ଅଶିଷ୍ଟ ରାଜନୀତି

ଭାରତର ରାଜନୈତିକ ଦୃଶ୍ୟପଟରେ ଦେଖିବାକୁ ମିଳିଥିବା ଦୁଇଟି ତାଜା ଘଟଣା ଯେଉଁ ଦୁଇଜଣ ମନୀଷୀଙ୍କର ବିଶେଷ ସନ୍ତୋଷ ବିଧାନ କରୁଥାନ୍ତା, ସେମାନେ ଏବେ ସ୍ବର୍ଗରେ: ଜଣେ ହେଉଛନ୍ତି ପଣ୍ତିତ ଜବାହରଲାଲ ନେହରୁ ଏବ˚ ଅନ୍ୟ ଜଣକ ହେଉଛନ୍ତି ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ବ୍ରିଟିସ୍‌ ଔପନ୍ୟାସିକ ଵିଲିଅମ୍‌ ଗୋଲ୍‌ଡିଙ୍ଗ୍‌। ଗୋଟିଏ ଘଟଣା ନେହରୁଙ୍କର ଏକ ଆଭିମୁଖ୍ୟକୁ ଯଥାର୍ଥ ପ୍ରତିପାଦିତ କରୁଥିବା ବେଳେ ଅନ୍ୟ ଘଟଣାଟି ଗୋଲ୍‌ଡିଙ୍ଗ୍‌ଙ୍କର ଏକ ପ୍ରସିଦ୍ଧ ଶିଶୁ-ମନସ୍ତାତ୍ତ୍ବିକ ମତବାଦକୁ ସତ୍ୟ ପ୍ରମାଣିତ କରିଥାଏ।

ଜବାହରଲାଲ ଇ˚ଲଣ୍ତ୍‌ର ପ୍ରସିଦ୍ଧ ଅଭିଜାତ ପବ୍ଲିକ୍‌ ସ୍କୁଲ୍‌ ‘ହାରୋ’ରେ ଛାତ୍ର ଥିବା ସମୟରେ ତାଙ୍କ ପିତା ମୋତିଲାଲ୍‌ ନେହରୁ ତାଙ୍କର ଏକମାତ୍ର ପୁତ୍ର ପାଇଁ ଏକ ଉପଯୁକ୍ତ କନ୍ୟା ସନ୍ଧାନରେ ଲାଗି ପଡ଼ିଥିଲେ। ମୋତିଲାଲ ତରବର ହେବାର କାରଣ ସେମାନଙ୍କର କ୍ଷୁଦ୍ର କଶ୍ମୀରୀ ବ୍ରାହ୍ମଣ ଗୋଷ୍ଠୀରେ ଯୋଗ୍ୟା କନ୍ୟାଙ୍କର ବିରଳତା ଯୋଗୁଁ ଉପଯୁକ୍ତ ରୂପ ଗୁଣର ଅଧିକାରିଣୀ କନ୍ୟାଟିଏ ପାଇବା ପାଇଁ ସମ୍ଭାବ୍ୟ ବର ପକ୍ଷମାନଙ୍କ ମଧୢରେ ଲାଗି ରହିଥିବା ଭୀଷଣ ପ୍ରତିଯୋଗିତା। କନ୍ୟାଟିଏ ଠିକ୍‌ ହୋଇଗଲେ ନିର୍ବନ୍ଧ କରି ଦେଇ ଜବାହର ଚାହୁଁଥିବା ଭଳି ବିବାହ ଡେରିରେ କରିବା ପାଇଁ ପିତା ମୋତିଲାଲ ପ୍ରସ୍ତୁତ ଥିଲେ। ଏହି ପରିପ୍ରେକ୍ଷୀରେ ପିତା ଓ ପୁତ୍ରଙ୍କ ମଧୢରେ ପୁତ୍ର ମାଧୢମରେ ବେଶ୍‌ ଖୋଲାଖୋଲି ଭାବରେ ଭାବର ଆଦାନ ପ୍ରଦାନ ସେ ସମୟରେ ହୋଇଥିଲା। ଏହାର ଅ˚ଶ ସ୍ବରୂପ କନ୍ୟାଟି ସୁନ୍ଦରୀ ହୋଇଥିବାର ଗୁରୁତ୍ବ ସମ୍ବନ୍ଧରେ ଜବାହରଲାଲ ତାଙ୍କ ପିତାଙ୍କୁ ପଠାଇଥିବା ଏକ ପତ୍ରରେ ଲେଖିଥିଲେ: ‘‘ଚେହେରା ସମ୍ବନ୍ଧରେ ଏତିକି କୁହାଯାଇପାରେ, ଏକ ସୁନ୍ଦର ପ୍ରାଣୀକୁ ଦର୍ଶନ କରି କିଏ ଗଭୀର ଆନନ୍ଦ ଅନୁଭବ ନକରି ରହି ପାରିବ?’’

ଏହା ହିଁ ବୋଧହୁଏ ହେଉଛି ଜବାହରଲାଲଙ୍କର ଅଣନାତୁଣୀ ପ୍ରିୟଙ୍କାଙ୍କର ରାଜନୀତିରେ ସଦ୍ୟ ପ୍ରବେଶ ସୃଷ୍ଟି କରିଥିବା ଉଚ୍ଚାଟ ଓ କୋଳାହଳର ଅସଲ କାରଣ। ପ୍ରିୟଙ୍କାଙ୍କର ସମସ୍ତ ଶତ୍ରୁ ଓ ମିତ୍ରମାନେ ତାଙ୍କ ବ୍ୟକ୍ତିତ୍ବର ଯେଉଁ ବିଭାବ ସମ୍ବନ୍ଧରେ ଏକମତ, ତାହା ହେଲା ସେ ହେଉଛନ୍ତି ଏକ କମନୀୟ ଚେହେରାର ଅଧିକାରିଣୀ, ତାଙ୍କ ପ୍ରପିତାମହଙ୍କ ଭାଷାରେ ‘ଏକ ସୁନ୍ଦର ପ୍ରାଣୀ’। ତେଣୁ ତାଙ୍କର ଆବିର୍ଭାବ ମତଦାତାମାନଙ୍କ ମଧୢରେ ଏକ ‘ଗଭୀର ଆନନ୍ଦ’ ଭାବ ସୃଷ୍ଟି କରି ତାହାକୁ ଭୋଟ୍‌ରେ ରୂପାନ୍ତରିତ କରିବ ବୋଲି କେବଳ କ˚ଗ୍ରେସ ଶିବିରରେ ବିଶ୍ବାସ କରାଯାଉଛି, ତାହା ନୁହେଁ, ବିରୋଧୀ ଭାରତୀୟ ଜନତା ପାର୍ଟି ଶିବିରରେ ମଧୢ ଅନୁରୂପ ଭାବରେ ବିଶ୍ବାସ କରାଯାଉଛି। ଏହି ବିଶ୍ବାସ କ˚ଗ୍ରେସ ଶିବିରରେ ବ୍ୟାପକ ଉଲ୍ଲାସ ସୃଷ୍ଟି କରିଥିବା ବେଳେ ଶତ୍ରୁ ଶିବିରରେ ଚରମ ଆତଙ୍କକୁ ଜନ୍ମ ଦେଇଛି। ଭାଜପା ଏହାକୁ ଯେତେ ଅସ୍ବୀକାର କରିବାକୁ ଚେଷ୍ଟା କଲେ ମଧୢ ଜଣକ ପରେ ଜଣେ ସେମାନଙ୍କର ଛାମୁଆଁ ନେତାମାନଙ୍କର ଏ ସମ୍ପର୍କରେ ପ୍ରକାଶିତ ପ୍ରତିକ୍ରିୟା ସେମାନଙ୍କର ଛାନିଆ ଭାବକୁ ପଦାରେ ପକାଇ ଥାଏ।

ଯେମିତି ଗତବର୍ଷ ତୁଙ୍ଗ ନେତା ବିନୟ କଟ୍ୟାର‌୍‌ ଭାଜପାର ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ହିରୋଇନ୍‌ ମାନଙ୍କ ଠାରୁ ପ୍ରିୟଙ୍କା ଅଧିକ ସୁନ୍ଦର ନୁହନ୍ତି ବୋଲି ମନ୍ତବ୍ୟ ଦେଇଥିବା ବେଳେ ଏବେ ବିହାରରେ ମନ୍ତ୍ରୀ ଥିବା