ଓଡ଼ିଶାର ନ୍ୟାଯ୍ୟ ପ୍ରାପ୍ୟ ଦିଅ

1

ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟମାନଙ୍କୁ ପୁନଃ ନିର୍ମାଣ ଏବ˚ ଥଇଥାନ ସକାଶେ ଜାତୀୟ ବିପର୍ଯ୍ୟୟ ମୁକାବିଲା ପାଣ୍ଠି (ଏନ୍‌ଡିଆରଏଫ୍‌)ରୁ ଅତିରିକ୍ତ ସହାୟତା ପ୍ରଦାନ ପ୍ରସଙ୍ଗରେ ତିତ୍‌ଲି ବାତ୍ୟା ପୀଡ଼ିତ ଓଡ଼ିଶା ପାତର ଅନ୍ତରର ଶିକାର ହୋଇଛି। ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସି˚ହଙ୍କ ଅଧୢକ୍ଷତାରେ ଏ ପ୍ରସଙ୍ଗରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି (ଏଚ୍‌ଏଲ୍‌ସି) ବୈଠକରେ ତିନିଟି ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟଙ୍କ ପାଇଁ ଅତିରିକ୍ତ ସହାୟତା ଘୋଷଣା କରାଯାଇଥିବା ବେଳେ ଓଡ଼ିଶାର ଦାବି ପ୍ରତି ଅଣଦେଖା କରାଯାଇଛି। ଏନ୍‌ଡିଆରଏଫରୁ ମଞ୍ଜୁର ହୋଇଥିବା ପ୍ରାୟ ୩,୭୦୦ କୋଟି ଟଙ୍କାରୁ ବନ୍ୟା କ୍ଷତିଗ୍ରସ୍ତ କେରଳକୁ ସର୍ବାଧିକ ୩,୦୪୮ କୋଟି ଟଙ୍କା ମିଳିଛି। ଅନ୍ୟତମ ତିତ୍‌ଲି ପ୍ରଭାବିତ ଆନ୍ଧ୍ରପ୍ରଦେଶ ଏବ˚ ଭୂସ୍ଖଳନ ପୀଡ଼ିତ ନାଗାଲାଣ୍ତକୁ ଯଥାକ୍ରମେ ୫୩୯.୫୨ ଏବ˚ ୧୩୧.୧୬ କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଛି।

