ଚାଷୀଙ୍କ ପଛରେ ଛିଡ଼ା ହୁଅ

ଏ ସନ ରାଜ୍ୟର ଚାଷ ଓ ଚାଷୀଙ୍କ ଉପରେ ଗୋଟିଏ ପରେ ଗୋଟିଏ ବିପଦ ପଡୁଛି। ପ୍ରଥମେ ମରୁଡ଼ି, ପରେ ପରେ ଫସଲରେ ରୋଗପୋକ ଯେମିତି ଯଥେଷ୍ଟ ନଥିଲା, ଏବେ ଅଦିନିଆ ବର୍ଷା ବିତ୍ପାତ ଦୁର୍ଦଶା ଗ୍ରସ୍ତ ଚାଷୀକୁଳ ପାଇଁ ବେଡ଼ି ଉପରେ କୋରଡ଼ା ମାଡ଼ କରିଛି। ରାଜ୍ୟର ପ୍ରାୟ ଅଧାଅଧି ଜିଲ୍ଲାରେ ଅମଳ ଅବସ୍ଥାକୁ ଆସି ଯାଇଥିବା ପାଚିଲା ଧାନର କ୍ଷେତ ବର୍ଷାରେ ଉଜୁଡ଼ି ଯାଇ ଏକ କରୁଣ ଅବସ୍ଥା ସୃଷ୍ଟି କରିଛି। ସନ ପନ୍ଦରର ଗୁରୁତର ମରୁଡ଼ରୁ ବାହାରି କୌଣସି ମତେ ସଳଖି ଠିଆ ହେବାକୁ ଚେଷ୍ଟା କରୁଥିବା ଚାଷୀକୁଳ ଚଳିତ ସନର ଏ ତ୍ରି-ଚଡ଼କର କିଭଳି ମୁକାବିଲା କରିବେ, ତାହା ଏକ ବଡ଼ ପ୍ରଶ୍ନ।

କୃଷି ବିଭାଗ ପକ୍ଷରୁ ପ୍ରସ୍ତୁତ ବିପର୍ଯ୍ୟୟ ପରିଚାଳନା ଯୋଜନାରେ ଉଲ୍ଲେଖ ଥିବା ସୂଚନା ଅନୁଯାୟୀ ବିଗତ ୫୨ ବର୍ଷରେ କେବଳ ୧୨ଟି ବର୍ଷକୁ ଛାଡ଼ି ଦେଲେ ଅନ୍ୟ ସବୁ ବର୍ଷ ଓଡ଼ିଶା ଚାଷୀଙ୍କୁ କିଛି ନା କିଛି ପ୍ରାକୃତିକ ବିପର୍ଯ୍ୟୟର ମାଡ଼ ସହିବାକୁ ପଡ଼ିଛି। କେଉଁ ବର୍ଷ ମରୁଡ଼ି ତ ଆଉ କେଉଁ ବର୍ଷ ବର୍ଷା ବିତ୍ପାତ ଓ ବନ୍ୟା ଦାଉ ସାଧିଛି। ଆହୁରି ଅନେକ ବର୍ଷ ଚାଷୀଙ୍କୁ ଉଭୟ ମରୁଡ଼ି ଓ ବଢ଼ିର ଦୋହରା ବିପଦର ମୁକାବିଲା କରିବାକୁ ପଡ଼ିଛି। ପ୍ରତ୍ୟେକ ବର୍ଷ ଓଡ଼ିଶାର ଚାଷ ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ୭୫ ପ୍ରତିଶତ ଆଶଙ୍କା ଥାଏ। ଏ ବର୍ଷ କିନ୍ତୁ ଚଳିତ ଖରିଫ କ୍ରମାଗତ ତିନିଟି ବିପର୍ଯ୍ୟୟ ଦ୍ୱାରା ପ୍ରଭାବିତ ହୋଇଛି। ଜୁନ୍‌ ପହିଲାରୁ ସେପ୍‌ଟେମ୍ବର ଶେଷ ସୁଦ୍ଧା ରାଜ୍ୟରେ ସାମଗ୍ରିକ ଭାବେ ସ୍ୱାଭାବିକଠାରୁ ୧୦ ପ୍ରତିଶତ କମ୍‌ ପରିମାଣର ବର୍ଷା ହେଲା। ଏହାର ପ୍ରଭାବରେ ଖରିଫରେ ଯେତିକି ପରିମାଣ ଜମିରେ ଚାଷ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଥିଲା, ସେତିକି ଜମିରେ ଚାଷ ହୋଇ ପାରିଲା ନାହିଁ। ଲକ୍ଷ୍ୟ ଥିଲା ୬୧.୫୨୫ ଲକ୍ଷ ହେକ୍ଟର ଜମିରେ ଚାଷ ହେବ। କିନ୍ତୁ ୫୯.