ଖାକିର ଅପରାଧୀ ଚରିତ୍ର

ଗୋଟିଏ ଚୋରି ମାମଲାରେ ଉତ୍ତର-ପ୍ରଦେଶ ଆଗ୍ରା ସହରର ଏକ ଥାନାରେ ସନ୍ଦିଗ୍ଧ ଭାବେ ଅଟକ ଥିବା ଜଣେ ୩୨ ବର୍ଷ ବୟସ୍କ ଯୁବକକୁ ଥାନା ଭିତରେ ପିଟିପିଟି ମାରି ଦିଆଯାଇଛି। ଭାରତରେ ଖାକି ଜୁଲମର ନରକୀୟ ସ୍ବାକ୍ଷର- ଏ ପ୍ରକାର ‘ହାଜତ ମୃତ୍ୟୁ’ ନିୟମିତ ବ୍ୟବଧାନରେ ଗଣମାଧୢମର ଶିରୋନାମାକୁ ଆସିଥାଏ। କିନ୍ତୁ ନା ଜନତା ନା ବୁଦ୍ଧିଜୀବୀଙ୍କ ମଧୢରେ ଏହା ବିଶେଷ କୌଣସି ଆଲୋଡ଼ନ ସୃଷ୍ଟି କରିଥାଏ। ଅନ୍ୟଥା, ମାନବାଧିକାର ସୁରକ୍ଷା ପ୍ରତି ଅଙ୍ଗୀକାରବଦ୍ଧ ଗୋଟିଏ ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ଥିବା ଭାରତରେ ପ୍ରତ୍ୟହ ପାଞ୍ଚଟି ‘ହାଜତ ମୃତ୍ୟୁ’ ଘଟୁ ନଥାନ୍ତା। ‘ଏସିଆନ ସେଣ୍ଟର ଫର ହ୍ୟୁମାନ ରାଇଟ୍‌ସ’ ପକ୍ଷରୁ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଆଧାରରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଗତ ୨୦୧୭ ଏପ୍ରିଲରୁ ୨୦୧୮ ଫେବ୍ରୁଆରି ମଧୢରେ ଦେଶରେ ୧୬୭୪ଟି ହାଜତ ମୃତ୍ୟୁ ଘଟି ପୁଲିସ୍‌ ହାତରେ ସମାନ ସ˚ଖ୍ୟକ ନିରପରାଧ ମଣିଷଙ୍କ ଜୀବନ ଯାଇଛି। ଏଠାରେ ମନେ ରଖିବାକୁ ହେବ ଯେ, ଏହା କେବଳ ସରକାରୀ ହିସାବ। କୌଣସି ବି ଅପରାଧ କ୍ଷେତ୍ରରେ ସରକାରୀ ରେକର୍ଡ ବାସ୍ତବତାର ପ୍ରତିଫଳନ ନୁହେଁ। ଯେତିକି ସ˚ଖ୍ୟକ ଅପରାଧ ପଞ୍ଜିକୃତ ହୋଇଥାଏ, ବାସ୍ତବରେ ଘଟିଥିବା ଅପରାଧ ସ˚ଖ୍ୟା ତାଠାରୁ ଅଧିକ। ଯେତିକି ସ˚ଖ୍ୟକ ହାଜତ ମୃତ୍ୟୁ ସରକାରୀ ରେକର୍ଡକୁ ଆସିଛି, ଥାନା ଭିତରେ ତା’ଠାରୁ ଅଧିକ ସ˚ଖ୍ୟାରେ ଏମିତି ଘଟଣା ଘଟିଥିବ, ଯେଉଁଠି ଆଇନର ରକ୍ଷକମାନେ ଭକ୍ଷକ ସାଜିଥିବେ।

