ବେନି ଦଳେ ମେଣ୍ଟ ଦଶା

ଗତ ମେ’ରେ କର୍ଣ୍ଣାଟକରେ ଜେଡି(ଏସ୍‌)- କ˚ଗ୍ରେସ ମେଣ୍ଟ ସରକାରର ଶପଥ ଗ୍ରହଣ ଅବସରରେ ୨୦୧୯ ପାଇଁ ଜାତୀୟ ସ୍ତରରେ ଏକ ବିଜେପି- ବିରୋଧୀ ମହାମେଣ୍ଟ ପାଇଁ ନକ୍ସା ପ୍ରସ୍ତୁତ ହୋଇଥିଲା। ଇତିମଧୢରେ ଆଠ ମାସ ବିତି ଯାଇଥିଲେ ମଧୢ ବିରୋଧୀଙ୍କ ପ୍ରସ୍ତାବିତ ମହାମେଣ୍ଟର ରୂପରେଖ ଚୂଡ଼ାନ୍ତ ହୋଇ ପାରି ନାହିଁ। ବର˚ କୁହାଯାଇପାରେ ଦ୍ବନ୍ଦ୍ବ, ବିଭ୍ରାନ୍ତି ମଧୢରେ ମହାମେଣ୍ଟ ଅଲ୍‌ଝି ରହିଛି। ସଦ୍ୟ ସମାପ୍ତ ତିନିଟି ରାଜ୍ୟର ବିଧାନସଭା ନିର୍ବାଚନରେ ଶାସକ ବିଜେପିଠାରୁ କ୍ଷମତା ଛଡ଼ାଇ ଆଣିବାରେ କ˚ଗ୍ରେସର ସଫଳତା ମହାମେଣ୍ଟ ଗଠନ ନେଇ ଆଶା କିଛି ମାତ୍ରାରେ ଅଧିକ ଉଜ୍ଜ୍ବଳ କରିଛି, ତାହା କିନ୍ତୁ ବାସ୍ତବାୟିତ ହୋଇ ପାରୁନାହିଁ। ନେତୃତ୍ବ ପ୍ରସଙ୍ଗରେ ସହଯୋଗୀଙ୍କ ମଧୢରେ ସହମତିର ଅଭାବ ଏବ˚ କେତେକ ଅଣ-ବିଜେପି ସମଭାବାପନ୍ନ ଦଳ, ବିଶେଷ କରି ଜାତୀୟ ରାଜନୀତି ଦୃଷ୍ଟିରୁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ଉତ୍ତର-ପ୍ରଦେଶର ଦୁଇ ପ୍ରମୁଖ ରାଜନୈତିକ ଶକ୍ତି- ସମାଜବାଦୀ ପାର୍ଟି ଏବ˚ ବହୁଜନ ସମାଜ ପାର୍ଟିର ଟାଳଟୁଳ ଆଭିମୁଖ୍ୟ ମହାମେଣ୍ଟର ସମ୍ଭାବ୍ୟ ଚିତ୍ରକୁ ଅଧିକ ଅସ୍ପଷ୍ଟ କରିଦେଉଛି।

ଏହି ପୃଷ୍ଠଭୂମିରେ ଏକ ଗୁରୁତ୍ବପୂର୍ଣ୍ଣ ଘଟଣାକ୍ରମରେ ଶାସକ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ମେଣ୍ଟର ଅନ୍ୟତମ ଅ˚ଶୀଦାର ରାଷ୍ଟ୍ରୀୟ ଲୋକ ସମତା ପାଟିର୍ (ଆର‌୍‌ଏଲ୍‌ଏସ୍‌ପି) ଶିବିର ବଦଳାଇ କ˚ଗ୍ରେସ ନେତୃତ୍ବାଧୀନ ମେଣ୍ଟରେ ସାମିଲ ହୋଇଛି।  