‘ନବୀନ ଇହୁଦୀ’

ଭାରତରେ ବ୍ରାହ୍ମଣମାନଙ୍କ ବିରୋଧରେ ବିଷୋଦ୍‌ଗାରର ତୀବ୍ରତାରେ ଯଦି ଦ୍ରାବିଡ଼ ଆନ୍ଦୋଳନର ମହାନାୟକ ଇ ଭି ରାମସାମୀ ଓରଫ୍‌ ପେରିୟାର‌୍‌ଙ୍କର କିଏ ଜଣେ ସମକକ୍ଷ ରୂପେ ଏବେ ଆବିର୍ଭୂତ ହୋଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଛନ୍ତି, ସେ ମୂଳରୁ ଜଣେ ଭାରତୀୟ ହିଁ ନୁହନ୍ତି- ସେ ହେଉଛନ୍ତି ‘ଟ୍ବିଟର‌୍‌’ର ମୁଖ୍ୟ ଆମେରିକୀୟ ନାଗରିକ ଜ୍ୟାକ୍‌ ଡର୍ସି। ତାମିଲନାଡୁରେ ବ୍ରାହ୍ମଣମାନଙ୍କର ଓ ବ୍ରାହ୍ମଣବାଦର ବିଲୋପ ସାଧନ କରିବା ପାଇଁ ପେରିୟାର‌୍‌ ପ୍ରଦାନ କରିଥିବା ପ୍ରସିଦ୍ଧ ଆହ୍ବାନ ଥିଲା: ‘‘ତୁମେ ଯଦି ଏକ ସାପ ଓ ଜଣେ ବ୍ରାହ୍ମଣକୁ ଏକ ସମୟରେ ଦେଖ, ପ୍ରଥମେ ବ୍ରାହ୍ମଣକୁ ମାରିଦିଅ।’’ ଗତ ସପ୍ତାହରେ ତାଙ୍କର ଭାରତ ଗସ୍ତ ସମୟରେ ‘ଟ୍ବିଟର‌୍‌’ ମୁଖ୍ୟ ଡର୍ସି ଏକ ପ୍ଲାକାର୍ଡ ଧରିଥିବା ଦେଖାଯାଇଥିଲା ଯେଉଁଥିରେ ସ୍ଲୋଗାନ୍‌ ଲେଖାଥିଲା: ‘‘ବ୍ରାହ୍ମଣବାଦୀ ପୁରୁଷ ପ୍ରାଧାନ୍ୟକୁ ଧ୍ବ˚ସ କର।’’ ଡର୍ସିଙ୍କୁ ଭେଟିବାକୁ ଆସିଥିବା ଜଣେ ନିମନ୍ତ୍ରିତା ଦଳିତ ଆନ୍ଦୋଳନକାରିଣୀ ତାଙ୍କୁ ଏହି ପ୍ଲାକାର୍ଡଟି ଧରାଇ ଦେଇଥିଲେ ଏବ˚ ପରେ ତାଙ୍କର ଏହି ପ୍ଲାକାର୍ଡଧାରୀ ଫଟୋ ଟ୍ବିଟର‌୍‌ରେ ବ୍ୟାପକ ପ୍ରସାର ଲାଭ କରିଥିଲା। ଏଥି ନେଇ ବିବାଦର ସୂତ୍ରପାତ ହେବା ପରେ ଘଟଣାଟି ଟେଲିଭିଜନ ଓ ଖବରକାଗଜ ଭଳି ମୁଖ୍ୟସ୍ରୋତ ଗଣମାଧୢମରେ ଚର୍ଚ୍ଚାର ବିଷୟବସ୍ତୁ ପାଲଟି ବ୍ରାହ୍ମଣମାନଙ୍କୁ ଏକ ତାଜା ତତଲା ରାଜନୈତିକ ବିଷୟବସ୍ତୁରେ ପରିଣତ କରିଛି।

