ସ୍ବାଧୀନତା ପରେ କୃଷି ପ୍ରଧାନ ଭାରତରେ ଏମିତି ଗୋଟିଏ ବି ସରକାର ଶାସନକୁ ଆସି ନାହିଁ, ଯେ ଚାଷର ବିକାଶ ଓ ଚାଷୀଙ୍କ କଲ୍ୟାଣ ପାଇଁ ନିଜର ଅଙ୍ଗୀକାର ଘୋଷଣା କରିନାହିଁ। ପ୍ରତିଟି ସରକାର କୃଷି ଓ କୃଷକଙ୍କ ଉନ୍ନତି ପାଇଁ ବିବିଧ ପ୍ରଗତିଶୀଳ ପଦକ୍ଷେପ ନେଇଥିବା ଦାବି କରିଆସିଛନ୍ତି। ସେହି ଧାରାରେ ପୂର୍ବବର୍ତ୍ତୀ ୟୁପିଏ ସରକାର କୃଷିଋଣ ଛାଡ଼ ଠାରୁ ଆରମ୍ଭ କରି ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା, ଖାଦ୍ୟ ନିରାପତ୍ତା ମିସନ ପର୍ଯ୍ୟନ୍ତ ବିଭିନ୍ନ ଯୋଜନା ଦେଖାଇ କୃଷିର ଚିତ୍ର ଓ କୃଷକଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିବା ଲାଗି ଉଦ୍ୟମ କରିଥିବା ଦାବି କରିଥିଲେ। ଚଳିତ ଏନ୍‌ଡିଏ ସରକାରଙ୍କ ମଧ୍ୟ ଦାବି ଯେ, ବିଗତ ତିନିବର୍ଷରେ କୃଷି ବଜେଟ୍ ୧୬,୬୪୬ରୁ ୪୧,୮୫୫କୁ ବୃଦ୍ଧି କରାଯାଇଛି। ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ, ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ପ୍ରଧାନମନ୍ତ୍ରୀ କୃଷି ସିଚାଇ, ନ୍ୟାସନାଲ ଏଗ୍ରିକଲ୍‌ଚରାଲ୍ ମାର୍କେଟିଂ (ଇ-ନାମ) ଆଦି ଅନେକ ଯୋଜନା ଚାଲୁ କରାଯାଇଛି। ଚାଷୀଙ୍କ ଆୟ ପାଞ୍ଚବର୍ଷରେ ଦୁଇଗୁଣ ବୃଦ୍ଧି ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କେବଳ କେନ୍ଦ୍ରରେ ଶାସନରେ ଥିବା ସରକାର ନୁହନ୍ତି, ପ୍ରତ୍ୟେକ ରାଜ୍ୟର ସରକାରମାନେ ମଧ୍ୟ ଅନୁରୂପ ଦାବି କରିଆସୁଛନ୍ତି।

Advertisment

ଅଥଚ ବିଡ଼ମ୍ବିତ ବାସ୍ତବତା କ’ଣ? ତିନି ଏକର ପର୍ଯ୍ୟନ୍ତ ଜମି ଚାଷ କରୁଥିବା ଚାଷୀର ରୋଜଗାର ପରିବାର ପ୍ରତିପୋଷଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ଚାଷୀଙ୍କ ମୁଣ୍ଡ ପିଛା ଜମି ପରିମାଣ ମାତ୍ର ଏକ ହେକ୍ଟର, ଅର୍ଥାତ୍ ୧.