‘ଗୁଡ୍‌ ସ୍ମିଥ୍‌ ଟ୍ୟାକ୍‌ସ’

ଅର୍ଥଶାସ୍ତ୍ରର ଜନକ ରୂପେ ପରିଚିତ ଆଡାମ୍‌ ସ୍ମିଥ୍‌ ତାଙ୍କ ଦ୍ୱାରା ରଚିତ ୧୭୭୬ରେ ପ୍ରକାଶିତ ଏହି ଶାସ୍ତ୍ରର ଆଦିଗ୍ରନ୍ଥ ରୂପେ ସୁବିଦିତ ‘େଓ୍ଵଲ୍‌ଥ ଅଫ୍‌ ନେସନ୍‌ସ’ (ରାଷ୍ଟ୍ରମାନଙ୍କର ସମ୍ପଦ)ରେ ଗୋଟିଏ ଦେଶରେ ପ୍ରଚଳିତ ଆଦର୍ଶ କର ବ୍ୟବସ୍ଥାର ଚରିତ୍ର କିଭଳି ହେବା ଉଚିତ ସେ ସମ୍ବନ୍ଧରେ ଏକ ତାଲିକା ପ୍ରଦାନ କରିଥିଲେ। ତାଙ୍କ ତାଲିକାରେ ଏକ ଆଦର୍ଶ କର ବ୍ୟବସ୍ଥା ଓ ତହିଁରେ ଥିବା କରମାନଙ୍କର ଯେଉଁ ଚାରିଟି ଗୁଣ ସ୍ଥାନ ପାଇଥିଲା, ସେଥି ମଧ୍ୟରୁ ଗୋଟିଏ ଥିଲା- ‘ନିଶ୍ଚିତତା’। ଏହାର ଅର୍ଥ ସ୍ପଷ୍ଟ। ନିଜର କର ଦେୟ ତଥା କର ପ୍ରଦାନ ଓ ସଂଗ୍ରହ ପ୍ରଣାଳୀ ସମ୍ବନ୍ଧରେ କରଦାତା ନାଗରିକମାନେ ଯେପରି କୌଣସି ଅନିଶ୍ଚିତତାର ସମ୍ମୁଖୀନ ନ ହୁଅନ୍ତି ସରକାର ତାହା ନିଶ୍ଚିତ କରିବା ଉଚିତ। ପରବର୍ତ୍ତୀ ସମୟରେ ଅର୍ଥଶାସ୍ତ୍ରୀମାନେ ଏଥି ସହିତ ଆଉ ଯେଉଁ କେତେକ ଗୁଣ ସଂଯୋଗ କରିଥିଲେ ସେଥିମଧ୍ୟରେ ଅନ୍ୟତମ ଥିଲା- ‘ସରଳତା’। ଏହାର ଅର୍ଥ ମଧ୍ୟ ସ୍ପଷ୍ଟ। କର ବ୍ୟବସ୍ଥାର ନିୟମକାନୁନ୍‌ ସବୁ ଏପରି ସରଳ ହୋଇଥିବ ଯେ ସାଧାରଣ କରଦାତାଙ୍କ ପକ୍ଷରେ ତାହାକୁ ବୁଝିବା ଆଦୌ କଷ୍ଟକର ହୋଇ ନଥିବ।

