ଆଜି ଦେଶର ସତୁରିତମ ସାଧାରଣତନ୍ତ୍ର ଦିବସ। ୧୯୫୦ର ଆଜି ଦିବସରେ ‘ଆମେ ଭାରତର ଜନଗଣ’ ନିଜ ପାଇଁ ଗୋଟିଏ ସମ୍ବିଧାନ କାର୍ଯ୍ୟକାରୀ କଲୁ। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ଭାରତୀୟଙ୍କ ପାଇଁ ସମାନ ଅଧିକାର ଓ ସମାନ ସୁଯୋଗର ସାମ୍ବିଧାନିକ ବ୍ୟବସ୍ଥା ସହ ସମସ୍ତଙ୍କ ପାଇଁ ସାମାଜିକ- ଅର୍ଥନୈତିକ- ରାଜନୈତିକ ନ୍ୟାୟ ନିଶ୍ଚିତ କରିବା ଲାଗି ସ˚କଳ୍ପ ନିଆଗଲା। ଅର୍ଥାତ୍ ସାମାଜିକ- ଅର୍ଥନୈତିକ- ରାଜନୈତିକ; ସବୁ କ୍ଷେତ୍ରରେ ସମାନତାକୁ ମନ୍ତ୍ର କରି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ସାମାଜିକ- ଅର୍ଥନୈତିକ- ରାଜନୈତିକ ନ୍ୟାୟ ହାସଲର ଲକ୍ଷ୍ୟ ସ୍ଥିର ହେଲା। ଏକ ସ୍ବାଧୀନ, ସାର୍ବଭୌମ ରାଷ୍ଟ୍ର ଭାବେ ଦୀର୍ଘ ସାତ ଦଶନ୍ଧିର ଯାତ୍ରା ପରେ ‘‘ଆମେ ଭାରତର ଜନଗଣ’’ ସେ ଲକ୍ଷ୍ୟ କେତେ ହାସଲ କରିପାରିଛୁ? ଆଜି ସାଧାରଣତନ୍ତ୍ର ଦିବସର ପବିତ୍ର ଅବସରରେ ପ୍ରତ୍ୟେକ ଭାରତୀୟ ନାଗରିକ ଏହି ପ୍ରଶ୍ନ ନିଜେ ନିଜକୁ ପଚାରିବା ଉଚିତ। ଏ ପ୍ରଶ୍ନର ଯେଉଁ ଉତ୍ତର ମିଳିବ, ତାହା ଭାରତବାସୀଙ୍କୁ ନା ଉତ୍ସାହିତ କରିବ ନା ଭାରତକୁ ଉଜ୍ଜ୍ବଳ ଆଲୋକରେ ଦେଖାଇବ। ତଥାପି ଆଶାବାଦୀ ହେବାର ଯଥେଷ୍ଟ ଅବକାଶ ରହୁଛି। ଏହାକୁ କେହି ଅସ୍ବୀକାର କରିପାରିବେ ନାହିଁ ଯେ, ‘ଅଳ୍ପ ପଥ ଅତିକ୍ରାନ୍ତ, ବହୁ ପଥ ବାକି’ ଥିଲେ ସୁଦ୍ଧା ଚରୈବତି, ଚରୈବତି ନ୍ୟାୟରେ ‘ଆମେ ଭାରତର ଜନଗଣ’ ଲକ୍ଷ୍ୟଚ୍ୟୁତ ନ ହୋଇ ସ˚କଳ୍ପ ପୂରଣ ସକାଶେ ସଦା ଉଦ୍ୟମରତ। ଅବଶ୍ୟ, ଏହା ମଧୢ ଏକ ବାସ୍ତବତା ଯେ, ତିନିଟି ଯାକ ଲକ୍ଷ୍ୟ- ସମସ୍ତଙ୍କ ପାଇଁ ସାମାଜିକ ନ୍ୟାୟ, ଅର୍ଥନେତିକ ନ୍ୟାୟ ଓ ରାଜନୈତିକ ନ୍ୟାୟ- ନିଶ୍ଚିତ କରିବା ଦିଗରେ ଅଗ୍ରଗତି ସମାନ ନୁହେଁ।
