‘ଶୁଆ’ର ପକ୍ଷଚ୍ଛେଦନ

ସିବିଆଇ ନିର୍ଦ୍ଦେଶକ ପଦରୁ ଆଲୋକ ବର୍ମାଙ୍କ ତରବରିଆ ଅପସାରଣ ଏବ˚ ଏହାର ପ୍ରତିବାଦରେ ପୁଲିସ୍‌ ସେବାରୁ ବର୍ମାଙ୍କ ବିଦାୟ ପରେ ବି ଦେଶର ପ୍ରମୁଖ ତଦନ୍ତକାରୀ ସ˚ସ୍ଥାକୁ କେନ୍ଦ୍ର କରି ତିନି ମାସର ଲମ୍ବା ବିବାଦରେ ପୂର୍ଣ୍ଣଚ୍ଛେଦ ପଡ଼ିନାହିଁ। ବର˚ ପଞ୍ଚାବନ ବର୍ଷର ଅନୁଷ୍ଠାନର ବିଶ୍ବସନୀୟତା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଏହାର ଭାବମୂର୍ତ୍ତିକୁ ମଳିନ କରିଥିବା କଳା ଅଧୢାୟରେ ଆଉ ଏକ ନୂଆ କଳା ଫର୍ଦ ଖୋଲିଛି। ଏହି ପ୍ରକ୍ରିୟାରେ ଦେଶର ଆଉ ଏକ ସାମ୍ବିଧାନିକ ଅନୁଷ୍ଠାନ- କେନ୍ଦ୍ରୀୟ ଭିଜିଲାନ୍‌ସ କମିସନ (ସିଭିସି) ମଧୢ ବିବାଦର ଭଉଁରି ଭିତରକୁ ଟାଣି ହୋଇ ଆସିଛି। ବିଶେଷ କରି, ବିତାଡ଼ିତ ସିବିଆଇ ମୁଖ୍ୟଙ୍କ ବିରୋଧରେ ଅଭିଯୋଗ ତଦନ୍ତର ତଦାରଖ ଲାଗି ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ନିଯୁକ୍ତ ପର୍ଯ୍ୟବେକ୍ଷକ ନ୍ୟାୟମୂର୍ତ୍ତି ଅନଙ୍ଗ କୁମାର ପଟ୍ଟନାୟକଙ୍କ ଚାଞ୍ଚଲ୍ୟକର ତଥ୍ୟ ଏ ପ୍ରକରଣରେ ସିଭିସିଙ୍କୁ ସନ୍ଦିଗ୍‌ଧ ଭାବେ କାଠଗଡ଼ାରେ ଠିଆ କରିଛି।

ଦୁର୍ନୀତି ଅଭିଯୋଗ ନେଇ କାର୍ଯ୍ୟାନୁଷ୍ଠାନ ସ୍ବରୂପ ପ୍ରଧାନମନ୍ତ୍ରୀଙ୍କ ଅଧୢକ୍ଷତାରେ ଗଠିତ ଉଚ୍ଚ କ୍ଷମତା ସଂପନ୍ନ ନିଯୁକ୍ତି କମିଟି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ବରୁ ଅବ୍ୟାହତି ଦେଲେ। କିନ୍ତୁ, କମିଟିର ନିଷ୍ପତ୍ତି ସର୍ବସମ୍ମତ ନଥିଲା। ତିନିଜଣିଆ କମିଟିରେ ୩-୨ ସ˚ଖ୍ୟାଗରିଷ୍ଠ ମତରେ ନିଷ୍ପତ୍ତି ଗୃହୀତ ହୋଇଥିଲା। କମିଟିର ଅଧୢକ୍ଷ ପ୍ରଧାନମନ୍ତ୍ରୀ ଓ ପ୍ରଧାନ ବିଚାରପତିଙ୍କ ଦ୍ବାରା ମନୋନୀତ ହୋଇ ନ୍ୟାୟପାଳିକାର ପ୍ରତିନିଧିତ୍ବ କରୁଥିବା ନ୍ୟାୟମୂର୍ତ୍ତି ଏ.କେ. ସିକ୍ରି ବର୍ମାଙ୍କୁ ଅବ୍ୟାହତି ଦେବା ସପକ୍ଷରେ ମତ ଦେଇଥିଲେ। ଅନ୍ୟତମ ସଦସ୍ୟ ଲୋକସଭାର ମୁଖ୍ୟ ବିରୋଧୀ ଦଳ ନେତା ମଲିକାର୍ଜୁନ ଖାର୍ଗେ ନିଷ୍ପତ୍ତିକୁ ବିରୋଧ କରି ଭିନ୍ନମତ ରଖିଥିଲେ। ଏପରିକି, ଚୂଡ଼ାନ୍ତ ନିଷ୍ପତ୍ତି ପୂର୍ବରୁ ଅନ୍ତତଃ ନିଜ ପକ୍ଷ ରଖିବା ପାଇଁ ସିବିଆଇ ମୁଖ୍ୟଙ୍କୁ ସୁଯୋଗ ଦିଆଯାଉ ବୋଲି ଖାର୍ଗେଙ୍କ ପ୍ରସ୍ତାବକୁ ମଧୢ ଅନ୍ୟ ଦୁଇ ସଦସ୍ୟ ଗ୍ରହଣ କରି ନଥିଲେ। କମିଟିର ଦୁଇ ରାଜନୈତିକ ସଦସ୍ୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟ ବିରୋଧୀ ଦଳ ନେତାଙ୍କ ମଧୢରେ ରାଜନୈତିକ କାରଣରୁ ମତ ପାର୍ଥକ୍ୟ ଅସ୍ବାଭାବିକ ନୁହେଁ। କିନ୍ତୁ ନ୍ୟାୟପାଳିକାର ପ୍ରତିନିଧିତ୍ବ କରୁଥିବା ନ୍ୟାୟମୂର୍ତ୍ତି ଏହି ପ୍ରସଙ୍ଗରେ ଅଧୢକ୍ଷ ପ୍ରଧାନମନ୍ତ୍ରୀଙ୍କ ସ୍ବରରେ ସ୍ବର ମିଳାଇ ଅଭିଯୁକ୍ତଙ୍କୁ ପକ୍ଷ ରଖିବାର ସୁଯୋଗରୁ ବଂଚିତ କରିବା ବାସ୍ତବିକ ବିସ୍ମୟକର। ଏହା ‘ନେଚୁରାଲ ଜଷ୍ଟିସ୍‌’ ବା ମୌଳିକ ପ୍ରାକୃତିକ ନ୍ୟାୟ ପ୍ରକ୍ରିୟାର ପରିପନ୍ଥୀ, ଯାହା ସ୍ବତଃ ନ୍ୟାୟପାଳିକାର ପ୍ରତିନିଧିଙ୍କ ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ପରୋକ୍ଷରେ ଏହା ଉଚ୍ଚତମ ନ୍ୟାୟାଳୟକୁ ମଧ୍ୟ ବିବାଦରେ ପକ୍ଷଭୁକ୍ତ କରି ଦେଉଛି।

ପୁଣି କାହା ଅଭିଯୋଗ ଉପରେ ବିଶ୍ବାସ ରଖି କମିଟି ଏ ନିଷ୍ପତ୍ତି ନେଲେ? ସେ ଅନ୍ୟ କେହି ନୁହଁନ୍ତି, ଦୁର୍ନୀତି ମାମଲାରେ ଖୋଦ୍‌ ଜଣେ ଅଭିଯୁକ୍ତ ସିବିଆଇର ପୂର୍ବତନ ସ୍ବତନ୍ତ୍ର ନିର୍ଦ୍ଦେଶକ ଓ ବିତାଡ଼ିତ ସିବିଆଇ ନିର୍ଦ୍ଦେଶକ ବର୍ମାଙ୍କ ଏକଦା ଅଧସ୍ତନ ରାକେଶ ଆସ୍ଥାନା। ବର୍ମା ଓ ଆସ୍ଥାନାଙ୍କ ମଧୢରେ ପରସ୍ପର ଅଭିଯୋଗ- ପ୍ରତି ଅଭିଯୋଗରୁ ସିବିଆଇ ବିବାଦର ସୂତ୍ରପାତ ହୋଇଥିଲା। କମିଟିର ସ˚ଖ୍ୟା ଗରିଷ୍ଠ ନିଷ୍ପତ୍ତି