ଅରଣ୍ୟ ରୋଦନ: ସାଇମନ, ମଧୁସୂଦନ ଓ ଓଡ଼ିଶା ପ୍ରଦେଶ ଗଠନ

ବସନ୍ତ ଦାସ

ଓଡ଼ିଶା ପ୍ରଦେଶର ନିର୍ମାତା ମଧୁସୂଦନ ଉଚ୍ଚଶିକ୍ଷା ନିମନ୍ତେ ସୁଦୂର କଲିକତାକୁ ଯାତ୍ରା କରି ସେଠାରେ ଷୋହଳବର୍ଷ ବିତେଇଥିଲେ। ସେଇ ସମୟ ମଧୢରେ ନିଜର ନିଷ୍ଠା ଓ ଅଧୢବସାୟ ଫଳରେ ସେ ପ୍ରଥମ ଓଡ଼ିଆ ଏମ୍‌.ଏ. ଓ ଆଇନ ଡିଗ୍ରୀଧାରୀ ହେବା ସହିତ ପ୍ରଥମ ଓଡ଼ିଆ ଓକିଲ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ। ଅଧୢୟନ ଶେଷରେ ମଧୁସୂଦନ କିଛି ଦିନ ପାଇଁ ଅଲିପୁର କୋର୍ଟ ଓ କଲିକତା ହାଇକୋର୍ଟରେ ଓକିଲାତି କରି ସୁନାମ ଅର୍ଜନ କରିଥିଲେ। ଏ ସବୁ ସତ୍ତ୍ବେ ସେ ଜନ୍ମମାଟିର ମୋହକୁ ଏଡ଼ାଇ ପାରି ନ ଥିଲେ। ୧୮୮୧ ମସିହା ସେପ୍‌ଟେମ୍ବର ମାସ ଦ୍ବିତୀୟାର୍ଦ୍ଧରେ ମଧୁସୂଦନ କଲିକତା ଛାଡ଼ି କଟକ ଫେରି ଆସିଥିଲେ। ‘‘କଲିକତା ଫେରନ୍ତା ଷ୍ଟିମର କଟକର ଯୋବ୍ରାଘାଟରେ ଲାଗିଲା ବେଳେ ମଧୁସୂଦନଙ୍କୁ ପାଛୋଟି ନେବା ପାଇଁ ସେଠାରେ କେହି ନ ଥିଲେ। ଘାଟରେ ଅପେକ୍ଷା କରିଥିବା ଗହଳି ମଧୢରେ ଚିହ୍ନାମୁହଁ କିମ୍ବା ସମ୍ବର୍ଦ୍ଧନାର ସ˚କେତ ନ ଦେଖି ମଧୁସୂଦନଙ୍କ ମନଟା ଊଣା ପଡ଼ିଯାଇଥିଲା। ଷ୍ଟିମରରୁ ଓହ୍ଲାଇଗଲେ କେତେଜଣ ଇ˚ରେଜ, କେତେଜଣ ବଙ୍ଗାଳୀ କର୍ମଚାରୀ ଓ ଜଣେ ଦୁଇଜଣ ପଶ୍ଚିମା ବ୍ୟବସାୟୀ। ମଧୁସୂଦନ ସମସ୍ତଙ୍କ ପଛରେ ଷ୍ଟିମର ଭିତରୁ ଜେଟି ଉପରକୁ ଆସି ବର୍ଷାସ୍ଫୀତ ମହାନଦୀ ଓ ନଦୀ ଗର୍ଭର ପଠାରେ କାଶତଣ୍ଡୀ ଜଙ୍ଗଲ ଆଡ଼େ ଅନ୍ୟମନସ୍କ ଭାବରେ ଚାହିଁଲେ। ଦୀର୍ଘ ଷୋହଳବର୍ଷ ପରେ କଟକର ମାଟି, ଆକାଶ, ନଦୀ ଓ କାଶଫୁଲ ସବୁ ତାଙ୍କୁ ନୂଆ ପରି ଲାଗୁଥିଲା। ପ୍ରିୟଜନମାନଙ୍କର ଆଦର ସମ୍ବର୍ଦ୍ଧନାରେ ଘରବାହୁଡ଼ାର ଏହି ବହୁ ପ୍ରତ୍ୟାଶିତ ଗୁହାରିଟି ଉତ୍ସବମୁଖର ନ ଥିଲେ ହେଁ ଭାଦ୍ରବର ନିର୍ମେଘ ରୌଦ୍ରଦୀପ୍ତ ଆକାଶ, କାଶତଣ୍ତୀର ଧବଳିତ କୋଳାହଳ ଓ ଶୀତଳ ପୂନେଇ ପବନରେ ଏଇ ପ୍ରବାସୀଟି ପାଇଁ ଯେପରି ଫିଟି ପଡ଼ିଥିଲା ସ୍ନେହମୟୀ ଜନନୀର ଅଞ୍ଚଳ।’’
(ଶତାବ୍ଦୀର ସୂର୍ଯ୍ୟ, ସୁରେନ୍ଦ୍ର ମହାନ୍ତି, ପୃ-୧୮୨)

ମଧୁସୂଦନ ଓଡ଼ିଶା ଫେରିବା ସମୟରେ ଓଡ଼ିଶା ପ୍ରଦେଶର କୌଣସି ସଭା ନ ଥିଲା। ଓଡ଼ିଶା କହିଲେ କଟକ, ପୁରୀ ଓ ବାଲେଶ୍ବର ଜିଲ୍ଲାକୁ ନେଇ ଗଠିତ ଓ ବଙ୍ଗଳା ପ୍ରେସିଡେନ୍‌ସି ସହିତ ସାମିଲ ଥିବା ‘ଓଡ଼ିଶା ଡିଭିଜନ’କୁ ବୁଝାଉଥିଲା। ସମ୍ବଲପୁର ଓ ଆଖପାଖ ଅଞ୍ଚଳ ସେଣ୍ଟ୍ରାଲ ପ୍ରଭିନ୍‌ସ ଅନ୍ତର୍ଭୁକ୍ତ ଥିଲା ବେଳେ ଗଞ୍ଜାମ ଓ କୋରାପୁଟ ମାଡ୍ରାସ ପ୍ରେସିଡେନ୍‌ସି ଅଧୀନରେ ରହିଥିଲା। ଓଡ଼ିଆ ଭାଷାଭାଷୀମାନେ ପରସ୍ପର ଠାରୁ ବିଚ୍ଛିନ୍ନ ହୋଇ ଏକାଧିକ ଶାସନରେ ରହିଥିବାରୁ ସେମାନଙ୍କ ମଧୢରେ କୌଣସି ଦୃଢ଼ ସ˚ଗଠନ ନ ଥିଲା। ମଧୁସୂଦନ ଓଡ଼ିଶା ଫେରିଲା ବେଳକୁ ଓଡ଼ିଆମାନଙ୍କର ଯେଉଁ କେତୋଟି ସ˚ଗଠନ ରହିଥିଲା ସେଥି ମଧୢରୁ ଦୁଇ ପ୍ରମୁଖ ଅନୁଷ୍ଠାନ ‘ଉତ୍କଳସଭା’ ଏବ˚ ‘ଓଡ଼ିଶା ପିପୁଲ୍‌ସ ଆସୋସିଏସନ୍‌’ର ବିଶେଷ ପ୍ରଭାବ ନ ଥିଲା। ଉତ୍କଳସଭା କେବଳ କଟକ ସହର ଭିତରେ ସୀମିତ ଥିଲା ଏବ˚ ଦୀନାନାଥ ବାନାର୍ଜୀଙ୍କ ଦେହାନ୍ତ ପରେ ପିପୁଲ୍‌ସ ଆସୋସିଏସନ୍‌ ମୃତପ୍ରାୟ ଅବସ୍ଥାକୁ ଆସି ଯାଇଥିଲା। ତା’ଛଡ଼ା ୧୮୬୬ ମସିହାର ‘ନ-ଅଙ୍କ ଦୁର୍ଭିକ୍ଷ’ ଓଡ଼ିଆ ଭାଷୀଙ୍କ ଆର୍ଥିକ ଓ ସାମାଜିକ ମେରୁଦଣ୍ତକୁ ଦୋହଲାଇ ଦେଇଥିଲା। ସେ ସମୟରେ ଭାରତବର୍ଷ ପାଇଁ ନିଯୁକ୍ତ ଷ୍ଟେଟ୍‌ ସେକ୍ରେଟାରି ସାର‌୍‌ ଷ୍ଟାଫୋର୍ଡ ନର୍ଥ କୋଟ ଓଡ଼ିଆ ଭାଷାଭାଷୀମାନଙ୍କୁ ଏକାଠି କରି ଗୋଟିଏ ପ୍ରଶାସନ ଅଧୀନରେ ରଖିବା ପାଇଁ ଯେଉଁ ପ୍ରସ୍ତାବ ଦେଇଥିଲେ, ଆବଶ୍ୟକ ରାଜନୈତିକ ନେତୃତ୍ବ ଅଭାବରୁ ଓଡ଼ିଆ ଲୋକେ ସେଥିରୁ ସୁବିଧା ଉଠାଇ ପାରି ନଥିଲେ। ସେ ପ୍ରସ୍ତାବ କାର୍ଯ୍ୟକାରୀ ହୋଇଥିଲେ ବହୁ ପୂର୍ବରୁ ଓଡ଼ିଶା ଏକ ସ୍ବତନ୍ତ୍ର ପ୍ରଦେଶ ଭାବରେ ଜନ୍ମଲାଭ କରିଥାଆନ୍ତା। ୧୮୮୫ ମସିହା ଡିସେମ୍ବର ୨୬ ତାରିଖ ଦିନ ସୃଷ୍ଟି ହୋଇଥିବା ଭାରତୀୟ ଜାତୀୟ କ˚ଗ୍ରେସ ସହିତ ମଧୁସୂଦନଙ୍କର ଘନିଷ୍ଠ ସମ୍ପର୍କ ଥିଲା ଓ ସେ କ˚ଗ୍ରେସର ନୀତି, ଆଦର୍ଶ ଓ କାର୍ଯ୍ୟକ୍ରମର ପ୍ରସାର ଦିଗରେ ଉଦ୍ୟମ କରିଥିଲେ। ୧୮୮୬ ମସିହାରୁ ୧୯୦୨ ମସିହା ପର୍ଯ୍ୟନ୍ତ ଭାରତବର୍ଷ ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କ˚ଗ୍ରେସ ଅଧିବେଶନରେ ସେ ନିୟମିତ ଯୋଗ ଦେଇଥିଲେ। ମାତ୍ର ଓଡ଼ିଆ ଭାଷାଭାଷୀ ଅଞ୍ଚଳ ଗୁଡ଼ିକୁ ଏକତ୍ର କରିବା ନିମିତ୍ତ କ˚ଗ୍ରେସ ଅଧିବେଶନରେ ଗୋଟିଏ ପ୍ରସ୍ତାବ ଗ୍ରହଣ କରିବା ପାଇଁ ଯେତେବେଳେ କ˚ଗ୍ରେସ ନେତୃବୃନ୍ଦ ତାଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଦେଲେ, ମଧୁସୂଦନ ତା’ପରେ କ˚ଗ୍ରେସ ଅନୁଷ୍ଠାନ ସହିତ ତାଙ୍କର ସମ୍ପର୍କ ଚ୍ଛିନ୍ନ କରି ଦେଇଥିଲେ। ଓଡ଼ିଆମାନଙ୍କର ଏକ ଅନୁଷ୍ଠାନ ଗଠନ କରି ତା ମାଧୢମରେ ତାଙ୍କର ଈପ୍‌ସିତ ଇଚ୍ଛାକୁ ଫଳବତୀ କରାଇବା ପାଇଁ ମଧୁସୂଦନଙ୍କ ମନ ସର୍ବଦା ଆନ୍ଦୋଳିତ ହେଉଥିଲା। ଇ˚ଲଣ୍ତର ସମ୍ରାଟ ସପ୍ତମ ଏଡଵାର୍ଡଙ୍କ ଅଭିଷେକ ଉତ୍ସବ ପାଳନ କରିବା ଉଦ୍ଦେଶ୍ୟରେ ୧୯୦୩ ମସିହା ଜାନୁଆରି ଦୁଇ ତାରିଖରେ କଟକର ‘ଲାଲବାଗକୋଠି’ (ବର୍ତ୍ତମାନର ସର୍ଦ୍ଦାର ପଟେଲ ଶିଶୁଭବନ)ରେ ଯେଉଁ ଦରବାର ସମାରୋହ ଅନୁଷ୍ଠିତ ହୋଇଥିଲା, ତାହା ହିଁ ପ୍ରଥମଥର ପାଇଁ ଓଡ଼ିଆମାନଙ୍କୁ ଏକାଠି କରିବାର ପ୍ରେରଣା ଯୋଗାଇଥିଲା। ସେ ସମାରୋହରେ ଓଡ଼ିଶା ଡିଭିଜନ ସମେତ ଗଡ଼ଜାତ ଅଞ୍ଚଳର ବହୁ ରାଜା, ଜମିଦାର ଓ ନେତୃସ୍ଥାନୀୟ ବ୍ୟକ୍ତି ଯୋଗ ଦେଇଥିଲେ। ମଧୁସୂଦନ ଏପରି ଏକ ସୁଯୋଗର ସଦ୍‌ବ୍ୟବହାର କରି ଗୋଟିଏ ନୂଆ ସ˚ଗଠନ ଗଢ଼ିବା ପାଇଁ ଉଦ୍ୟମ କରିଥିଲେ। ଏହା ପରେ ଅପ୍ରେଲ ଏଗାର ଓ ବାର ତାରିଖରେ ଗଞ୍ଜାମର ବ୍ରହ୍ମପୁରଠାରେ ‘ଗଞ୍ଜାମ ଜାତୀୟ ସମିତି’ ଜନ୍ମଲାଭ କରିଥିଲା। ବ୍ରହ୍ମପୁରଠାରେ ଅନୁଷ୍ଠିତ ସମ୍ମିଳନୀର ପ୍ରସ୍ତାବ ଅନୁଯାୟୀ ସେ ବର୍ଷ ଡିସେମ୍ବର ମାସ ୩୦ ଓ ୩୧ ତାରିଖରେ କଟକର ଇଦ୍‌ଗା ପଡ଼ିଆଠାରେ ଅନୁଷ୍ଠିତ ଏକ ବିରାଟ ସମାରୋହରେ ‘ଉତ୍କଳ ସମ୍ମିଳନୀ’ର ନାହି କଟା ଯାଇଥିଲା। ମଧୁସୂଦନ ସେ ସମାରୋହର ମୁଖ୍ୟ ପୁରୋଧା ଥିଲେ ଏବ˚ ସେତେବେଳେ ଅଧୢୟନରତ ଗୋପବନ୍ଧୁ ଦାସ ସେଥିରେ ସ୍ବେଚ୍ଛାସେବକ ଭାବରେ କାର୍ଯ୍ୟ କରିଥିଲେ। ମଧୁସୂଦନଙ୍କ ଅନୁରୋଧକ୍ରମେ କବିବର ରାଧାନାଥ ରାୟ ରଚନା କରିଥିଲେ ତାଙ୍କର କାଳଜୟୀ କବିତା, ‘‘ସର୍ବେଷା˚ ନୋ ଜନନୀ’’ ଓ ତାହା ଅଧିବେଶନର ଆବାହନ କବିତା ଭାବେ ବୋଲା ଯାଇଥିଲା।୧୯୦୩ ମସିହାରୁ ୧୯୨୦ ମସିହା ପର୍ଯ୍ୟନ୍ତ ଦୀର୍ଘ ସତରବର୍ଷ କାଳ ମଧୁସୂଦନ ଉତ୍କଳ ସମ୍ମିଳନୀର ନେତୃତ୍ବ ନେଇ ତା’ ମାଧୢମରେ ଓଡ଼ିଆମାନଙ୍କୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ତାଙ୍କ ଉଦ୍ୟମ ଅବ୍ୟାହତ ରଖିଥିଲେ। ମାତ୍ର ୧୯୨୦ ମସିହାର ଘଟଣାବଳୀ ଭାରତୀୟ ଜନଜୀବନରେ ଆଣିଥିଲା ବ୍ୟାପକ ସାମାଜିକ ତଥା ରାଜନୈତିକ ପରିବର୍ତ୍ତନ। ସେଇବର୍ଷ ଜାତିର ଜନକ ମହାତ୍ମା ଗାନ୍ଧୀ ଇ˚ରେଜ ସରକାର ବିରୁଦ୍ଧରେ ଅସହଯୋଗ ଆନ୍ଦୋଳନର ଡାକରା ଦେଇଥିଲେ। ମଧୁସୂଦନ ନୀତିଗତ ଭାବରେ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ନ ଥିଲା ବେଳେ ତାଙ୍କର ଶିଷ୍ୟ ଭାବରେ ପରିଚିତ ଗୋପବନ୍ଧୁ ସେଥିରେ ସକ୍ରିୟ ଅ˚ଶ ଗ୍ରହଣ କରିଥିଲେ।

ଏଇ ଘଟଣାର ବର୍ଷକ ପୂର୍ବରୁ ଭାରତବର୍ଷକୁ ଶାସନ କରୁଥିବା ଇ˚ରେଜ ସରକାର ‘‘ଗଭର୍ଣ୍ଣମେଣ୍ଟ ଅଫ୍‌ ଇଣ୍ତିଆ ଆକ୍ଟ-୧୯୧୯’’ ନାମରେ ଏକ ଆଇନ ପ୍ରବର୍ତ୍ତନ କରିଥିଲେ। ଏହି ଆଇନ ଅନୁଯାୟୀ ଆମ ଦେଶରେ ଦ୍ବୈତଶାସନ ବ୍ୟବସ୍ଥା ପ୍ରବର୍ତ୍ତିତ ହୋଇଥିଲା। ସେଥିରେ ଶାସନର କେତେକ ନିର୍ଦ୍ଦିଷ୍ଟ ଦାୟିତ୍ବ କେନ୍ଦ୍ର ସରକାରଙ୍କ ଉପରେ ନ୍ୟସ୍ତ କରାଯାଇଥିଲା ବେଳେ ଅନ୍ୟ କେତେକ ଦାୟିତ୍ବ ପ୍ରାଦେଶିକ ସରକାରମାନେ ନିର୍ବାହ କରୁଥିଲେ। ଏହି ବ୍ୟବସ୍ଥାର କାର୍ଯ୍ୟକାରିତାକୁ ଅନୁଧୢାନ କରି ତାକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ଇ˚ରେଜ ସରକାର ୧୯୨୭ ମସିହାରେ ସାର‌୍‌ ଜନ୍‌ ଆଲିସବ୍ରୁକ ସାଇମନଙ୍କ ଅଧୢକ୍ଷତାରେ ‘‘ଇଣ୍ତିଆନ ଷ୍ଟାଚ୍ୟୁଟାରି କମିସନ’’ ଗଠନ କରିଥିଲେ। ସାର୍‌ ସାଇମନ ଏହାର ତଦାରଖ କରିବା ନିମନ୍ତେ ୧୯୨୮ ମସିହା ପ୍ରାରମ୍ଭରେ ଭାରତ ଗସ୍ତରେ ଆସିଥିଲେ। ସେ ସମୟରେ ବ୍ରିଟିସ ପାର୍ଲାମେଣ୍ଟରେ ଥିବା ଦୁଇ ଜଣ ଭାରତୀୟ ସଦସ୍ୟଙ୍କୁ କମିସନରେ ସାମିଲ କରାଯାଇ ନ ଥିବାରୁ ଭାରତୀୟ ଜାତୀୟ କ˚ଗ୍ରେସ ପକ୍ଷରୁ ତା’ର ପ୍ରତିବାଦ କରାଯିବା ସହିତ ସାଇମନ କମିସନଙ୍କ ଭାରତ ଗସ୍ତକୁ ବିରୋଧ କରାଯାଇଥିଲା। ଏହା ଫଳରେ ଦେଶର ସର୍ବତ୍ର ସାଇମନ କମିସନଙ୍କୁ କଳାପତାକା ପ୍ରଦର୍ଶନ ସହିତ ‘ସାଇମନ ଗୋ ବ୍ୟାକ୍‌’ ଧ୍ବନି ଦିଆଯାଇଥିଲା। ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ନିରବଚ୍ଛିନ୍ନ ସ˚ଗ୍ରାମ କରୁଥିବା ମଧୁସୂଦନଙ୍କୁ ଏହି ଘଟଣା ଅତ୍ୟନ୍ତ ବ୍ୟଥିତ କରିଥିଲା। ସାଇମନ କମିସନଙ୍କ ପାଖରେ ଯଦି ଓଡ଼ିଶାର ଦାବି ଉପସ୍ଥାପନ କରାଯାଇ ନ ପାରିବ, ତେବେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଯେ ସମ୍ଭବ ହେବ ନାହିଁ ସେକଥା ସେ ମର୍ମେ ମର୍ମେ ଅନୁଭବ କରିଥିଲେ। ବୃଦ୍ଧ ବୟସ, ଭଗ୍ନ ସ୍ବାସ୍ଥ୍ୟ, ଆର୍ଥିକ ସ୍ଥିତି ଦୁର୍ବଳ। ସେପରି କ୍ଷେତ୍ରରେ ପାଟଣା ଯାଇ କମିସନଙ୍କୁ ସାକ୍ଷାତ କରି ଆଲୋଚନା କରିବା ଅବସ୍ଥାରେ ସେ ନ ଥିଲେ। ତାଙ୍କ ହାତରେ ଗଢ଼ା ଯାଇଥିବା ଉତ୍କଳ ସମ୍ମିଳନୀକୁ ଗୋପବନ୍ଧୁ କ˚ଗ୍ରେସ ଦଳରେ ବିଲୀନ କରି ଦେଇଥିଲେ। ଓଡ଼ିଆ ଭାଷାଭାଷୀମାନଙ୍କୁ ପ୍ରତିନିଧିତ୍ବ କଲା ଭଳି ଅନ୍ୟ କୌଣସି ସ˚ଗଠନ ସେତେବେଳେ ସକ୍ରିୟ ନ ଥିଲା। ତା’ସତ୍ତ୍ବେ ମଧୁସୂଦନ ନିଜ ଉଦ୍ୟମରୁ ଓହରି ନ ଥିଲେ। ନିଜର ଅନୁଗତ ବ୍ରଜସୁନ୍ଦର ଦାସ, ଲକ୍ଷ୍ମୀଧର ମହାନ୍ତି, ଗୋପାଳଚନ୍ଦ୍ର ପ୍ରହରାଜ, ଭିକାରି ଚରଣ ପଟ୍ଟନାୟକ ପ୍ରମୁଖଙ୍କ ସହିତ ଆଲୋଚନା କରି ‘‘ଉତ୍କଳ ଲିବରାଲ ଲିଗ୍‌’’ ନାମରେ ଗୋଟିଏ ନୂତନ ସ˚ଗଠନ ତିଆରି କରି ତାରି ଜରିଆରେ ପାଟଣା ଠାରେ କମିସନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଜଣାଇବା ସହିତ ଓଡ଼ିଶାର ଦାବିପତ୍ର ପ୍ରଦାନ କରିବା ପାଇଁ ମଧୁସୂଦନ ନିଷ୍ପତ୍ତି କରିଥିଲେ। ଏହି ନିଷ୍ପତ୍ତି ଅନୁଯାୟୀ ବ୍ରଜସୁନ୍ଦରଙ୍କ ନେତୃତ୍ବରେ ଲିଗ୍‌ର ପ୍ରତିନିଧିମାନେ ପାଟଣା ଯାଇଥିଲେ। ସେମାନେ ପାଟଣା ରେଳ ଷ୍ଟେସନରେ ‘ସାଇମନ କମିସନ େଵଲ୍‌କମ୍‌’ ପ୍ଲା କାର୍ଡ ଧରି କମିସନଙ୍କୁ ସ୍ବାଗତ କରିଥିଲେ। ଦେଶର ସର୍ବତ୍ର ବିରୋଧର ସମ୍ମୁଖୀନ ହୋଇ ଅସ୍ଥିର ହୋଇ ପଡ଼ିଥିବା ସାଇମନ-କମିସନ ପ୍ରଥମେ ଏହି େଵଲ୍‌କମ୍‌ ପ୍ଲା କାର୍ଡକୁ ଦେଖି ବିଶ୍ବାସ କରି ନ ଥିଲେ। ମାତ୍ର କମିସନ କୋଚ୍‌ରୁ ଓହ୍ଲାଇ ପ୍ଲାଟ୍‌ଫର୍ମରେ ଲଗା ଯାଇଥିବା ପୋଷ୍ଟର ଦେଖିବା ପରେ ତାଙ୍କର ସନ୍ଦେହ ଦୂର ହୋଇଥିଲା। ପାଟଣା ଷ୍ଟେସନରେ ସେମାନଙ୍କୁ ଦିଆ ଯାଇଥିବା ସମ୍ବର୍ଦ୍ଧନାରେ ସାଇମନ କମିସନ ବିମୁଗ୍‌ଧ ହୋଇ ଯାଇଥିଲେ।

ସାଇମନ କମିସନଙ୍କ ଆମନ୍ତ୍ରଣ କ୍ରମେ ଓଡ଼ିଶା ଲିବରାଲ ଲିଗ୍‌ର ପ୍ରତିନିଧିମାନେ ଓଡ଼ିଆ ଭାଷାଭାଷୀମାନଙ୍କୁ ଏକତ୍ର କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ନିମନ୍ତେ କମିସନଙ୍କୁ ଏକ କୋଡ଼ିଏ ଦଫା ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସାଇମନ କମିସନ ସ୍ମାରକପତ୍ରରେ ଦର୍ଶାଯାଇଥିବା ଯୁକ୍ତିରେ ଗଭୀର ଭାବରେ ପ୍ରଭାବିତ ହୋଇ ଓଡ଼ିଶା କ୍ଷେତ୍ରରେ ସହାନୁଭୂତିର ଆବଶ୍ୟକତା ରହିଥିବା କଥାକୁ ଉପଲବ୍‌ଧି କରିଥିଲେ। ଓଡ଼ିଆ ଭାଷାଭାଷୀମାନେ ଯେଉଁ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ତା’ର ଅନୁସନ୍ଧାନ କରି ଆବଶ୍ୟକୀୟ ପଦକ୍ଷେପର ସୁପାରିସ ନିମନ୍ତେ ମେଜର ସି.ଆର.ଅଟଲୀଙ୍କ ଅଧୢକ୍ଷତାରେ ଗୋଟିଏ ସବ୍‌କମିଟି ଗଠନ କରିଥିଲେ। ଏହା ପରେ ସାର୍‌ ସାମୁଏଲ ଓଡନେଲଙ୍କ ଗୋଟିଏ ସୀମା କମିସନ ଏବ˚ ଶେଷରେ ସାର୍‌ ଜନ୍‌ ଅଷ୍ଟିନ ହବାକଙ୍କ ଅଧୢକ୍ଷତାରେ ଗୋଟିଏ ନଅ ଜଣିଆ ‘ପ୍ରଶାସନ କମିଟି’ ଗଠିତ ହୋଇଥିଲା। ଅସହଯୋଗ ଆନ୍ଦୋଳନର ନେତୃବର୍ଗଙ୍କ ବିରୋଧ ସତ୍ତ୍ବେ ପାଟଣା ଠାରେ ସାଇମନ କମିସନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ ଓ କମିସନଙ୍କୁ ସ୍ମାରକପତ୍ର ପ୍ରଦାନ ଉଦ୍ୟମରେ ସଫଳ ହୋଇଥିବାରୁ ମଧୁସୂଦନ ଆତ୍ମସନ୍ତୋଷ ଲାଭ କରିଥିଲେ। ବାସ୍ତବ ଦୃଷ୍ଟିରୁ ବିଚାର କଲେ ସାଇମନ କମିସନଙ୍କ ସୁପାରିସ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ମୂଳଦୁଆ ପକାଇଥିଲା। ଏହା କେବଳ ମଧୁସୂଦନଙ୍କ ଉଦ୍ୟମ ଫଳରେ ସମ୍ଭବପର ହୋଇଥିଲା। ଅନେକ ଐତିହାସିକଙ୍କ ମତରେ ଯଦି ମଧୁସୂଦନ ତାଙ୍କ ଅନୁଗତମାନଙ୍କୁ ପାଟଣା ପଠାଇ ସାଇମନ କମିସନଙ୍କ ନିକଟରେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ସପକ୍ଷରେ ଯୁକ୍ତି ଉପସ୍ଥାପନ କରାଇ ନ ଥାନ୍ତେ, ହୁଏତ ଓଡ଼ିଶା ପ୍ରଦେଶ ଗଠନ ପ୍ରକ୍ରିୟା ବିଳମ୍ବିତ ହୋଇଥାଆନ୍ତା କିମ୍ବା ଏ ରାଜ୍ୟର ଭବିଷ୍ୟତ ଅନ୍ୟ ପ୍ରକାର ହୋଇ ଯାଇଥାଆନ୍ତା।
ମୋ-୯୪୩୭୩୮୬୮୭୦

ସମ୍ବନ୍ଧିତ ଖବର