ରୁଦ୍ର ହନୁମାନ!

ହନୁମାନ କାହାର? ବା ହନୁମାନ କିଏ? ସେ ମର୍କଟ ନା ମନୁଷ୍ୟ? ସେ ଦଳିତ ନା ଆଦିବାସୀ? ସେ ହିନ୍ଦୁ ନା ମୁସଲମାନ? ସେ ଦର୍ଶକ ନା କ୍ରୀଡ଼ାବିତ୍‌? ହଠାତ୍‌ ଭାରତୀୟ ରାଜନୀତି, ଗଣମାଧୢମ, ସୋସିଆଲ୍‌ ମିଡିଆ, ସଭାସମିତି, ଗପସପ- ସବୁଠିଁ କପିବରଙ୍କୁ କେନ୍ଦ୍ର କରି ଏଇ ଭଳି ପ୍ରଶ୍ନମାନ ଆଲୋଚନା ଓ ବିତର୍କର ଅ˚ଶ ପାଲଟିବା ଦେଖାଯାଇଛି। ତେବେ ହନୁମାନଙ୍କୁ ନିଜର ବୋଲି ଦାବିକରିବା ପାଇଁ ଏ ଯେଉଁ ପ୍ରତିଯୋଗିତା ଦେଖାଦେଇଛି, ତାହା ସମ୍ପୂର୍ଣ୍ଣ ସ୍ବତଃସ୍ଫୂର୍ତ୍ତ କି ଏଥିପୂର୍ବରୁ ‘ରୁଦ୍ର ହନୁମାନ’ ରୂପରେ ସେ ସୃଷ୍ଟି କରିଥିବା ଏକ ନୂତନ ଦେଶବ୍ୟାପୀ ଲୋକପ୍ରିୟତା ଜୁଆର ଏ ପ୍ରତିଯୋଗିତା ପଛରେ ଥିବା କାରଣ, ତାହା ଅନୁସନ୍ଧାନ ସାପେକ୍ଷ।

ଏମିତିରେ ସ˚କଟମୋଚନ ହନୁମାନ ବୋଧହୁଏ ହିନ୍ଦୁମାନଙ୍କର ସର୍ବାଧିକ ଲୋକପ୍ରିୟ ଦେବତା ରୂପେ ଯୁଗେ ଯୁଗେ ପୂଜା ପାଇ ଆସିଛନ୍ତି। ତାଙ୍କର ପ୍ରଭୁ ଶ୍ରୀରାମଙ୍କ ପ୍ରତି ପ୍ରଶ୍ନହୀନ ଦାସତ୍ବ ସହିତ ସ˚ପୂର୍ଣ୍ଣ ଭୟଶୂନ୍ୟ ଅପରିସୀମ ବୀରତ୍ବର ସହାବସ୍ଥାନ ଘଟିଥିବା ହନୁମାନଙ୍କର ଯେଉଁ ଚେହେରା ସହିତ ତାଙ୍କର ଭକ୍ତମାନେ କାଳେ କାଳେ ପରିଚିତ ହୋଇ ଆସିଛନ୍ତି, ତାହା ହେଉଛି ସର୍ବଦା ଆତ୍ମବିଶ୍ବାସଭରା ଶାନ୍ତ ଶକ୍ତିର ଚେହେରା, ଏକ କ୍ରୋଧଜର୍ଜରିତ ଭୟ ଉଦ୍ରେକକାରୀ ମୁଖମଣ୍ତଳ ନୁହେଁ। ବର୍ତ୍ତମାନ କିନ୍ତୁ ଦେଶସାରା ଗାଡ଼ି ମଟର ଝରକା କାଚରୁ ମଟରବାଇକ୍‌ ହେଲ୍‌ମେଟ୍‌ ପର୍ଯ୍ୟନ୍ତରେ ଛାଇ ଯିବାକୁ ଆରମ୍ଭ କରିଛି ହନୁମାନଙ୍କର ଠିକ୍‌ ଏଇଭଳି ଏକ କ୍ରୁଦ୍ଧ ଆକ୍ରମଣାତ୍ମକ ମୁଖର ଛବି ଯାହାକୁ ନାମକରଣ କରାଯାଇ ସାରିଲାଣି- ‘ରୁଦ୍ର ହନୁମାନ’।

