ଊଣେଇଶ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇ ଯାଇଥିବା ବେଳେ ସୁଦୂର ପ୍ରସାରୀ ପ୍ରଭାବ ରଖୁଥିବା ଏକ ଗୁରୁତ୍ବପୂର୍ଣ୍ଣ ରାଜନୈତିକ ଘଟଣାକ୍ରମରେ ରାଜ୍ୟ ବିଜେପିର ଦୁଇ ବରିଷ୍ଠ ନେତା ବିଜୟ ମହାପାତ୍ର ଏବ˚ ଦିଲୀପ ରାୟ ଦଳରୁ ଇସ୍ତଫା ଦେଇଛନ୍ତି। ବିଗତ ବହୁମାସ ଧରି ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖୁଥିବା ଓ ବିଭିନ୍ନ ସମୟରେ ଉଭୟ କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବାରେ ତିଳେ ମାତ୍ର କୁଣ୍ଠାବୋଧ କରୁନଥିବା ଓଡ଼ିଶା ରାଜନୀତିର ଏହି ଦୁଇ ଦିଗ୍ଗଜଙ୍କ ବିଜେପିରୁ ବିଦାୟ ଆଦୌ ଅପ୍ରତ୍ୟାଶିତ ନୁହେଁ। ବର˚ କୁହାଯାଇପାରେ, ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ବାବୁ ଏବ˚ ରାଉରକେଲା ବିଧାୟକ ଦିଲୀପ ବାବୁ ଦଳ ସହ ସମ୍ପର୍କ ତୁଟାଇ ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହଙ୍କ ନିକଟକୁ ପତ୍ର ଲେଖି ଏକ ଔପଚାରିକତା ସମ୍ପନ୍ନ କରିଛନ୍ତି ମାତ୍ର। ବିଜେପି ଛାଡ଼ିବା ସହ ଦିଲୀପ ବାବୁ ବିଧାୟକ ପଦରୁ ମଧୢ ଇସ୍ତଫା ଦେଇଛନ୍ତି। ପରବର୍ତ୍ତୀ ପଦକ୍ଷେପ ସମ୍ପର୍କରେ ଦୁଇ ନେତା କୌଣସି ସୂଚନା ଦେଇ ନାହାନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ମହାପାତ୍ର ଏବ˚ ରାୟ ମିଳିତ ଭାବେ ବିଜେପି ରାଷ୍ଟ୍ରୀୟ ଅଧୢକ୍ଷଙ୍କୁ ଲେଖିଥିବା ଚିଠିରେ ‘ପାର୍ଟି ନୁହେଁ ମାଟି ଆଗ’ ସ୍ବର ସ୍ପଷ୍ଟ। ଓଡ଼ିଶା ପ୍ରତି କେନ୍ଦ୍ରର ଉପେକ୍ଷା ପାଇଁ ମୋଦୀ ସରକାରକୁୁ କାଠଗଡ଼ାରେ ଠିଆ କରିଛନ୍ତି। ରାଜ୍ୟରେ ଦଳର ସ˚ଗଠନ, ନେତୃତ୍ବ ଓ ପରିଚାଳନା ଶୈଳୀ ସହ ରାଜ୍ୟର ବୃହତ୍ତର ସ୍ବାର୍ଥ ପ୍ରତି ଦଳୀୟ ନିଷ୍ଠା ଉପରେ ମଧୢ ପ୍ରଶ୍ନ ଉଠାଇଛନ୍ତି। ଏହାର ଜବାବରେ ଗତାନୁଗତିକ ଧାରାରେ ଦଳର ରାଜ୍ୟ ଶାଖା ପକ୍ଷରୁ ଦୁଇ ନେତାଙ୍କ ଅଭିଯୋଗକୁ ଖଣ୍ତନ କରାଯିବା ସହ କିଛି ପାଲଟା