ଛୋଟିଆ ଇଚ୍ଛା

0

ଗତ ବୁଧବାର ଦିନ ରାଜକୁମାରୀ ଶେଖା ଲତିଫା ଦୁବାଇରେ ନିରାପଦ ଅଛନ୍ତି ଓ ତାଙ୍କର ୩୩ତମ ଜନ୍ମ ଦିନ ସମ୍ପୂର୍ଣ୍ଣ ଏକାନ୍ତରେ ପାଳିତ ହେବାକୁ ଯାଉଛି ବୋଲି ଦୁବାଇ ରାଜଦରବାର ତରଫରୁ ପ୍ରକାଶିତ ଘୋଷଣା ହେଉଛି ସୁନା ପଞ୍ଜୁରି ଛାଡ଼ି ପଳାଇବା ସମୟରେ ଧରାପଡ଼ିଥିବା ଏହି ରାଜକନ୍ୟାଙ୍କ ଅବସ୍ଥା ସମ୍ବନ୍ଧରେ ତାଙ୍କ ପରିବାର ଗତ ନ’ମାସ ଧରି ଅବଲମ୍ବନ କରିଥିବା ନିରବତାରେ ପ୍ରଥମ ବିରତି। ଯଦି ଏହି ଘୋଷଣା ସତ ହୋଇଥାଏ, ତାହା ଶେଖା ଲତିଫା ଯେ ଜୀବିତ ଓ ସୁସ୍ଥ ଅଛନ୍ତି, ତାହାର ଏକ ପ୍ରଥମ ସୂଚନା ରୂପେ ତାଙ୍କର ଅବସ୍ଥା ନେଇ ଚିନ୍ତିତ ଥିବା ଅନେକ ମାନବାଧିକାର ସ˚ଗଠନ ଓ ଅଗଣିତ ପର୍ଯ୍ୟବେକ୍ଷକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରୁଥିବ। ତେବେ ସିଧାସଳଖ ରାଜକୁମାରୀଙ୍କଠାରୁ କିଛି ସୂଚନା ପ୍ରକାଶ ପାଇନାହିଁ କିମ୍ବା ତାଙ୍କର କୌଣସି ଛବି ପ୍ରକାଶ ପାଇନାହିଁ। କହିବା ବାହୁଲ୍ୟ ଏହି ସମୟ ମଧୢରେ ସେ କେବେ ହେଲେ ସଶରୀରେ ଲୋକଲୋଚନକୁ ଆସିନାହାନ୍ତି।

ରାଜକୁମାରୀ ଲତିଫାଙ୍କର ବର୍ତ୍ତମାନର ଅବସ୍ଥା ସହିତ ଭାରତର ଏକ ଅତ୍ୟନ୍ତ ନିବିଡ଼ ଓ ନିର୍ଣ୍ଣାୟକ ସମ୍ପର୍କ ରହିଥିବାରୁ ଏହି ଘୋଷଣା ଅନେକ ଭାରତୀୟଙ୍କ ପାଇଁ ଏକ ନୈତିକ ଆଶ୍ବସ୍ତି ମଧୢ ସୃଷ୍ଟି କରୁଥିବ। ସେମାନେ ଏକ ପ୍ରବୋଧନା ପାଉଥିବେ ଯେ ଭାରତର ଏକ ହୃଦୟହୀନ କାର୍ଯ୍ୟ ଯୋଗୁ କଠୋର ରକ୍ଷଣଶୀଳ ରାଜକୀୟ ବନ୍ଧନରୁ ମୁକ୍ତି ପାଇବାକୁ ଉଦ୍ୟମ କରିଥିବା ଏହି ରାଜକନ୍ୟାଙ୍କର ଅନ୍ତତଃ ଜୀବନହାନି ଘଟିନାହିଁ। କାରଣ ରାଜକୁମାରୀ ଲତିଫା ଗତ ମାର୍ଚ୍ଚରେ ବହୁ ବାଧାବିଘ୍ନ ଅତିକ୍ରମ କରି କୌଶଳ କ୍ରମେ ଏକ ବୋଟ୍‌ ନେଇ ଭାରତକୁ ପଳାଇ ଆସିବାକୁ ଉଦ୍ୟମ କରୁଥିବା ସମୟରେ ଭାରତର ଗୋଆ ଉପକୂଳଠାରୁ ମାତ୍ର ୫୦ କିମି ଦୂରରେ ଥିବା ବେଳେ ଭାରତୀୟ କମାଣ୍ତୋମାନେ ଚଢ଼ାଉ କରି ତାଙ୍କୁ ଧରି ପୁଣି ତାଙ୍କୁ ଦୁବାଇ ଶାସକଙ୍କ ହସ୍ତରେ ସମର୍ପଣ କରିଦେଇଥିଲେ।

ରାଜକୁମାରୀ ଲତିଫା ବୋଧ ହୁଏ ଦୁବାଇ ଓ ଭାରତ ମଧୢରେ ଭୌଗୋଳିକ ନିକଟତ୍ବ (ସେ ଓମାନ୍‌ରୁ ପୋତ ଆରୋହଣ କରିଥିଲେ) ଏବ˚ ଏ ଅଞ୍ଚଳରେ ଏକ ମାତ୍ର ଗଣତାନ୍ତ୍ରିକ ଉଦାରପନ୍ଥୀ ଦେଶ ରୂପେ ଭାରତର ଭାବମୂର୍ତ୍ତି ଦ୍ବାରା ଆକର୍ଷିତ ହୋଇ ଭାରତମୁହାଁ ହୋଇଥିଲେ। ସେ କିନ୍ତୁ ହୁଏତ ସାମ୍ପ୍ରତିକ ଘଟଣାବଳୀ ସହିତ ସମ୍ପୂର୍ଣ୍ଣ ଅପରିଚିତ ଥିଲେ କିମ୍ବା କୂଟନୀତିର ମାରପେଞ୍ଚ ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ, ନଚେତ୍‌ ସେ ଏପରି ଭୁଲ୍‌ କେବେ ହେଲେ କରି ନଥାନ୍ତେ। (ବର˚ ସେ ଯଦି ସାଉଦୀ ଗୋଷ୍ଠୀଭୁକ୍ତ ଦୁବାଇର ଶତ୍ରୁ ଦେଶ ନିକଟବର୍ତ୍ତୀ କାତାର‌୍‌କୁ ପଳାଇ ଯାଇପାରିଥାନ୍ତେ, ସେ ହୁଏତ ରକ୍ଷା ପାଇ ଯାଇଥାନ୍ତେ।) କାରଣ ସେ ନିକଟ ଅତୀତରେ ‘ସ˚ଯୁକ୍ତ ଆରବ ଏମିରେଟ୍‌ସ’ (‘ୟୁଏଇ’) ସହିତ ଭାରତର ସମ୍ପର୍କର ଘନିଷ୍ଠତାରେ ଦେଖା ଦେଇଥିବା ଅଭୂତପୂର୍ବ ଉନ୍ନତିକୁ ବିଚାରକୁ ନେଇଥାନ୍ତେ। ଦୁବାଇ ପରି ଆବୁଧାବି ହେଉଛି ‘ୟୁଏଇ’ର ଅନ୍ୟତମ ସଦସ୍ୟ ଏବ˚ ଦୁବାଇର ଆର୍ଥିକ ସ˚କଟ ସମୟରେ ଆବୁଧାବି ହିଁ ଦୁବାଇକୁ ସହାୟତା ଯୋଗାଇ ଉଦ୍ଧାର କରିଥାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ଶାସନକାଳ ମଧୢରେ ଦୁଇ ଥର ୟୁଏଇ ଗସ୍ତରେ ଯାଇ ସାରିଲେଣି। ତାଙ୍କର ଦ୍ବିତୀୟ ଗସ୍ତ ପୁଣି ଥିଲା ୨୦୧୮ ଫେବ୍ରୁଆରିରେ- ଲତିଫାଙ୍କ ପଳାୟନର ଠିକ୍‌ ମାତ୍ର ମାସକ ପୂର୍ବରୁ। ଆବୁଧାବିର ଯୁବରାଜ ମହମ୍ମଦ ବିନ୍‌ ଜାୟେଦ୍‌ ଆଲ୍‌ ନାହ୍ୟାନ୍‌ ୨୦୧୬ ଫେବ୍ରୁଆରିରେ ଭାରତ ଗସ୍ତରେ ଆସିଥିଲେ ଏବ˚ ତା’ପରେ ଏକ ଚମକପ୍ରଦ ବ୍ୟତିକ୍ରମ ଘଟାଇ ୨୦୧୭ରେ ସେ ପୁଣି ଆବିର୍ଭୂତ ହୋଇଥିଲେ ଭାରତରେ ଜାନୁଆରି ୨୬ ଦିନ ସାଧରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ। ବ୍ୟତିକ୍ରମ ଏଇଥି ପାଇଁ ଯେ ସେ ପର୍ଯ୍ୟନ୍ତ ସର୍ବଦା ଜଣେ ରାଷ୍ଟ୍ରମୁଖ୍ୟ କିମ୍ବା ଶାସନ ମୁଖ୍ୟଙ୍କୁ ହିଁ ଭାରତର ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରାହୋଇ ଆସୁଥିଲା। ସେ ଥର ପ୍ରଥମ କରି ସେ ଦେଶର ରାଜା ନୁହନ୍ତି, ଯୁବରାଜଙ୍କୁ ସେ ଭୂମିକାରେ ଦେଖିବାକୁ ମିଳିଥିଲା। ସାଉଦୀ ଆରବର ଯୁବରାଜ ମହମ୍ମଦ ବିନ୍‌ ସଲମାନ୍‌ଙ୍କ ଭଳି ଆବୁଧାବିର ଯୁବରାଜ ମଧୢ ତାଙ୍କ ଦେଶରେ ଅତ୍ୟନ୍ତ ପ୍ରଭାବଶାଳୀ। ଦୁବାଇର ରାଜକୁମାରୀ ଲତିଫାଙ୍କୁ ତେଣୁ ଦୁବାଇକୁ ଫେରାଇ ଦେବାରେ ଭାରତ ଉପରେ ଆବୁଧାବିର ପ୍ରତ୍ୟକ୍ଷ ବା ପରୋକ୍ଷ ପ୍ରଭାବ ଥିବା ନିଃସନ୍ଦେହ।

ରାଜକୁମାରୀ ଲତିଫାଙ୍କର ଅଜ୍ଞତା ବୋଧ ହୁଏ ଏତିକିରେ ସୀମିତ ନଥିଲା। ଅଗଷ୍ଟା େଵଷ୍ଟଲ୍ୟାଣ୍ତ୍‌ ହେଲିକପ୍ଟର‌୍‌ ଦୁର୍ନୀତିର ମଧୢସ୍ଥି ରୂପେ ଖୋଜା ହେଉଥିବା ବ୍ରିଟିସ୍‌ ନାଗରିକ ଖ୍ରୀଷ୍ଟିଆନ୍‌ ମିସେଲ୍‌ ଜେମ୍‌ସର ବିଚରଣସ୍ଥଳୀ ଦୁବାଇ ବୋଲି ମଧୢ ସେ ବୋଧ ହୁଏ ଜାଣି ନଥିଲେ ଓ ଏ କଥା ବୋଧହୁଏ ମଧୢ ଜାଣି ନଥିଲେ ଯେ ଭାରତ ସରକାର ମିସେଲ୍‌କୁ ଭାରତକୁ ଆଣିବା ପାଇଁ ବଦ୍ଧପରିକର। ତେଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ମାର୍ଚ୍ଚରେ ଭାରତ ଲତିଫାଙ୍କୁ ଧରି ଦୁବାଇକୁ ଫେରାଇ ଦେବା ପରେ ଜୁଲାଇରେ ଦୁବାଇ ସରକାର ସେଠାରେ ମିସେଲଙ୍କୁ ଗିରଫ କଲେ ଏବ˚ ବର୍ତ୍ତମାନ ତାଙ୍କୁ ଭାରତ ହାତରେ ପ୍ରତ୍ୟର୍ପଣ କରିଦେଇଛନ୍ତି। ମନେରଖିବା କଥା