୮୯୯ ହେକ୍ଟର ଜମିରେ ଚାଷ ହୋଇ ପାରିଲା। ବର୍ଷାଭାବରୁ ଅବଶିଷ୍ଟ ଜମି ପଡ଼ିଆ ପଡ଼ିଲା। ଏ ବର୍ଷ ଯେତିକି ଜମିରେ ଖରିଫ ଚାଷ ହୋଇଛି, ତାହା ଗତବର୍ଷର ୬୦.୨୨୦ ଲକ୍ଷ ହେକ୍ଟର ଜମିଠାରୁ ମଧ୍ୟ କମ୍‌। ନିଅଣ୍ଟିଆ ବର୍ଷା ଫଳରେ ଫସଲ ହାନି ଯୋଗୁ ୭୦ଟି ବ୍ଲକ୍‌କୁ ମରୁଡ଼ି ପ୍ରଭାବିତ ଘୋଷଣା କରାଯାଇଛି। ଏହି ସବୁ ବ୍ଲକ୍‌ରେ ୩ ଲକ୍ଷ ୧୫ ହଜାର ହେକ୍ଟରରୁ ଅଧିକ ଜମିରେ ୩୩ ପ୍ରତିଶତରୁ ଅଧିକ ଫସଲ ହାନି ଘଟିଛି। ଏହା ପରେ ମାଟିଆଗୁଣ୍ଡି ଓ ଚକଡ଼ା ପୋକର ସଂକ୍ରମଣ ଚାଷ ପାଇଁ କାଳ ହେଲା। ଅସହାୟ ଓ ଉତ୍ତ୍ୟକ୍ତ ଚାଷୀ ଅନେକ ସ୍ଥାନରେ ପୋକ ସଂକ୍ରମିତ କ୍ଷେତରେ ନିଆଁ ଲଗାଇ ଦେଲେ।

ସରକାରଙ୍କ ଆକଳନ ଅନୁଯାୟୀ ୧୫୦ ବ୍ଲକ୍‌ର ୮୦୯୨ ଗ୍ରାମ ଓ ୩୫ଟି ପୌରାଞ୍ଚଳର ୧୪୮ ଓ୍ଵାର୍ଡର ୧ ଲକ୍ଷ ୨୮ ହଜାର ହେକ୍ଟର ଜମିରେ ପୋକ ଯୋଗୁ ଫସଲ ହାନି ଘଟିଛି। ଏବେ ଝଡ଼ି ବର୍ଷା ଯୋଗୁ ରାଜ୍ୟର ୧୫ରୁ ଅଧିକ ଜିଲ୍ଲାରେ ଚାଷ ପ୍ରଭାବିତ ହୋଇଛି। କେଉଁଠି ଅମଳ ଅପେକ୍ଷାରେ ଥିବା ଫସଲ ଶୋଇଯାଇଛି ତ ଆଉ କେଉଁଠି ଧାନ କଟା ହୋଇ ଜମିରେ ପଡ଼ି ଭିଜୁଛି। କେବଳ ଧାନ ଚାଷ ନୁହେଁ, ପନିପରିବା ଓ ଅନ୍ୟ ଫସଲ ମଧ୍ୟ ବର୍ଷା ଯୋଗୁ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟଥା ପ୍ରକୃତିର ଦାଉ ସହିବାରେ ଅଭ୍ୟସ୍ତ ଓଡ଼ିଶା ଚାଷୀଙ୍କ ପାଇଁ ଏ ସନର ବିପର୍ଯ୍ୟୟର ଅଲୋଡ଼ା ହ୍ୟାଟ୍ରିକ୍‌ ବଳେଇ ଯାଉଛି। ଅବଶ୍ୟ, ଏହା ଭିନ୍ନ କଥା ଯେ, ଚଳିତ ବର୍ଷ ସମେତ ଅନେକ ବର୍ଷ ପ୍ରାକୃତିକ ଦୁର୍ବିପାକ ଅପେକ୍ଷା, ସରକାରୀ କୃତ ବିପର୍ଯ୍ୟୟ ଚାଷୀଙ୍କ ପାଇଁ ଅଧିକ କ୍ଷତିକାରକ ହେଉଛି। ଏ ବର୍ଷ ଯେମିତି, ହଜାର ହଜାର ଜମିରେ ପୋକ ସଂକ୍ରମଣ ହେଲା, ଅଥଚ, ସରକାରଙ୍କ କୃଷି ବିଭାଗ ଟେର୍‌ ସୁଦ୍ଧା ପାଇଲେ ନାହିଁ। ପାଗ ବାନ୍ଧୁ ବାନ୍ଧୁ କଚେରି ବରଖାସ୍ତ ନ୍ୟାୟରେ କୃଷି ବିଭାଗ କୀଟନାଶକ ନେଇ ବିଜ୍ଞପ୍ତି ଜାରି କଲାବେଳକୁ ଧାନ ଅମଳ ହୋଇ ସଂଗ୍ରହ ଆରମ୍ଭ ହେଲାଣି। ପୋକ ଦାଉରେ ଲକ୍ଷାଧିକ ହେକ୍ଟର ଜମିରେ ଚାଷ ଉଜୁଡ଼ିଲା ପରେ ୧୧ କମ୍ପାନିକୁ ନିମ୍ନମାନର କୀଟନାଶକ ଯୋଗାଣ ନେଇ ନୋଟିସ୍‌ ଜାରି ହୋଇଛି। ଏ ପ୍ରକାର ଉଦାସୀନତା ଯୋଗୁ ଚାଷୀ କେଉଁ ବର୍ଷ ନକଲି ତ ଆଉ କେଉଁ ବର୍ଷ ଭେଜାଲ ସାର ଓ କୀଟନାଶକ ଯୋଗୁ କ୍ଷତିଗ୍ରସ୍ତ ହେଉଛନ୍ତି।