ରାଜନୈତିକ ଓ ସାମାଜିକ ନ୍ୟାୟ ହାସଲ ଦିଗରେ ଲକ୍ଷ୍ୟଠାରୁ ଦୂରରେ ଥିଲେ ସୁଦ୍ଧା ଅଗ୍ରଗତି ନିଶ୍ଚୟ ସକରାତ୍ମକ। କିନ୍ତୁ ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ହାସଲ ଦିଗରେ ଅଗ୍ରଗତି ନିରାଶାଜନକ ଭାବେ ନକରାତ୍ମକ। ଯଦି କୁହାଯାଏ, ଏ କ୍ଷେତ୍ରରେ ଯାତ୍ରା ବିପରୀତମୁଖୀ, ତେବେ ବୋଧହୁଏ ଅତିରଞ୍ଜନ ହେବ ନାହିଁ। ଉତ୍କଟ ଅର୍ଥନୈତିକ ଅସମାନତା ଅର୍ଥନୈତିକ ନ୍ୟାୟର ଲକ୍ଷ୍ୟ ଆଡ଼କୁ ଯାତ୍ରାରେ ଭାରତର ବାଟ ଓଗାଳିଛି। ଦାରିଦ୍ର୍ୟ ନିରାକରଣ କ୍ଷେତ୍ରରେ ନିଶ୍ଚୟ ସଫଳତା ମିଳିଛି। କିନ୍ତୁ ଏ ସଫଳତାର ଲାଭ, କ୍ରମବର୍ଦ୍ଧିଷ୍ଣୁ- ଅର୍ଥନୈତିକ ଅସମାନତାର ବୋଝରେ ଚାପି ହୋଇଯାଉଛି। ନିକଟରେ ଆନ୍ତର୍ଜାତିକ ସ୍ବେଚ୍ଛାସେବୀ ସ˚ଗଠନ ‘ଅକ୍ସଫାମ୍’ ପକ୍ଷରୁ ପ୍ରକାଶିତ ‘ପବ୍ଲିକ୍ ଗୁଡ୍ ଅର୍ ପ୍ରାଇଭେଟ୍ େଵଲ୍ଥ?’ (ସାର୍ବଜନିକ କଲ୍ୟାଣ ନା ବ୍ୟକ୍ତିଗତ ସମ୍ପତ୍ତି?) ଶୀର୍ଷକ ରିପୋର୍ଟରେ ଭାରତରେ ଅର୍ଥନୈତିକ ଅସମାନତା ଉତ୍କଟରୁ ଉତ୍କଟତର ହେଉଥିବାର ଅଶୁଭ ସ˚କେତ ମିଳିଛି; ଯାହା ବିଶେଷ ଆଲୋଚନାର ଅପେକ୍ଷା ରଖୁଛି। ଏହା ଦେଶ ପାଇଁ ଏକ ସତର୍କ ଘଣ୍ଟି ଯେ, ଅର୍ଥନୈତିକ ଅସମାନତାର ବୋଝ କମିବା ପରିବର୍ତ୍ତେ ଯଦି ବଢ଼ି ବଢ଼ି ଚାଲେ, ତେବେ ସାମାଜିକ- ଅର୍ଥନୈତିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ସହ ଗଣତନ୍ତ୍ର ମଧୢ ବିପନ୍ନ ହେବ।
ପ୍ରଖ୍ୟାତ ଫରାସୀ ଅର୍ଥନୀତିଜ୍ଞ ଥୋମାସ୍ ପିକେଟିଙ୍କ ୨୦୧୭ରେ ପ୍ରକାଶିତ ‘ବ୍ରିଟିସ ରାଜ୍ରୁ ବିଲିୟନ୍ର ରାଜ୍’ ରିପୋର୍ଟରେ ୧୯୨୨ ପରେ ଉଭୟ ପ୍ରାକ୍ ସ୍ବାଧୀନତା ଓ ସ୍ବାଧୀନତା ପରବର୍ତ୍ତୀ ଭାରତରେ ଅର୍ଥନୈତିକ ଅସମାନତାର ଏକ ତୁଳନାତ୍ମକ ଚିତ୍ର ପ୍ରଦାନ କରି ଦର୍ଶାଇଥିଲେ ଯେ ଭାରତରେ ଅର୍ଥନୈତିକ ଅସମାନତା ବୃଦ୍ଧି ପାଇ ଚାଲିଛି। ଗୋଟିଏ ପକ୍ଷରେ ଅର୍ଥନୈତିକ ପିରାମିଡ଼ର ଉପର ଭାଗରେ ଥିବା ସ୍ବଳ୍ପ ସ˚ଖ୍ୟକ ଧନୀ ଅଧିକ ଧନୀ ହୋଇ ଚାଲିଛନ୍ତି। ଅନ୍ୟପକ୍ଷରେ ନିମ୍ନ ଭାଗରେ ଥିବା ସ˚ଖ୍ୟାଗରିଷ୍ଠ ସ୍ବଳ୍ପ ଆୟକାରୀ ଗରିବଙ୍କ ଆୟ ଓ ଧନ ସମାନୁପାତିକ ଭାବେ ବଢ଼ୁନାହିଁ। ବର˚ ଗରିବ ଅଧିକ ଗରିବ ହୋଇ ଚାଲିଛି। ବିଶେଷକରି, ଅଶୀ ଦଶକ ପରେ ମୁଷ୍ଟିମେୟ ଧନୀ ଓ ସ˚ଖ୍ୟାବହୁଳ ଅବଶିଷ୍ଟଙ୍କ ମଧୢରେ ଅସମାନତାର ଖାଇ ଓସାରିଆ ହୋଇ ଚାଲିଛି। ପିକେଟିଙ୍କ ରିପୋର୍ଟରେ ପ୍ରତିଫଳିତ ଅସମାନତାର ଏହି ଦୁର୍ଭାଗ୍ୟଜନକ ଧାରା ଅଧିକ ତ୍ବରାନ୍ବିତ ହୋଇ ଚାଲିଛି। ଫଳରେ ଦେଶରେ ଏବେ ଅର୍ଥନୈତିକ ଅସମାନତା ବିପଦଜନକ ସ୍ତର ଛୁଇଁବାକୁ ବସିଛି। ଅକ୍ସଫାମ ରିପୋଟରୁ ଏହି ସତର୍କ ସ˚କେତ ମିଳିଛି। ଭାରତରେ ଅର୍ଥନୈତିକ ଅସମାନତା ସ˚କ୍ରାନ୍ତ ଥୋମାସ୍୍ ପିିକେଟିଙ୍କ ଆକଳନକୁ ‘ଅକ୍ସଫାମ୍’ର ତାଜା ରିପୋର୍ଟ ଅଧିକ ବିଶ୍ବସନୀୟତା ଓ ପ୍ରମାଣିକତା ପ୍ରଦାନ କରୁଛି।
‘ଅକ୍ସଫାମ୍’ ରିପୋର୍ଟରେ ଉଲ୍ଲେଖ କରାଯାଉଥିବା ଅଳ୍ପ କେତେକ ତଥ୍ୟ ଏଠାରେ ଉପସ୍ଥାପନ କଲେ ଭାରତୀୟଙ୍କ ମଧୢରେ ଅର୍ଥନୈତିକ ବୈଷମ୍ୟ କେତେ ଉଦ୍ବେଗଜନକ, ତା’ର ନିଷ୍ଠୁର ଚିତ୍ର ମିଳିଯିବ। ଗତବର୍ଷ ‘ସୁପର୍ ରିଚ୍୍’ କୁହାଯାଉଥିବା ହାତଗଣତି ଧନୀ ବିଲିୟନର୍ମାନଙ୍କ ସମ୍ପତ୍ତି ଦୈନିକ ହାରାହାରି ୨,୨୦୦ କୋଟି ଟଙ୍କା ହିସାବରେ ବୃଦ୍ଧି ପାଇଛି। ଫଳରେ ଏହି ‘ସୁପର ରିଚ୍’ଙ୍କ ସମ୍ପତ୍ତି ୩୯% ବୃଦ୍ଧି ପାଇଛି। ଅନ୍ୟ ପଟେ ତଳ ଭାଗରେ ଥିବା ଦେଶର ୫୦% ଭାରତୀୟଙ୍କ ସମ୍ପତ୍ତି ମାତ୍ର ୩% ବଢ଼ିଛି। ଅର୍ଥନୈତିକ ପିରାମିଡ଼ର ଶୀର୍ଷ ୧୦% ଧନୀ ଦେଶର ୭୭.୪% ସମ୍ପତ୍ତିର ମାଲିକ। ଅଥଚ, ନିମ୍ନ ଭାଗରେ ଥିବା ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳତମ ୧୦%, ଯେଉଁମାନଙ୍କ ସ˚ଖ୍ୟା ପ୍ରାୟ ୧୩.