ନିଷ୍ଫଳ ଆଶୀର୍ବାଦ?

ଅକ୍‌ଟୋବର ୨୦୧୭ରେ ପୃଥିବୀର ମୋଟ ଲୋକ ସଂଖ୍ୟା ଥିଲା ୭୬୦ କୋଟି ବୋଲି ଆକଳନ ପ୍ରକାଶ ପାଇଛି। ସେଇ ମାସରେ ପ୍ରସିଦ୍ଧ ଆନ୍ତର୍ଜାତିକ ବିତ୍ତୀୟ ପତ୍ରିକା ଫୋର୍ବସ ଦ୍ୱାରା ପ୍ରସ୍ତତ ଓ ପ୍ରକାଶିତ ତାଲିକା ଅନୁସାରେ ସାରା ପୃଥିବୀରେ ସର୍ବାଧିକ ଧନୀ ରୂପେ ବିବେଚିତ ଏକ ବିଲିଅନ୍‌ ଡଲାରରୁ ଅଧିକ ମୂଲ୍ୟର ସମ୍ପଦର ଅଧିକାରୀ ହୋଇଥିବା ଲୋକ (‘ବିଲିଅନେଆର୍‌’)ଙ୍କର ସଂଖ୍ୟା ଥିଲା ୨୦୪୩ ମାତ୍ର। ପୃଥିବୀର ଲୋକସଂଖ୍ୟା ସମୁଦ୍ରରେ ବିଲିଅନେଆର୍‌ମାନଙ୍କର ସଂଖ୍ୟା ହେଉଛି ମାତ୍ର କେତେ ବୁନ୍ଦା ଜଳ ମାତ୍ର। ଏକ ବିଲିଅନ୍‌ ଡଲାର୍‌ ହେଉଛି ଏକ ହଜାର ନିୟୁତ ଡଲାର। ଯଦି କୌଣସି ଏକ ଦ୍ରବ୍ୟର ମୂଲ୍ୟ ହୋଇଥାଏ ୪୫୦ ନିୟୁତ ଡଲାର୍‌, ତାହାକୁ କ୍ରୟ କରିବାର କ୍ଷମତା ପୃଥିବୀର ଏହି ବିଶାଳ ଜନସମୁଦ୍ର ମଧ୍ୟରୁ କେବଳ ଏହି କତିପୟ ବିଲିଅନେଆର୍‌ଙ୍କଠାରେ ଉପଲବ୍ଧ, ଏପରି ଭାବିବା ଭୁଲ୍‌ ହେବ ନାହିଁ।

