରାୟନକୁ ଗୋଟିଏ ବର୍ଷ ପୂରି ଯାଇଛି। କ୍ଷମତାସୀନ ଶାସକ ଦଳ ବର୍ଷପୂର୍ତ୍ତିକୁ ‘କଳାଟଙ୍କା ବିରୋଧୀ ଦିବସ’ ଏବଂ ବିରୋଧୀ ‘କଳାଦିବସ’ ଭାବେ ପାଳନ କଲେ। ତଥାପି ମୋଦୀ ସରକାରଙ୍କ ଏହି ୨୦୧୬, ନଭେମ୍ବର ୮ ନିଷ୍ପତ୍ତିକୁ ନେଇ ବିବାଦର ଅନ୍ତ ଘଟୁନାହିଁ କି ବିତର୍କରେ ପୂର୍ଣ୍ଣଚ୍ଛେଦ ପଡୁନାହିଁ। ବିମୁଦ୍ରାୟନର ସଫଳତା-ବିଫଳତା, ଲାଭ-କ୍ଷତି ନେଇ ବିତର୍କର କ୍ରମ ଜାରି ରହିଛି। ବାଦ-ବିବାଦ, ଯୁକ୍ତି-ତର୍କର ଏ କୋଳାହଳ ମଧ୍ୟରେ ଯଦି କୌଣସି ଜଣେ ବ୍ୟକ୍ତିଙ୍କ ତର୍କ ସବୁଠାରୁ ଅଧିକ ଧ୍ୟାନ ଆକର୍ଷଣ କରି ତଥ୍ୟାଭିଜ୍ଞ ମହଲରେ ଅଧିକ ଚର୍ଚ୍ଚା ସକାଶେ ଖୋରାକ୍ ଯୋଗାଇଛି, ତେବେ ସେ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ। ଦଶବର୍ଷ କାଳ ଦେଶର ପ୍ରଧାନମନ୍ତ୍ରୀ ରହିଥିବା ଡ. ସିଂହ ହେଉଛନ୍ତି ଜଣେ ବିଶ୍ୱ ପରିଚିତ ପ୍ରଖ୍ୟାତ ଅର୍ଥନୀତିଜ୍ଞ। ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକଦା ସ୍ୱଳ୍ପଭାଷୀ ମନମୋହନଙ୍କୁ ‘ମୌନ ମୋହନ’ ନାମ ଦେଇ ବ୍ୟଙ୍ଗ କରିଥିଲେ। କିନ୍ତୁ ବିମୁଦ୍ରାୟନର ବର୍ଷପୂର୍ତ୍ତିର ଦିନକ ପୂର୍ବରୁ ମୋଦୀଙ୍କ ଘରୋଇ ମଇଦାନ ଗୁଜରାଟରୁ ‘ମୌନ ମୋହନ’ ଯେଉଁ ଶାଣିତ ବାକ୍-ବାଣ ଛାଡ଼ିଲେ ତାହା ଠିକଣା ଲକ୍ଷ୍ୟ- ନୂଆଦିଲ୍ଲୀର ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ନିଶ୍ଚୟ କଂପନ ସୃଷ୍ଟି କରିଥିବ। ନିଜ ପକ୍ଷ ରଖିବା ଲାଗି ଉଚ୍ଚ ସ୍ୱର ଜରୁରି ନୁହେଁ, ବିନମ୍ରତାର ସହ ଦୃଢ଼ ଯୁକ୍ତି ମାଧ୍ୟମରେ ନିଜର ମତ ପ୍ରଭାବଶାଳୀ ଢଙ୍ଗରେ ଉପସ୍ଥାପନ କରାଯାଇ ପାରେ, ତାର ଏକ ଉଦାହରଣ ଥିଲା ଗୁଜରାଟ ବ୍ୟବସାୟୀ ମାନଙ୍କ ଗୋଟିଏ ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ।