ଅଭିଯୋଗ ମଧୢ କରାଯାଇଛି। ଦଳରେ ଥାଇ ମଧୢ ନଥିଲା ଭଳି ମହାପାତ୍ର-ରାୟ ଯୋଡ଼ିଙ୍କ ଇସ୍ତଫା ଯେମିତି ଏକ ଔପଚାରିକତା ଥିଲା, ଦଳ ପକ୍ଷରୁ ଅଭିଯୋଗର ଖଣ୍ତନ, ପାଲଟା ଅଭିଯୋଗ, କେନ୍ଦ୍ରୀୟ ନେତୃତ୍ବ, କେନ୍ଦ୍ର ସରକାରଙ୍କ ଓକିଲାତି ମଧୢ ସେମିତି ଏକ ଔପଚାରିକତା। କିନ୍ତୁ ଏହି ପରସ୍ପର ବିରୋଧୀ ଔପଚାରିକତା ମଧୢରେ କେନ୍ଦ୍ର ସରକାର ଓ ରାଜ୍ୟରେ ଦଳର ଯେଉଁ ବାସ୍ତବ ଚେହେରା ସାମ୍ନାକୁ ଆସିଛି, ତାହା ନିଶ୍ଚୟ ବହୁ ପ୍ରଚାରିତ ‘ମିସନ୍ ୧୨୦’ ସ୍ବପ୍ନକୁୁ ଅଧିକ ବିବର୍ଣ୍ଣ କରି ଦେଇଛି। ଦୁଇ ନେତାଙ୍କ ଅଠେଇଶ ଧାଡ଼ିର ଇସ୍ତଫା ପତ୍ର ଦଳକୁ ଓଡ଼ିଶାରେ ଲକ୍ଷ୍ୟଠାରୁ ଆହୁରି ଅଠେଇଶ ହଜାର ମାଇଲ ଦୂରକୁ ଠେଲି ଦେଇଛି।
ଦିଲୀପ ଓ ବିଜୟଙ୍କ ଇସ୍ତଫାକୁ ହାଲୁକା ଭାବେ ଦେଖାଇବାକୁ ଯାଇ ଦଳ ପକ୍ଷରୁ ଦାବି କରାଯାଇଛି ଯେ ଦୁଇ ନେତାଙ୍କ ବିଦାୟର କୌଣସି ପ୍ରଭାବ ପଡ଼ିବ ନାହିଁ। ଏହା କେବଳ ଆତ୍ମ ପ୍ରବଞ୍ଚନା ନୁହେଁ, ରାଜନୈତିକ ଶଠତା ମଧୢ। ଆଜି ଦିନରେ ଯଦି ବିଜେପି ରାଜ୍ୟ ରାଜନୀତିରେ ତିିନି ନମ୍ବର ସ୍ଥାନରୁ ଦୁଇ ନମ୍ବର ସ୍ଥାନକୁ ଉନ୍ନୀତ ହୋଇଛି ବୋଲି ଦାବି କରୁଛି, ତେବେ ଏହି ଉତ୍ତରଣର ଆଦ୍ୟ ଉଦ୍ୟୋକ୍ତା ଭାବେ ବିଜୟଙ୍କୁ ଶ୍ରେୟ ଯିବ। ୨୦୧୪ ସାଧାରଣ ନିର୍ବାଚନ ପରେ ପରେ ଅନୁଷ୍ଠିତ କନ୍ଧମାଳ ଉପ-ନିର୍ବାଚନରେ ମୁଖ୍ୟ ବିରୋଧୀ କ˚ଗ୍ରେସକୁ ପଛକୁ ଠେଲି ବିଜେପି କେବଳ ଏକନମ୍ବର ବିଜୟୀ ବିଜେଡିର ପ୍ରଧାନ ପ୍ରତିଦ୍ବନ୍ଦ୍ବୀ ଭାବେ ଉଭା ହୋଇ ନଥିଲା, ଦଳର ଖାତାରେ ପୂର୍ବାପେକ୍ଷା ବହୁ ଅଧିକ ସ˚ଖ୍ୟାରେ ଭୋଟ ଏହାର ଉତ୍ତରଣର ସ˚କେତ ଦେଇଥିଲା। କନ୍ଧମାଳ ଉପ-ନିର୍ବାଚନରେ ବିଜେପି ପ୍ରଚାର କମିଟିର ଅଧୢକ୍ଷ ଭାବେ ବିଜୟ ଦଳୀୟ ଅଭିଯାନର ମଙ୍ଗ ଧରିଥିଲେ। ଅବଶ୍ୟ, ଏହା ଭିନ୍ନ କଥା ଯେ, ବିଜୟଙ୍କ ରଣନୀତି ଯୋଗୁ କନ୍ଧମାଳରେ ଭଲ ପ୍ରଦର୍ଶନ ସତ୍ତ୍ବେ ପରବର୍ତ୍ତୀ ସମୟରେ ସେ ଦଳ ମଧୢରେ ଉପେକ୍ଷାର ଶିକାର ହୋଇଥିଲେ। ସେହିଭଳି