ଅର୍ଥପୂର୍ଣ୍ଣ ଅଧିବେଶନ କାମ୍ୟ

ଆସନ୍ତା ନିର୍ବାଚନ ପୂର୍ବରୁ ଚଳିତ ପଞ୍ଚଦଶ ବିଧାନସଭାର ସବୁଠୁ ଲମ୍ବା ଓ ଗୁରୁତ୍ବପୂର୍ଣ୍ଣ ଅଧିବେଶନ କୁହାଯାଉଥିବା ଶୀତକାଳୀନ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ସଚିବାଳୟ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଅଧିବେଶନ ନଭେମ୍ବର ୧୬ରେ ଆରମ୍ଭ ହୋଇ ଆସନ୍ତା ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ପ୍ରାୟ ମାସ ବ୍ୟାପୀ ଅଧିବେଶନ କାଳରେ ଗୃହର ୨୩ଟି ବୈଠକ ବସିବ। ସେଥିରୁ ୧୯ଟି ସରକାରୀ ଓ ୪ଟି ବେସରକାରୀ କାର୍ଯ୍ୟ ଦିବସ ରହିଛି। ଅଧିବେଶନ ଆରମ୍ଭ ଅବ୍ୟବହିତ ପୂର୍ବରୁ ଅନୁଷ୍ଠିତ ତିନି ପ୍ରମୁଖ ପକ୍ଷ- ଶାସକ ବିଜେଡି ଦୁଇ ବିରୋଧୀ କ˚ଗ୍ରେସ ଓ ବିଜେପିର ବିଧାୟକ ଦଳ ବୈଠକର ବିବରଣୀକୁ ଯଦି ବିଚାର କରାଯାଏ, ତେବେ, ଅଧିବେଶନ ସରଗରମ ହେବ ବୋଲି ଆଶା କରାଯାଏ। ତେବେ ଗୃହରେ ତୁଚ୍ଛା ଉଷ୍ଣତା ନୁହେଁ, ରାଜ୍ୟର ବୃହତ୍ତର ସ୍ବାର୍ଥ, ରାଜ୍ୟବାସୀଙ୍କ ବିଭିନ୍ନ ସମସ୍ୟା ସହିତ ଯୋଡ଼ି ହୋଇଥିବା ପ୍ରସଙ୍ଗ ଉପରେ ଗୃହରେ ଅର୍ଥପୂର୍ଣ୍ଣ ବିତର୍କ ହେଉ ଓ ସେଥିରୁ କିଛି ସକାରାତ୍ମକ ନିର୍ଯାସ ବାହାରୁ।

ଓଡ଼ିଶାର ଜନଗଣଙ୍କ ସାମୂହିକ ଆଶା- ଆକା˚କ୍ଷା ପ୍ରତୀକ ବିଧାନସଭାର ଦଳ ନିର୍ବିଶେଷରେ ମାନ୍ୟବର ବିଧାୟକ ମାନଙ୍କ ଆଗରେ ଏ ନିବେଦନ ପୂର୍ଣ୍ଣ ପ୍ରସ୍ତାବ ରଖିବାକୁ ପଡୁଛି, ଏଥିପାଇଁ ଯେ, ଅନେକ ସମୟରେ ଜନତାଙ୍କ ସମସ୍ୟା ଉପରେ ଆଲୋଚନା ଜରିଆରେ ସମାଧାନ ବାଟ ଖୋଜିବା ଲାଗି ବିଧାନସଭା ଶ୍ରେଷ୍ଠ ମଞ୍ଚ ହେବା ପରିବର୍ତ୍ତେ ପବିତ୍ର ଗୃହ ପ୍ରତିଦ୍ବନ୍ଦ୍ବୀ ରାଜନୈତିକ ଦଳଙ୍କ ମଧୢରେ ସଲାକୁସ୍ତିର ଆଖଡ଼ା ଘର