ଏଣୁ ଗତ ବୁଧବାର ରାତିରେ ନ୍ୟୁୟର୍କସ୍ଥିତ ବିରଳ ବସ୍ତୁ ନିଲାମକାରୀ ସଂସ୍ଥା ‘କ୍ରିଷ୍ଟିଜ୍‌’ଠାରେ ପଞ୍ଚଦଶ-ଷୋଡ଼ଶ ଶତାବ୍ଦୀର ପ୍ରସିଦ୍ଧ ଇଟାଲୀୟ ଚିତ୍ରକର ଲିଓନାର୍ଡୋ ଡାଭିନ୍‌ଚିଙ୍କ ଦ୍ୱାରା ଅଙ୍କିତ ଯୀଶୁଙ୍କର ଏ ଚିତ୍ରକୁ ଯେଉଁ ଅଜଣା ବ୍ୟକ୍ତି ୪୫୦ ନିୟୁତ ଡଲାରରୁ ଅଧିକ ମୂଲ୍ୟ (୪୫୦,୩୧୨,୫୦୦ ଡଲାର୍‌) ଦେଇ ନିଲାମ ଧରିଲେ ସେ ଉପରୋକ୍ତ ୨୯୪୩ ଜଣ ବିଲିଅନେଆର୍‌ଙ୍କ ମଧ୍ୟରୁ ଜଣେ ହୋଇଥିବାର ଦୃଢ଼ ସମ୍ଭାବନା ରହିଛି। ଅନ୍ୟ ଏକ ସମ୍ଭାବନା ହେଉଛି କୌଣସି ଏକ ଅତ୍ୟନ୍ତ ଧନଶାଳୀ ସଂଗ୍ରହାଳୟ, ଯେପରି ଆବୁଧାବିରେ ନୂଆ କରି ପ୍ୟାରିସ୍‌ର ‘ଲୁଭ୍ର’କୁ ଅନୁକରଣ କରି ପ୍ରତିଷ୍ଠିତ ହୋଇଥିବା ଆବୁଧାବି ‘ଲୁଭ୍ର’। ୨୦୧୩ରେ ଫରାସୀ ଅର୍ଥନୀତିଜ୍ଞ ଥମାସ୍‌ ପିକେଟି ତାଙ୍କର ବହୁଳ ଆଦୃତ ଏବଂ ପ୍ରଶଂସିତ ପୁସ୍ତକ ‘କ୍ୟାପିଟାଲ୍‌ ଇନ୍‌ ଦି ଟେ୍ଵଣ୍ଟିଫାଷ୍ଟ ସେଞ୍ଚୁରୀ’ରେ ପ୍ରଦର୍ଶିତ କରିଥିଲେ ଯେ ପୃଥିବୀରେ ଯେଉଁ ଅର୍ଥନୈତିକ ଏବଂ ସାମାଜିକ ଅସ୍ଥିରତା ଦେଖା ଦେଉଛି ତାହାର ମୁଖ୍ୟ କାରଣ ହେଉଛି ଆୟ ଏବଂ ସମ୍ପଦର ବଣ୍ଟନରେ ଦେଖାଯାଉଥିବା ଚରମ ବୈଷମ୍ୟ। ଉପରୋକ୍ତ ସ୍ୱଳ୍ପ ସଂଖ୍ୟକ ବିଲିଅନେଆର୍‌ମାନେ ହେଉଛନ୍ତି ଏହି ବୈଷମ୍ୟର ଜୀବନ୍ତ ପ୍ରମାଣ ଓ ବାହକ। ପୃଥିବୀର ବାକି ଲୋକମାନେ ଏମାନଙ୍କ ପ୍ରତି କିପ୍ରକାର ମନୋଭାବ ପୋଷଣ କରୁଥିବେ ଅନୁମାନ କରିବା କଷ୍ଟକର ନୁହେଁ। ଏହାର ନାମ ହେଉଛି- ଈର୍ଷା। ସେମାନଙ୍କ ମଧ୍ୟରୁ ଅନେକ ଯଦି ଈର୍ଷା ପ୍ରଣୋଦିତ ହୋଇ ଆଶା କରୁଥିବେ ଉପରୋକ୍ତ ଚିତ୍ରପଟର କ୍ରେତା ଜଣକ ଠକାମିର ଶିକାର ହୋଇଥାନ୍ତେ କି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଆଉ ଯାହା ମନେ ହେଉଛି, ଏହା ମଧ୍ୟ ଅସମ୍ଭବ ନୁହେଁ।

ଚିତ୍ରଟି ହେଉଛି ପୃଥିବୀର ସର୍ବାଧିକ ପ୍ରସିଦ୍ଧ ଦୁର୍ମୂଲ୍ୟ ଚିତ୍ର ‘ମୋନାଲିସା’ର ଚିତ୍ରକର ଡାଭିନ୍‌ଚି ଆଙ୍କିଥିବା ପ୍ରାୟ ୨୦ଟି ଚିତ୍ରପଟ ମଧ୍ୟରୁ ବ୍ୟକ୍ତିଗତ ମାଲିକାନାରେ ରହିଯାଇଥିବା ଏକମାତ୍ର ଚିତ୍ର ବୋଲି ଦାବି କରାଯାଉଛି। ଏହି କାରଣରୁ କେହି ଜଣେ ସମସ୍ତଙ୍କୁ ଚକିତ କରିଦେଇ ଏପରି ଏକ ସର୍ବକାଳୀନ ରେକର୍ଡ ଦାମ୍‌ ଦେଇ ଚିତ୍ରଟିକୁ କ୍ରୟ କରିଛନ୍ତି। ସେ ନିଶ୍ଚିତ ରୂପେ ଆଶା କରୁଛନ୍ତି ଭବିଷ୍ୟତରେ ଏହା ‘ମୋନାଲିସା’ ଭଳି ଖ୍ୟାତି ଅର୍ଜନ କରି ଏକ ଅଭାବିତ ମୂଲ୍ୟରେ ବିକ୍ରି ହେବ କିଂବା ତାଙ୍କ ପାଖରେ ରହି ତାଙ୍କୁ ଡାଭିନ୍‌ଚିଙ୍କ ସ୍ୱହସ୍ତ ଅଙ୍କିତ ଏକ ବିରଳତମ ଶ୍ରେଣୀର ଚିତ୍ରପଟର ଅଧିକାରୀ ରୂପେ ଆତ୍ମସନ୍ତୋଷ ପ୍ରଦାନ କରିବ। କିନ୍ତୁ ଯଦିବା ଅଧିକାଂଶ ଚିତ୍ରକଳା ବିଶେଷଜ୍ଞ ଏକମତ ଯେ ଚିତ୍ରଟି ପ୍ରକୃତରେ ଡାଭିନ୍‌ଚିଙ୍କ ଦ୍ୱାରା ଅଙ୍କିତ, ଡାଭିନ୍‌ଚି ଓ ତାଙ୍କର ଚିତ୍ରକଳା ଉପରେ ଟିକିନିଖି ଗବେଷଣା କରିଥିବା ଅନ୍ୟ କେତେକ ବିଶେଷଜ୍ଞ ଏ ନେଇ ସନ୍ଦେହ ପ୍ରକଟ କରିଛନ୍ତି। ଏ ସନ୍ଦେହର କାରଣ ଏଇ ଭଳି:

ଯୀଶୁଙ୍କର ଏହି ଚିତ୍ରଟିର ନାମ ହେଉଛି ‘‘ସାଲ୍‌ଭାଟର୍‌ ମୁଣ୍ଡି’ (‘ଜଗତ୍‌ର ତ୍ରାଣକର୍ତ୍ତା’)। ଏଥିରେ ନୀଳ ପୋଷାକରେ ଆବୃତ ଯୀଶୁ ତାଙ୍କର ବାମହାତ ପାପୁଲିରେ ଏକ ସ୍ଫଟିକ ନିର୍ମିତ ପୃଥିବୀ ରୂପକ ଗୋଲକ ଧରିଛନ୍ତି ଏବଂ ତାଙ୍କର ଦକ୍ଷିଣ ହସ୍ତ ଏକ ଆଶୀର୍ବାଦ ମୁଦ୍ରାରେ ଉତ୍ତୋଳିତ ହୋଇଛି। ସନ୍ଦେହର ପ୍ରଥମ କାରଣ ହେଉଛି ଗୋଲକଟି। ବିଶେଷଜ୍ଞ ମାନଙ୍କ ମତରେ ‘ସାଲ୍‌ଭାଟର୍‌ ମୁଣ୍ଡି’ର ଅଙ୍କନ କାଳ ହେଉଛି ପ୍ରାୟ ୧୫୦୦ ଖ୍ରୀଷ୍ଟାବ୍ଦ। ଡାଭିନ୍‌ଚିଙ୍କୁ ସେତେବେଳେ ବୟସ ହୋଇଥିବ ୪୮ ବର୍ଷ। ଲିଓନାର୍ଡୋ ଡାଭିନ୍‌ଚି କେବଳ ଜଣେ ଚିତ୍ରକର ନଥିଲେ, ସେ ମଧ୍ୟ ଥିଲେ ଏକାଧାରରେ ଜଣେ ପଦାର୍ଥବିଜ୍ଞାନୀ, ଇଞ୍ଜିନିଅର୍‌, ଉଦ୍ଭାବକ, ସ୍ଥପତି ଇତ୍ୟାଦି। ଯେଉଁ ସମୟରେ ‘ସାଲ୍‌ଭାଟର୍‌ ମୁଣ୍ଡି’ ଅଙ୍କିତ ହୋଇଥିଲା, ଲିଓନାର୍ଡୋ ସେଇ ସମୟରେ ପଦାର୍ଥବିଜ୍ଞାନ ଅନ୍ତର୍ଗତ ଆଲୋକର ବିଭିନ୍ନ ଚରିତ୍ର (ଅପ୍‌ଟିକ୍‌ସ) ଉପରେ ଗବେଷଣାରେ ପ୍ରବୃତ୍ତ ଥିବା ଜଣାଯାଏ। ତେଣୁ ତାଙ୍କୁ ନିଶ୍ଚୟ ଜଣାଥିବ ଯେ ଚିତ୍ରଟିରେ କାଚ ଗୋଲକଟି ପଛପଟେ ଥିବା ଯୀଶୁଙ୍କ ପୋଷାକ ଆଲୋକର ପ୍ରତିସରଣ ଯୋଗୁଁ ବଙ୍କା ହୋଇ ଦେଖାଯିବା ଉଚିିତ। କିନ୍ତୁ ଚିତ୍ରଟିରେ ପୋଷାକର ସମ୍ପୃକ୍ତ ଅଂଶ ତାହାର ଅନ୍ୟ ଅଂଶ ଭଳି ସିଧାସଳଖ ରହିଛି। ସେଇଭଳି ଗୋଲକଟିର କାଚରେ ଯୀଶୁଙ୍କର ହାତର ପ୍ରତିଫଳନ ମଧ୍ୟ ଦେଖାଯିବା ଉଚିତ- କିନ୍ତୁ ତାହା ହୋଇ ନାହିଁ। ବିଶ୍ୱାସ ହୁଏ ନାହିଁ ପଦାର୍ଥବିଜ୍ଞାନୀ ତଥା ଅପ୍‌ଟିକ୍‌ସ ଗବେଷକ ଡାଭିନ୍‌ଚି ଏପରି ଭୁଲ କରିଥିବେ।