ଭାଜପା ନେତା ବିନୋଦ ନାରାୟଣ ଝା କିନ୍ତୁ ଭିନ୍ନମତ ପୋଷଣ କରି କହିଛନ୍ତି ଯେ ପ୍ରିୟଙ୍କା ଅତୀବ ସୁନ୍ଦରୀ ସତ କିନ୍ତୁ ତାଙ୍କର କୌଣସି ରାଜନୈତିକ ଉପଲବ୍‌ଧି ବା ମେଧା ନାହିଁ। ସେଇ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ମୋଦୀ ଜେଜେମା ଇନ୍ଦିରା ଗାନ୍ଧୀଙ୍କ ଚେହେରା ସହିତ ପ୍ରିୟଙ୍କାଙ୍କ ସାଦୃଶ୍ୟ ନେଇ ହେଉଥିବା ଆଲୋଚନାକୁ ଫୁତ୍କାରରେ ଉଡ଼ାଇ ଦେବାକୁ ଯାଇ କହିବା ଦେଖାଯାଇଛି: ‘‘ରାଜନୀତିରେ ଡୁପ୍ଲିକେଟ୍‌ କାମ କରେ ନାହିଁ।’’ଭାଜପା ନେତା କୈଳାସ ବିଜୟଭର୍ଗିୟା ରୁଚିହୀନତାର ଏକ ନୂତନ ଉଦାହରଣ ସୃଷ୍ଟି କରି ମନ୍ତବ୍ୟ ଦେଇଛନ୍ତି ଯେ କ˚ଗ୍ରେସର କେହି ଟାଣୁଆ ନେତା ନଥିବାରୁ ସେମାନେ ଆଗାମୀ ନିର୍ବାଚନରେ ଲଢ଼ିବା ପାଇଁ ‘ଚକୋଲେଟି’ ଚେହେରା ଉପରେ ନିର୍ଭର କରୁଛନ୍ତି। ଭାଜପାର ବିଚକ୍ଷଣ ବର୍ଷୀୟାନ୍‌ ହାର୍ଭାଡ୍‌ ପୃଷ୍ଠଭୂମିବିଶିଷ୍ଟ ନେତା ସୁବ୍ରମଣ୍ୟନ୍‌ ସ୍ବାମୀ କିନ୍ତୁ ଏଭଳି କିଛି ହାଲୁକା ମନ୍ତବ୍ୟ ନ ଦେଇ ସିଧାସଳଖ ପ୍ରିୟଙ୍କାଙ୍କର ମାନସିକ ସନ୍ତୁଳନ ଉପରେ ପ୍ରଶ୍ନ ଚିହ୍ନ ଲଗାଇ ତାଙ୍କର ‘ବାଇପୋଲାର‌୍‌ ଡିସ୍‌ଅର୍ଡର‌୍‌’ ଅଛି ବୋଲି ପ୍ରକାଶ କରିଛନ୍ତି। ଆତଙ୍କିତ ଭାଜପା ନେତାମାନଙ୍କର ଏଭଳି ପ୍ରତିକ୍ରିୟା ପ୍ରିୟଙ୍କା କିମ୍ବା କ˚ଗ୍ରେସର କୌଣସି କ୍ଷତି କରିବ ନାହିଁ ବର˚ ସମ୍ପୃକ୍ତ ନେତାମାନଙ୍କର ସ˚କୀର୍ଣ୍ଣ ଲିଙ୍ଗବିଦ୍ବେଷୀ ଅଶିଷ୍ଟ ଚେହେରାକୁ ପଦାରେ ପକାଉଛି ଯାହା। ସତେ ଯେମିତି ସୁନ୍ଦର ଚେହେରାର ରାଜନୀତିରେ ସ୍ଥାନ ନାହିଁ (ଖୁସ୍‌ବନ୍ତ ସି˚ହଙ୍କ କଥା କ’ଣ ସତ: ସବୁ ଜୀବଙ୍କ ଶିଶୁ ଭଳି ପ୍ରତ୍ୟେକ ମାନବ ଶିଶୁ ମଧୢ ସୁନ୍ଦର ହୋଇ ଜନ୍ମ ହୋଇଥାଏ, କିନ୍ତୁ ସେମାନଙ୍କ ମଧୢରୁ ଯିଏ ରାଜନୀତିରେ ପ୍ରବେଶ କରେ ତା’ର ଚେହେରା କ୍ରମେ କଦାକାର ହୋଇଯାଏ? ପ୍ରିୟଙ୍କା ସାବଧାନ୍‌!)। ତେବେ, ହତୋତ୍ସାହିତ ଭାଜପା ନେତାମାନେ ଯଦି ସାନ୍ତ୍ବନା ଖୋଜୁଥାନ୍ତି, ତାହା ସେମାନଙ୍କୁ ଜବାହରଲାଲଙ୍କର ଉପରୋକ୍ତ ପତ୍ରର ଉଦ୍ଧୃତ ଅ˚ଶର ଦୁଇଟି ବାକ୍ୟ ପରେ ମିଳିଯାଇ ପାରେ, ଯେଉଁଠି ଜବାହର ଲେଖିଥିଲେ: ‘‘ସୌନ୍ଦର୍ଯ୍ୟ ଯାହା ହେଲେ ବି ହେଉଛି ମାତ୍ର ଚର୍ମର ଗଭୀରତା ମଧୢରେ ସୀମିତ।’’

ଅନ୍ୟ ଘଟଣାଟି ହେଉଛି ବର୍ତ୍ତମାନ କ˚ଗ୍ରେସ ସଭାପତି ଥିବା ତଥା ଯଥାଶୀଘ୍ର ସମ୍ଭବ ନିଜର ପିତା, ପିତାମହୀ ଏବ˚ ପ୍ରପିତାମହଙ୍କୁ ଅନୁସରଣ କରି ଭାରତର ପ୍ରଧାନମନ୍ତ୍ରୀ ଆସନରେ ବସିବାକୁ ଅପେକ୍ଷା କରିଥିବା ଜବାହରଲାଲଙ୍କ ଅଣନାତି, ପ୍ରିୟଙ୍କାଙ୍କ ବଡ଼ ଭାଇ ରାହୁଲ ଗାନ୍ଧୀଙ୍କୁ କେନ୍ଦ୍ର କରି। ୧୯୮୩ରେ ସାହିତ୍ୟ ପାଇଁ ନୋବେଲ ପ୍ରାଇଜ୍‌ ପାଇଥିବା ଵିଲିଅମ୍‌ ଗୋଲ୍‌ଡିଙ୍ଗ୍‌ଙ୍କର ସର୍ବଶ୍ରେଷ୍ଠ ରଚନା ହେଉଛି ୧୯୫୪ରେ ପ୍ରକାଶିତ ତାଙ୍କର ଉପନ୍ୟାସ ‘ଲର୍ଡ ଅଫ୍‌ ଦି ଫ୍ଲାଇଜ୍‌’। କୌଣସି ନୈତିକ ଅଙ୍କୁଶର ଅନୁପସ୍ଥିତିରେ ପିଲାମାନେ କିଭଳି ନିଜର ବର୍ବର, ହି˚ସ୍ର ଓ କ୍ଷମତା ଲୋଭୀ ପ୍ରବୃତ୍ତିର ପରିପ୍ରକାଶ କରିଥାନ୍ତି, ତାହା ହେଉଛି ଏହି ଉପନ୍ୟାସର ଅସ୍ବସ୍ତି