ପାଲଟି ଯାଉଥିବା ଦେଖା ଯାଉଛି। ଗୋଟିଏ ବଲିଉଡ ଫର୍ମୁଲା ଫିଲ୍ମରେ ଯେମିତି କେଉଁ ଦୃଶ୍ୟ ପରେ କେଉଁ ଦୃଶ୍ୟ ଆସିବ ଓ ଶେଷରେ ଯବନିକା କେଉଁଠି ପଡ଼ିବ, ତାହା ଜଣା ଥାଏ, ସେମିତି ବିଧାନସଭାରେ ମଧୢ କେଉଁ ପ୍ରସଙ୍ଗରେ କେଉଁ ପକ୍ଷର ଆଭିମୁଖ୍ୟ ଓ ଆଚରଣ କ’ଣ ହେବ, ତାହା ପ୍ରାୟତଃ ଫର୍ମୁଲାବଦ୍ଧ, ଯାହା ସହଜରେ ଆଗୁଆ କୁହାଯାଇପାରେ। ତେବେ, ନିଷ୍ଠୁର ବିଡ଼ମ୍ବନା ହେଲା- ଶାସକ ବିରୋଧୀ ଛକାପ˚ଝା, ବାକ୍‌ବିତଣ୍ତା, ହଟ୍ଟଗୋଳ ଭିତରେ ସାଧାରଣ ଜନତାଙ୍କ ସମସ୍ୟା ନିଖୋଜ ହୋଇ ଯାଇଥାଏ। ବିଧାନସଭା କକ୍ଷରେ କୌଣସି ପ୍ରସଙ୍ଗରେ ଜ୍ଞାନଦୀପ୍ତ ଅର୍ଥପୂର୍ଣ୍ଣ ଆଲୋଚନା କ୍ରମେ ବିରଳ ହୋଇପଡୁଛି। ଅଧିକ କୌତୂହଳପ୍ରଦ ହେଲା- ଗୋଟିଏ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ମୁଲତବି ପ୍ରସ୍ତାବ ଆଲୋଚନା ପାଇଁ ଗ୍ରହଣ ହେଉ ବୋଲି ଦାବିରେ ପ୍ରବଳ ହଟ୍ଟଗୋଳ କରି ଗୃହରେ ଅଚଳାବସ୍ଥା ସୃଷ୍ଟି କରାଯାଏ। ଅଥଚ, ସେହି ପ୍ରସ୍ତାବ ଉପରେ ଯେତେବେଳେ ବିତର୍କ ହୁଏ, ସେତେବେଳେ ଗୃହରେ ମାନ୍ୟବର ବିଧାୟକଙ୍କ ଉପସ୍ଥିତି ପତଳା ପଡ଼ିଯାଏ। ଏପରିକି କେତେକ ସମୟରେ କୋରମ ଅଭାବରୁ ଆଲୋଚନା ସ୍ଥଗିତ ରହେ। ବିଗତ ଅଧିବେଶନ ଗୁଡ଼ିକରେ ଅନେକ ସମୟରେ ଲକ୍ଷ୍ୟ କରାଯାଇଛି ଯେ, କୃଷି, ଶିକ୍ଷା ଏବ˚ ସ୍ବାସ୍ଥ୍ୟ ଭଳି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ସମୟରେ ଖୁବ୍‌ କମ୍‌ ସ˚ଖ୍ୟକ ବିଧାୟକ ଗୃହରେ ଉପସ୍ଥିତ ଥାନ୍ତି। ଜନତାଙ୍କ ସମସ୍ୟା ପ୍ରତି ଜନପ୍ରତିନିଧିମାନେ କେତେ ସମ୍ବେଦନଶୀଳ ଓ ସମାଧାନ ଲାଗି କେତେ ତତ୍ପର, ଏଥିରୁ ସହଜେ ଅନୁମେୟ। ଗୁରୁତ୍ବପୂର୍ଣ୍ଣ ଆଇନ ପ୍ରଣୟନ ପାଇଁ ଆଗତ ବିଧେୟକ ଉପରେ ଆଲୋଚନା ବେଳେ ଗୃହରେ ପତଳା ଉପସ୍ଥିତି ମଧୢ ଆଇନ ପ୍ରଣୟନ ପ୍ରତି ଆଇନ ପ୍ରଣେତାଙ୍କ ଅନାଗ୍ରହର ପ୍ରତିଫଳନ।

