କାଠ ଘୋଡ଼ା

‘‘ଟ୍ରୋଜାନ୍‌ମାନେ, ଏ ଘୋଡ଼ାକୁ ବିଶ୍ବାସ କର ନାହିଁ। ଏହା ଯାହା ହୋଇଥାଉ ନା କାହିଁକି, ମୋର ଗ୍ରୀକ୍‌ମାନଙ୍କୁ ଡର, ସେମାନେ ଉପହାର ନେଇ ଆସିଥିଲେ ମଧୢ।’’ ସ୍ବାଧୀନ ନଗରୀ ଟ୍ରଏକୁ ଦଖଲ କରିବା ପାଇଁ ତାହାକୁ ଦଶବର୍ଷ କାଳ ଅବରୋଧ କରି ବିଫଳ ହେବା ପରେ ଗ୍ରୀକ୍‌ ସେନାବାହିନୀ ଛାଡ଼ି ପଳାଇଥିବା ଏକ ବିଶାଳ କାଠ ନିର୍ମିତ ଘୋଡ଼ାଟିକୁ ଟ୍ରଏ ଅଧିବାସୀ (ଟ୍ରୋଜାନ୍‌) ମାନେ ନଗରୀ ଭିତରକୁ ନେଇ ଯିବାକୁ ଉଦ୍ୟମ କରୁଥିବା ବେଳେ ସେମାନଙ୍କ ପୁରୋହିତ ଲାଓକୁନ୍‌ ସେମାନଙ୍କୁ ଏହି ସତର୍କବାଣୀ ଶୁଣାଇଥିଲେ ବୋଲି ପ୍ରାଚୀନ ରୋମ୍‌ର ମହାକବି ଭର୍ଜିଲ୍‌ ତାଙ୍କର ପ୍ରସିଦ୍ଧ କାବ୍ୟ ‘ଇନିଡ୍‌’ରେ ବର୍ଣ୍ଣନା କରିଛନ୍ତି। ଟ୍ରୋଜାନ୍‌ମାନେ କିନ୍ତୁ ଏହି ସତର୍କବାଣୀକୁ ଅବଜ୍ଞା କରି ଘୋଡ଼ାଟିକୁ ଏକ ବିଜୟ ଉପହାର ରୂପେ ଟାଣି ଟାଣି ନଗର ଭିତରକୁ ନେଇ ଯିବାର ପରିଣାମ କ’ଣ ହେଲା ତାହା ପ୍ରତ୍ୟେକ ‘ଟ୍ରୋଜାନ୍‌ ହର୍ସ’ (‘ଟ୍ରୋଜାନ୍‌ ଘୋଡ଼ା’) ନାମକ ରୂପକର ବ୍ୟବହାରକାରୀଙ୍କୁ ଜଣା। କାଠ ଘୋଡ଼ାର ପେଟ ଭିତରେ ଲୁଚି ରହିଥିବା ଗ୍ରୀକ୍‌ ଯୋଦ୍ଧାମାନେ ରାତିରେ ବାହାରି ଆସି ନଗରୀର ଫାଟକ ଖୋଲି ଦେଲେ ଓ ଫେରି ଆସିଥିବା ଗ୍ରୀକ୍‌ ସୈନ୍ୟମାନେ ଅବାଧରେ ନଗରୀରେ ପ୍ରବେଶ କଲେ। ଟ୍ରଏର ପତନ ଘଟିଲା।
ଟ୍ରଏର ପୁରୋହିତ ଲାଓକୁନ୍‌ଙ୍କ ଭଳି ଭାରତର ଟେଲିକମ୍‌ ରପ୍ତାନିକାରୀ ସ˚ଗଠନ ‘ଟେଲିକମ୍‌ ଇକ୍ବିପ୍‌ମେଣ୍ଟ୍‌ ଆଣ୍ତ୍‌ ସର୍ଭିସେସ୍‌ ଏକ୍ସପୋର୍ଟ ପ୍ରମୋସନ୍‌ କାଉନ୍‌ସିଲ୍‌’(‘ଟିଇପିସି’) ଭାରତର ଜାତୀୟ ନିରାପତ୍ତା ଉପଦେଷ୍ଟା (ଏନ୍‌ଏସ୍‌ଏ) ଅଜିତ୍‌ ଡୋଭାଲ୍‌ଙ୍କୁ ପତ୍ର ଲେଖି ଆଜିର ଏକ ଟ୍ରୋଜାନ୍‌ ହର୍ସ ପ୍ରତି ସାବଧାନ ରହିବା ପାଇଁ ଅନୁରୋଧ କରିଛି। ଏ ଟ୍ରୋଜାନ୍‌ ଘୋଡ଼ା ହେଉଛି ଚୀନ୍‌ର ବିଶ୍ବବିଜୟୀ ଟେଲିକମ୍‌ ଯନ୍ତ୍ରପାତି ନିର୍ମାଣକାରୀ କମ୍ପାନି ‘ହୁଆେଵ’। କୁହାଯାଇପାରେ ଡୋଭାଲ୍‌ଙ୍କୁ ପତ୍ର ମାଧୢମରେ ‘ଟିଇପିସି’ ଦେଶବାସୀଙ୍କୁ ଏହି ଚୀନା କାଠ ଘୋଡ଼ା ପ୍ରତି ସତର୍କ କରାଇ ଦେଇଛି। ସେମାନଙ୍କର କହିବା କଥା ଭାରତରେ ପ୍ରବର୍ତ୍ତନ କରାହେବାକୁ ଯାଉଥିବା ‘୫-ଜି’ (‘ଫିଫ୍‌ଥ ଜେନେରେସନ’ ବା ‘ପଞ୍ଚମ ପିଢ଼ି’) ମୋବାଇଲ୍‌ ଫୋନ୍‌ ନେଟ୍‌ଵାର୍କ ନିର୍ମାଣରେ ଯଦି ହୁଆେଵର ଉପକରଣ ବ୍ୟବହୃତ ହୁଏ, ତାହା ଜାତୀୟ ନିରାପତ୍ତା ବିପନ୍ନ କରିବ। ଚୁମ୍ବକରେ କହିଲେ ‘ହୁଆେଵ’ ଏକ ଘରୋଇ କମ୍ପାନି ହୋଇଥିଲେ ହେଁ ଏହାର ଚୀନା ସାମରିକ ବାହିନୀ ସହିତ ଘନିଷ୍ଠ ସମ୍ପର୍କ ସୁବିଦିତ ଏବ˚ ଏହାର ଉପକରଣ ମାନଙ୍କରେ ଗୁପ୍ତରେ ଖଞ୍ଜା ଯାଇଥିବା ଚିପ୍‌ ମାଧୢମରେ ଇଏ ବ୍ୟବହାରକାରୀ ଦେଶରୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଗୋପନୀୟ ସୂଚନା ସ˚ଗ୍ରହ କରି ଚୀନ୍‌କୁ ପ୍ରେରଣ କରିଥାଏ।
ତେବେ ‘ହୁଆେଵ’ ପ୍ରତି ଏପରି ଲାଓକୁନ୍‌ ସୁଲଭ ଆଶଙ୍କା ପ୍ରକାଶ କରିବାରେ ଭାରତର ‘ଟିଇପିସି’ ପ୍ରଥମ ବା ଏକମାତ୍ର ପ୍ରହରୀ ନୁହେଁ। ମୋବାଇଲ୍‌ ଫୋନ୍‌ ନେଟ୍‌ଵାର୍କରେ ଯେପରି ଅଧିକରୁ ଅଧିକ ତଥ୍ୟ ବା ଡେଟା ପ୍ରବାହିତ ହେବାରେ ଲାଗିଛି, ବିଭିନ୍ନ ଦେଶର ସରକାରଙ୍କୁ ତାହା ଚିନ୍ତାରେ ପକାଇବାକୁ ଆରମ୍ଭ କରିଛି। ସେମାନେ ଆଶଙ୍କା କରୁଛନ୍ତି ଯେ ‘ହୁଆେଵ’ର ଉପକରଣ ମାନଙ୍କରେ ଲୁଚି ରହିଥିବା ଉଦ୍ଦେଶ୍ୟମୂଳକ କୋଡ୍‌ ମାଧୢମରେ ସ˚ଗୃହୀତ ସୂଚନା ଚୀନା ସରକାର କିମ୍ବା ସରକାର ସମର୍ଥିତ ହ୍ୟାକର‌୍‌ମାନଙ୍କ ହାତକୁ ଚାଲିଯିବ, ଯାହାକୁ ବ୍ୟବହାର କରି ସେମାନେ ସମ୍ପୃକ୍ତ ଦେଶରେ ବିଭିନ୍ନ ବିଭ୍ରାଟ ଘଟାଇ ପାରିବେ, ଏପରିକି ନିରାପତ୍ତା ବିପନ୍ନ କରିପାରିବେ। ଏହି ଭୟରେ କେତେକ ଛାମୁଆ ଦେଶ, ବିଶେଷକରି ଆମେରିକା ଓ ତାର କେତେକ ମିତ୍ର ରାଷ୍ଟ୍ରମାନେ ସେମାନଙ୍କ ଦେଶରେ ‘ହୁଆେଵ’ର କାୟା ବିସ୍ତାର ଉପରେ ପ୍ରତିବନ୍ଧ ଲଗାଇବା ଦେଖାଗଲାଣି। ଅଷ୍ଟ୍ରେଲିଆ ସ୍ଥାନୀୟ କମ୍ପାନି ଓ ଉଦ୍ୟୋଗମାନଙ୍କୁ ଉପକରଣ ବିକ୍ରି କରିବା ଉପରେ ‘ହୁଆେଵ’ ପ୍ରତି ନିଷେଧାଦେଶ ଲାଗୁ କରିଛି। ଚୀନ୍‌ ସହିତ ଏମିତିରେ ଅତ୍ୟନ୍ତ ସ୍ପର୍ଶକାତର ଓ ଜଟିଳ ସମ୍ପର୍କ ଥିବା ତାଇଵାନ୍‌ ମଧୢ ‘ହୁଆେଵ’ ପ୍ରତି ଅନୁରୂପ ନୀତି ଅବଲମ୍ବନ କରିଛି। ନିକଟରେ ‘ସ୍ପାର୍କ’ ନାମକ ନିଉଜିଲାଣ୍ତ୍‌ସ୍ଥିତ ଏକ ଉଦ୍ୟୋଗ ‘ହୁଆେଵ’ଠାରୁ ୫-ଜି ଯନ୍ତ୍ରପାତି କ୍ରୟ କରିବା ପାଇଁ ଅନୁମତି ଲୋଡ଼ି ସେ ଦେଶର ସରକାରଙ୍କଠାରେ ଆବେଦନ କରିଥିଲା। ନିଉଜିଲାଣ୍ତ୍‌ ସରକାର ନିରାପତ୍ତା କାରଣ ଦର୍ଶାଇ ‘ସ୍ପାର୍କ’ର ଅନୁରୋଧ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଏହାର ଅଳ୍ପ ଦିନ ପରେ ଜାପାନ ଏକ ନୂତନ ଟେଲିକମ୍‌ ନୀତି ଘୋଷଣା କରିବା ଦେଖାଯାଇଛି, ଯାହା ଅନୁସାରେ ଦୁଇ ପ୍ରମୁଖ ଚୀନା ଟେଲିକମ୍‌ କମ୍ପାନି ‘ହୁଆେଵ’ ଏବ˚ ‘ଜେଡ୍‌ଟିଇ’ ଜାପାନ୍‌ରେ ବ୍ୟବସାୟ କରିବା ନିଷିଦ୍ଧ।
‘ହୁଆେଵ’ ଅବଶ୍ୟ ତା’ ବିରୁଦ୍ଧରେ ହେଉଥିବା ଏଭଳି ଗୁପ୍ତଚର ବୃତ୍ତି ଅଭିଯୋଗକୁ ଦୃଢ଼ ଭାବରେ ଅସ୍ବୀକାର କରୁଛି। ସେମାନେ କହୁଛନ୍ତି ଯେ ଏଭଳି କାର୍ଯ୍ୟ କମ୍ପାନିର ବିସ୍ତୃତ ବ୍ୟବସାୟ ସାମ୍ରାଜ୍ୟ ପ୍ରତି ଘୋର କ୍ଷତି ପହଞ୍ଚାଇବ। ଶସ୍ତା ଇଲେକ୍ଟ୍ରୋନିକ୍‌ ସାମଗ୍ରୀ ବିକ୍ରୟରୁ ବ୍ୟବସାୟ ଆରମ୍ଭ କରିଥିବା ‘ହୁଆେଵ’ ବର୍ତ୍ତମାନ ପୃଥିବୀର ବୃହତ୍ତମ ଟେଲିକମ୍‌ ଯନ୍ତ୍ରପାତି ଯୋଗାଣକାରୀରେ ପରିଣତ ହୋଇଛି। ନିକଟରେ ଏହି କମ୍ପାନି ଆମେରିକାର ‘ଆପଲ୍‌’କୁ ପଛକୁ ଠେଲି ଦେଇ ପୃଥିବୀର ଦ୍ବିତୀୟ ବୃହତ୍ତମ ସ୍ମାର୍ଟ ଫୋନ୍‌ ବିକ୍ରେତାରେ ପରିଣତ ହୋଇଛି। ଆୟ ଅନୁସାରେ ଏହା ବର୍ତ୍ତମାନ ‘ଆଇବିଏମ୍‌’ ଓ ‘ମାଇକ୍ରୋସଫ୍‌ଟ’ ଭଳି ବିଶାଳ ଟେକ୍ନୋଲୋଜି କମ୍ପାନି ମାନଙ୍କର ସମକକ୍ଷ। ନିଜର ଏଭଳି ସମ୍ମାନଜନକ ସ୍ଥିତିକୁ ବିପଦଗ୍ରସ୍ତ କରି ‘ହୁଆେଵ’ ଚୀନ୍‌ ପାଇଁ ଗୁପ୍ତଚର ବୃତ୍ତି କରିବ ନାହିଁ ବୋଲି କମ୍ପାନି ସଫେଇ ଦେଉଛି।
ଏ ସଫେଇକୁ କିନ୍ତୁ ଆନ୍ତର୍ଜାତିକ ସମୁଦାୟ ଗ୍ରହଣ କରିବାକୁ କୁଣ୍ଠିତ। କୁଣ୍ଠାର ଏକ କାରଣ ହେଲା ‘ହୁଆେଵ’ ପ୍ରତିଷ୍ଠାତାଙ୍କ ଚୀନା ସେନାବାହିନୀ ସହିତ ଘନିଷ୍ଠ ସମ୍ପର୍କ। ପ୍ରତିଷ୍ଠାତା ରେନ୍‌ ଝେଙ୍ଗ୍‌-ଫେଇ ଏକଦା ସେନାବାହିନୀରେ କାର୍ଯ୍ୟ କରୁଥିଲେ। ଅନ୍ୟ ଏକ କାରଣ ହେଲା ଚୀନ୍‌ରେ ବଳବତ୍ତର ଥିବା ଏକ ଆଇନ ଯାହା ଅନୁସାରେ ସରକାର ଯେ କୌଣସି ଘରୋଇ ଉଦ୍ୟୋଗକୁ ରାଷ୍ଟ୍ରକୁ ସାହାଯ୍ୟ କରିବାକୁ ବାଧୢ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ୨୦୧୩ରେ ଏଡ୍‌ଵାର୍ଡ ସ୍ନୋଡେନ୍‌ କରିଥିବା ଲିକ୍‌ରୁ ଜଣାପଡ଼ିଥିଲା ଯେ ବିଦେଶରୁ ତଥ୍ୟ ସ˚ଗ୍ରହ କରିବା ପାଇଁ ଆମରିକାର ଗୁପ୍ତଚରମାନେ ଆମେରିକୀୟ ଟେକ୍ନୋଲୋଜି କମ୍ପାନିମାନଙ୍କ ଦ୍ବାରା ନିର୍ମିତ ଯନ୍ତ୍ରପାତିରେ ଗୋପନରେ ପରିବର୍ତ୍ତନ ମାନ ଘଟାଇଥାନ୍ତି। ଚୀନା ଗୁପ୍ତଚରମାନେ ଯେ ନିଶ୍ଚିତ ରୂପେ ଅନୁରୂପ କୌଶଳ ଅବଲମ୍ବନ କରୁଥିବେ, ଏହା ବିଶ୍ବାସ ନକରିବାର କୌଣସି କାରଣ ନାହିଁ। ମନେରଖିବା କଥା ଏପରି ଗୁପ୍ତଚର ବୃତ୍ତି କରିବା ପଥରେ ଚୀନ୍‌ରେ କୌଣସି ଗଣତାନ୍ତ୍ରିକ କିମ୍ବା ଆଇନଗତ ପ୍ରତିବନ୍ଧ ନାହିଁ।
ଏହି ପରିପ୍ରେକ୍ଷୀରେ ‘ଟିଇପିସି’ ଭାରତରେ ୫-ଜି ପ୍ରବର୍ତ୍ତନ କ୍ଷେତ୍ରରେ ‘ହୁଆେଵ’ର ଅନୁପ୍ରବେଶ ନେଇ ଉଦ୍‌ବିଗ୍ନତା ପ୍ରକାଶ କରିଛି। ଭାରତରେ ଟେଲିକମ୍‌ ଯନ୍ତ୍ରପାତି ବଜାରରେ ‘ହୁଆେଵ’ ବେଶ୍‌ ଆସ୍ଥାନ ଜମାଇ ସାରିଛି। ଏକ ଆକଳନ ଅନୁସାରେ ୪-ଜି ବଜାରରେ ଏହାର ଅ˚ଶ ହେଉଛି ପ୍ରାୟ ୩୦%। ସରକାର ଏଥି ପୂର୍ବରୁ ସ୍ପର୍ଶକାତର ଇଲାକାରେ ଚୀନା ଯନ୍ତ୍ରପାତି ବ୍ୟବହାର ନକରିବା ପାଇଁ ‘ବିଏସ୍‌ଏନ୍‌ଏଲ୍‌’ ଭଳି ସରକାରୀ ଟେଲିଫୋନ୍‌ କମ୍ପାନିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ମଧୢ ସେନାବାହିନୀ ଯୋଗାଯୋଗ ବ୍ୟବସ୍ଥାରେ ଚୀନା ଯନ୍ତ୍ରପାତି ବ୍ୟବହାର ଉପରେ କଟକଣା ଜାରି କରିଛି। ଏହା ସତ୍ତ୍ବେ ଏବେ ସରକାରଙ୍କର ଟେଲିକମ୍‌ ବିଭାଗ ୫-ଜି ପରୀକ୍ଷା ମୂଳକ ଟ୍ରାଏଲ୍‌ରେ ଅ˚ଶ ଗ୍ରହଣ କରିବାକୁ ‘ହୁଆେଵ’କୁ ସପ୍ରଶଂସ ଆମନ୍ତ୍ରଣ କରିବା ପ୍ରକାଶ ପାଇଛି। ଏହା ଯଦି ଶେଷରେ ବାସ୍ତବତାରେ ପରିଣତ ହୁଏ ଟେଲିକମ୍‌ ବିଭାଗର କାଠ ଘୋଡ଼ା ପ୍ରୀତି ଯୋଗୁ ଭାରତକୁ ଶେଷରେ ଟ୍ରଏର ଦଶା ଭୋଗିବାକୁ ପଡ଼ିପାରେ।

ସମ୍ବନ୍ଧିତ ଖବର