‘କାଳ’ର ଖେଳ

‘ଆନିମଲ୍‌ ଫାର୍ମ’ (୧୯୪୫) ଓ ‘ନାଇଣ୍ଟିନ୍‌ ଏଇଟିଫୋର‌୍‌’ (୧୯୪୯) ଭଳି ଭବିଷ୍ୟ ଦ୍ରଷ୍ଟା ଉପନ୍ୟାସ ମାନଙ୍କର ସ୍ରଷ୍ଟା ଜର୍ଜ ଅର‌୍‌େଵଲ୍‌ ଯେତେବେଳେ ଏ ଦୁଇର ମଧୢବର୍ତ୍ତୀ ସମୟରେ ତାଙ୍କର ନାତିଦୀର୍ଘ ପ୍ରବନ୍ଧ ‘ପଲିଟିକ୍‌ସ ଆଣ୍ତ୍‌ ଦି ଇ˚ଲିସ୍‌ ଲାଙ୍ଗୁଏଜ୍‌’ (‘ରାଜନୀତି ଓ ଇ˚ରେଜୀ ଭାଷା’) (୧୯୪୬) ରଚନା କରୁଥିଲେ, ସେତେବେଳେ ସେ ମଧୢ କେବେହେଲେ କଳ୍ପନା କରିନଥିବେ ଯେ ପ୍ରାୟ ସାତ ଦଶନ୍ଧି ପରେ ୨୦୧୮ ଶେଷ ବେଳକୁ ଠିକ୍‌ ତାଙ୍କର ପ୍ରବନ୍ଧର ଶିରୋନାମାକୁ ଅବିକଳ ଅନୁକରଣ କରିବା ଭଳି ତାଙ୍କ ଦେଶର ପ୍ରାକ୍ତନ ଉପନିବେଶ ଭାରତର ରାଜନୈତିକ ରଙ୍ଗମଞ୍ଚରେ ଏକ ଚିତ୍ତାକର୍ଷକ ନାଟକ ଅଭିନୀତ ହେଉଥିବ। ତାହା ପୁଣି ଏକ ସମ୍ପୂର୍ଣ୍ଣ ଭିନ୍ନ ପରିପ୍ରେକ୍ଷୀରେ।

ସମସ୍ତ ପ୍ରକାର ମତବାଦର ରାଜନେତାମାନେ କିପରି ଅସଲ ପ୍ରସଙ୍ଗକୁ ଏଡ଼ାଇ ଯିବାକୁ କିମ୍ବା ତାର ଗୁରୁତ୍ବ ବଦଳାଇବା ପାଇଁ ଇ˚ରେଜୀ ଭାଷାର ବିଭିନ୍ନ ଚାତୁରୀ ସବୁକୁ ବ୍ୟବହାର କରିଥାନ୍ତି (ଯେମିତି ଦେଶ ବିଭାଜନ ଯୋଗୁଁ ନିୟୁତ ନିୟୁତ ବିସ୍ଥାପିତ ସର୍ବହରାରେ ପରିଣତ ହୋଇ ସୀମା ଅତିକ୍ରମ କରିବାକୁ ନେତାମାନେ ହାଲୁକା ଭାବରେ ବର୍ଣ୍ଣନା କରିଥାନ୍ତି- ‘ରେକ୍ଟିଫିକେସନ୍‌ ଅଫ୍‌ ଫ୍ରଣ୍ଟିଅର୍ସ’ ବା ‘ସୀମା ସ˚ଶୋଧନ’), ତାହା ହିଁ ଥିଲା ଅର‌୍‌େଵଲ୍‌ଙ୍କ ପ୍ରବନ୍ଧର ବିଷୟବସ୍ତୁର ଅ˚ଶ। ୧୯୪୭ରେ ତାଙ୍କ ଦେଶ ବ୍ରିଟେନ୍‌ଠାରୁ ସ୍ବାଧୀନ ହୋଇଥିବା ଭାରତରେ ଇ˚ରେଜୀ ଭାଷା କିନ୍ତୁ ପୂର୍ବ ଭଳି ରାଜୁତି କରୁଛି ଓ ଭାରତୀୟ ରାଜନେତାମାନେ ଏହାକୁ ବୁଲେଇ ବଙ୍କେଇ ବ୍ୟବହାର କରିବାରେ ଇ˚ରେଜ ମାନଙ୍କଠାରୁ କିଛି କମ୍‌ ଧୁରନ୍ଧର ନୁହନ୍ତି। କିନ୍ତୁ ଅର‌୍‌େଵଲ୍‌ଙ୍କୁ ଯାହା ଆଶ୍ଚର୍ଯ୍ୟ କରନ୍ତା ତାହା ଭାରତୀୟ ରାଜନୀତିରେ ବ୍ୟବହୃତ ଇ˚ରେଜୀ ଭାଷା ଚାତୁରୀ ନୁହେଁ, ତାହା ହେଉଛି ଇ˚ରେଜୀ ଭାଷାର ବ୍ୟାକରଣର ଏକ ସରଳ ସୂତ୍ର କିପରି ସର୍ବୋଚ୍ଚ ସ୍ତରରେ କେବଳ ଭାରତୀୟ ରାଜନୀତି ନୁହେଁ ଭାରତର ନ୍ୟାୟପାଳିକାରେ ମଧୢ କମ୍ପନ ସୃଷ୍ଟି କରିଛି। ସେ ସମୟରେ ମଧୢ ଇ˚ଲାଣ୍ତ୍‌ରେ ଇ˚ରେଜୀ ଭାଷାର ଅବକ୍ଷୟ ନେଇ ଚିନ୍ତା ପ୍ରକାଶ କରୁଥିବା ଜର୍ଜ ଅର‌୍‌େଵଲ୍‌ ଭାରତୀୟ ରାଜନେତାମାନଙ୍କର ବ୍ୟାକରଣ ଜ୍ଞାନ ଦେଖି ଆଶ୍ବସ୍ତ ହୁଅନ୍ତେ ଯେ ନିଜ ଦେଶରେ ନହେଉ ପଛକେ, ଦିନେ ତାଙ୍କ ସାମ୍ରାଜ୍ୟର ମଥାମଣି ଥିବା ଭାରତରେ ଅନ୍ତତଃ ଇ˚ରେଜୀ ଭାଷା ସୁରକ୍ଷିତ ଅଛି।

ମୋଦୀ ସରକାର ଭାରତୀୟ ବାୟୁସେନା ପାଇଁ ୩୬ଟି ରାଫାଲ୍‌ ଯୁଦ୍ଧ ବିମାନ କ୍ରୟରେ ଅନିୟମିତତା ହୋଇଛି ବୋଲି ଅଭିଯୋଗ କରିବା କ˚ଗ୍ରେସ ଓ ତାର ନେତା ରାହୁଲ ଗାନ୍ଧୀଙ୍କର ପ୍ରଧାନ ରାଜନୈତିକ ରଣନୀତିରେ ପରିଣତ ହୋଇ ଯେତେବେଳେ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ମିଥ୍ୟା ସାବ୍ୟସ୍ତ ହେଲା, ସେତେବେଳେ ମୋଦୀ ମହଲରେ ଏକ ଆଶ୍ବସ୍ତିର ଲହରୀ ଖେଳି ଗଲା ଯେ ଶତ୍ରୁପକ୍ଷ ଏଥର ଏ ବିମାନ ଯୁଦ୍ଧରେ ସମ୍ପୂର୍ଣ୍ଣ ପରାଜୟ ବରଣ କରିଛି। କିନ୍ତୁ ସମସ୍ତଙ୍କୁ ହତଚକିତ କରି ବୁଡ଼ିଯିବା ଲୋକ ପାଇଁ କୁଟା ଖିଏ ପରି ଯାହାର ଆବିର୍ଭାବ ଘଟି ଶତ୍ରୁ ଶିବିରରେ ପୁଣି କିଛି ମାତ୍ରାରେ ପ୍ରାଣ ସଞ୍ଚାର କରିବା ଦେଖାଯାଇଛି ତାହା ହେଉଛି ଇ˚ରେଜୀ ଭାଷା। ନିର୍ଦ୍ଦିଷ୍ଟ ଭାବରେ କହିଲେ, ତାହା ହେଉଛି ଇ˚ରେଜୀ ବ୍ୟାକରଣର ଏକ ସୁପରିଚିତ ନିୟମ- ‘ଟେନ୍‌ସ’ ବା ‘କାଳ’।