ଉଭୟ ସ˚ସଦ ଓ ରାଜ୍ୟସ୍ତରରେ ବିଧାନସଭା ଓ ବିଧାନ ପରିଷଦ ଗୁଡ଼ିକର କାର୍ଯ୍ୟଧାରାରେ ଦେଖାଯାଉଥିବା ସ˚ସଦୀୟ ବିଧି ଓ ପରମ୍ପରା ପରିପନ୍ଥୀ ଆଉ ଏକ ବିଲକ୍ଷଣ ହେଲା- ପ୍ରଶ୍ନକାଳ ବାତିଲ ପାଇଁ ପ୍ରବଣତା। ଏହା କାର୍ଯ୍ୟନିର୍ବାହୀକୁ ନିଜର କର୍ମ, ଅକର୍ମ ଓ ଅପକର୍ମ ପାଇଁ ଉତ୍ତରଦାୟିତ୍ବରୁ ଖସିଯିବାର ସୁଯୋଗ ଦେଉଛି। ସ˚ସଦୀୟ ବ୍ୟବସ୍ଥାରେ ଶାସନର ବିଭିନ୍ନ ଅଙ୍ଗ ମଧୢରେ ଭାରସାମ୍ୟ ରକ୍ଷା ଉଦ୍ଦେଶ୍ୟରେ ଥିବା ସାମ୍ବିଧାନିକ ବ୍ୟବସ୍ଥାର ଏହା ବିରୋଧାଭାସ। ଗତ ସେପ୍‌ଟେମ୍ବର ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ବିଧାନସଭାର ମୌସୁମୀ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଯଦିଓ, ଅଧିବେଶନ କାଳରେ ଅନେକ ପ୍ରସଙ୍ଗରେ ଗୃହରେ ବିରଳ ସହମତି ପ୍ରକାଶ ପାଇଥିଲା, ତଥାପି ଗୋଟିଏ ଦୁଃଖଦ ବିଷୟ ହେଲା, କୌଣସି ଦିନ ଗୃହରେ ପ୍ରଶ୍ନୋତ୍ତର କାର୍ଯ୍ୟ ସମ୍ଭବ ହୋଇ ପାରି ନଥିଲା। ଗୃହ କାର୍ଯ୍ୟ ସ୍ବାଭାବିକ ରହିଲେ, ପ୍ରତିଦିନ ହାରାହାରି ୫ରୁ ୬ଟି ତାରକା ଖଚିତ ପ୍ରଶ୍ନ ଉପରେ ଆଲୋଚନା ହୋଇଥାଏ। ଆଲୋଚନା ବେଳେ ଅତିରିକ୍ତ ପ୍ରଶ୍ନ ସରକାରଙ୍କ ବିଭିନ୍ନ ବିଭାଗକୁ ଉତ୍ତରଦାୟୀ କରିବା ଲାଗି ଏକ ପ୍ରଭାବଶାଳୀ ଅସ୍ତ୍ର। ତେବେ ଗୋଟିଏ ଦିନ ସୁଦ୍ଧା ପ୍ରଶ୍ନକାଳ ହୋଇ ନ ପାରିବାରୁ ସେ ଅସ୍ତ୍ର ବସ୍ତୁତଃ ଅକାମି ହୋଇଗଲା। ସରକାରଙ୍କୁ ଉତ୍ତରଦାୟୀ କରିବାର ସୁଯୋଗ ହାତଛଡ଼ା ହେଲା। ଏହା କାର୍ଯ୍ୟନିର୍ବାହୀକୁ ଉତ୍ତରଦାୟିତ୍ବ ଶୂନ୍ୟ ହେବା ଲାଗି ପ୍ରୋତ୍ସାହନ ନୁହେଁ ତ ଆଉ କଣ?