ଦିଲୀପ ରାୟଙ୍କ ଯୋଗୁ କେବଳ ପ୍ରଥମ ଥର ପାଇଁ ରାଉରକେଲା ବିଧାନସଭା ଆସନ ବିଜେପି ଖାତାକୁ ଆସି ନଥିଲା, ବିଜେପିର ଏକମାତ୍ର ଲୋକସଭା ଆସନ ସୁନ୍ଦରଗଡ଼ରେ ଦଳୀୟ ପ୍ରାର୍ଥୀ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ୍ଙ୍କ ବିଜୟ ମଧୢ ସମ୍ଭବ ହୋଇଥିଲା। ଉଭୟ ବିଜୟ ଓ ଦିଲୀପଙ୍କ ଅଭିଜ୍ଞତା, ଲୋକ-ସମ୍ପର୍କ, ଜନାଧାର, ନିଜ ନିଜ ଅଞ୍ଚଳରେ ଭାବମୂର୍ତ୍ତି, ରାଜ୍ୟବ୍ୟାପୀ ପତିଆରା ବିଜେପି ପାଇଁ ନିଶ୍ଚୟ ଏକ ବଡ଼ ରାଜନୈତିକ ପୁଞ୍ଜି ଥିଲା, ଯାହା ଦଳ ହରାଇଛି। ଦୁଇ ଦିନ ତଳେ ପୂର୍ବତନ ମହିଳା ଆଇଏଏସ୍ ଅପରାଜିତା ଷଡ଼ଙ୍ଗୀ ବିଜେପିରେ ଯୋଗ ଦେଇଛନ୍ତି। ଦଳରେ ତାଙ୍କୁ ବଡ଼ ପୁଞ୍ଜି ବିଚାର କରାଯାଉଛି। କିନ୍ତୁ ମାତ୍ର ଦୁଇ ଦିନ ପରେ ଦିଲୀପ ଓ ବିଜୟଙ୍କ ବିଦାୟ ଯୋଗୁ ବିଜେପିର ଯେଉଁ କ୍ଷତି ହୋଇଛି, ଅପରାଜିତାଙ୍କ ଆଗମନ ସେହି କ୍ଷତିକୁ ଭରଣା କରିବା ଲାଗି ଉତ୍କଟ ଭାବେ ନିଅଣ୍ଟିଆ।
ଊଣେଇଶ ଲଢେ଼ଇକୁ ଓହ୍ଲାଇବା ଲାଗି ଦଳ ସଜବାଜ ହେଉଥିବା ବେଳେ ଏ ବିପୁଳ କ୍ଷତି ପାଇଁ ଦାୟୀ କିଏ? ଦଳର କେନ୍ଦ୍ରୀୟ ଓ ରାଜ୍ୟ ନେତୃତ୍ବ ଏ କ୍ଷତି ପାଇଁ ସ୍ବୟ˚ ନିଜକୁ ଛଡ଼ା ଅନ୍ୟ କାହାକୁ ଦାୟୀ କରିପାରିବେ ନାହିଁ। ବିଜୟ ବାବୁ ଓ ଦିଲୀପ ବାବୁ ରାଷ୍ଟ୍ରୀୟ ଅଧୢକ୍ଷ ଅମିତ ଶାହଙ୍କୁ ଲେଖିଥିବା ପତ୍ରରେ ଓଡ଼ିଶା ପ୍ରତି ଅବହେଳା ପାଇଁ କେନ୍ଦ୍ର ସରକାର ଏବ˚ ସା˚ଗଠନିକ ଦୁର୍ବଳତା ପାଇଁ ରାଜ୍ୟରେ ‘ଦଳର ମୁହଁ’ଙ୍କ ଆଡ଼କୁୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଖୋଦ୍ ପ୍ରଧାନମନ୍ତ୍ରୀ ନିର୍ବାଚନ ପୂର୍ବରୁ ଏବ˚ ପୁଣି ସରକାରକୁ ଆସିବା ପରେ ରାଉରକେଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଣିର ଗାରରେ ପରିଣତ ହୋଇଛି। ଆଇଜିଏଚ୍ର ଉନ୍ନତୀକରଣ ବିଷୟ ଘୋଷଣା କରାଯାଇଥିଲା। ଅଥଚ, ଆଇଜିଏଚ୍ ନା ମେଡିକାଲ କଲେଜରେ ରୂପାନ୍ତରିତ ହେଲା ନା ସୁପର ସ୍ପେସିଆଲିଟି