ରାଫାଲ୍‌ କ୍ରୟରେ କୌଣସି ଅନିୟମିତତା ହୋଇନାହିଁ ବୋଲି ରାୟ ଦେବା ଅବସରରେ ସୁପ୍ରିମ୍‌ କୋର୍ଟ ରାଫାଲ୍‌ ସମ୍ପର୍କରେ କମ୍ପ୍ଟ୍ରୋଲର‌୍‌ ଆଣ୍ତ୍‌ ଅଡିଟର‌୍‌ ଜେନେରାଲ୍‌ ଅଫ୍‌ ଇଣ୍ତିଆ (ସିଏଜି) ପ୍ରସ୍ତୁତ କରିଥିବା ଏକ ରିପୋର୍ଟ ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟି (ପିଏସି) ଦ୍ବାରା ‘‘ପରୀକ୍ଷା କରାଯାଇଛି’’ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ମୁଦା ଲଫାଫା ଭିତରେ କେନ୍ଦ୍ର ସରକାର କୋର୍ଟଙ୍କ ନିକଟରେ ପ୍ରଦାନ କରିଥିବା ଏ ସମ୍ବନ୍ଧିତ ତଥ୍ୟ ଭିତ୍ତିରେ କୋର୍ଟ ଏଭଳି ମନ୍ତବ୍ୟ ତାଙ୍କର ରାୟରେ ଉଲ୍ଲେଖ କରିଥିଲେ। କ˚ଗ୍ରେସର ଆଇନ ଶ୍ୟେନ ମାନେ ତୁରନ୍ତ ଏଥିରେ ତଥ୍ୟଗତ ତ୍ରୁଟି ଆବିଷ୍କାର କଲେ ଯେ ପ୍ରକୃତରେ ‘ପିଏସି’ ନିକଟରେ ‘ସିଏଜି’ ରିପୋର୍ଟ ଉପସ୍ଥାପିତ ହୋଇନାହିଁ। ରାହୁଲ ଗାନ୍ଧୀ କାଳ ବିଳମ୍ବ ନକରି ସରକାର ମିଥ୍ୟା ସତ୍ୟପାଠ ମାଧୢମରେ ସୁପ୍ରିମ୍‌ କୋର୍ଟଙ୍କୁ ଦିଗଭ୍ରଷ୍ଟ କରି ଏକ ଭୁଲ୍‌ ରାୟ ଆଦାୟ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଓ ଅନ୍ୟ କେତେକ ବିରୋଧୀ ନେତା ତାଙ୍କ ସହ ସ୍ବର ମିଳାଇଛନ୍ତି।