ବିବାଦ ଆରମ୍ଭ ହେବା ପରେ ଅବଶ୍ୟ ଭାରତସ୍ଥିତ ‘ଟ୍ବିଟର‌୍‌’ର ଉଚ୍ଚ କର୍ମକର୍ତ୍ତାମାନେ ଡର୍ସି ଅଜାଣତରେ ପୋଷ୍ଟର‌୍‌ଟି ଧରିଥିଲେ ବୋଲି ସଫେଇ ଦେଇ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ସ˚ସ୍ଥା ଏହି ସ୍ଲୋଗାନ୍‌ରେ ବିଶ୍ବାସ କରେନାହିଁ। କିନ୍ତୁ ଏହା ଜଣାଶୁଣା ଯେ ରାଜନୀତିରେ ସ୍ପଷ୍ଟୀକରଣର କୌଣସି ମୂଲ୍ୟ ନଥାଏ। ଡର୍ସିଙ୍କ ପ୍ଲାକାର୍ଡ ପ୍ରଦର୍ଶନ ଯୋଗୁଁ ଯାହା କ୍ଷତି ଘଟିବା କଥା ଘଟିସାରିଛି। ଆଉ ନିଜେ ଡର୍ସି ଅତୀତରେ ରାହୁଲ୍‌ ଗାନ୍ଧୀଙ୍କ ଭଳି ବର୍ମାରେ କୌଣସି ଏକ ବିପାସନା ଯୋଗ କେନ୍ଦ୍ରରେ ଅପହଞ୍ଚ ଭାବରେ ସମ୍ପୂର୍ଣ୍ଣ ନିରବତା ପାଳନ ମୁଦ୍ରାରେ ଅଛନ୍ତି ବୋଲି ଖବର ପ୍ରକାଶ ପାଇଛି। ଆମୋଦଦାୟକ ଭାବରେ ପ୍ଲାକାର୍ଡ ଘଟଣା ପୂର୍ବରୁ ଜ୍ୟାକ୍‌ ଡର୍ସି ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଆଉ ଏହା ଏକ ମଧୁର ବିଡ଼ମ୍ବନା ଯେ ରାହୁଲ ନିଜକୁ ଜଣେ ପଇତାଧାରୀ ବ୍ରାହ୍ମଣ ରୂପେ ସାବ୍ୟସ୍ତ କରିବା ପାଇଁ ପ୍ରାଣପଣେ ଉଦ୍ୟମ କରୁଥିବା ବେଳେ ଡର୍ସି ଠିକ୍‌ ଏହା ପରେ ପରେ ବ୍ରାହ୍ମଣବାଦର ଧ୍ବ˚ସ ପାଇଁ ଏପରି ଆହ୍ବାନ ଦେଇଥିଲେ।

ଘଟଣାର ପରବର୍ତ୍ତୀ ରୋଚକ ମୋଡ଼ ସ୍ବରୂପ ଯିଏ ଏଥି ମଧୢକୁ ଲମ୍ଫ ଦେଇଥିଲେ ସେ ହେଉଛନ୍ତି ରାହୁଲ ଗାନ୍ଧୀ ଜଣେ ବ୍ରାହ୍ମଣ ବୋଲି ଉଚ୍ଚ ସ୍ବରରେ ଘୋଷଣା କରି ଆସୁଥିବା କ˚ଗ୍ରେସର ମୁଖପାତ୍ର ବିଚକ୍ଷଣ ଓକିଲ ଓ ପୂର୍ବତନ ମନ୍ତ୍ରୀ ମନୀଷ୍‌ ତିଵାରୀ, ଯିଏ ନିଜେ ହେଉଛନ୍ତି ବ୍ରାହ୍ମଣ। ସେ ବୋଧହୁଏ ମୁହୂର୍ତ୍ତକ ପାଇଁ ରାଜନୈତିକ ଲାଭକ୍ଷତି ହିସାବ ବାହାରକୁ ଯାଇ ଟ୍ବିଟ୍‌ କରିଦେଲେ: ‘‘ବ୍ରାହ୍ମଣ-ବିରୋଧ ହେଉଛି ଭାରତୀୟ ରାଜନୀତିର ବାସ୍ତବତା’’, ଏବ˚ ‘‘ଆମେ ହେଉଛୁ ଭାରତର ନବୀନ ଇହୁଦୀ ଏବ˚ ଆମକୁ ନିହାତି ଏହା ସହିତ ବଞ୍ଚିବାକୁ ଶିଖିବାକୁ ହେବ।’’ ମଣ୍ତଳ ରାଜନୀତିର ଆବିର୍ଭାବ ପରେ ଉତ୍ତର ଭାରତରେ ଏହାର ତୀବ୍ରତା ବୃଦ୍ଧି ପାଇଛି ଓ ଏଥିପାଇଁ ‘ଟ୍ବିଟର‌୍‌’ର ପ୍ରତିଷ୍ଠାତାଙ୍କୁ କାହିଁକି ଦୋଷ ଦେବା ବୋଲି ସେ ନିଜର ଏହି ଟ୍ବିଟ୍‌ରେ ପ୍ରଶ୍ନ କରିଥିଲେ (ପରବର୍ତ୍ତୀ ସମୟରେ ସମାଲୋଚନାର ଶିକାର ହେବାରୁ ତିଵାରୀ ସ୍ବର ବଦଳାଇ ଡର୍ସିଙ୍କ କାର୍ଯ୍ୟର ଘୋର ନିନ୍ଦା କରିଥିଲେ)।