୫ ଏକର। ନିଅଣ୍ଟିଆ ଆୟ ଯୋଗୁ ଅଧାରୁ ଅଧିକ ଚାଷୀ ପରିବାର ଉପରେ ଋଣ ବୋଝ; ଯାହାର କରୁଣ ପରିଣତି ଦୁର୍ଭାଗ୍ୟଜନକ ଚାଷୀ ଆତ୍ମହତ୍ୟାର କ୍ରମ। ଦେଶବ୍ୟାପୀ ଦୁର୍ଦଶାଗ୍ରସ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ। ନିୟମିତ ବ୍ୟବଧାନରେ ଏହି ଅସନ୍ତୋଷ ଚାଷୀ ଆନ୍ଦୋଳନର ରୂପ ନେଉଛି। ଚାଷୀ ଆନ୍ଦୋଳନର କ୍ରମରେ ରାଜଧାନୀ ଦିଲ୍ଲୀରେ ସଦ୍ୟ ସମାପ୍ତ ହୋଇଛି ଦୁଇଦିନିଆ ଚାଷୀ ସମାବେଶ। ନିଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ କମିଟିର ପତାକା ତଳେ ଦେଶର ବିଭିନ୍ନ ସ୍ଥାନରୁ ୨୦୦ରୁ ଅଧିକ ଚାଷୀ ସଂଗଠନର ୩୦ ହଜାରରୁ ଊର୍ଦ୍ଧ୍ବ ଚାଷୀ ‘କିଷାନ ମୁକ୍ତି ମାର୍ଚ’ରେ ଆସି ରାଜଧାନୀରେ ମିଳିତ ହୋଇଥିଲେ। ଚାଷୀଙ୍କ ପକ୍ଷରୁ ଦିଆଯାଇଥିବା ଦୀର୍ଘ ଦାବିପତ୍ର ଉପରେ ସରକାରଙ୍କ ଆଭିମୁଖ୍ୟ ଜଣାପଡ଼ିନାହିଁ। ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଓ ନିୟମିତ ବ୍ୟବଧାନରେ ଅଭାବୀ ଚାଷୀକୁଳ ଆନ୍ଦୋଳନ ପାଇଁ କ୍ଷେତ ଛାଡ଼ି ରାସ୍ତାକୁ ଓହ୍ଲାଇବା ଏହାର ଦୁଃଖଦ ସୂଚକ ଯେ, କୃଷି ଓ କୃଷକଙ୍କ ପାଇଁ ସରକାରମାନେ ନେଉଥିବା ତଥାକଥିତ ପ‌ଦକ୍ଷେପଗୁଡ଼ିକ ଈପ୍‌ସିତ ପରିବର୍ତ୍ତନ ଆଣିବାରେ ସକ୍ଷମ ହେଉନାହିଁ। ଏହାର ଦୁଇଟି କାରଣ ହୋଇପାରେ। ପ୍ରଥମ, କ୍ଷେତ୍ର ସ୍ତରରେ ବାସ୍ତବ ସମସ୍ୟାକୁ ନ ବୁଝି ଯୋଜନା ପ୍ରସ୍ତୁତ କରାଯାଉଛି। ଫଳତଃ ସମସ୍ୟାର ସମାଧାନ ହୋଇ ପାରୁନାହିଁ। ଦ୍ବିତୀୟ, ଯୋଜନାଗୁଡ଼ିକ ଠିକଣା ଭାବେ କାର୍ଯ୍ୟକାରୀ ହେଉନଥିବାରୁ ସ୍ଥିତାବସ୍ଥା ବଦଳୁ ନାହିଁ। ପ୍ରଥମ କାରଣ ସହ ଦ୍ବିତୀୟର ମଧ୍ୟ ସମ୍ପର୍କ ରହିଛି।

ଭାରତୀୟ ଚାଷୀଙ୍କ ମୂଳ ସମସ୍ୟା ହେଲା- ଚାଷ ପାଇଁ ଯେତେ ଖର୍ଚ୍ଚ ହେଉଛି, ସେ ଅନୁପାତରେ ଅମଳରୁ ମିଳୁଥିବା ଆୟ ଯଥେଷ୍ଟ ନୁହେଁ। ଫଳରେ ଚାଷ ଏକ ବୃତ୍ତି ଭାବେ ଆଉ ପୋଷାଉ ନାହିଁ। ଜୀବିକା ପାଇଁ ଦେଶର ଲୋକସଂଖ୍ୟାର ୬୦% କୃଷି ଉପରେ ନିର୍ଭରଶୀଳ। ଅଥଚ ଜିଡିପିରେ କୃଷିର ଭାଗ ମାତ୍ର ୧୪ରୁ ୧୫%। ଏ ଅସନ୍ତୁଳନ ସ୍ବତଃ ଦୁର୍ଦଶାଗ୍ରସ୍ତ କୃଷିଜୀବୀଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ପ୍ରତି