କେନ୍ଦ୍ରରେ ସରକାର ପରେ ସରକାର ବଦଳିଛି। କ˚ଗ୍ରେସ ପରେ ଜନତା, ଏନ୍‌ଡିଏ ପରେ ୟୁପିଏ, ପୁଣି ଏନ୍‌ଡିଏ ମେଣ୍ଟ ଶାସନକୁ ଆସିଛି। କିନ୍ତୁ ଦିଲ୍ଲୀରେ ସରକାର ବଦଳିଲେ ସୁଦ୍ଧା ରାଜ୍ୟ ସ୍ତରରେ ସର୍ବୋଚ୍ଚ ସାମ୍ବିଧାନିକ ପଦ- ରାଜ୍ୟପାଳଙ୍କୁ କେନ୍ଦ୍ରର କ୍ଷମତାସୀନ ଦଳର ସ˚କୀର୍ଣ୍ଣ ରାଜନୈତିକ ସ୍ବାର୍ଥ ପାଇଁ ହାତବାରିସି ଭାବେ ଅପବ୍ୟବହାର କରାଯିବାର ଅସୁସ୍ଥ ଧାରା ବଦଳି ନାହିଁ। ଏହି ସାମ୍ବିଧାନିକ ପଦର ରାଜନୈତିକ ଦୁରୁପଯୋଗ ବିରୋଧରେ ନ୍ୟାୟପାଳିକାଙ୍କ ବାରମ୍ବାର ଛାଟ ଓ ଭର୍ତ୍ସନା ସତ୍ତ୍ବେ ରାଜଭବନଗୁଡ଼ିକ ଅସାମ୍ବିଧାନିକ-ଅଗଣତାନ୍ତ୍ରିକ କାର୍ଯ୍ୟକଳାପର ନାଭିକେନ୍ଦ୍ର ହେବାର ଦୁଃଖଦ କ୍ରମ ଜାରି ରହିଛି। ଏହି ଅସ୍ବସ୍ତିକର କ୍ରମରେ ସଦ୍ୟତମ ଦୁର୍ଭାଗ୍ୟଜନକ ଉପାଖ୍ୟାନଟି ବିଚ୍ଛିନ୍ନତାବାଦ ଆକ୍ରାନ୍ତ ଅସ୍ଥିର, ହି˚ସା ପୀଡ଼ିତ ସୀମାନ୍ତ ରାଜ୍ୟ ଜମ୍ମୁ ଓ କଶ୍ମୀରକୁ ଆହୁରି ଅଧିକ ଅସ୍ଥିରତା ଓ ଅନିଶ୍ଚିତତା ମଧୢକୁ ଠେଲି ଦେଇଛି।

Advertisment

ପିଡିପି-ଏନ୍‌ସି-କ˚ଗ୍ରେସ; ତିନି ଦଳିଆ ମେଣ୍ଟକୁ ସରକାର ଗଠନରୁ ରୋକିବା ଲାଗି ରାଜ୍ୟପାଳ ସତ୍ୟପାଲ୍‌ ମଲିକ୍‌ ଜମ୍ମୁ ଓ କଶ୍ମୀର ବିଧାନସଭାକୁ ଭଙ୍ଗ କରି ଦେଇଛନ୍ତି। ବିଧାନସଭାରେ ଏହି ତିନି ଦଳଙ୍କ ପାଖରେ ମିଳିତ ଭାବେ ସରକାର ଗଠନ ଲାଗି ଆବଶ୍ୟକ ସ˚ଖ୍ୟାଗରିଷ୍ଠତା ରହିଥିଲା। ସତାଅଶୀ ଜଣିଆ ଗୃହରେ ଏହି ତିନି ଦଳର ବିଧାୟକଙ୍କ ସ˚ଖ୍ୟା ୫୬। ସ˚ସଦୀୟ ଗଣତନ୍ତ୍ରରେ ସରକାର ଗଠନ ପାଇଁ ନିର୍ଣ୍ଣାୟକ ମାପକାଠି ହେଉଛି ସ˚ଖ୍ୟା। ସ˚ଖ୍ୟାଗରିଷ୍ଠ ସମର୍ଥନ ଯାହା ପାଖରେ ଅଛି, ସରକାର ଗଠନ ପାଇଁ ସେ ହକ୍‌ଦାର। କିନ୍ତୁ ରାଜ୍ୟପାଳ ମହୋଦୟ କେବଳ ପିିଡିପି ନେତ୍ରୀ ମେହବୁବୁା ମୁଫତିଙ୍କ ସ˚ଖ୍ୟାଗରିଷ୍ଠତା ଦାବିକୁ ଉପସ୍ଥାପନ ପୂର୍ବରୁ ପ୍ରତ୍ୟାଖ୍ୟାନ କରିନଥିଲେ; ମୂଳ ମାଇଲେ ଯିବ ସରି ନ୍ୟାୟରେ କୌଣସି ପ୍ରକାର ଲୋକପ୍ରିୟ ନିର୍ବାଚିତ ସରକାର ଗଠନ ନେଇ ସମ୍ଭାବନାର ଦ୍ବାର ବନ୍ଦ କରି ବିଧାନସଭାକୁ ଭାଙ୍ଗି ଦେଇଛନ୍ତି। ଜମ୍ମୁ ଓ କଶ୍ମୀର ବିଧାନସଭାର କାର୍ଯ୍ୟକାଳ ଆସନ୍ତା ୨୦୧୯, ଡିସେମ୍ବରରେ ସ˚ପୂର୍ଣ୍ଣ ହୋଇଥାନ୍ତା।

