ବେଳେ ବେଳେ କୌଣସି ଏକ କାଳଜୟୀ କବିତା ବା ଗୀତରେ ଏକ ଓଜନଦାର ପ୍ରସଙ୍ଗ ସମ୍ବନ୍ଧରେ ଯେଉଁ ଭଳି ଅନ୍ତର୍ଦୃଷ୍ଟି ଦେଖିବାକୁ ମିଳିଥାଏ, ଲମ୍ବା ଲମ୍ବା ଗବେଷଣା ପ୍ରସୂତ ସନ୍ଦର୍ଭରେ ମଧୢ ତାହା ମିଳି ନଥାଏ। ଯେ କୌଣସି ଦେଶର ଅର୍ଥନୀତି ତଥା ରାଜନୀତିର ଏକ କେନ୍ଦ୍ରୀୟ ପ୍ରସଙ୍ଗ ହେଉଛି ଟିକସ ବା କର। ଖୋଦ୍ ଆଇନ୍ଷ୍ଟାଇନ୍ ମଧୢ ସ୍ବୀକାର କରିଥିଲେ ଯେ ସେ ଆୟକରର ଜଟିଳତାକୁ ବୁଝିବାରେ ଅସମର୍ଥ। ଆମ ଦେଶରେ ମଧୢ ଆୟକରରୁ ଜିଏସ୍ଟି ପର୍ଯ୍ୟନ୍ତକୁ ନେଇ ଯେଉଁଭଳି ଅବିରାମ କସରତ ଚାଲିବା ଦେଖାଯାଇଥାଏ, ଯେ କୌଣସି ସାଧାରଣ ଲୋକକୁ ତାହା ଆଇନ୍ଷ୍ଟାଇନ୍ଙ୍କ ସହ ଏକମତ କରାଇଥାଏ। ଆଇନ୍ଷ୍ଟାଇନ୍ ସିନା ହାରି ଯାଇଥିଲେ, ଟିକସ ଓ ଟିକସ ଆଦାୟକାରୀ (ଟ୍ୟାକ୍ସମ୍ୟାନ୍)ଙ୍କୁ କିନ୍ତୁ ଯେଉଁମାନେ ପ୍ରାଞ୍ଜଳ ଭାବରେ ବୁଝିଯାଇଥିଲେ ସେମାନେ ହେଲେ ସ˚ଗୀତ ଦୁନିଆରେ ସର୍ବକାଳୀନ କି˚ବଦନ୍ତି ରୂପେ ବିବେଚିତ ୧୯୬୦ ଦଶକର ବ୍ରିଟିସ୍ ପପ୍ ଗ୍ରୁପ୍ ‘ବିଟ୍ଲସ’।
ଏହି ଚତୁଷ୍ଟୟ ଗ୍ରୁପ୍ର ଅନ୍ୟତମ ସଦସ୍ୟ ଜର୍ଜ ହାରିସନ୍ ରଚନା କରିଥିବା ଓ ସେମାନେ ଗାଇଥିବା ଏକ ପ୍ରସିଦ୍ଧ ଗୀତର ଶୀର୍ଷକ ଥିଲା- ‘ଟ୍ୟାକ୍ସମ୍ୟାନ୍’। ଏହି ଗୀତର ଅନେକ ରୋଚକ ପଦ ଭିତରୁ ଗୋଟିଏ ଥିଲା ଏହିପରି। ‘‘ଇଫ୍ ୟୁ ଡ୍ରାଇଭ୍ ଏ କାର୍, ଆଇ ଵିଲ୍ ଟ୍ୟାକ୍ସ ଦି ଷ୍ଟ୍ରିଟ୍/ଇଫ୍ ୟୁ ଟ୍ରାଏ ଟୁ ସିଟ୍, ଆଇ ଵିଲ୍ ଟ୍ୟାକ୍ସ ଇଓର୍ ସିଟ୍/ଇଫ୍ ୟୁ ଗେଟ୍ ଠୁ କୋଲ୍ଡ, ଆଇ ଵିଲ୍ ଟ୍ୟାକ୍ସ ଦି ହିଟ୍/ଇଫ୍ ୟୁ ଟେକ୍ ଏ ଵାକ୍, ଆଇ ଵିଲ୍ ଟ୍ୟାକ୍ସ ଓଭର୍ ଫିଟ୍।’’ (ତୁମେ ଯଦି ଏକ କାର୍ ଚଳାଇବ, ମୁଁ ରାସ୍ତା ଉପରେ ଟିକସ ଲଗାଇବି/ତୁମେ ଯଦି ବସି ପଡ଼ିବାକୁ ଚେଷ୍ଟା କରିବ, ମୁଁ ତୁମ ପିଚା ଉପରେ ଟିକସ ଲଗାଇବି/ତୁମକୁ ଯଦି ବହୁତ ଶୀତ ହୁଏ, ମୁଁ ତାତି ଉପରେ ଟିକସ ଲଗାଇବି/ତୁମେ ଯଦି ଚାଲିବାକୁ ବାହାରିବ, ମୁଁ ତୁମ ପାଦ ଉପରେ ଟିକସ ଲଗାଇବି।) ବିଟ୍ଲସମାନଙ୍କର ଭାରତ ସହିତ ଘନିଷ୍ଠ ସ˚ପର୍କ ସୁବିଦିତ। ସେମାନେ ଯଦି ବର୍ତ୍ତମାନ ସକ୍ରିୟ ଥାନ୍ତେ ବୋଧହୁଏ ସେ ଗୀତରେ ଆଉ ପଦଟିଏ ଯୋଡ଼ି ଦିଅନ୍ତେ: ‘‘ଇଫ୍ ୟୁ ଷ୍ଟାର୍ଟ ଅପ୍ ଏ ବିଜ୍ନେସ୍, ଆଇ ଵିଲ୍ ଟ୍ୟାକ୍ସ ଇଓର୍ ଫାଇନାନ୍ସ।’’ (ତୁମେ ଯଦି ‘ଷ୍ଟାର୍ଟ ଅପ୍’ ବ୍ୟବସାୟଟିଏ ଆରମ୍ଭ କର, ମୁଁ ତୁମ ପୁଞ୍ଜି ଉପରେ ଟିକସ ଲଗାଇବି।)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରଚାରିତ ‘ଷ୍ଟାର୍ଟ ଅପ୍ ଇଣ୍ତିଆ’ ସ୍ଲୋଗାନ୍ ବର୍ତ୍ତମାନ ଯେଉଁ ଭଳି ତାଙ୍କ ସରକାରଙ୍କର ଅର୍ଥମନ୍ତ୍ରଣାଳୟର ଟ୍ୟାକ୍ସମ୍ୟାନ୍ ଦ୍ବାରା ଆହତ ହେଉଛି, ତାହା ଦେଖି ହିଁ ଜର୍ଜ ହାରିସନ ତାଙ୍କର ଗୀତରେ ଉପରୋକ୍ତ ଧାଡ଼ିଟି ଯୋଡ଼ି ଦିଅନ୍ତେ। ଯେଉଁ ବୁଦ୍ଧିମାନ, ସାହସୀ ଉଦ୍ୟୋଗୀମାନେ କୌଣସି ଏକ ନୂତନ ବ୍ୟବସାୟ ସମ୍ଭାବନା ଚିନ୍ତା କରି ଏକ ତଥାକଥିତ ‘ଷ୍ଟାର୍ଟ ଅପ୍’ଟିଏ ପ୍ରତିଷ୍ଠା କରିବାକୁ ଆଗେଇ ଆସନ୍ତି, କେହି କେହି ଦୂରଦର୍ଶୀ ନିବେଶକ ସେମାନଙ୍କୁ ଆବଶ୍ୟକ ସମ୍ବଳ ଯୋଗାଇ ଦେଇଥାନ୍ତି। ଭବିଷ୍ୟତରେ ଯଦି ବ୍ୟବସାୟଟି ସଫଳ ହୁଏ, ନିବେଶକ ଲାଭ ପାଇଥାନ୍ତି। ଯଦି ବିଫଳ ହୁଏ ନିବେଶକ କ୍ଷତି ସହିଥାନ୍ତି। ଏହି ଧରଣର ନିବେଶକମାନଙ୍କୁ ଷ୍ଟାର୍ଟ ଅପ୍ ପ୍ରତିଷ୍ଠାତାଙ୍କ ପାଇଁ ‘ଏଞ୍ଜେଲ୍’ ବା ଦେବଦୂତ ଭଳି ବିଚାର କରାଯାଇଥାଏ ଏବ˚ ସେମାନେ ଯୋଗାଇଥିବା ପୁଞ୍ଜିକୁ ‘ଏଞ୍ଜେଲ୍ ପୁଞ୍ଜି’ ରୂପେ ଅଭିହିତ କରାଯାଇଥାଏ। ବିଗତ କେତେ ସପ୍ତାହ ମଧୢରେ ଦେଶର ଅନେକ ଏଇଭଳି ‘ଷ୍ଟାର୍ଟ ଅପ୍’ ମାନେ ବିଟ୍ଲ୍ସ ଗୀତ ସୁଲଭ ‘ଟ୍ୟାକ୍ସମ୍ୟାନ୍’ଠାରୁ ନୋଟିସ୍ ପାଇବା ଦେଖା ଯାଇଛି ଯେଉଁଥିରେ ସେମାନଙ୍କୁ ସେମାନେ ପାଇଥିବା ‘ଏଞ୍ଜେଲ୍ ପୁଞ୍ଜି’ ଉପରେ ଟିକସ ପୈଠ କରିବାକୁ କୁହାଯାଇଛି ଏବ˚ ଏହି ‘ଏଞ୍ଜେଲ୍ ଟ୍ୟାକ୍ସ’ ଦେଇ ନଥିବା ଯୋଗୁଁ କେତେକଙ୍କ ଉପରେ ପେନାଲ୍ଟି ମଧୢ ଲାଗୁ କରାଯାଇଛି। ଏଠାରେ ସୂଚନାଯୋଗ୍ୟ ଯେ ବିଗତ ବର୍ଷମାନଙ୍କରେ ‘ଷ୍ଟାର୍ଟ ଅପ୍’ ମାନେ ‘ଏଞ୍ଜେଲ୍ ଟ୍ୟାକ୍ସ’ର ସ˚ପୂର୍ଣ୍ଣ ଉଚ୍ଛେଦ ପାଇଁ ସରକାରଙ୍କୁ ଅନୁରୋଧ କରିଆସୁଛନ୍ତି ଓ ଗତ ବର୍ଷ ବଜେଟ୍ରେ ଏହାର ଉଚ୍ଛେଦ ଘୋଷିତ ହେବ ବୋଲି ଆଶା କରୁଥିଲେ। ମୋଦୀ ସରକାରର ଅନ୍ୟ ସବୁ ଆତ୍ମଘାତୀ ଅର୍ଥନୈତିକ ପଦକ୍ଷେପ ଭଳି ‘ଏଞ୍ଜେଲ୍ ଟ୍ୟାକ୍ସ’ କ୍ଷେତ୍ରରେ ମଧୢ ଏହାର ଠିକ୍ ବିପରୀତ ଘଟିବା ଦେଖାଯାଇଛି।
‘ଷ୍ଟାର୍ଟ ଅପ୍’ ଉଦ୍ୟୋଗୀ ଜଣେ ‘ଏଞ୍ଜେଲ୍ ନିବେଶକ’ ଅର୍ଥାତ୍ ବାହ୍ୟ ନିବେଶକମାନଙ୍କଠାରୁ ସ˚ଗ୍ରହ କରୁଥିବା ସମ୍ବଳ ଯଦି ‘ଷ୍ଟାର୍ଟ ଅପ୍’ଟିର ଉଚିତ ବଜାର ମୂଲ୍ୟ (ଫେଆର୍ ମାର୍କେଟ୍ ଭାଲ୍ୟୁ)ଠାରୁ ଅଧିକ ହୋଇଥାଏ, ଏହାକୁ କମ୍ପାନିର ଆୟ ରୂପେ ବିବେଚନା କରି ତା