ଫ୍ରାଙ୍କେନ୍‌ଷ୍ଟାଇନ୍?

0

୧୮୧୮ରେ ମେରୀ ସେଲିଙ୍କର ପ୍ରସିଦ୍ଧ ଉପନ୍ୟାସ ‘ଫ୍ରାଙ୍କେନ୍‌ଷ୍ଟାଇନ୍’ ପ୍ରଥମେ ପ୍ରକାଶିତ ହୋଇଥିଲା। ମେରୀ ଏହି ଭୟାନକ ବିଜ୍ଞାନଭିତ୍ତିକ କପୋଳକଳ୍ପିତ କାହାଣୀର ରଚନା ସମୟରେ ମାତ୍ର ୧୮ ବର୍ଷୀୟା ଜଣେ ଅପରିପକ୍ବ କିଶୋରୀ ହୋଇଥିବାରୁ ଏହି ପ୍ରଥମ ପ୍ରକାଶ ସମୟରେ ପୁସ୍ତକଟିର ରଚୟିତାଙ୍କ ନାମ ଗୋପନ ରଖା ଯାଇଥିଲା। ‘ଫ୍ରାଙ୍କେନ୍‌ଷ୍ଟାଇନ୍’ ପ୍ରଥମେ ପ୍ରକାଶ ପାଇବାର ପ୍ରାୟ ଠିକ୍ ଶହେ ବର୍ଷ ପରେ ଗତ ସପ୍ତାହରେ କିନ୍ତୁ ଚୀନ୍‌ର ବୈଜ୍ଞାନିକ ହେ ଜିଆନ୍‌କୁଇ ଏକ ମାନବ ଭ୍ରୂଣର ଜିନ୍‌ରେ କୃତ୍ରିମ ଉପାୟରେ ପରିବର୍ତ୍ତନ ଘଟାଇବା (ଜିନ୍ ଏଡିଟିଂ)ରେ ସଫଳ ହୋଇଛନ୍ତି ବୋଲି ଯେଉଁ ଦାବି କରିଛନ୍ତି, ତାହା ଶେଷରେ ମେରୀଙ୍କର ଭୟାନକ କଳ୍ପନାକୁ ବାସ୍ତବତାରେ ପରିଣତ କରିବା ଦିଗରେ ଏକ ନିଶ୍ଚିତ ପଦକ୍ଷେପ ରୂପେ ଯଦି କାହାକୁ ମନେହୁଏ, କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

ମେରୀ ସେଲିଙ୍କ କାହାଣୀରେ ଇଟାଲୀୟ ବୈଜ୍ଞାନିକ ଭିକ୍ଟର୍ ଫ୍ରାଙ୍କେନ୍‌ଷ୍ଟାଇନ୍ ରସାୟନ ଶାସ୍ତ୍ରରେ ନିଜର ବିଶେଷ ଜ୍ଞାନକୁ ପ୍ରୟୋଗ କରି ଏକ ୮ ଫୁଟ୍ ଉଚ୍ଚତା ବିଶିଷ୍ଟ ବିଶାଳ କୃତ୍ରିମ ମାନବ ସୃଷ୍ଟି କରିଛନ୍ତି, ଯାହା ଶେଷରେ ଖୋଦ୍ ଫ୍ରାଙ୍କେନ୍‌ଷ୍ଟାଇନ୍ ଓ ତାଙ୍କର ପ୍ରିୟଜନମାନଙ୍କ ପାଇଁ ଘୋର ଦୁର୍ଦଶା ଓ ମୃତ୍ୟୁର କାରଣ ହୁଏ। ପରବର୍ତ୍ତୀ ସମୟରେ ବିଶ୍ବ ଜନମାନସରେ ବୈଜ୍ଞାନିକ ଫ୍ରାଙ୍କେନ୍‌ଷ୍ଟାଇନ୍ ସୃଷ୍ଟି କରିଥିବା ସେଇ ନର ରାକ୍ଷସର ନାମ ‘ଫ୍ରାଙ୍କେନ୍‌ଷ୍ଟାଇନ୍’ ହୋଇ ଯାଇଛି। ଅବଶ୍ୟ ଗତ ସପ୍ତାହରେ ହଂକଂଠାରେ ଅନୁଷ୍ଠିତ ଏକ ଜିନ୍-ଏଡିଟିଂ ସମ୍ମିଳନୀରେ ବୈଜ୍ଞାନିକ ହେ ଜିଆନ୍‌କୁଇ ଏକ ଫ୍ରାଙ୍କେନ୍‌ଷ୍ଟାଇନ୍ ରାକ୍ଷସ ସୃଷ୍ଟି କରିବାର କୌଶଳ ଆବିଷ୍କାର କରିଛନ୍ତି ବୋଲି ଦାବି କରିନାହାନ୍ତି; କିନ୍ତୁ ମାନବ ଭ୍ରୂଣର ଜିନ୍‌ରେ ପରିବର୍ତ୍ତନ ଘଟାଇ ଯଦି ଏକ ସୁସ୍ଥ ମନୁଷ୍ୟ ସର୍ଜନା କରାଯାଇପାରେ, ସେଥିରେ ଅନ୍ୟ ପ୍ରକାର ପରିବର୍ତ୍ତନ ଘଟାଇ ଏକ ନରରାକ୍ଷସ କାହିଁକି ସୃଷ୍ଟି କରାଯାଇ ନପାରିବ? ଏଠାରେ ଉଲ୍ଲେଖଯୋଗ୍ୟ ଯେ ସହଜରେ ଜିନ୍ ଏଡିଟିଂ କରିବାର ଏକ କୌଶଳର ଆବିର୍ଭାବ ଘଟିଲାଣି ୨୦୧୨ଠାରୁ, ଯାହାର ସଂକ୍ଷିପ୍ତ ନାମ ହେଉଛି ‘କ୍ରିସ୍‌ପ୍‌ର-କ୍ୟାସ୍‌୯’। ଏହାକୁ ବ୍ୟବହାର କରାଯାଇ ସହଜରେ ‘ଡିଏନ୍‌ଏ’ରେ ପରିବର୍ତ୍ତନ ଘଟାଯାଇ ପାରିବାର ସମ୍ଭାବନା ସୃଷ୍ଟି ହୋଇଥିଲେ ‌େହଁ ହେ ଜିଆନ୍‌କୁଇ ହେଉଛନ୍ତି ପ୍ରଥମ ବୈଜ୍ଞାନିକ ଯିଏ ଏହି କୌଶଳ ପ୍ରୟୋଗ କରି ସତସତିକା ଜିନ୍-ପରିବର୍ତ୍ତିତ ମନୁଷ୍ୟ ସୃଷ୍ଟି କରିଛନ୍ତି ବୋଲି ଦାବି କରିଛନ୍ତି।

ଦୁଇ ଯାଆଁଳା ଭଉଣୀ ଭ୍ରୂଣ ଅବସ୍ଥାରେ ଥିବା ସମୟରେ ସେ ବ୍ୟବହାର କରିଥିବା ଟେଷ୍ଟଟ୍ୟୁବ୍ ବା ‘ଇନ୍ ଭିଟ୍ରୋ’ ଭ୍ରୂଣ ସଞ୍ଚାର ପଦ୍ଧତିର ଅଂଶ ସ୍ବରୂପ ବୈଜ୍ଞାନିକ ହେ ସେ ଯାଆଁଳା ଭଉଣୀଙ୍କର ଜିନୋମ୍‌ରେ ପରିବର୍ତ୍ତନ ଘଟାଇଥିଲେ ବୋଲି ପ୍ରକାଶ କରିଛନ୍ତି। ହେ କହିବା ଅନୁଯାୟୀ ସେ ଜିନ୍-ଏଡିଟିଂ କରି ମନୁଷ୍ୟଠାରେ ‘ଏଚ୍ଆଇଭି’ ସଂକ୍ରମଣ ସମ୍ଭବ କରାଉଥିବା ନିର୍ଦ୍ଦିଷ୍ଟ ଜିନ୍ ‘ସିସିଆର୍-୫’କୁ ଅକାମି କରି ଦେଇଛନ୍ତି। ଏହା ଫଳରେ ଜନ୍ମ ହୋଇଥିବା ଦୁଇ ଯାଆଁଳା ଭଉଣୀଙ୍କ ମଧ୍ୟରୁ ଜଣେ ଏଚ୍ଆଇଭି ସଂକ୍ରମଣ ପ୍ରତିରୋଧିନୀ ଶକ୍ତି ଧରି ଜନ୍ମ ହୋଇଥିବା ବେଳେ ଅନ୍ୟ ଭଉଣୀଠାରେ ଏହି କ୍ଷମତା ନାହିଁ। ଅବଶ୍ୟ ହେ ଜିଆନ୍‌କୁଇଙ୍କର ବିଶ୍ବବିଦ୍ୟାଳୟ- ସେନ୍‌ଝେନ୍‌ର ‘ସଦର୍ଣ୍ଣ ୟୁନିଭର୍ସିଟି ଅଫ୍ ସାଇନ୍‌ସ ଆଣ୍ଡ୍ ଟେକ୍ନୋଲୋଜି’- କିମ୍ବା ଚୀନ୍‌ର ସରକାର ହେଙ୍କ ଦାବିକୁ ଏ ପର୍ଯ୍ୟନ୍ତ ସ୍ବୀକୃତି କିମ୍ବା ସମର୍ଥନ ପ୍ରଦାନ କରିନାହାନ୍ତି; ତେଣୁ ହୁଏତ ଏ କ୍ଷେତ୍ରରେ ବେଳେ ବେଳେ ଦେଖା ଦେଉଥିବା ଅନେକ ଦାବି ଭଳି ବର୍ତ୍ତମାନ ହେ ଜିଆନ୍‌କୁଇ କରିଥିବା ଦାବି ମଧ୍ୟ ଶେଷରେ ମିଥ୍ୟା ସାବ୍ୟସ୍ତ ହୋଇପାରେ। କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଯଦି ତାହା ବି ହୁଏ, ଅନତିବିଳମ୍ବେ କେଉଁଠି ନା କେଉଁଠି, କେହି ନା କେହି ମାନବ ଭ୍ରୂଣର ଏଡିଟିଂ କରି‌େବ, ଯାହା ମାନବ ଶିଶୁ ହୋଇ ଜନ୍ମଲାଭ କରିବ। ତେଣୁ ବର୍ତ୍ତମାନ ଯାହା ଉଚିତ, ତାହା ହେଲା ହେଙ୍କ ଦାବିକୁ ସତ୍ୟ ବୋଲି ଗ୍ରହଣ କରିନେବା। ତା’ପରେ ପ୍ରଶ୍ନ ଉଠିବ, ଏଥିପ୍ରତି ଉପଯୁକ୍ତ ଆଭିମୁଖ୍ୟ କିଭଳି ‌େହବା ଉଚିତ?

ଭବିଷ୍ୟତରେ ନିଶ୍ଚୟ ଏକ ଦିନ ଆସିବ ଯେ‌େତବେଳେ କୌଣସି ରୋଗ ପ୍ରତିହତ କରିବା ପାଇଁ ମାନବ ଭ୍ରୂଣର ଏଡ଼ିଟିଂ କରିବା ଏକ ଅନୁମୋଦିତ ଚିକିତ୍ସା ପଦ୍ଧତିରେ ପରିଣତ ହେବ। କିନ୍ତୁ ସେ ଦିନ ଯେ ଆଜିର ଦିନ ନୁହେଁ, ଏଥିରେ କୌଣସି ସନ୍ଦେହ ନାହିଁ। ସମ୍ପୃକ୍ତ ଜ୍ଞାନକୌଶଳ ଏପର୍ଯ୍ୟନ୍ତ ଅନ୍ଧାରରେ ବାଡ଼ି ବୁଲାଇବା ଅବସ୍ଥାରେ ଅଛି। ଏହି ଅବସ୍ଥାରେ ତାହାକୁ ମନୁଷ୍ୟ ଠାରେ ପ୍ରୟୋଗ କରିଲେ ବାଡ଼ିଟି ‌େକଉଁଠି ବାଜିବ ତାହା ନିର୍ଦ୍ଦିଷ୍ଟ ଭାବରେ କାହାକୁ ଜଣା ନାହିଁ। ଏମିତି ହୋଇପାରେ ଯାହାଠାରେ ଏହାର ପ୍ରୟୋ‌ଗ କରାହେବ, ତା’ର ଏଥିଯୋଗୁଁ ଲାଭ ଅପେକ୍ଷା କ୍ଷତି ଅଧିକ ହୋଇପାରେ। ଉଦାହରଣ ସ୍ବରୂପ ହେ ଯଦି ସମ୍ପୃକ୍ତ ଶିଶୁଟି ଭ୍ରୂଣ ଅବସ୍ଥାରେ ଥିବ‌ା ବେଳେ ତାକୁ ଭବିଷ୍ୟତରେ ଏଚ୍‌ଆଇଭି ସଂକ୍ରମଣରୁ ସୁରକ୍ଷିତ ରଖିବା ପାଇଁ ତାର ‘ସିସିଆର୍‌୫’ ଜିନ୍‌କୁ ଅକାମି କରି ଦେଇଥାନ୍ତି, ‌ତେବେ ଏଥିଯୋଗୁଁ ‌ଯେ ଶିଶୁଟିଠାରେ ଅନ୍ୟ କୌଣସି ରୋଗର ସଂକ୍ରମଣ ଘଟିବା ସମ୍ଭାବନାରେ ବୃଦ୍ଧି ନ ଘଟିବ, କିଏ କହିବ? ହୁଏତ ଇନ୍‌ଫ୍ଲୁଏନ୍‌ଜା ସ˚କ୍ରମଣରେ ତା’ର ମୃତ୍ୟୁର ସମ୍ଭାବନା ବୃଦ୍ଧି ପାଇପାରେ।

ଏଠାରେ ଯାହା ବିଶେଷ ତାତ୍ପର୍ଯ୍ୟପୂର୍ଣ୍ଣ ତାହା ହେଲା ହେଙ୍କ କାର୍ଯ୍ୟର ତଦାରଖ କେହି କରିନଥିଲେ ଏବ˚ ଭ୍ରୂଣଟିର ଜିନ୍‌- ଏଡିଟିଂ କରିବା ନିଷ୍ପତ୍ତି ବୋଧହୁଏ ଥିଲା କେବଳ ହେଙ୍କର। ଏ ପରିକି ସେ ଯାଆଁଳା ଶିଶୁଙ୍କର ପିତାମାତାଙ୍କୁ ହେ ଏ ସମ୍ବନ୍ଧରେ ପୂର୍ବରୁ ଅବଗତ କରାଇଥିଲେ କି ନାହିଁ, ତାହା ମଧୢ ସନ୍ଦେହଜନକ, ସେମାନଙ୍କର ସମ୍ମତି ଦୂରେ ଥାଉ। ଏଠାରେ ଯାହା ଚିନ୍ତାଜନକ ତାହା ହେଲା ‘କ୍ରିସ୍‌ପ୍‌ର’ ହେଉଛି ଏକ ଅପେକ୍ଷାକୃତ ସରଳ ଓ ସହଜ ପ୍ରବିଧି। ହେଙ୍କ କାର୍ଯ୍ୟକୁ ଚୀନ୍‌ରେ ବ୍ୟାପକ ନିନ୍ଦା କରାଯାଇଥିଲେ ମଧୢ, କିଏ ଜାଣେ କେଉଁଠି କେଉଁ ଫର୍ଟିଲିଟି କ୍ଲିନିକ୍‌ର କେଉଁ ନିଭୃତ କୋଠରିରେ ହେ ଜିଆନ୍‌କୁଇଙ୍କ ପରି କୌଣସି ବୈଜ୍ଞାନିକ ମାନବ ଭ୍ରୂଣର ଜିନ୍‌ ସହିତ ଏପରି ଖେଳ ଖେଳିବାରେ ଲାଗି ନାହାନ୍ତି? ଚୀନ୍‌ରୁ ଆମେରିକା ପର୍ଯ୍ୟନ୍ତ ସବୁଠାରେ ଏହା ସମ୍ଭବ। ଏ ସମସ୍ତ ସ୍ଥାନରେ ଯେ ସରକାରଙ୍କର ତୀକ୍ଷ୍‌ଣ ନିରୀକ୍ଷଣ ଜରୁରୀ ତାହା ବର୍ତ୍ତମାନ ସ୍ପଷ୍ଟ।
ତେବେ ଏହା ମଧୢ ସ୍ବୀକାର କରିବାକୁ ହେବ ଯେ ଆଜି ନହେଲେ କାଲି ଚିକିତ୍ସା କ୍ଷେତ୍ରରେ ଜିନ୍‌-ଏଡିଟିଂର ପ୍ରବେଶ ଆସନ୍ନ। ତେଣୁ କେଉଁଠି ଏହା ଅନୁମୋଦିତ ହେବ ଏବ˚ କେଉଁଠି ଏହା ନିଷିଦ୍ଧ ହେବ ତାହା ବିଧିବଦ୍ଧ ଭାବରେ ନିଶ୍ଚିତ କରାଯିବାର ସମୟ ଉପସ୍ଥିତ। କେବଳ ରୋଗ ପ୍ରତିରୋଧ ପାଇଁ ନୁହେଁ ସମୟକ୍ରମେ ମନମୁତାବକ ସନ୍ତାନ ଉତ୍ପାଦନ ପାଇଁ ମଧୢ ଜିନ୍‌-ଏଡିଟିଂକୁ ବ୍ୟବହାର କରାଯିବ। ଏହା ମାଧୢମରେ ଦାର୍ଶନିକ ନିତ୍‌ସେଙ୍କର ‘ଅତି-ମାନବ’ (ସୁପର‌୍‌ ମ୍ୟାନ୍‌) ସୃଷ୍ଟି ହୋଇପାରନ୍ତି କିମ୍ବା ମେରୀ ସେଲିଙ୍କର ‘ଫ୍ରାଙ୍କେନ୍‌ଷ୍ଟାଇନ୍‌’ ସୃଷ୍ଟି ହୋଇ ପାରନ୍ତି। ବୈଜ୍ଞାନିକ, ନୀତି ନିର୍ଦ୍ଧାରକ, ନିୟନ୍ତ୍ରକ ଓ ନାଗରିକ ସମାଜ ଏ ସମ୍ବନ୍ଧରେ ଗଭୀର ଓ ବ୍ୟାପକ ଚିନ୍ତନ କରି ଏହାର ମୁକାବିଲା କରିବା ପାଇଁ ବେଳହୁଁ ପ୍ରସ୍ତୁତ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.