ପ୍ରଚାରର ସ୍ରୋତ

ଆଜିର ପରିବେଶ ସଚେତନ ଦୁନିଆରେ ଯଦି କୌଣସି ଗୋଟିଏ କାର୍ଯ୍ୟକୁ ସର୍ବାଧିକ ପୁଣ୍ୟ କାର୍ଯ୍ୟ ରୂପେ ବିଚାର କରାଯାଉଥାଏ, ତାହା ହେଉଛି ବୃକ୍ଷରୋପଣ। ଗଛଟିଏ କାଟି ଦେବାକୁ ଆଜିକାଲି ଯେପରି ନରହତ୍ୟାଠାରୁ କିଛି କମ୍‌ ଜଘନ୍ୟ ଅପରାଧ ଭଳି ଦେଖା ଯାଉନାହିଁ, ଗଛଟିଏ ଲଗାଇବାକୁ ସେଇଭଳି ସମସ୍ତ ପାପରୁ ମୋକ୍ଷ ପାଇବାର ଉପାୟ ରୂପେ ବ୍ୟବହାର କରାଯାଉଛି। ଏହାର ପ୍ରକୃଷ୍ଟ ଉଦାହରଣ ହେଉଛି ଏକ ପ୍ରଚଳିତ ଆନ୍ତର୍ଜାତିକ ପରିବେଶ ପରିଚାଳନା ବ୍ୟବସ୍ଥା ଯାହା ଅନୁସାରେ ଯଦି ଗୋଟିଏ ଦେଶର କାରଖାନାରୁ ନିର୍ଗତ ଧୂଆଁ ଅତ୍ୟଧିକ ପ୍ରଦୂଷଣ ସୃଷ୍ଟି କରୁଥାଏ, ତେବେ ଏହାର କ୍ଷତିପୂରଣ ପାଇଁ ଅର୍ଥାତ୍‌ ପାପ ପ୍ରକ୍ଷାଳନ ସ୍ୱରୂପ ସେ କମ୍ପାନି ଅନ୍ୟ ଏକ ଦେଶରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ହାତକୁ ନେଇଥାଏ। ଗୋଟିଏ ଦେଶ ଭିତରେ ମଧ୍ୟ ଏଭଳି ‘କ୍ଷତିଭରଣାକାରୀ ବନୀକରଣ’ (‘କମ୍ପେନ୍‌ସେଟରି ଆଫରେଷ୍ଟେସନ୍‌’) ସହିତ ଆମେ ସୁପରିଚିତ।

ଗଛ ପ୍ରତି ଏପରି ବିଶ୍ୱବ୍ୟାପୀ ଆଦରର ମୁଖ୍ୟ କାରଣ ହେଲା ଏହା ଆମର ବାୟୁମଣ୍ଡଳରୁ ଉତ୍ତାପ ଧାରଣକାରୀ ବାଷ୍ପ ଅଙ୍ଗାରକାମ୍ଳକୁ ଶୋଷି ନେଇ ଏକ ଅଙ୍ଗାରକୁଣ୍ଡ ରୂପେ କାର୍ଯ୍ୟ କରି ପରିବେଶକୁ ଉତ୍ତପ୍ତୀକରଣରୁ ରକ୍ଷା କରିଥାଏ। ତେଣୁ ଯେ କୌଣସି ସ୍ଥାନରେ ଗଛଟିଏ ଲଗାଯାଉନା କାହିଁକି, ରାସ୍ତା କଡ଼ ହେଉ କି ନଈକୂଳ ହେଉ, ପାହାଡ଼ରେ ହେଉ କି ପଡ଼ିଆରେ ହେଉ, ତାହାକୁ ସମସ୍ତେ ସ୍ୱାଗତ କରିଥାନ୍ତି। ଏହି କାରଣରୁ ୨୦୧୮-୧୯ରେ ମହାନଦୀର ଉଭୟ ପାର୍ଶ୍ୱରେ ଦୁଇକୋଟି ଗଛ ଲଗାଇବାକୁ ଓଡ଼ିଶା ସରକାର କରିଥିବା ଘୋଷଣା ଅତ୍ୟନ୍ତ ସ୍ୱାଗତଯୋଗ୍ୟ। ଘୋଷଣା ଅନୁସାରେ ପ୍ରାୟ ୫୦୦ କିମି ଦୀର୍ଘ ନଦୀର ଦୁଇ ପଟରେ ଏକ କିମି ବହଳର ଆମ୍ବ, ପଣସ, ଜାମୁ ଆଦି ଭଳି ଫଳ ଗଛ ସମେତ ନାନା କିସମର ଗଛମାନ ଲଗାଯିବ ଏବଂ ଏଥିପାଇଁ ବ୍ୟବହୃତ ଜମିର ୭୫,୭୬୦ ହେକ୍ଟର ହେବ ସରକାରୀ ଏବଂ ୪୭,୪୭୦ ହେକ୍ଟର ହେବ ଘରୋଇ ଶ୍ରେଣୀର। ଇବ୍‌ ଓ ତେଲ ନଦୀ ମାନଙ୍କର କୂଳେ କୂଳେ ମଧ୍ୟ ଏପରି ବୃକ୍ଷରୋପଣ କରାଯିବ। ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପ୍ରମୁଖ ନଦୀ ଏ ଯୋଜନାର ଅନ୍ତର୍ଭୁକ୍ତ ହେବେ ବୋଲି କୁହାଯାଇଛି। ଏପରି ନୁହେଁ ଯେ ଉପରୋକ୍ତ ଜମି ସବୁ ଏଭଳି ବୃକ୍ଷରୋପଣ ହେବା ପାଇଁ ଏପର୍ଯ୍ୟନ୍ତ ଫାଙ୍କା ପଡ଼ିଛି। ହୁଏତ ସେସବୁ ଚାଷ ଜମି ବା ଚାରଣ ଭୂମି ରୂପେ ବ୍ୟବହୃତ ହେଉଥାଇପାରେ। ସେପରି ସ୍ଥଳେ ଏଭଳି ବୃକ୍ଷରୋପଣ ଯୋଜନା ଯେ ସ୍ଥିତାବସ୍ଥାରେ ଘୋର ଅସ୍ଥିରତା ସୃଷ୍ଟି କରିପାରେ ଏଭଳି ଆଶଙ୍କାକୁ ଏଡ଼ାଇ ଦେଇ ହେବ ନାହିଁ।

ଓଡ଼ିଶା ସରକାରଙ୍କର ଏହି ବୃକ୍ଷରୋପଣ ଯୋଜନା କିନ୍ତୁ ପରିବେଶ ଉତ୍ତପ୍ତୀକରଣକୁ ପ୍ରତିହତ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। ଜଳ ଓ ମୃତ୍ତିକା ସଂରକ୍ଷଣ ହେଉଛି ଏହାର ଘୋଷିତ ଲକ୍ଷ୍ୟ। ମହାନଦୀର ଜଳ ବଣ୍ଟନକୁ ନେଇ ଉପର ମୁଣ୍ଡରେ ଥିବା ଛତିଶଗଡ଼ ସହିତ ନିକଟରେ ଦେଖା ଦେଇଥିବା ବିବାଦ ପରିପ୍ରେକ୍ଷୀରେ ଦେଖିଲେ ସନ୍ଦେହ ରହେ ନାହିଁ ଯେ ସରକାର ଆଶା କରୁଛନ୍ତି ଏଭଳି ନଦୀକୂଳିଆ ବୃକ୍ଷରୋପଣ ଯୋଗୁଁ ନଦୀରେ ଜଳପ୍ରବାହରେ ବୃଦ୍ଧି ଘଟିବ। ଏଥିରେ ମଧ୍ୟ ସନ୍ଦେହ ନାହିଁ ଯେ ଏ ପ୍ରକାର ଚିନ୍ତା କରିବାରେ ସରକାର ବର୍ତ୍ତମାନ ‘ର‍୍ୟାଲି ଫର୍‌ ରିଭର୍ସ’ ନାମରେ ଚାଲିଥିବା ଏକ ଦେଶବ୍ୟାପୀ ପ୍ରଚାର ଅଭିଯାନ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ନଦୀ ଦୁଇ କୂଳରେ ବୃକ୍ଷରୋପଣ କଲେ ନଦୀର ଜଳଧାରାରେ ବୃଦ୍ଧି ଘଟିବ ବୋଲି ଏହି ଅଭିଯାନ ଦାବି କରୁଛି। ସ୍ୱାଭାବିକ ଭାବରେ ଏଥିପ୍ରତି ବ୍ୟାପକ ସମର୍ଥନ ପ୍ରକାଶ ପାଇବାରେ ଲାଗିଛି।

ଯେଉଁ ଉଦ୍ଦେଶ୍ୟରେ ବି ହେଉ ପଛେ, ଏକ ସବୁଜିମା ସୃଷ୍ଟି ଉଦ୍ୟମଠାରୁ ଅଧିକ ଆନନ୍ଦାଦାୟକ କାର୍ଯ୍ୟ ଆଉ କିଛି ନାହିଁ। କିନ୍ତୁ ଯେଉଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲ ପାଇଁ ଏ ଅଭିଯାନର ପରିକଳ୍ପନା କରାଯାଇଛି ତାହା କେତେଦୂର ବିଜ୍ଞାନସମ୍ମତ ଓ ବାସ୍ତବଧର୍ମୀ, ତାହା ଆଉ ଏକ ଅଲଗା ପ୍ରଶ୍ନ। ଆଉ ଯେତେବେଳେ ଜଣାପଡ଼େ ଯେ ଏ ଅଭିଯାନର ଜନକ ହେଉଛନ୍ତିି ଏ ବାବାବହୁଳ ଦେଶର ଆଉ ଜଣେ ତଥାକଥିତ ଆଧ୍ୟାତ୍ମିକ ଗୁରୁ, ସେତେବେଳେ ଏହା ପରୀକ୍ଷା କରି ଦେଖିବା ଦରକାର ହୁଏ ଏହାର ପ୍ରକୃତ ଉଦ୍ଦେଶ୍ୟ କ’ଣ? ନଦୀରେ ଜଳସ୍ରୋତରେ ବୃଦ୍ଧି ନା ଆତ୍ମପ୍ରଚାରର ସ୍ରୋତରେ?
ବୃକ୍ଷରୋପଣ ଯୋଗୁଁ ନଦୀରେ ଜଳ ପ୍ରବାହରେ ବୃଦ୍ଧି ଦୁଇଟି କାରଣରୁ ଘଟିପାରେ ବୋଲି କଳ୍ପନା କରାଯାଇପାରେ। ପ୍ରଥମ, ଅଧିକ ବୃକ୍ଷରାଜି ଯୋଗୁଁ ବୃଷ୍ଟିପାତରେ ବୃଦ୍ଧି ଘଟିପାରେ। ଦ୍ୱିତୀୟ, ଗଛର ଚେର ଜାଲ ଭୂତଳ ଜଳ ସ୍ତରରେ ବୃଦ୍ଧି ଘଟାଇ ଏହି ଜଳକୁ ନଦୀକୁ ପଠାଇ ଦେଇପାରନ୍ତି। ଗଛ ଓ ବୃଷ୍ଟିପାତ ମଧ୍ୟରେ ଘନିଷ୍ଠ ସମ୍ପର୍କ ଏକ ବହୁଳ ପ୍ରଚାରିତ ସ୍ଲୋଗାନ୍‌ରେ ପରିଣତ ହୋଇଥିଲେ ହେଁ ‘ର‍୍ୟାଲି ଫର୍‌ ରିଭର୍ସ’ ଅନ୍ତର୍ଗତ ବନୀକରଣ ଭଳି କୃତ୍ରିମ ବନୀକରଣ ଉଦ୍ୟମ ସହିତ ବୃଷ୍ଟିପାତର ସମ୍ପର୍କ ଆଦୌ ବିଜ୍ଞାନ ସମ୍ମତ ଭାବରେ ସାବ୍ୟସ୍ତ ହୋଇନାହିଁ। ବିଜ୍ଞାନ ସମ୍ମତ ଢଙ୍ଗରେ ମଡେଲ୍‌ ମାନ ପ୍ରସ୍ତୁତ କରି ବୃକ୍ଷ ଓ ବୃଷ୍ଟିପାତ ମଧ୍ୟରେ ଯେଉଁ କାର୍ଯ୍ୟ-କାରଣ ସମ୍ପର୍କ ଆବିଷ୍କାର କରାହୋଇଛି ତାହା କେବଳ ବିସ୍ତତ ଜଙ୍ଗଲମାନଙ୍କ ପ୍ରତି ପ୍ରଯୁଜ୍ୟ। କୃତ୍ରିମ ବନୀକରଣର ବୃଷ୍ଟିପାତ ଉପରେ କୌଣସି ପ୍ରଭାବ ଥବା ଭଳି ଜଣା ପଡ଼ିନାହିଁ। ଏଣୁ ବୃଷ୍ଟିପାତରେ ବୃଦ୍ଧି ଘଟିବ ବୋଲି ‘ର‍୍ୟାଲି ଫର୍‌ ରିଭର୍ସ’ କରୁଥିବା ଦାବି ହେଉଛି ସମ୍ପୂର୍ଣ୍ଣ ଅମୂଳକ। ବାଙ୍ଗାଲୋର୍‌ସ୍ଥିତ ଅଶୋକା ଟ୍ରଷ୍ଟ୍‍ ନାମକ ପରିବେଶ ଗବେଷଣା ସଂସ୍ଥାର ବୈଜ୍ଞାନିକ ମାନଙ୍କ ମତ ଅନୁସାରେ ବୃକ୍ଷ ଯୋଗୁଁ ଭୂଇଁରେ ଭେଦୁଥିବା ଜଳ ନଦୀକୁ ପ୍ରବାହିତ ହେବ କି ନାହିଁ, ତାହା ସେ ଅଞ୍ଚଳର ଭୂତଳ ଜଳ ପରିଚାଳନା ଉପରେ ନିର୍ଭର କରେ। ଯେଉଁସବୁ ଗଛ ଲଗାଯିବ, ସେଗୁଡ଼ିକ ବଞ୍ଚି ରହିବା ପାଇଁ ଦୀର୍ଘଦିନ ଧରି ଜଳସେଚନ ଆବଶ୍ୟକ କରିବେ। ଯଦି ନଳକୂପ ମାଧ୍ୟମରେ ଜଳସେଚନ କରାଯାଏ ତେବେ ଭୂତଳ ଜଳସ୍ତର ହ୍ରାସ ପାଇବ ଏବଂ ଭୂଇଁରେ ଭେଦୁଥିବା ବର୍ଷାଜଳ ନଦୀ ଦିଗରେ ମୁହାଁଇବା ପରିବର୍ତ୍ତେ ତଳକୁ ତଳକୁ ଯାଇ ସେ ଶୂନ୍ୟସ୍ଥାନ ପୂରଣ କରିବ।

