ଆମ ବ୍ୟାଙ୍କ୍‌!

ପାଞ୍ଚଟି ଯାକ ରାଜ୍ୟ ବିଧାନସଭା ନିର୍ବାଚନରେ ତାଙ୍କ ଦଳ ମତଦାତାମାନଙ୍କ ଦ୍ବାରା ପ୍ରତ୍ୟାଖ୍ୟାତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନତାର ରାୟକୁ ବିନମ୍ରତାର ସହିତ ଗ୍ରହଣ କରୁଛନ୍ତି ବୋଲି ତାଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରିଥିଲେ। କିନ୍ତୁ ତା’ର ଠିକ୍‌ ପରେ ପରେ ସେ ଯେଉଁ ଏକ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବା ଦେଖାଯାଇଛି ତାହା ପୁଣି ଥରେ ପ୍ରମାଣିତ କରିଛି ଯେ ନିଜର ମନମୁଖୀ ଆଚରଣ ପାଇଁ ପ୍ରସିଦ୍ଧ ଏହି ନେତାଙ୍କର ଅନ୍ତରରେ ଜନତାର ମତ ପ୍ରତି ପ୍ରକୃତରେ କୌଣସି ସମ୍ମାନ ନାହିଁ। ଭାରତୀୟ ଜନତା ପାର୍ଟିର ଆପଣା ଇଲାକା ରୂପେ ବିବେଚିତ ତିନିଟି ହିନ୍ଦୀଭାଷୀ, ଗୋ-ମାତା ଉପାସକ ରାଜ୍ୟରେ ମତଦାତାମାନେ ମୋଦୀ ନେତୃତ୍ବାଧୀନ ଭାଜପା ପ୍ରତି ବିମୁଖ ହୋଇ ରାହୁଲ ନେତୃତ୍ବାଧୀନ କ˚ଗ୍ରେସ ଦିଗରେ ମୁହାଁଇବାର ଅନ୍ୟତମ କାରଣ ହେଉଛି ସେମାନେ ଗତ ଦୁଇ ବର୍ଷ ମଧୢରେ ଭୋଗିଆସିଥିବା ବିମୁଦ୍ରୀକରଣ ରୂପକ ମୋଦୀକୃତ ଦୁର୍ଦଶା। ନଗଦ କାରବାର ଉପରେ ନିର୍ଭରଶୀଳ କୃଷକରୁ ବ୍ୟବସାୟୀ ପର୍ଯ୍ୟନ୍ତ, କାରିଗରରୁ କର୍ମଜୀବୀ ପର୍ଯ୍ୟନ୍ତଙ୍କର ମେରୁଦଣ୍ତକୁ ମୋଦୀଙ୍କର ଏହି ଅପରିଣାମଦର୍ଶୀ ତୋଗ୍‌ଲକୀ ଆଚରଣ ଏପରି ଭାଙ୍ଗି ଦେଇଥିଲା ଯାହା ଏବେ ବି ସଳଖ ହୋଇପାରିନାହିଁ।