ଦ୍ୱିତୀୟରେ ଚିତ୍ରଟିରେ ଯୀଶୁ ଏକ ଖୁଣ୍ଟ ଭଳି ସମ୍ପୂର୍ଣ୍ଣ ସିଧାସଳଖ ଭଙ୍ଗୀରେ ସମ୍ମୁଖକୁ ଚାହିଁ ଛିଡ଼ା ହୋଇଛନ୍ତି। ବିଶେଷଜ୍ଞମାନେ କହନ୍ତି ଡାଭିନ୍‌ଚିଙ୍କର ଅନ୍ୟ କୌଣସି ଚିତ୍ରରେ ଅଙ୍କାଯାଇଥିବା ବ୍ୟକ୍ତି ଏଭଳି ସଳଖ ଭଙ୍ଗୀରେ ଛିଡ଼ା ହେବା ଦେଖାଯାଏ ନାହିଁ। ଚିତ୍ରର ଚରିତ୍ର ଶରୀରକୁ ବଙ୍କାଇ ପାର୍ଶ୍ୱକୁ ଚାହିଁଥିବା କିଂବା ଗ୍ରୀବାକୁ ବଙ୍କାଇଥିବା କିଂବା କାନ୍ଧକୁ ବଙ୍କାଇଥିବା ସର୍ବଦା ଡାଭିନ୍‌ଚିଙ୍କର ଏକ ବିଶେଷତ୍ୱ ହୋଇ ଆସିଛି। ମାତ୍ର ଏଇ ଗୋଟିକ ଚିତ୍ରରେ ସେ କାହିଁକି ତାଙ୍କର ଅଙ୍କନ ଶୈଳୀରେ ଏପରି ବ୍ୟତିକ୍ରମ କରିବେ?

ତୃତୀୟରେ ‘ସାଲ୍‌ଭାଟର୍‌ ମୁଣ୍ଡି’ ଚିତ୍ରଟି ତା’ର ପାଞ୍ଚ ଶହରୁ ଅଧିକ କାଳର କୁହେଳିକାମୟ ଇତିହାସରେ ବିଭିନ୍ନ ଅବକ୍ଷୟର ସମ୍ମୁଖୀନ ହୋଇଛି ଏବଂ ବିଭିନ୍ନ କାରିଗରମାନେ ତାହାକୁ ପୁନରୁଦ୍ଧାର କରିବାକୁ ଚେଷ୍ଟା କରିଛନ୍ତି। ଏହାର ଫଳ ସ୍ୱରୂପ ମୂଳ ଚିତ୍ରଟି ଉପରେ ଏକ ନୂତନ ପ୍ରଲେପର ସୃଷ୍ଟି ହୋଇଥିଲା ଯାହାକୁ ଯତ୍ନ ସହକାରେ ସଫା କରାହେବା ପରେ ନିଲାମ ହୋଇଥିବା ଚିତ୍ରଟିର ଆବିର୍ଭାବ ଘଟିଛି। ଯଦିବି ‘ସାଲ୍‌ଭାଟର୍‌ ମୁଣ୍ଡି’ ପ୍ରକୃତରେ ଏକ ଡାଭିନ୍‌ଚି ଚିତ୍ର ହୋଇଥାଏ, ତାହାର ମୂଳ ଚରିତ୍ର ଏହା ଦ୍ୱାରା ବିକୃତ ହୋଇଥିବାର ସମସ୍ତ ସମ୍ଭାବନା ରହିଛି। ତେଣୁ ଯୀଶୁଙ୍କ ହାତରେ ଥିବା ପୃଥିବୀର ଯେଉଁ ବ୍ୟକ୍ତି ଜଣକ ତାଙ୍କର ବିଶେଷ ଆଶୀର୍ବାଦ ଲାଭ କରି ବିଲିଅନେଆର୍‌ରେ ପରିଣତ ହୋଇଛି, ତା ପାଇଁ ସେ କ୍ରୟ କରିଥିବା ‘ସାଲ୍‌ଭାଟର୍‌ ମୁଣ୍ଡି’ ହୁଏତ ନକଲି ସାବ୍ୟସ୍ତ ହୋଇ ଏକ ନିଷ୍ଫଳ ଆଶୀର୍ବାଦରେ ପରିଣତ ହୋଇପାରେ। କିଏ ଜାଣେ, ଏହା ପୃଥିବୀର ବାକି ଈର୍ଷାନ୍ଵିତ ଲୋକମାନଙ୍କ ପ୍ରତି ଯୀଶୁଙ୍କର ଆଶୀର୍ବାଦ ହୋଇପାରେ!

ସମ୍ବନ୍ଧିତ ଖବର