ଛଦ୍ମ ବିଦ୍ରୋହ

ଜମ୍ମୁ ଓ କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗରେ ଗଣମାଧୢମ ତଥା ଅନ୍ୟ ବିଭିନ୍ନ ମହଲରେ ‘ଖଳନାୟକ’ ଭାବେ ଚିତ୍ରିତ ମାନ୍ୟବର ରାଜ୍ୟପାଳ ସତ୍ୟପାଲ ମଲିକ୍‌ ଏବେ ସ୍ବର ବଦଳାଇ ନିଜକୁ ଜଣେ ‘ବିଦ୍ରୋହୀ ନାୟକ’ ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା ଚଳାଇଛନ୍ତି। ତେବେ ବାସ୍ତବତାର ଆଲୋକରେ ଦେଖିଲେ ନାୟକ ହେବା ଆଶାରେ ରାଜ୍ୟପାଳ ମହୋଦୟଙ୍କ ଛଦ୍ମ ବିଦ୍ରୋହ ତାଙ୍କର ରାଜନୈତିକ ଶଠତା ଧରା ପଡ଼ିଯାଉଛି। ଆଗାମୀ ଡିସେମ୍ବର, ୨୦୧୯ରେ କାର୍ଯ୍ୟକାଳ ପୂରୁଥିବା ବିଧାନସଭା ଭଙ୍ଗ ନିଷ୍ପତ୍ତିକୁ କଶ୍ମୀର ଓ ଗଣତନ୍ତ୍ରର ସ୍ବାର୍ଥରେ ବୋଲି ଦର୍ଶାଇ ରାଜ୍ୟପାଳ ମହୋଦୟ ମୁଖ୍ୟତଃ ଦୁଇଟି ଯୁକ୍ତି ଉପସ୍ଥାପନ କରିଥିଲେ। ପ୍ରଥମ,  ରାଜନୈତିକ ଆଦର୍ଶ ଦୃଷ୍ଟିରୁ ପରସ୍ପର ବିରୋଧୀ ଦଳଙ୍କ ମଧୢରେ କ୍ଷମତା ହାସଲ ପାଇଁ ମେଣ୍ଟ ସମ୍ପୂର୍ଣ୍ଣ ଭାବେ ସୁବିଧାବାଦୀ, ଅସାଧୁ ଓ ଅନୈତିକ। ଏଭଳି ଏକ ମେଣ୍ଟ କଦାପି ଗୋଟିଏ ସ୍ଥିର ସରକାର ଦେଇ ପାରିବ ନାହିଁ। ଦ୍ବିତୀୟ, ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ କୌଣସି ପକ୍ଷଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣର ଅର୍ଥ ‘ଘୋଡ଼ା ବେପାର’କୁ ପ୍ରୋତ୍ସାହନ। ସପ୍ତାହକ ପରେ ରାଜ୍ୟପାଳ ମଲିକ୍‌ ମହୋଦୟଙ୍କ ସ୍ବର ବଦଳି ଯାଇଛି। ଦିଲ୍ଲୀ ଆଡ଼କୁ ଅଙ୍ଗୁଳି ଦେଖାଇ ରାଜ୍ୟପାଳ କୈଫିୟତ୍‌ ଦେଇଛନ୍ତି ଯେ, ନ୍ୟାସନାଲ କନ୍‌ଫରେନ୍ସର ଅସନ୍ତୁଷ୍ଟ ନେତା ସଜ୍ଜାଦ୍‌ ଲୋନେଙ୍କ ନେତୃତ୍ବରେ ଏକ ସ˚ଖ୍ୟାଲଘୁ ସରକାର ପ୍ରତିଷ୍ଠା ଲାଗି କେନ୍ଦ୍ରର ଚାପକୁ ଏଡ଼ାଇବା ଲାଗି ସେ ବିଧାନସଭା ଭଙ୍ଗ ପାଇଁ ନିଷ୍ପତ୍ତି ନେଲେ। ରାଜ୍ୟପାଳଙ୍କ ଆଶଙ୍କା ଯେ, ଦିଲ୍ଲୀର ରାଜନୈତିକ ମୁନିବଙ୍କ ଇଚ୍ଛା ବିରୋଧରେ ନିଷ୍ପତ୍ତି ନେଇଥିବାରୁ ତାଙ୍କୁ ଶ୍ରୀନଗର ରାଜଭବନରୁ ହଟାଇ ଦିଆଯାଇପାରେ।

ନଭେମ୍ବର ୨୧ରେ ବିଧାନସଭା ଭଙ୍ଗ ସପକ୍ଷରେ ରାଜ୍ୟପାଳ ମହୋଦୟଙ୍କ ଯୁକ୍ତି ଯେତେ ଦୁର୍ଭାଗ୍ୟଜନକ ଥିଲା, ସପ୍ତାହକ ପରେ ସେ ଉପସ୍ଥାପନ କରୁଥିବା ନୂଆ ଯୁକ୍ତି ତା’ଠାରୁ ଆହୁରି ଅଧିକ ଦୁର୍ଭାଗ୍ୟଜନକ। ଦୁଇଟି ଯାକ ଯୁକ୍ତି ସମ୍ବିଧାନ ଓ ଗଣତନ୍ତ୍ର ପରିପନ୍ଥୀ ପଦକ୍ଷେପ- ବିଧାନସଭା ଭଙ୍ଗକୁ ଯଥାର୍ଥ ପ୍ରତିପାଦିତ କରିପାରିବ ନାହିଁ।  ପ୍ରତିକୂଳ ଜନମତର ଚାପରେ ନିଜ ଉପରୁ ଦୋଷ ଖସାଇ କେନ୍ଦ୍ରକୁ କାଠଗଡ଼ାକୁ ଟାଣିବା ଲାଗି ରାଜ୍ୟପାଳଙ୍କ ଏହି ପ୍ରୟାସ କଦାପି ତାଙ୍କୁ ଗଣତନ୍ତ୍ରକୁ ଅପହରଣ କରି ରାଜଭବନରେ ବନ୍ଦୀ ରଖିବାର ଅଭିଯୋଗରୁ ମୁକ୍ତ କରି ପାରିବ ନାହିଁ। ରାଜ୍ୟପାଳଙ୍କ ଏ ଅଗଣତାନ୍ତ୍ରିକ, ଅସାମ୍ବିଧାନିକ କାର୍ଯ୍ୟରେ କେନ୍ଦ୍ର ମଧୢ  ସମ ପରିମାଣରେ ସ˚ପୃକ୍ତ।

ଜମ୍ମୁ ଓ କଶ୍ମୀରରେ ବିଭିନ୍ନ ପ୍ରତିଦ୍ବନ୍ଦ୍ବୀ ଦଳଙ୍କ ମଧୢରେ ସମୀକରଣର ପୁନର୍ବିନ୍ୟାସ ପରେ ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ରାଜ୍ୟପାଳଙ୍କ ଭୂମିକା କ’ଣ ହେବା ଉଚିତ ଥିଲା, ସେ ନେଇ ସ୍ପଷ୍ଟ ସାମ୍ବିଧାନିକ ବ୍ୟବସ୍ଥା ଓ ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ମାର୍ଗ ନିର୍ଦ୍ଦେଶାବଳୀ ରହିଛି। ଏ ପ୍ରକାର ତରଳ ପରିସ୍ଥିତିରେ ରାଜ୍ୟପାଳଙ୍କ ପାଇଁ ସର୍ବୋତ୍ତମ ମାର୍ଗଦର୍ଶିକା ହେଲା ସ˚ସଦୀୟ ପରମ୍ପରା ଏବ˚ ଗଣତାନ୍ତ୍ରିକ ଭାବନା। କିନ୍ତୁ ଜମ୍ମୁ ଓ କଶ୍ମୀର ବିଧାନସଭା ଭଙ୍ଗ ଲାଗି ନିଷ୍ପତ୍ତି ନେବା ପୂର୍ବରୁ ରାଜ୍ୟପାଳ ମହୋଦୟ ଉପରୋକ୍ତ ବିଷୟ ଗୁଡ଼ିକୁ ଜାଣିଶୁଣି ଅଣଦେଖା କରିଥିଲେ। ରାଜ୍ୟରେ ଗୋଟିଏ ଲୋକପ୍ରିୟ, ଗଣତାନ୍ତ୍ରିକ ନିର୍ବାଚିତ ସରକାର ଗଠନ ପ୍ରସଙ୍ଗରେ ଯଦି ରାଜ୍ୟପାଳ ମହୋଦୟ ସାମ୍ବିଧାନିକ- ଗଣତାନ୍ତ୍ରିକ- ସ˚ସଦୀୟ ମାପକାଠି ଗୁଡ଼ିକ ପ୍ରତି ଧୢାନ ଦେଇଥାନ୍ତେ ତେବେ ଗୃହରେ ସର୍ବାଧିକ ସ˚ଖ୍ୟା ଦାବି କରୁଥିବା ପିଡିପି- ଏନ୍‌ସି କ˚ଗ୍ରେସ ମେଣ୍ଟର ନେତ୍ରୀ ମୁଫ୍‌ତି ମେହବୁବାଙ୍କୁ ଆମନ୍ତ୍ରଣ ଜଣାଇଥାନ୍ତେ। ସତାଅଶୀ ଜଣିଆ ବିଧାନସଭାରେ ମିଳିତ ଭାବେ ତିନି ନଳର ବିଧାୟକ ସ˚ଖ୍ୟା ୫୬ ଥିଲା। ଯଦି ଏହି ସ˚ଖ୍ୟା କିମ୍ବା ସରକାରର ସ୍ଥିରତା ଉପରେ କୌଣସି ସନ୍ଦେହ ଥିଲା, ତେବେ ରାଜ୍ୟପାଳ ମହୋଦୟ ଗୃହରେ ଯଥାଶୀଘ୍ର ସମ୍ଭବ ସ˚ଖ୍ୟା ଗରିଷ୍ଠତାର ପ୍ରମାଣ ଲାଗି ଦିନ ଧାର୍ଯ୍ୟ କରି ପାରିଥାନ୍ତେ। ଜମ୍ମୁ ଓ କଶ୍ମୀର ସମେତ ବିଭିନ୍ନ ରାଜ୍ୟରେ, ଏପରିକି କେନ୍ଦ୍ରରେ ମଧୢ ରାଜନୈତିକ ଦୃଷ୍ଟିରୁ ପରସ୍ପରର ବିରୋଧୀ ଦଳମାନେ ମେଣ୍ଟ ସରକାର ଗଢ଼ିବାର ନଜିର ରହିଛିି। ଏସ୍‌ଆର‌୍‌ ବୋମାଇ ମାମଲାରେ ସୁପ୍ରିମ୍‌ କୋର୍ଟ ଗୃହରେ ହିଁ ଶକ୍ତି ପରୀକ୍ଷା ପାଇଁ ଦେଇଥିବା ରାୟ ଅନୁଯାୟୀ ବିଧାନସଭାରେ ମେଣ୍ଟ ସରକାର ମୁଖ୍ୟମନ୍ତ୍ରୀମାନେ ଆସ୍ଥା ଭୋଟର ସମ୍ମୁଖୀନ ହୋଇଛନ୍ତି। ନିକଟରେ ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶ ପରେ କର୍ଣ୍ଣାଟକରେ ସ˚ଖ୍ୟାଗରିଷ୍ଠତା ପ୍ରମାଣ ଦେଇ ନପାରି ବିଜେପି ମୁଖ୍ୟମନ୍ତ୍ରୀ ୟେଦୁରାପ୍ପା ଇସ୍ତଫା ଦେଇଥିଲେ। ପରେ ନିର୍ବାଚନ ପରବର୍ତ୍ତୀ କ˚ଗ୍ରେସ-ଜେଡି(ଏସ୍‌) ମେଣ୍ଟର ନେତା ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ବାମୀ ଗୃହରେ ସ˚ଖ୍ୟାଗରିଷ୍ଠତାର ପ୍ରମାଣ ଦେଇଥିଲେ। କିନ୍ତୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳ ଏହି ବିକଳ୍ପକୁ ଆପଣେଇ ନଥିଲେ। ବିଧାନସଭାରେ କୌଣସି ଦଳର ସ୍ପଷ୍ଟ ବହୁମତ ନଥିବା ସ୍ଥିତିରେ କେଉଁ ପକ୍ଷକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରାଯିବ, ତାହା ଅବଶ୍ୟ ରାଜ୍ୟପାଳଙ୍କ ଇଚ୍ଛାଧୀନ। କିନ୍ତୁ ଗୋଟିଏ ସ˚ସଦୀୟ ଗଣତାନ୍ତ୍ରିକ ବ୍ୟବସ୍ଥାରେ କୌଣସି ‘ଇଚ୍ଛାଧୀନ କ୍ଷମତା’ ସମ୍ବିଧାନ କିମ୍ବା ଗଣତାନ୍ତ୍ରିକ ପ୍ରଥା- ପରମ୍ପରାର ଊର୍ଦ୍ଧ୍ବରେ ନୁହେଁ। ସାମ୍ବିଧାନିକ- ଗଣତାନ୍ତ୍ରିକ ମର୍ଯ୍ୟାଦା ମଧୢରେ ହିଁ ଇଚ୍ଛାଧୀନ କ୍ଷମତାର ପ୍ରୟୋଗ  କରିବାକୁ ପଡ଼ିଥାଏ। କିନ୍ତୁ ଜମ୍ମୁ ଓ କଶ୍ମୀର ରାଜ୍ୟପାଳଙ୍କ ବିଧାନସଭା ଭଙ୍ଗ ନିଷ୍ପତ୍ତି ଗଣତନ୍ତ୍ର ଓ ସମ୍ବିଧାନର ଅମର୍ଯ୍ୟାଦା। ବିଧାନସଭା ଭଙ୍ଗ ପଛରେ ଏକମାତ୍ର ରାଜନୈତିକ ଉଦ୍ଦେଶ୍ୟ ଥିଲା, କେନ୍ଦ୍ରରେ କ୍ଷମତାସୀନ ବିଜେପିର ପ୍ରତିଦ୍ବନ୍ଦ୍ବୀ ବିରୋଧୀ ଦଳଙ୍କୁ କ୍ଷମତା ଦଖଲରୁ ରୋକିବା।

କ୍ଷମତାର ଅପ ବ୍ୟବହାର ଓ ଅସାମ୍ବିଧାନିକ, ଅଗଣତାନ୍ତ୍ରିକ କାର୍ଯ୍ୟ ପାଇଁ ସମାଲୋଚନାର ଶିକାର ରାଜ୍ୟପାଳ ଏବେ ‘ଆତ୍ମରକ୍ଷା’ ପାଇଁ କେନ୍ଦ୍ର ଆଡ଼କୁ ଅଙ୍ଗୁଳି ଦେଖାଉଛନ୍ତି। ଦିଲ୍ଲୀର ମୁନିବଙ୍କୁ ଖଳନାୟକ ଭାବେ ଦେଖାଇ ନିଜକୁ ‘ବିଦ୍ରୋହୀ ନାୟକ’ ଭାବେ ଉପସ୍ଥାପନ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କ ଏହି ବ୍ୟର୍ଥ କୌଶଳରେ ଜନମତ ଚାପର ପ୍ରଭାବ ଓ  ବ୍ୟକ୍ତିଗତ ସ୍ତରରେ ମଲିକ୍‌ଙ୍କ ରାଜନୈତିକ ଆଦର୍ଶଗତ ବିଭ୍ରାନ୍ତି ମଧୢ ପ୍ରତିଫଳିତ ହୋଇଛି। ରାଜ୍ୟପାଳ ମଲିକଙ୍କ ରାଜନୈତିକ ଜୀବନ ଆରମ୍ଭ ହୁଏ ଜଣେ ଲୋହିଆ ମାର୍କା ସମାଜବାଦୀ ଭାବେ। ପରେ ସେ ଚୌଧୁରୀ ଚରଣ ସି˚ହଙ୍କ ମାର୍ଫତରେ ଅଣ-କ˚ଗ୍ରେସ ରାଜନୀତିକୁ ଆସିଥିଲେ। ପୁଣି ମୁଲାୟମ୍‌ଙ୍କ ସମାଜବାଦୀ ପାର୍ଟି ଦେଇ ସେ ହିନ୍ଦୁତ୍ବ ଦଳ ବିଜେପିକୁ ଆସିଛନ୍ତି। ସମାଜବାଦୀ  ଆଦର୍ଶରୁ  ହିନ୍ଦୁତ୍ବ ପର୍ଯ୍ୟନ୍ତ ତାଙ୍କର ଦୀର୍ଘ ଚାରି ଦଶନ୍ଧିର ଯାତ୍ରାର  ବିରୋଧାଭାସର ପରିଣତି ବ୍ୟକ୍ତିଗତ ସ୍ତରରେ ତାଙ୍କର ଆଦର୍ଶଗତ ଦ୍ବନ୍ଦ୍ବ, ଯାହାର ପରିଣାମ ସପ୍ତାହକ ମଧୢରେ ସ୍ବର ପରିବର୍ତ୍ତନ। ବିଧାନସଭା