ଋଣଛାଡ଼ ମହୌଷଧି ନୁହେଁ

ଫେବ୍ରୁଆରି ୨୯, ୨୦୦୮ରେ ତତ୍କାଳୀନ କ˚ଗ୍ରେସ ନେତୃତ୍ବାଧୀନ ୟୁପିଏ ସରକାରର ଅର୍ଥମନ୍ତ୍ରୀ ପି.ଚିଦମ୍ବରମ୍‌ ଦେଶବ୍ୟାପୀ ଚାଷୀଙ୍କ ପାଇଁ ଏକକାଳୀନ କୃଷି ଋଣ ଛାଡ଼ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ପ୍ରାୟ ୪ କୋଟି ୩୦ ଲକ୍ଷ ଚାଷୀ ୭୧ ହଜାର କୋଟି ଟଙ୍କାରୁ ଅଧିକ ଋଣ ବୋଝରୁ ମୁକ୍ତି ପାଇଥିଲେ। ପୂର୍ବରୁ ୧୯୯୦ରେ ଭି.ପି. ସି˚ହ ସରକାର ପ୍ରାୟ ୧୦ ହଜାର କୋଟି ଟଙ୍କାର କୃଷି ଋଣ ଛାଡ଼ କରିଥିଲେ। ଏଥିରୁ ରାଜନୈତିକ ଫାଇଦା ନେବାପାଇଁ ସରକାର ତିଷ୍ଠି ପାରି ନଥିଲା। ୟୁପିଏ ମେଣ୍ଟକୁ କିନ୍ତୁ ଋଣ ଛାଡ଼ରୁ ରାଜନୈତିକ ଫାଇଦା ମିଳିଥିଲା। ୨୦୦୯ରେ ପୁଣି ନିର୍ବାଚନ ଜିଣି କ୍ରମାଗତ ଦ୍ବିତୀୟ ପାଳି ପାଇଁ ୟୁପିଏ କ୍ଷମତାକୁ ଆସିଥିଲା। ସେହିଦିନଠାରୁ ଭୋଟ ଅମଳ ପାଇଁ ଋଣ ଛାଡ଼ ଏକ ପ୍ରଭାବଶାଳୀ ଆୟୁଧ ହୋଇ ରହିଆସିଛି। ପ୍ରଧାନମନ୍ତ୍ରୀ ଋଣ ଛାଡ଼କୁ ନୀତିଗତ ଭାବେ ବିରୋଧ କରି ଆସୁଛନ୍ତି। ଅଥଚ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ଭୋଟ ପାଇଁ ସେ ଖୋଦ୍‌ କୃଷି ଋଣ ଛାଡ଼ର ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟରେ ନିର୍ବାଚିତ ହୋଇ କ୍ଷମତାକୁ ଆସିବା ପରେ ଯୋଗୀ ଆଦିତ୍ୟ ନାଥଙ୍କ ବିଜେପି ସରକାର ଆ˚ଶିକ ଭାବେ ହେଲେ ସୁଦ୍ଧା କୃଷି ଋଣ ଛାଡ଼ ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିଛନ୍ତି। ଅନ୍ୟତମ ବିଜେପି ଶାସିତ ରାଜ୍ୟ ମହାରାଷ୍ଟ୍ରରେ ମଧୢ ମୁଖ୍ୟମନ୍ତ୍ରୀ ଫଡ୍‌ନାବିସ କୃଷି ଋଣ ଛାଡ଼ କାର୍ଯ୍ୟକାରୀ କରିଛନ୍ତି। ତାମିଲନାଡୁ, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ମଧୢ ସେଠାକାର ସରକାରମାନେ କୃଷି ଋଣ ଛାଡ଼ କରି ଦୁର୍ଦଶାଗ୍ରସ୍ତ ଚାଷୀଙ୍କୁ କିଛି ମାତ୍ରାରେ ଆଶ୍ବସ୍ତ ଦେଇଛନ୍ତି। ୨୦୧୪ରୁ ୨୦୧୮ ମଧୢରେ ଆଠଟି ରାଜ୍ୟରେ କୃଷି ଋଣ ଛାଡ଼ ହୋଇଛି।