ନିଃସନ୍ଦେହ, ମରୁଡ଼ି, ପୋକ ଓ ବର୍ଷାର ତ୍ରି-ଦୁର୍ବିପାକ ସହ ସରକାରଙ୍କ ଅଭ୍ୟାସଗତ ଉଦାସୀନତା ଜନିତ ବିପର୍ଯ୍ୟୟ କାରଣରୁ ଚଳିତ ବର୍ଷ କୃଷି କ୍ଷେତ୍ରରେ ଅସାଧାରଣ ଭାବେ ଏକ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଏ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ଗତାନୁଗତିକ ସାଧାରଣ, ସ୍ୱାଭାବିକ ପଦକ୍ଷେପ ଯଥେଷ୍ଟ ନୁହେଁ। ପରିସ୍ଥିତିର ମୁକାବିଲା କରି ଚାଷୀ କୁଳକୁ ଅଣ୍ଟା ସଳଖି ଠିଆ କରାଇବା ଲାଗି ସରକାରଙ୍କଠାରୁ କିଛି ଅସାଧାରଣ ପଦକ୍ଷେପ ଅପେକ୍ଷା କରାଯାଉଛି। ସରକାର ମରୁଡ଼ି ପ୍ରଭାବିତ ଓ ପୋକ ସଂକ୍ରମଣ ଜନିତ କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି। ହୁଏତ, ବର୍ଷା ବିତ୍ପାତ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମଧ୍ୟ ଅନୁରୂପ ସହାୟତା ଘୋଷଣା କରିବେ। କିନ୍ତୁ ଅବସ୍ଥାର ଗମ୍ଭୀରତା ଦୃଷ୍ଟିରୁ ଏତିକି ଯଥେଷ୍ଟ ମନେ ହେଉ ନାହିଁ। ରିଲିଫ କୋଡ୍‌ ଅନୁଯାୟୀ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଏବଂ ଅଣଜଳସେଚିତ ଜମି ପାଇଁ ହେକ୍ଟର ପିଛା ୬,୫୦୦ ଟଙ୍କା ‘ଇନ୍‌ପୁଟ୍‌ ସବ୍‌ସିଡି’ ଆଦୌ ପର୍ଯ୍ୟାପ୍ତ ନୁହେଁ। ରଲିଫ ନିୟମର ବାହାରକୁ ଯାଇ କିଛି ଅତିରିକ୍ତ ସ୍ୱତନ୍ତ୍ର ଅନୁକମ୍ପାମୂଳକ ସହାୟତା ପ୍ରଦାନ ବିଷୟ ସରକାର ବିଚାର କରିବା ଉଚିତ। ଇନ୍‌ପୁଟ୍‌ ସବ୍‌ସିଡି ପରିମାଣ ୫୦ ପ୍ରତିଶତ ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି। କିନ୍ତୁ ଦୋଷ ଛଡ଼ାଇଲା ଭଳି ଉଦ୍ୟମକୁ ଏତିକିରେ ସୀମିତ ନ ରଖି କେନ୍ଦ୍ର ସହ ଏ ପ୍ରସଙ୍ଗରେ ପ୍ରତ୍ୟକ୍ଷ ଆଲୋଚନା କରନ୍ତୁ। ଅନ୍ୟପକ୍ଷରେ କେନ୍ଦ୍ର ସରକାର ଓ ଦିଲ୍ଲୀର କ୍ଷମତାରେ ଥିବା ଦଳ ମଧ୍ୟ ଓଡ଼ିଶା ଚାଷୀଙ୍କ ପାଇଁ ଦରଦକୁ କେବଳ ‘ବିପର୍ଯ୍ୟୟ ପର୍ଯ୍ୟଟନ’ ଓ ବୟାନବାଜିରେ ସୀମିତ ନ ରଖି ରାଜନୈତିକ ଓ କେନ୍ଦ୍ର- ରାଜ୍ୟ ବିବାଦରୁ ଉପରକୁ ଉଠି ଉଦାର ମନରେ ସହାୟତା ଓ ସହଯୋଗର ହାତ ବଢ଼ାନ୍ତୁ।