ଏହି ପରିପ୍ରେକ୍ଷୀରେ ଉଲ୍ଲେଖଯୋଗ୍ୟ ଯେ ‘ଜିଏସ୍‌ଟି’ (‘ଗୁଡ୍‌ସ ଆଣ୍ଡ୍‌ ସର୍ଭିସେସ୍‌ ଟ୍ୟାକ୍‌ସ’-ଦ୍ରବ୍ୟ ଓ ସେବା କର) ପ୍ରବର୍ତ୍ତନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ସ୍ୱଭାବ ସୁଲଭ ଢଙ୍ଗରେ ଏହାକୁ ସମ୍ପ୍ରସାରଣ କରି ଏହାକୁ ‘ଗୁଡ୍‌ ଆଣ୍ଡ୍‌ ସିମ୍ପଲ୍‌ ଟ୍ୟାକ୍‌ସ’ ଆଖ୍ୟା ଦେଇଥିଲେ, ଯାହାର ଅନୁବାଦ ହେଉଛି- ‘ଉତ୍ତମ ଏବଂ ସରଳ କର’। ଜିଏସ୍‌ଟି ପ୍ରବର୍ତ୍ତନର ଚାରିମାସ ମଧ୍ୟରେ ଏହାର ସରଳତା ସମ୍ବନ୍ଧରେ ଜନମାନସରେ ଯେ ଆଉ କୌଣସି ମାୟା ରହିନାହିଁ ତାହା ମଧ୍ୟପ୍ରଦେଶର ସେଇ ଭାରତୀୟ ଜନତା ପାର୍ଟି ସରକାରର ଜଣେ ମନ୍ତ୍ରୀ ନିକଟରେ ପ୍ରଦାନ କରିଥିବା ଏହି ମନ୍ତବ୍ୟରୁ ସ୍ପଷ୍ଟ ହୋଇଥାଏ। ମନ୍ତ୍ରୀ ଓମ୍‌ପ୍ରକାଶ ଧୁର୍ବେ କହିଥିଲେ- ‘‘ଜିଏସ୍‌ଟି ମୁଁ ନିଜେ ବୁଝି ପାରୁନାହିଁ…. ବଡ଼ ବଡ଼ ଚାର୍ଟାର୍ଡ ଏକାଉଣ୍ଟାଣ୍ଟମାନେ ବୁଝିପାରୁ ନାହାନ୍ତି, ବ୍ୟବସାୟୀମାନେ ବୁଝି ପାରୁ ନାହାନ୍ତି।’’ ତେଣୁ କହିବା ବାହୁଲ୍ୟ ଆମର ଯୁଗାନ୍ତକାରୀ ନୂତନ କର ବ୍ୟବସ୍ଥାଟି ଆଦୌ ‘ସରଳତା’ ଗୁଣର ଅଧିକାରୀ ନୁହେଁ। ଏହା ମଧ୍ୟ ଆଡାମ୍‌ ସ୍ମିଥ୍‌ଙ୍କ ପ୍ରଦତ୍ତ ‘ନିଶ୍ଚିତତା’ ଗୁଣର ଅଧିକାରୀ ବୋଲି ଦାବି କରାଯାଇ ପାରିବ ନାହିଁ, ଏହା ଏହି ନୂତନ କରବ୍ୟବସ୍ଥା ଉପରେ ନଜର ରଖିଥିବା ଯେ କେହି ସାଧାରଣ ଲୋକ ସ୍ପଷ୍ଟ ରୂପେ ହୃଦୟଙ୍ଗମ କରି ସାରିଥିବ। ଏହାର ଗୋଟିଏ ‘ନିଶ୍ଚିତ’ ପ୍ରମାଣ ସ୍ୱରୂପ ଜୁଲାଇ ପହିଲାରେ ଏହି କର ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରଠାରୁ ବର୍ତ୍ତମାନ ମଧ୍ୟରେ ଏହାର ନିର୍ଣ୍ଣାୟକ ସଂସ୍ଥା ରୂପେ କାର୍ଯ୍ୟ କରୁଥିବା ଜିଏସ୍‌ଟି କାଉନ୍‌ସିଲ୍‌ ୨୩ ଥର ବସି ସାରିଲାଣି ଏବଂ ୨୦୦ରୁ ଅଧିକ ଦ୍ରବ୍ୟ ଉପରେ ଆରମ୍ଭରେ ଲାଗୁ କରାଯାଇଥିବା କର ହାରରେ ପରିବର୍ତ୍ତନ କରିସାରିଲାଣି ଏଥିସହିତ ଏହି କର କାର୍ଯ୍ୟକାରୀ ହେବା ପ୍ରଣାଳୀରେ ମଧ୍ୟ ପରିବର୍ତ୍ତନମାନ କରାଯିବାରେ ଲାଗିଛି। ଏଣୁ ପ୍ରଥମ ବର୍ଷ ଅର୍ଥଶାସ୍ତ୍ରର ଛାତ୍ରଛାତ୍ରୀମାନେ ମଧ୍ୟ ଭାରତର ଏହି ତଥାକଥିତ ଆଦର୍ଶ କର ସଂସ୍କାରକୁ ଆଦୌ ଏକ ଆଦର୍ଶ କର ବ୍ୟବସ୍ଥାର ସ୍ୱୀକୃତି ପ୍ରଦାନ କରିବେ ନାହିଁ।