ବିଡ଼ମ୍ବନା ହେଲା, ଜମ୍ମୁ-କଶ୍ମୀର ରାଜ୍ୟପାଳ ମହୋଦୟ ଯେଉଁ ଦୁଇଟି ମୁଖ୍ୟ ଯୁକ୍ତିକୁ ଆଳ କରି ନିଜର ନିଷ୍ପତ୍ତିର ଯଥାର୍ଥତା ସାବ୍ୟସ୍ତ କରୁଛନ୍ତି, ସେହି ଦୁଇଟି ଯୁକ୍ତିକୁ ପୂର୍ବରୁ ୧୨ ବର୍ଷ ତଳେ ମାନ୍ୟବର ସୁପ୍ରିମ୍‌ କୋର୍ଟ ଭିନ୍ନ ଏକ ମାମଲାରେ ଅଯୌକ୍ତିକ, ଅସାମ୍ବିଧାନିକ ଦର୍ଶାଇ ଖାରଜ କରି ଦେଇଥିଲେ। ରାଜ୍ୟପାଳ ମଲିକଙ୍କ ପ୍ରଥମ ଯୁକ୍ତି ହେଲା- ରାଜନୈତିକ ନୀତି-ଆଦର୍ଶ ଦୃଷ୍ଟିରୁ ପରସ୍ପର ବିରୋଧୀ ଦୁଇ ରାଜନୈତିକ ଦଳ ପିଡିପି ଓ ଏନ୍‌ସି ମଧୢରେ ମେଣ୍ଟ ସ˚ପୂର୍ଣ୍ଣ ଭାବେ ଅନୈତିକ, ଅସାଧୁ ଏବ˚ ସୁବିଧାବାଦୀ। ଏହି ସୁବିଧାବାଦୀ ମେଣ୍ଟ ଗୋଟିଏ ସ୍ଥିର ସରକାର ଦେବାକୁ ଅକ୍ଷମ। ରାଜ୍ୟପାଳଙ୍କ ଦ୍ବିତୀୟ ଯୁକ୍ତି ହେଲା, ସରକାର ଗଠନ ପାଇଁ ‘‘ଘୋଡ଼ା ବେପାର’ର ଆଶଙ୍କା ଥିଲା। ତେବେ ରାଜ୍ୟପାଳ ମଲିକ ଏବ˚ ଶ୍ରୀନଗର ରାଜଭବନକୁ ତାଙ୍କୁ ପଠାଇଥିବା ଦିଲ୍ଲୀ ସରକାର ନିଶ୍ଚୟ ଅବଗତ ଥିବେ ଯେ, ଉଚ୍ଚତମ ନ୍ୟାୟାଳୟ ୨୦୦୬ରେ ରାମେଶ୍ବର ପ୍ରସାଦ ମାମଲାରେ ତତ୍କାଳୀନ ବିହାର ରାଜ୍ୟପାଳ ବୁଟା ସି˚ହଙ୍କ ସମାନ ପ୍ରକାର ଯୁକ୍ତିକୁ ଖାରଜ କରି ଦେଇଥିଲେ। ସେତେବେଳେ ମଧୢ ୟୁପିଏ ସରକାର ଦ୍ବାରା ନିଯୁକ୍ତ ରାଜ୍ୟପାଳ ସି˚ହ କ˚ଗ୍ରେସ ବିରୋଧୀ ଦଳଙ୍କ ସୁବିଧାବାଦୀ ମେଣ୍ଟ ସ୍ଥିର ସରକାର ଦେବାକୁ ଅସମର୍ଥ ଏବ˚ ସରକାର ଗଠନ ପାଇଁ ‘ଘୋଡ଼ା ବେପାର’ର ଆଶଙ୍କା କରି ଗୋଟିଏ ଅଣ-କ˚ଗ୍ରେସ ସରକାର ଗଠନକୁ ରୋକିବା ଲାଗି ତରବରିଆ ଭାବେ ବିଧାନସଭା ଭାଙ୍ଗି ଦେଇଥିଲେ। ଏହି ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ସ୍ପଷ୍ଟ ରାୟ ଥିଲା