ହନୁମାନଙ୍କର ଏହି ଅର୍ଖ ନୂଆ ଅବତାରର ଇତିହାସ ବେଶ୍‌ ରୋଚକ ମଧୢ। ତିନି ବର୍ଷ ତଳେ କେରଳର ଏକ ଗ୍ରାମର ଯୁବକମାନେ ସେମାନଙ୍କ କ୍ଲବ୍‌ରେ ଗଣେଶ ପୂଜା ସମୟରେ ପତାକାରେ ଛାପିବା ପାଇଁ ହନୁମାନଙ୍କର ଏକ ଆଧୁନିକ ଡିଜାଇନ୍‌ର ପୋଷ୍ଟର‌୍‌ ଆଙ୍କି ଦେବା ପାଇଁ ଯୁବ ଗ୍ରାଫିକ୍‌ ଡିଜାଇନର‌୍‌ କରନ୍‌ ଆଚାର୍ଯ୍ୟଙ୍କୁ ଅନୁରୋଧ କରିଥିଲେ। ଆଚାର୍ଯ୍ୟ କାଳକ୍ଷେପଣ କରି କରି ଶେଷରେ ତରବର ହୋଇ ଗେରୁଆ ଓ କଳା ରଙ୍ଗ ବ୍ୟବହାର କରି ଏକ କ୍ରୋଧିତ ହନୁମାନଙ୍କର ମୁହଁମାତ୍ର ଅଙ୍କନ କରି ସେ ଯୁବକମାନଙ୍କୁ ଧରାଇ ଦେଲେ। ପରେ ସେମାନେ ସୋସିଆଲ୍‌ ମିଡିଆରେ ଏହି ଛବିକୁ ପ୍ରସାରିତ କରିବା ସହିତ ନିଜ ନିଜର ପ୍ରୋଫାଇଲ୍‌ ଫଟୋରେ ମଧୢ ଏହାକୁ ସ୍ଥାନୀତ କଲେ। ଯୁବପିଢ଼ିକୁ ଏ କ୍ରୁଦ୍ଧ ହନୁମାନ ଛବି ଏତେ ପସନ୍ଦ ହୋଇଗଲା ଯେ ଅନତିବିଳମ୍ବେ ବାଙ୍ଗାଲୋର‌୍‌ ସହରରେ କାର‌୍‌ ଝରକା ଓ ମଟରବାଇକ୍‌ ହେଲ୍‌ମେଟ୍‌ରେ ଏହାର ବହୁଳ ବ୍ୟବହାର ଦେଖିବାକୁ ମିଳିଲା। ଇତି ମଧୢରେ ଦେଶର ପ୍ରାୟ ସମସ୍ତ ସହରରେ ରୁଦ୍ର ହନୁମାନଙ୍କର ଉପସ୍ଥିତି ବ୍ୟାପିଯିବା ସହିତ ପୋଷ୍ଟର‌୍‌ ନିର୍ମାତାମାନଙ୍କ ପାଇଁ ଏକ ନୂତନ ବ୍ୟବସାୟକୁ ଜନ୍ମ ଦେଇଛି। ଏମିତିରେ ଆଜନ୍ମ ବ୍ରହ୍ମଚାରୀ, ଅମିତ ବଳଶାଳୀ, ଅଲୌକିକ ଶକ୍ତିର ଅଧିକାରୀ (ସେ ଇଚ୍ଛା କଲେ ନିଜକୁ ମାଛି ଭଳି ଛୋଟ କରି ଦେଇ ପାରୁଥିଲେ, ପୁଣି ପାହାଡ଼ ପରି ବିଶାଳ କରି ଦେଇ ପାରୁନଥିଲେ କି?) ହନୁମାନ ସର୍ବଦା ଶକ୍ତି ଓ ପୌରୁଷର ପ୍ରତୀକ ରୂପେ ବିବେଚିତ ହୋଇ ଆସୁଥିଲେ। କୁସ୍ତି କସରତର ଆଖଡ଼ା ମାନଙ୍କରେ ଆରାଧୢ ଦେବତା ରୂପେ ଆସ୍ଥାନ ଜମାଇ ରହିଥାନ୍ତି ତେଣୁ ହନୁମାନ ହିଁ। ସେଇ ହନୁମାନଙ୍କ ଠାରେ କରନ୍‌ ଆଚାର୍ଯ୍ୟ ଯେତେବେଳେ ଏକ ଯୁଗୋପଯୋଗୀ ଆକ୍ରମଣାତ୍ମକ ରସ ଭରି ଦେଲେ ତାହା ଯୁବପିଢ଼ି ଓ ବଜରଙ୍ଗ ଭକ୍ତମାନଙ୍କ ଠାରେ ଯେ ଏକ ନୂତନ ତଡ଼ିତ୍‌ ପ୍ରବାହ ସଞ୍ଚାର କରିଛି, ତାଙ୍କ ସୃଷ୍ଟ ରୁଦ୍ର ହନୁମାନ ଛବିର ଭାଇରାଲ୍‌ ଲୋକପ୍ରିୟତା ଦେଖିଲେ ସେଥିରେ କୌଣସି ସନ୍ଦେହ ରହେନାହିଁ।