ଓଡ଼ିଶା ବିଧାନସଭାର କାର୍ଯ୍ୟଧାରାରେ ଆଉ ଏକ ଅସ୍ବସ୍ତିକର ଅପଲକ୍ଷଣ ହେଲା, ନିର୍ଦ୍ଧାରିତ ଅବଧିଠାରୁ ଆଗୁଆ ଅଧିବେଶନର ପରିସମାପ୍ତି। ଗତ ୨୦୧୭ ଶୀତ ଅଧିବେଶନରେ ୨୦୧୮ ସେପ୍‌ଟେମ୍ବର ମୌସୁମୀ ଅଧିବେଶନ ପର୍ଯ୍ୟନ୍ତ ତିନିଟି ଅଧିବେଶନ ମଧୢରୁ ଦୁଇଟି ଅଧିବେଶନ ନିର୍ଧାରିତ ସମୟ ଠାରୁ ଆଗୁଆ ମୁଲତବି ଘୋଷଣା କରାଯାଇଛି। ୨୦୧୭ ନଭେମ୍ବର ୨୮ରୁ ଆରମ୍ଭ ହୋଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଶୀତ ଅଧିବେଶନ ଚାଲିବ ବୋଲି ସୂଚୀ ଧାର୍ଯ୍ୟ ହୋଇଥିଲା। କିନ୍ତୁ ଡିସେମ୍ବର ୧୪ରେ ଧାର୍ଯ୍ୟ ସମୟର ତେର ଦିନ ଆଗରୁ ‘ସରକାରୀ କାର୍ଯ୍ୟ ନାହିଁ’ ବୋଲି ଦର୍ଶାଇ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କରାଯାଇଥିଲା। ସରକାରୀ କାର୍ଯ୍ୟ ନ ଥିଲା ସିନା, ବିଧାନସଭାରେ ଆଲୋଚନା ପାଇଁ କ’ଣ ଆଉ କୌଣସି ସମସ୍ୟା କିମ୍ବା ପ୍ରସଙ୍ଗ ନଥିଲା? ସେହିପରି ୨୦୧୮ ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ନିର୍ଦ୍ଧାରିତ ସମୟର ୪ ଦିନ ଆଗରୁ ଗୃହ ବନ୍ଦ ହୋଇ ଯାଇଥିଲା। ଅବଶ୍ୟ, ଆସୋସିଏସନ୍‌ ଫର‌୍‌ ଡେମୋକ୍ରାଟିକ୍‌ ରିଫର୍ମସ (ଏଡିଆର‌୍‌) ପକ୍ଷରୁ ହୋଇଥିବା ଏକ ଅନୁଧୢାନ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ବିଧାନସଭା ସବୁଠୁ ଅଧିକ ଦିନ ପାଇଁ ବସେ। ୨୦୦୯ରୁ ୨୦୧୧ ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ହାରାହାରି ସର୍ବାଧିକ ବାର୍ଷିକ ୪୪ ଦିନ ବସିଥିଲା। ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଥିବା ଗୋଆ ଓ ୟୁପିରେ ବିଧାନସଭା ବାର୍ଷିକ ହାରାହାରି ଯଥାକ୍ରମେ ୨୬ ଓ ୨୭ ଦିନ ପାଇଁ ଚାଲିଥିଲା। ତେବେ ଏ ରେକର୍ଡକୁ ଦେଖାଇ ଓଡ଼ିଶା ବିଧାନସଭାର ବିଭିନ୍ନ ଅଧିବେଶନର ଧାର୍ଯ୍ୟ ସମୟ ଠାରୁ ଆଗୁଆ ବନ୍ଦକୁ ଯଥାର୍ଥ ସାବ୍ୟସ୍ତ କରାଯାଇ ପାରିବ ନାହିଁ।