ହସ୍ପିଟାଲ୍ରେ ପରିଣତ ହେଲା। ସେମିତି ବ୍ରାହ୍ମଣୀ ସେତୁ ଅନିଶ୍ଚିତତା ମଧୢରେ ଝୁଲି ରହିଛି। ଏଥିରେ ଯଦି ସ୍ଥାନୀୟ ବିଧାୟକ ‘ପାର୍ଟି ନୁହେଁ, ମାଟି ଆଗ’ ସ୍ଲୋଗାନ୍ ଦେଇ ଦଳ ଛାଡ଼ନ୍ତି, ତେବେ କାହାର କ୍ଷତି? ନିଶ୍ଚୟ ଦଳର, ରାଜ୍ୟରେ ଦଳୀୟ ନେତାମାନେ ଘୋଷା ଧରିଥିବା ‘ପାର୍ଟି ନୁହେଁ, ମାଟି ଆଗ’ ସ˚କୀର୍ତ୍ତନ ବୁମେରା˚ ହୋଇଛି। ଏହାର ଫମ୍ପାପଣ ଧରା ପଡ଼ି ଯାଇଛି ପାରାଦୀପ ତୈଳ ପ୍ରକଳ୍ପରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ପ୍ରସଙ୍ଗରେ। ପାରାଦୀପ ପ୍ରକଳ୍ପରେ ଓଡ଼ିଆ ଯୁବକଙ୍କୁ ନିଯୁକ୍ତି ପ୍ରତିଶ୍ରୁତି ପୂରଣ ନ ହେବା ଦର୍ଶାଇ ବିଜୟଙ୍କ ଇସ୍ତଫା ସ୍ବତଃ ଓଡ଼ିଶା ସ୍ବାର୍ଥ ପ୍ରତି କେନ୍ଦ୍ରର ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ମହାନଦୀ ପ୍ରସଙ୍ଗରେ ପ୍ରଥମରୁ ବିଜୟ ବାବୁ ଟ୍ରିବ୍ୟୁନାଲ ପାଇଁ ଦାବି କରିଥିଲେ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିରୋଧ କରିଥିଲେ; ଯଦିଓ ପରବର୍ତ୍ତୀ ସମୟରେ ପ୍ରଧାନ ଟ୍ରିବ୍ୟୁନାଲ ଗଠନ ଦାବିକୁ ସମର୍ଥନ ଜଣାଇଥିଲେ। ବିଜୟଙ୍କୁ ବିରୋଧ କରିବା ବ୍ୟଗ୍ରତା ମଧୢରେ ଜାଣତରେ ହେଉ କି ଅଜାଣତରେ ଓଡ଼ିଶା ସ୍ବାର୍ଥ ବିରୋଧରେ ଦଳ ଠିଆ ହେବାର ଧାରଣା ସୃଷ୍ଟି ହେଲା, ଯାହା ନିଶ୍ଚୟ ଦଳର ପତିଆରା ଓ ଭାବମୂର୍ତ୍ତି ପାଇଁ ଅନୁକୂଳ ନଥିଲା। ସମ୍ଭବତଃ, ଏ ପରିପ୍ରେକ୍ଷୀରେ ବିଜୟ ଏବ˚ ଦିଲୀପଙ୍କ ମିଳିତ ଇସ୍ତଫା ପତ୍ରରେ ‘ପତିଆରା ନଥିବା ନେତାମାନଙ୍କ ମିଛ ଅହଙ୍କାର’ ପ୍ରତି ରାଷ୍ଟ୍ରୀୟ ଅଧୢକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି।
