‘କାଳିଆ’- ଏକ ନୂଆ ପ୍ରୟୋଗ

ସ˚ପ୍ରତି ଭାରତୀୟ କୃଷି ସମ୍ମୁଖୀନ ହୋଇଥିବା ସଙ୍କଟର ସମାଧାନ ଓ କୃଷକଙ୍କ ଦୁର୍ଦଶାର ମୋଚନ ଲାଗି କୃଷି ଋଣ ଛାଡ଼ ମହୌଷଧି ନୁହେଁ କି ଏକମାତ୍ର ପନ୍ଥା ନୁହେଁ। ଏ ନେଇ କୃଷିଜୀବୀ, ବୃଦ୍ଧିଜୀବୀ, ବିଶେଷଜ୍ଞ ଓ ରାଜନୈତିକ ମହଲରେ ସହମତି ରହିଛି। ତଥାପି ଦେଶରେ କୃଷି ଋଣ ଛାଡ଼ର ଋତୁ ଚାଲିଛି। ଦଳ ନିର୍ବିଶେଷରେ ବିଭିନ୍ନ ରାଜ୍ୟର ସରକାରଙ୍କ ମଧୢରେ ‘ଋଣ ଛାଡ଼’ର ପ୍ରତିଦ୍ବନ୍ଦ୍ବିତା ଚାଲିଛି। ଆଗାମୀ ଊଣେଇଶ ଭୋଟକୁ ଆଖି ଆଗରେ ରଖି ରାଜନୈତିକ ଦଳଙ୍କ ଭିତରେ ବି ଋଣଛାଡ଼ ନେଇ ପ୍ରତିଦ୍ବନ୍ଦ୍ବିତା ମୂଳକ ପ୍ରତିଶ୍ରୁତି ଦିଆଚାଲିଛି। ଋଣ ଛାଡ଼ ପ୍ରସଙ୍ଗରେ ଏକ ବିରୋଧାଭାସ ମଧୢ ଉଲ୍ଲେଖର ଅପେକ୍ଷା ରଖୁଛି; ଯାହା ଏ ପ୍ରସଙ୍ଗର ଏକ ବିଡ଼ମ୍ବିତ ଦିଗ। ଗୋଟିଏ ପକ୍ଷରେ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଋଣ ଛାଡ଼କୁ ବିରୋଧ କରି ଆସୁଛନ୍ତି। ଅଥଚ, ଅନ୍ୟପକ୍ଷରେ ରାଜ୍ୟଗୁଡ଼ିକରେ ଶାସନରେ ଥିବା ଦଳର ସରକାରମାନେ ଋଣଛାଡ଼ କାର୍ଯ୍ୟକାରୀ କରୁଛନ୍ତିି। ପୁଣି ଯେଉଁ ରାଜ୍ୟରେ ଦଳ ସରକାରରେ ନାହିଁ, ସେଠାରେ କ୍ଷମତାକୁ ଆସିଲେ ଋଣଛାଡ଼ର ପ୍ରତିଶ୍ରୁତି ଦେଉଛି। ତେବେ ଏକ ବ୍ୟତିକ୍ରମ ସ୍ବରୂପ ଓଡ଼ିଶା ଋଣଛାଡ଼ର ଏହି ଧାରାରେ ବହି ନ ଯାଇ ଚାଷର ବିକାଶ ଓ ଚାଷୀର କଲ୍ୟାଣ ଲକ୍ଷ୍ୟରେ ଏକ ବିକଳ୍ପ ପନ୍ଥା ଗ୍ରହଣ କରିଛି। ଏହି ବିକଳ୍ପ ପନ୍ଥାକୁ ଏକ ନୂଆ ପ୍ରୟୋଗ କହିବା ବୋଧହୁଏ ଅଧିକ ପ୍ରାସଙ୍ଗିକ ହେବ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧୢକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍‌ ‘ଋଣଛାଡ଼’ର ବିକଳ୍ପ ସ୍ବରୂପ ୧୦,୦୮୦ କୋଟି ଟଙ୍କାର ‘କାଳିଆ’ (କୃଷକ ଆସିସଷ୍ଟାନ୍ସ ଫର ଲାଇଭଲିହୁଡ ଆଣ୍ତ୍‌ ଇନ୍‌କମ୍‌ ଅଗ୍‌ମେଣ୍ଟେସନ୍‌) ଯୋଜନାକୁ ଅନୁମୋଦନ କରିଛି। ତେଲେଙ୍ଗାନାର ଟିଆର‌୍‌ଏସ୍‌ ସରକାରଙ୍କ ‘ରୟତ ବନ୍ଧୁ’ ଯୋଜନାର ଛାୟାରେ ‘କାଳିଆ’ ପ୍ରସ୍ତୁତ ହୋଇଥିଲେ ସୁଦ୍ଧା କୃଷି ଉପରେ ଜୀବିକା ପାଇଁ ନିର୍ଭରଶୀଳ ଉଭୟ କୃଷକ ଓ ଶ୍ରମିକଙ୍କୁ ଜୀବିକା ସହାୟତା ଓ ସେମାନଙ୍କ ଆୟ ବୃଦ୍ଧି ସକାଶେ ଯୋଜନାରେ ଏମିତି କିଛି ବିଶେଷତ୍ବ ରହିଛି; ଯାହା ‘କାଳିଆ’କୁ ଏକ ନୂଆ ପରୀକ୍ଷାର ମାନ୍ୟତା ଦେଉଛି। କୃଷି ସହ ଯୋଡ଼ି ହୋଇଥିବା ସର୍ବାଧିକ ସ˚ଖ୍ୟକ ପରିବାର ‘କାଳିଆ’ର ଅନ୍ତର୍ଭୁକ୍ତ ହେବେ। ଯୋଜନାର ନାମକରଣ ପଛରେ ଯାହାବି ଉଦ୍ଦେଶ୍ୟ ଥାଉ, ‘କାଳିଆ’ ନାମ ଚାଷୀଙ୍କ ମଧୢରେ ଯୋଜନା ନେଇ ବ୍ୟାପକ ସଚେତନତା ସୃଷ୍ଟି କରିବାରେ ନିଶ୍ଚୟ ସହାୟକ ହେବ। ‘କୃଷି ଋଣ ଛାଡ଼’ ହୋଇଥିଲେ ଗ୍ରାମାଞ୍ଚଳର ଯେତିକି ପରିବାର ଉପକୃତ ହୋଇଥାନ୍ତେ, ତା’ଠାରୁ ଚାରିଗୁଣ ଅଧିକ କୃଷି ସହ ଯୋଡ଼ି ହୋଇଥିବା ପରିବାରଙ୍କୁ ‘କାଳିଆ’ ସହାୟକ ହୋଇପାରେ। ରାଜ୍ୟର ୩୨ ଲକ୍ଷ ଚାଷୀଙ୍କ ମଧୢରୁ ୨୦ ଲକ୍ଷ ଚାଷ ପାଇଁ ଋଣ ନେଇଥାନ୍ତି। ସେମାନଙ୍କ ମଧୢରୁ ୧୨ ଲକ୍ଷ ନିୟମିତ ଋଣ ପରିଶୋଧ କରୁଥିବା ବେଳେ ଅବଶିଷ୍ଟ ଆଠଲକ୍ଷ ଋଣ ପରିଶୋଧ କରି ନ ପାରି ଖିଲାପୀ ଥିଲେ। ଋଣଛାଡ଼ ଦ୍ବାରା ଏହି ଆଠଲକ୍ଷ ଚାଷୀଙ୍କ ପରିବାର ଉପକୃତ ହୋଇଥାନ୍ତେ। କିନ୍ତୁ ‘କାଳିଆ’ ଯୋଜନାରେ ପୂର୍ବୋକ୍ତ ଋଣ ପରିଶୋଧ କରିପାରି ନଥିବା ଆଠ ଲକ୍ଷ ଚାଷୀଙ୍କ ସମେତ ନିୟମିତ ଋଣ ପରିଶୋଧ କରୁଥିବା ୧୨ ଲକ୍ଷ ଏବ˚ ଆଦୌ ଋଣ ନେଉନଥିବା ଆଠଲକ୍ଷ ଚାଷୀ ପରିବାର ମଧୢ ଉପକୃତ ହେବେ। ‘କାଳିଆ’ ଯୋଜନାରେ ପ୍ରତ୍ୟେକ ଚାଷୀ ପରିବାରଙ୍କୁ ଆଗାମୀ ତିନିବର୍ଷରେ ପାଞ୍ଚଟି ଖରିଫ ଓ ରବି ପାଇଁ ଫସଲ ପିଛା ପାଞ୍ଚହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ। ଅର୍ଥାତ୍‌ ପ୍ରତ୍ୟେକ ଚାଷୀ ପରିବାର ବାର୍ଷିକ ଦଶ ହଜାର ଟଙ୍କା ସହାୟତା ପାଇବେ। କୃଷି ଋଣ ଛାଡ଼ ବିରୋଧରେ ପୂର୍ବତନ ରିଜର୍ଭ ବ୍ୟାଙ୍କ୍‌ ଗଭର୍ଣ୍ଣର ରଘୁରାମ ରାଜନ୍‌ଙ୍କ ଗୋଟିଏ ଯୁକ୍ତି ହେଲା, କେବଳ ଧରାଧରି କରିପାରୁଥିବା ସ୍ବଳ୍ପସ˚ଖ୍ୟକ ‘ପାରିବାବାଲା’ ଋଣଛାଡ଼ର