ଏହି ଧାରାରେ ଆଗ୍ରା ସହର ସିକନ୍ଦରାବାଦ ଥାନାରେ ଘଟିଥିବା ‘ହାଜତ ମୃତ୍ୟୁ’ ବିଶେଷ କୌଣସି ଆଲୋଡ଼ନ ସୃଷ୍ଟି କରି ନଥାନ୍ତା, ଏପରିକି ଆଦୌ ପଦାକୁ ସୁଦ୍ଧା ନ ଆସି ହଜି ଯାଇଥାନ୍ତା, ଯଦି ମୃତ ଯୁବକର ମା’ ଖୋଦ୍‌ ପୁଲିସ୍‌ ପୈଶାଚିକତାର ପ୍ରତ୍ୟକ୍ଷଦର୍ଶୀ ହୋଇ ନ ଥାନ୍ତେ। ମା’ଙ୍କ ମୁହଁରୁ ଥାନା ଭିତରେ ପୁଅ ପ୍ରତି ପୁଲିସ୍‌ ବର୍ବରତାର କରୁଣ କାହାଣୀ ଶୁଣିଲା ପରେ ପୁଲିସ୍‌ ବିରୋଧରେ ତୀବ୍ର ଜନ ଆକ୍ରୋଶ ପ୍ରକାଶ ପାଇଛି। ଯାହାର ଚାପରେ ଇନ୍ସପେକ୍ଟର ଓ ଦୁଇ ସବ୍‌ଇନ୍ସପେକ୍ଟରଙ୍କୁ ନିଲମ୍ବନ ସମେତ ଥାନାର ସବୁ କର୍ମଚାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ ହୋଇଛି। ବୃଦ୍ଧା ମା’ଙ୍କ ସାମନାରେ ଥାନା ଭିତରେ ପୁଲିସ୍‌ମାନେ ଯୁବକକୁ ଲାଠିରେ ପିଟି ପିଟି ମାରି ଦେଇଥିଲେ। ଥାନା ଭିତରେ ପୁଲିସ୍‌ର ଏ ପୈଶାଚିକତା ଖାକି ଭିତରେ ଲୁଚିଥିବା ଅପରାଧୀର ଆଇନକୁ ହାତକୁ ନେବାର ପ୍ରବଣତା ପଦାରେ ପକାଇ ଦେଇଛି।

ତେବେ ଆଗ୍ରା ଥାନାର ଏ ଘଟଣା କିମ୍ବା ଦୈନିକ ପାଞ୍ଚଟି ‘ହାଜତ ମୃତ୍ୟୁ’ର ପରିସ˚ଖ୍ୟାନ ଇଙ୍ଗିତ କରୁଥିବା ଖାକିର ଅପରାଧୀ ରଚିତ୍ରର ପ୍ରାଦୁର୍ଭାବ କେବଳ ଥାନା ଭିତରେ ସୀମିତ ନୁହେଁ। ବାହାରେ ମଧୢ ‘ମୁଁ ପୁଲିସ୍‌, ବିନା ମେଘେ ସୃଜି ପାରଇ କୁଳିଷ’ ସୁଲଭ ପ୍ରବଳ ପ୍ରତାପୀ ଖାକିର ପ୍ରକୋପ କିଛି କମ୍‌ ନୁହେଁ। ନିକଟରେ ଦୁଇଟି ପୃଥକ୍‌ ପୃଥକ୍‌ ସ˚ଗୀନ ଅପରାଧରେ ପୁଲିସ୍‌ର ସମ୍ପୃକ୍ତି ଏହାର ନଗଦ ଉଦାହରଣ। ହରିଆନାର ତିନିଜଣ ପୁଲିସ୍‌ କର୍ମଚାରୀ ଜଣେ ଦିଲ୍ଲୀ ବ୍ୟବସାୟୀଙ୍କୁ ଅପହରଣ କରି ନେଇ ମୁଣ୍ତଜାମିନ ରଖି ୧୯ ଲକ୍ଷ ଟଙ୍କା ଆଦାୟ ଅଭିଯୋଗରେ ଗିରଫ ହୋଇଛନ୍ତି। ମହାରାଷ୍ଟ୍ରରେ ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ‘ବ୍ଲାକ୍‌ମେଲ’ କରି ତାଙ୍କ ପ୍ରତିି ବଳାତ୍କାର ଅଭିଯୋଗରେ ଜଣେ ଅଭିଯୁକ୍ତ ପୁଲିସ୍‌ ଅଧିକାରୀ ଏବେ ଫେରାର‌। ହରିଆନା ଓ ମହାରାଷ୍ଟ୍ରରେ ପୁଲିସ୍‌ ଏ କାରନାମା ଗୋଟିଏ ବ୍ୟତିକ୍ରମ ନୁହେଁ। ଏମିତି ବହୁ ସ˚ଖ୍ୟାରେ ପୁଲିସ୍‌ର ସମ୍ପୃକ୍ତି ଥିବା ଆପରାଧିକ ଘଟଣା ଘଟୁଛି।

ସରକାରୀ ତଥ୍ୟ ଅନୁଯାୟୀ ଦେଶରେ ପୁଲିସ୍‌ ବିରୋଧରେ ମାନବାଧିକାର ଉଲ୍ଲ˚ଘନ ସମେତ ବିଭିନ୍ନ ପ୍ରକାର ଆପରାଧିକ କାର୍ଯ୍ୟରେ ସମ୍ପୃକ୍ତି ନେଇ ବାର୍ଷିକ ୫୫ ହଜାରରୁ ଅଧିକ ଅଭିଯୋଗ ଆସିଥାଏ। ଅବଶ୍ୟ, ଏହା ଭିନ୍ନ କଥା ଯେ, ବାର୍ଷିକ ସେହି ୫୫ ହଜାର ଅଭିଯୋଗ ମଧୢରୁ କେବଳ ମାତ୍ର ୧୧୦୦ରୁ ୧୨୦୦ ମାମଲାର ତଦନ୍ତ ପରେ ଚୂଡ଼ାନ୍ତ ଅଭିଯୋଗ ଫର୍ଦ ଦାଖଲ ହୋଇଥାଏ। ସେଥିରୁ ବାର୍ଷିକ ଅତି ବେଶୀରେ ୫୦ରୁ ୫୫ଟି ମାମଲାରେ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ତ ପାଇଥାନ୍ତି। ତେବେ ଅଦାଲତରେ ଦଣ୍ତିତ ନହେଲେ ସୁଦ୍ଧା, ବାର୍ଷିକ ହାରାହାରି ୪ ହଜାରରୁ ୫ ହଜାର ପୁଲିସ୍‌ଙ୍କ ବିରୋଧରେ କଠୋର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବ˚ ହାରାହାରି ୧୫ ହଜାର ପୁଲିସ୍‌ କର୍ମଚାରୀଙ୍କ ବିରୋଧରେ ହାଲୁକା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ, ଏହାର ପ୍ରମାଣ ଯେ ଅଧିକା˚ଶ ଅଭିଯୋଗ ପଛରେ ଆପାତତଃ ପ୍ରମାଣ ଯୋଗ୍ୟତା ରହିଥାଏ। ଏଠାରେ ସ୍ବାଭାବିକ ଭାବେ ପ୍ରଶ୍ନ ଉଠୁଛି, ହାରାହାରି ବାର୍ଷିକ ୫୫ ହଜାର ଅଭିଯୋଗରୁ କାହିଁକି ମାତ୍ର ୧୧୦୦ରୁ ୧୨୦୦ ମଧୢରୁ ଅଭିଯୋଗ ଫର୍ଦ ଦାଖଲ ହୁଏ? କାହିଁକି କେବଳ ୫୦ରୁ ୫୫ ମାମଲାରେ ଅଭିଯୁକ୍ତ ଦଣ୍ତିତ ହୁଅନ୍ତି? ଏହାର ଉତ୍ତର କାହାକୁ ଅଜଣା ନୁହେଁ। ‘ବିରାଦରି ପ୍ରୀତି’ ଯୋଗୁ ସହଯୋଗୀ ଅଭିଯୁକ୍ତ ପୁଲିସ୍‌ କର୍ମଚାରୀଙ୍କୁ ଖସାଇ ଦେବା ଉଦ୍ଦେଶ୍ୟରେ ଜାଣିଶୁଣି ମାମଲାର ତଦନ୍ତକୁ ଦୁର୍ବଳ କରି ଦିଆଯାଏ। କିନ୍ତୁ ଏହା ଖାକିରେ ଅପରାଧ ଓ ଉଚ୍ଛୃଙ୍ଖଳତାକୁ ପୋତ୍ସାହନ, ଯାହା ପୁଲିସ୍‌ର ଚରିତ୍ର ଓ ଭାବମୂର୍ତ୍ତିକୁ କଳଙ୍କିତ କରୁଛି।

‘ହାଜତ ମୃତ୍ୟୁ’ ଓ ଅନ୍ୟ ଆପରାଧିକ କାରନାମା ନେଇ ଅଭିଯୋଗ ବ୍ୟତୀତ ଅପରାଧ ଜଗତ୍‌ ସହ ଅସାଧୁ ମେଣ୍ଟ, ‘ଫେକ୍‌ ଏନ୍‌କାଉଣ୍ଟର’ ନେଇ ଅଭିଯୋଗ ଖାକିରେ ଅପରାଧ ଚରିତ୍ରର ଏକ ଭୟାନକ ଚିତ୍ର ଉପସ୍ଥାପନ କରେ। ଉତ୍ତର-ପ୍ରଦେଶରେ ଗତ ବର୍ଷ ମାର୍ଚ୍ଚରୁ ଅଗଷ୍ଟ ମଧୢରେ ୪୩୩ଟି ‘ଏନ୍‌କାଉଣ୍ଟର’ ହୋଇଥିଲା। ଯୋଗୀ ଆଦିତ୍ୟ ନାଥ ମୁଖ୍ୟମନ୍ତ୍ରୀ ହେଲାପରେ ୧,୧୪୨ଟି ଏନ୍‌କାଉଣ୍ଟରରେ ୩୪ ଜଣ ସନ୍ଦିଗ୍ଧ ଅପରାଧୀ ନିହତ ହୋଇଛନ୍ତି। କ୍ଷୀରରୁ ନୀର ଅଲଗା କରି ନ ହେଲା ଭଳି ଏତେ ଗୁଡ଼ାଏ ‘ଏନ୍‌କାଉଣ୍ଟର’ ଭିତରୁ କେତେ ଅସଲି କେତେ ନକଲି ତାହା କୁହାଯାଇ ପାରିବ ନାହିଁ। ପରବର୍ତ୍ତୀ ସମୟରେ ଗଣମାଧୢମ ଓ ମାନବାଧିକାର କର୍ମୀଙ୍କ ଅନୁସନ୍ଧାନର ବିବରଣୀ ଅନୁଯାୟୀ ଅନେକ ସ˚ଖ୍ୟାରେ ‘ଏନ୍‌କାଉଣ୍ଟର‌୍‌’ ନକଲି। ଜାତୀୟ ମାନବାଧିକାର କମିସନଙ୍କ ରିପୋର୍ଟ ଅନୁଯାୟୀ ଦେଶରେ ୨୦୦୯ରୁ ୨୦୧୩ ମଧୢରେ ୫୫୫ଟି ‘ଫେକ୍‌ ଏନ୍‌କାଉଣ୍ଟର’ ହୋଇଥିଲା। ମାନବାଧିକାର କମିସନଙ୍କ ରିପୋର୍ଟର ଆଲୁଅରେ ଦେଖିଲେ ଏନ୍‌କାଉଣ୍ଟର ପଛରେ ପୁଲିସ୍‌ର ସନ୍ଦିଗ୍ଧ ଆପରାଧିକ ଚରିତ୍ର ଅଧିକ ସ୍ପଷ୍ଟ ହୋଇ ଉଠେ। ପୁଲିସ୍‌ର ଉଚ୍ଚ ସ୍ତରରେ ମଧୢ ଏ ପ୍ରକାର ଆପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଓ ପୃଷ୍ଠପୋଷକତା ରହିଥିବା ବିଷୟ ପଦାକୁ ଆସିଛି। ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ସିବିଆଇ ବନାମ ସିବିଆଇ ମାମଲାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋର ଗୁମର ଫିଟିବା ପରେ ସ˚ସ୍ଥାର ସାଧୁତା ସନ୍ଦିଗ୍ଧ ହୋଇ ପଡ଼ିଛି। ଗୁଜରାଟ ସୋରାବୁଦ୍ଦିନ୍‌ ଏନ୍‌କାଉଣ୍ଟର ମାମଲାରେ ସ୍ବତନ୍ତ୍ର ଅଦାଲତରେ ଦାଖଲ ବିବରଣୀ ଓ ସାକ୍ଷୀମାନଙ୍କ ବୟାନରେ ଉଚ୍ଚ ପୁଲିସ୍‌ ଅଧିକାରୀଙ୍କ ସ୍ତରରେ ଆପରାଧିକ ମନୋଭାବ ସ˚କ୍ରମଣର ଲକ୍ଷଣ ସ୍ପଷ୍ଟ। ରାଜନୀତିର ଅପରାଧୀକରଣ ଚିତ୍ରଠାରୁ ଖାକିରେ ଅପରାଧୀକରଣର ଚିତ୍ର କିଛି କମ୍‌ ଭୟଙ୍କର ନୁହେଁ। ଏ ବିପଦଜନକ ବିଲକ୍ଷଣର ପ୍ରଭାବଶାଳୀ ଉପଚାର ଏକାନ୍ତ ଅପରିହାର୍ଯ୍ୟ।

ବ୍ରିଟିସ ଅମଳର ଅତ୍ୟାଚାରୀ ଉପନିବେଶବାଦୀ ଚରିତ୍ରକୁ ବଦଳାଇ ସ୍ବାଧୀନତୋତ୍ତର ଭାରତରେ ପୁଲିସ୍‌ର ଏକ ଗଣତନ୍ତ୍ର ଅନୁକୂଳ, ଜନତାଙ୍କ ସେବକ ଭାବମୂର୍ତ୍ତି ତିଆରି ଲାଗି ସ˚ସ୍କାର କଥା କୁହାଯାଇଛି। ପୁଲିସ୍‌ ସ˚ସ୍କାର ପ୍ରସଙ୍ଗରେ ଗଠିତ ଅନେକ କମିଟି ଓ କମିସନ୍‌ ବିଭିନ୍ନ ସୁପାରିସ କରିଛନ୍ତି। ସୁପ୍ରିମ୍‌କୋର୍ଟ ମଧୢ ମାର୍ଗ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ଏଥିରୁ କିଛି କାର୍ଯ୍ୟକାରୀ ହୋଇଛି, ଅନେକ କାର୍ଯ୍ୟକାରୀ ହୋଇନାହିଁ। ତେବେ, ସବୁ ସୁପାରିସ କାର୍ଯ୍ୟକାରୀ ହେଲେ ସୁଦ୍ଧା ପୁଲିସ୍‌ ସ˚ଗଠନର ଢାଞ୍ଚାରେ ସ˚ସ୍କାର ଆସିପାରେ ସିନା ପୁଲିସ୍‌ର ଆପରାଧିକ ରଚିତ୍ରର ସ˚ସ୍କାର ତଥାପି ଏକ ଆହ୍ବାନ ହୋଇ ରହିବ। ଏଥି ପାଇଁ କିଛି ନୂଆ ଚିନ୍ତା ଆବଶ୍ୟକ।

ସମ୍ବନ୍ଧିତ ଖବର