୬ କୋଟି, ୨୦୦୪ରୁ ଋଣରେ ଉବୁଟୁବୁ ହେଉଛନ୍ତି। ଦେଶରେ କ୍ରମବର୍ଦ୍ଧିଷ୍ଣୁ ଅର୍ଥନୈତିକ ଅସମାନତା ବୟାନ କରୁଥିବା ଆଉ ଏକ ତଥ୍ୟ ହେଲା, ଶୀର୍ଷ ୧% ଦେଶର ୫୧.୫୩% ସମ୍ପତ୍ତି ଉପରେ ମାଲିକାନା ଜମାଇଥିବା ବେଳେ ତଳ ୬୦%ଙ୍କ ହାତରେ ମାତ୍ର ୪.୮% ସମ୍ପତ୍ତି ରହିଛି। ମାତ୍ର ୯ ଜଣ ସବୁଠୁ ଅଧିକ ଧନୀ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ଅଛି, ତାହା ତଳ ଭାଗରେ ଥିବା ୫୦%ଙ୍କ ସମ୍ପତ୍ତି ସହ ସମାନ। ଗତ ବାର ମାସରେ ଦେଶର ୧୧୯ ଜଣ ସବୁଠୁ ଧନୀ କୋଟିପତିଙ୍କ ସମ୍ପତ୍ତି ପରିମାଣ ଯେତିକି ବୃଦ୍ଧି ପାଇଛି, ତାହା ୨୦୧୮-୧୯ କେନ୍ଦ୍ର ବଜେଟ ଅଟକଳଠାରୁ ଅଧିକ। ରିପୋର୍ଟରେ ଏହିପରି ଆହୁରି ଅନେକ ତଥ୍ୟ ଓ ପରିସ˚ଖ୍ୟାନ ରହିଛି, ଯାହା ଅର୍ଥନୈତିକ ବୈଷମ୍ୟର ଖାଇ ସ˚ପ୍ରସାରିତ ହୋଇ ଚାଲିଥିବାର ସ୍ପଷ୍ଟ ସ˚କେତ ଦେଉଛି।
ଅସମାନତାର ଏ ‘ଅଶାଳୀନ’ ଚିତ୍ର ଯେତିକି ଦୁଃଖଦ ଓ ଉଦ୍ବେଗଜନକ ତାର ମୁକାବିଲା ପାଇଁ ଆୟୁଧ ବୋଲି କୁହାଯାଉଥିବା ବିଭିନ୍ନ ସରକାରୀ ନୀତି ଓ ସେବାର ଅବସ୍ଥା ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ତା ଠାରୁ ଅଧିକ ଦୟନୀୟ। ସେ ଅର୍ଥନୈତିକ ହେଉ, ଅବା ସାମାଜିକ କି ରାଜନୈତିକ, ଯେକୌଣସି କିସମର ଅସମାନତା ବିରୋଧରେ ଲଢେ଼ଇ ଲାଗି ପ୍ରଧାନ ଅସ୍ତ୍ର ହେଲା ଉତ୍ତମ ଶିକ୍ଷା ଓ ସ୍ବାସ୍ଥ୍ୟ। ଭାରତରେ କିନ୍ତୁ ଶିକ୍ଷା ଓ ସ୍ବାସ୍ଥ୍ୟ ସେବାର ଚିିତ୍ର ଓ ଚରିତ୍ର ଏତେ ଦୟନୀୟ ଯେ, ତାହା ଅସମାନତାର ମୁକାବିଲା କରିବା ଦୂରେ ଥାଉ, ବୈଷମ୍ୟର ଖାଇକୁ ଅଧିକ ଓସାରିଆ କରି ଚାଲିଛି। ଅସମାନତାର ଶିକାର ସ˚ଖ୍ୟାଗରିଷ୍ଠଙ୍କ ପାଇଁ ଏହା ବେଡ଼ି ଉପରେ କୋରଡ଼ା ସଦୃଶ। ଏହାର ପ୍ରଧାନ କାରଣ ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଆବଶ୍ୟକତା ତୁଳନାରେ ବିନିଯୋଗ ଅତ୍ୟନ୍ତ ନିଅଣ୍ଟିଆ। ପରିଣତି, ଅସମାନତାର ମୁକାବିଲା ପାଇଁ ଏହା ଅକୁଳାଣ ପଡୁଛି। ସ୍ବାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ପରିମାଣ ଜିଡ଼ିପିର ମାତ୍ର ୧.