ଭୋଲ୍‌କର‌୍‌ଙ୍କ ମା’

ଦେଶରେ ମୁଦ୍ରା ଯୋଗାଣକୁ ନିୟନ୍ତ୍ରଣ ମଧୢରେ ରଖି ମୁଦ୍ରାସ୍ଫୀତି (ଦରଦାମ ବୃଦ୍ଧି)କୁ ସର୍ବଦା କାବୁ କରି ରଖିବାକୁ ସମ୍ପୃକ୍ତ ଦେଶର କେନ୍ଦ୍ରୀୟ ବ୍ୟାଙ୍କ୍‌ର ଏକମାତ୍ର ମନ୍ତ୍ରରେ ପରିଣତ କରି ଯେଉଁ କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟ ନିଜ ପାଇଁ ସର୍ବକାଳୀନ ପ୍ରସିଦ୍ଧି ଲାଭ କରିଥିଲେ ସେ ହେଉଛନ୍ତି ଆମେରିକାର ‘ଫେଡେରାଲ୍‌ ରିଜର୍ଭ’ର ଦ୍ବାଦଶ ଚେଆର‌୍‌ମ୍ୟାନ୍‌ ପଲ୍‌ ଭୋଲ୍‌କର‌୍‌। ୧୯୭୦ ଦଶକ ଓ ୧୯୮୦ ଦଶକର ଆଦ୍ୟ ଭାଗରେ ଆମେରିକାରେ ଦେଖା ଦେଇଥିବା ଉଚ୍ଚ ମୁଦ୍ରାସ୍ଫୀତିକୁ ଦମନ କରିବାରେ ଚମକପ୍ରଦ ସଫଳତା ଅର୍ଜନ କରିଥିବା ଏହି କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟ ଏବେ ବି ଆନ୍ତର୍ଜାତିକ କେନ୍ଦ୍ରୀୟ ବ୍ୟାଙ୍କ୍‌ ମହଲରେ ସେଇ ଭଳି ଏକ ତୁଙ୍ଗ ଦିଗ୍‌ଦର୍ଶକ ରୂପେ ଦୃଷ୍ଟି ଆକର୍ଷଣ କରିଥାନ୍ତି ଯେଉଁ ଭଳି ତାଙ୍କର ୬ ଫୁଟ୍‌ ୭ ଇଞ୍ଚ ଉଚ୍ଚତା ବିଶିଷ୍ଟ ଶରୀର କରିଥାଏ। ବର୍ତ୍ତମାନ ୯୧ ବର୍ଷ ବୟସ ଅତିକ୍ରମ କରି ସାରିଥିବା ଏହି ଦୁର୍ଦ୍ଧର୍ଷ ମୁଦ୍ରାସ୍ଫୀତି ଯୋଦ୍ଧା ଏବେ ତାଙ୍କର ସ୍ମୃତି ସମ୍ବଳିତ ଏକ ପୁସ୍ତକ ପ୍ରକାଶ କରିଛନ୍ତି- ‘କିପିଙ୍ଗ୍‌ ଆଟ୍‌ ଇଟ୍‌’ (‘ଲାଗି ରୁହ’)। ଏଥିରେ ଭୋଲ୍‌କର‌୍‌ ହୁଗୁଳା ମୁଦ୍ରା ଯୋଗାଣର ଆକର୍ଷଣ ପ୍ରତି ସର୍ବଦା ସାବଧାନ ରହିବା ପାଇଁ ଆଜିର କେନ୍ଦ୍ରୀୟ ବ୍ୟାଙ୍କ୍‌ ମୁଖ୍ୟମାନଙ୍କୁ ତାଙ୍କ ଜୀବନର ସାୟାହ୍ନରେ ପୁଣି ଥରେ ଆହ୍ବାନ ଦେଇଛନ୍ତି।

ଏହି ପୁସ୍ତକରେ ସେ ମୁଦ୍ରାସ୍ଫୀତିକୁ କେବଳ ଏକ ଅବାଞ୍ଛିତ ଅର୍ଥନୈତିକ ଘଟଣା ରୂପେ ଦେଖି ନାହାନ୍ତି, ସେ ଏହାକୁ ଏକ ନୈତିକ ସମସ୍ୟା ରୂପେ ମଧୢ ପ୍ରଦର୍ଶିତ କରିଛନ୍ତି। ସରକାରଙ୍କୁ ସୁହାଇବା ପାଇଁ ଯଦି କେନ୍ଦ୍ରୀୟ ବ୍ୟାଙ୍କ୍‌ ଏକ ହୁଗୁଳା ମୁଦ୍ରାନୀତି ଅବଲମ୍ବନ କରେ ଓ ସେଥିଯୋଗୁଁ ଦରଦାମରେ ସାମାନ୍ୟ ବୃଦ୍ଧି ମଧୢ ଘଟେ ତେବେ ଫଳ ସ୍ବରୂପ ଦେଶର ମୁଦ୍ରାର କ୍ରୟ ଶକ୍ତିରେ ଅନୁରୂପ ହ୍ରାସ ଘଟିଥାଏ। ଏହାକୁ ଭୋଲ୍‌କର ଅନୈତିକ ବିଚାର କରି ତାଙ୍କ ପୁସ୍ତକରେ ଲେଖିଛନ୍ତି: ‘‘ସରକାର ଉଦ୍ଦେଶ୍ୟମୂଳକ ଭାବରେ ପ୍ରତିବର୍ଷ ଦେଶର ମୁଦ୍ରାର କ୍ରୟଶକ୍ତିରେ ଟିକିଏ ଟିକିଏ କ୍ଷୟ ଘଟାଇବାର ନୈତିକତା କ’ଣ? ମୋ ମା’ ମଧୢ ଏପରି ଚାଲାକି ଧରି ଦିଅନ୍ତେ।’’ ଭୋଲ୍‌କର‌୍‌ଙ୍କ ମତରେ ମୁଦ୍ରାମୂଲ୍ୟର ସ୍ଥିରତା ଉପରେ ବିଶ୍ବାସ ବଜାୟ ରଖିବା ହେଉଛି ‘‘ମୁଦ୍ରାନୀତିର ମୌଳିକ ଦାୟିତ୍ବ।’’ ମନେହେଉଛି, ପୃଥିବୀର ଜଣେ କେହି କେନ୍ଦ୍ରୀୟ ବ୍ୟାଙ୍କ୍‌ ଗଭର୍ନର‌୍‌ ଯଦି ବର୍ତ୍ତମାନ ଉଭୟ ପଲ୍‌ ଭୋଲ୍‌କର‌୍‌ ଓ ତାଙ୍କ ସ୍ବର୍ଗୀୟା ମା’ଙ୍କର ପ୍ରଶ˚ସାର ସମ୍ପୂର୍ଣ୍ଣ ହକ୍‌ଦାର, ସେ ହେଉଛନ୍ତି ଭାରତର କେନ୍ଦ୍ରୀୟ ବ୍ୟାଙ୍କ୍‌ ‘ରିଜର୍ଭ ବ୍ୟାଙ୍କ୍‌ ଅଫ୍‌ ଇଣ୍ତିଆ’ର ଗଭର୍ନର‌୍‌ ପଦରୁ ସଦ୍ୟ ଇସ୍ତଫା ଦେଇଥିବା ଉର୍ଜିତ୍‌ ପଟେଲ୍‌।

ଉର୍ଜିତ୍‌ ପଟେଲଙ୍କର ଇସ୍ତଫାର କାରଣମାନଙ୍କର ଟିକିନିଖି ଅନୁଶୀଳନର ଅନେକ ଜଟିଳ ଦିଗ ରହିଛି। କିନ୍ତୁ ଏହାର ମଞ୍ଜ ପ୍ରସଙ୍ଗ ହେଉଛି କୌଣସି ଅର୍ଥଶାସ୍ତ୍ରର ପାଠ୍ୟ ପୁସ୍ତକରୁ ଉଠାଇ ଅଣାଯାଇଥିବା ପରି ସରଳ। ଆସନ୍ତା ବର୍ଷ ଏକ ସାଧାରଣ ନିର୍ବାଚନ ଏବ˚ ଏକ ବୃହତ୍‌ ରାଜକୋଷୀୟ ନିଅଣ୍ଟର ସମ୍ମୁଖୀନ ହେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାହାନ୍ତି ରିଜର୍ଭ ବ୍ୟାଙ୍କ୍‌ ଏକ ହୁଗୁଳା ମୁଦ୍ରାନୀତି ଅବଲମ୍ବନ କରୁ ଏବ˚ ବସ୍ତୁତଃ ସେ ଖୋଲା ହାତରେ ଖର୍ଚ୍ଚ କରିବା ପାଇଁ ଅଧିକ ନୋଟ୍‌ ଛାପୁ। ସେ ମଧୢ ଚାହାଁନ୍ତି ଯେ ରିଜର୍ଭ ବ୍ୟାଙ୍କ୍‌ ଦେଶର ଖରାପ ଋଣ ବୋଝ ତଳେ ଚାପି ହୋଇ ରହିଥିବା ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ମାନଙ୍କୁ ପୁଣି ନୂତନ ଋଣ ପ୍ରଦାନ କରିବାର ସ୍ବାଧୀନତା ପ୍ରଦାନ କରୁ। ସୂଚାଇବା ଅନାବଶ୍ୟକ ଏହା ଭୋଲ୍‌କର‌୍‌ ନୀତିର ସମ୍ପୂର୍ଣ୍ଣ ବିପରୀତ। ଉଜିତ୍‌ ପଟେଲ ନିଜର ଇସ୍ତଫା ଘୋଷଣା କରିବା ସମୟକୁ ଅବଶ୍ୟ ପାଞ୍ଚଟି ରାଜ୍ୟ ନିର୍ବାଚନରେ ଫଳାଫଳ ପ୍ରକାଶ ପାଇ ନଥିଲା। ଏବେ ଫଳାଫଳ ପ୍ରକାଶିତ ହେବା ପରେ ତାହା ମୋଦୀଙ୍କ ଦଳ ଭାରତୀୟ ଜନତା ପାର୍ଟିର ଗଡ଼ ରୂପେ ବିବେଚିତ ତିନିଟି ହିନ୍ଦୀଭାଷୀ ରାଜ୍ୟ- ରାଜସ୍ଥାନ, ଛତିଶଗଡ଼, ମଧୢପ୍ରଦେଶ-ରେ ଯେଉଁଭଳି ସେ ଦଳ ପାଇଁ ନିରାଶାଜନକ ହୋଇଛି, ତାହା ଆଗାମୀ ଲୋକସଭା ସାଧାରଣ ନିର୍ବାଚନରେ ସେଥିରେ ପରିବର୍ତ୍ତନ ଘଟାଇବା ପାଇଁ ନିର୍ବାଚନ ପୂର୍ବରୁ ମୋଦୀ ମତଦାତାମାନଙ୍କୁ ପ୍ରଲୋଭିତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ମାଧୢମରେ ସରକାରୀ ଖର୍ଚ୍ଚର ସୁଅ ଛୁଟାଇବା ପ୍ରାୟ ନିଶ୍ଚିତ କରିଦେଇଛି। ଯେମିତି, ପୂର୍ବତନ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମନିଅନ୍‌ ଅନୁମାନ କରିଛନ୍ତି ଯେ ସରକାର ‘ୟୁନିର୍ଭସାଲ୍‌ ବେସିକ୍‌ ଇନ୍‌କମ୍‌’ (ସାର୍ବଜନୀନ ମୌଳିକ ଆୟ) ଯୋଜନା ଆରମ୍ଭ କରିଦେଇ ପାରନ୍ତି।