ଭଙ୍ଗ ବିରୋଧରେ ଜନମତର ଚାପରେ କେନ୍ଦ୍ର ବିରୋଧରେ ତାଙ୍କର ଛଦ୍ମ ବିଦ୍ରୋହ। ସେହି ଦ୍ବନ୍ଦ୍ବରୁ ମୁକୁଳିବା ଲାଗି ଏହା ଏକ ଛଦ୍ମ ବିଦ୍ରୋହ। ଅବଶ୍ୟ, ଏ ମତ ପରିବର୍ତ୍ତନ ‘ଗୋଟିଏ ଗୁଳିରେ ଦୁଇଟି ଶିକାର’ ପାଇଁ ମଧୢ ଏକ କୌଶଳ ହୋଇଥାଇପାରେ। ପ୍ରଥମ, ରାଜ୍ୟପାଳ ମହୋଦୟ ନିଜକୁ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରୁ ମୁକ୍ତ ଓ ସ୍ବାଧୀନ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି। ଦ୍ବିତୀୟ, ବିଧାନସଭା ଭଙ୍ଗରେ କେନ୍ଦ୍ରର କୌଣସି ଭୂମିକା ନାହିଁ ବୋଲି ସ˚କେତ ଦେଉଛନ୍ତି। ‘ପୁଅ ମୁଣ୍ତକୁ ଲୋଭ, ତେଲ ଘଡ଼ିକୁ ବି ଲୋଭ’ ନୀତିରେ ଏହି ସୁବିଧାବାଦୀ ମତ ପରିବର୍ତ୍ତନ ନା ରାଜ୍ୟପାଳ ନା କେନ୍ଦ୍ରକୁ ସୁରକ୍ଷା ଦେଇ ପାରିବ।

ରାଜ୍ୟପାଳ ମହୋଦୟ ବାରମ୍ବାର ମତ ବଦଳାଇ ବିଧାନସଭା ଭଙ୍ଗ ସପକ୍ଷରେ ଯେତେ ଯୁକ୍ତି ବାଢନ୍ତୁ ନା କାହିଁକି, ତାଙ୍କର  ଉଦ୍ଦେଶ୍ୟ ସାଧିତ ହେବ ନାହିଁ। ରାଜ୍ୟପାଳ ମଲିକ୍‌ କହିଛନ୍ତି ଯେ, ସଜ୍ଜାଦ୍‌ ଲୋନେଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଆମନ୍ତ୍ରଣ କରିଥିଲେ ତାଙ୍କୁ ‘ଅସାଧୁ’ କୁହାଯାଇଥାନ୍ତା। କିନ୍ତୁ  ଲୋନେଙ୍କୁ ଆମନ୍ତ୍ରଣ ନ କରିବା ତାଙ୍କର ସାଧୁତାର ପ୍ରମାଣ ନୁହେଁ। ଏହାକୁ ଆଳ କରି ମଲିକ୍‌ ତାଙ୍କର ଅସାମ୍ବିଧାନିକ- ଅଗଣତାନ୍ତ୍ରିକ ପଦକ୍ଷେପକୁ ଘଣ୍ଟ ଘୋଡ଼ାଇ ପାରିବେ ନାହିଁ। ଆଗାମୀ ଦିନରେ ଦେଶର ଯେଉଁ ରାଜନୈତିକ ଇତିହାସ  ଲେଖାଯିବ, ସେଥିରେ  କଶ୍ମୀର ବିଧାନସଭା ଭଙ୍ଗ ପ୍ରସଙ୍ଗରେ  କେବଳ ଉଭୟ ରାଜ୍ୟପାଳ ମଲିକ୍‌ ଏବ˚ କେନ୍ଦ୍ର ସରକାର ଗଣତନ୍ତ୍ର ଓ ସମ୍ବିଧାନର ଅପରାଧୀ ଭାବେ ଚିତ୍ରିତ ହେବେ ତା’ ନୁହେଁ, ରାଜ୍ୟପାଳଙ୍କ ରାଜନୈତିକ ଶଠତା ମଧୢ ଏହି କାଳିମାମୟ ଅଧୢାୟରେ ସ୍ଥାନ ପାଇବ।

ସମ୍ବନ୍ଧିତ ଖବର