ନିଃସଙ୍ଗ ବଡ଼ଦିନ

ଆଜି ବଡ଼ଦିନ। ପୃଥିବୀ ସାରା ଖ୍ରୀଷ୍ଟଧର୍ମାବଲମ୍ବୀମାନେ ଏହି ଦିନଟିକୁ ନିଜ ପରିବାର ଗହଣରେ ଧୁମ୍‌ଧାମ୍‌ରେ ପାଳନ କରିବା ପାଇଁ ବର୍ଷ ସାରା ଅପେକ୍ଷା କରି ରହିଥାନ୍ତି; କାରଣ ଏହା ହେଉଛି ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମଦିନ। ଖ୍ରୀଷ୍ଟଧର୍ମାବଲମ୍ବୀନୀ ଆସିଆ ନୋରିନ୍‌ ଓରଫ୍‌ ଆସିଆ ବିବି କିନ୍ତୁ ନିଜ ପରିବାରଠାରୁ ଦୂରରେ କୌଣସି ଏକ ଅଜ୍ଞାତ ସ୍ଥାନରେ ପୁଲିସର କଡ଼ା ପହରା ମଧୢରେ ବଡ଼ଦିନ ପାଳନ କରିବେ। ଆସିଆ ବିବିଙ୍କ ନାମ ବର୍ତ୍ତମାନ ପୃଥିବୀ ସାରା ଏପରି ସୁପରିଚିତ ଯେ ଏହା ବୋଧହୁଏ ସୂଚାଇବା ଅନାବଶ୍ୟକ ତାଙ୍କର ଦେଶ ହେଉଛି ପାକିସ୍ତାନ, ଯାହା ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ଶାସନାଧୀନ।

ପାକିସ୍ତାନ ହେଉଛି ସେଇ ଦେଶ ଯେଉଁଠି ଈଶ୍ବର-ନିନ୍ଦା ଏପରି ଗର୍ହିତ ଅପରାଧ ରୂପେ ବିବେଚିତ ହୋଇଥାଏ ଯେ ପାକିସ୍ତାନ ପିଙ୍ଗଳ କୋଡ୍‌ ଧାରା-୨୯୫(ସି) ଅନୁଯାୟୀ ଏଥିପାଇଁ ମୃତ୍ୟୁଦଣ୍ତ ପ୍ରଦାନ କରାଯାଇଥାଏ। ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ, କାରଣ ସେ ଦେଶର ସମ୍ବିଧାନ ଅନୁସାରେ ପାକିସ୍ତାନ ହେଉଛି ଏକ ଧର୍ମଭିତ୍ତିକ ଇସ୍‌ଲାମୀୟ ରାଷ୍ଟ୍ର। ତେଣୁ କୋରାନ୍‌ ବା ମହମ୍ମଦ ବା ଆଲ୍ଲାଙ୍କର କୌଣସି ପ୍ରକାର ନିନ୍ଦାକୁ ସେ ଦେଶର ଆଇନ ବରଦାସ୍ତ କରିନଥାଏ। ପାକିସ୍ତାନରେ ତଥାପି ରହିଯାଇଥିବା ହାତଗଣତି ସ˚ଖ୍ୟାଲଘୁ ଅଣମୁସଲମାନମାନଙ୍କୁ ଦମନ କରିବା ପାଇଁ ସେଠାରେ ଏ ଆଇନର ଅବାଧ ପ୍ରୟୋଗ ଜଣାଶୁଣା। ଏପରି ଅନେକ ଘଟଣା ମଧୢରୁ ଗୋଟିକୁ ଏଠାରେ ଉଦାହରଣ ରୂପେ ପ୍ରଦାନ କରାଯାଇପାରେ। ୨୦୦୦ ସାଲରେ ଅଗଷ୍ଟିନ୍‌ ଆସିକ୍‌ ‘କିଙ୍ଗ୍ରି’ ମାସି ନାମକ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କୁ ଫଇସଲାବାଦରେ ଏହି ଧାରା ଅନୁଯାୟୀ ମୃତ୍ୟୁଦଣ୍ତ ପ୍ରଦାନ କରାଯାଇଥିଲା। ପାକିସ୍ତାନୀ ଆଇନ ଅନୁସାରେ ଜଣେ ମୁସଲମାନ ନାରୀ କୌଣସି ଅଣମୁସଲମାନ ପୁରୁଷଙ୍କୁ ବିବାହ କରିବା ନିଷିଦ୍ଧ। ମାସି ଜଣେ ମୁସଲମାନ ଯୁବତୀଙ୍କୁ ପ୍ରେମ କରୁଥିଲେ। ସେ ତେଣୁ ତାଙ୍କୁ ବିବାହ କରିବା ଉଦ୍ଦେଶ୍ୟରେ ନିଜର ଧର୍ମ ପରିବର୍ତ୍ତନ କରିବା ପାଇଁ ଉଦ୍ୟମ କରନ୍ତେ ତାଙ୍କୁ ମୃତ୍ୟୁଦଣ୍ତରେ ଦଣ୍ତିତ କରାଗଲା। ତାଙ୍କର ଅପରାଧ- ସେ ଭକ୍ତିଭାବ ଯୋଗୁଁ ନୁହେଁ, ଏକ ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବା ପାଇଁ ଇସଲାମ ଧର୍ମକୁ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ।

ଇମ୍ରାନ୍‌ ଖାନ୍‌ କହିପାରନ୍ତି, ସେତେବେଳେ ସେ କ୍ଷମତାରେ ଥିଲେ ଏପରି ହେବାକୁ ଦେଇ ନଥାନ୍ତେ। ଏଥର ତା’ହେଲେ ଆସିଆ ବିବିଙ୍କ ପାଖକୁ ଫେରି ଆସିବା। ଆସିଆଙ୍କ ପ୍ରତି ଧାରା-୨୯୫(ସି) ପ୍ରୟୋଗ କରାଯିବା ସମୟରେ ମଧୢ ଇମ୍ରାନ୍‌ ଖାନ୍‌ କ୍ଷମତାରେ ନଥିଲେ। ଆସିଆ ହେଉଛନ୍ତି ଜଣେ ଗରିବ କୃଷି ଶ୍ରମିକ ଯିଏ ୨୦୦୯ରେ ଅନ୍ୟ ସାଥୀ ଶ୍ରମିକମାନଙ୍କ ସହିତ ମିଶି ଏକ କ୍ଷେତରେ ଫାଲସା କୋଳି ଅମଳ କାର୍ଯ୍ୟରେ ଲାଗିଥିଲେ। ସାଥୀମାନେ ସମସ୍ତେ ଥିଲେ ମୁସଲମାନ ମହିଳା। ଶୋଷ ହେବାରୁ ସାଥୀମାନେ ଆସିଆଙ୍କୁ କ୍ଷେତରେ ଥିବା ଏକ କୂଅରୁ କାଢ଼ି ପାଣି ଆଣିବାକୁ କହିଲେ। ଆସିଆ ତାହା କଲେ, କିନ୍ତୁ ସେଠାରେ ଥୁଆ ହୋଇଥିବା ଏକ ଧାତୁ ନିର୍ମିତ କପ୍‌ ବ୍ୟବହାର କରି ନିଜେ ମଧୢ ପାଣି ପିଇ ଶୋଷ ମେଣ୍ଟାଇଲେ। ଉପସ୍ଥିତ ମୁସଲମାନ ମହିଳାମାନେ ଏହାର ବିରୋଧ କରି ଆସିଆ ଖ୍ରୀଷ୍ଟିଆନ୍‌ ହୋଇଥିବାରୁ ପାଣି ଅପବିତ୍ର ହୋଇଗଲା ବୋଲି ଅଭିଯୋଗ କରି ଆସିଆଙ୍କୁ ଗାଳି ଗୁଲଜ କରି ତାଙ୍କୁ ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ ଗ୍ରହଣ କରିବା ପାଇଁ ଚାପ ପକାଇଲେ। ପ୍ରତ୍ୟୁତ୍ତରରେ ଆସିଆ ନିଜ ଧର୍ମ ସପକ୍ଷରେ ଯୁକ୍ତି କରି କହିଲେ ଯେ ସାରା ମାନବ ଜାତିର ପାପ ପାଇଁ ଯୀଶୁ କ୍ରୁଶବିଦ୍ଧ ହୋଇ ନିଜର ପ୍ରାଣବଳି ଦେଇଥିଲେ, କିନ୍ତୁ ମହାପୁରୁଷ ମହମ୍ମଦ ମାନବ ଜାତିକୁ ରକ୍ଷା କରିବା ପାଇଁ କ’ଣ କରିଛନ୍ତି? ଏହା ହେଲା ଆସିଆ ବିବିଙ୍କର ଅକ୍ଷମଣୀୟ ଈଶ୍ବର-ନିନ୍ଦା ଅପରାଧ, ଯେଉଁଥିପାଇଁ ସେ ମାଡ଼ ଖାଇଲେ, ଗିରଫ ହେଲେ ଓ ଅଦାଲତରେ ମୃତ୍ୟୁଦଣ୍ତରେ ଦଣ୍ତିତ ହେଲେ।

କିନ୍ତୁ ସୌଭାଗ୍ୟର କଥା ୨୦୧୮ ଅକ୍ଟୋବରରେ ପାକିସ୍ତାନ ସୁପ୍ରିମ୍‌ କୋର୍ଟର ଏକ ତିନିଜଣିଆ ବେଞ୍ଚ୍‌ ଆସିଆ ବିବିଙ୍କର ଅପିଲ୍‌ର ବିଚାର କରି ପ୍ରମାଣ ଅଭାବରୁ ତାଙ୍କୁ ନିର୍ଦୋଷରେ ଖଲାସ କରିଦେଲେ। କହିବା ବାହୁଲ୍ୟ ସୁପ୍ରିମ୍‌ କୋର୍ଟର ରାୟ ବିରୁଦ୍ଧରେ ସେଠାରେ ଇସଲାମୀୟ ମୌଳବାଦୀମାନଙ୍କ ଦ୍ବାରା ଦେଶବ୍ୟାପୀ ପ୍ରତିକ୍ରିୟା ପ୍ରକାଶ ପାଇଲା। ପାକିସ୍ତାନରେ ଆସିଆଙ୍କ ଜୀବନ ବିପଦାପନ୍ନ ହୋଇପଡ଼ିଲା। କାନାଡ଼ାରୁ ଇଟାଲୀ ପର୍ଯ୍ୟନ୍ତ ବିଭିନ୍ନ ଦେଶ ଆସିଆ ଓ ତାଙ୍କ ପରିବାରକୁ ଶରଣ ପ୍ରଦାନ କରିବାକୁ ହାତ ବଢ଼ାଇଛନ୍ତି। କିନ୍ତୁ ଆସିଆ ଦେଶ ବାହାରକୁ ଯାଇପାରୁ ନାହାନ୍ତି କି ପୁଲିସ୍‌ ହେପାଜତରୁ ମୁକୁଳି ପାରୁ ନାହାନ୍ତି। କାରଣ ୨୦୧୮ ନଭେମ୍ବର ୨ ତାରିଖ ଦିନ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଓ ତେହେରିକ୍‌-ଏ-ଲବ୍‌ ବାଇକ୍‌ ନାମକ ମୌଳବାଦୀ ଇସଲାମୀୟ ପାର୍ଟି ମଧୢରେ ହୋଇଥିବା ବୁଝାମଣା ଅନୁସାରେ ସୁପ୍ରିମ୍‌ କୋର୍ଟରେ ଆସିଆ ବିବିଙ୍କର ମାମଲାର ପୁନର୍ବିଚାର ସମାପ୍ତ ନହେବା ପର୍ଯ୍ୟନ୍ତ ଆସିଆଙ୍କୁ ପାକିସ୍ତାନ ବାହାରକୁ ଯିବାକୁ ଦିଆଯିବ ନାହିଁ, ଯଦିବା କୋର୍ଟ ତାଙ୍କ ରାୟରେ ଆସିଆଙ୍କୁ ସ˚ପୂର୍ଣ୍ଣ ମୁକ୍ତ କରିଦେଇଛନ୍ତି। ଆସିଆ ଆଜି ତେଣୁ ଏକଲା ବଡ଼ଦିନ ପାଳନ କରୁଛନ୍ତି।

ସେଇ ଇମ୍ରାନ୍‌ ଖାନ୍‌ କିନ୍ତୁ ଏବେ ଭାରତକୁ ସ˚ଖ୍ୟାଲଘୁଙ୍କ ସୁରକ୍ଷା ସମ୍ବନ୍ଧରେ ଉପଦେଶ ଦେବା ଦେଖି ଯେଉଁ ଚିତ୍ର ସ୍ବତଃ ଆଖି ଆଗକୁ ଆସିଯାଉଛି ତାହା ହେଲା ସଇତାନ ହାତରେ ନୀତିଶାସ୍ତ୍ର। ଇମ୍ରାନ୍‌ ଖାନ୍‌ଙ୍କୁ ଏପରି ଉପଦେଶ ପ୍ରଦାନ କରିବା ପାଇଁ ଯାହା ପ୍ରୋତ୍ସାହିତ କରିଛି ତାହା ହେଲା ବରିଷ୍ଠ ଚିତ୍ର ତାରକା ନସିରୁଦ୍ଦିିନ୍‌ ଶାହ ଭାରତରେ ସ˚ଖ୍ୟାଲଘୁଙ୍କ ଅସୁରକ୍ଷିତ ଭାବ ନେଇ ପ୍ରଦାନ କରିଥିବା ମନ୍ତବ୍ୟ। ଏହା ଏପରି ପ୍ରସାରିତ ଯେ ତାହାର ଏଠାରେ ପୁନରାବୃତ୍ତି ଅନାବଶ୍ୟକ। ତେବେ ଏଠାରେ ଯାହା ଉଲ୍ଲେଖନୀୟ ତାହା ହେଲା ଇମ୍ରାନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ମୁଖତାର‌୍‌ ଆବାସ ନକ୍‌ଭିଙ୍କ କଡ଼ା ଜବାବ। ସେ ଭାରତରେ ନଭଶ୍ଚୁମ୍ବୀ ସଫଳତା ଓ ଲୋକପ୍ରିୟତା ହାସଲ କରିଥିବା ବଲିଉଡ୍ ଚିତ୍ର ତାରକା ‘ଖାନ୍‌’ମାନଙ୍କ (ୟୁସୁଫ୍‌ ଓରଫ ଦିଲ୍ଲୀପ କୁମାର, ଅମୀର, ସଲମାନ, ଶାହରୁଖ ଆଦି) ନଜିର ଦେଇ ଇମ୍ରାନଙ୍କୁ ଆହ୍ବାନ ଦେଇଛନ୍ତି ଯେ ସେ ପାକିସ୍ତାନରେ ଅନୁରୂପ ଲୋକପ୍ରିୟତା ହାସଲ କରିଥିବା ଜଣେ ହେଲେ କଳାକାରଙ୍କ ନାମ ଉଲ୍ଲେଖ କରନ୍ତୁ, ଯିଏ ହେଉଛନ୍ତି ସଂଖ୍ୟା ଲଘୁ ସଂପ୍ରଦାୟର। ନସିରୁଦ୍ଦିନ ଶାହ ଭାରତରେ ଥାଇ ଯେତିକି ଚିନ୍ତିିତ, ମୁଖତାର ଆବାସ ନକ୍‌ଭି ଭାରତୀୟ ଭାବରେ ଯେ ସେତିକି ଗର୍ବିତ, ତାହା ତାଙ୍କର ପ୍ରତିକ୍ରିୟାରୁ ସ୍ପଷ୍ଟ। ସେ କହିଛନ୍ତି ଦେଶ ବିଭାଜନ ପରେ ଭାରତରେ ଉଭୟ ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁ ସଂପ୍ରଦାୟମାନଙ୍କର ଜନସଂଖ୍ୟା ପରସ୍ପର ସହ ତାଳ ଦେଇ ବୃଦ୍ଧି ପାଇ ଚାଲିଥିବା ବେଳେ ପାକିସ୍ତାନରେ ସଂଖ୍ୟାଲଘୁ ସଂପ୍ରଦାୟର ଜନସଂଖ୍ୟା କ୍ରମାଗତ ହ୍ରାସ ପାଇ ପାଇ ସଂପୂର୍ଣ୍ଣ ଲୋପ ପାଇବା‌କୁ ବସିଲାଣି।

ଲକ୍ଷ୍ୟ କରିବା କଥା ନସିରୁଦ୍ଦିିନ୍‌ ଶାହ ଓ ନକ୍‌ଭି ଉଭୟ ଭାରତରେ ବ୍ୟକ୍ତିଗତ ସଫଳତାର ଶୀର୍ଷରେ ପହଞ୍ଚିଥିବା ଦୁଇଜଣ ସ˚ଖ୍ୟାଲଘୁ ସଂପ୍ରଦାୟର ନାଗରିକ। ଉଭୟ ପୁଣି ବିଧିବଦ୍ଧ ଭାବରେ ଅଭିନୟ କ୍ଷେତ୍ରରେ ଶିକ୍ଷା ଲାଭ କରିଛନ୍ତି। ନସିରୁଦ୍ଦିିନ ନିଜର ଉତ୍କୃଷ୍ଟ ଅଭିନୟ ପାଇଁ ପଦ୍ମଶ୍ରୀ, ପଦ୍ମଭୂଷଣ ଆଦିରେ ସମ୍ମାନିତ ହୋଇଥିବା ବେଳେ ମୁଖ୍‌ତାର ରାଜନୀତିରେ ଅନୁରୂପ ସଫଳତା ହାସଲ କରିଛନ୍ତି। ନସିରୁଦ୍ଦିିନ୍‌ ଶାହ କିନ୍ତୁ ତାଙ୍କ ପୂର୍ବରୁ ଚିତ୍ର ତାରକା ଅମୀର ଖାନ୍‌ ଓ ଶାହାରୁଖ୍‌ ଖାନ୍‌ ପ୍ରକାଶ କରିଥିବା ଭାରତ ପ୍ରତି ଅକୃତଜ୍ଞ ଭାବକୁ ଅନୁକରଣ କଲା ଭଳି ବର୍ତ୍ତମାନ ଭାରତରେ ନିଜର ତଥାକଥିତ ଅସହାୟବୋଧ ପ୍ରକାଶ କରି ଇମ୍ରାନ୍‌ ଖାନ୍‌ଙ୍କୁ ତାଙ୍କର ଭାରତ ବିରୋଧୀ ମନ୍ତବ୍ୟ ପାଇଁ ଖୋରାକ ଯୋଗାଇଛନ୍ତି। ଏହା ବୋଧହୁଏ ଅପ୍ରାସଙ୍ଗିକ ହେବ ନାହିଁ, ଉଭୟ ନସିରୁଦ୍ଦିିନ୍‌ ଓ ମୁଖ୍‌ତାର ହିନ୍ଦୁ ମହିଳାଙ୍କୁ ବିବାହ କରିଛନ୍ତି। ଭାରତର ଉଦାରତା ଯୋଗୁ ଏଥିପାଇଁ କାହାକୁ ଅଗଷ୍ଟିନ୍‌ ମାସିଙ୍କ ଦଶା ଯେ ଭୋଗିବାକୁ ପଡ଼ି ନାହିଁ, ନସିରୁଦ୍ଦିିନ୍‌ ହୃଦୟଙ୍ଗମ କରିବା ଉଚିତ।

ସମ୍ବନ୍ଧିତ ଖବର