ଯେତିକି ବିବାଦୀୟ, ପୂରା ପ୍ରକରଣରେ ସିଭିସିଙ୍କ ଭୂମିକା ତା’ଠାରୁ ଅଧିକ ବିବାଦୀୟ। ସିଭିସିଙ୍କ ରିପୋର୍ଟ ଉପରେ କମିଟି ବର୍ମାଙ୍କ ବିରୋଧରେ ନିଷ୍ପତ୍ତି ନେଲେ। ଏହି ରିପୋର୍ଟ ହିଁ ସାନି ବିବାଦର ମଞ୍ଜି। କାରଣ ସିଭିସି ଯେଉଁ ରିପୋର୍ଟ କମିଟି ଆଗରେ ଉପସ୍ଥାପନ କଲେ, ତାହା କେବଳ ଏକ ଅଭିଯୋଗ ଫର୍ଦ ମାତ୍ର। ଅଭିଯୋଗ ପ୍ରମାଣିତ ହୋଇନାହିଁ। ଉଲ୍ଲେଖନୀୟ ଯେ, ଆସ୍ଥାନାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗରେ ଏଫଆଇଆର‌୍‌ ରଦ୍ଦ ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ବର୍ମାଙ୍କ ବିରୋଧରେ ଆସ୍ଥାନାଙ୍କ ଅଭିଯୋଗର କୌଣସି ପ୍ରମାଣ ମଧୢ ନାହିଁ। ଅଥଚ, ସିଭିସି କେଭି ଚୌଧୁରୀ ମହୋଦୟ ଆସ୍ଥାନାଙ୍କ ଅଭିଯୋଗର ଅବିକଳ ପ୍ରତିଲିପି ତିନିଜଣିଆ କମିଟିରେ ଉପସ୍ଥାପନ କରିଥିଲେ। କମିଟି ମଧୢ ଏହି ଅଭିଯୋଗ ଆଧାରରେ ସିବିଆଇ ମୁଖ୍ୟଙ୍କୁ ହଟାଇ ଦେଲେ। ଅଭିଯୋଗ ସାବ୍ୟସ୍ତ ଲାଗି ପ୍ରମାଣ ଯେ ଅପରିହାର୍ଯ୍ୟ ଏହା କମିଟି ଭୁଲିଗଲେ କେମିତି ?

ସବୁ ଜାଣି ପ୍ରଧାନମନ୍ତ୍ରୀଙ୍କ ଅଧୢକ୍ଷତାରେ କମିଟିର ଏହି ତରବରିଆ ନିଷ୍ପତ୍ତି ପଛର ଉଦ୍ଦେଶ୍ୟକୁ ଯାହା ଅଧିକ ସନ୍ଦେହାଚ୍ଛନ୍ନ କରି ଦେଉଛି ତାହା ହେଲା, ସିଭିସିଙ୍କ ରିପୋର୍ଟ ଉପରେ ତଦନ୍ତ ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ନ୍ୟାୟମୂର୍ତ୍ତି ଏ.କେ. ପଟ୍ଟନାୟକଙ୍କ ଟିପ୍ପଣୀ। କମିଟିରେ ସିଭିସି ଉପସ୍ଥାପନ କରିଥିବା ରିପୋର୍ଟ ନ୍ୟାୟମୂର୍ତ୍ତି ଏ.