ଯେ, ନିର୍ବାଚନରେ ପରସ୍ପର ବିରୋଧୀ ଦଳଙ୍କ ମଧୢରେ ନିର୍ବାଚନ ପରବର୍ତ୍ତୀ ସମୟରେ ମେଣ୍ଟର ସମ୍ଭାବନା ପାଇଁ ରାଜ୍ୟପାଳ ବାଟ ବନ୍ଦ କରିପାରିବେ ନାହିଁ। ବର˚ ଏ ପ୍ରକାର ମେଣ୍ଟ ଦ୍ବାରା ଯଦି ଏକ ଲୋକପ୍ରିୟ ନିର୍ବାଚିତ ସରକାର ଗଠନର ସମ୍ଭାବନା ରହିଛି, ତେବେ ସେ କ୍ଷେତ୍ରରେ ସରକାର ସବୁ ବିକଳ୍ପ ପାଇଁ ଦ୍ବାର ଖୋଲା ରଖିବା ଉଚିତ।

ଏହା ଏକ ବାସ୍ତବିକତା, ପରସ୍ପର ଆଦର୍ଶଗତ ବିରୋଧୀ ଦଳ ମଧୢରେ ମେଣ୍ଟ ରାଜନୈତିକ ଦୃଷ୍ଟିରୁ ‘ସୁବିଧାବାଦୀ’-ଅନୈତିକ ହୋଇପାରେ। କିନ୍ତୁ ସାମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ପାଇଁ ଏହା ଏକ ଯଥାର୍ଥ କାରଣ ନୁହେଁ। ଅତୀତରେ ମଧୢ ଖୋଦ୍‌ କଶ୍ମୀର ଓ ଅନ୍ୟ ରାଜ୍ୟରେ ପରସ୍ପରର ପ୍ରତିଦ୍ବନ୍ଦ୍ବୀ ଦଳମାନେ ଏକାଠି ମିଳିତ ସରକାର ଗଠନ କରିବାର ଅନେକ ନଜିର ଅଛି। କିନ୍ତୁ ଜମ୍ମୁ-କଶ୍ମୀର ରାଜ୍ୟପାଳ ରାଜନୈତିକ ଦୃଷ୍ଟିରୁ ଦିଲ୍ଲୀରେ ଶାସନ କରୁଥିବା ନିଜ ମୁନିବ ଦଳର ରାଜନୈତିକ ସ୍ବାର୍ଥ ରକ୍ଷା ପାଇଁ ସାମ୍ବିଧାନିକ କ୍ଷମତା ଓ ପଦର ଅପବ୍ୟବହାର କରିଛନ୍ତି। ‘ଘୋଡ଼ା ବେପାର’ ନେଇ ମଧୢ ତତ୍କାଳୀନ ବିହାର ରାଜ୍ୟପାଳ ବୁଟା ସି˚ହଙ୍କ ଆଶଙ୍କାକୁ ଅଯୌକ୍ତିକ ଦର୍ଶାଇ ସୁପ୍ରିମ୍‌ କୋର୍ଟ କହିଥିଲେ ଯେ, କୌଣସି ପ୍ରକାର ଅପ୍ରମାଣିତ ‘ଘୋଡ଼ା ବେପାର’ କିମ୍ବା ସରକାର ଗଠନ ନେଇ ଅନ୍ୟ ପ୍ରକାର ଦୁର୍ନୀତି ଅଭିଯୋଗର ଯଥେଷ୍ଟ ପ୍ରମାଣ ନଥିଲେ, ତାହା ବିଧାନସଭା ଭଙ୍ଗ ପାଇଁ ଏକ ଯଥାର୍ଥ କାରଣ ନୁହେଁ।

ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ପରିପ୍ରେକ୍ଷୀରେ କଶ୍ମୀର ରାଜ୍ୟପାଳଙ୍କ ପକ୍ଷରେ ଉଚିତ ହୋଇଥାନ୍ତା ଯେ, ଏସ୍‌.