ବିଜେପିର ମୁକାବିଲା ପାଇଁ ବିକଳ୍ପ ଭାବେ ଗୋଟିଏ ଶକ୍ତିଶାଳୀ ମେଣ୍ଟ ଗଠନ ଦିଗରେ ପ୍ରୟାସରତ ସର୍ବପୁରାତନ ଦଳ ପକ୍ଷରେ ଏହା ନିଶ୍ଚୟ ଏକ ଉଲ୍ଲେଖନୀୟ ଉପଲବ୍‌ଧି। ମୋଦୀ ସରକାରର ମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଉପେନ୍ଦ୍ର କୁଶଵାହା ନିଜ ଦଳ ଆର‌୍‌ଏଲ୍‌ଏସ୍‌ପିକୁ ମହାମେଣ୍ଟରେ ସାମିଲ କରାଇବା ଫଳରେ ରାଜନୈତିକ ଦୃଷ୍ଟିରୁ ଅନ୍ୟତମ ଗୁରୁତ୍ବପୂର୍ଣ୍ଣ ରାଜ୍ୟ ବିହାରରେ ସମୀକରଣ ବଦଳି ଯାଇଛି। ବିରୋଧୀଙ୍କ ପାଇଁ ଏହା ଯେତେ ଲାଭ, ବିଜେପି ପାଇଁ ତା’ଠୁ ଅଧିକ କ୍ଷତି। ଚଉଦ ନିର୍ବାଚନରେ ଆର‌୍‌ଏଲ୍‌ଏସ୍‌ପି ପ୍ରତିଦ୍ବନ୍ଦ୍ବିତା କରିଥିବା ତିନିଟି ଯାକ ଲୋକସଭା ଆସନରେ ବିଜୟୀ ହୋଇଥିଲା। ଜାତିଆଣ ରାଜନୀତିର ଖୋଲା ମଇଦାନ କୁହାଯାଉଥିବା ବିହାରରେ ଏକ ନିର୍ଦ୍ଦିଷ୍ଟ କୃଷିଜୀବୀ ଜାତି ଏହି ଦଳର ମୁଖ୍ୟ ଜନାଧାର। ବିଧାନସଭା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିବା ୨୩ଟି ଆସନରୁ କୁଶଵାହାଙ୍କ ଦଳ ମାତ୍ର ତିନିଟିରେ ବିଜୟୀ ହୋଇଥିଲେ ମଧୢ ୨୭.୫୦% ଭୋଟ ପାଇଥିଲା। ରାଜ୍ୟସ୍ତରରେ ଆର‌୍‌ଏଲ୍‌ଏସ୍‌ପିର ଭୋଟ ଭାଗ ୨.୫୬%। ବିହାରର ୪୦ଟି ଲୋକସଭା ଆସନ ମଧୢରୁ ୨୦ଟି ଆସନରେ ଦଳକୁ ସମର୍ଥନ କରୁଥିବା ଜାତିର ମତଦାତାମାନେ ଫଳାଫଳକୁ ପ୍ରଭାବିତ କରିବାର ସାମର୍ଥ୍ୟ ରଖନ୍ତି। ରାଷ୍ଟ୍ରୀୟ ଜନତା ଦଳ (ଆର‌୍‌ଜେଡ଼ି) -କ˚ଗ୍ରେସର ଯାଦବ+ମୁସଲିମ୍‌ ସହ କୁଶଵାହା ସ˚ପ୍ରଦାୟର ମତଦାତାଙ୍କ ମିଶ୍ରଣ ବିଜେପି-ଜେଡି(ୟୁ) ମେଣ୍ଟ ପାଇଁ ଆହ୍ବାନ ଦେବ।  ଏହା ସହ ମହାଦଳିତଙ୍କ ମଧୢରେ ସମର୍ଥନ ଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ୍‌ ରାମ ମାଝୀଙ୍କ ଏଚଏଏମ୍‌ ମଧୢ ମହାମେଣ୍ଟରେ ସାମିଲ ହେବା ରାଜ୍ୟରେ ବିରୋଧୀଙ୍କ ପଲାକୁ ଭାରି କରିଛି।

ତେବେ, ବିହାରରେ ମହାମେଣ୍ଟକୁ ମିଳିଥିବା ଏ ସଫଳତା, ଉତ୍ତର-ପ୍ରଦେଶରେ ବିଏସ୍‌ପି ଓ ଏସ୍‌ପିର ଟାଳଟୁଳ ଜନିତ କ୍ଷତିକୁ ଭରଣା କରିବା ଲାଗି ଯଥେଷ୍ଟ ନୁହେଁ। ତିନିଟି ରାଜ୍ୟରେ କ˚ଗ୍ରେସର ବିଜୟ ପରେ ସରକାର ଗଠନରେ ଅଖିଳେଶ ଓ ମାୟାବତୀ ସର୍ବପୁରାତନ ଦଳକୁ ସମର୍ଥନ ଦେଲେ। ଅଥଚ, ୟୁପିରେ କ˚ଗ୍ରେସକୁ ବାଦ୍‌ ଦେଇ ଏକତରଫା ଭାବେ ଲୋକସଭା ଆସନ ବାଣ୍ଟି ନେଇଛନ୍ତି; ଯାହାକୁ ଗ୍ରହଣ କରିନେବା ରାହୁଲ ଗାନ୍ଧୀଙ୍କ ପକ୍ଷରେ ସମ୍ଭବ ହୋଇ ନପାରେ।  