କେ. ପଟ୍ଟନାୟକଙ୍କ ଅନୁମୋଦିତ ନୁହେଁ। ଏ ବିଷୟ ସେ ଲିଖିତ ଭାବେ ଜଣାଇ ଦେଇଥିଲେ, ଯାହା ସିଭିସିଙ୍କ ରିପୋର୍ଟ ସହ ସ˚ଲଗ୍ନ ଥିଲା। ତଥାପି କମିଟି ସୁପ୍ରିମ୍‌କୋର୍ଟଙ୍କ ନିଯୁକ୍ତ ପର୍ଯ୍ୟବେକ୍ଷକଙ୍କ ମନ୍ତବ୍ୟକୁ ଅଣଦେଖା କରି କେବଳ ସିଭିସିଙ୍କ ଅପ୍ରମାଣିତ ଅଭିଯୋଗକୁ ‘ଆପାତତଃ ପ୍ରମାଣଯୋଗ୍ୟ’ ବୋଲି ଧରି ନେଇ ନିଷ୍ପତ୍ତି ନେଲେ। ତଦନ୍ତ ଅସମ୍ପୂର୍ଣ୍ଣ, ଅଭିଯୋଗର ପ୍ରମାଣ ନାହିଁ। ଅଥଚ ଏହାର ଆଧାରରେ ଏକ ସ୍ପର୍ଶକାତର ପ୍ରସଙ୍ଗରେ ନିଷ୍ପତ୍ତି ନିଆଗଲା। ନ୍ୟାୟିକ ପ୍ରକ୍ରିୟା ପ୍ରତି ଏହା କେବଳ ଉପହାସ ନୁହେଁ, ସୁପ୍ରିମ୍‌କୋର୍ଟଙ୍କ ପ୍ରତି ମଧୢ ଅବମାନନା। କାରଣ ସିଭିସି ତଦନ୍ତର ତଦାରଖ ଲାଗି ନ୍ୟାୟମୂର୍ତ୍ତି ଏ.କେ. ପଟ୍ଟନାୟକ ସୁପ୍ରିମ୍‌ କୋର୍ଟ ଦ୍ବାରା ନିଯୁକ୍ତ ହୋଇଥିଲେ।

ବାଧୢତାମୂଳକ ଭାବେ ଛୁଟିରେ ପଠାଯାଇଥିବା ସିବିଆଇ ମୁଖ୍ୟଙ୍କୁ ପୁନଃ ଅବସ୍ଥାପିତ କରି ସୁପ୍ରିମ୍‌ କୋର୍ଟଙ୍କ ରାୟ ପରବର୍ତ୍ତୀ ବାସ୍ତରି ଘଣ୍ଟାର ନାଟକୀୟ ଅଥଚ ବିବାଦୀୟ ଘଟଣାକ୍ରମ ଓ ପର୍ଯ୍ୟବେକ୍ଷକ ନ୍ୟାୟମୂର୍ତ୍ତି ଅନଙ୍ଗ ପଟ୍ଟନାୟକ ଗଣମାଧୢମକୁ ଦେଇଥିବା ତଥ୍ୟର ଆଲୋକରେ ଯଦି ଦେଖାଯାଏ, ତେବେ ଆଉ କୌଣସି ସନ୍ଦେହ ରହିଯାଉ ନାହିଁ ଯେ, କମିଟିର ନିଷ୍ପତ୍ତି ତରବରିଆ ଓ ସ˚ପୂର୍ଣ୍ଣ ଭାବେ ଉଦ୍ଦେଶ୍ୟ ପ୍ରଣୋଦିତ। ଯେନତେନ ପ୍ରକାରେଣ କାର୍ଯ୍ୟନିର୍ବାହୀ ନିଜ ଉଦ୍ଦେଶ୍ୟ ସାଧନ କରିଛି। ପ୍ରଧାନମନ୍ତ୍ରୀ ଓ ତାଙ୍କ ସରକାର ସିବିଆଇ ନିର୍ଦେଶକ ପଦରେ ବର୍ମାଙ୍କୁ ଦେଖିବାକୁ ଚାହୁଁ ନଥିଲେ। ସେଥିପାଇଁ ପ୍ରଥମେ ୭୭ ଦିନ ପାଇଁ ଛୁଟିରେ ପଠାଇଲେ ଓ ସୁପ୍ରିମ୍‌ କୋର୍ଟଙ୍କ ଦ୍ବାରା ପୁନଃ ଅବସ୍ଥାପିତ ହେବା ସତ୍ତ୍ବେ ୪୮ ଘଣ୍ଟା ମଧୢରେ ପୂରା ବିଦା କରିଦେଲେ। ଦୁର୍ଭାଗ୍ୟର ବିଷୟ ଯେ, ଗୋଟିଏ ସ˚ସ୍ଥାର ସ୍ବାଧୀନତା ଓ ବିଶ୍ବସନୀୟତା ଅପହରଣରେ ଆଉ ଗୋଟିଏ ସ୍ବାଧୀନ ସ˚ସ୍ଥା ସ୍ବଇଚ୍ଛାରେ ହାତବାରିସୀ ସାଜିଲା। ସିବିଆଇ ବିରୋଧରେ ସିଭିସିକୁ ସରକାର ବ୍ୟବହାର କଲେ। ଏହା ସ୍ବାଧୀନ ସ˚ସ୍ଥାର ରାଜନୀତୀକରଣର ଅଶୁଭ ସ˚କେତ। ନ୍ୟାୟପାଳିକା ନେଇ ମଧ୍ୟ ଏହା ସୁସ୍ଥ ସଂକେତ ଦେଉନାହିଁ।