ନଦୀ ଜଳରୁ ମୁହଁ ଉଠାଇ ଯଦି ପରିବେଶ ପ୍ରଦୂଷଣ ଦିଗକୁ ଦୃଷ୍ଟି ପକାଯାଏ ତେବେ ନିଜକୁ ସଦ୍‌ଗୁରୁ ବୋଲାଉଥିବା ଜଗଦୀଶ ଓରଫ୍‌ ଜାଗ୍‌ଗି ବାସୁଦେବ ନାମକ ଏହି ଅଭିଯାନର ସୂତ୍ରଧରଙ୍କ ବିରୁଦ୍ଧରେ ନିମ୍ନୋକ୍ତ ଅଭିଯୋଗ ଦେଖିବାକୁ ମିଳିଥାଏ। ସଦ୍‌ଗୁରୁ ତାଙ୍କର ଏହି ଅଭିଯାନ ଚଳାଇବା ପାଇଁ ଦୁଇକୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଏକ ମର୍ସିଡିସ୍‌ ଏସ୍‌ୟୁଭିରେ ବସି ଦେଶର ୧୬ଟି ରାଜ୍ୟର ୨୦ଟି ସହର ପରିକ୍ରମା କରି ୭୦୦୦ କିମି ଅତିକ୍ରମ କରୁଛନ୍ତି। ଏହି ଗାଡ଼ି ଓ ତାଙ୍କ ଦଳରେ ଥିବା ଆଉ ୨୦ଟି ଏସ୍‌ୟୁଭି ମିଶି ପ୍ରାୟ ୨୬,୧୯୪ କିଗ୍ରା ଅଙ୍ଗାରକାମ୍ଳ ବାୟୁମଣ୍ଡଳକୁ ନିର୍ଗମନ କରିଥିବେ ବୋଲି ହିସାବ ପ୍ରକାଶ ପାଇଛି, କେବଳ ଯାହାକୁ ଶୋଷିନେବା ପାଇଁ ଆଠଲକ୍ଷ ବୃକ୍ଷ ରୋପଣ ଆବଶ୍ୟକ ହେବ। କୋଇମ୍ବାଟୁର୍‌ ନିକଟସ୍ଥ ତାଙ୍କର ଆଶ୍ରମ ପ୍ରତିଷ୍ଠା ପାଇଁ ବ୍ୟାପକ ଜଙ୍ଗଲ ନଷ୍ଟ କରାଯାଇଥିବା ଅଭିଯୋଗ ତାଙ୍କ ବିରୋଧରେ ରହିଛି। ଏହା ଆମକୁ ଆଉ ଜଣେ ନୋବେଲ ଶାନ୍ତି ପୁରସ୍କାରପ୍ରାପ୍ତ ପରିବେଶ ଯୋଦ୍ଧା ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଅଲ୍‌ ଗୋର୍‌ଙ୍କ କଥା ମନେ ପକାଇ ଦିଏ। ଆମେରିକାର ‘ନେସନାଲ୍‌ ସେଣ୍ଟର୍‌ ଫର୍‌ ପବ୍ଲିକ୍‌ ପଲିସି ରିସର୍ଚ୍ଚ’ ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଟେନେସୀ ଠାରେ ଥିବା ଗୋର୍‌ଙ୍କର ବାସଗୃହରେ ଗୋଟିଏ ବର୍ଷରେ ଯେତିକି ବିଦ୍ୟୁତ୍‌ ଶକ୍ତି ବ୍ୟବହୃତ ହୋଇଥାଏ, ତାହା ଜଣେ ସାଧାରଣ ଆମେରିକୀୟ ବାସଗୃହରେ ୨୧ ବର୍ଷରେ ବ୍ୟବହୃତ ହେଉଥିବା ବିଦ୍ୟୁତ୍‌ ଶକ୍ତି ସହିତ ସମାନ!

ସମ୍ବନ୍ଧିତ ଖବର