ଏଥିପାଇଁ ଆବଶ୍ୟକ ହୁଗୁଳା ମୁଦ୍ରାନୀତି ପ୍ରବର୍ତ୍ତନ ପାଇଁ ସରକାର ପକାଇ ଆସୁଥିବା ଚାପର ପ୍ରତିରୋଧ କରିବା କିମ୍ବା ଭୋଲ୍‌କର‌୍‌ଙ୍କ ଭାଷାରେ ‘ଲାଗି ରହିବା’ ଆଉ ସମ୍ଭବ ନହୋଇପାରେ ହୃଦୟଙ୍ଗମ କରି ରିଜର୍ଭ ବ୍ୟାଙ୍କ୍‌ର ୨୪ତମ ଗଭର୍ନର‌୍‌ ଉର୍ଜିତ ପଟେଲ ଶେଷରେ ଇସ୍ତଫା ଦେଇଛନ୍ତି। ଏଠାରେ ଉଲ୍ଲେଖନୀୟ ଯେ ଏଥି ପୂର୍ବରୁ ବିମୁଦ୍ରୀକରଣ ଭଳି ସରକାରଙ୍କର ଏକ ବିରାଟ ବିଭ୍ରାଟ ସୃଷ୍ଟି ସମୟରେ ସେଥି ପ୍ରତି ରିଜର୍ଭ ବ୍ୟାଙ୍କ୍‌ର ସହମତି ନଥିଲେ ହେଁ ଉର୍ଜିତ୍‌ ପଟେଲ ଚୁପ୍‌ ଚାପ୍‌ ଦାନ୍ତ କାମୁଡ଼ି ତାହା ସହି ଯାଇଥିଲେ। କିନ୍ତୁ ବର୍ତ୍ତମାନ ସରକାର ଯେପରି ଏକ ନୂତନ ନିର୍ଦ୍ଦେଶକ ବୋର୍ଡ ମାଧୢମରେ ରିଜର୍ଭ ବ୍ୟାଙ୍କ୍‌ର ପରିଚାଳନାକୁ ସିଧାସଳଖ ନିଜ ନିୟନ୍ତ୍ରଣକୁ ନେଇ ଏକ ହୁଗୁଳା ମୁଦ୍ରାନୀତି କାର୍ଯ୍ୟକାରୀ କରିବାକୁ ଅଗ୍ରସର ହେଉଛନ୍ତି, ଭୋଲ୍‌କରୀୟ ଉର୍ଜିତ୍‌ ପଟେଲଙ୍କ ପକ୍ଷରେ ତାହା ଆଉ ବରଦାସ୍ତ କରିବା ନିଶ୍ଚିତ ରୂପେ ସମ୍ଭବ ହୋଇନାହିଁ। କେହି ଭୁଲିଯିବା ଉଚିତ ନୁହେଁ ଯେ ଭାରତର ନବଗଠିତ ‘ମନିଟାରି ପଲିସି କମିଟି’ (‘ମୁଦ୍ରାନୀତି କମିଟି’)ର ମୁଖ୍ୟ ଭାବରେ କାର୍ଯ୍ୟ କରିବାରେ ପଟେଲ ହେଉଛନ୍ତି ପ୍ରଥମ ରିଜର୍ଭ ବ୍ୟାଙ୍କ୍‌ ଗଭର୍ନର‌୍‌। ମୁଦ୍ରାସ୍ଫୀତି ଉଚ୍ଚାଥିବା ସମୟରେ ରଘୁରାମ ରାଜନ୍‌ ଗଭର୍ନର‌୍‌ ଦାୟିତ୍ବ ନେବା ପରେ ପରେ ମୁଦ୍ରାନୀତି ସମୀକ୍ଷା ପାଇଁ ଏକ କମିଟି ଗଠନ କରିଥିଲେ। ସେ ସମୟର ଡେପୁଟି ଗଭର୍ନର‌୍‌ ଉର୍ଜିତ୍‌ ପଟେଲ ଥିଲେ ସେହି କମିଟିର ଚେଆର‌୍‌ମ୍ୟାନ୍‌। ତାଙ୍କରି ସୁପାରିସ ଅନୁସାରେ ବର୍ତ୍ତମାନର ‘ମନିଟାରି ପଲିସି କମିଟି’ ସ୍ଥାପିତ ହୋଇଛି।

