୪,୧୯,୫୭୪ କୋଟିର ଆହ୍ବାନ

ନଭେମ୍ବର, ୨୦୧୫ ବେଳକୁ ଚତୁର୍ଥ ପାଳିର ଦ୍ବିତୀୟ ବର୍ଷରେ ନବୀନ ପଟ୍ଟନାୟକ ସରକାର ଆଉ ଏକ ନୂଆ ଶିଳ୍ପନୀତି ଘୋଷଣା କଲେ। ‘ଶିଳ୍ପନୀତି-୨୦୧୫’କୁ ଆଧାର କରି ସରକାର ୨୦୨୫ ସୁଦ୍ଧା ରାଜ୍ୟରେ ୨.୫ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ସହ ୩୦ ଲକ୍ଷ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ରଖି ଜାରି କଲେ ଭିଜନ-୨୦୨୫। ପ୍ରାୟ ୪୦ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶରେ ଇସ୍ପାତ କାରଖାନା ପ୍ରତିଷ୍ଠା ଲାଗି ପ୍ରସ୍ତାବ ନେଇ ଆସିଥିବା ଆର୍ସେଲର ମିତ୍ତଲର ବିଦାୟ, ପ୍ରାୟ ୫୧ ହଜାର କୋଟି ଟଙ୍କାର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗର ସମ୍ଭାବନା ନେଇ ଆସିଥିବା ଦକ୍ଷିଣ କୋରୀୟ କମ୍ପାନି ‘ପୋସ୍କୋ’ର ଇସ୍ପାତ ପ୍ରକଳ୍ପ ନେଇ ଅନିଶ୍ଚିତତାର ନିରାଶାଜନକ ପୃଷ୍ଠଭୂମିରେ ‘ଭିଜନ ୨୦୨୫’ କ୍ବଚିତ୍‌ କୌଣସି ଉତ୍ସାହ ସୃଷ୍ଟି କରିଥିଲା। ଗୋଟିଏ ଦଶକରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଉଚ୍ଚାକା˚କ୍ଷୀ ଲକ୍ଷ୍ୟ ନେଇ ଆଶା ଅପେକ୍ଷା ଅଧିକ ଥିଲା ଆଶଙ୍କା, ସନ୍ଦେହ।

କିନ୍ତୁ ତିନିବର୍ଷ ପରେ ଅନ୍ୟଥା ଧୂମାଭ ‘ଭିଜନ-୨୦୨୫’ ଲକ୍ଷ୍ୟ ହାସଲ ଦିଗରେ ଓଡ଼ିଶାର ଯାତ୍ରାପଥ କ୍ରମଶଃ ପରିଷ୍କାର ହେଉଥିବା ଜଳ ଜଳ ଦେଖାଯାଉଛି। ଆଜିଠୁ ପରବର୍ତ୍ତୀ ସାତ ବର୍ଷ ମଧୢରେ ରାଜ୍ୟରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ତିରିଶ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟିର ଲକ୍ଷ୍ୟ ପୂରଣ ହେବ ନା ନାହିଁ, ସେ ନେଇ ନିଶ୍ଚୟତାର ସହ କିଛି କୁହାଯାଇ ପାରିବ ନାହିଁ। କିନ୍ତୁ ଗୋଟିଏ ବିଷୟ ନିଶ୍ଚିତ ଯେ ‘ଭିଜନ-୨୦୨୫’ର ଲକ୍ଷ୍ୟ ହାସଲ ପାଇଁ ଓଡ଼ିଶା ଠିକଣା ପଥ ଧରିଛି ଓ ଧୀରେ ଧୀରେ ଲକ୍ଷ୍ୟ ଆଡ଼କୁ ଆଗେଇ ଚାଲିଛି। ସଦ୍ୟ ଉଦ୍‌ଯାପିତ ‘ମେକ୍‌ ଇନ୍‌ ଓଡ଼ିଶା’ କନ୍‌କ୍ଲେଭ୍‌ରେ ୪ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜି ବିନିଯୋଗ ଲାଗି ମିଳିଥିବା ପ୍ରସ୍ତାବ, ଏହାର ସୁଖଦ ସୂଚକ। ନଭେମ୍ବର, ୨୦୧୬ରେ ଆୟୋଜିତ ‘ମେକ୍‌-ଇନ୍‌-ଓଡ଼ିଶା’ର ପ୍ରଥମ ସ˚ସ୍କରଣରେ ବିଭିନ୍ନ ଶିଳ୍ପ-ବ୍ୟାବସାୟିକ ଗୋଷ୍ଠୀ ପକ୍ଷରୁ ୧୨୪ଟି ପ୍ରକଳ୍ପରେ ୨,୦୩,୩୭୦ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ଆସିଥିଲା। ଏହି ନିବେଶ ଫଳରେ ପ୍ରାୟ ୧ ଲକ୍ଷ ୪୦ ହଜାର ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟିର ସମ୍ଭାବନା ଥିଲା। ଦୁଇ ବର୍ଷ ପରେ ୨୦୧୮, ନଭେମ୍ବର ୧୧ରେ ଆରମ୍ଭ ହୋଇ ୧୫ରେ ଉଦ୍‌ଯାପିତ ହୋଇଥିବା ‘ମେକ୍‌-ଇନ୍‌-ଓଡ଼ିଶା’ର ଦ୍ବିତୀୟ ସ˚ସ୍କରଣ ପୂର୍ବ ସ˚ସ୍କରଣ ଅପେକ୍ଷା ଅଧିକ ସଫଳ ହୋଇଛି। ଦେଶ ଓ ବିଦେଶରୁ ବହୁ ନାମକରା, ଜଣାଶୁଣା କମ୍ପାନି ୪,୧୯,୫୭୪ କୋଟି ଟଙ୍କା ପୁଞ୍ଜି ବିନିଯୋଗର ପ୍ରସ୍ତାବ ଦେଇଛନ୍ତି। କୃଷି, ବୟନଶିଳ୍ପ ଠାରୁ ଆରମ୍ଭ କରି ଆଇଟି, ଧାତୁ, ସାର, ରସାୟନ, ଏପରିକି ପ୍ରତିରକ୍ଷା ପର୍ଯ୍ୟନ୍ତ ବିବିଧ କ୍ଷେତ୍ରରେ ପୁଞ୍ଜି ବିନିଯୋଗର ପ୍ରସ୍ତାବ ସବୁ ବାସ୍ତବାୟିତ ହେଲେ ପାଖାପାଖି ୬ ଲକ୍ଷ (୫ ଲକ୍ଷ ୯୧ ହଜାର) ନିଯୁକ୍ତି ସୁଯୋଗ ସୃଷ୍ଟି ଦେବାର ସମ୍ଭାବନା ରହିଛି। ଖଣିଜ ସମ୍ପଦ ଭରା ଓଡ଼ିଶାରେ ଧାତୁ ଓ ମ୍ୟାନୁଫାକଚରି˚ କ୍ଷେତ୍ରରେ ନିବେଶ ପାଇଁ ଆଗ୍ରହ ପ୍ରକାଶ ପାଇବା ଯେତିକି ଗୁରୁତ୍ବ ରଖେ ନାହିଁ, କୃଷି, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଅଣ-ପାରମ୍ପରିକ ଶକ୍ତି କ୍ଷେତ୍ରରେ ବିନିଯୋଗରେ ଆଗ୍ରହ ତା’ଠାରୁ ବହୁଗୁଣ ଅଧିକ ଗୁରୁତ୍ବ ବହନ କରେ ଏବ˚ ତାହା ବେଶ୍‌ ଉତ୍ସାହପ୍ରଦ। ଉଲ୍ଲେଖନୀୟ ହେଲା, ପୁଞ୍ଜି ବିନିଯୋଗର ପ୍ରସ୍ତାବ ଦେଇଥିବା କମ୍ପାନିଗୁଡ଼ିକ ମଧୢରେ ଟାଟା, ରିଲାଏନ୍ସ, ଆଦାନିଗ୍ରୁପ୍‌ ଭଳି ପ୍ରମୁଖ ଘରୋଇ ଶିଳ୍ପଗୋଷ୍ଠୀଙ୍କ ସହ ‘ସେଲ୍‌’, ‘କୋଲ୍‌ଇଣ୍ତିଆ’ ଭଳି ବୃହତ୍‌ ରାଷ୍ଟ୍ରାୟତ୍ତ ଶିଳ୍ପ ସ˚ସ୍ଥା ମଧୢ ଅଛନ୍ତି। ପ୍ରାୟ ୫୧ ହଜାର କୋଟି ଟଙ୍କାର ବିଦେଶୀ ପୁଞ୍ଜି ବିନିଯୋଗର ମଧୢ ପ୍ରସ୍ତାବ କେବଳ ଓଡ଼ିଶା ପାଇଁ ନୁହେଁ ଭାରତ ପାଇଁ ଗୁରୁତ୍ବପୂର୍ଣ୍ଣ।