ସଦ୍ୟ ସମାପ୍ତ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନ ପରେ କ˚ଗ୍ରେସର ପ୍ରତ୍ୟାବର୍ତ୍ତନ ପୁଣି ରାଜନୈତିକ ମହଲରେ ଏହି ଧାରଣାକୁ ଆହୁରି ଦୃଢ଼ କରିଛି ଯେ, ଭୋଟ ଅମଳର ଲକ୍ଷ୍ୟ ହାସଲ ପାଇଁ କୃଷି ଋଣ ଛାଡ଼ ଏକ ଅବ୍ୟର୍ଥ- ନିଶ୍ଚିତ ବାଣ। ଶପଥ ଗ୍ରହଣର ମାତ୍ର ଦୁଇ ଘଣ୍ଟା ପରେ ମଧୢପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ଼ ଘୋଷଣା କରିବା ପରେ କୃଷି ଋଣ ଛାଡ଼ ପାଇଁ ବସ୍ତୁତଃ ଏକ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ ହୋଇଯାଇଛି। ମଧୢପ୍ରଦେଶ ଓ ଛତିଶଗଡ଼ରେ କ˚ଗ୍ରେସ ସରକାରଙ୍କ ଋଣ ଛାଡ଼ ଘୋଷଣା ପରେ ପରେ ଆସାମର ବିଜେପି ସରକାର ମଧୢ ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଛାଡ଼ ଘୋଷଣା କରିଛନ୍ତି। ଗୁଜରାଟର ବିଜେପି ସରକାର କୃଷି ଋଣ ଛାଡ଼ କରି ନଥିଲେ ମଧୢ ଚାଷୀ ଓ ଗ୍ରାମୀଣ ପରିବାରଙ୍କ ଉପରେ ବକେୟା ବିଦ୍ୟୁତ୍‌ ଶୁଳ୍‌କ ଛାଡ଼ କରିଛନ୍ତି। ଓଡ଼ିଶାରେ ମଧୢ ଦୁଇ ପ୍ରମୁଖ ବିରୋଧୀ ଦଳ କ˚ଗ୍ରେସ ଓ ବିଜେପି କ୍ଷମତାକୁ ଆସିଲେ ଋଣ ଛାଡ଼ର ପ୍ରତିଶ୍ରୁତି ଦେଇଛନ୍ତି। କ˚ଗ୍ରେସ ଅଧୢକ୍ଷ ରାହୁଲ ଗାନ୍ଧୀ ଘୋଷଣା କରିଛନ୍ତିି ଯେ, ୨୦୧୯ ନିର୍ବାଚନ ଇସ୍ତାହାରରେ ଜାତୀୟ ସ୍ତରରେ କୃଷି ଋଣ ଛାଡ଼ ସ୍ଥାନ ପାଇବ।
କୃଷି ଋଣ ଛାଡ଼ ପ୍ରସଙ୍ଗରେ ସ˚ପ୍ରତି ଯେଉଁ ରାଜନୈତିିକ ବାତାବରଣ ସୃଷ୍ଟି ହୋଇଛି, ସେଥିରେ ଅନେକ ନିର୍ବାଚନ ମୁହାଁ ରାଜ୍ୟର ସରକାରମାନେ ଚାପରେ ଆସି କୃଷିଋଣ ଛାଡ଼ ଯୋଜନା ଘୋଷଣା କରିବାକୁ ବାଧୢ ହେବେ। ଏକ ଆକଳନ ଅନୁଯାୟୀ ୨୦୧୯ ଶେଷ ସୁଦ୍ଧା କୃଷିଚ ଋଣ ଛାଡ଼ ପାଇଁ ବିଭିନ୍ନ ରାଜ୍ୟର ତହବିଲରୁ ୫ ଲକ୍ଷ କୋଟି ଟଙ୍କା – ନିଷ୍କାସିତ ହୋଇ ସାରିଥିବ। ଋଣ ଛାଡ଼ ଜନିତ ଆର୍ଥିକ ବୋଝ ଯୋଗୁ ଅନେକ ରାଜ୍ୟର ଆର୍ଥିକ ସ୍ଥିତି ଦୋହଲି ଯାଇ ବିକାଶ ପାଇଁ ତହବିଲରେ ଟଙ୍କା ନଥିବ। ତେବେ ପ୍ରଶ୍ନ ଉଠୁଛି ଏତେ ବିପୁଳ ପରିମାଣର କୃଷିଋଣ ଛାଡ଼ କ’ଣ କୃଷିର ସା˚ପ୍ରତିକ ବିପର୍ଯ୍ୟସ୍ତ ଅବସ୍ଥା ଓ ଦୁର୍ଦଶାଗ୍ରସ୍ତ କୃଷକର ଆର୍ଥିକ ସ୍ଥିତି ତଥା ମୋଟାମୋଟି ଚାଷୀଙ୍କ ଜୀବନଧାରଣର ମାନରେ କୌଣସି ଗୁଣାତ୍ମକ ପରିବର୍ତ୍ତନ ଆଣି ପାରିବ? ଋଣ ଯନ୍ତାରେ ପଡ଼ି ହନ୍ତସନ୍ତ ହେଉଥିବା ଚାଷୀକୁଳଙ୍କୁ ପୁଣି ଥରେ ସଳଖି ଠିଆ ହେବାରେ ସହାୟତା ଲାଗି ଅବଶ୍ୟ ଋଣ ଛାଡ଼ ଜରୁରୀ। କିନ୍ତୁ କୃଷି କ୍ଷେତ୍ରକୁ ଆକ୍ରାନ୍ତ କରିଥିବା ସମସ୍ୟାର ସମାଧାନ ଲାଗି ଏହା ମହୌଷଧି କିମ୍ବା ଏକମାତ୍ର ପନ୍ଥା ନୁହେଁ। ଯଦି ରୁଗ୍‌ଣ କୃଷି କ୍ଷେତ୍ରର ପୁନରୁଦ୍ଧାର ପାଇଁ ଏହା ମହୌଷଧି ହୋଇଥାନ୍ତା, ତେବେ ୨୦୦୮ର ଋଣ ଛାଡ଼ର ଦଶ ବର୍ଷ ପରେ ପୁଣି ଋଣ ଛାଡ଼ ଆବଶ୍ୟକ ହୋଇନଥାନ୍ତା। କୃଷିଋଣ ଛାଡ଼ ସତ୍ତ୍ବେ ଗତ ଗୋଟିଏ ଦଶକ ଧରି ଚାଷୀ ଆତ୍ମହତ୍ୟାର ଦୁର୍ଭାଗ୍ୟଜନକ କ୍ରମ ଜାରି ରହିଛି। ଏହାର ଅର୍ଥ, ଋଣଛାଡ଼ ଚାଷୀଙ୍କୁ ସାମୟିକ ଆଶ୍ବସ୍ତି ଦେଇଥିଲେ ସୁଦ୍ଧା ଚାଷୀଙ୍କ ଦୁର୍ଦଶା ଓ କୃଷି କ୍ଷେତ୍ରର ସ˚କଟ ମୋଚନ ଦିଗରେ ଏହା ଆଦୌ ଯଥେଷ୍ଟ ନୁହେଁ, ଅକୁଳାଣ ସାବ୍ୟସ୍ତ ହୋଇଛିି। ବର୍ତ୍ତମାନର ନିରାଶାଜନକ ସ୍ଥିତିରୁ ଚାଷୀକୁ ମୁକୁଳାଇ ଚାଷୀଙ୍କ ଅବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନ ଲାଗି ଯଦି କିଛି ସବୁଠାରୁ ଅଧିକ ଆବଶ୍ୟକ, ତେବେ ତାହା ହେଲା ଚାଷରୁ ଚାଷୀର ଆୟ ବୃଦ୍ଧି। ଏ ନିଷ୍ଠୁର ବାସ୍ତବତାକୁ ସ୍ବୀକାର କରିବାକୁ ପଡ଼ିବ ଯେ, ବୃତ୍ତି ଭାବେ ଚାଷ ଆଉ ପୋଷାଉ ନାହିଁ।
