ସାବାସ୍ ପିଲା!

ବାପା, ମା’ମାନେ ପିଲାର ରିପୋର୍ଟ କାର୍ଡ ଭଲ ଆସିବା ଦେଖି ଖୁସି ହେବା ଭଳି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୱାର୍ଲଡ୍ ବ୍ୟାଙ୍କ୍ ୨୦୧୮ ପାଇଁ ଭାରତକୁ ଦେଇଥିବା ରିପୋର୍ଟ କାର୍ଡ ଦେଖି ବହୁତ ଗର୍ବ ଅନୁଭବ କରିବା ଦେଖା ଯାଉଛି। ପରୀକ୍ଷାର ନାମ ହେଉଛି: ‘ବ୍ୟବସାୟ କରିବାର ସହଜତା’ (‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’)। ୨୦୧୪ରେ ମୋଦୀ ଭାରତ ନାମକ ପିଲାର ମୁରବି ଦାୟିତ୍ବ ନେବା ବେଳେ ୧୯୦ଟି ଦେଶରୂପକ ଛାତ୍ରଙ୍କୁ ନେଇ ପ୍ରସ୍ତୁତ ଏହି ତାଲିକାରେ ଭାରତର ସ୍ଥାନ ଥିଲା ୧୪୨। ଚଳିତ ମାସ ଆରମ୍ଭରେ ପ୍ରକାଶିତ ୱାର୍ଲଡ୍ ବ୍ୟାଙ୍କ୍‌ର ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍-୨୦୧୯ ରିପୋର୍ଟରେ ଭାରତକୁ ୭୭ତମ ସ୍ଥାନକୁ ଉନ୍ନୀତ କରାଯାଇଛି। ଗତ ବର୍ଷର ତାଲିକାରେ ଭାରତର ସ୍ଥାନ ଥିଲା-୧୦୦। ଭାରତ ପ୍ରଥମ ଥର ପାଇଁ ଶ୍ରେଣୀର ପ୍ରଥମ ଶହେ ସ୍ଥାନ ମଧ୍ୟରେ ଏକ ଦୁଇ ଅଙ୍କ ବିଶିଷ୍ଟ ସ୍ଥାନ ଅଧିକାର କରିଛି। ଯେ କୌଣସି ପିତାମାତାଙ୍କ ପାଇଁ ଏହା ଆନନ୍ଦର କଥା। ମୋଦୀ ବିଶେଷ ଭାବରେ ଆନନ୍ଦିତ ହେବାର କାରଣ ହେଲା ସେ ବ୍ୟକ୍ତିଗତ ଭାବରେ ଏଥିପ୍ରତି ଧ୍ୟାନ ଦେଇ ଆସୁଛନ୍ତି।
ପରୀକ୍ଷାର ନାମ ସୂଚାଉଥିବା ଭଳି ଗୋଟିଏ ଦେଶରେ ବ୍ୟବସାୟ କରିବା କେତେଦୂର ସହଜ କିଂବା କଷ୍ଟ ତାହାକୁ ପରଖ କରି ୱାର୍ଲଡ୍ ବ୍ୟାଙ୍କ୍ ପ୍ରତ୍ୟେକ ଦେଶକୁ ଏକ ମାନ୍ୟତା ପ୍ରଦାନ କରିଥାଏ। ଯେଉଁ ଦେଶରେ ବ୍ୟବସାୟ କରିବା ସବୁଠାରୁ ସହଜ ଅର୍ଥାତ୍ ସବୁଠାରୁ କମ୍ ପ୍ରତିବନ୍ଧର ସମ୍ମୁଖୀନ ହୋଇଥାଏ, ସେ ଦେଶକୁ ତାଲିକାର ଏକ ନମ୍ବର ସ୍ଥାନ ପ୍ରଦାନ କରାଯାଇଥାଏ। ବ୍ୟବସାୟ କରିବାକୁ ସହଜ କରିବା ପାଇଁ ଏକ ଦେଶ ବିଭିନ୍ନ ଅର୍ଥନୈତିକ, ପ୍ରଶାସନିକ ସଂସ୍କାର ଆଦି କାର୍ଯ୍ୟକ୍ରମ ଗ୍ରହଣ କରିପାରେ। ତାଲିକାରେ ଭାରତର ସ୍ଥାନରେ ଏପରି ଆଖିଦୃଶିଆ ଉନ୍ନତି ଦେଖି ମନେ ହୋଇପାରେ ଏହା ହେଉଛି ସରକାର ଏ ଦେଶରେ କାର୍ଯ୍ୟକାରୀ କରିଥିବା ବିଭିନ୍ନ ସଂସ୍କାରର ସୁଫଳ। କିନ୍ତୁ ଏପରି ଏକ ଧାରଣା କେତେ ଦୂର ଯଥାର୍ଥ ତାହା ବିଚାର କରିବା ପୂର୍ବରୁ ଏହା ମଧ୍ୟ ସୂଚାଇ ରଖିବା ଆବଶ୍ୟକ ଯେ ୱାର୍ଲଡ୍ ବ୍ୟାଙ୍କ୍ ଦ୍ବାରା ପ୍ରସ୍ତୁତ କରାଯାଉଥିବା ଏହି ରିପୋର୍ଟ ଯେ ଗୋଟିଏ ଦେଶର ବ୍ୟାବସାୟିକ ଅବହାୱା ସମ୍ବନ୍ଧରେ ଏକ ବାସ୍ତବ ତଥା ନିର୍ଭୁଲ ଚିତ୍ର ପ୍ରଦାନ କରିଥାଏ, ସେ ନେଇ ବିଶେଷଜ୍ଞମାନଙ୍କ ମନରେ ଘୋର ସନ୍ଦେହ ରହିଛି। ଉଦାହରଣ ସ୍ବରୂପ ଖୋଦ୍ ୱାର୍ଲଡ୍ ବ୍ୟାଙ୍କ୍‌ର ମେରୀ ହଲ୍‌ୱାର୍ଡ ଡ୍ରାଏମିଅର୍ ଓ ହାର୍ଭାର୍ଡ ବିଶ୍ବବିଦ୍ୟାଳୟର ପ୍ରଫେସର ଲାଣ୍ଟ୍ ପ୍ରିଚେଟ୍ (ଯିଏ ଅନ୍ୟ ଏକ ପରିପ୍ରେକ୍ଷୀରେ ଭାରତୀୟ ଅମଲାତନ୍ତ୍ରକୁ ପୃଥିବୀର ପ୍ରଥମ ଦଶଟି ସର୍ବାଧିକ ମାରାତ୍ମକ ବିପର୍ଯ୍ୟୟ ମଧ୍ୟରେ ଅନ୍ୟତମ ରୂପେ ବିବେଚନା କରିଛନ୍ତି) କରିଥିବା ଏକ ସର୍ବେକ୍ଷଣର ଫଳାଫଳ ଉପରେ ଦୃଷ୍ଟି ନିକ୍ଷେପ କରାଯାଇପାରେ। ୨୦୧୫ରେ ପ୍ରକାଶିତ ତାଙ୍କର ଏହି ସର୍ବେକ୍ଷଣରେ ସେମାନେ ସେଇ ୱାର୍ଲଡ୍ ବ୍ୟାଙ୍କ୍ ଦ୍ବାରା ପ୍ରସ୍ତୁତ ଦୁଇଟି ରିପୋର୍ଟକୁ ପରସ୍ପର ସହିତ ତୁଳନା କରିଥିଲେ: ଗୋଟିଏ ହେଉଛି ଆଲୋଚିତ ‘ଇଜ୍ ଅଫ୍ ଡୁଇଙ୍ଗ୍ ବିଜ୍‌ନେସ୍’ (ଡିବି) ରିପୋର୍ଟମାନ ଏବଂ ଅନ୍ୟଟି ହେଉଛି ‘ଏଣ୍ଟରପ୍ରାଇଜ୍ ସର୍ଭେଜ୍’ (‘ଇଏସ୍’) ବା ଉଦ୍ୟୋଗ ସର୍ବେକ୍ଷଣ ମାନ। ସେମାନେ ଆବିଷ୍କାର କରିଥିଲେ ବ୍ୟବସାୟ ପରିବେଶ ସମ୍ପର୍କରେ ଏକାପ୍ରକାର ପ୍ରଶ୍ନ ପାଇଁ ଦୁଇ କିସମର ରିପୋର୍ଟରେ ଅଲଗା ଅଲଗା ଉତ୍ତର ଉଲ୍ଲେଖ କରାଯାଇଛି।