ତେବେ ଜିଏସ୍‌ଟି ବ୍ୟବସ୍ଥାର ଏହି ଅସ୍ଥିରତା ସପକ୍ଷରେ ଯେଉଁମାନେ ଯୁକ୍ତି କରିବେ ସେମାନେ ନିଶ୍ଚିତ ଭାବରେ କହିବେ ଯେ ଏହି ନବଜାତକ କର ବ୍ୟବସ୍ଥାରେ ରହିଥିବା ଦୋଷତ୍ରୁଟି ଆବିଷ୍କୃତ ହେବା ମାତ୍ରେ ସେଗୁଡ଼ିକୁ ଦୂର କରି ଏଥିରେ ନିରନ୍ତର ଉନ୍ନତି ଆଣିବା ପାଇଁ ହିଁ ବାରମ୍ବାର ଏପରି ପରିବର୍ତ୍ତନ କରାଯାଉଛି।

ଏହି ଉଦ୍ୟମର ସଦ୍ୟତମ ପରିପ୍ରକାଶ ସ୍ୱରୂପ ଗତ ଶୁକ୍ରବାର ଦିନ ଗୌହାଟୀ ଠାରେ ଜିଏସ୍‌ଟି କାଉନ୍‌ସିଲ୍‌ର ୨୩ତମ ବୈଠକ ଆୟୋଜିତ ହୋଇ ଯେଉଁ ସମସ୍ତ ପରିବର୍ତ୍ତନ ପାଇଁ ଅନୁମୋଦନ ପ୍ରଦାନ କରାଯାଇଛି ତାହା ଜିଏସ୍‌ଟିର ଏହି ଚାରିମାସର ସଂକ୍ଷିପ୍ତ ଜୀବନକାଳ ମଧ୍ୟରେ ସବୁଠାରୁ ତତ୍ପର୍ଯ୍ୟପୂର୍ଣ୍ଣ ବୋଲି ବିଚାର କରାଯାଇପାରେ। ଜିଏସ୍‌ଟି ସହିତ ଜଡ଼ିତ ଥିବା ସମସ୍ୟା ମାନ କେବଳ ଏହାର ସାତ ଥାକିଆ (ସେସ୍‌ ମିଶାଇ) ଟିକସ ହାର ନୁହେଁ (ଏକ ଆଦର୍ଶ ଜିଏସ୍‌ଟିରେ କେବଳ ଗୋଟିଏ ଟିକସ ହାର ରହିଥାଏ), ଏଥି ସହିତ ପ୍ରତି ମାସରେ ଇନ୍‌ଭଏସ୍‌ ସବୁ ମ୍ୟାଚ୍‌ କରି ଟିକସ ପୈଠ କରିବା ଭଳି ଅସୁବିଧା, ପ୍ରଶାସନିକ ଭୁଲଭଟକା ଏବଂ ସର୍ବୋପରି ଏ ନୂତନ କାର୍ଯ୍ୟବୋଝ ସମ୍ଭାଳିବା ପାଇଁ ନୂଆକରି ସ୍ଥାପନ କରାଯାଇଥିବା ଅନ୍‌ଲାଇନ୍‌ ବ୍ୟବସ୍ଥା ‘ଜିଏସ୍‌ଟିଏନ୍‌’ର ଅକ୍ଷମତା ମିଶି କରଦାତା ବ୍ୟବସାୟୀ ମାନଙ୍କ ପାଇଁ ଜିଏସ୍‌ଟି ଏକ କୋକୁଆ ଭୟ ସୃଷ୍ଟି କରିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗୌହାଟୀ ବୈଠକରେ ଏ ସମସ୍ତ ପ୍ରତିବନ୍ଧମାନଙ୍କ ମଧ୍ୟରୁ କେତେକକୁ ଉଠାଇ ଜିଏସ୍‌ଟି ରାସ୍ତାକୁ ସମତଳ କରିବାର ଉଦ୍ୟମ କରାଯାଇଛି।