ଏକ ବୃତ୍ତି ଭାବେ ଚାଷ କେମିତି ପୋଷାଇବ? ଅନ୍ୟଙ୍କ ମୁହଁରେ ଅନ୍ନ ଦେଉଥିବା ଅନ୍ନଦାତା ଚାଷୀ କେମିତି ନିଜ ପେଟରେ ଓଦା କନା ଦେଇ ନ ଶୋଇବ? ଏହାର ଦୁଇଟି ଅତ୍ୟନ୍ତ ସରଳ ଉତ୍ତର- (୧) ଚାଷରୁ ଆୟ ବୃଦ୍ଧି ଏବ˚ (୨) ବେଳ ଅବେଳରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷତିରୁ ସୁରକ୍ଷା। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ଘୋଷଣା କରିଛନ୍ତି। କିନ୍ତୁ ଏଥିପାଇଁ ଯୋଜନା କ’ଣ? ଆୟ ବୃଦ୍ଧି ଲାଗି କୃଷିଜାତ ସାମଗ୍ରୀ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ନୁହେଁ, ‘ଲାଭଜନକ’ ଦର ଧାର୍ଯ୍ୟ ହେବା ଦରକାର। ଦାବି କରାଯାଉଛି, ସରକାର କୃଷିଜାତ ସାମଗ୍ରୀର ସହାୟକ ମୂଲ୍ୟ ବୃଦ୍ଧି କରିଛନ୍ତି। କିନ୍ତୁ ସେହି ସହାୟକ ମୂଲ୍ୟ ଧାର୍ଯ୍ୟ ବେଳେ ସବୁୁ ଖର୍ଚ୍ଚ ଉପରେ ୫୦% ଲାଭ ପାଇଁ ଯେଉଁ ସୂତ୍ର ସୁପାରିସ କରାଯାଇଥିଲା, ତାକୁ ଗେନ୍ଦେରେଇ ଦେଇଛନ୍ତି। ଉତ୍ପାଦନ ଖର୍ଚ୍ଚର ହିସାବକୁ ବଦଳାଇ ଦେଇଛନ୍ତି। ଫଳରେ ସର୍ବନିମ୍ନ ମୂଲ୍ୟ ବୃଦ୍ଧି ସତ୍ତ୍ବେ ବିକ୍ଷୁବ୍‌ଧ ଚାଷୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧୢ ହେଉଛନ୍ତି। ସର୍ବନିମ୍ନ ସହାୟକ ମୂଲ୍ୟର ଚାଷୀ ଲାଭ ଦେଖି ପାରୁ ନାହାନ୍ତି। ପୁଣି ଏହି ସହାୟକ ମୂଲ୍ୟ କେତେ ଚାଷୀ ପାଉଛନ୍ତି? ଏନ୍‌ଏସ୍‌ଏସ୍‌ଓର ତଥ୍ୟ ଅନୁଯାୟୀ ଶହେରେ ମାତ୍ର ଛଅ ଜଣ ଚାଷୀ ସହାୟକ ମୂଲ୍ୟ ପାଉଛନ୍ତି। ୭୬% ଚାଷୀ ପରିବାର ସରକାରଙ୍କ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ ସ˚ପୂର୍ଣ୍ଣ ଅଜ୍ଞ। ଏ ପରିସ୍ଥିତିରେ ଏହା ଆଦୌ ଏକ ବିସ୍ମୟ ନୁହେଁ ଯେ, ଦେଶରେ ଉତ୍ପାଦିତ ହେଉଥିବା ୩୨% ଧାନ ଏବ˚ ୩୫% ଗହମ ସରକାରୀ ସ˚ଗ୍ରହ ବ୍ୟବସ୍ଥା ଜରିଆରେ ଖର୍ଦ୍ଦି ହୋଇଥାଏ। ଏହାର ଅର୍ଥ, ଅବଶିଷ୍ଟ ୬୫ ପ୍ରତିଶତ କୃଷି ଉତ୍ପାଦନ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସୁଦ୍ଧା ମିଳେ ନାହିଁ। ଏଥିରେ ଚାଷୀର ଆୟ ବଢ଼ିବ କେମିତି? ଚାଷ ଏକ ବୃତ୍ତି ଭାବେ ପୋଷାଇବ କେମିତି? ଉଲ୍ଲେଖ ଅନାବଶ୍ୟକ ଯେ, ଭାରତୀୟ ଚାଷୀ ପରିବାରଙ୍କ ହାରାହାରି ମାସିକ ଆୟରେ କୃଷି-ପଶୁପାଳନ ଅପେକ୍ଷା ଅଣ-କୃଷି ସୂତ୍ରରୁ ଆୟର ଭାଗ ଅଧିକ। ବିଶେଷକରି, ଦିନ ମଜୁରିଆ ଭାବେ କାମ କରି ମିଳୁଥିବା ପାରିଶ୍ରମିକ କୃଷି ପରିବାରର ହାରହାରି ଆୟର ସି˚ହଭାଗ। ପ୍ରାକୃତିକ ଦୁର୍ବିପାକ ଜନିତ କ୍ଷତିର ଭରଣା ପାଇଁ ସରକାର ଲାଗୁ କରିଥିବା ବୀମା ଯୋଜନା ବିପନ୍ନ ଚାଷୀଙ୍କ କ୍ଷତିକୁ ଭରଣା କରିବା ଅପେକ୍ଷା ବୀମା କମ୍ପାନିଙ୍କ ପାଇଁ ଅଧିକ ଲାଭଜନକ ହୋଇଛି। ବୀମା ଯୋଜନା ଦ୍ବାରା ଚାଷୀଙ୍କୁ ଆଶାଜନକ ଉପକାର ମିଳୁନାହିଁ।
ତେଣୁ କୃଷିଋଣ ଛାଡ଼ ପ୍ରସଙ୍ଗରେ ପରସ୍ପର ସହ ପ୍ରତିଯୋଗିତାରେ ମାତିବା ଅପେକ୍ଷା ରାଜନୈତିକ ଦଳ, ସରକାର, ବିଶେଷଜ୍ଞମାନେ ଚାଷୀଙ୍କ ଆୟ କେମିତି ବଢ଼ିବ, ଚାଷ କେମିତି ପୋଷାଇବ, ସେ ନେଇ ମାନସ ମନ୍ଥନ କରନ୍ତୁ। କୃଷିରେ ଅଧିକ ବିନିଯୋଗ, ଜଳସେଚନ ସମେତ ଅନ୍ୟ ଗକୃଷି ଭିତ୍ତିଭୂମିର ବିକାଶ ଓ ସହଜ ବଜାର ବ୍ୟବସ୍ଥା ଦ୍ବାରା ଏହା ସମ୍ଭବ। ସରକାର ଓ ରାଜନୈତିକ ଦଳମାନେ ଏ ଆଶଙ୍କାରୁ ମୁକ୍ତ ହେବା ଆବଶ୍ୟକ ଯେ, କୃଷିଜାତ ସାମଗ୍ରୀ ପାଇଁ ଚାଷୀଙ୍କୁ ଅଧିକ ଦର ମିଳିଲେ ଖାଦ୍ୟ ସାମଗ୍ରୀର ଦର ଦାମ ହୁହୁ ହୋଇ ବଢ଼ିଯିବ। ଏମ୍‌ଏସ୍‌ପି ବୃଦ୍ଧି ସତ୍ତ୍ବେ ନଭେମ୍ବର ୨୦୧୮ରେ ଖାଦ୍ୟ ସାମଗ୍ରୀର ମୂଲ୍ୟ (-୨.୬୧%) କମିଛି। ୨୦୧୬ ସେପ୍‌ଟେମ୍ବର ପର ଠାରୁ ସାଧାରଣ ମୁଦ୍ରାସ୍ଫୀତି ହାର ଠାରୁ ଖାଦ୍ୟ ମୂଲ୍ୟ ବୃଦ୍ଧି ହାର ଅଧିକ ହୋଇନାହିଁ। ଗତ ତିନି ବର୍ଷ ଧରି ଲଗାତାର ସ୍ବାଭାବିକ ବର୍ଷା ଯୋଗୁ କୃଷି ଉତ୍ପାଦନ ବୃଦ୍ଧି ପାଇଛି। ଅଥଚ, ଚାଷୀଙ୍କ ଆୟ ନ ବଢ଼ିବାର କାରଣ ଖାଦ୍ୟ ସାମଗ୍ରୀର ନିମ୍ନମୁଖୀ ଦର। କୃଷିରୁ କୃଷକର ଆୟ ନବଢ଼ିଲେ, ଋଣ ଛାଡ଼ ଦ୍ବାରା ଚାଷୀଙ୍କ ଆବେଗ ଉପରେ ଦଳମାନେ ଭୋଟ ଅମଳ କରୁଥିବେ ସିନା, କୃଷି ଓ କୃଷକର ଅବସ୍ଥାରେ କୌଣସି ପରିବର୍ତ୍ତନର ସମ୍ଭାବନା କ୍ଷୀଣ।

ସମ୍ବନ୍ଧିତ ଖବର