ସେଇ ଉର୍ଜିତ୍‌ ପଟେଲ କମିଟି ହିଁ ଖାଉଟି ମୁଦ୍ରାସ୍ଫୀତି ହାରକୁ ଦେଶର ମୁଦ୍ରାନୀତିର ଆର୍ଥିକ ଲଙ୍ଗର‌୍‌ ରୂପେ ବ୍ୟବହାର କରିବା ପାଇଁ ଅନୁମୋଦନ ପେସ୍‌ କରିଥିଲା। ବର୍ତ୍ତମାନ ଯେଉଁ ୪% (+/-୨) ଅର୍ଥାତ୍‌ ସର୍ବୋଚ୍ଚ ୬% ଓ ସର୍ବନିମ୍ନ ୨% ବଳୟ ମଧୢରେ ଖାଉଟି ମୁଦ୍ରାସ୍ଫୀତି ହାରକୁ ମୁଦ୍ରାନୀତିର ଅନ୍ତିମ ଲକ୍ଷ୍ୟ ରୂପେ ଗ୍ରହଣ କରାଯାଇଛି, ତାହା ହେଉଛି ଉର୍ଜିତ୍‌ ପଟେଲ କମିଟିର ମାନସ ସନ୍ତାନ। ଉର୍ଜିତ୍‌ ପଟେଲଙ୍କୁ ଏକପ୍ରକାର ଆତ୍ମସନ୍ତୋଷ ମିଳୁଥିବ ଯେ ତାଙ୍କର କାର୍ଯ୍ୟକାଳ ସମୟରେ ଦେଶରେ ମୁଦ୍ରାସ୍ଫୀତି ହାର ଏହି ବଳୟ ମଧୢରେ ପ୍ରାୟତଃ ରହି ଆସିଛି।

କିନ୍ତୁ ସରକାରଙ୍କର ବର୍ତ୍ତମାନର ଗତିବିଧି ଦେଖି ପଟେଲ ନିଶ୍ଚିତ ରୂପେ ଆଶଙ୍କାଗ୍ରସ୍ତ ହୋଇଥିବେ ଯେ ସେ ବୋଧହୁଏ ମୁଦ୍ରାସ୍ଫୀତିକୁ ଏହି ନିର୍ଦ୍ଧାରିତ ବଳୟ ମଧୢରେ ଆଉ ଅଧିକ କାଳ ଆବଦ୍ଧ କରି ରଖିପାରିବେ ନାହିଁ। ଖରାପ ଋଣ ସମସ୍ୟା ସମ୍ମୁଖୀନ ୧୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ମାନଙ୍କର ନୂତନ ଋଣ ପ୍ରଦାନ କ୍ଷମତା ଉପରେ ପଟେଲ ଲଗାଇଥିବା ଅଙ୍କୁଶ ହୁଗୁଳା କରିବା ପାଇଁ କେନ୍ଦ୍ର ସରକାର ପଟେଲଙ୍କ ଉପରେ ଚାପ ପକାଇ ଚାଲିଥିଲେ। ତାହା ମାନିବା ଅର୍ଥ ମୁଦ୍ରାନୀତିକୁ ଲଗାମହୀନ କରିବା ସହିତ ସମାନ ହୁଅନ୍ତା। ସେହିପରି ରିଜର୍ଭ ବ୍ୟାଙ୍କ୍‌ର ସଞ୍ଚିତ ପାଣ୍ଠିକୁ ସରକାରଙ୍କୁ ହସ୍ତାନ୍ତର କରିବା ପାଇଁ ତାଙ୍କ ଉପରେ ଚାପର ପରିଣତି ମଧୢ ତାହା ହୁଅନ୍ତା। ରିଜର୍ଭ ବ୍ୟାଙ୍କ୍‌ ସରକାରଙ୍କ କଥା ନ ମାନିଲେ, ସରକାରୀ ଆଇନର ଧାରା-୭ ରୂପକ ବ୍ରହ୍ମାସ୍ତ୍ର ପ୍ରୟୋଗ କରିବେ ବୋଲି ଇସାରା ଦେଇ ଚାଲିଥିଲେ। ଧୀରସ୍ଥିର ପ୍ରକୃତିର ଉର୍ଜିତ୍‌ ପଟେଲ ତା’ପୂର୍ବରୁ ଧୀରସ୍ଥିର ଭାବରେ ଇସ୍ତଫା ଦେଇ ଚାଲିଗଲେ।

ସମ୍ବନ୍ଧିତ ଖବର