ଭାରତର ଦକ୍ଷିଣ-ପଶ୍ଚିମକୁ ପ୍ରାୟ ୭୦୦ କିମି ଦୂରରେ ଭାରତ ମହାସାଗର-ଆରବ ସାଗରରେ ଅବସ୍ଥିତ କ୍ଷୁଦ୍ର ଦ୍ବୀପପୁଞ୍ଜ ଦେଶ ମାଲ୍ଡିଭ୍ସ (ମାଳଦ୍ବୀପ) (ବର୍ତ୍ତମାନ ଜନସଂଖ୍ୟା ସାଢ଼େ ଚାରିଲକ୍ଷ ମାତ୍ର) ଦ୍ବାଦଶ ଶତାବ୍ଦୀ ପର୍ଯ୍ୟନ୍ତ ଥିଲା ବୌଦ୍ଧ ଧର୍ମାବଲମ୍ବୀ। ଏହି ଦେଶର ଶେଷ ବୌଦ୍ଧ ରାଜା ଧୋଭେମି ୧୧୯୩ ମସିହାରେ ଇସଲାମ ଧର୍ମ ଗ୍ରହଣ କଲା ପରେ ମାଲ୍ଡିଭ୍ସ ଏକ ଇସଲାମୀୟ ଦେଶରେ ପରିଣତ ହୋଇଥିଲା। ଧୋଭେମି କେଉଁ କାରଣରୁ ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ୍ ଧର୍ମ ଅବଲମ୍ବନ କରିଥିଲେ, ସେ ସମ୍ବନ୍ଧରେ ଏବେ ବି ମାଲ୍ଡିଭ୍ସରେ ଏକ କିଂବଦନ୍ତି ପ୍ରଚଳିତ ଅଛି ଯାହାର ପ୍ରଥମ ବର୍ଣ୍ଣନା ଚତୁର୍ଦ୍ଦଶ ଶତାବ୍ଦୀର ଆରବ (ମରୋକ୍କୋ) ପରିବ୍ରାଜକ ଇବ୍ନ ବତ୍ତୁତାଙ୍କ ଦ୍ବାରା ରଚିତ ଭ୍ରମଣ କାହାଣୀରେ ଦେଖିବାକୁ ମିଳିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
କିଂବଦନ୍ତି ଅନୁସାରେ ସେ କାଳର ମାଳଦ୍ବୀପବାସୀମାନେ ରାନ୍ନାମାରି ନାମକ ଏକ ଭୟଙ୍କର ସାଗର ଦେବତାଙ୍କୁ ପୂଜା କରୁଥିଲେ। ରାନ୍ନାମାରି ଥିଲା ଏକ ବିଶାଳ ଡ୍ରାଗନ୍ ଯାହାର ବାସସ୍ଥଳୀ ଥିଲା ସମୁଦ୍ର ଏବଂ ସେ ମଧ୍ୟ ଥିଲା ସମୁଦ୍ରର ମାଲିକ। ସେ କୋପ କଲେ ସମସ୍ତ ଦ୍ବୀପଗୁଡ଼ିକୁ ସମୁଦ୍ରରେ ବୁଡ଼ାଇ ଦେଇ ଲୀନ କରିଦେବ ବୋଲି ରାଜାରୁ ପ୍ରଜା ଯାଏ ସମସ୍ତେ ବିଶ୍ବାସ କରୁଥିଲେ। ସେଇ ଭୟରେ ରାଜଧାନୀ ମାଲେର ସମୁଦ୍ରତଟରେ ଏକ ସୁରମ୍ୟ ମନ୍ଦିର ନିର୍ମାଣ କରାଯାଇ ସେଥିରେ ରାନ୍ନାମାରିଙ୍କର ପୂଜା ଅର୍ଚ୍ଚନା କରାଯାଉଥିଲା। ଦେଶର ରାଜା ଥିଲେ ରାନ୍ନାମାରିଙ୍କର ମୁଖ୍ୟ ପୂଜକ। ରାନ୍ନାମାରି ପ୍ରତି ପୂର୍ଣ୍ଣମୀ ରାତିରେ ନିଜର ଡ୍ରାଗନ୍ ଶରୀର ପରିତ୍ୟାଗ କରି ଜଣେ ସୁନ୍ଦର ଯୁବକ ରୂପ ଗ୍ରହଣ କରି ସେ ମନ୍ଦିରରେ ପ୍ରବେଶ କରୁଥିଲା। ରାନ୍ନାମାରିକୁ ସନ୍ତୁଷ୍ଟ କରିବା ପାଇଁ ରାଜା ତା ସହିତ କରିଥିବା ଚୁକ୍ତି ଅନୁସାରେ ରାଜ୍ୟର ଜଣେ କୁମାରୀ କନ୍ୟାକୁ ବଧୂବେଶରେ ସଜାଇ ସେଇ ରାତିରେ ମନ୍ଦିର ଭିତରେ ଛାଡ଼ି ଦିଆଯାଉଥିଲା। ରାନ୍ନାମାରି ରାତିସାରା ସେ କୁମାରୀ ସହିତ ଯୌନ ସମ୍ଭୋଗ କରିବା ପରେ କନ୍ୟାର ପ୍ରାଣନାଶ କରୁଥିଲା। ସକାଳେ ଲୋକମାନେ ଯାଇ କୁମାରୀ କନ୍ୟାର ମୃତ ଦେହ ଆବିଷ୍କାର କରୁଥିଲେ। ରାନ୍ନାମାରି ମନ୍ଦିରରୁ ଉଭାନ ହୋଇସାରିଥିଲା।
ପୂର୍ଣ୍ଣମୀ ତିଥି ଉପସ୍ଥିତ ହେଲେ କେଉଁ କୁମାରୀ କନ୍ୟାକୁ ଚୟନ କରାଯାଇ ରାନ୍ନାମାରି ପାଖକୁ ପଠାଯିବ ତାହା ସ୍ଥିର କରିବା ପାଇଁ ରାଜା ଏକ ଲଟେରି ବ୍ୟବସ୍ଥା କରିଥିଲେ। ରାଜ୍ୟର କୁମାରୀ କନ୍ୟା ଓ ସେମାନଙ୍କର ପିତାମାତାମାନେ ଏହି କାରଣରୁ ସର୍ବଦା ଆତଙ୍କିତ ଅବସ୍ଥାରେ ରହୁଥିଲେ। ଏହି ସମୟରେ ଥରେ ଅବ୍ଦୁଲ୍ ବରାକତ୍ ୟୁସୁଫୁଲ୍ ବର୍ବରୀ ନାମକ ଜଣେ ଆରବ ମୁସଲମାନ ପରିବ୍ରାଜକ ମାଳଦ୍ବୀପରେ ଆସି ପହଞ୍ଚିଲେ। ଦ୍ବୀପବାସୀଙ୍କର ଆତିଥେୟତା ଉପଭୋଗ କରି ବର୍ବରୀ ବେଶ୍ ଆନନ୍ଦରେ କେତେ ଦିନ ବିତାଇବା ପରେ ଏକ ଅଘଟଣର ସମ୍ମୁଖୀନ ହେଲେ। ସେ ଯେଉଁ ପରିବାରରେ ଆଶ୍ରୟ ନେଇଥିଲେ, ସେଇ ପରିବାରର ସଦ୍ୟ ଯୌବନପ୍ରାପ୍ତା କୁମାରୀ କନ୍ୟା ସେଦିନ ରାତିରେ ରାନ୍ନାମାରି ମନ୍ଦିରରେ ଅର୍ଘ୍ୟ ରୂପେ ଅର୍ପଣ କରାଯିବା ପାଇଁ ଲଟେରି ଉଠିଲା। ପରିବାରରେ କାନ୍ଦବୋବାଳି ପଡ଼ିଗଲା। ସାରା ଦିନ ସାରା ପରିବାରର ମର୍ମଭେଦୀ କରୁଣ ବିଳାପ ଦେଖି ଅତିଥି ବର୍ବରୀଙ୍କର ହୃଦୟ ବିଗଳିତ ହେଲା। ସେ ସେମାନଙ୍କୁ ସାହାଯ୍ୟ କରିବାକୁ ଏକ ଯୋଜନା କଲେ। ବର୍ବରୀ ଇସଲାମ ଧର୍ମାବଲମ୍ବୀ ହୋଇଥିବାରୁ ତାଙ୍କର ରାନ୍ନାମାରି ପ୍ରତି କୌଣସି ଭୟ ନଥିଲା, କାରଣ ଇସଲାମ ଆଲ୍ଲାଙ୍କ ବ୍ୟତୀତ କୌଣସି ଦେବତାରେ ବିଶ୍ବାସ କରେ ନାହିଁ। ବର୍ବରୀ ନିଶ୍ଚିତ ଥିଲେ ଯେ ରାନ୍ନାମାରି ପ୍ରକୃତରେ ଥିଲା ଏକ ଦୁଷ୍ଟ ଜିନ୍ ବା ସଇତାନ୍। ବର୍ବରୀ ତାଙ୍କ ଆଶ୍ରୟଦାତା ପରିବାରର ସମ୍ମତି ନେଇ ନିଜକୁ ବଧୂ ବେଶରେ ସଜାଇ ଓଢ଼ଣି ପକାଇ କୁମାରୀ କନ୍ୟା ସ୍ଥାନରେ ସବାରିରେ ବସି ରାତିରେ ରାନ୍ନାମାରି ମନ୍ଦିରରେ ପ୍ରବେଶ କଲେ। ସେଠାରେ ସେ ପବିତ୍ର କୋରାନ୍ ଆବୃତ୍ତି କରିବାରେ ଲାଗିଲେ ଯାହା ପ୍ରଭାବରେ ସଇତାନ୍ ରାନ୍ନାମାରି ନିଜର ସମସ୍ତ ବଳବୀର୍ଯ୍ୟ ହରାଇ ବିଶାଳ ଡ୍ରାଗନ୍ରୁ ସଂକୁଚିତ ହୋଇ ଏକ ପିମ୍ପୁଡ଼ି ପରି ହୋଇଗଲା। ବର୍ବରୀ ସେ ଅତି କ୍ଷୁଦ୍ର ରାନ୍ନାମାରିକୁ ଏକ ବୋତଲରେ ବନ୍ଦ କରି ଦେଇ ଚିରଦିନ ପାଇଁ ତା’ର ଅନ୍ତ ଘଟାଇଲେ। ରାଜା ଏହା ଦ୍ବାରା ପ୍ରଭାବିତ ହୋଇ ଇସଲାମ ଧର୍ମ ଗ୍ରହଣ କଲେ। ରାଜ୍ୟବାସୀ ଶାନ୍ତିରେ କାଳ କାଟିଲେ।
କିଂବଦନ୍ତିର ଡ୍ରାଗନ୍ ରାନ୍ନାମାରିର ସିନା ଏପରି ଅନ୍ତ ଘଟିଥିଲା, କିନ୍ତୁ ନିକଟ ଅତୀତରେ ମାଲ୍ଡିଭ୍ସ ପୁଣି ସତସତିକା ଡ୍ରାଗନ୍ ଚୀନ୍ର କବଳକୁ ଆସି ସେ ପୁରୁଣା କାହାଣୀକୁ ଆଉଥରେ ଜୀବଦାନ ଦେବା ମାଲ୍ଡିଭ୍ସର ସାମ୍ପ୍ରତିକ ଇତିହାସର ଅଂଶରେ ପରିଣତ ହୋଇଛି। ନଭେମ୍ବର ୧୭ ତାରିଖ ଦିନ ଇବ୍ରାହିମ୍ ମହମ୍ମଦ ସୋଲି ମାଲ୍ଡିଭ୍ସର ରାଷ୍ଟ୍ରପତି ରୂପେ ଶପଥ ଗ୍ରହଣ କରି ବର୍ବରୀ ପରି ଏହି ନୂତନ ରାନ୍ନାମାରି ଚୀନ୍କୁ ପୁଣି ପିମ୍ପୁଡ଼ିରେ ପରିଣତ କରି ବୋତଲରେ ବନ୍ଦୀ କରିବାର ସମ୍ଭାବନା ସୃଷ୍ଟି କରିଛନ୍ତି। ଶପଥ ଗ୍ରହଣ ଉତ୍ସବରେ ପଡ଼ୋଶୀ ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଉପସ୍ଥିତି ଏହି ସମ୍ଭାବନା ଉପରେ ଅଧିକ ନିଶ୍ଚିତତାର ମୋହର ଲଗାଇଥାଏ, କାରଣ ସୋଲିଙ୍କ ପୂର୍ବବର୍ତ୍ତୀ ରାଷ୍ଟ୍ରପତି ଅବ୍ଦୁଲ୍ଲା ୟାମିନ୍ ଏକ ସୁଚିନ୍ତିତ ଯୋଜନାର ଅଂଶ ସ୍ବରୂପ ଭାରତ ସହିତ ସମସ୍ତ ସମ୍ପର୍କ ଛିନ୍ନ କରି ରାନ୍ନାମାରି ଚୀନ୍ର ବାହୁ ବନ୍ଧନକୁ ଆଦରି ନେଇଥିଲେ।
ୟାମିନ୍ ଯେତେବେଳେ ସେ ଦେଶର ପାର୍ଲାମେଣ୍ଟ୍କୁ ଉପେକ୍ଷା କରି ସେଠାରେ ଗଣତନ୍ତ୍ରକୁ ଧ୍ବଂସ କରିବା ପାଇଁ ଚେଷ୍ଟା ଚଳାଇଥିଲେ ଚୀନ୍ ଥିଲା ଏକମାତ୍ର ଦେଶ ଯିଏ ୟାମିନ୍ଙ୍କୁ ସହଯୋଗ ସମର୍ଥନ ଯୋଗାଇ ଚାଲିଥିଲା। ପ୍ରତିଦାନ ସ୍ବରୂପ ୟାମିନ୍ ମାଲ୍ଡିଭ୍ସର କ୍ଷୁଦ୍ର ଅର୍ଥନୀତିକୁ ପୂରାପୂରି ଚୀନ୍ର ନିୟନ୍ତ୍ରଣକୁ ଠେଲି ଦେଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ବର୍ଷ ଡିସେମ୍ବରରେ ଚୀନ୍ ସହିତ ମାଲ୍ଡିଭ୍ସ ଏକ ଅବାଧ ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିବା ସହିତ ଚୀନ୍ର ବହୁ ପ୍ରଚାରିତ ‘ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍’ରେ ସାମିଲ ହୋଇଥିଲା। ଅନେକ ଭିତ୍ତିଭୂମି ନିର୍ମାଣ ପ୍ରକଳ୍ପରେ ଚାଇନିଜ୍ କମ୍ପାନିମାନଙ୍କୁ ଠିକା ପ୍ରଦାନ କରାଯାଇଥିଲା। ଏଥିରେ ମାଲେ ଏବଂ ହୁଲ୍ହୁଲେ ଦ୍ବୀପକୁ ସଂଯୋଗ କରୁଥିବା ସିନାମାଲେ ସେତୁ ଏବଂ ହୁଲ୍ହୁମାଲେ ଦ୍ବୀପରେ ନିର୍ମାଣାଧୀନ ୧୦୦୦ ଆପାର୍ଟମେଣ୍ଟ୍ ବିଶିଷ୍ଟ ଗୃହ ନିର୍ମାଣ ପ୍ରକଳ୍ପ ଅନ୍ତର୍ଭୁକ୍ତ। ମାଲ୍ଡିଭ୍ସର କ୍ଷୁଦ୍ର ଅର୍ଥନୀତି ପାଇଁ ଏହା ଏକ ବିଶାଳ ୧.୩ ବିଲିଅନ୍ ଡଲାର୍ର ଚାଇନିଜ୍ ଋଣ ବୋଝ ସୃଷ୍ଟି କରିଛି ବୋଲି ୱାସିଂଟନ୍ସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ‘ସେଣ୍ଟର୍ ଫର୍ ଗ୍ଲୋବାଲ୍ ଡେଭେଲପ୍ମେଣ୍ଟ୍’ ଆକଳନ କରିଛି(ଏହା ମାଲ୍ଡିଭ୍ସର ‘ଜିଡିପି’ର ଏକ-ଚତୁର୍ଥାଂଶ!)। ଗତ ବର୍ଷ ୟାମିନ୍ ତିନିଟି ଚାଇନିଜ୍ ଯୁଦ୍ଧ ଜାହାଜକୁ ମାଲେ ବନ୍ଦରରେ ପ୍ରବେଶ କରିବାକୁ ଅନୁମତି ଦେଇଥିଲେ। ୟାମିନ୍ ଏ ବର୍ଷ ଫେବ୍ରୁଆରିରେ ସେଠାରେ ସମ୍ବିଧାନକୁ ଅଚଳ କରି ଜରୁରୀକାଳୀନ ପରିସ୍ଥିତି ଜାରି କରିଥିଲେ। ସେ ମଧ୍ୟ ନିଜ ଦେଶକୁ ରାଜ୍ୟ ଗୋଷ୍ଠୀରୁ ବାହାର କରି ଆଣିଥିଲେ। ମୋଟ ଉପରେ ପାରମ୍ପରିକ ମିତ୍ର ରାଷ୍ଟ୍ର ପଡ଼ୋଶୀ ଗଣତାନ୍ତ୍ରିକ ଦେଶ ଭାରତ ଠାରୁ ଦୂରେଇ ଯାଇ ମାଲ୍ଡିଭ୍ସକୁ ଚୀନ୍ ନିକଟରେ ବନ୍ଧକ ପକାଇବାକୁ ୟାମିନ୍ ସବୁମନ୍ତେ ଉଦ୍ୟମ କରିଥିଲେ। ସୋଲି ସେ ସମସ୍ତରେ ପରିବର୍ତ୍ତନ ଘଟାଇ ମାଲ୍ଡିଭ୍ସକୁ ଚୀନା ରାନ୍ନାମାରି କବଳରୁ ମୁକ୍ତ କରିବାକୁ ଘୋଷଣା କରିଛନ୍ତି। ଯଦି ସେ ଏଥିରେ ସଫଳ ହୁଅନ୍ତି, ସେ ହେବେ ଦ୍ବିତୀୟ ବର୍ବରୀ।