ସଭାରେ ପୂର୍ବତନ ପ୍ରଧାନମନ୍ତ୍ରୀ କେବଳ ଏକା ବିମୁଦ୍ରାୟନ ପ୍ରସଙ୍ଗରେ ନିଜର ବକ୍ତବ୍ୟ ରଖି ନଥିଲେ, ସାଂପ୍ରତିକ ରାଜନୈତିକ ପରିବେଶରେ ଗଣତନ୍ତ୍ର ଓ ଶାସନ ବ୍ୟବସ୍ଥା ଉପରେ ମଧ୍ୟ କିଛି ଚିନ୍ତା ଉଦ୍ଦୀପକ ବିଚାର ରଖିଥିଲେ, ଯାହା ସ୍ୱତନ୍ତ୍ର ଆଲୋଚନାର ଅପେକ୍ଷା ରଖୁଛି। ବିମୁଦ୍ରାୟନ ପ୍ରସଙ୍ଗରେ ଡ. ସିଂହଙ୍କ ମତକୁ ଗ୍ରହଣ କରିବା ପ୍ରଧାନମନ୍ତ୍ରୀ ମୋଦୀ କିଂବା ତାଙ୍କ ସହଯୋଗୀ ଓ ଅନୁଗତଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ। କାରଣ ଏହି ପ୍ରସଙ୍ଗରେ ରାଜନୈତିକ ବିଭାଜନର ରେଖା ଟଣା ସରିଛି। କିନ୍ତୁ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଶାସନ ବ୍ୟବସ୍ଥା ସମ୍ପର୍କରେ ଡ. ସିଂହଙ୍କ ମନ୍ତବ୍ୟକୁ ଅଣଦେଖା ନକରି ପ୍ରଧାନମନ୍ତ୍ରୀ ଓ ଶାସକ ପକ୍ଷ ଗଣତାନ୍ତ୍ରିକ ଭାବନା ସହ ଯଥୋଚିତ ସମ୍ମାନ ଓ ଗୁରୁତ୍ୱ ଦେବେ ବୋଲି ଆଶା କରାଯାଏ। ଡ. ସିଂହଙ୍କ ମତ ତାଙ୍କର ଏକା ବ୍ୟକ୍ତିଗତ କିଂବା ବିରୋଧୀ ଦଳର ବୋଲି ବିଚାର କରିବା ମଧ୍ୟ ଭୁଲ ହେବ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମତରେ ଦଳଗତ ନିର୍ବିଶେଷରେ ଏ ଦେଶର ଏକ ବୃହତ୍ ବର୍ଗର ମତ ପ୍ରତିଫଳିତ ହୋଇଛି। ଏପରିକି ଶାସକ ପକ୍ଷର ଗୋଟିଏ ଗୋଷ୍ଠୀର ସ୍ୱର ମଧ୍ୟ ଡ. ସିଂହଙ୍କ ସ୍ୱରରେ ପ୍ରତିଧ୍ୱନିତ ହୋଇଛି।
ଗୋଟିଏ ପକ୍ଷରେ ଗଣତାନ୍ତ୍ରିକ ଭାବନା କଥା କୁହାଯାଉଛି। ଅଥଚ ଅନ୍ୟ ପକ୍ଷରେ ଭିନ୍ନ ମତ ପ୍ରତି ଅସହିଷ୍ଣୁତାକୁ ବରଦାସ୍ତ କରାଯାଉଛି କିଂବା ସ୍ଥଳ ବିଶେଷରେ ପୃଷ୍ଠପୋଷକତା ପ୍ରଦାନ କରାଯାଉଛି। ଏହି ପୃଷ୍ଠଭୂମିରେ ଡ. ସିଂହଙ୍କ ସ୍ପଷ୍ଟ ମତ ଥିଲା ଯେ କୌଣସି ପ୍ରସଙ୍ଗରେ ଭିନ୍ନ ମତକୁ ସନ୍ଦେହ ଚକ୍ଷୁରେ ଦେଖାଯିବା ଉଚିତ ନୁହେଁ। ବିମୁଦ୍ରାୟନ ପ୍ରସଙ୍ଗରେ ଯେଉଁମାନେ ଭିନ୍ନ ମତ ରଖୁଛନ୍ତି, ସେମାନଙ୍କୁ କଳାଧନର ମାଲିକ କିଂବା ସ୍ତାବକ ଓ ଜିଏସ୍ଟି ନେଇ ଭିନ୍ନମତବାଦୀଙ୍କୁ ଅସାଧୁ, ଚୋର ଭାବେ ଚିତ୍ରଣ କରାଯିବା ଠିକ୍ ନୁହେଁ। ସେହିପରି ‘ବୁଲେଟ୍ ଟ୍ରେନ୍’ ପ୍ରକଳ୍ପ ପ୍ରସଙ୍ଗରେ ଭିନ୍ନ ମତବାଦୀ ବିକାଶ ବିରୋଧୀ ନୁହନ୍ତି। ଦେଶରେ ସଂପ୍ରତି ଯେଉଁ ପ୍ରକାର ରାଜନୈତିକ ବାତାବରଣ ସୃଷ୍ଟି ହୋଇଛି, ସେଥିରେ ଡ. ସିଂହଙ୍କ ମନ୍ତବ୍ୟ ସଂପୂର୍ଣ୍ଣ ପ୍ରାସଙ୍ଗିକ ଓ ସମୟୋଚିତ। ବାସ୍ତବରେ ଅନ୍ୟର ମତ ପ୍ରତି ସମ୍ମାନ ହିଁ ଗଣତନ୍ତ୍ରର ମୂଳପିଣ୍ଡ। ଅନ୍ୟର ମତ ସହ ଜଣେ ରାଜି ହୋଇ ନପାରେ, କିନ୍ତୁ ଭିନ୍ନ ମତ ପ୍ରଦାନର ଅଧିକାରରୁ କାହାକୁ ବଞ୍ଚିତ କରାଯାଇ ନପାରେ। କ୍ଷମତାଧାରୀଙ୍କୁ ଯଦି ତାଙ୍କ ନୀତି, ଶାସନ, କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରଶ୍ନ ପଚରା ଯିବ ନାହିଁ, ତେବେ ଗଣତନ୍ତ୍ରର ମୂଲ୍ୟ କ’ଣ? ଏପରିକି ଅନେକ ଦୁଃଖଦ ନଜିର ଅଛି, ଯେଉଁଠି ଭିନ୍ନ ମତ ପ୍ରତି ଉଗ୍ର ଅସହିଷ୍ଣୁତା ଯୋଗୁଁ ଭିନ୍ନମତାବାଦୀଙ୍କ ଉପରେ ରାଷ୍ଟ୍ରବିରୋଧୀର ମୋହର ଲଗାଇବାକୁ କୁଣ୍ଠାବୋଧ କରାଯାଉନାହିଁ। ଗୋଟିଏ ସୁସ୍ଥ ଗଣତନ୍ତ୍ର ପାଇଁ ଏହା ଆଦୌ ଶୁଭଙ୍କର ନୁହେଁ। ଭିନ୍ନମତ ପ୍ରତି ଅସହିଷ୍ଣୁତାର ଏକ କାରଣ ହୋଇପାରେ ସଂଖ୍ୟା ବଳରୁ ମିଳିଥିବା କ୍ଷମତାର ଅହଙ୍କାର। ତେବେ ଏ ଅହଙ୍କାର ଗଣତନ୍ତ୍ରର ପରିପନ୍ଥୀ। ଭିନ୍ନ ମତର ସ୍ୱର ଯେତେ କ୍ଷୀଣ ହେଲେ ସୁଦ୍ଧା ତାହା ସମ୍ମାନ ଓ ଗୁରୁତ୍ୱର ଅପେକ୍ଷା ରଖେ। ଗୋଟିଏ ଗଣତନ୍ତ୍ରରେ ଉତ୍ତମ ଶାସନ ପାଇଁ ଶାସକର ଅନ୍ୟତମ ଶ୍ରେଷ୍ଠ ଗୁଣ ହେଲା- ଧୈର୍ଯ୍ୟର ସହ ଅନ୍ୟର ମତକୁ ଶୁଣିବା। କିନ୍ତୁ ଦେଶର ବର୍ତ୍ତମାନର ଶାସନ ମୁଖ୍ୟ ଓ ତାଙ୍କ ସରକାର ପାଖରେ ଏହି ଗୁଣ ଅଛି ବୋଲି ନିଶ୍ଚିତ କରି କୁହାଯାଇ ପାରିବ ନାହିଁ।
ସାଂପ୍ରତିକ ଶାସନର ଚରିତ୍ର ସମ୍ପର୍କରେ ଡ. ସିଂହଙ୍କ ମନ୍ତବ୍ୟ ମଧ୍ୟ ବେଶ୍ ତାତ୍ପର୍ଯ୍ୟପୂର୍ଣ୍ଣ। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ମତ ଯେ, ବର୍ତ୍ତମାନ ଶାସନରେ ଆଡମ୍ବର, ବାହ୍ୟ ପ୍ରଦର୍ଶନ ଉପରେ ମାତ୍ରାତିରିକ୍ତ ପ୍ରାଧାନ୍ୟ ଦିଆଯାଉଛି। ସେ ଅନୁପାତରେ ବାସ୍ତବ କ୍ଷେତ୍ରରେ କାର୍ଯ୍ୟ ହେଉନାହିଁ। ବଡ଼ ବଡ଼ କଥା କୁହାଯାଉଛି, କାମରେ ତା’ର ପ୍ରତିଫଳନ ଦେଖିବାକୁ ମିଳୁନାହିଁ। ଗୋଟିଏ ନିର୍ଦ୍ଦିଷ୍ଟ ଯୋଜନାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କ’ଣ, ତାହା ସ୍ପଷ୍ଟ ଭାବେ ନିରୂପିତ ହେବା ପୂର୍ବରୁ ଯୋଜନାର ନାମକରଣ ସମ୍ପନ୍ନ ହୋଇଯାଉଛି। ଅର୍ଥାତ୍ ଯୋଜନାର ନାମ ମୁଖ୍ୟ, ଲକ୍ଷ୍ୟ ଗୌଣ। ଡ. ସିଂହ ସତର୍କ କରାଇ ଦେଇଥିଲେ ଯେ ଆକର୍ଷଣୀୟ ନାମକରଣ, ଆଡ଼ମ୍ବରପୂର୍ଣ୍ଣ ନାଟକୀୟ ପ୍ରଚାର କଦାପି କାର୍ଯ୍ୟକ୍ରମର ରୂପାୟନ ଲାଗି ସୁଚିନ୍ତିତ ଯୋଜନାର ବିକଳ୍ପ ହୋଇ ନପାରେ। ଡ. ସିଂହଙ୍କ ଏ ପ୍ରକାର ମନ୍ତବ୍ୟ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ଅସୂୟା ସୂଚକ ବୋଲି କହି ଶାସକ ପକ୍ଷ ଉଡ଼ାଇ ଦେଇ ପାରନ୍ତି। କିନ୍ତୁ ସତ୍ୟ ଅନେକ ସମୟରେ କଟୁ। ଯଦି ‘ମେକ୍-ଇନ୍-ଇଣ୍ଡିଆ’, ‘ଷ୍ଟାର୍ଟ ଅପ୍ ଇଣ୍ଡିଆ’, ‘ସ୍କିଲ୍-ଇଣ୍ଡିଆ’ ଆଦି ଆକର୍ଷଣୀୟ ଶୁଣାଯାଉଥିବା କାର୍ଯ୍ୟକ୍ରମ ଗୁଡ଼ିକର ସମୀକ୍ଷା କରନ୍ତି, ତେବେ ଶାସକ ପକ୍ଷ ନିଶ୍ଚୟ ବୁଝିପାରିବେ ଯେ ଡ. ସିଂହଙ୍କ ଟିପ୍ପଣୀରେ ଆଦୌ ଅତିରଞ୍ଜନ ନାହିଁ।
ଅବଶ୍ୟ, ମୋଦୀ ସରକାରଙ୍କ ଶାସନର ଚରିତ୍ର ଏବଂ ଯୋଜନା କାର୍ଯ୍ୟକାରିତାର ଚିତ୍ର ସମ୍ପର୍କରେ ଏ ପ୍ରକାର ମତ କେବଳ ଡ. ସିଂହଙ୍କ ନୁହେଁ। ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ପତ୍ରିକା ‘ ଦି ଇକୋନୋମିଷ୍ଟ’ର ସଦ୍ୟତମ ସଂଖ୍ୟାରେ ପ୍ରକାଶିତ ଏକ ଅଗ୍ରଲେଖରେ ମଧ୍ୟ ଅନୁରୂପ ମତ ପ୍ରକାଶ ପାଇଛି। ‘ଇକୋନୋମିଷ୍ଟ’ ଅଗ୍ରଲେଖର ସାରାଂଶ ହେଲା- ମୋଦୀଙ୍କ ନେତୃତ୍ୱରେ ବିଜେପି ଗୋଟିଏ ପରେ ଗୋଟିଏ ନିର୍ବାଚନରେ ବିଜୟ ହାସଲ କରିଥିଲେ ସୁଦ୍ଧା ତିନିବର୍ଷ ପରେ ଲୋକଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ପତିଆରା କମିଛି। ଏକଦା ମୋଦୀ ଅପରାଜେୟ ବୋଲି ଯେଉଁ ଧାରଣା ସୃଷ୍ଟି ହୋଇଥିଲା, ସେହି ଧାରଣା କ୍ରମଶଃ ମିଳାଇ ଯାଇଛି। ଏଥିପାଇଁ ମୋଦୀ ଅନ୍ୟ କାହାକୁ ଦାୟୀ କରିପାରିବେ ନାହିଁ। ସରକାରଙ୍କ ପ୍ରଦର୍ଶନ ଲୋକଙ୍କ ଆଶାନୁରୂପ ହୋଇପାରି ନାହିଁ। ପ୍ରକୃତ କାମ ଅପେକ୍ଷା ସୋ ବାଜି (ପ୍ରିଅକୁପେସନ୍ ଉଇଥ୍ ପ୍ରେଜେଣ୍ଟେସନ୍ ଓଭର୍ ସବ୍ଷ୍ଟାନ୍ସ) ଉପରେ ମୋଦୀଙ୍କ ପ୍ରାଧାନ୍ୟ ତାଙ୍କ ପାଇଁ ପ୍ରତିକୂଳ ବାତାବରଣ ସୃଷ୍ଟି କରିଛି। ଏହି ସୋ ବାଜି ମୋଦୀଙ୍କ ପାଇଁ ମହଙ୍ଗା ପଡ଼ିପାରେ ବୋଲି ‘ଇକୋନୋମିଷ୍ଟ’ ଲେଖାରେ ସତର୍କ କରାଇ ଦିଆଯାଇଛି।
ଆଶା, ଅହଙ୍କାରରୁ ମୁକୁଳି ମୋଦୀ, ତାଙ୍କର ସହଯୋଗୀ ଓ ସମର୍ଥକ ମାନେ ଡ. ସିଂହ ଓ ‘ଇକୋନୋମିଷ୍ଟ’ର ମତରେ ଖୁନ୍ଦି ହୋଇଥିବା ସତର୍କ ସଂକେତକୁ ଦେଖି ପାରିବେ। ଆତ୍ମ ସମୀକ୍ଷା କରି ଆଭିମୁଖ୍ୟ, ଶାସନଶୈଳୀ ଓ କାର୍ଯ୍ୟଧାରାରେ ଗଣତନ୍ତ୍ର ଅନୁକୂଳ ପରିବର୍ତ୍ତନ ଆଣିବ। ଡ. ସିଂହ କହିଥିଲେ, ଉତ୍ତମ ଶାସନ ପାଇଁ ଉଭୟ ବୁଦ୍ଧି ଓ ହୃଦୟ ଲୋଡ଼ା। ଉତ୍ତମ ଶାସନର ପ୍ରତିଶ୍ରୁତି ପୂରଣ ଲାଗି ମୁଣ୍ଡରେ ବୁଦ୍ଧି ସହ ଛପନ ଇଞ୍ଚର ଛାତି ତଳେ ଗଣତନ୍ତ୍ର ଓ ଭାରତର ବିବିଧତା ପ୍ରତି ସମ୍ବେଦନଶୀଳ ହୃଦୟଟିଏ ନିଶ୍ଚିତ କରିବାକୁ ପଡ଼ିବ।