ଫାଇଦା ଉଠାଇଥାନ୍ତି। କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାର ଲାଭ ପାଇବାରୁ ବଞ୍ଚିତ ହୋଇଥାନ୍ତି। ସମ୍ଭବତଃ ଓଡ଼ିଶା ସରକାର ରଘୁରାମ ରାଜନଙ୍କ ଏହି ଯୁକ୍ତିକୁ ଗୁରୁତ୍ବ ଦେଇ ଧରାବନ୍ଧା ‘ଋଣଛାଡ଼’ ଧାରାରେ ନଯାଇ ଏକ ବିକଳ୍ପ ଭାବେ ‘କାଳିଆ’କୁ ଗ୍ରହଣ କରିଛନ୍ତି। ଓଡ଼ିଶାର ଚାଷୀଙ୍କ ମଧୢରେ ଦୁଇ ଏକରରୁ କମ୍‌ ଜମି ଥିବା ଚାଷୀଙ୍କ ସ˚ଖ୍ୟା ସର୍ବାଧିକ। ଏହି ଯୋଜନାର ୯୨ ପ୍ରତିଶତ ଚାଷୀ ଅନ୍ତର୍ଭୁକ୍ତ ହେଉଥିବାରୁ ରାଜ୍ୟର ସବୁ କ୍ଷୁଦ୍ର, ନାମମାତ୍ର ଓ ଭାଗଚାଷୀ ଏହାଦ୍ବାରା ଉପକୃତ ହେବେ। ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ବିନା ସୁଧରେ ‌େଯାଗାଇ ଦିଆଯିବ। ଅନୁରୂପ ଏକ ପ୍ରସ୍ତାବ ଅର୍ଥମନ୍ତ୍ରୀ ଜେଟ୍‌ଲୀ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନାହିଁ। ବିନା ସୁଧରେ ଋଣ ପ୍ରଦାନ ଯୋଗୁ କୃଷି କ୍ଷେତ୍ରରେ ବିନିଯୋଗ ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ଉତ୍ପା‌ଦନ ଓ ଉତ୍ପାଦକତା ବୃଦ୍ଧିରେ ସହାୟକ ହୋଇପାରେ।

ଏକ ନୂଆ ପ୍ରୟୋଗ ଭାବେ ‘କାଳିଆ’ର ଅନ୍ୟତମ ବିଶେଷତ୍ବ ହେଲା, ଯୋଜନାରେ ଜମିରେ ଫସଲ କରୁଥିବା ଚାଷୀଙ୍କ ସହ ଚାଷ କାର୍ଯ୍ୟରେ ଚାଷୀଙ୍କୁ ସହାୟତା କରୁଥିବା କୃଷି ଶ୍ରମିକଙ୍କୁ ମଧୢ ସାମିଲ କରାଯାଇଛି। ଭୂମିହୀନ କୃଷି ଶ୍ରମିକ ପରିବାରଙ୍କୁ କୁକୁଡ଼ା, ଛେଳି ପାଳନ ଆଦି ବିଭିନ୍ନ କୃଷି-ଆନୁଷଙ୍ଗିକ କ୍ଷେତ୍ରରେ ଜୀବିକା ସହାୟତା ବାବଦ ୧୨,୫୦୦ ଟଙ୍କା ସହାୟତାର ବ୍ୟବସ୍ଥା କରାଯାଇଛି। ଦଶ ଲକ୍ଷ ଭୂମିହୀନ ଶ୍ରମିକଙ୍କୁ ଏହି ସହାୟତା ମିଳିବ। ଏହାଛଡ଼ା ବାର୍ଦ୍ଧକ୍ୟ ଜନିତ କାରଣରୁ ହେଉ କିମ୍ବା ରୋଗରେ ଆକ୍ରାନ୍ତ ହେବା କାରଣରୁ ହେଉ, କୃଷି କାର୍ଯ୍ୟ ପାଇଁ ଅକ୍ଷମ ଚାଷୀ ଓ ଶ୍ରମିକଙ୍କ ପାଇଁ ‘କାଳିଆ’ରେ ଆର୍ଥିକ ସହାୟତାର ବ୍ୟବସ୍ଥା ହୋଇଛି। ଏ ଧରଣର ଅକର୍ମକ୍ଷମ ଚାଷୀ ଓ ଶ୍ରମିକଙ୍କ ପରିବାର ପାଇଁ ବାର୍ଷିକ ୧୦ ହଜାର ଟଙ୍କା ପ୍ରଦାନ କରାଯିବ। ପରୋକ୍ଷରେ ଏହାକୁ ଏକ ମାସିକ ୮୦୦ ଟଙ୍କାର ପେନ୍‌ସନ୍‌ ବ୍ୟବସ୍ଥା କୁହାଯାଇପାରେ। ପ୍ରାୟ ୧୦ ଲକ୍ଷ ପରିବାର ଏହା ଦ୍ବାରା ଉପକୃତ ହେବେ ବୋଲି ଆଶା କରାଯାଉଛି।