ଏହାର ପ୍ରତିକ୍ରିୟାରେ ସମସ୍ତଙ୍କୁ ଚମତ୍କୃତ କରି ଗତ ଶନିବାର ଦିନ କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କ ନିକଟରେ ଯେଉଁ ଆବେଦନ ଦାଖଲ କରିଛନ୍ତି ତାହା ଇ˚ରେଜୀ ବ୍ୟାକରଣର ‘କାଳ’ ସମ୍ପର୍କିତ ଏକ ପ୍ରାଥମିକ ପାଠ କହିଲେ ଅତ୍ୟୁକ୍ତି ହେବ ନାହିଁ। ସରକାର କହିଛନ୍ତି ଯେ ଯେଉଁ କାର୍ଯ୍ୟ କରାହୋଇସାରିଛି, ସରକାର ତାଙ୍କର ସତ୍ୟପାଠରେ ତାହାକୁ ‘ଭୂତ କାଳ’ରେ ବର୍ଣ୍ଣନା କରିଛନ୍ତି, ଯେମିତି ସରକାର ମୂଲ୍ୟ ସ˚କ୍ରାନ୍ତୀୟ ବିଶଦ ବିବରଣୀ ସିଏଜିଙ୍କୁ ‘‘ପ୍ରଦାନ କରିଛନ୍ତି।’’ ଏଥିରେ କିଛି ଅସତ୍ୟ ନାହିଁ। ବାକ୍ୟର ଦ୍ବିତୀୟ ଭାଗରେ ସରକାର କହିଛନ୍ତି ‘‘ସିଏଜିଙ୍କ ରିପୋର୍ଟ ପିଏସି ଦ୍ବାରା ପରୀକ୍ଷା କରାଯାଇଥାଏ।’’ ରାୟରେ କିନ୍ତୁ ଯାହା ଉଲ୍ଲେଖ ଅଛି ତାହା ହେଲା, ‘‘ସିଏଜିଙ୍କ ରିପୋର୍ଟ ପିଏସି ଦ୍ବାରା ପରୀକ୍ଷା କରାଯାଇଛି।’’ ଯାହା ମନେ ହେଉଛି ସରକାର ତାଙ୍କର ସତ୍ୟପାଠର ଏହି ଅ˚ଶରେ ‘ଅନିର୍ଦ୍ଦିଷ୍ଟ ବର୍ତ୍ତମାନ କାଳ’ ବ୍ୟବହାର କରିଥିବା ବେଳେ କୋର୍ଟ ତାହାକୁ ବୋଧ ହୁଏ ବାଉଳାରେ ‘ସମାପ୍ତ ବର୍ତ୍ତମାନ କାଳ’ ରୂପେ ବିଚାର କରିଛନ୍ତି।

ସରକାର ବସ୍ତୁତଃ ଯାହା କହିବାକୁ ଚାହିଁଛନ୍ତି ତାହା ହେଲା ସରକାର ତାଙ୍କର ମୁଦା ଲଫାଫା ସତ୍ୟପାଠରେ ଯାହା ଜଣାଇବାକୁ ଚାହିଁଥିଲେ ତାହା ହେଲା ପାର୍ଲାମେଣ୍ଟରେ ସିଏଜି ରିପୋର୍ଟ ଉପରେ କିପରି କାର୍ଯ୍ୟାନୁଷ୍ଠାନ ହୋଇଥାଏ; କୋର୍ଟ କିନ୍ତୁ ତାହାକୁ କିପରି କାର୍ଯ୍ୟାନୁଷ୍ଠାନ ହୋଇ ସାରିଛି ବୋଲି ବୁଝିଛନ୍ତି। ଇ˚ରେଜୀର ଯେଉଁ କ୍ରିୟାପଦର କାଳ ଅଦଳ ବଦଳ ଯୋଗୁଁ ଏହି ବିବାଦ ଉପୁଜିଛି ତାହା ହେଲା- ‘ଇଜ୍‌’ ସ୍ଥାନରେ ‘ହାଜ୍‌ ବିନ୍‌’ର ଅନୁପ୍ରବେଶ। ଯାହା ବୁଝି ହେଉନାହିଁ ତାହା ହେଲା ମୁଖ୍ୟ ବିଚାରପତିଙ୍କ ସମେତ ତିନିଜଣ ଯାକ ମାନ୍ୟବର ବିଚାରପତି କିପରି ଇ˚ରେଜୀ ବ୍ୟାକରଣର ଏପରି ଭୁଲ ତର୍ଜମା କରି ତାହାକୁ ରାୟରେ ଅନ୍ତର୍ଭୁକ୍ତ କରିଦେଲେ। ବୋଧହୁଏ ଏଥିପାଇଁ ପ୍ରକୃତ ଦାୟୀ ହେଉଛି ସେଇ ବନ୍ଦ ଲଫାଫା ଯେଉଁଥିରେ ସରକାର ତାଙ୍କର ଅଧିକା˚ଶ ତଥ୍ୟ କୋର୍ଟଙ୍କ ନିକଟରେ ଦାଖଲ କରିଥିଲେ। ହୁଏତ ଯଦି ଅଦାଲତରେ ଏହା ଖୋଲା ଖୋଲି ଆଲୋଚିତ ହୋଇଥାନ୍ତା ତା’ହେଲେ ବ୍ୟାକରଣର ଏପରି ଭୁଲ ତର୍ଜମା ହୋଇ ନଥାନ୍ତା।

ସରକାରଙ୍କର ତ୍ରୁଟି ସ˚ଶୋଧନ ନିମିତ୍ତ ଆବେଦନର ଶୁଣାଣି କରି ଅଦାଲତ ତାଙ୍କର ରାୟରେ କେବଳ ବ୍ୟାକରଣ ସ˚ଶୋଧନ କରିବେ ନା ସମୁଦାୟ ମାମଲାର ଆଉଥରେ ବିଚାର କରିବେ ତାହାର ନିଷ୍ପତ୍ତି ଅଦାଲତ ହିଁ କରିବେ। ସମ୍ବିଧାନର ଧାରା-୧୪୨ ଅନୁଯାୟୀ ନ୍ୟାୟ ଅକ୍ଷୁଣ୍ଣ ରଖିବା ପାଇଁ ନିଜର ନିର୍ଦ୍ଦେଶକୁ ପ୍ରତ୍ୟାହାର କରି ତାହାର ସ˚ଶୋଧନ କରିବା ପାଇଁ ସୁପ୍ରିମ୍‌ କୋର୍ଟଙ୍କର ଅନ୍ତର୍ନିହିତ କ୍ଷମତା ରହିଛି। ରାଫାଲ୍‌ ମାମଲାରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସୁପ୍ରିମ୍‌ କୋର୍ଟଙ୍କର ହୃଦ୍‌ବୋଧ ହୋଇଛି ଏବ˚ ସୁରକ୍ଷା ଦୃଷ୍ଟିରୁ ଅନେକ ତଥ୍ୟ ଗୋପନୀୟ ରହିବା ଆବଶ୍ୟକ ବୋଲି ମଧୢ କୋର୍ଟ ଅନୁଭବ କରିଛନ୍ତି। ସରକାର ଜାଣିଶୁଣି କୋର୍ଟଙ୍କୁ ଦିଗଭ୍ରଷ୍ଟ କରିବା ଉଦ୍ଦେଶ୍ୟରେ ଇ˚ରେଜୀ ବ୍ୟାକରଣକୁ ନେଇ ଖେଳ ଖେଳିଛନ୍ତି ବୋଲି ବିରୋଧୀ ଦଳମାନେ ଯଦି ସୁପ୍ରିମ୍‌ କୋର୍ଟଙ୍କ ହୃଦ୍‌ବୋଧ କରାଇପାରନ୍ତି, ତେବେ ଯାଇ କୋର୍ଟ ତାଙ୍କର ରାୟ ବଦଳାଇବେ। ଇ˚ରେଜୀ ବ୍ୟାକରଣ କିନ୍ତୁ ସେପରି ସାହାଯ୍ୟ କରିବା ଆଶା କ୍ଷୀଣ।

ସମ୍ବନ୍ଧିତ ଖବର