ବିପର୍ଯ୍ୟୟ ପୀଡ଼ିତ ତିନିଟି ରାଜ୍ୟ ପାଇଁ ଅତିରିକ୍ତ ସହାୟତା ମଞ୍ଜୁର ପାଇଁ ଉଚ୍ଚସ୍ତରୀୟ କମିଟି ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟତମ ବିପର୍ଯ୍ୟୟ ପ୍ରଭାବିତ ରାଜ୍ୟ ଓଡ଼ିଶା ପାଇଁ ଅତିରିକ୍ତ ସହାୟତା ଘୋଷଣା ତ ଦୂରେ ଥାଉ, ଆଲୋଚନା ସୂଚୀରେ ଓଡ଼ିଶା ସ୍ଥାନ ସୁଦ୍ଧା ପାଇନଥିଲା। ଅକ୍ଟୋବର ମାସର ତିତ୍‌ଲି ଦ୍ବାରା ପୀଡ଼ିତ ଆନ୍ଧ୍ରକୁ ଅତିରିକ୍ତ ସହାୟତା ଦିଆଯାଇଛି। ଅଥଚ ସେହି ‘ତିତ୍‌ଲି’ ଦ୍ବାରା ୧୭ଟି ଜିଲ୍ଲାର ୬୦ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଥିବା ଓଡ଼ିଶା ବିଷୟ ଆଲୋଚନାକୁ ସୁଦ୍ଧା ଆସୁନାହିଁ। ଏହା କେବଳ ବିସ୍ମୟକର ନୁହେଁ, ଏଥିରୁ ବିପର୍ଯ୍ୟୟ ପ୍ରବଣ ଓଡ଼ିଶା ପ୍ରତି ପାତରଅନ୍ତର ତଥା ବୈମାତୃକ ମନୋଭାବର ଦୁର୍ଗନ୍ଧ ମଧୢ ବାହାରୁଛି। ଦୁର୍ବିପାକ କ୍ଷତିଗ୍ରସ୍ତ ଓଡ଼ିଶା ପ୍ରତି ଏ ଉପେକ୍ଷା ସ˚ଘୀୟ ଭାବନାର ଅନୁକୂଳ ନୁହେଁ। ପ୍ରାକୃତିକ ଦୁର୍ବିପାକ କ୍ଷତିଗ୍ରସ୍ତ କୌଣସି ରାଜ୍ୟକୁ ଏନ୍‌ଡିଆରଏଫ୍‌ରୁ ସହାୟତା ପ୍ରଦାନ ଦିଲ୍ଲୀ ସରକାରଙ୍କ ଦୟା ନୁହେଁ, ବର˚ ଏହା ସ˚ପୃକ୍ତ ରାଜ୍ୟର ନ୍ୟାଯ୍ୟ ହକ୍‌। ଅନ୍ୟ ବିକାଶ ଓ କଲ୍ୟାଣ ପ୍ରସଙ୍ଗରେ ଅବହେଳା, ଉପେକ୍ଷା ଅପେକ୍ଷା ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଭଳି ମାନବୀୟ ପ୍ରସଙ୍ଗରେ ପାତରଅନ୍ତର ନିଶ୍ଚିତ ଭାବେ ଏକ ଗମ୍ଭୀର ସମସ୍ୟା।