ଏହାଛଡ଼ା ‘କାଳିଆ’ ଯୋଜନାର ଆଉ ବିଶେଷ ଦିଗ ହେଲା, ଏଥିରେ କୃଷି ଉପରେ ନିର୍ଭରଶୀଳ ପରିବାର- ଉଭୟ ଚାଷୀ ଓ କୃଷି ଶ୍ରମିକଙ୍କ ସାମାଜିକ ନିରାପତ୍ତା ପ୍ରତି ଧୢାନ ଦିଆଯାଇଛି। ପ୍ରତି ଚାଷୀ ଓ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ସହ ଦୁର୍ଘଟଣା ପାଇଁ ଆଉ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁବିଧା ଦିଆଯାଇଛି।

କୌଣସି କଲ୍ୟାଣମୂଳକ ଯୋଜନାର ପ୍ରଭାବ, ଉପାଦେୟତା ତଥା ସାମାଜିକ-ଅର୍ଥନୈତିକ ପରିବର୍ତ୍ତନର ମାଧୢମ ଭାବେ ଏହାର ଆକଳନ ସକାଶେ ମାପକାଠି ସ୍ବରୂପ ଦୁଇଟି ମୌଳିକ ପ୍ରଶ୍ନର ଉତ୍ତର ଉପରେ ନିର୍ଭରଶୀଳ। ପ୍ରଥମ, ଯୋଜନାଟି ସମାଜର ଯେଉଁ ବର୍ଗ ପାଇଁ ଉଦ୍ଦିଷ୍ଟ, ସେହି ବର୍ଗର କେତେ ସ˚ଖ୍ୟକଙ୍କ ପାଖରେ ଏହାର ଲାଭ ପହଞ୍ଚୁଛି? ଦ୍ବିତୀୟ, ସ˚ପୃକ୍ତ ବର୍ଗର ଶେଷତମ ମୁଣ୍ତରେ ଥିବା ଦୁର୍ବଳତମ ସଦସ୍ୟ ଏହା ଦ୍ବାରା ଉପକୃତ ହେବେ ନା ନାହିଁ? ‘କାଳିଆ’ ଯୋଜନାରେ ଉକ୍ତ ଦୁଇଟି ପ୍ରଶ୍ନର ଉତ୍ତର ସକାରାତ୍ମକ ଦିଶୁଛି। ରାଜ୍ୟର ୯୨% ଚାଷୀ ପରିବାର ଏହି ଯୋଜନାରେ ଅନ୍ତର୍ଭୁକ୍ତ। କେବଳ ନାମମାତ୍ର, କ୍ଷୁଦ୍ର ଓ ଭାଗଚାଷୀ ନୁହନ୍ତି, ସାମାଜିକ-ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳତମ ଗୋଷ୍ଠୀ; ଭୂମିହୀନ ଚାଷୀ ଓ ଭୂମିହୀନ କୃଷି ଶ୍ରମିକଙ୍କ ସହାୟତା ପାଇଁ କାଳିଆ ଉଦ୍ଦିଷ୍ଟ। କୃଷି କ୍ଷେତ୍ର ପାଇଁ ଏହାକୁ ଏକ ସାର୍ବଜନୀନ ଯୋଜନା ବୋଲି କୁହାଯାଇପାରେ। ଓଡ଼ିଶାର ଦାରିଦ୍ର୍ୟ ନେଇ ପୂର୍ବରୁ ଦେଇଥିବା ବିଭିନ୍ନ ପରୀକ୍ଷା ନିରୀକ୍ଷା ଗୁଡ଼ିକରୁ ଗୋଟିଏ ନିର୍ଯାସ ବାହାରିଛି ଯେ, ରାଜ୍ୟର ଚାଷୀମାନଙ୍କ ଆଥିର୍କ ସ୍ଥିତିରେ ଉନ୍ନତି ବିନା ଦାରିଦ୍ର୍ୟ ନିରାକରଣ ଲକ୍ଷ୍ୟ ହାସଲ ସମ୍ଭବ ନୁହେଁ। ସେ ଦୃଷ୍ଟିରୁ ଚାଷୀ ଓ କୃଷି ଶ୍ରମିକଙ୍କ ଜୀବିକାରେ ସହାୟତା ଓ ଏହି ସ୍ବଳ୍ପ ଆୟକାରୀ ବର୍ଗଙ୍କ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ‘କାଳିଆ’ ଏକ ନୂଆ ପଦକ୍ଷେପ। ମନେ ରଖିବାକୁ ହେବ ଯେ, ଚାଷର ପୁନଃରୁଦ୍ଧାର ଏବ˚ ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ପାଇଁ ଆୟ ବୃଦ୍ଧି ଏକାନ୍ତ ଆବଶ୍ୟକ। ‘ଋଣଛାଡ଼’ ସାମୟିକ ଭାବେ ଆଶ୍ବସ୍ତି ଦେଇପାରେ, କିନ୍ତୁ କୃଷିରୁ ଆୟ ବୃଦ୍ଧି ଅବସ୍ଥାରେ ପରିିବର୍ତ୍ତନ ଆଣିବାରେ ପ୍ରତିଶ୍ରୁତି ଦେଉଛି।

ପୂର୍ବରୁ କାର୍ଯ୍ୟକାରୀ ହୋଇ ଆସୁଥିବା ଟଙ୍କିକିଆ ଚାଉଳ ଯୋଜନା, ଅଗଷ୍ଟରୁ କାର୍ଯ୍ୟକାରୀ ହେଉଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସହ ସଦ୍ୟ ଘୋଷିତ ‘କାଳିଆ’ ଯୋଜନାକୁ ମିଶାଇ ଦେଲେ ଯେଉଁ ସମ୍ଭାବନାର ଚିତ୍ର ମିଳୁଛି, ତାହା ସାମାଜିକ-ଅର୍ଥନୈତିକ ନିରାପତ୍ତା ସହ ରାଜ୍ୟର ଦୁଇ ତୃତୀୟା˚ଶ ପରିବାରଙ୍କ ସାମାଜିକ-ଅର୍ଥନୈତିକ ଅବସ୍ଥାରେ ଗୁଣାତ୍ମକ ପରିବର୍ତ୍ତନର ମଧୢ ପ୍ରତିଶ୍ରୁତି ବହନ କରୁଛି। ବିରୋଧୀ ଦଳ ଓ ବିଭିନ୍ନ ଚାଷୀ ସ˚ଗଠନଙ୍କୁ ‘କାଳିଆ’ ସମ୍ପୂର୍ଣ୍ଣ ସନ୍ତୁଷ୍ଟ କରିପାରୁ ନାହିଁ। ସ୍ଥିତି ଏତେ ଶୋଚନୀୟ ଯେ, ଯୋଜନା ନେଇ ଆଶା ଅପେକ୍ଷା ଅଧିକ ଆଶଙ୍କା ପ୍ରକାଶ ପାଇବା ସ୍ବାଭାବିକ। ଅବଶ୍ୟ ଗୋଟିଏ ଗଣତନ୍ତ୍ରରେ ଏଥିରେ କୌଣସି ଅସ୍ବାଭାବିକତା ନାହିଁ। ବିରୋଧୀଙ୍କ ଚାପ ସବୁବେଳେ ଗୋଟିଏ ଯୋଜନାରେ ଉନ୍ନତି, ନବୀକରଣ ଓ ପ୍ରଭାବଶାଳୀ କାର୍ଯ୍ୟକାରିତା କ୍ଷେତ୍ରରେ ସହାୟକ ହୋଇଥାଏ। ତଥାପି, ଏ ବିଷୟ ପ୍ରତି ମଧୢ ଧୢାନ ଦେବାକୁ ପଡ଼ିବ ଯେ ‘କାଳିଆ’ ଏକ ନୂଆ ପରୀକ୍ଷା, ଲକ୍ଷ୍ୟ ଆଡ଼କୁ ଆଉ ଗୋଟିଏ ପଦକ୍ଷେପ। ଏହାକୁ ବିଚାରକୁ ନେଇ ଏ ନୂଆ ପ୍ରୟୋଗକୁ ସୁଯୋଗ ଦିଆଯିବା ଉଚିତ। ସମାଲୋଚନା ସହ ‘କାଳିଆ’ ରଚନାତ୍ମକ ସହଯୋଗର ମଧୢ ଅପେକ୍ଷା ରଖୁଛି।

ସମ୍ବନ୍ଧିତ ଖବର