ସୋନିଆ ଓ ରାହୁଲଙ୍କ ପାଇଁ ଦୁଇଟି ଆସନ- ରାଏବରେଲି ଓ ଆମେଥିକୁ ଛାଡ଼ି ଦେଇ ବିଏସ୍‌ପି (୩୮) ଓ ଏସ୍‌ପି (୩୭) ୭୫ଟି ଆସନ ବାଣ୍ଟି ନେଇଛନ୍ତି। ଅଜିତ୍‌ ସି˚ହଙ୍କ ରାଷ୍ଟ୍ରୀୟ ଲୋକ ଦଳ (ଆରଏଲ୍‌ଡି)କୁ ତିନିଟି ଆସନ ଭାଗ ଦେଇଛନ୍ତି। ଏ ପ୍ରକାର ଏକତରଫା ଆସନ ଭାଗବଣ୍ଟା କେବଳ ବିରୋଧୀ ଶିବିରରେ ଏକତାର ଭାବନାକୁ ନୁହେଁ, ନିର୍ବାଚନରେ ମହାମେଣ୍ଟର ସମ୍ଭାବନାକୁ ମଧୢ ପ୍ରଭାବିତ କରିବା ଆଶଙ୍କା ରହିଛି। ବିଜେପିର କଡ଼ା ମୁକାବିଲା ପାଇଁ ଏହା ଆଦୌ ଏକ ଶୁଭ ସ˚କେତ ନୁହେଁ। ନିଃସନ୍ଦେହ, ଉତ୍ତର ପ୍ରଦେଶରେ ବିଏସ୍‌ପି ଓ ଏସ୍‌ପି ଦୁଇ ପ୍ରମୁଖ ରାଜନୈତିକ ଶକ୍ତି। ଏହି ଦୁଇ ଦଳର ମିଳିତ ଶକ୍ତିର ମୁକାବିଲା ପାଇଁ ଯେ ବିଜେପିର ସାମର୍ଥ୍ୟ ଅକୁଳାଣ, ଏହା ଗୋରଖପୁର ଓ ଫୁଲପୁର ଲୋକସଭା ଆସନର ଉପ-ନିର୍ବାଚନରେ ପ୍ରମାଣିତ ହୋଇ ସାରିଛି। କିନ୍ତୁ ସେହି ସଫଳତା ପଛରେ କ˚ଗ୍ରେସ ସମର୍ଥନର ଭୂମିକାକୁ ଅସ୍ବୀକାର କରାଯାଇ ନପାରେ। ଚଉଦ ଫଳାଫଳକୁ ବିଚାର କଲେ ବିଏସ୍‌ପି (୧୯.୭୭%), ଏସ୍‌ପି (୨୨.୩୫%)ର ମିଳିତ ଭୋଟ ଶତା˚ଶ ୪୨%। ଏଥିରେ ଯଦି କ˚ଗ୍ରେସର ୭.୫୩% ମିଶେ, ତେବେ ମିଳିତ ଭୋଟ ଶତା˚ଶ ୪୯%କୁ ଡେଇଁ ଯାଉଛି। ଅନ୍ୟ ପକ୍ଷରେ ବିଜେପି ଓ ସହଯୋଗୀଙ୍କ ଭୋଟ ଶତା˚ଶ ୪୩.୬୪%। ଭୋଟର ଏହି ଗଣିତରୁ ସ୍ପଷ୍ଟ ଯେ, ବିଏସ୍‌ପି+ଏସ୍‌ପି ମେଣ୍ଟ ଅପେକ୍ଷା ବିଏସ୍‌ପି+ଏସ୍‌ପି+କ˚ଗ୍ରେସର ମିଳିତ ଶକ୍ତି ବିଜେପିକୁ ରୋକିବାରେ ସଫଳ ହେବା ସମ୍ଭାବନା ଅଧିକ। କୁଶଵାହାଙ୍କ ଯୋଗଦାନ ଫଳରେ ବିହାରରେ ମହାମେଣ୍ଟର ସ˚ପ୍ରସାରଣ ବିରୋଧୀ ଶିବିର ପାଇଁ ଏକ ସକାରାତ୍ମକ ସ˚କେତ ଦେଉଥିବା ବେଳେ ୟୁପିରେ ବିଏସ୍‌ପି-ଏସ୍‌ପିର