ସୋସିଆଲ୍‌ ମିଡିଆରେ ଯେତେବେଳେ ଜ୍ୟାକ୍‌ ଡର୍ସିଙ୍କ ବିରୁଦ୍ଧରେ ସମାଲୋଚନା ଜୋର‌୍‌ ଧରିବାକୁ ଆରମ୍ଭ କଲା ଏହାକୁ ଦକ୍ଷିଣପନ୍ଥୀ ହିନ୍ଦୁମାନଙ୍କର କାର୍ଯ୍ୟ ବୋଲି ଆଖ୍ୟା ଦେଇ ଏଥିରୁ ବ୍ୟକ୍ତିଗତ ଫାଇଦା ଉଠାଇବା ପାଇଁ ଏକ ଉଦ୍ୟମ ଘଟଣାଟିକୁ ଆଉରି ବି ଏକ ରୋଚକ ମୋଡ଼ ଦେଇ ଆଣି ଓଡ଼ିଶାରେ ପହଞ୍ଚାଇ ଦେଇଥିବା ମଧୢ ଦେଖାଯାଇଛି। ଏହି ଉଦ୍ୟମଟି କରିଛନ୍ତି କୋଣାର୍କ ଏବ˚ ଓଡ଼ିଶୀ ସମ୍ବନ୍ଧରେ ଅଶାଳୀନ ମନ୍ତବ୍ୟ ଦେଇ ବର୍ତ୍ତମାନ ଜେଲ୍‌ରେ ଥିବା ଅଭିଜିତ୍‌ ଆୟାର‌୍‌ ମିତ୍ରଙ୍କର ବାନ୍ଧବୀ ତଥା ସେଦିନ ହେଲିକପ୍ଟର‌୍‌ରେ ଥିବା ଅନ୍ୟତମା ଆରୋହୀ ଆରତୀ ଟିକୁ ସି˚ହ। ସେ ଟ୍ବିଟ୍‌ କରି କହିଛନ୍ତି ଯେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଜୋକ୍‌ ପାଇଁ ଆୟାର‌୍‌ ମିତ୍ରଙ୍କୁ ଜେଲ୍‌ରେ ପୂରାଇବା ପରେ ହିନ୍ଦୁ ଦକ୍ଷିଣପନ୍ଥୀମାନେ ସେମାନଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗରେ ‘ଟ୍ବିଟର‌୍‌’ ମୁଖ୍ୟ ଜ୍ୟାକ୍‌ ଡର୍ସିଙ୍କୁ ଜେଲ୍‌ରେ ପୂରାଇବାକୁ ଚେଷ୍ଟା କରୁଛନ୍ତି। ଏହାକୁ ଫାସିବାଦ ବୋଲି କହି ସେ ଘୋଷଣା କରିଛନ୍ତି: ‘‘ଜ୍ୟାକ୍‌, ମୁଁ ତୁମ ସହିତ ଅଛି।’’

ଅବଶ୍ୟ ଅଭିଜିତ ଆୟାର ମିତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ବ୍ରାହ୍ମଣବାଦ ସହିତ କିଛି ସମ୍ପର୍କ ନାହିଁ। କିନ୍ତୁ ମନୀଷ ତିଵାରୀ ଉଲ୍ଲେଖ କରିଥିବା ବ୍ରାହ୍ମଣ-ବିରୋଧୀ ରାଜନୀତି ପ୍ରସଙ୍ଗରେ ନବୀନ ପଟ୍ଟନାୟକ ଯେ ନିଜ ପାଇଁ ଏକ ସମ୍ପୂର୍ଣ୍ଣ ନିଆରା ପରିଚୟ ସୃଷ୍ଟି କରିଛନ୍ତି, ଆରତୀ ଟିକୁ ସି˚ହଙ୍କୁ ବୋଧହୁଏ ତାହା ଜଣାନାହିଁ। ବ୍ରାହ୍ମଣ-ବିରୋଧୀ ରାଜନୀତି ପଛରେ ରହିଛି ସ˚ଖ୍ୟାର ଖେଳ। ଦେଶର ଲୋକ ସ˚ଖ୍ୟାରେ ବ୍ରାହ୍ମଣମାନଙ୍କ ସ˚ଖ୍ୟା ହେଉଛି ମାତ୍ର ପ୍ରାୟ ୫%। ତେଣୁ ବ୍ରାହ୍ମଣ ସପକ୍ଷବାଦୀ ନୀତିରୁ କୌଣସି ନିର୍ବାଚନୀ ଲାଭ ମିଳିବାର ସମ୍ଭାବନା ନଥିବା ବେଳେ ବ୍ରାହ୍ମଣ-ବିରୋଧୀ ନୀତି ସେ ଦୃଷ୍ଟିରୁ ବେଶ୍‌ ଲାଭଜନକ ହୋଇଥାଏ। ନବୀନ ପଟ୍ଟନାୟକ କିନ୍ତୁ ହେଉଛନ୍ତି ଦେଶର ଏକମାତ୍ର ରାଜନେତା ଯିଏ ଏହାର ସମ୍ପୂର୍ଣ୍ଣ ବିପରୀତ ଆଚରଣ ପ୍ରଦର୍ଶନ କରି ଲାଭକ୍ଷତି ହିସାବ ଊର୍ଦ୍ଧ୍ବକୁ ଯାଇ ବ୍ରାହ୍ମଣମାନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପ୍ରଦାନ କରିଥିବା କାରଣରୁ ତାଙ୍କ ଦଳର ଜଣେ ପ୍ରମୁଖ ତଥା ବରିଷ୍ଠ ନେତାଙ୍କୁ ବହିଷ୍କୃତ କରିଛନ୍ତି- ଯଦିବା ଓଡ଼ିଶା ଲୋକ ସ˚ଖ୍ୟାରେ ବ୍ରାହ୍ମଣମାନଙ୍କ ସ˚ଖ୍ୟା ୩%ରୁ ମଧୢ କମ୍‌। ଆୟାର‌୍‌ ମିତ୍ର ଓ ଟିକୁ ସି˚ହଙ୍କ ପରି ବ୍ୟକ୍ତିମାନେ ନିଜକୁ ଉଦାରପନ୍ଥୀ ରୂପେ ପ୍ରଦର୍ଶିତ କରିଥାନ୍ତି। ସେମାନଙ୍କ ଦୃଷ୍ଟିରେ ନବୀନଙ୍କ ଏହି ପଦକ୍ଷେପ ଉଦାରପନ୍ଥୀ ନା ହିନ୍ଦୁ ଦକ୍ଷିଣପନ୍ଥୀ?

ମନୀଷ ତିଵାରୀ ବର୍ତ୍ତମାନ ଭାରତରେ ବ୍ରାହ୍ମଣମାନଙ୍କୁ ଇହୁଦୀମାନଙ୍କ ସହିତ ତୁଳନା କରିଥିଲେ ହେଁ ପାଶ୍ଚାତ୍ୟ ଦେଶମାନଙ୍କରେ ଇତିହାସ ସାରା ଇହୁଦୀମାନେ ଯେଭଳି ବିଦ୍ବେଷର ସମ୍ମୁଖୀନ ହୋଇଆସିଛନ୍ତି, ବ୍ରାହ୍ମଣମାନେ ଏଠାରେ କେବେ ହେଲେ ସେଭଳି ଦୁର୍ଭାଗ୍ୟ ଭୋଗି ନାହାନ୍ତି। ତେବେ ତିଵାରୀ ଏପରି ତୁଳନା କରିବାର କାରଣ ବୋଧହୁଏ ହେଉଛି ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ହିଟ୍‌ଲର‌୍‌ ରଚନା କରିଥିବା ଇହୁଦୀ ସ˚ହାର ବା ‘ହଲୋକଷ୍ଟ୍’ (ଛ’ ନିୟୁତ ଇହୁଦୀଙ୍କର