ସିବିଆଇର ସ୍ବାଧୀନତାକୁ ସୁରକ୍ଷା ଦେବା ପାଇଁ ସୁପ୍ରିମ୍‌ କୋର୍ଟ ଧାର୍ଯ୍ୟ କରିଥିବା ନିର୍ଦ୍ଦେଶକଙ୍କ ନିର୍ଦ୍ଧାରିତ ଦୁଇ ବର୍ଷୀୟା କାର୍ଯ୍ୟ କାଳର ବ୍ୟବସ୍ଥା ବସ୍ତୁତଃ ଅକାମି ହୋଇଯାଇଛି। ତୁଚ୍ଛା ଅଭିଯୋଗ ଉପରେ ସରକାର ନିଜ ମର୍ଜି ଅନୁଯାୟୀ ସିବିଆଇ ମୁଖ୍ୟଙ୍କୁ ତଡ଼ି ଦେଇ ପାରନ୍ତି, ଏହାର ଅସୁସ୍ଥ ନଜିର ସୃଷ୍ଟି ହେଲା। ଏକଦା ସୁପ୍ରିମ୍‌ କୋର୍ଟ ସିବିଆଇକୁ ‘ପଞ୍ଜୁରିର ଶୁଆ’ ସହ ତୁଳନା କରିଥିଲେ। କିନ୍ତୁ ଗତ ତିନି ଦିନ ମଧୢରେ ଯାହା ଘଟିଗଲା, ଶୁଆକୁ ହାତରେ ରଖିବା ପାଇଁ ଓ ପିଞ୍ଜରା ଭିତର ପକ୍ଷୀଟି କୌଣସି ପରିସ୍ଥିତିରେ ବି ଉଡ଼ିବା ତ ଦୂରେ ଥାଉ, ଡେଣା ଫଡ଼ଫଡ଼ କରିବାର ସାମର୍ଥ୍ୟ ଯେମିତି ନ ପାଏ, ସେଥିପାଇଁ ଶୁଆର ପକ୍ଷଚ୍ଛେଦନ ଲାଗି ସରକାରଙ୍କୁ ହତିଆର ଦେଇ ଦେଇଛି। ଏବେ ପିଞ୍ଜରା ଭିତରେ ଶୁଆର ଜିଅନ୍ତା ମରଣ ଅବସ୍ଥା। ତେବେ, ମନେ ରଖିବାକୁ ପଡ଼ିବ ଯେ, ଭାରତୀୟ ଗଣତନ୍ତ୍ରର ତିନି ପ୍ରମୁଖ ସ୍ତମ୍ଭ- କାର୍ଯ୍ୟନିର୍ବାହୀ, ବ୍ୟବସ୍ଥାପକ ସଭା ଓ ନ୍ୟାୟପାଳିକାର ଭୂମିକା ଯେତିକି ଗୁରୁତ୍ବପୂର୍ଣ୍ଣ, ସିଏଜି, ନିର୍ବାଚନ କମିସନ, ସିଭିସି ଭଳି ସ୍ବାଧୀନ ଗଣତାନ୍ତ୍ରିକ-ସାମ୍ବିଧାନିକ ସ˚ସ୍ଥାର ଭୂମିକା ମଧୢ ସେତିକି ଗୁରୁତ୍ବପୂର୍ଣ୍ଣ। ଏହି ଗଣତାନ୍ତ୍ରିକ-ସାମ୍ବିଧାନିକ ସ˚ସ୍ଥାମାନଙ୍କ ସହ ସମାନ ଭାବେ ସିବିଆଇର ଗଣତି ନହେଲେ ସୁଦ୍ଧା, ଏହାର ସ୍ବାଧୀନତା କିଛି କମ୍‌ ଗୁରୁତ୍ବପୂର୍ଣ୍ଣ ନୁହେଁ। ସର୍ବଶେଷ ଘଟଣାକ୍ରମ ପରିପ୍ରେକ୍ଷୀରେ ସିବିଆଇକୁ କାର୍ଯ୍ୟନିର୍ବାହୀର ପ୍ରଭାବରୁ ମୁକ୍ତ ରଖିବା ଲାଗି ଏହା ସକାଶେ ସାମ୍ବିଧାନିକ ମର୍ଯ୍ୟାଦା ଜରୁରି ହୋଇ ପଡ଼ିଛି।

ସମ୍ବନ୍ଧିତ ଖବର