ଏକଚାଟିଆ ମନୋଭାବ ଏକ ନକାରାତ୍ମକ ସ˚କେତ ଦେଉଛି। ଏହା ପ୍ରତିପକ୍ଷ ବିଜେପିକୁ ସୁହାଇପାରେ। ମେଣ୍ଟ ନେଇ କ˚ଗ୍ରେସର ସମସ୍ୟା କେବଳ ୟୁପିରେ ସୀମିତ ନୁହେଁ, ଦିଲ୍ଲୀରେ ‘ଆପ୍‌’ ସହ କଥାବାର୍ତ୍ତା ଚାଲିଥିଲେ ମଧୢ କୌଣସି ବୁଝାମଣାର ଆଶା କ୍ଷୀଣ। ଅନ୍ୟ ଅଣ-ବିଜେପି ଆଞ୍ଚଳିକ ଦଳଙ୍କୁ ମହାମେଣ୍ଟ ପତାକା ତଳକୁ ଆଣିବାରେ କ˚ଗ୍ରେସର କସରତ ସଫଳ ହୋଇ ପାରିନାହିଁ।

ଚଉଦ ପରବର୍ତ୍ତୀ ଦୃଶ୍ୟପଟରେ ମେଣ୍ଟ ନେଇ କ˚ଗ୍ରେସର ସମସ୍ୟା କିଛି ନୂଆ ନୁହେଁ। କିନ୍ତୁ ବେନି ଜନେ ପଡ଼ିଅଛି ସମଦଶା ନ୍ୟାୟରେ ପ୍ରତିିପକ୍ଷ ବିଜେପି ମଧୢ ମେଣ୍ଟ ନେଇ ବେଶ୍‌ ଅଡ଼ୁଆରେ ଛନ୍ଦି ହୋଇଛି। ବିଶେଷକରି, ପାରମ୍ପରିକ ହିନ୍ଦୁତ୍ବ ଗଡର ତିନିଟି ରାଜ୍ୟରେ ପରାଜୟର ମୁହଁ ଦେଖିବା ପରେ ମେଣ୍ଟ ନେଇ ବିଜେପିର ସମସ୍ୟା ବଢ଼ିଯାଇଛି। ଚଉଦ ଅପେକ୍ଷା ଊଣେଇଶରେ ବିଜେପି ଅଧିକ ସହଯୋଗୀ ଆବଶ୍ୟକ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ସହଯୋଗୀ ହାତ ଛାଡୁଛନ୍ତି। ପିଡିପି ଓ ତେଲୁଗୁଦେଶମ୍‌ ପୂର୍ବରୁ ବିଜେପିର ହାତ ଛାଡ଼ିଥିଲେ। ବିହାରରେ କୁଶଵାହା ଛାଡ଼ିବା ପରେ ରାମ ବିଳାସ ପାଶଵାନଙ୍କ ଲୋକଜନଶକ୍ତି ପାର୍ଟି ମଧୢ ହାତ ଛାଡ଼ିବା ନେଇ ଧମକ ଦେଉଛି। ବିଜେପି ଓ ଅନ୍ୟ ସହଯୋଗୀଙ୍କ ମଧୢରେ ବିବାଦର ମଞ୍ଜି ହେଲା ଆସନ ଭାବବଣ୍ଟା। ବିଜେପିର ମୁଖ୍ୟ ସହଯୋଗୀ ଜେଡି(ୟୁ)ର ଅଧିକ ଆସନ ପାଇଁ ଦାବି ଓ ଅନ୍ୟ ସହଯୋଗୀଙ୍କ ଦାବି ମଧୢରେ ଭାରସାମ୍ୟ ରକ୍ଷା କରିବା ବିଜେପି ପକ୍ଷରେ ସହଜ ହେଉ ନାହିଁ। ଚଉଦରେ ଜେଡି(ୟୁ) ଏନ୍‌ଡିଏରେ ଅ˚ଶୀଦାର ନଥିଲା। ମହାରାଷ୍ଟ୍ର ଓ ପଞ୍ଜାବରେ ମଧୢ ଆସନ ଭାଗବଣ୍ଟା ନେଇ ପୁରୁଣା ସହଯୋଗୀ ଯଥାକ୍ରମେ ଶିବସେନା ଓ ଅକାଳୀ ଦଳ ସହ ଆସନ ଭାଗବଣ୍ଟା ଛିଡ଼ୁନାହିଁ। ଛୋଟ ସହଯୋଗୀମାନେ ମୂଲଚାଲରେ ଅଧିକ ଭାଉ ହାଙ୍କିବାର କାରଣ, ତିନିଟି