ଏମିତି ନୁହେଁ ଯେ, ଏନ୍‌ଡିଆରଏଫରୁ ପୁନଃ ନିର୍ମାଣ ଓ ଥଇଥାନ ସକାଶେ ସହାୟତା ପାଇଁ ଓଡ଼ିଶା ନିଜର ଆବଶ୍ୟକତା ଅନୁଯାୟୀ ଠିକଣା ଭାବେ ଦାବି ଉପସ୍ଥାପନ କରିନାହିଁ। କ୍ଷୟକ୍ଷତିର ଆକଳନ କରି ବିଭିନ୍ନ କ୍ଷେତ୍ରରେ ପୁନଃ ନିର୍ମାଣ ଓ ଥଇଥାନ ଲାଗି ପାଣ୍ଠି ଆବଶ୍ୟକତାର ଆକଳନ ସହ ୨,୭୭୯ କୋଟି ଟଙ୍କା ବିପକ୍ଷରେ ୨୦୦୦ କୋଟି ଟଙ୍କା ସହାୟତା ଲାଗି ଦାବି ଉପସ୍ଥାପନ କରିଛି। ନିୟମାନୁଯାୟୀ କେନ୍ଦ୍ର ସରକାରଙ୍କ ସାତଜଣିଆ ଆନ୍ତଃ-ମନ୍ତ୍ରଣାଳୟ ଦଳ ପ୍ରଭାବିତ ଅଞ୍ଚଳରେ ସରଜମିନ ଅନୁଧୢାନ କରି ଫେରି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଏସ୍‌ଡିଆର‌୍‌ଏଫ୍‌ରୁ (ଏନ୍‌ଡିଆର‌୍‌ଏଫ୍‌ରୁ ନୁହେଁ) ୩୮୯.୨୫ କୋଟି ଟଙ୍କାର ମଧୢବର୍ତ୍ତୀକାଳୀନ ସହାୟତା ବ୍ୟତୀତ ଆଉ କିଛି ମିଳିନାହିଁ। ଏପଟେ ରାଜ୍ୟ ସରକାର ନଭେମ୍ବର ପହିଲା ସୁଦ୍ଧା ତିତ୍‌ଲି ପ୍ରଭାବିତ ଅଞ୍ଚଳର ବିପନ୍ନଙ୍କୁ ସହାୟତା ଏବ˚ ପୁନଃନିର୍ମାଣ ବାବଦ ୧୫୫୧ କୋଟି ଟଙ୍କା ଖର୍ଚ୍ଚ କରି ସାରିଲେଣି। ଥଇଥାନ ଓ ପୁନଃନିର୍ମାଣ କାର୍ଯ୍ୟକୁ ତ୍ବରାନ୍ବିତ କରିବା ଲାଗି ଅତିରିକ୍ତ ପାଣ୍ଠିର ଜରୁରୀ ଆବଶ୍ୟକତା ରହିଛି। ଅଥଚ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ଦାବିକୁ ଏଡ଼ାଇ ଦିଆଗଲା। ଏହା ଦୁର୍ଦିନରେ ତିତ୍‌ଲି ପୀଡ଼ିତଙ୍କ ପ୍ରତି ଉପହାସ। କେରଳର ୫୦୦୦ କୋଟିର ସହାୟତା ଦାବି ବିପକ୍ଷରେ ୩୦୦୦ କୋଟି ଓ ଆନ୍ଧ୍ରକୁ ୨,୮୦୦ କୋଟି ଟଙ୍କାର ଦାବି ବିପକ୍ଷରେ ୫୩୯ କୋଟି ଟଙ୍କା ମଞ୍ଜୁର ହୋଇଛି। ଅଥଚ ଓଡ଼ିଶା ବେଳକୁ ସ୍ବରାଷ୍ଟ୍ରମନ୍ତ୍ରୀ ରାଜନାଥ ସି˚ହଙ୍କ ସହ ଅନ୍ୟ ଦୁଇଜଣ କେନ୍ଦ୍ରମନ୍ତ୍ରୀ-ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଓ କୃଷିମନ୍ତ୍ରୀ ରାଧାମୋହନ ସି˚ହ- ସଦସ୍ୟ ଥିବା ଉଚ୍ଚସ୍ତରୀୟ କମିଟି ବୃଦ୍ଧାଙ୍ଗୁଠି ହଲାଇ ଉପେକ୍ଷାର ସ˚କେତ ଦେଇଛନ୍ତି।