ନିଃସନ୍ଦେହ, ଦ୍ବିତୀୟ ‘ମେକ୍‌-ଇନ୍‌-ଓଡ଼ିଶା’ରେ ୪.୨୦ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶର ପ୍ରତିଶ୍ରୁତି ରାଜ୍ୟରେ ଶିଳ୍ପାୟନ ସହ ଅର୍ଥନେତିକ ଅଭିବୃଦ୍ଧି ଓ ସାମାଜିକ ପ୍ରଗତି କ୍ଷେତ୍ରରେ ନୂଆ ସମ୍ଭାବନା ସୃଷ୍ଟି କରୁଛି। ତେବେ ପ୍ରତ୍ୟେକ ସୁଯୋଗରେ ଯେମିତି ଆହ୍ବାନ ଲୁଚି ରହିଥାଏ, ସେମିତି ବିପୁଳ ପୁଞ୍ଜି ବିନିଯୋଗର ଏ ସମ୍ଭାବନା ସହ ଏକ ବିଶାଳ ଆହ୍ବାନ ମଧୢ ଯୋଡ଼ି ହୋଇଛି। ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବର ଅର୍ଥ ହେଲା ସମାନ ୪ ଲକ୍ଷ ୧୯ ହଜାର ୫୭୪ କୋଟି ଟଙ୍କାର ଆହ୍ବାନ। ବିନିଯୋଗ ପାଇଁ ପ୍ରସ୍ତାବିତ ପୁଞ୍ଜିରୁ ଯେମିତି ପ୍ରତିଟି ଟଙ୍କା ଓଡ଼ିଶା ମାଟିରେ ବିନିଯୋଗ ହୁଏ ଓ ଏହାର ପୂରା ଲାଭ ଯେମିତି ମାଟିର ପୁଅଙ୍କୁ ମିଳେ, ତାହା ନିଶ୍ଚିତ କରିବା ହେଉଛି ଆହ୍ବାନ। ବିଡ଼ମ୍ବନା ହେଲା, ପ୍ରସ୍ତାବକୁ ବାସ୍ତବାୟିତ କରିବା ଦିଗରେ ଓଡ଼ିଶାର ପ୍ରଦର୍ଶନ ସେତେ ଉତ୍ସାହପ୍ରଦ ନୁହେଁ। ପ୍ରକଳ୍ପ ପରିକଳ୍ପନାରେ ଦକ୍ଷତା ଓ ତତ୍ପରତାର ପ୍ରତିଫଳନ କାର୍ଯ୍ୟକାରିତାରେ କ୍ବଚିତ ଦେଖାଯାଏ। ଗତ କିଛି ବର୍ଷ ମଧୢରେ ଅବସ୍ଥାରେ ନିଶ୍ଚୟ ଉନ୍ନତି ଆସିଛି। ପ୍ରକଳ୍ପ କାର୍ଯ୍ୟକାରିତାରେ ସଫଳତା ହାର ବଢ଼ିଛି। ତଥାପି, ଦୁଇହଜାର ମସିହା ପରବର୍ତ୍ତୀ ଦେଢ଼ ଦଶନ୍ଧି ମଧୢରେ ପ୍ରକଳ୍ପ ଗୁଡ଼ିକର ନିରାଶାଜନକ ଅଗ୍ରଗତି ଆଜି ମଧୢ ଆଶଙ୍କାର ମଞ୍ଜି ବୁଣେ। କାର୍ଯ୍ୟକାରିତା କ୍ଷେତ୍ରରେ ଦକ୍ଷତାର ନିଅଣ୍ଟିଆ ଭରଣା ନ ହେଲେ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ ଉଦ୍ୟୋଗୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିବା ଆଶଙ୍କା ରହିଛି। ଅବଶ୍ୟ, ‘ଆସୋଚୋମ’ ପକ୍ଷରୁ ନିକଟରେ ପ୍ରକାଶିତ ଏକ ରିପୋର୍ଟ ପ୍ରକଳ୍ପ କାର୍ଯ୍ୟକାରିତାରେ ଓଡ଼ିଶାକୁ ସକାରାତ୍ମକ ଆଲୁଅରେ ଉପସ୍ଥାପିତ କରିଛି। ରିପୋର୍ଟ ଅନୁଯାୟୀ ୨୦୧୭ ଶେଷ ସୁଦ୍ଧା ଓଡ଼ିଶା ୧୩ ଲକ୍ଷ କୋଟି ଟଙ୍କାରୁ ଅଧିକ ପରିମାଣର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛି। ସେଥିରୁ ଛଅ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶରେ ପ୍ରକଳ୍ପ ଗୁଡ଼ିକ କାର୍ଯ୍ୟକାରିତାରେ ବିଭିନ୍ନ ପର୍ଯ୍ୟାୟରେ ଅଛି। ପ୍ରଥମ ‘ମେକ୍‌ ଇନ୍‌-ଓଡ଼ିଶା’ରେ ମିଳିଥିବା ପ୍ରସ୍ତାବ ଗୁଡ଼ିକର କାର୍ଯ୍ୟକାରିତା କ୍ଷେତ୍ରରେ ମଧୢ ଉନ୍ନତିର ଲକ୍ଷଣ ଦେଖା ଦେଇଛି। ସରକାରୀ ସୂଚନା ଅନୁଯାୟୀ ନଭେମ୍ବର ୨୦୧୬ରେ ମିଳିଥିବା ୧୨୪ଟି ପ୍ରସ୍ତାବ ମଧୢରୁ ୬୫ ପ୍ରତିଶତ କାର୍ଯ୍ୟକାରିତାର ବିଭିନ୍ନ ପର୍ଯ୍ୟାୟରେ ରହିଛି। ‘ମେକ୍‌-ଇନ୍‌-ଓଡ଼ିଶା’ର ଦ୍ବିତୀୟ ସ˚ସ୍କରଣରେ ମିଳିଥିବା ପ୍ରସ୍ତାବ ଗୁଡ଼ିକର କାର୍ଯ୍ୟକାରିତାରେ ଯେମିତି ଶତ ପ୍ରତିଶତ ସଫଳତା ମିଳେ, ତାହା ନିଶ୍ଚିତ କରିବାକୁ ପଡ଼ିବ। ଏଥି ପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛା ଶକ୍ତି ସହ ଅମଲାତାନ୍ତ୍ରିକ ନିଷ୍ଠା।

ପୁଞ୍ଜି ବିନିଯୋଗ ଲାଗି ନିବେଶକଙ୍କ ପାଇଁ ନିଶ୍ଚୟ ବାତାବରଣ ପୂର୍ବାପେକ୍ଷା ଅଧିକ ଅନୁକୂଳ ହୋଇଛି। ବିପୁଳ ପ୍ରାକୃତିକ ସମ୍ପଦ ବ୍ୟତୀତ ଯାହା ପୁଞ୍ଜି ନିବେଶ ଲାଗି ଉଦ୍ୟୋଗୀମାନଙ୍କୁ ଓଡ଼ିଶା ପ୍ରତି ଆକୃଷ୍ଟ କରିଛି, ତା’ହେଲା ଏକ ଲକ୍ଷ ଏକରରୁ ଅଧିକ ଜମି ଥିବା ସରକାରଙ୍କ ‘ଲ୍ୟାଣ୍ତ ବ୍ୟାଙ୍କ୍‌’। ରାଜ୍ୟକୁ ‘ବିଗ୍‌ ଟିକେଟ୍‌’ ପୁଞ୍ଜି ଆକର୍ଷଣ ଲାଗି ‘ଲ୍ୟାଣ୍ତ ବ୍ୟାଙ୍କ’ ଓ ଅନ୍ୟ ରିହାତି ଯଥେଷ୍ଟ ହୋଇ ନ ପାରେ। ଯଦି ଇଜ୍‌-ଅଫ୍‌-ଡୁଇଙ୍ଗ୍‌- ବିଜିନେସ୍‌ ମାନ୍ୟତା ତାଲିକାରେ ଓଡ଼ିଶାର ସ୍ଥାନ ବିଚାରକୁ ନିଆଯାଏ, ତେବେ ଏ ଦିଗରେ ଆହୁରି ଅନେକ କିଛି ଅଧିକ ପଦକ୍ଷେପ ନିଆଯିବା ଦରକାର। ‘ଇଜ୍‌-ଅଫ୍‌-ଡୁଇଙ୍ଗ୍‌- ବିଜିନେସ୍‌’ ମାନ୍ୟତା ତାଲିକାରେ ୨୦୧୫ରେ ଓଡ଼ିଶାର ସ୍ଥାନ ସପ୍ତମରେ ଥିଲା। ଏହା ୨୦୧୬ରେ ୧୧ ଏବ˚ ୨୦୧୭ରେ ୧୪କୁ ଖସି ଆସିଛି। ଅବଶ୍ୟ, ଏହାର ଅର୍ଥ ନୁହେଁ ଯେ, ବିଭିନ୍ନ ମାପକାଠିରେ ଓଡ଼ିଶାର ପ୍ରଦର୍ଶନ ପୂବାପେକ୍ଷା ଖରାପ ହୋଇଛି। ବିଭିନ୍ନ ମାପକାଠିରେ ପୂର୍ବାପେକ୍ଷା ଓଡ଼ିଶା ଅଧିକ ପଏଣ୍ଟ ପାଇଛି। କିନ୍ତୁ ଅନ୍ୟ ରାଜ୍ୟ ମାନଙ୍କ ପ୍ରଦର୍ଶନ ଓଡ଼ିଶାଠାରୁ ଆହୁରି ଭଲ ହୋଇଛି। ଅବଶ୍ୟ, ଗୋଟିଏ ଭଲ ଖବର ହେଲା, ନିକଟରେ ହୋଇଥିବା ଏକ ସରକାରୀ ଅନୁଧୢାନରେ ଇଜ୍‌-ଅଫ୍‌-ଡୁଇଙ୍ଗ୍‌- ବିଜିନେସ୍‌ ଦୃଷ୍ଟିରୁ ଦେଶର ପ୍ରମୁଖ ସହର ଗୁଡ଼ିକ ମଧୢରେ ଭୁବନେଶ୍ବର ତିନି ନମ୍ବରରେ ରହିଛି। ଏଡ଼ିବିର ଆକଳନ ଅନୁଯାୟୀ ପ୍ରକଳ୍ପ ପ୍ରତିଷ୍ଠା ଓ ପରିଚାଳନା ଗତ ଖର୍ଚ୍ଚ ଦୃଷ୍ଟିରୁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ କମ୍‌ ବ୍ୟୟବହୁଳ। ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରକ୍ରିୟାକୁ ସହଜ ଓ ସରଳ କରିବା ସହ ଉଦ୍ୟୋଗୀ ମାନଙ୍କ ସହାୟତା ପାଇଁ ‘କନ୍‌କ୍ଲେଭ୍‌’ ଅବସରରେ ଅନେକ ନୂଆ ପଦକ୍ଷେପ ଘୋଷଣା କରାଯାଇଛି। ଏ ଦିଗରେ ‘ଅବସ୍ଥା ଜାଣି ବ୍ୟବସ୍ଥା’ ନ୍ୟାୟରେ ଆହୁରି ଅଧିକ ପଦକ୍ଷେପ ନିଆଯିବ ବୋଲି ଆଶା କରାଯାଏ।

‘ମେକ୍‌-ଇନ୍‌-ଓଡ଼ିଶା’ର ଦୁଇଟି ସ˚ସ୍କରଣରେ ଆସିଥିବା ପ୍ରାୟ ୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବରୁ କ୍ଷେତ୍ର ସ୍ତରରେ କେତେ କାର୍ଯ୍ୟକାରୀ ହେବ? ପ୍ରାୟ ସାଢ଼େ ସାତ ଲକ୍ଷ ନିଯୁକ୍ତି ସମ୍ଭାବନାରୁ କେତେ ବାସ୍ତବାୟିତ ହେବ? ଏ ପ୍ରଶ୍ନର ସ୍ପଷ୍ଟ ଉତ୍ତର ପାଇଁ ଅପେକ୍ଷା କରିବାକୁ ପଡ଼ିବ। କିନ୍ତୁ ଆଜି ଦିନରେ ଯାହା ସ୍ପଷ୍ଟ, ତା’ହେଲା ଦୁଇଟି ‘ମେକ୍‌-ଇନ୍‌-ଓଡ଼ିଶା’ କନ୍‌କ୍ଲେଭ୍‌ ମାଧୢମରେ ପୁଞ୍ଜି ବିନିଯୋଗ ସକାଶେ ଭାରତର ଅନ୍ୟତମ ଆକର୍ଷଣର କେନ୍ଦ୍ର ଭାବେ ଓଡ଼ିଶାର ସମ୍ଭାବନା ଓ ସାମର୍ଥ୍ୟକୁ ସଫଳତାର ସହ ବିଶ୍ବ ସମ୍ମୁଖରେ ଉପସ୍ଥାପିତ କରାଯାଇ ପାରିଛି। ତା’ସହ ‘ଭିଜନ-୨୦୨୫’ରେ ଧାର୍ଯ୍ୟ କରାଯାଇଥିବା ପୁଞ୍ଜି ବିନିଯୋଗ ଓ ନିଯୁକ୍ତି ସୃଷ୍ଟି ଲକ୍ଷ୍ୟ ହାସଲ ପାଇଁ ଦୃଢ଼ ରାଜନୈତିକ ଇଚ୍ଛାଶକ୍ତି ମଧୢ ପ୍ରଦର୍ଶିତ ହୋଇଛି।

ସମ୍ବନ୍ଧିତ ଖବର