ଏକ ନମୁନା ସ୍ବରୂପ ‘ଡିବି’ ରିପୋର୍ଟ ଅନୁସାରେ ଏକ ନିର୍ମାଣ ପର୍‌ମିଟ୍ ପାଇବା ପାଇଁ ୨୦୧୪ରେ ଭାରତରେ ପ୍ରାୟ ୧୮୦ ଦିନ (ଛ’ମାସ) ସମୟ ଲାଗି ଯାଉଥିଲା। କିନ୍ତୁ ‘ଇଏସ୍’ ରିପୋର୍ଟ ଅନୁସାରେ ସେଇ ୨୦୧୪ରେ କେତେକ ଉଦ୍ୟୋଗ ସେଇ ପର୍‌ମିଟ୍ ମାତ୍ର ଗୋଟିଏ ଦିନରେ ପାଇ ଯାଉଥିବା ବେଳେ ଅନ୍ୟ କେତେକ ଉଦ୍ୟୋଗମାନଙ୍କୁ ସେଇ ପର୍‌ମିଟ୍ ପାଇବା ପାଇଁ ପ୍ରାୟ ୩୬୫ ଦିନ (ଏକ ବର୍ଷ) ସମୟ ଲାଗି ଯାଉଥିଲା। ରିପୋର୍ଟଟିରେ ନିର୍ମାଣ ପର୍‌ମିଟ୍ ପାଇବା ପାଇଁ ସେ ବର୍ଷ ଭାରତରେ ଲାଗୁଥିବା ହାରାହାରି ସମୟ ୩୩ ଦିନ ବୋଲି ହିସାବ ବାହାର କରାଯାଇଥିଲା। ଉଭୟ ରିପୋର୍ଟ ଗୋଟିଏ ସଂସ୍ଥା ଦ୍ବାରା ପ୍ରସ୍ତୁତ ହୋଇଥିଲେ ହେଁ ସେ ଦୁଇଟି ମଧ୍ୟରେ ଏପରି ତାଳମେଳ ନଥିବାର କାରଣ ସ୍ପଷ୍ଟ। ‘ଡିବି’ ରିପୋର୍ଟ ଦୁଇଟି ସହର- ମୁମ୍ବାଇ ଓ ଦିଲ୍ଲୀ-ରୁ ସଂଗୃହୀତ କେତେ ଡଜନ୍ ବିଶେଷଜ୍ଞଙ୍କ ବ୍ୟକ୍ତିଗତ ମତ ଉପରେ ପ୍ରତିଷ୍ଠିତ ହୋଇଥିବା ବେଳେ ‘ଇଏସ୍’ ରିପୋର୍ଟ କ୍ଷେତ୍ର-ବାସ୍ତବତା ଉପରେ ପ୍ରତିଷ୍ଠିତ।

ୱାର୍ଲଡ୍ ବ୍ୟାଙ୍କ୍ ଅବଶ୍ୟ ନିଜେ ସ୍ବୀକାର କରିଛି ଯେ ‘ଡିବି’ରେ ବ୍ୟବହୃତ ସୂଚକ ମାନ ଏକ ଦେଶର ସାମଗ୍ରିକ ବ୍ୟବସାୟ ଅବହାୱାର ପରିମାପକ ନୁହନ୍ତି, କାରଣ ସେଥିରେ ନିରାପତ୍ତା, ଅର୍ଥନୈତିକ ସ୍ଥିରତା, ଦୁର୍ନୀତି, ଶ୍ରମ ଦକ୍ଷତା, ଆନୁଷ୍ଠାନିକ ଉତ୍କର୍ଷ, ଭିତ୍ତିଭୂମି ଏବଂ ବିତ୍ତୀୟ ବ୍ୟବସ୍ଥାର କ୍ଷମତା ଆଦି ଭଳି ଗୁରୁତ୍ବପୂର୍ଣ୍ଣ ଉପାଦାନ ଅନ୍ତର୍ଭୁକ୍ତ ନୁହନ୍ତି। ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀକୁ ଯଦି ପ୍ରଭାବିତ କରି ପରିବର୍ତ୍ତନ କରି ଦିଆଯାଏ ଏପରି ସାମାନ୍ୟ ପରିବର୍ତ୍ତନ କୌଣସି ଦେଶର ମାନ୍ୟତାରେ ବିଶେଷ ପରିବର୍ତ୍ତନ ଘଟାଇପାରେ। ୱାସିଂଟନ୍‌ସ୍ଥିତ ଥିଙ୍କ୍ ଟ୍ୟାଙ୍କ୍ ‘ସେଣ୍ଟର୍ ଫର୍ ଗ୍ଲୋବାଲ୍ ଡେଭଲପ୍‌ମେଣ୍ଟ୍’ ଚଳିତ ବର୍ଷ ପ୍ରକାଶ କରିଥିବା ସୂଚନା ଅନୁସାରେ ଗତ ଦୁଇ ବର୍ଷରେ ଭାରତର ମାନ୍ୟତାରେ ଦେଖା ଦେଇଥିବା ଉନ୍ନତିର କାରଣ ହେଉଛି ବ୍ୟାଙ୍କ୍ ତାର ରିପୋର୍ଟ ପ୍ରସ୍ତୁତି