ମୋଦୀଙ୍କର ଏହି କାର୍ଯ୍ୟ ପ୍ରତି ଦେଶରେ ମୁଦ୍ରାନୀତି ଦାୟିତ୍ବରେ ଥିବା ରିଜର୍ଭ ବ୍ୟାଙ୍କ୍‌ର ସମର୍ଥନ ନଥିଲା। ମୋଦୀଙ୍କର ବିମୁଦ୍ରୀକରଣକୁ କିନ୍ତୁ ପୂର୍ଣ୍ଣପ୍ରାଣରେ ସମର୍ଥନ ପ୍ରଦାନ କରି ଯିଏ ଦେଶବାସୀଙ୍କ ନିକଟରେ ସର୍ବାଧିକ ପରିଚିତି ଲାଭ କରିଥିଲେ ସେ ହେଉଛନ୍ତି ତତ୍କାଳୀନ ଅର୍ଥନୈତିକ ବ୍ୟାପାର ସଚିବ ଶକ୍ତିକାନ୍ତ ଦାସ। ତାମିଲନାଡୁ କ୍ୟାଡର‌୍‌ର ଏହି ଓଡ଼ିଆ ଆଇଏଏଏସ୍ ଅଫିସର ସେ ସମୟରେ ବିମୁଦ୍ରୀକରଣର ଗୁଣଗାନ କରିବା ପାଇଁ ଅନବରତ ଟେଲିଭିଜନରେ ଆବିର୍ଭୂତ ହୋଇ ନିଜକୁ ଏକ ପ୍ରକାର ବିମୁଦ୍ରୀକରଣର ମାନବ ଚେହେରାରେ ପରିଣତ କରି ଦେଇଥିଲେ। ବର୍ତ୍ତମାନ ବିମୁଦ୍ରୀକରଣ ଜର୍ଜରିତ ମତଦାତାମାନଙ୍କର କଟା ଘା’ରେ ଲୁଣ ପକାଇବା ପରି ଉର୍ଜିତ ପଟେଲଙ୍କ ସ୍ବାଭିମାନୀ ଇସ୍ତଫା ପ୍ରଦାନ ପରେ ମୋଦୀ ଏକ ପୂର୍ବ ନିର୍ଦ୍ଧାରିତ ଯୋଜନାର ଅଂଶ ସ୍ବରୂପ କାଳବିଳମ୍ବ ନକରି ତାଙ୍କ ସ୍ଥାନରେ ସେଇ ଶକ୍ତିକାନ୍ତ ଦାସଙ୍କୁ ରିଜର୍ଭ ବ୍ୟାଙ୍କ୍‌ର ୨୫ତମ ଗଭର୍ନର‌୍‌ ରୂପେ ପୂର୍ଣ୍ଣ-ସମୟ ନିଯୁକ୍ତି ପ୍ରଦାନ କରିଛନ୍ତି।

ରିଜର୍ଭ ବ୍ୟାଙ୍କ୍‌ ଭଳି ଦେଶର ଏକ ଅତ୍ୟନ୍ତ ମର୍ଯ୍ୟାଦାଜନକ ବିତ୍ତୀୟ ନିୟନ୍ତ୍ରକ ଅନୁଷ୍ଠାନର ସ୍ବାଧୀନତା ଯେତେବେଳେ ଉଷ୍ମ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି, ସେତିକିବେଳେ ଏ ସମସ୍ତ ବିତର୍କକୁ ଫୁତ୍କାରରେ ଉଡ଼ାଇ ଦେବା ଭଳି ନିଜର ଜଣେ ପରୀକ୍ଷିତ ଅନୁଗତଙ୍କୁ ରିଜର୍ଭ ବ୍ୟାଙ୍କ୍‌ର ଦାୟିତ୍ବ ସମର୍ପଣ କରି ମୋଦୀ ଠିକ୍‌ ସେଇଭଳି କାର୍ଯ୍ୟ କରିଛନ୍ତି ଅତୀତରେ ଯେଉଁଭଳି ଇନ୍ଦିରା ଗାନ୍ଧୀ ପକ୍ଷଭୁକ୍ତ ଅମଲାତନ୍ତ୍ର କିମ୍ବା ପକ୍ଷଭୁକ୍ତ ନ୍ୟାୟପାଳିକା ସୃଷ୍ଟି ପାଇଁ ଉଦ୍ୟମ କରିଥିଲେ। ସରକାରଙ୍କ ସହ ମତଭେଦ ଦୂରେ ଥାଉ, ଶକ୍ତିକାନ୍ତ ଅଧୀନସ୍ଥ ରିଜର୍ଭ ବ୍ୟାଙ୍କ୍‌ ବର୍ତ୍ତମାନ କେନ୍ଦ୍ର ଅର୍ଥମନ୍ତ୍ରଣାଳୟ ତଥା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ ସମ୍ପ୍ରସାରିତ କାର୍ଯ୍ୟାଳୟରେ ପରିଣତ ହେବାକୁ ଯାଉଛି ବୋଲି ଏକ ବ୍ୟାପକ ଧାରଣା ସୃଷ୍ଟି ହୋଇଛି। ଏଥି ପୂର୍ବରୁ ରିଜର୍ଭ ବ୍ୟାଙ୍କ୍‌ର ନିର୍ଦ୍ଦେଶକ ବୋର୍ଡରେ ସରକାର ନିଜର ମନୋନୀତ ପ୍ରାର୍ଥୀମାନଙ୍କୁ ଖୁନ୍ଦି ଦେଇଛନ୍ତି, ଯେଉଁମାନେ ପରମ୍ପରା ଭଙ୍ଗ କରି ରିଜର୍ଭ ବ୍ୟାଙ୍କ୍‌ର ପେସାଦାର କାର୍ଯ୍ୟରେ ନିଜର କୌଣସି ବ୍ୟୁତ୍ପତ୍ତି ନଥିଲେ ହେଁ ସେଥିରେ ସକ୍ରିୟ ହସ୍ତକ୍ଷେପ କରିବା ଆରମ୍ଭ କରି ଦେଇଛନ୍ତି। ବର୍ତ୍ତମାନ ସରକାରଙ୍କର ଜଣେ ବିଶ୍ବସ୍ତ ନିଜ ଲୋକ ଗଭର୍ନର‌୍‌ ଦାୟିତ୍ବ ଗ୍ରହଣ କଲା ପରେ ସରକାର ଦେଶର ଏହି କେନ୍ଦ୍ରୀୟ ବ୍ୟାଙ୍କ୍‌କୁ ଆଉ ଏକ ସ୍ବାଧୀନ ଅନୁଷ୍ଠାନ ରୂପେ ବିଚାର ନକରି ଏହାକୁ ଅନ୍ୟ ୨୧ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ପରି ‘ଆମର ଆଉ ଏକ ବ୍ୟାଙ୍କ୍‌’ ରୂପେ ବିଚାର କରି ପାରନ୍ତି।