ଉପରେ ୩୦% ଆୟକର ଲାଗୁ କରାଯାଉଛି। ୨୦୧୨ରେ ୟୁପିଏ ସରକାର ଅମଳରେ ଏ ପ୍ରଥା ଆରମ୍ଭ ହୋଇଥିଲା, ଠିକ୍ ଯେମିତି ଆତ୍ମଘାତୀ ‘ରେଟ୍ରୋସ୍ପେକ୍ଟିଭ୍ ଟ୍ୟାକ୍ସ’ ବା ପିଛିଲା ଟିକସ ଆଦାୟ ଆରମ୍ଭ ହୋଇଥିଲା। ମୋଦୀ ସରକାର ୟୁପିଏ ସରକାରର ଅନ୍ୟାନ୍ୟ ଅନେକ କାର୍ଯ୍ୟକ୍ରମ ସବୁକୁ ଆପଣାଇ ନେବା ଭଳି ଏ ଦୁଇ ଟିକସ ବିକୃତିକୁ ମଧୢ ଅଧିକ ଉତ୍ସାହର ସହିତ ଆପଣାଇ ନେଇଛି। କୁହାଯାଇଥାଏ ଯେ କଳାଧନ ଧଳ କରାଯିବା (ମନି ଲଣ୍ତରିଙ୍ଗ୍)କୁ ରୋକିବା ନିମିତ୍ତ ‘ଏଞ୍ଜେଲ୍ ଟ୍ୟାକ୍ସ’ ଲାଗୁ କରାଯାଉଛି।
କିନ୍ତୁ ଏହା ଜଣାଶୁଣା ଯେ ଏକ ‘ଷ୍ଟାର୍ଟ ଅପ୍’ର ଉଚିତ୍ ବଜାର ମୂଲ୍ୟ ନିର୍ଦ୍ଧାରଣ କରିବାର କୌଣସି ନିର୍ଭୁଲ, ବସ୍ତୁନିଷ୍ଠ ଉପାୟ ନାହିଁ। ତେଣୁ ଏକ ‘ଷ୍ଟାର୍ଟ ଅପ୍’ର ଅ˚ଶପତ୍ରର ‘ଉଚିତ ବଜାର ମୂଲ୍ୟ’ ନିର୍ଦ୍ଧାରଣ ସ˚ପୂର୍ଣ୍ଣ ରୂପେ ‘ଟ୍ୟାକ୍ସ ମ୍ୟାନ୍’ର ମନମୁଖୀ ନିଷ୍ପତ୍ତି ଉପରେ ନିର୍ଭର କରିଥାଏ। ଆଉ ‘ଟ୍ୟାକ୍ସ ମ୍ୟାନ୍’ ସାଧାରଣତଃ ‘ଷ୍ଟାର୍ଟ ଅପ୍’ଟିର ନିଟ୍ ପରିସମ୍ପତ୍ତିର ମୂଲ୍ୟକୁ ତାର ଉଚିତ ବଜାର ମୂଲ୍ୟ ନିର୍ଦ୍ଧାରଣର ଭିତ୍ତି ରୂପେ ଗ୍ରହଣ କରିଥାଏ। କିନ୍ତୁ ଯେଉଁଠି ‘ଷ୍ଟାର୍ଟ ଅପ୍’ଟି ଏକ ସେବାପ୍ରଦାନକାରୀ ବ୍ୟବସାୟ ହୋଇଥାଏ, ସେଠାରେ ବସ୍ତୁଭିତ୍ତିକ ପରିସମ୍ପତ୍ତିର ମୂଲ୍ୟ ଅପେକ୍ଷାକୃତ ନଗଣ୍ୟ ହୋଇଥାଏ। ଯେଉଁ ‘ଏଞ୍ଜେଲ୍ ନିବେଶକ’ମାନେ ଏପରି ‘ଷ୍ଟାର୍ଟ ଅପ୍’ରେ ପୁଞ୍ଜିନିବେଶ କରନ୍ତି, ସେମାନେ କେବଳ ତାହାର ବର୍ତ୍ତମାନ ପରିସମ୍ପତ୍ତିର ମୂଲ୍ୟ ଆକଳନ କରି