ସୃଷ୍ଟିକାରୀ ବିଷୟବସ୍ତୁ। ବାଳ-ମନସ୍ତତ୍ତ୍ବର ଏହି ଅନ୍ଧାରୀ ଦିଗର ସର୍ବାଧିକ ପରିସ୍ଫୁଟନ ଘଟିଛି ଉପନ୍ୟାସର ନାୟକ ବାଳକ ଜ୍ୟାକ୍‌ ଠାରେ। ସ୍କୁଲ୍‌ରେ ଥିବା ବେଳେ ଜ୍ୟାକ୍‌ ଥିଲା ଜଣେ ଶୃଙ୍ଖଳିତ, ନୀତିବାନ୍‌ ପିଲା। କିନ୍ତୁ ଏକ ବିମାନ ଦୁର୍ଘଟଣା ପରେ ଏକ ନିର୍ଜନ ଦ୍ବୀପରେ ସାଥୀ ବାଳକମାନଙ୍କ ସହିତ ଅସହାୟ ଅବସ୍ଥାରେ ଅଟକି ରହିଥିବା ସେଇ ଜ୍ୟାକ୍‌ ମେରିଡିଉର ଏକମାତ୍ର ଲକ୍ଷ୍ୟ ହେଉଛି କଳେ ବଳେ କୌଶଳେ କ୍ଷମତା ହାସଲ। ଦଳର ବୁଦ୍ଧିମାନ୍‌, ବିଚାରବନ୍ତ ନେତା ସାଥୀ ବାଳକ ରାଲ୍‌ଫକୁ ସ୍ଥାନଚ୍ୟୁତ କରିବା ପାଇଁ ଜ୍ୟାକ୍‌ ସମସ୍ତ ପ୍ରକାର ଅନୈତିକ, ନିଷ୍ଠୁର, ବର୍ବର କାର୍ଯ୍ୟ କରିବା ସହିତ ସାଥୀମାନଙ୍କ ମଧୢରେ ଏକ କାଳ୍ପନିକ ଭୟଙ୍କର ଅଜଣା ଜନ୍ତୁର ମିଥ୍ୟା ଆତଙ୍କ ସୃଷ୍ଟି କରିଛି ଯାହାର ପ୍ରଭାବରେ ସେମାନେ ନରହତ୍ୟା କରିବାକୁ ମଧୢ ପଛାଇ ନାହାନ୍ତି। ଯାହା ହେଲେ ବି ଜ୍ୟାକ୍‌ର ଦରକାର କ୍ଷମତା।

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର ଜଣେ ଉଚ୍ଚ ଶିକ୍ଷିତ, ଦକ୍ଷ, ସଚ୍ଚୋଟ ରାଜନେତା ରୂପେ ଖ୍ୟାତ। ସେ ଅତୀତରେ ଭାରତର ପ୍ରତିରକ୍ଷା ମନ୍ତ୍ରୀ ଥିଲେ। ବର୍ତ୍ତମାନ ସେ ଦୁରୋରୋଗ୍ୟ ପାଙ୍କ୍ରିଆଟିକ୍‌ କ୍ୟାନ୍‌ସର ରୋଗରେ ପୀଡ଼ିତ। ତାଙ୍କର ଏକଦା କମନୀୟ ମୁଖ ମଣ୍ତଳ ସ୍ଥାନରେ ବର୍ତ୍ତମାନ ନାକରେ ଟ୍ୟୁବ୍‌ ପଶିଥିବା ଏକ ବ୍ୟାଧିବିଧ୍ବସ୍ତ ଶୀର୍ଣ୍ଣ ଚେହେରା ଯେ କୌଣସି ଦର୍ଶକ ଠାରେ ତାଙ୍କ ପ୍ରତି