ଖ୍ରୀଷ୍ଟିଆନ୍‌ ମିସେଲ୍‌ ଦୁବାଇ ନାଗରିକ ନୁହନ୍ତି କିମ୍ବା ତାଙ୍କ ବିରୋଧରେ ଥିବା ଅଭିଯୋଗ ଆନ୍ତର୍ଜାତିକ ଦୃଷ୍ଟିକୋଣରୁ ଆତଙ୍କବାଦ କିମ୍ବା ହତ୍ୟାକାଣ୍ତ ପରି ଗୁରୁତର ଶ୍ରେଣୀର ନୁହେଁ। ତେଣୁ ଏପରି ଜଣେ ଗୌଣ ଶ୍ରେଣୀର ଅଭିଯୁକ୍ତଙ୍କୁ ଭାରତ ହାତକୁ ପ୍ରତ୍ୟର୍ପଣ ମାଧୢମରେ ଟେକି ଦେବା ପଛରେ ରହିଥିବା କାରଣ କେବଳ ଭାରତୀୟ ବୈଦେଶିକ ବ୍ୟାପାର ବିଭାଗର ଦକ୍ଷତା ବା ତତ୍ପରତା କିମ୍ବା ଜାତୀୟ ନିରାପତ୍ତା ପରମର୍ଶଦାତା ଅଜିତ ଡୋଭଲ୍‌ଙ୍କର ବିଚକ୍ଷଣତା ଯେ ନୁହେଁ, ଏଥିରେ କୌଣସି ସନ୍ଦେହ ନାହିଁ। ରାଜକୁମାରୀ ଲତିଫାଙ୍କୁ ନେଇ ଭାରତ ପ୍ରତି ଦୁବାଇର କୃତଜ୍ଞତାର ଚିହ୍ନ ହେଉଛି ମିସେଲ୍‌ଙ୍କର ପ୍ରତ୍ୟର୍ପଣ।

ଏହି ପରିପ୍ରେକ୍ଷୀରେ ଏଠାରେ ମଧୢ ଉଲ୍ଲେଖଯୋଗ୍ୟ ଯେ ସଦ୍ୟ ସମାପ୍ତ ବୁଏନସ୍‌ଆଇରେସ୍‌ ଜି-୨୦ ସମ୍ମିଳନୀରେ ବହୁ ନିନ୍ଦିତ ନରହତ୍ୟା ଅଭିଯୁକ୍ତ ସାଉଦୀ ଆରବର କ୍ଷମତାଶାଳୀ ଶାସକ ପ୍ରିନ୍‌ସ ସଲ୍‌ମାନଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କରମର୍ଦ୍ଦନ ଓ ଅନ୍ତରଙ୍ଗ ଆଲୋଚନା ଏକ ଅରୁଚିକର ଚିତ୍ର ପ୍ରଦାନ କରିଥିଲେ ହେଁ, ଦୁବାଇ ମିସେଲ୍‌ଙ୍କୁ ପ୍ରତ୍ୟର୍ପଣ କରିବା ନିଷ୍ପତ୍ତି ପଛରେ ପ୍ରିନ୍‌ସ ସଲ୍‌ମାନଙ୍କର ଅନୁମୋଦନ ଥିବା ନିଶ୍ଚିତ। ଏ ସମସ୍ତ ଉଚ୍ଚ ସ୍ତରର କୂଟନୀତି ଓ କ୍ଷମତାର ଖେଳରେ ବିଚାରୀ ଲତିଫା ଯେ ପଶାପାଲିର ଏକ କ୍ଷୁଦ୍ର ଗୋଟି ରୂପେ ବ୍ୟବହୃତ ହୋଇଛନ୍ତି, ତାହା ନିଃସନ୍ଦେହ ଓ ଏହା ମଧୢ ନିଃସନ୍ଦେହ ଯେ ଏ ଭଳି ଦୁନିଆରେ ଜଣେ ପିଞ୍ଜରାବଦ୍ଧ ଯୁବତୀର ମୁକ୍ତିର ସ୍ବାଦ ଚାଖିବା ପାଇଁ ଛୋଟିଆ ଇଚ୍ଛା ଭଳି ସାଧାରଣ ଆବେଗର କୌଣସି ସ୍ଥାନ ନାହିଁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.