ଅର୍ଥଶାସ୍ତ୍ର ନୁହେଁ, ଇତିହାସର ଜଣେ ଛାତ୍ର ଶକ୍ତିକାନ୍ତଙ୍କୁ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ନର‌୍‌ ରୂପେ ନିଯୁକ୍ତ କରାଯିବା ପରେ ଏହାକୁ ନେଇ ସୋସିଆଲ୍‌ ମିଡିଆରେ ଟାହିଟାପରାର ସୁଅ ଛୁଟିଥିଲେ ହେଁ ସେଆର‌୍‌ ମାର୍କେଟ୍‌ରେ ଶକ୍ତିକାନ୍ତଙ୍କ ନିଯୁକ୍ତି ପ୍ରତି ଅତ୍ୟନ୍ତ ଅନୁକୂଳ ପ୍ରତିକ୍ରିୟା ପ୍ରକାଶ ପାଇବା ଦେଖାଯାଇଛି। ବୁଧବାର ସେ ଦାୟିତ୍ବ ଗ୍ରହଣ କରିବା ଦିନ ତାଙ୍କୁ ସ୍ବାଗତ କରିବା ଭଳି ବିଏସ୍‌ଇ ସେନ୍‌ସେକ୍‌ସରେ ଏକ ବିଶାଳ ୬୨୯ ପଏଣ୍ଟ୍‌ (୧.୭୯%) ବୃଦ୍ଧି ଘଟିଛି। ଉଲ୍ଲେଖଯୋଗ୍ୟ ଯେ ବ୍ୟାଙ୍କ୍‌ ଓ ଅଣ-ବ୍ୟାଙ୍କ୍‌ ବିତ୍ତୀୟ କମ୍ପାନିମାନଙ୍କର ସେଆର‌୍‌ ମୂଲ୍ୟରେ ବୃଦ୍ଧି ସେଆର‌୍‌ ମାର୍କେଟ୍‌ର ଏହି ଊର୍ଦ୍ଧ୍ବ ଗତିର ନେତୃତ୍ବ ନେଇଥିଲେ। ଏହାର କାରଣ ବୁଝିବା କଷ୍ଟ ନୁହେଁ। ନିବେଶକମାନେ ଆଶା କରୁଛନ୍ତି ଯେ ନୂତନ ଗଭର୍ନର‌୍‌ ବ୍ୟାଙ୍କ୍‌ମାନଙ୍କ କାରବାର ଉପରେ ରିଜର୍ଭ ବ୍ୟାଙ୍କ୍‌ ଲଗାଇଥିବା ବିଭିନ୍ନ କଟକଣାମାନ କୋହଳ କରିଦେବେ। ଆଶ୍ଚର୍ଯ୍ୟ ହେବାର ନାହିଁ ଯେ ବୁଧବାର ଦିନ ସେନ୍‌ସେକ୍‌ସର ବୃଦ୍ଧି ପ୍ରତି ସର୍ବବୃହତ୍‌ ଅବଦାନ ରଖିଥିବା ଦୁଇଟି କମ୍ପାନି ଥିଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ୍‌ ଏବ˚ କୋଟାକ୍‌ ବ୍ୟାଙ୍କ୍‌।