ଏହି ବୈଠକରେ ନିଆଯାଇଥିବା ସବୁଠାରୁ ଚମକପ୍ରଦ ନିଷ୍ପତ୍ତି ହେଉଛି ସର୍ବୋଚ୍ଚ ୨୮% ଟିକସ ହାର ଲାଗୁ ହେଉଥିବା ଦୁଇଶହରୁ ଅଧିକ ସାମଗ୍ରୀ ମାନଙ୍କ ମଧ୍ୟରୁ ୧୭୮ଟି ସାମଗ୍ରୀ ଉପରୁ ତାହାକୁ ହ୍ରାସ କରି ୧୮%କୁ ନେଇ ଆସିବା ଏବଂ ଅନ୍ୟ କେତେକ ସାମଗ୍ରୀ ଉପରୁ ମଧ୍ୟ ପୂର୍ବର ଟିକସ ହାର ହ୍ରାସ କରି ସେଗୁଡ଼ିକୁ ଶସ୍ତା କରିଦେବା। ଏହା ବାଦ୍‌ କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟ ମାନଙ୍କୁ ସୁବିଧା ଦେବା ପାଇଁ କମ୍ପୋଜିସନ୍‌ ସ୍କିମ୍‌ରେ ଅନ୍ତର୍ଭୁକ୍ତ ହେବାର ସର୍ବୋଚ୍ଚ ସୀମାକୁ ବାର୍ଷିକ ୧ କୋଟି ଟଙ୍କାର ବ୍ୟବସାୟରୁ ବୃଦ୍ଧି କରି ୧.୫ କୋଟି ଟଙ୍କା କରି ଦିଆଯାଇଛି। ପୁଣି ଉତ୍ପାଦନକାରୀ ମାନଙ୍କ ପାଇଁ ଏହି କମ୍ପୋଜିସନ୍‌ ସ୍କିମ୍‌ ଟିକସ ହାରକୁ ପୂର୍ବର ୨%ରୁ ଅଧା କରି ୧% କରିଦିଆଯାଇଛି। ସେମିତି ଟ୍ୟାକ୍‌ସ ରିଟର୍ଣ୍ଣ ଦାଖଲ କରି ପାରିନଥିବା ବ୍ୟବସାୟୀ ମାନଙ୍କୁ ଦଣ୍ଡିତ କରିବା ପରିବର୍ତ୍ତେ ଏଥିପାଇଁ ନିର୍ଦ୍ଧାରିତ ତାରିଖକୁ ଘୁଞ୍ଚାଇ ଦିଆଯିବା ସହିତ ବିଶଦ ଇନ୍‌ପୁଟ୍‌ ଆଉଟ୍‌ପୁଟ୍‌ ବିବରଣୀ ଦାଖଲ ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ଏହା ଦ୍ୱାରା ଅନେକାଂଶରେ ଦୂର ହୋଇପାରିବ।

ତେବେ ଜିଏସ୍‌ଟିକୁ ଏକ ଆଦର୍ଶ କର ବ୍ୟବସ୍ଥାରେ ପରିଣତ କରିବାକୁ ଏତିକି ପରିବର୍ତ୍ତନ ଯେ ଆଦୌ ଯଥେଷ୍ଟ ନୁହେଁ ଏହା କାହାରିକୁ ଅଛପା ନୁହେଁ। ଏକ ଆଦର୍ଶ ବ୍ୟବସ୍ଥାରେ ଶେଷକୁ ମାତ୍ର ଗୋଟିଏ କିଂବା ଦୁଇଟି କର ହାର ହିଁ ରହିବା କଥା। ଏତେ ସଂଖ୍ୟକ କର ହାର ଥିବା ଯାଏଁ, ନିର୍ଦ୍ଦିଷ୍ଟ ସାମଗ୍ରୀ ମାନଙ୍କ ପାଇଁ ନୀଚା ହାର ଲାଗୁ କରାଯିବା ପାଇଁ ସର୍ବଦା ଧରାଧରି ଜାରି ରହିବ ଏବଂ ତା’ର କୁପରିଣାମ କ’ଣ ସୂଚାଇବା ଅନାବଶ୍ୟକ। କ୍ରମେ ଯଦି ଅବିରତ ତ୍ରୁଟି ସଂଶୋଧନ ମାଧ୍ୟମରେ ଅନତିବିଳମ୍ବେ ଏକ ଆଦର୍ଶ ଜିଏସ୍‌ଟିର ଆବିର୍ଭାବ ଘଟେ ତେବେ ଭାରତୀୟ ଅର୍ଥନୀତି ପାଇଁ ତାହା ଏକ ବରଦାନ ସଦୃଶ ହେବ- ଏହା ଆଡାମ୍‌ ସ୍ମିଥ୍‌ଙ୍କ ଆଶୀର୍ବାଦ ଲାଭ କରିବ। ଜିଏସ୍‌ଟିକୁ ସେତେବେଳେ କୁହାଯାଇ ପାରିବ ‘ଗୁଡ୍‌ ସ୍ମିଥ୍‌ ଟ୍ୟାକ୍‌ସ’।

ସମ୍ବନ୍ଧିତ ଖବର