ପ୍ରଣାଳୀରେ କରିଥିବା ପରିବର୍ତ୍ତନ, ଭାରତରେ ଘଟିଥିବା କୌଣସି ଗୁରୁତ୍ବପୂର୍ଣ୍ଣ ସଂସ୍କାର ନୁହେଁ। ଭାରତ ସରକାର ଏଥିପାଇଁ ମଧ୍ୟ ବେଶ୍ ଲବି କରିଛନ୍ତି- ଯେମିତି ରପ୍ତାନିକାରୀମାନେ ନିଜ କଣ୍ଟେନର୍ ନିଜେ ସିଲ୍ କରିବା ପାଇଁ ନିୟମ ହେବା ପଛରେ ଭାରତର ଚାପ। ବାସ୍ତବରେ ୨୬ ଡିସେମ୍ବର ୨୦୧୭ରେ ବିତ୍ତମନ୍ତ୍ରୀ ଘୋଷଣା କରିଥିବା ଚାରିଟି ନିୟମରେ ପରିବର୍ତ୍ତନ ହିଁ ଭାରତର ମାନ୍ୟତାରେ ଉନ୍ନତି ଘଟାଇଛି; କୌଣସି ମୌଳିକ ନୀତିଗତ ସଂସ୍କାର ନୁହେଁ। ସେଗୁଡ଼ିକ ହେଲା: ମୁମ୍ବାଇ ଓ ଦିଲ୍ଲୀରେ ବିଲ୍‌ଡିଂ ପର୍‌ମିଟ୍ ପାଇଁ ସିଙ୍ଗଲ୍ ୱିଣ୍ଡୋ କ୍ଲିଅରାନ୍‌ସ ବଳବତ୍ତର କରିବା; ରପ୍ତାନିକାରୀମାନଙ୍କୁ ନିଜ କ‌େଣ୍ଟନର ସବୁକୁ ନିଜେ ଇଲେକ୍‌ଟ୍ରୋନିକ୍ ସିଲ୍ କରିବା ପାଇଁ ଅନୁମତି ପ୍ରଦାନ, ଯାହା ଦ୍ବାରା ପ୍ରତ୍ୟକ୍ଷ ଯାଞ୍ଚକୁ ମାତ୍ର ୫% ମଧ୍ୟରେ ସୀମିତ କରାଯାଇଛି; କମ୍ପାନି ପଞ୍ଜୀକରଣ ପାଇଁ ମାତ୍ର ଗୋଟିଏ ଫର୍ମର ପ୍ରଚଳନ; ବିଜୁଳି ଖର୍ଚ୍ଚରେ ହ୍ରାସ।

ଅନ୍ୟ ପକ୍ଷରେ ତିନିଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସୂଚକ ଅନୁଯାୟୀ ଭାରତର ସ୍ଥାନରେ ସ୍ଖଳନ ଘଟିବା ଦେଖାଯାଇଛି: ଟିକସ ପୈଠ ପ୍ରକ୍ରିୟା; ଦେବାଳିଆ ପରିସ୍ଥିତିର ସମାଧାନ; ଚୁକ୍ତି ପୂରଣ କରିବା ନିଶ୍ଚିତ କରିବା ପାଇଁ ଉପଲବ୍‌ଧ ବ୍ୟବସ୍ଥା। ଏଥିରୁ ଯାହା ଜଣାପଡ଼େ ‘ଡିବି’ ତାଲିକାରେ ଉପରକୁ ଉଠିବା ପାଇଁ କଷ୍ଟକର ସଂସ୍କାର ଏକମାତ୍ର ବାଟ ନୁହେଁ, ଖେଳର ନିୟମକୁ ସଜାଡ଼ିବା ମଧ୍ୟ ଆଉ ଏକ ବାଟ। କିନ୍ତୁ ଏହା ମଧ୍ୟ ସତ ଯେ ଏ ବାଟ ସମସ୍ତଙ୍କ ପାଇଁ ଉପଲବ୍‌ଧ। ଭାରତ ଯଦି ସାମାନ୍ୟ ନିୟମ ପରିବର୍ତ୍ତନ ମାଧ୍ୟମରେ ନିଜର ଭାବମୂର୍ତ୍ତିରେ ଚମକପ୍ରଦ ଉନ୍ନତି ଆଣି ପାରୁଛି, ଏ ଉଜ୍ଜ୍ବଳ ରିପୋର୍ଟ କାର୍ଡ ପାଇଁ ମୋଦୀ ସରକାର ସମ୍ପୂର୍ଣ୍ଣ ହକ୍‌ଦାର।

ସମ୍ବନ୍ଧିତ ଖବର