ସେଆର‌୍‌ ବଜାର ଠାରୁ ଅଧିକ ଖୁସି ଥିବେ ସରକାର। ୨୦୧୯ ନିର୍ବାଚନ ଯେତେ ପାଖେଇ ଆସିବ ମତଦାତାଙ୍କୁ ମନାଇବାରେ ହିଁ ସରକାରଙ୍କୁ ସେତେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ। ବିମୁଦ୍ରୀକରଣ, ଜିଏସ୍‌ଟିର ଅଦକ୍ଷ ପ୍ରବର୍ତ୍ତନ ଓ ପେଟ୍ରୋଲିଅମ୍‌ ଦର ବୃଦ୍ଧି ଯୋଗୁ ସରକାରୀ ତହବିଲ ଅବସ୍ଥା ଭଲ ନାହିଁ। ଚଳିତ ବର୍ଷର ରାଜକୋଷୀୟ ନିଅଣ୍ଟ ଧାର୍ଯ୍ୟ ଲକ୍ଷ୍ୟ ଜିଡିପିର ୩.୩% ଅତିକ୍ରମ କରିଯିବାର ସମସ୍ତ ସମ୍ଭାବନା ରହିଛି। ଉଦାହରଣ ସ୍ବରୂପ ଜିଏସ୍‌ଟି ସ˚ଗ୍ରହ ପାଇଁ ଯେଉଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହା ପୂରଣ ହେବାକୁ ହେଲେ ଚଳିତ ବିତ୍ତ ବର୍ଷର ଶେଷ ପାଞ୍ଚ ମାସରେ ଆଉ ୪୫% ଅଧିକ ସ˚ଗ୍ରହ ହେବା ଆବଶ୍ୟକ, ଯାହା ପ୍ରାୟ ଅସମ୍ଭବ। ସରକାର ତେଣୁ ରିଜର୍ଭ ବ୍ୟାଙ୍କ୍‌ର ରିଜର୍ଭରେ ଥିବା ୩.୬ ଲକ୍ଷ କୋଟି ଟଙ୍କା ଏବ˚ ରିଭାଲୁଏସନ୍‌ ରିଜର୍ଭରେ ଥିବା ପ୍ରାୟ ୯ ଲକ୍ଷ କୋଟି ଟଙ୍କା ଉପରେ କେବେଠାରୁ ଲୋଲୁପ ଦୃଷ୍ଟି ପକାଇ ସାରିଲେଣି। ଉର୍ଜିତ୍‌ ପଟେଲ ଏଥିରେ ପ୍ରତିବନ୍ଧ ସାଜି ଛିଡ଼ା ହୋଇଥିଲେ। ଶକ୍ତିକାନ୍ତ କିନ୍ତୁ ସରକାରଙ୍କୁ ଚାବି ଧରାଇ ଦେଇ ପାରନ୍ତି।