ଏହି ପୃଷ୍ଠଭୂମିରେ ଶୁକ୍ରବାରରୁ ଆରମ୍ଭ ହୋଇଥିବା ଚଳିତ ବର୍ଷର ଶେଷ ତଥା ଶୀତ ଅଧିବେଶନର ପ୍ରଥମ ଦିନ ଗୃହରୁ ମିଳିଥିବା ସ˚କେତ ବିଶେଷ ସୁଖଦ ମନେ ହେଉ ନାହିଁ। ଦିବ˚ଗତ ପୂର୍ବତନ ସଦସ୍ୟ ଓ ଅନ୍ୟ ପ୍ରମୁଖ ସ୍ବର୍ଗତ ବ୍ୟକ୍ତିତ୍ବଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ ପରେ ଗୃହ ମୁଲତବି ହୋଇଯାଇଛି। ପ୍ରଶ୍ନକାଳ ବାତିଲ କରି କୃଷି ଓ କୃଷକ ପ୍ରସଙ୍ଗରେ ଆଲୋଚନା ପାଇଁ ଦାବିକୁ କେନ୍ଦ୍ର କରି ବାଦ-ବିବାଦ ଯୋଗୁ ଗୃହରେ ଅଚଳାବସ୍ଥା ଦେଖାଦେବା ଫଳରେ ଆସନ୍ତା କାଲି ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି।

ଆଶା, ଆଜି (ଶନିବାର) ବୈଠକ ଆରମ୍ଭ ହେବା ବେଳକୁ ଗୃହରେ ସ୍ବାଭାବିକତା ଫେରି ଆସିଥିବ। ବିଧି-ବ୍ୟବସ୍ଥା ଅନୁଯାୟୀ ଶୃଙ୍ଖଳାର ସହ ବିଧାନସଭା ଚାଲିବ। ବିଭିନ୍ନ ପ୍ରସଙ୍ଗରେ ପ୍ରତିବାଦ ଜଣାଇବାର ଅଧିକାର ଅବଶ୍ୟ ଉଭୟ ବିରୋଧୀ ଓ ଶାସକ ପକ୍ଷଙ୍କ ରହିଛି। ତେବେ କେହି ଭୁଲିଯିବା ଉଚିତ ନୁହେଁ ଯେ, ଅଧିକାର ସହ ଦାୟିତ୍ବ ମଧୢ ଯୋଡ଼ି ହୋଇଥାଏ। ପ୍ରତିବାଦ ଜଣାଇବାର ଅଧିକାର ସାବ୍ୟସ୍ତ କଲାବେଳେ ଉଭୟ ଶାସକ ଓ ବିରୋଧୀ ପକ୍ଷ ବିଧିବ୍ୟବସ୍ଥା, ପରମ୍ପରା ପ୍ରତି ସେମାନଙ୍କ ଦାୟିତ୍ବ ନେଇ ମଧୢ ସଚେତନ ରହିବା ଉଚିତ। କିନ୍ତୁ ଅନେକ ସମୟରେ ପ୍ରତିବାଦ ଜଣାଇବାର ବ୍ୟଗ୍ରତା ମଧୢରେ ବିଧାନସଭା ବିଧିବ୍ୟବସ୍ଥାର ସରହଦର ‘ଲକ୍ଷ୍ମଣ ରେଖା’ ଡେଇଁବାର ପ୍ରବଣତା ଗୃହର ଗରିମା ଓ ମର୍ଯ୍ୟାଦାର ଅନୁକୂଳ ନୁହେଁ। ରାଜ୍ୟର ବୃହତ୍ତର ସ୍ବାର୍ଥ ଜଡ଼ିତ ପ୍ରସଙ୍ଗର ଲମ୍ବା ତାଲିକା ଅଛି, ପାହାଡ଼ ତୁଲ୍ୟ ସମସ୍ୟାବଳୀ ମଧୢ ରହିଛି, ଯାହା ରାଜ୍ୟସ୍ତରରେ ଗଣତନ୍ତ୍ରର ସର୍ବୋଚ୍ଚ ମଞ୍ଚରେ ସୁସ୍ଥ ବିତର୍କର ଅପେକ୍ଷା ରଖୁଛି। ମାନ୍ୟବର ବିଧାୟକ ଗଣ ଏହାକୁ ନିଶ୍ଚୟ ହୃଦୟଙ୍ଗମ କରିବେ। ଉଲ୍ଲେଖ ନିଷ୍ପ୍ରୟୋଜନ ଯେ, ଗୃହ ପରିଚାଳନାରେ ବିରୋଧୀଙ୍କ ଅପେକ୍ଷା ଶାସକ ଦଳଠାରୁ ଅଧିକ ଦାୟିତ୍ବପୂର୍ଣ୍ଣ ଆଭିମୁଖ୍ୟ ଓ ଆଚରଣର ଅପେକ୍ଷା ରଖାଯାଏ।

ସମ୍ବନ୍ଧିତ ଖବର