କରୁଣା ଓ ସଦିଚ୍ଛା ବ୍ୟତୀତ ଅନ୍ୟ କିଛି ଭାବନା ସୃଷ୍ଟି କରିବା ସମ୍ଭବ ନୁହେଁ- ତାଙ୍କୁ ବ୍ୟବହାର କରି ରାଜନୀତି କରିବା ଦୂରର କଥା। ଗତ ମଙ୍ଗଳବାର ଦିନ ରାହୁଲ ଗାନ୍ଧୀ ମନୋହର ପାରିକରଙ୍କୁ ଭେଟି ତାଙ୍କର ଦ୍ରୁତ ଆରୋଗ୍ୟ କାମନା କରିଥିଲେ ବୋଲି ନିଜେ ଟ୍ବିଟ୍‌ କରି ଦୁନିଆକୁ ଜଣାଇଥିଲେ। ତା’ର ପ୍ରାୟ ୨୪ ଘଣ୍ଟା ପୂର୍ବରୁ ରାହୁଲ ତାଙ୍କର ଘୋଷା ପାଲଟିଥିବା ଅଜଣା ଜନ୍ତୁ ମିଥ୍ୟା ଆତଙ୍କ ସୁଲଭ ରାଫେଲ ରାଜନୀତିର ଅ˚ଶ ସ୍ବରୂପ କହିଥିଲେ, ଯେ ପାରିକରଙ୍କ ପାଖରେ ଥିବା ରାଫେଲ କାରବାର ସମ୍ବନ୍ଧିତ ‘ଗୋପନୀୟ ତଥ୍ୟ’ ତାଙ୍କୁ ‘ପ୍ରଧାନମନ୍ତ୍ରୀ’ଙ୍କ ଉପରେ କ୍ଷମତା ପ୍ରଦାନ କରିଛି। ପାରିକରଙ୍କୁ ଭେଟିବା ପରେ କୋଚିଠାରେ ଏକ ଭାଷଣ ଦେଇ ରାହୁଲ ସୂଚନା ଦେଲେ ଯେ ପାରିକର ତାଙ୍କୁ କହିଛନ୍ତି ଯେ ନୂତନ ରାଫେଲ କାରବାର ଏବ˚ ଅମ୍ବାନୀଙ୍କ ସମ୍ପୃକ୍ତିରେ ତାଙ୍କର କୌଣସି ଭୂମିକା ନାହିଁ। ପାରିକର ତୁରନ୍ତ ଏହାର ଖଣ୍ତନ କରିବା ପରେ ରାହୁଲ ଚୁପ୍‌ ରହିବା ପରିବର୍ତ୍ତେ ପ୍ରତ୍ୟୁତ୍ତରରେ କହିଲେ ଯେ ମୋଦୀଙ୍କ ଚାପରେ ପାରିକର ଏପରି କହିଛନ୍ତି- ଯଦିବା ମୋଦୀ ପାରିକରଙ୍କ ନିୟନ୍ତ୍ରଣରେ ଅଛନ୍ତି ବୋଲି ସେ ଏଥି ପୂର୍ବରୁ ଅଭିଯୋଗ କରିଥିଲେ। କ୍ଷମତା ଯୁଦ୍ଧରେ ମୃତ୍ୟୁ ସହିତ ଲଢ଼ୁଥିବା ଶତ୍ରୁ ପ୍ରତି ଅନୁକମ୍ପା ପ୍ରଦର୍ଶନ ଭଳି ଶିଷ୍ଟାଚାରର ମଧୢ ଯେ ସ୍ଥାନ ନାହିଁ, ଏହା ହେଉଛି ତାହାର ଏକ ଗୋଲ୍‌ଡିଙ୍ଗ୍‌ ସୁଲଭ ବାସ୍ତବ ଉଦାହରଣ।

ସମ୍ବନ୍ଧିତ ଖବର