ଏହା କାକତାଳିକ ହୋଇପାରେ, କିନ୍ତୁ ବର୍ତ୍ତମାନ ହନୁମାନଙ୍କୁ କେନ୍ଦ୍ର କରି ଯେଉଁଭଳି ରାଜନୈତିକ ତତ୍ପରତା ପ୍ରକାଶ ପାଇଛି, ମନେହେଉଛି ତାହା ଏହି ତଡ଼ିତ୍‌ ପ୍ରବାହର ସ୍ପର୍ଶର ଫଳ ହୋଇପାରେ। ଜଣାଶୁଣା ଭାବରେ ଯାହା ଲୋକପ୍ରିୟ ହୋଇଥାଏ, ରାଜନେତାମାନେ ତାହାକୁ ଆଶ୍ରୟ କରି ନିର୍ବାଚନ ବୈତରଣୀ ପାର ହେବା ପାଇଁ ସର୍ବଦା ଉଦ୍ୟମ କରିଥାନ୍ତି। ହନୁମାନଙ୍କର ନୂତନ ଆବିଷ୍କୃତ ଲୋକପ୍ରିୟତା ନେତାମାନଙ୍କ ଦୃଷ୍ଟିରୁ ଏଡ଼ାଇ ଯାଇ ନଥିବ। ବିଭିନ୍ନ କାରଣରୁ ବିଗତ ଦିନମାନଙ୍କରେ ଦଳିତ ବର୍ଗର ମତଦାତାମାନେ ଭାରତୀୟ ଜନତା ପାର୍ଟିଠାରୁ ଦୂରେଇ ଯାଉଛନ୍ତି ବୋଲି ଏକ ଧାରଣା ବଳବତ୍ତର ହୋଇଛି। ଏଣୁ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ଯେ ରାଜସ୍ଥାନରେ ସଦ୍ୟ ସମାପ୍ତ ନିର୍ବାଚନ ପୂର୍ବରୁ ସେଠାରେ ଏକ ପ୍ରଚାର ସଭାରେ ଭାଷଣ ଦେବା ଅବସରରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଲେ ହନୁମାନ ଥିଲେ ଜଣେ ‘‘ବଞ୍ଚିତ ଦଳିତ।’’

ଯୋଗୀଙ୍କ ମନ୍ତବ୍ୟକୁ ଆଧାର କରି ଦଳିତ ସ˚ଗଠନ ‘ଭୀମ ବାହିନୀ’ର ମୁଖ୍ୟ ଚନ୍ଦ୍ରଶେଖର ଆଜାଦ୍‌ ଦେଶର ସମସ୍ତ ହନୁମାନ ମନ୍ଦିରମାନଙ୍କୁ ଦଳିତମାନେ ଦଖଲ କରିନେବାକୁ ଏବ˚ ସେଠାରେ ଦଳିତ ପୂଜାରୀମାନେ ନିଯୁକ୍ତ ହେବା ପାଇଁ ଆହ୍ବାନ ଦେଲେ। ସେତିକି ନୁହେଁ ବାହାରେଚ୍‌ ସା˚ସଦ ସାବିତ୍ରୀ ବାଇ ଫୁଲେ ଅଭିଯୋଗ କଲେ ଯେ ହନୁମାନ ପ୍ରଭୁ ଶ୍ରୀରାମଙ୍କର ଦାସ ହୋଇ ସେବା କରିଥିଲେ ମଧୢ ସେ ଜଣେ ଦଳିତ ହୋଇଥିବାରୁ ମନୁବାଦୀମାନଙ୍କ ଦ୍ବାରା ତାଙ୍କଠାରେ ଏକ ଲାଙ୍ଗୁଡ଼ ଲଗାଇ ଦିଆଗଲା ଓ ତାଙ୍କ ମୁହଁରେ କଳା ବୋଳି ଦିଆଗଲା। ଫଳ ଓଲଟା ହେବାରୁ ଭାଜପା ଆଦିତ୍ୟନାଥଙ୍କ ମନ୍ତବ୍ୟ ତାଙ୍କର ନିଜସ୍ବ ବୋଲି ସଫେଇ ଦେଇ ଦଳକୁ ସେଥିରୁ ଦୂରେଇ ନେଲା।