ଯେଉଁ ୧୧ଟି ଖରାପ ଋଣଗ୍ରସ୍ତ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ ପଟେଲଙ୍କର ‘ପ୍ରମ୍ପ୍‌ଟ କରେକ୍ଟିଭ୍‌ ଆକ୍ସନ୍‌’ (ପିସିଏ) କଟକଣାର ସମ୍ମୁଖୀନ ହୋଇ ଋଣ ପ୍ରଦାନ ପ୍ରାୟ ବନ୍ଦ କରିବା ଅବସ୍ଥାକୁ ଆସିଛନ୍ତି, ଶକ୍ତିକାନ୍ତ ସେମାନଙ୍କ ଉପରୁ ସେ କଟକଣା ଉଠାଇ ଦେଇ ପାରନ୍ତି, ଯାହା ଦ୍ବାରା ସେମାନେ ସରକାର ଚାହୁଁଥିବା ଭଳି ବ୍ୟବସାୟ ଓ ବ୍ୟକ୍ତିଙ୍କୁ ପୁଣି ଋଣ ଦେବା ଆରମ୍ଭ କରିପାରିବେ। ସ୍ବଳ୍ପକାଳୀନ ଭିତ୍ତିରେ ଏହା ନୂତନ ଆୟ ଓ ନିଯୁକ୍ତି ସୃଷ୍ଟି କରିପାରେ, କିନ୍ତୁ ଦୀର୍ଘକାଳରେ ଏହା ଖରାପ ଋଣ ଭାରରେ ଆହୁରି ବୃଦ୍ଧି ଘଟାଇବ। ତେବେ ଯେହେତୁ ନିର୍ବାଚନ ସ୍ପଳ୍ପକାଳରେ ଅନୁଷ୍ଠିତ ହେବ, ସରକାର ଦୀର୍ଘକାଳର ବିପଦ ନେଇ ଚିନ୍ତିତ ନୁହନ୍ତି। ନିର୍ବାଚନରେ ବିଜୟ ହେଉଛି ମୁଖ୍ୟ ଲକ୍ଷ୍ୟ।

ସେଇଭଳି, ସରକାର ଯଦି ଅଧିକ ଋଣ କରି ରାଜକୋଷୀୟ ନିଅଣ୍ଟରେ ବୃଦ୍ଧି ଘଟାଇ ଖର୍ଚ୍ଚ କରିବାକୁ ଚାହାନ୍ତି, ତେବେ ଋଣ ବୋଝ ହାଲୁକା କରିବା ପାଇଁ ସୁଧ ହାରରେ ହ୍ରାସ ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍‌କୁ ବାଧୢ କରିପାରନ୍ତି। ଶିଳ୍ପ ବ୍ୟବସାୟ ମଧୢ ସୁଧ ହାରରେ ହ୍ରାସ ଦାବି କରି ଆସୁଛନ୍ତି। ରିଜର୍ଭ ବ୍ୟାଙ୍କ୍‌ ଏ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ପ୍ରତିହତ କରିବା ପାଇଁ ଏପରି ଦାବି ନିକଟରେ ମୁଣ୍ତନୁଆଁଇ ନାହିଁ। ଏଣିକି କିନ୍ତୁ ଜଣେ ଅନୁଗତ ଗଭର୍ନର‌୍‌ ସରକାରଙ୍କର ସମସ୍ତ ଇଚ୍ଛା ପୂରଣ କରିପାରନ୍ତି। ଯଦି ତାହା ଘଟେ ଭବିଷ୍ୟତରେ ଦେଶର ଅର୍ଥନୀତି ବେଲଗାମ୍‌ ମୁଦ୍ରାସ୍ଫୀତି କିମ୍ବା ଗଭୀର ଅବସ୍ଫୀତି ଦ୍ବାରା କବଳିତ ହୋଇପାରେ।

ତେବେ ବିଶ୍ବାସ କରାଯାଇଥାଏ, ଗଭର୍ନର‌୍‌ ଯିଏ ହୁଅନ୍ତୁ ନା କାହିଁକି ରିଜର୍ଭ ବ୍ୟାଙ୍କ୍‌ର ଐତିହ୍ୟର ପ୍ରଭାବ ତାଙ୍କୁ ଶେଷରେ ସ˚ଯତ ଓ ବିଚାରବନ୍ତ କରିଦେଇଥାଏ। ଆଶା ଶକ୍ତିକାନ୍ତଙ୍କ କ୍ଷେତ୍ରରେ ତାହା ହିଁ ଘଟିବ ଓ ସେ ରିଜର୍ଭ ବ୍ୟାଙ୍କ୍‌କୁ ଶେଷରେ କାହାର ‘ଆମ ବ୍ୟାଙ୍କ୍‌’ରେ ପରିଣତ ହେବାକୁ ଦେବେ ନାହିଁ।

ସମ୍ବନ୍ଧିତ ଖବର