ଆର. ବୋମାଇ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ରାୟ ଅନୁଯାୟୀ ଗୃହରେ ଯଥାଶୀଘ୍ର ସ˚ଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ସେ ମେଣ୍ଟର ନେତାଙ୍କୁ ନିର୍ଦ୍ଦେଶ ଦେଇଥାନ୍ତେ। ରାଜନୈତିକ ଦୃଷ୍ଟିରୁ ପିଡିପି-ଏନ୍‌ସି ମେଣ୍ଟକୁ ସୁବିଧାବାଦୀ, ଅନୈତିକ କୁହାଯାଇ ପାରେ। କିନ୍ତୁ ଏହା ରାଜ୍ୟପାଳଙ୍କ ବିଧାନସଭା ଭଙ୍ଗ ନିଷ୍ପତ୍ତିକୁ ସାମ୍ବିଧାନିକ ଯଥାର୍ଥତା ପ୍ରଦାନ ଲାଗି କଦାପି ପର୍ଯ୍ୟାପ୍ତ ନୁହେଁ। ଏଠାରେ ସ୍ମରଣ କରାଯାଇପାରେ ଆଦର୍ଶଗତ ଦୃଷ୍ଟିରୁ ପରସ୍ପର ବିରୋଧୀ ପିଡିପି ଓ ବିଜେପି ମେଣ୍ଟ ଜମ୍ମୁ ଓ କଶ୍ମୀରରେ ସରକାର ଗଢ଼ିଥିଲେ। ଯଦି ୨୦୧୫ରେ ପିଡିପି-ବିଜେପି ‘ସୁବିଧାବାଦୀ’ ମେଣ୍ଟକୁ ସରକାର ଗଠନର ସୁଯୋଗ ଦିଆଯାଇଥିଲା, ତେବେ କେଉଁ ସାମ୍ବିଧାନିକ କାରଣରୁ ଏବେ ୨୦୧୮ରେ ପିଡିପି-ଏନ୍‌ସି ‘ଅସାଧୁ ମେଣ୍ଟ’କୁ ବଞ୍ଚିତ କରାଯିବ? ଜମ୍ମୁ ଓ କଶ୍ମୀର ରାଜ୍ୟପାଳ କି˚ବା ତାଙ୍କର ଦିଲ୍ଲୀ ମୁନିବଙ୍କ ପାଖରେ ଏହାର କୌଣସି ଉତ୍ତର ନାହିଁ। କାରଣ, ରାଜ୍ୟପାଳଙ୍କ ନିଷ୍ପତ୍ତି ସମ୍ବିଧାନ ସମ୍ମତ ନୁହେଁ, ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ।

ଚଳିତ ୟୁପିଏ ଶାସନ ଅମଳରେ ସାମ୍ବିଧାନିକ ବ୍ୟବସ୍ଥା, ଗଣତାନ୍ତ୍ରିକ ପରମ୍ପରାକୁ ଶୂନ୍ୟକୁ ଫିଙ୍ଗି ରାଜ୍ୟପାଳଙ୍କ ଅସାମ୍ବିଧାନିକ-ଅଗଣତାନ୍ତ୍ରିକ କାରନାମାର ଏହା ହେଉଛି ତୃତୀୟ ଉପାଖ୍ୟାନ। ପୂର୍ବରୁ ଅରୁଣାଚଳ ପ୍ରଦେଶ ଓ ଉତ୍ତରାଖଣ୍ତରେ ସ˚ଖ୍ୟାଗରିଷ୍ଠତା ଥିବା ସତ୍ତ୍ବେ ନିର୍ବାଚିତ ସରକାରଙ୍କୁ ବରଖାସ୍ତ କରାଯାଇଥିଲା। ଉଚ୍ଚତମ ନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ସ˚ଖ୍ୟାଗରିଷ୍ଠ ସରକାର ସେ ଦୁଇ ରାଜ୍ୟରେ ପୁନଃ ପ୍ରତିଷ୍ଠା ସହ ପୁଣି ଗଣତାନ୍ତ୍ରିକ ବ୍ୟବସ୍ଥା ବାହାଲ ହୋଇଥିଲା। ମାତ୍ର ନଅ ମାସ ତଳେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପରେ ସରକାର ଗଠନ ପ୍ରକ୍ରିୟାରେ ରାଜ୍ୟପାଳ ଭଜୁଭାଇ ଭାଲାଙ୍କ ଭୂମିକା ବିବାଦୀୟ ଥିଲା। ଜେଡି(ଏସ୍‌) ଓ କ˚ଗ୍ରେସ ମେଣ୍ଟର ସରକାର ଗଠନ ପାଇଁ ଦାବିକୁ ଅଗ୍ରାହ୍ୟ କରି ରାଜ୍ୟପାଳ ତରବରିଆ ଭାବେ ବିଜେପି ବିଧାୟକ ଦଳ ନେତା ୟେଦୁରାପ୍ପାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଥିଲେ। ଏବେ କଶ୍ମୀର ରାଜ୍ୟପାଳ ‘ଘୋଡ଼ା ବେପାର’ ନେଇ ଆଶଙ୍କା ପ୍ରକାଶ କରିଛନ୍ତି; ଅଥଚ ସେତେବେଳେ କର୍ଣ୍ଣାଟକ ରାଜ୍ୟପାଳ ୟେଦୁରାପ୍ପାଙ୍କୁ ସ˚ଖ୍ୟାଗରିଷ୍ଠତାର ପ୍ରମାଣ ଦେବା ଲାଗି ପର୍ଯ୍ୟାପ୍ତ ସମୟ ଦେଇ ‘ଘୋଡ଼ା ବେପାର’ ଲାଗି ସୁଯୋଗ ସୃଷ୍ଟି କରିଥିଲେ। ଅବଶ୍ୟ, ପରେ ସୁପ୍ରିମ୍‌ କୋର୍ଟଙ୍କ ହସ୍ତକ୍ଷେପରେ ଶକ୍ତି ପରୀକ୍ଷା ପାଇଁ ଆଗୁଆ ଦିନ ଧାର୍ଯ୍ୟ ହେବାରୁ ସ˚ଖ୍ୟାଗରିଷ୍ଠତା ନଥାଇ ମୁଖ୍ୟମନ୍ତ୍ରୀ ହୋଇଥିବା ୟେଦୁରାପ୍ପାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ବାରମ୍ବାର କୋର୍ଟ ଦ୍ବାରା ଭତ୍ସିର୍ତ ଏବ˚ ଅପଦସ୍ଥ ହେବା ସତ୍ତ୍ବେ ରାଜ୍ୟପାଳ ପଦକୁ ରାଜନୈତିକ ଉଦ୍ଦେଶ୍ୟରେ ଅପବ୍ୟବହାର ପାଇଁ ଦଳ ନିର୍ବିଶେଷରେ ଦିଲ୍ଲୀ ସରକାର ମାନଙ୍କ ପ୍ରବଣତା ନିଶ୍ଚୟ ଆମ ବ୍ୟବସ୍ଥାର ଏକ ଅପଲକ୍ଷଣ। ନା ଗଣତନ୍ତ୍ର ନା ସ˚ଘୀୟ ବ୍ୟବସ୍ଥା ପାଇଁ ଏହା ଶୁଭଙ୍କର। ତେବେ ସ୍ପର୍ଶକାତର କଶ୍ମୀରରେ ରାଜ୍ୟପାଳଙ୍କ ଅସାମ୍ବିଧାନିକ-ଅଗଣତାନ୍ତ୍ରିକ ନିଷ୍ପତ୍ତିର ପରିଣାମ ଅଧିକ ବିପଜ୍ଜନକ ହେବା ଆଶଙ୍କା ରହିଛି, ଯାହା ଦେଶର ସ˚ହତିର ପ୍ରତିକୂଳ। ରାଜ୍ୟପାଳଙ୍କ ପଦକ୍ଷେପ ବିଚ୍ଛିନ୍ନତାବାଦ ଆକ୍ରାନ୍ତ ଏହି ସୀମାନ୍ତ ରାଜ୍ୟକୁ ଜାତୀୟ ମୁଖ୍ୟସ୍ରୋତ ଠାରୁ ଆହୁରି ଦୂରକୁ ଠେଲି ଦେବାର ଆଶଙ୍କାକୁ ଏଡ଼ାଯାଇ ନପାରେ; ଯାହା ଜଟିଳ କଶ୍ମୀର ସମସ୍ୟାକୁ ଅଧିକ ଜଟିଳ କରିପାରେ। ତେଣୁ ଶ୍ରୀନଗର ରାଜଭବନରେ ବନ୍ଦୀ ଗଣତନ୍ତ୍ରକୁ ମୁକୁଳାଇ କଶ୍ମୀରରେ ସ୍ବାଭାବିକ ରାଜନୈତିକ ପ୍ରକ୍ରିୟା ବାହାଲ ସକାଶେ ଯଥା ଶୀଘ୍ର ବିଧାନସଭା ନିର୍ବାଚନ କରାଇବା ଏକମାତ୍ର ବିକଳ୍ପ।