ଇଙ୍ଗିତ କରୁଛି। ‘ନାବାର୍ଡ’ ପକ୍ଷରୁ ହୋଇଥିବା ଏକ ସର୍ଭେରୁ ଦେଶର କୃଷକମାନଙ୍କ ଆୟ ସମ୍ପର୍କରେ ତାଜା ତଥ୍ୟ ମିଳିଛି। ଏହି ସର୍ଭେ ଅନୁଯାୟୀ ଗୋଟିଏ ଚାଷୀ ପରିବାରର ହାରାହାରି ମାସିକ ଆୟ ୮,୯୩୧ ଟଙ୍କା। ତେବେ ଚାଷୀ ପରିବାରର ଏହି ସମୁଦାୟ ଆୟ କେବଳ ଚାଷରୁ ନୁହେଁ। ଚାଷୀ ପରିବାରର ଆୟରେ ଚାଷର ଅବଦାନ ନଗଣ୍ୟ। ଚାଷ ଓ ପଶୁପାଳନରୁ ମାସିକ ହାରାହାରି ଆୟ ମାତ୍ର ୧,୮୩୨ ଟଙ୍କା। ଅର୍ଥାତ୍, ଦିନ ମଜୁରିଆ ଭାବେ କିମ୍ବା ଅନ୍ୟ ଅଣ-କୃଷି କାର୍ଯ୍ୟରୁ ଯଦି ରୋଜଗାର ନଥାନ୍ତା, ତେବେ ପରିବାର ପ୍ରତିପୋଷଣ ପାଇଁ କେବଳ ଚାଷ ଯଥେଷ୍ଟ ହୁଅନ୍ତା ନାହିଁ। ଚାଷରୁ ଦୁଇ ହଜାରରୁ ବି କମ୍ ଏବଂ ମଜୁରି ଓ ଅନ୍ୟ ଅଣ-କୃଷି କାର୍ଯ୍ୟରୁ ଛଅ ହଜାର ଟଙ୍କାରୁ ଅଧିକ ରୋଜଗାର ସ୍ବତଃ ସୂଚାଉଛି ଯେ, ଚାଷୀଙ୍କ ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଓ ଚାଷ ଆଉ ଏକ ସ୍ଥିର, ନିଶ୍ଚିତ ଆୟର ସୂତ୍ର ହୋଇ ରହିନାହିଁ। ଉତ୍କଟ ନିଅଣ୍ଟିଆ ଆର୍ଥିକ ସ୍ଥିତିର ପରିଣତି ଅର୍ଧେକ ଚାଷୀ ପରିବାର ଋଣ ଯନ୍ତାକୁ ଠେଲି ହୋଇ ଯାଉଛନ୍ତି। ‘ନାବାର୍ଡ’ ସର୍ଭେର ତଥ୍ୟ ଅନୁଯାୟୀ ଚାଷୀ ପରିବାର ପିଛା ହାରାହାରି ଋଣ ଭାର ୧,୦୪,୬୦୨ ଟଙ୍କା। ବାର୍ଷିକ ହାରାହାରି ଆୟ ଠାରୁ ପରିବାର ମୁଣ୍ଡ ଉପରେ ଋଣ ଅଧିକ। ଏହି ସ୍ଥିତିରେ ଚାଷୀଙ୍କ ଆୟ ଦୁଇଗୁଣ କରିବା ଲାଗି ସରକାରଙ୍କ ଘୋ‌ଷଣା ନିଶ୍ଚୟ ସ୍ବାଗତଯୋଗ୍ୟ। କିନ୍ତୁ ସେଥିପାଇଁ ଯୋଜନା କ’ଣ? ଆୟ ଦୁଇଗୁଣ ହେବା ଲାଗି କୃଷି କ୍ଷେତ୍ରରେ ଅଭିବୃଦ୍ଧି ହାର ପାଞ୍ଚବର୍ଷ ପର୍ଯ୍ୟନ୍ତ ବାର୍ଷିକ ୧୦ ରୁ ୧୨ ପ୍ରତିଶତ ‌ହେବା ଆବଶ୍ୟକ। ଅଥଚ ବାର୍ଷିକ କୃଷି ଅଭିବୃଦ୍ଧି ୪% ବି ଡେଇଁ ପାରୁନାହିଁ। କୃଷି ଅଭିବୃଦ୍ଧି କେମିତି ବଢ଼ିବ, ସେଥିପାଇଁ ନକ୍‌ସା କାହିଁ? ଶୂନ୍ୟରେ ଆୟ ବୃଦ୍ଧି ଘୋଷଣା ଏକ ଭେଳିକି। ସେଥିପାଇଁ ‌ଚାଷୀ ସରକାରୀ ଘୋଷଣା ଉପରେ ଭରସା ରଖି ପାରୁ ନାହାନ୍ତି। ଦାବି କରାଯାଉଛି, ଚାଷୀଙ୍କ ଆୟ ବୃଦ୍ଧି ଦିଗରେ ନିର୍ଣ୍ଣାୟକ ପଦକ୍ଷେପ ସ୍ବରୂପ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି କରାଯାଇଛି। ତଥାପି ଚାଷୀମାନେ ସନ୍ତୁଷ୍ଟ ନୁହନ୍ତି କାହିଁକି? କାରଣ, ଉତ୍ପାଦନ ଖର୍ଚ୍ଚ ଉପରେ ୫୦% ଅଧିକରେ ସହାୟକ ମୂଲ୍ୟ ଧାର୍ଯ୍ୟ ଲାଗି ସ୍ବାମୀନାଥନ୍ କମିସନଙ୍କ ସୂତ୍ରକୁ ସରକାର ଏଡ଼ାଇ ଯାଇଛନ୍ତି। ଏହା କେବଳ ଏମ୍ଏସ୍‌ପି ପ୍ରସଙ୍ଗରେ ନୁହେଁ, ଅନ୍ୟ ସବୁ କୃଷି ଯୋଜନା ନେଇ ସରକାରଙ୍କ ଆଭିମୁଖ୍ୟ, ନିଷ୍ଠା ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ଏ ପ୍ରସଙ୍ଗରେ ବହୁ ପ୍ରଚାରିତ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଷୟ ଆଲୋଚନା କରାଯାଇପାରେ। ପ୍ରାକୃତିକ ବିପର୍ଯ୍ୟୟ, ରୋଗ ପୋକ ଓ ଅନ୍ୟ କାରଣରୁ ଫସଲ ହାନି ଜନିତ କ୍ଷତିରୁ ଚାଷୀଙ୍କୁ ସୁରକ୍ଷା ପ୍ରଦାନ ଲାଗି ଏହି ବୀମା ଯୋଜନା ଉଦ୍ଦିଷ୍ଟ। କିନ୍ତୁ ୨୦୧୬-୧୭ରୁ ଚାଲୁ ହୋଇଥିବା ଏହି ଯୋଜନା ନେଇ ଗତ ଦୁଇବର୍ଷର ଅଭିଜ୍ଞତା ଆଦୌ ଉତ୍ସାହଜନକ ନୁହେଁ। ଚାଷୀଙ୍କ କ୍ଷତି ଭରଣା କରିବା ବଦଳରେ ବୀମା କମ୍ପାନିଙ୍କ ପାଇଁ ଏହା ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଯାଇଛି। ସୂଚନା ଅଧିକାର ଜରିଆରେ ମିଳିଥିବା ତଥ୍ୟ ଅନୁଯାୟୀ ଗତ ଦୁଇବର୍ଷ‌େର ଚ‌ାଷୀଙ୍କ ଠାରୁ ବୀମା ପ୍ରିମିୟମ୍‌ ବାବଦ ୪୭,୪୦୮ କୋଟି ଟଙ୍କା ଆଦାୟ କରାଯାଇଛି। ଅଥଚ କ୍ଷତିପୂରଣ ବାବଦ ଚାଷୀମାନେ ପାଇଛନ୍ତି ମାତ୍ର ୩୧,୬୧୩ କୋଟି ଟଙ୍କା। ଅନେକ ଚାଷୀଙ୍କୁ ଦାବି ମୁତାବକ ଫସଲ ହାନି ପାଇଁ କ୍ଷତିପୂରଣ ମିଳୁନାହିଁ। କ୍ଷତିପୂରଣ ମିଳିବାରେ ଅହେତୁକ ବିଳମ୍ବ ମଧ୍ୟ ଘଟୁଛି। ବର୍ତ୍ତମାନ ବି ଚାଷୀମାନେ ଦାବି କରିଥିବା ୨,୮୦୦ କୋଟି ଟଙ୍କାର କ୍ଷତିପୂରଣ ବୀମା କମ୍ପାନିମାନେ ପୈଠ କରିନାହାନ୍ତି। ନିୟମାନୁଯାୟୀ ଫସଲ ଅମଳର ଦୁଇ ମାସ ମଧ୍ୟରେ କ୍ଷତିପୂରଣ ବାବଦ ବୀମା ରାଶି ପୈଠ ହେବା କଥା। କିନ୍ତୁ ବୀମା ରାଶି ପାଇବାକୁ ସାତ ମାସରୁ ଅଧିକ ସମୟ ଲାଗି ଯାଉଛି। ୨୦୧୮-୧୯ର ଖରିଫ୍ ଋତୁ ସରିବାକୁ ଯାଉଛି, ଅଥଚ ୨୦୧୭-୧୮ ରବି ଋତୁ ପାଇଁ କ୍ଷତିପୂରଣ ଦାବି କରିଥିବା ୯୯% ଚାଷୀଙ୍କୁ ବୀମା ରାଶି ମିଳି ନାହିଁ। ଫଳରେ ଏହି ଯୋଜନାରେ ସାମିଲ ହେବା ଲାଗି ଚାଷୀଙ୍କ ମଧ୍ୟରେ ଅନାଗ୍ରହ ପ୍ରକାଶ ପାଇଛି। ଲକ୍ଷ୍ୟ ଥିଲା ୨୦୧୮-୧୯ ସୁଦ୍ଧା ୧୦ କୋଟି ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସାମିଲ ଚାଷୀଙ୍କ ସଂଖ୍ୟା ୫ କୋଟି ବି ଟପି ପାରିନାହିଁ। ପ୍ରଥମ ବର୍ଷ ୫ କୋଟି ୭୦ ଲକ୍ଷ ଚାଷୀ ବୀମାଭୁକ୍ତ ହୋଇଥିବା ବେଳେ ପରବର୍ତ୍ତୀ ବର୍ଷ ଏହି ସଂଖ୍ୟା ୪ କୋଟି ୮୦ ଲକ୍ଷକୁ କମି ଆସିଛି। ଏହା ବୀମା ଯୋଜନା ପ୍ରତି କୃଷକଙ୍କ ଭରସା ତୁଟୁଥିବାର ଅଶୁଭ ସଂକେତ। ସେହିପରି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା ୨୦୧୮-୧୯ ସୁଦ୍ଧା ୧୦୦ ନିୟୁତ ହେକ୍ଟର ଜମିର ଫସଲ ବୀମାଭୁକ୍ତ ହେବ। ଅଥଚ ଧାର୍ଯ୍ୟ ସମୟ ସୁଦ୍ଧା ଯୋଜନାଭୁକ୍ତ ଜମିର ପରିମାଣ ୪୬.୩୯ ନିୟୁତ ହେକ୍ଟରରେ ସୀମିତ ରହିଯାଇଛି।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାର ଏ ଚିତ୍ର ଗୋଟିଏ ବ୍ୟତିକ୍ରମ ନୁହେଁ। କୃଷି ଓ କୃଷକଙ୍କ ପାଇଁ ଉଦ୍ଦିଷ୍ଟ ପ୍ରତ୍ୟେକଟି ସରକାରୀ ଯୋଜନାର ଚିତ୍ର ମଧ୍ୟ ପ୍ରାୟତଃ ସମାନ। ଉଚ୍ଚ ଲକ୍ଷ୍ୟ ଧାର୍ଯ୍ୟ କରି ବାହାବାହା ସାଉଁଟିବା ଲାଗି ଯୋଜନାର ବ୍ୟାପକ ପ୍ରଚାର କରାଯାଉଛି। ଅଥଚ ଏହାର କାର୍ଯ୍ୟକାରିତା ପାଇଁ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି, ଅମଲାତାନ୍ତ୍ରିକ ନିଷ୍ଠାର ଘୋର ଅଭାବ ରହୁଛି। ଫଳରେ ନା ଲକ୍ଷ୍ୟ ହାସଲ ହେଉଛି ନା ଯୋଜନା ମାର୍ଫତରେ ଆଶା କରାଯାଉଥିବା ଈପ୍‌ସିତ ପରିବର୍ତ୍ତନ ସମ୍ଭବ ହେଉଛି। ଚାଷର ସମସ୍ୟା, ଚାଷୀଙ୍କ ଦୁର୍ଦଶା ଯେଉଠି କି ସେଇଠି ରହିଯାଉଛି। ଚାଷ ଓ ଚାଷୀଙ୍କ ଅବସ୍ଥାରେ ପରିବର୍ତ୍ତନ ଲାଗି ପ୍ରଥମେ ସରକାରୀ କଳର ଆଭିମୁଖ୍ୟରେ ପରିବର୍ତ୍ତନ ଏକାନ୍ତ ଆବଶ୍ୟକ।