ନିଃସନ୍ଦେହ, ବିଜୟ ଓ ଦିଲୀପଙ୍କ ଇସ୍ତଫା ରାଜ୍ୟରେ ବିଜେପି ପାଇଁ ଏକ ବଡ଼ କ୍ଷତି। ତେବେ ଏ କ୍ଷତିରେ ମଧୢ ଦଳ ପାଇଁ ଗୋଟିଏ ଲାଭର ସମ୍ଭାବନା ରହିଛି। ଇସ୍ତଫା ପତ୍ରରେ ରାଜ୍ୟରେ ଦଳର ଯେଉଁ ବାସ୍ତବ ଚିତ୍ର ଓ ନେତୃତ୍ବର ଚରିତ୍ର ସମ୍ପର୍କରେ ଦୁଇ ନେତା ଇଙ୍ଗିତ କରିଛନ୍ତି, ତାହା ଆତ୍ମସମୀକ୍ଷା ପାଇଁ ଏକ ଅବସର ଦେଇଛି। ଘର ସଜାଡ଼ିବା ଲାଗି ଏହା ମାର୍ଗଦର୍ଶନ କରିପାରେ। ପଞ୍ଚାୟତ ସ୍ତରର ପ୍ରତ୍ୟେକ ଉପ-ନିର୍ବାଚନ ଓ ବିଜେପୁର ଉପ-ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପାଇଁ ନେତୃତ୍ବର ଅହଙ୍କାରୀ ଚରିତ୍ର ଏବ˚ ପତିଆରାଶୂନ୍ୟ ନେତାଙ୍କ ପ୍ରାଧାନ୍ୟକୁ ଦାୟୀ କରାଯାଇଛି। ବିଜେପିର କେନ୍ଦ୍ରୀୟ ନେତୃତ୍ବ ଯଦି ଓଡ଼ିଶା ନେଇ କିଛି ଆଶା ରଖିଛନ୍ତି, ତେବେ ଅଯଥା ଭ୍ରମରେ ନରହି, ଦୁଇ ନେତାଙ୍କ ଇସ୍ତଫା ପତ୍ରରେ ପ୍ରତିଫଳିତ ବାସ୍ତବତା ପ୍ରତି ନିଶ୍ଚୟ ଗୁରୁତ୍ବ ଦେବେ।
ଏବେ ଲକ୍ଷେ କୋଟିର ପ୍ରଶ୍ନ- ଦିଲୀପ ଓ ବିଜୟଙ୍କ ପରବର୍ତ୍ତୀ ପଦକ୍ଷେପ କ’ଣ? ବିଜେପିର କ୍ଷତିରୁ କିଏ ଲାଭବାନ୍ ହେବ? ଓଡ଼ିଶା ରାଜନୀତିର ନୂତନତମ ଅଧୢାୟର ଶେଷ କେଉଁଠି ଓ କେମିତି? ବାର୍ତ୍ତା ସ୍ପଷ୍ଟ ଯେ, ସେମାନେ ମାଟି ପାଇଁ ପାର୍ଟି ଛାଡ଼ିଛନ୍ତି। ଓଡ଼ିଶାର ସ୍ବାର୍ଥ, ସ୍ବାଭିମାନ ସହ ସାଲିସ କରିନାହାନ୍ତି କି କରିବେ ନାହିଁ। ଏହା ସ˚କେତ ଦେଉଛି ଯେ, ଗୋଟିଏ ଜାତୀୟ ଦଳ ଛାଡ଼ି ଆଉ ଗୋଟିଏ ଜାତୀୟ ଦଳ କ˚ଗ୍ରେସକୁ ଯିବା ସମ୍ଭାବନା ନାହିଁ। ପୁଣି ଦୁଇ ନେତାଙ୍କ ଜନ୍ମ ଓ ଲାଳନ ପାଳନ ଅଣ-କ˚ଗ୍ରେସ ରାଜନୀତିରେ। ଅବଶ୍ୟ, ଦିଲୀପଙ୍କ କ˚ଗ୍ରେସରେ ତିକ୍ତ ଅଭିଜ୍ଞତା ରହିଛି। ତେଣୁ ବିଜୟ ଓ ଦିଲୀପଙ୍କ ପାଇଁ ଦୁଇଟି ବିକଳ୍ପ ଦିଶୁଛି। ଓଡ଼ିଶାର ସ୍ବାଭିମାନ ସ୍ବାର୍ଥକୁ ରାଜନୈତିକ ପୁଞ୍ଜି କରିଥିବା ବିଜେଡିକୁ ଘରବାହୁଡ଼ା କିମ୍ବା ଆଉ ଏକ ଆଞ୍ଚଳିକ ମେଳିରେ ଯୋଗଦାନ। ଏକଦା ଏହି ଦୁଇ ନେତା ବିଜେଡି ସୁପ୍ରିମୋଙ୍କ ପ୍ରତି ଆହ୍ବାନ ସୃଷ୍ଟି କରିଥିଲେ। କିନ୍ତୁ ଆଜି ଦିନରେ ସେ ସମ୍ଭାବନା ନଥିବାରୁ ଘର ବାହୁଡ଼ା ଅଧିକ ସମ୍ଭବ ମନେ ହେଉଛି। ତଥାପି, ରାଜନୀତି ଏକ ସମ୍ଭାବନାର କଳା। ସବୁ କିଛି ସମ୍ଭବ, ଅଥଚ କିଛି ବି ନିଶ୍ଚିତ ନୁହେଁ।