ଦେଶର ସର୍ବାଧିକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ପାଞ୍ଚଟି ରାଜ୍ୟ ମଧୢରେ ଓଡ଼ିଶା ଅନ୍ୟତମ। କେଉଁ ବର୍ଷ ବନ୍ୟା ତ ଆଉ କେଉଁ ବର୍ଷ ମରୁଡ଼ି କିମ୍ବା ପ୍ରଳୟଙ୍କରୀ ବାତ୍ୟା। ପୁଣି ବର୍ଷେ ବର୍ଷେ ବନ୍ୟା, ବାତ୍ୟା ସହ ମରୁଡ଼ି ଏକା ସଙ୍ଗେ ଦାଉ ସାଧୁଛନ୍ତି। ଦଇବର ଏ ଦାରୁଣ ମାଡ଼ ଓଡ଼ିଶା ପ୍ରଗତିର ମୁଖ୍ୟ ଖଳନାୟକ। ପୂର୍ବ ଉପକୂଳ ଦେଇ ଓଡ଼ିଶାର ଭାଗ ମାତ୍ର ୧୭ ପ୍ରତିଶତ। ଅଥଚ, ପୂର୍ବ ଉପକୂଳ ଦେଇ ଯେତିକି ସାମୁଦ୍ରିକ ଝଡ଼ ଅତିକ୍ରମ କରୁଛି, ସେଥିରୁ ୩୫ ପ୍ରତିଶତ ବାତ୍ୟା ଦ୍ବାରା ଓଡ଼ିଶା ପ୍ରଭାବିତ ହେଉଛି। ଏକ ଆକଳନ ଅନୁଯାୟୀ ୧୮୯୧ରୁ ୨୦୦୦ ମଧୢରେ ଓଡ଼ିଶା ୯୮ଟି ସାମୁଦ୍ରିକ ଝଡ଼ ଦ୍ବାରା ପ୍ରଭାବିତ ହୋଇଛି। ୧୯୯୯ ମହାବାତ୍ୟା ପରେ ଓଡ଼ିଶା ଆହୁରି ତିନିଟି ବଡ଼ଧରଣର ବାତ୍ୟା- ଫାଇଲିନ୍‌ (୨୦୧୩), ହୁଡ୍‌ହୁଡ୍‌ (୨୦୧୪) ଓ ଚଳିତ ୨୦୧୮ର ତିତ୍‌ଲି ଦ୍ବାରା ପୀଡ଼ିତ। କୌଣସି ବର୍ଷ ବନ୍ୟା କିମ୍ବା ମରୁଡ଼ିରେ ଓଡ଼ିଶା କ୍ଷତିଗ୍ରସ୍ତ ନ ହେବା ଏକ ବ୍ୟତିକ୍ରମ। କିନ୍ତୁ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ଭଳି ଗୋଟିଏ ଦୁର୍ବିପାକ ପ୍ରବଣ ରାଜ୍ୟ ପ୍ରତି କେନ୍ଦ୍ରର ଯେଉଁଭଳି ସମ୍ବେଦନଶୀଳ ସମାନୁଭୂତିପୂର୍ଣ୍ଣ ଆଭିମୁଖ୍ୟ ଆଶା କରାଯାଏ, ଅନେକ ସମୟରେ ସେଥିରେ ଅଭାବ ଦେଖାଯାଉଛି। ଏହାର ତାଜା ପ୍ରମାଣ ଏନ୍‌ଡିଆର‌୍‌ଏଫ୍‌ରୁ ତିତ୍‌ଲି ପ୍ରଭାବିତ ଓଡ଼ିଶାକୁ ସହାୟତା ପ୍ରଦାନରେ ପାତରଅନ୍ତର। ଏହି ଦୁଃଖଦ ଧାରାର ଆଉ ଏକ ସୂଚନା ହେଲା ୨୦୧୪ ଏପ୍ରିଲ୍‌ରୁ ଡିସେମ୍ବର, ୨୦୧୭ ସୁଦ୍ଧା ଏନ୍‌ଡିଆର‌୍‌ଏଫରୁ ଅନ୍ୟ ରାଜ୍ୟଙ୍କ ତୁଳନାରେ ଓଡ଼ିଶାକୁ ମିଳିଥିବା ସ୍ବଳ୍ପ ସହାୟତା ରାଶି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟସଭାରେ ଉପସ୍ଥାପିତ ଏକ ବିବରଣୀ ଅନୁଯାୟୀ ଉକ୍ତ ୩ ବର୍ଷ ୧୦ ମାସରେ ଓଡ଼ିଶା ଏନ୍‌ଡିଆର‌୍‌ଏଫରୁ ମୋଟ ୯୯୯.୭୫ କୋଟି ଟଙ୍କାର ସହାୟତା ପାଇଥିଲା। ଅଥଚ, ସେହି ସମୟରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଯଥାକ୍ରମେ ୧୬୩୭.୪୬ ଏବ˚ ୩୧୩୩. ୩୧ କୋଟି ଟଙ୍କା ପାଇଛନ୍ତି। କର୍ଣ୍ଣାଟକ ଓ ମହାରାଷ୍ଟ୍ର ଏନ୍‌ଡିଆର‌୍‌ଏଫ୍‌ରୁ ଯଥାକ୍ରମେ ୫,୨୪୪ ଓ ୫୧୨୨ କୋଟି ଟଙ୍କା ସହାୟତା ପାଇଛନ୍ତିି। ଏପରିକି, ଅପେକ୍ଷାକୃତ କମ୍‌ ବିପର୍ଯ୍ୟୟ ପ୍ରବଣ ମଧୢପ୍ରଦେଶ, ରାଜସ୍ଥାନ ଭଳି ରାଜ୍ୟମାନେ ଓଡ଼ିଶା ତୁଳନାରେ ଢେର ଅଧିକ ସହାୟତା ପାଇଛନ୍ତି। ସ୍ବତଃ ପ୍ରଶ୍ନ ଉଠୁଛି, ପ୍ରାକୃତିକ ଦୁର୍ବିପାକ ପ୍ରବଣ ଓଡ଼ିଶାରେ ବିପର୍ଯ୍ୟୟ ମୁକାବିଲା କ୍ଷେତ୍ରରେ କ’ଣ କେନ୍ଦ୍ରର ସମାନୁପାତିକ ଉତ୍ତର ଦାୟିତ୍ବ ନାହିଁ? ଅନ୍ତତଃ ଏନ୍‌ଡିଆର‌୍‌ଏଫରୁ ସହାୟତା ରାଶି ଆବଣ୍ଟନରୁ କେନ୍ଦ୍ର ନିଜ ଭାଗର ଦାୟିତ୍ବକୁ ଗୁରୁତ୍ବର ସହ ନେଉଥିବା ଭଳି ମନେ ହେଉନାହିଁ। ତିତ୍‌ଲି ମୁକାବିଲା ପାଇଁ ସହାୟତା ପ୍ରଦାନରେ ମଧୢ ଏହାର ଦୁଃଖଦ ପୁନରାବୃତ୍ତି ଘଟିଛି।

ଆଶା, ଏନ୍‌ଡିଆର‌୍‌ଏଫ୍‌ ସହାୟତା ଆବଣ୍ଟନରେ ଓଡ଼ିଶା ପ୍ରତି ଅଣଦେଖାକୁ କେନ୍ଦ୍ର କରି ଅଯଥା ରାଜନୈତିକ ବାଦବିବାଦର ଆଉ ଏକ ପର୍ଯ୍ୟାୟ ଦେଖିବାକୁ ମିଳିବ ନାହିଁ। କେତେକ ପ୍ରସଙ୍ଗ ଅଛି, ଯାହା ରାଜନୈତିକ ବାଦବିବାଦରୁ ଊର୍ଦ୍ଧ୍ବରେ। ପୁଣି ବିପର୍ଯ୍ୟୟ ପରିଚାଳନା, ପୀଡ଼ିତଙ୍କ ସହାୟତା, ପ୍ରଭାବିତ ଅଞ୍ଚଳର ପୁନଃନିର୍ମାଣ ଏକ ମାନବୀୟ ପ୍ରସଙ୍ଗ; ଯାହା ଆଦୌ ରାଜନୈତିକ ବିବାଦର ପ୍ରସଙ୍ଗ ନୁହେଁ। ତେଣୁ ରାଜନୈତିକ ଦଳମାନେ ଉଚ୍ଚସ୍ତରୀୟ କମିଟିର ଓଡ଼ିଶା ପ୍ରତି ଅଣଦେଖାକୁ କେନ୍ଦ୍ର କରି ଅଯଥା ବାଦବିବାଦରେ ନ ମାତି କେନ୍ଦ୍ରଠାରୁ ଓଡ଼ିଶାର ନ୍ୟାଯ୍ୟ ହକ୍‌ ହାସଲ ଲାଗି ମିଳିତ ପ୍ରୟାସ କରିବେ। ଏଥିରେ କୌଣସି ପ୍ରକାର ଟାଳଟୁଳ ନା ରାଜ୍ୟ ନା ତିତ୍‌ଲି ପ୍ରଭାବିତଙ୍କ ସ୍ବାର୍ଥର ଅନୁକୂଳ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.

1 Comment
  1. Bichitramohan Dash says

    Respected Sir,

    We all knows very well that you are a BJD supporter and BJP against writer so there is no value of you post