୩%। ୨୦୧୭ ସ୍ବାସ୍ଥ୍ୟନୀତିରେ ଏହା ୨.୫%କୁ ବୃଦ୍ଧି ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। କିନ୍ତୁ ଦେଶ ଉପରେ ରୋଗର ବୋଝ, ବିଶେଷ କରି ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ବର୍ଗଙ୍କ ଉପରେ ଏହାର ପ୍ରାଦୁର୍ଭାବ ଦୃଷ୍ଟିରୁ ସ୍ବାସ୍ଥ୍ୟ ସେବା ପାଇଁ ବ୍ୟୟବରାଦ ବୃଦ୍ଧି ଏକାନ୍ତ ଆବଶ୍ୟକ। ସେହିଭଳି ଶିକ୍ଷା କ୍ଷେତ୍ର ସକାଶେ ଜିଡିପିର ୬% ଖର୍ଚ୍ଚ ପାଇଁ ଲକ୍ଷ୍ୟ ରଖାଯାଇଛି। ଅଥଚ, ବର୍ତ୍ତମାନ ଖର୍ଚ୍ଚ ପରିମାଣ ଅତିବେଶୀରେ ଜିଡିପିର ୪%। ଏଥିରେ ଅସମାନତା ବିରୋଧରେ ଲଢେ଼ଇ ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ରୂପକ ଅସ୍ତ୍ର ଶାଣହୀନ, ପ୍ରଭାବଶୂନ୍ୟ ହୋଇ ପଡ଼ିବା ଆଦୌ ଅସ୍ବାଭାବିକ ନୁହେଁ।
ଶିକ୍ଷା ଓ ସ୍ବାସ୍ଥ୍ୟ କ୍ଷେତ୍ରରେ ଅଧିକ ବିନିଯୋଗ ସମ୍ଭବ। ଏକ ଆକଳନ ଅନୁଯାୟୀ ଦେଶର ସବୁଠାରୁ ଧନୀ କୋଟିପତିଙ୍କ ଆୟ ଉପରେ ମାତ୍ର ୦.୫% ଅତିରିକ୍ତ ଟିକସ ଦ୍ବାରା ସ୍ବାସ୍ଥ୍ୟ ବଜେଟର ୫୦% ବୃଦ୍ଧି ସମ୍ଭବ। ଆଜି ସାଧାରଣତନ୍ତ୍ର ଦିବସରେ ‘ଆମେ ଭାରତର ଜନଗଣ’ ଅନ୍ତତଃ ଗୋଟିଏ ସ˚କଳ୍ପ ନେବା ଯେ ଅସମାନତାର ମୁକାବିଲା ପାଇଁ ଶିକ୍ଷା ଓ ସ୍ବାସ୍ଥ୍ୟ ରୂପକ ଅସ୍ତ୍ରରେ ଶାଣ ଦେବା ପାଇଁ ଏ କ୍ଷେତ୍ରରେ ବିନିଯୋଗକୁ ବୃଦ୍ଧି କରିବା। ଅସମାନତାକୁ ପ୍ରଶ୍ରୟ ଦେବା ଅର୍ଥ ଅନ୍ୟାୟକୁ ପ୍ରଶ୍ରୟ ଦେବା। ଅସମାନତାର ବୋଝ ଯେତେ କମିବ, ସାମାଜିକ- ରାଜନୈତିକ ଓ ଅର୍ଥନୈତିକ, ନ୍ୟାୟର ଲକ୍ଷ୍ୟ ଆଡ଼କୁ ଦେଶ ସେତେ ଅଗ୍ରସର ହେବ।