ରାଜ୍ୟରେ ପରାଜୟ ପରେ ଦଳର ସ୍ଥିତି ଦୁର୍ବଳ ପଡ଼ିଯାଇଛି ବୋଲି ଏକ ଧାରଣା ସୃଷ୍ଟି ହୋଇଛି। ଅବଶ୍ୟ ଏ ଧାରଣା ପଛରେ କେବଳ ସଦ୍ୟତମ ପରାଜୟ ନୁହେଁ, କେତେକ ଗୁରୁତ୍ବପୂର୍ଣ୍ଣ ରାଜ୍ୟରେ ବିଜେପିର ପୂର୍ବ ପ୍ରଦର୍ଶନର ପୁନରାବୃତ୍ତି ନେଇ ଆଶଙ୍କା ମଧୢ ଦାୟୀ। ବିଜେପି ହାରିଥିବା ତିନିଟି ରାଜ୍ୟରେ ଚଉଦରେ ଦଳ ୬୫ରୁ ୬୨ଟି ଆସନ ପାଇଥିଲା। ଏଥର ଏହି ସ˚ଖ୍ୟା ବଜାୟ ରହିବା ସମ୍ଭାବନା କ୍ଷୀଣ। ଉତ୍ତର ପ୍ରଦେଶରେ ୮୦ରୁ ୭୧ଟି ଲୋକସଭା ଆସନ ବିଜେପି ଖାତାକୁ ଯାଇଥିଲା। ଏଥର ବିଏସ୍‌ପି ଓ ଏସ୍‌ପି ଏକାଠି ଲଢ଼ିଲେ ବିଜେପି ହାତରୁ ୫୦ଟି ଆସନ ଖସିଯିବା ଆଶଙ୍କା ଦେଖା ଦେଇଛି। ବିଏସ୍‌ପି-ଏସ୍‌ପି ମେଣ୍ଟରେ କ˚ଗ୍ରେସ ସାମିଲ ହେଲେ ହିନ୍ଦୁତ୍ବ ଦଳ ପାଇଁ ସ୍ଥିତି ଆହୁରି ବିଗିଡ଼ି ଯାଇପାରେ। ବିହାରରେ ମଧୢ ବର୍ତ୍ତମାନ ସ୍ଥିତିରେ ଚଉଦର ୨୦ ଆସନରେ ସଫଳତାର ପୁନରାବୃତ୍ତି ଆଶା କ୍ଷୀଣ। ଏ ଭଳି ସ୍ଥିତିରେ ବିଜେପି ଏଥର ଏକାକୀ ସ˚ଖ୍ୟା ଗରିଷ୍ଠତା ସ˚ଖ୍ୟା ଛୁଇଁ ନପାରେ। ଫଳରେ ସହଯୋଗୀଙ୍କ ଉପରେ ଏଥର ବିଜେପି ପୂର୍ବାପେକ୍ଷା ଅଧିକ ନିର୍ଭରଶୀଳ। ରାଜନୈତିକ ବାଧୢବାଧକତା ଦୃଷ୍ଟିରୁ ବିଜେପି ନେତୃତ୍ବ ଆଉ ଅଧିକ ସହଯୋଗୀଙ୍କୁ ହରାଇ ପାରିବେ ନାହିଁ। ତେବେ, ପ୍ରଶ୍ନ ହେଲା, ସହଯୋଗୀଙ୍କ ସ୍ବାର୍ଥ ଓ ଦଳର ସ୍ବାର୍ଥ ମଧୢରେ  ଭାରସାମ୍ୟ ରକ୍ଷା କରି କେମିତି  ସହଯୋଗୀଙ୍କୁ ଧରି ବିଜେପି ମିଳିତ ଭାବେ  ବିରୋଧୀଙ୍କ ମୁକାବିଲା କରିବ? କେବଳ ବିଜେପି ପାଇଁ ନୁହେଁ, ଏ ପ୍ରଶ୍ନ କ˚ଗ୍ରେସ ପ୍ରତି ମଧୢ  ପ୍ରଯୁଜ୍ୟ। ଲେଡି ଗୁଡ଼ କହୁଣିକୁ ବହିଯିବା ପୂର୍ବରୁ ଦୁଇ ଜାତୀୟ ଦଳର ନେତୃବୃନ୍ଦଙ୍କୁ ମେଣ୍ଟ ଅଡ଼ୁଆ ତୁଟାଇବାକୁ ପଡ଼ିବ।  ମେଣ୍ଟ ଅଡ଼ୁଆ ତୁଟାଇବାରେ ଯେଉଁ ଦଳ ଯେତିକି ସଫଳ ହେବ, ଊଣେଇଶ ଲଢେ଼ଇ ପାଇଁ ସେହି ଦଳ ସେତିକି ଅଧିକ ଭଲ ସ୍ଥିତିରେ ରହିବ।

ସମ୍ବନ୍ଧିତ ଖବର