ତାହା କରିନଥାନ୍ତି, ସେମାନେ ଭବିଷ୍ୟତରେ ଏହି ନୂତନ ବ୍ୟବସାୟର ସଫଳତା ସମ୍ଭାବନା ଆକଳନ କରି ସେଇ ଅନୁଯାୟୀ ‘ଷ୍ଟାର୍ଟ ଅପ୍’ର ଅ˚ଶପତ୍ରର ମୂଲ୍ୟାୟନ କରି ପୁଞ୍ଜିନିବେଶ କରିଥାନ୍ତି। ‘ଫ୍ଲିପ୍କାର୍ଟ’ରୁ ‘ଓୟୋ’ ପର୍ଯ୍ୟନ୍ତ କିମ୍ବା ‘ଆମାଜନ୍’ରୁ ‘ଉବର୍’ ପର୍ଯ୍ୟନ୍ତ ଏଇଭଳି ସେବା ଭିତ୍ତିକ ‘ଷ୍ଟାର୍ଟ ଅପ୍’, ଯେଉଁଥିରେ ଭବିଷ୍ୟତ ଲାଭକୁ ଦୃଷ୍ଟିରେ ରଖି ନିବେଶକମାନେ ଆଗ୍ରହର ସହିତ ପୁଞ୍ଜିନିବେଶ କରିଛନ୍ତି। ସେମାନଙ୍କ ମଧୢରୁ ଅନେକ ‘ଷ୍ଟାର୍ଟ ଅପ୍’ ଏ ପର୍ଯ୍ୟନ୍ତ କ୍ଷତିରେ ଚାଲିଥିଲେ ମଧୢ ନିବେଶକମାନଙ୍କର ଉତ୍ସାହରେ ତଥାପି ଭଟ୍ଟା ପଡ଼ିନାହିଁ। କେବଳ କଳାଧନକୁ ଧଳା କରିବା ପାଇଁ ନିବେଶକମାନେ ଏଥିରେ ପୁଞ୍ଜିନିବେଶ କରିନାହାନ୍ତି, ଯେପରି ଭାରତୀୟ ଆୟକର ବିଭାଗ ଭାବୁଛି।
ପ୍ରସଙ୍ଗଟି ଚର୍ଚ୍ଚାକୁ ଆସିବା ପରେ ଗତ ଗୁରୁବାର ଦିନ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଏକ ବକ୍ତବ୍ୟ ଜାରି କରିଛି ଯେ ଏକ ବିଶେଷଜ୍ଞ କମିଟି ପ୍ରସଙ୍ଗଟିର ପୁଙ୍ଖାନୁପୁଙ୍ଖ ଅନୁଧୢାନ କରି ନ ସାରିବା ପର୍ଯ୍ୟନ୍ତ ‘ଏଞ୍ଜେଲ୍ ଟ୍ୟାକ୍ସ’ ଆଦାୟ ନେଇ କୌଣସି ଜୋର୍ ଜବରଦସ୍ତି କରାଯିବ ନାହିଁ। ଏହାର ଅର୍ଥ ଚୋଟ ପଡ଼ିବ ନାହିଁ, କିନ୍ତୁ ମୁଣ୍ତ ଉପରେ ଖଣ୍ତା ସେମିତି ଝୁଲି ରହିଥିବ। ଏହା ନିଶ୍ଚିତ ରୂପେ ‘ଟ୍ୟାକ୍ସମ୍ୟାନ୍’ ମୋଦୀଙ୍କ ‘ଷ୍ଟାର୍ଟ-ଅପ୍ ଇଣ୍ଡିଆ’ ପାଇଁ ପ୍ରୋତ୍ସାହନ ନୁହେଁ, ବର˚ ‘କ୍ଲୋଜ୍ ଅପ୍ ଇଣ୍ଡିଆ’ ବା ବ୍ୟବସାୟ ବନ୍ଦ ପାଇଁ ଆହ୍ବାନ।