ଗଣହତ୍ୟା) ପରେ ୟୁରୋପ ଓ ଆମେରିକାରେ ଥମି ଯାଇଥିବା ଇହୁଦୀ ବିଦ୍ବେଷ ଏବେ ପୁଣି ସେଠାରେ ମୁଣ୍ତ ଟେକିବା ପରି ଭାରତରେ ବ୍ରାହ୍ମଣ ବିଦ୍ବେଷ ମୁଣ୍ତ ଟେକିବାକୁ ଆରମ୍ଭ କରିଛି। ଏଇ ମାତ୍ର ଗତ ଅକ୍ଟୋବର‌୍‌ ୨୭ରେ ଡର୍ସିଙ୍କ ଦେଶ ଆମେରିକାର ପିଟ୍‌ସବର୍ଗଠାରେ ଇହୁଦୀମାନଙ୍କର ଏକ ପ୍ରାର୍ଥନା ମନ୍ଦିର ଉପରେ ଅତର୍କିତ ଆକ୍ରମଣ କରି ଜଣେ ବନ୍ଧୁକଧାରୀ ୧୧ ଜଣଙ୍କ ପ୍ରାଣହାନି ଘଟାଇଛି। ଡର୍ସିଙ୍କ ହାତରେ ତେଣୁ ବ୍ରାହ୍ମଣ ଧ୍ବ˚ସ ପ୍ଲାକାର୍ଡ ଦେଖି ମନୀଷ ତିଵାରୀ ବୋଧହୁଏ ଅସ୍ବସ୍ତି ଅନୁଭବ କରିଛନ୍ତି। ବ୍ରାହ୍ମଣମାନଙ୍କ ସ˚ଖ୍ୟା ନଗଣ୍ୟ ଭଳି ସାରା ପୃଥିବୀରେ ଇସ୍ରାଏଲ ଓ ଆମେରିକାକୁ ମିଶାଇ ଇହୁଦୀମାନଙ୍କ ସ˚ଖ୍ୟା ମାତ୍ର ଦେଢ଼ କୋଟିରୁ ମଧୢ କମ୍‌। ଏମାନଙ୍କ ପ୍ରତି କାଳେ କାଳେ ବିଦ୍ବେଷର କାରଣ ତେବେ କ’ଣ? ଏହାର ସର୍ବୋତ୍ତମ ଉତ୍ତର ବୋଧହୁଏ ଦେଇଛନ୍ତି ବ୍ରିଟେନ୍‌ର ପୂର୍ବତନ ମୁଖ୍ୟ ଇହୁଦୀ ଧର୍ମାଧୀଶ (ଚିଫ୍‌ ରାବାଇ) ଜୋନାଥନ୍‌ ସାକ୍‌ସ: ‘‘ଇହୁଦୀମାନେ ଘୃଣାର ଶିକାର ହେଉଥିଲେ କାରଣ ସେମାନେ ଗରିବ ଥିଲେ ଓ କାରଣ ସେମାନେ ଧନୀ ଥିଲେ; କାରଣ ସେମାନେ କମ୍ୟୁନିଷ୍ଟ ଥିଲେ ଓ କାରଣ ସେମାନେ ପୁଞ୍ଜିପତି ଥିଲେ; କାରଣ ସେମାନେ ନିବୁଜ ରହୁଥିଲେ ଓ କାରଣ ସେମାନେ ସବୁ କ୍ଷେତ୍ରରେ ଅନୁପ୍ରବେଶ କରିଥିଲେ; କାରଣ ସେମାନେ ପ୍ରାଚୀନ ଧର୍ମ ବିଶ୍ବାସକୁ ଜାବୁଡ଼ି ଧରୁଥିଲେ ଓ କାରଣ ସେମାନେ ଥିଲେ ଚେରହୀନ ବିଶ୍ବ ନାଗରିକ ଯେଉଁମାନେ କିଛିରେ ବିଶ୍ବାସ କରନ୍ତି ନାହିଁ।’’ ଠିକ୍‌ ଏହା ହିଁ କ’ଣ ଜ୍ୟାକ୍‌ ଡର୍ସିଙ୍କ ହାତରେ ପହଞ୍ଚିଥିବା ପ୍ଲାକାର୍ଡର ପ୍ରସ୍ତୁତି ପଛର କାରଣ ହୋଇପାରେ, କାରଣ ଭାରତର ‘ନବୀନ ଇହୁଦୀ’ ମାନଙ୍କଠାରେ ମଧୢ ଏ ସମସ୍ତ ଲକ୍ଷଣ ପରିସ୍ଫୁଟ?

ସମ୍ବନ୍ଧିତ ଖବର