ଆଦିତ୍ୟନାଥଙ୍କ ମନ୍ତବ୍ୟର ଠିକ୍‌ ଦୁଇଦିନ ପରେ ଅନୁସୂଚିତ ଜନଜାତି କମିସନ୍‌ର ଚେଆର‌୍‌ମ୍ୟାନ୍‌ ନନ୍ଦ କୁମାର ସାଇ ଦାବି କରିବା ଦେଖାଗଲା ଯେ ହନୁମାନ ହେଉଛନ୍ତି ଜଣେ ଆଦିବାସୀ, କାରଣ ତାଙ୍କ ନିଜ କନ୍‌ଵାର‌୍‌ ଜନଜାତିର ଏକ ଗୋତ୍ର ହେଉଛି ‘ହନୁମାନ’। ତାହାର ପ୍ରାୟ ଆଉ ଚାରିଦିନ ପରେ ଆଚାର୍ଯ୍ୟ ନିର୍ଭୟ ସାଗର ନାମକ ମଧୢପ୍ରଦେଶର ଜଣେ ଜୈନ ସାଧୁ ସ୍ପଷ୍ଟୀକରଣ ଦେଲେ ଯେ ହନୁମାନ ପ୍ରକୃତରେ ଥିଲେ ଜଣେ ଜୈନ- ସେମାନଙ୍କର ୨୪ ଜଣ କାମଦେବ ଯୋଦ୍ଧାମାନଙ୍କ ମଧୢରୁ ଜଣେ। ତାହା ଦେଖି ଉତ୍ତରପ୍ରଦେଶରେ ଭାଜପାର ଜଣେ ମୁସଲମାନ ନେତା ଏମ୍‌ଏଲ୍‌ସି ଥିବା ବୁକ୍‌କଲ୍‌ ନଵାବ ଦାବି କଲେ ଯେ ହନୁମାନ ପ୍ରକୃତରେ ଥିଲେ ଜଣେ ମୁସଲମାନ (ଯଦିବା ରାମାୟଣ ରଚନା ସମୟରେ ଇସଲାମର ଆବିର୍ଭାବ ହେବାକୁ ଆହୁରି ଅନେକ ଶତାବ୍ଦୀ ବାକି ଥିଲା)। ତାଙ୍କ ଦାବିର କାରଣ ହେଲା ହନୁମାନ୍‌ ନାମ ସହିତ ରହମାନ୍‌, ରମଜାନ୍‌, ଫରମାନ୍‌, କୁର‌୍‌ବାନ୍‌… ଭଳି ମୁସଲମାନ ନାମ ମାନ ମେଳ ଖାଉଛି।

ହନୁମାନଙ୍କ ଉପରେ ଏପରି ଦାବି ହେଉଥିବା ବେଳେ ଜାଠମାନେ କି ଚୁପ୍‌ ରହିବା ଲୋକ! ତେଣୁ ଉତ୍ତରପ୍ରଦେଶର ଜଣେ ଜାଠ ମନ୍ତ୍ରୀ ଚୌଧୁରୀ ଲକ୍ଷ୍ମୀ ନାରାୟଣ ଦାବି କଲେ ଯେ ହନୁମାନଙ୍କ ପ୍ରକୃତି ଜାଠମାନଙ୍କ ପ୍ରକୃତି ସହିତ ମେଳ ଖାଇଥାଏ, ଏଣୁ ହନୁମାନ ଜଣେ ଜାଠ ଥିଲେ। ସେ ପ୍ରକୃତି ହେଲା- ଯେଉଁଠି ଅନ୍ୟାୟ ଦେଖିବେ ସେମାନେ ତାର ପ୍ରତିରୋଧ କରିବା ପାଇଁ କୁଦି ପଡ଼ିବେ। ଏ ସମସ୍ତ ଜାତିଭିତ୍ତିକ ଓ ଧର୍ମଭିତ୍ତିକ ଯୁକ୍ତି ବୋଧହୁଏ ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନ ଉତ୍ତରପ୍ରଦେଶର କ୍ରୀଡ଼ା ମନ୍ତ୍ରୀ ଚେତନ ଚୌହ୍ବାନଙ୍କୁ ବିରକ୍ତିକର ଲାଗିଲା। ସେ ଏ ସବୁ ବିବାଦକୁ ଆଡେ଼ଇ ଦେବାକୁ ଯାଇ କହିଲେ ଭଗବାନଙ୍କର ଜାତି ନଥାଏ, ତେଣୁ ହନୁମାନ ଥିଲେ ଜଣେ ଜାତିହୀନ କ୍ରୀଡ଼ାବିତ୍‌।

ତାଙ୍କୁ ଏପରି ଟଣାଭିଡ଼ା ହନୁମାନଙ୍କୁ କ୍ରୋଧିତ କରିବାରୁ ସେ ଥରେ ଲାଙ୍ଗୁଡ଼ ବୁଲାଇ ଦେଇ ତିନିଟି ରାଜ୍ୟରେ ଭାଜପାକୁ ମୂଳପୋଛ କରିଦେଇଛନ୍ତିି ବୋଲି କ˚ଗ୍ରେସ ନେତା ରାଜ ବବ୍‌ବର କହିଛନ୍ତି। ହନୁମାନଙ୍କର ରୁଦ୍ର ରୂପ ଦେଖିଲେ ତାହା ହିଁ ତ ମନେ ହେଉଛି!

ସମ୍ବନ୍ଧିତ ଖବର