ବର୍ତ୍ତମାନ ପରିସ୍ଥିତିର ମୁକାବିଲା ଚାଷୀଙ୍କ ପାଇଁ ଯେତେ ବଡ଼ ଆହ୍ଵାନ, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ତା’ଠାରୁ ସହସ୍ରଗୁଣ ଅଧିକ ବଡ଼ ଆହ୍ଵାନ। କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସହାୟତା ପରିମାଣ ବୃଦ୍ଧି ବ୍ୟତୀତ, ଆହୁରି କେତେକ ବିଷୟ ପ୍ରତି ଧ୍ୟାନ ଦେଇ ଆଗୁଆ ପଦକ୍ଷେପ ନେବାକୁ ପଡ଼ିବ। ଗୋଟିଏ ଆଶଙ୍କା ପ୍ରକାଶ ପାଉଛି ଯେ, ପୋକ- ସଂକ୍ରମିତ ଓ ବର୍ଷା ପ୍ରଭାବିତ ଫସଲ ଅମଳ ପରେ ବିକ୍ରିର ସମସ୍ୟା ଦେଖା ଦେଇପାରେ। ଧାନର ଗୁଣାତ୍ମକ ମାନ କାରଣରୁ ଚାଷୀ ବିକ୍ରିରେ ଅସୁବିଧାର ସମ୍ମୁଖୀନ ହୋଇପାରେ। ତେଣୁ ଏଫ୍‌ଏକ୍ୟୁ କୋହଳ କରିବା ଲାଗି ଏବେଠାରୁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉ। ଏଫ୍‌ଏକ୍ୟୁ ଆଳରେ ଯେମିତି ଚାଷୀର ଦାନାଟିଏ ସୁଦ୍ଧା ଧାନ ଅବିକ୍ରି ନରହେ ତାହା ନିଶ୍ଚିତ କରିବାକୁ ପଡ଼ିବ। ଏ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ରର ଦାୟିତ୍ୱ ରହିଛି। ଋଣ ଅସୁଲି ପାଇଁ କୌଣସି ଜୋରଜୁଲମ ନ କରି ପୁନର୍ବାର ଚାଷ, ବିଶେଷ କରି ରବି ପାଇଁ ଶୂନ୍ୟ ସୁଧ ହାରରେ ଋଣ ସହ ଉନ୍ନତ ମାନର ସାର, ବିହନ ଓ କୀଟନାଶକ ଯୋଗାଣର ବ୍ୟବସ୍ଥା କରାଯାଉ ରାଜ୍ୟର ଚାଷୀକୁଳ ବର୍ତ୍ତମାନ ଅତି ଦୁର୍ଦ୍ଦିନରେ। ‘ବିପଦର ବନ୍ଧୁ, ପ୍ରକୃତ ବନ୍ଧୁ’ ନୀତିରେ ସରକାର ଏ ଦୁଃସମୟରେ ଚାଷୀଙ୍କ ପଛରେ ଦୃଢ଼ ଭାବେ ଛିଡ଼ା ହୁଅନ୍ତୁ। ଏହା କେବଳ ଫମ୍ପା କଥାରେ ନୁହେଁ, ଠୋସ କାମରେ, ଯାହା ଫଳରେ ଚାଷୀ ଅନୁଭବ କରିବ ଯେ ଏ ବିପଦ ବେଳେ ତା’ସହ ସରକାର ଅଛନ୍ତି। ଏହା କେବଳ ନିରାଶାର ଅନ୍ଧାର ମଧ୍ୟରେ ଚାଷୀଙ୍କ ମନରେ କିଛି ଆଶାର ଆଲୋକ ବୁଣିବା ଲାଗି ଜରୁରୀ ନୁହେଁ, ସରକାର ଓ ବ୍ୟବସ୍ଥା ପ୍ରତି ଚାଷୀଙ୍କ ମନରେ ତୁଟି ଯାଉଥିବା ଆସ୍ଥା ଓ ବିଶ୍ୱାସ ଫେରାଇ ଆଣିବା ଲାଗି ମଧ୍ୟ ଜରୁରୀ।

ସମ୍ବନ୍ଧିତ ଖବର